Unknown

 

 

 

 

 

 

 

 

 

 

 

ବିଜ୍ଞାନର ରୂପ

ଦେବକାନ୍ତ ମିଶ୍ର

 

ସୂଚୀପତ୍ର

 

୧.

ଭୂମିକା

୨.

ବିଜ୍ଞାନର ରୂପ

୩.

ବିଜ୍ଞାନ ଓ ଆମର ଭବିଷ୍ୟତ

୪.

ବୈଜ୍ଞାନିକ ଉପନ୍ୟାସର ଇତିବୃତ୍ତ

୫.

ସତ୍ୟ ସନ୍ଧାନ ବ୍ୟାପାରରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଗୁରୁତ୍ୱପୂର୍ଣ୍ଣ ଭୂମିକା

୬.

ଶିଳ୍ପର ସମୃଦ୍ଧି ସାଧନ ଓ ଯୁବ ସମାଜର ଦାୟିତ୍ଵବୋଧ

୭.

ମନୁଷ୍ୟର ଅନନ୍ୟ ରୂପ

୮.

ପ୍ରାଚୁର୍ଯ୍ୟର ଅଭିଶାପ ବନାମ ଦାରିଦ୍ର୍ୟର ଉତ୍ପୀଡ଼ନ

୯.

ଭଲ କାମ

୧୦.

ଗାଇଆ

୧୧.

ଦ୍ଵିବିଧ ଉତ୍ତରାଧିକାରୀ

Image

 

ଜଗନ୍ନାଥ ରଥ

 

ଜନ୍ମ—୧୫ ନଭେମ୍ବର, ୧୯୩୨

ମୃତ୍ୟୁ—୧୬ ମଇ, ୧୯୮୪

 

ମେ’ ପ୍ରଥମ ପୁସ୍ତକର ପ୍ରକାଶକ, ପ୍ରେରଣାଦାତା, ଅଗ୍ରଜ ପ୍ରତିମ ବଂଧୁ ଶ୍ରୀ ଜଗନ୍ନାଥ ରଥଙ୍କ ପବିତ୍ର ସ୍ତୁତି ଉଦ୍ଦେଶ୍ୟରେ ଭକ୍ତିର ନିଦର୍ଶନ ସ୍ଵରୂପ ଏ ପୁସ୍ତକଟିକୁ ଉତ୍ସର୍ଗ କରୁଛି ।

 

ଦେବକାନ୍ତ ମିଶ୍ର

Image

 

ଭୂମିକା

।। ୧ ।।

 

ବିଜ୍ଞାନ ଓ ଟେକ୍‌ନୋଲୋଜିକୁ ଆଧୁନିକ ସଭ୍ୟତାର ସ୍ଥାୟୀତ୍ଵ ଓ ଉତ୍ତରୋତ୍ତର ବିକାଶ ପଥରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ବିଭାବରୂପେ ବ୍ୟବହାର କରାଯାଉଛି । ବିଜ୍ଞାନାଶ୍ରୟୀ ଟେକ୍‍ନୋଲଜିଗୁଡ଼ିକର ଉଦ୍ଭାବନ ବଳରେ ଇନ୍ନୋଭେସନ୍‌ପ୍ରବଣ ମନୁଷ୍ୟ ନିଜର ସର୍ବବିଧ ସମସ୍ୟାର ମୁକାବିଲା କରିପାରିବାର ଦୃଢ଼ ବିଶ୍ଵାସ ପୋଷଣ କରିଛି । ଭବିଷ୍ୟତର ସାମ୍ଭାବ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେ ଆଜହୁଁ ପ୍ରସ୍ତୁତ ହେଉଛି । ଆଧୁନିକ ପଦାର୍ଥ ବିଜ୍ଞାନର ଉତ୍ତରୋତ୍ତର ସମୃଦ୍ଧି, ସାଧନ, ଆଣବିକ ଜୀବ ବିଜ୍ଞାନ ଓ ଜୈବ ପ୍ରଯୁକ୍ତି ବିଦ୍ୟା, ମହାକାଶ ଅଭିଯାନ ଏବଂ ଶକ୍ତିଶାଳୀ କମ୍ପ୍ୟୁଟରଗୁଡ଼ିକର ପ୍ରସ୍ତୁତି ପ୍ରଭୃତି ବୃଦ୍ଧି ଓ ବ୍ୟୟସାପେକ୍ଷ ବ୍ୟାପାରଗୁଡ଼ିକର କାର୍ଯ୍ୟକାରିକତା ଦିଗରେ ବିଚକ୍ଷଣ ପାରଦର୍ଶିତା ପ୍ରଦର୍ଶିତ ହେଉଛି ।

 

ବୈଜ୍ଞାନିକ ଗବେଷଣା ଓ ପ୍ରଗତି ପାଇଁ ଧନୀ ଓ ଦରିଦ୍ର ନିର୍ବିଶେଷରେ ସବୁ ରାଷ୍ଟ୍ରଗୁଡ଼ିକରେ ବିପୁଳ ବ୍ୟୟସାପେକ୍ଷ ଆୟୋଜନ ଚାଲିଥିଲେ ହେଁ ସବୁ କିଛି ବିଶୃଙ୍ଖଳ ଓ ଖାପଛଡ଼ା ହୋଇଥିବା ପରି ଜଣାପଡ଼ୁଛି । ସାରା ପୃଥିବୀ ବକ୍ଷରେ ପ୍ରାକୃତିକ ସମ୍ପଦର ସୁଷମ ବଣ୍ଟନ, ବାଣିଜ୍ୟ କାରବାରରେ ଅଭିବୃଦ୍ଧି ଓ ପ୍ରତିରକ୍ଷା କ୍ଷେତ୍ରରେ ନିଜ ରାଷ୍ଟ୍ରର ପ୍ରତିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ରାଷ୍ଟ୍ରର ସମସାମୟିକ ପରିବେଶ ପ୍ରତି ଦୃଷ୍ଟିପାତ କରିବାଦ୍ୱାରା ଅନାୟାସରେ ଉପଲବ୍‌ଧି ହେଉଛି ଯେ, ଅନ୍ତଃରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ମନୁଷ୍ୟର ବ୍ୟକ୍ତିଗତ ଓ ସାମାଜିକ ଜୀବନ ଦାରୁଣ ନୈତିକ ଆନ୍ତଃପତନର ସମ୍ମୁଖୀନ ହୋଇଛି ।

 

ଯେଉଁ ବିଜ୍ଞାନ ନିର୍ଭରଶୀଳ ଟେକନୋଲଜିଗୁଡ଼ିକୁ ସେ ନିଜ ହାତ ବାରିସୀ ରୂପେ ପ୍ରୟୋଗ କରିଛି, ତାହାକୁ ପ୍ରଜାତିର ତଥା ଇତର ଜୀବ ଜଗତର ହିତ ସାଧନ ଦିଗରେ ନିୟୋଜିତ କରିବାକୁ ସେ ଅସମର୍ଥ ହୋଇଛି । ବିଭିନ୍ନ ଟେକନୋଲୋଜି-ଗୁଡ଼ିକର ଉପଯୋଗ ବଳରେ ବଳୀୟାନ ମନୁଷ୍ୟ ପୃଥିବୀ ବକ୍ଷରେ ନିଉକ୍ଳିଆର ଯୁଦ୍ଧ ଭିଆଇ ମାନବ ଜାତିକୁ ନିଶ୍ଚିହ୍ନ କରିଦେବା ଭଳି ଆତଙ୍କବାଦ ପରିସ୍ଥିତି ସୃଷ୍ଟି ହୋଇଛି । ଲୋଭାତୁର ମନୁଷ୍ୟ ଉତ୍ପାଦନରେ ଅଭିବୃଦ୍ଧି ଘଟାଇବା ଉଦ୍ଦେଶ୍ୟରେ ପରିବେଶ ଓ ପରିସଂସ୍ଥାକୁ ଏପରି ଭାବରେ ଏପରି ଦୂଷିତ କରି ପକାଉଛି ଯେ, ଏତଦ୍ଵାରା ମନୁଷ୍ୟ ତଥା ଇତର ଜୀବ ଜଗତର ସ୍ଥାୟୀତ୍ଵ ପାଇଁ ପରିବେଶ ଏକାନ୍ତ ପ୍ରତିକୂଳ ହୋଇଯିବାର ଆଶଙ୍କା ମନୁଷ୍ୟକୁ ଉଦ୍‌ବିଗ୍ନ କରିଛି । ବ୍ୟକ୍ତିଗତ, ଗୋଷ୍ଠୀଗତ, ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ସମ୍ପଦର ବିତରଣ ଓ ଅର୍ଥୋପାର୍ଜନକୁ କେନ୍ଦ୍ର କରି ଯେଉଁ କନ୍ଦଳ ସୃଷ୍ଟି ହୋଇଛି, ଉଜ୍ଜନିତ ସଂକୀର୍ଣ୍ଣ ଜାତୀୟତା, ଆଞ୍ଚଳିକତା ଓ ମତାନ୍ଧତାର ପ୍ରାଦୁର୍ଭାବ ଜନଜୀବନକୁ ବିପର୍ଯ୍ୟସ୍ତ କରୁଛି । ବିଜ୍ଞାନର ଜୟଯାତ୍ରାକୁ ସ୍ଵାଗତ କରାଯାଉଥିଲେ ମଧ୍ୟ, ଚତୁର୍ଦ୍ଦିଗରେ ଚିର ଚଞ୍ଚଳ ଜଞ୍ଜାଳମୟ ପରିବେଶର ସର୍ଜନା ଘଟିଥିଲେ ମଧ୍ୟ ମନୁଷ୍ୟର ହୃଦୟ ସ୍ଥାଣୁ ପାଲଟିଯାଇଛି । ତା’ ମନରୁ ମାନବିକତାବୋଧର ବିଲୟ ଘଟିଛି । ନିଜ ଅନ୍ତଃନିବିଷ୍ଟ ମାନସକୁ ସେ ସମ୍ପୁର୍ଣ୍ଣ ଭାବରେ ଭୁଲି ଯାଇଥିବା ଭଳି ଜଣାପଡ଼ୁଛି । ତା’ ମନରୁ ମାନବିକତାବୋଧର ବିଲୟ ଘଟିଛି । ଆସୁରିକ ପ୍ରବୃତ୍ତିର ତାଡ଼ନା ତା’ର ମାନସପଟକୁ ଅସନ୍ତୁଳିତ କରିଛି । ପାର୍ଥିବ ପରିବେଶକୁ ମନ୍ଥନ କରି ସେଥିରୁ ଫାଇଦା ଉଠାଇବା ପାଇଁ ଚାଲିଛି ତୁମୂଳ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ହଟି ନଯିବା ପାଇଁ ସମସ୍ତେ ବ୍ୟଗ୍ର । କେହି କାହାର ଉପରେ ଭ୍ରମି ରଖିବାକୁ ରାଜି ନୁହଁନ୍ତି । ପ୍ରତ୍ୟକ ନିଜକୁ ଅନ୍ୟଠାରୁ ଦୁରେଇ ରଖିବା ପାଇଁ ବ୍ୟାକୁଳ । ଏଣୁ ପ୍ରତିଯୋଗିତାରେ ହଟି ଯାଇଥିବା ବା ପଛରେ ପଡ଼ିଯାଉଥିବା ବ୍ୟକ୍ତି, ଗୋଷ୍ଟୀ ରାଷ୍ଟ୍ର ନିଜକୁ ଏକାନ୍ତ ନିଃସହାୟ ମନେକରୁଛି ।

 

ନିଜ ଅନ୍ତମାନସର ପରିତୃପ୍ତି ପାଇଁ ଚିନ୍ତା କରିବାକୁ ମଧ୍ୟ ତା’ ହାତରେ ସମୟ ନାହିଁ । ନିଜ ପରିବାରର ବା ନିଜ ସମାଜର ହିତ ସାଧନ କରିବାକୁ ତଥା ନିଜ ପଡ଼ୋଶୀର ଭଲମନ୍ଦ ବୁଝିବାକୁ ସେ ସମୟର ଅପଚୟ ରୂପେ ବିଚାର କରୁଛି । ପ୍ରକୃତିର ଶୋକପାସୋରା ଅନୁପମ ଦୃଶ୍ୟ ତା’ର ବସ୍ତୁସର୍ବସ୍ଵ ମାନସପଟରେ ଆତ୍ମିକ ପ୍ରଶାନ୍ତିର ଜାଗରଣ ଘଟାଇବା ପାଇଁ ନିରୋଳା ଭାବରେ ଚିନ୍ତା କରିବାକୁ ବା ପ୍ରକୃତି ଉପାସନା କରିବାକୁ କିମ୍ବା ସାମାଜିକ ଉତ୍ସବମାନଙ୍କରେ ଯୋଗଦେଇ କିଛି ସମୟ ପାଇଁ ଅନ୍ୟମାନଙ୍କ ଗହଣରେ ନିଜକୁ ହଜାଇ ଦେବାକୁ ସେ ସ୍ପୃହଣୀୟ ମଣୁନାହିଁ । ଆଧୁନିକ ଟେକ୍‌ନୋଲଜି ଗୁଡ଼ିକର ଯଥା ଶକ୍ତି ଉପଯୋଗ କରି ନିଜର, ନିଜ ସମାଜର ବା ନିଜ ଦେଶର ଉତ୍ପାଦନରେ ଅଭିବୃଦ୍ଧି ଘଟାଇବା ପୂର୍ବକ ଅଧିକରୁ ଅଧିକ ଅର୍ଥୋପାର୍ଜନ ବା କ୍ଷମତା ବିସ୍ତାର ଦିଗରେ ଆତ୍ମଯୋଗୀ ହୋଇଥିବାରୁ ଆତ୍ମସମୀକ୍ଷା କରିବାକୁ ତାକୁ ସମୟ ମିଳୁନାହିଁ । ଏପରି ଅସ୍ଵଭାବିକ ବଣିଜସୁଲଭ ପ୍ରତିଯୋଗିତାର ଉତ୍ପୀଡ଼ନ ଯୋଗୁଁ ତା’ ମାନସାପଟରେ ଯେଉଁ କ୍ଷୋଭ, ଅଶାନ୍ତି ବା ଉତ୍ତେଜନା ସୃଷ୍ଟି ହେଉଛି, ତାହାର ଅବଦମନ ପାଇଁ ସେ କ୍ଷଣକ ପାଇଁ ଆତ୍ମହରା ହେବା ଉଦ୍ଦେଶ୍ୟରେ କଷ୍ଟଲବ୍‌ଧ ବିଶ୍ରାମ ସମୟକୁ ଅତି ବିଭତ୍ସ ଭାବରେ ଉପଭୋଗ କରିବାକୁ ସ୍ପୃହଣୀୟ ମଣୁଛି । ବୀଭତ୍ସ ଯୈାନ ଜୀବନ ବା ଯୌନ ଊନ୍ମାଦନା ଉପଭୋଗ କରିବା ପାଇଁ ଏବଂ ରାସାୟନିକ ସଂଶ୍ଳେଷଣ ଅବଲମ୍ବନରେ ପ୍ରସ୍ତୁତ ତଥା ପ୍ରକୃତିଲବ୍‌ଧ ବହୁବିଧ ମାଦକଦ୍ରବ୍ୟ ସେବନ କରିବା ପାଇଁ ସେ ପ୍ରଲୋଭିତ ହେଉଛି । ତା’ର କ୍ଷୁବ୍‌ଧ ତଥା ଅଶାନ୍ତ ମାନସପଟରେ କ୍ଷଣକ ପାଇଁ ଉନ୍ମାଦନା ଓ ରୋମାଞ୍ଚ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବଣିଜସୁଲଭ ତଥା ବିଜ୍ଞାପନସର୍ବସ୍ୱ ମନୋବୃତ୍ତି ବିନିମୟରେ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର କ୍ଲବ୍‍, ହେଲଥ୍‌ପାର୍ଲର, ବ୍ଲୁ ଫିଲମ୍‌ ପ୍ରଦର୍ଶନ, ଉଲଗ୍ନ ବା ଅର୍ଦ୍ଧଉଲଗ୍ନ ନୃତ୍ୟ ପ୍ରଦର୍ଶନ ପାଇଁ ଚାକଚକ୍ୟଭରା ପରିବେଶ ଯୋଗାଇ ଦେଉଛନ୍ତି ।

 

କଳା, ବିଜ୍ଞାନ ଓ ଧର୍ମର ସୁସମନ୍ୱିତ ପ୍ରଭାବ ଯୋଗୁଁ ମନୁଷ୍ୟ ଯେପରି ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ତଥା ସନ୍ତୁଳିତ ମାନସରେ ଅଧିକାରୀ ହୋଇପାରିବାର ଅବକାଶ ରହିଛି, ତଦନୁରୂପେ ବୈାଦ୍ଧିକ ପରିବେଶ ସୃଷ୍ଟି କରିବା ଦିଗରେ ପ୍ରାଧାନ୍ୟ ଆରୋପିତ ହେଉନାହିଁ । ଆନୁଷ୍ଠାନିକ ବା ଅଣ-ଆନୁଷ୍ଠାନିକ ଶିକ୍ଷା ପଦ୍ଧତି ମନୁଷ୍ୟକୁ ହିତାହିତ ଜ୍ଞାନସମ୍ପନ୍ନ ତଥା ମାନବିକତାବୋଧ ସମ୍ପନ୍ନ ନାଗରିକରୂପେ ପ୍ରସ୍ତୁତ କରିବାକୁ ଏକାନ୍ତ ଅସମର୍ଥ ହୋଇଛି । ସାରା ପୃଥିବୀ ବକ୍ଷରେ ଉତ୍ପାଦନରେ ଅଭିବୃଦ୍ଧି ଘଟାଇବା ପୂର୍ବକ ପ୍ରତିପତ୍ତି ବିସ୍ତାର କରିବା ପାଇଁ ଯେଉଁ ପ୍ରକାର ବୈାଦ୍ଧିକ, ରାଜନୈତିକ ଓ ସାମାଜିକ ପରିବେଶ ସୃଷ୍ଟି ହୋଇଛି, ତଜ୍ଜନିତ ବିଭିନ୍ନ ପ୍ରକାର ରାଜନୈତିକ ଆଦର୍ଶର ପ୍ରଚଳନ ନିର୍ବିଶେଷରେ ସାରା ପୃଥିବୀ ବକ୍ଷରେ ଏକ ଅସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ହେବା ହିଁ ସାର ହୋଇଛି । ପ୍ରତ୍ୟେକ ମନୁଷ୍ୟର ନିଜସ୍ଵ ପ୍ରତିଭାର ସୁସଞ୍ଜିତ ବିକାଶ ଓ ପରିପୂର୍ଣ୍ଣ ଉପଯୋଗ ଘଟାଇବା ଦିଗରେ ତଥା ତାହାକୁ ନିଜର ନ୍ୟାଯ୍ୟ ମାନବିକ ଅଧିକାରଗୁଡ଼ିକୁ ଉପଭୋଗ କରିବା ଦିଗରେ ସମ୍ପୂର୍ଣ୍ଣ ବ୍ୟକ୍ତିକ ସ୍ଵାଧୀନତା ଯୋଗାଇଦେବା ଭଳି ସୁସ୍ଥ ପରିବେଶର ସର୍ଜନା ସମ୍ଭବ ହୋଇ ନଥିବାରୁ ବସୁମାତା ଧରଣୀ ବକ୍ଷରେ ସତ୍ୟ, ଶିବ ଓ ସୁନ୍ଦରର ପ୍ରତିଷ୍ଠା ପାଇଁ ପରିବେଶ ପ୍ରତିକୂଳ ହେଉଛି । ଯେ କୌଣସି ଉପାୟ ଅବଲମ୍ବନରେ କେବଳ ସ୍ଵାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ଲକ୍ଷ୍ୟ ହାସଲ କରିବା ପ୍ରତି ଅଗ୍ରାଧିକାର ଅବେପିତ ହେଉଛି-। ବିଜ୍ଞାନ ନିର୍ଭରଶୀଳ ଟେକ୍‌ନୋଲଜିଗୁଡ଼ିକୁ ଲକ୍ଷ୍ୟ ହାସଲ କରିବା ଅବଲମ୍ବନରୂପେ ପ୍ରୟୋଗ କରାଯାଉଥିବା ବେଳେ ଏଗୁଡ଼ିକର ସୁଦୁର-ପ୍ରସାରୀ ପ୍ରଭାବ ସମ୍ପର୍କରେ ଚିନ୍ତା କରାଯାଉନାହିଁ-। ଆଶୁ ଫଳ ଲାଭ ପାଇଁ ଅଭିନବ ଟେକ୍‍ନୋଲଜିଗୁଡ଼ିକର ଉଦ୍ଭାବନ ଓ ଗୋପନୀୟ ଭାବରେ ସେଗୁଡ଼ିକର ପ୍ରୟୋଗିକ ଉପଯୋଗ ଦିଗରେ ଆନୁଷ୍ଠାନିକ ତ୍ଵରାନ୍ୱିତ କରାଯାଉଛି ।

 

ଏଥିପାଇଁ ବିଜ୍ଞାନ ଓ ଟେକନୋଲଜି ମଧ୍ୟରେ ଥିବା ଗୁଣାତ୍ମକ ପାର୍ଥକ୍ୟଟି କ୍ରମଶଃ ସଙ୍କୁଚିତ ହୋଇଯାଉଛି । ଜନସାଧାରଣ ବିଜ୍ଞାନର ରୂପ ତାତ୍ପର୍ଯ୍ୟ ସମ୍ପର୍କରେ ସଠିକ ଧାରଣା ପୋଷଣ କରିବା ଭଳି ପରିସ୍ଥିତି ସୃଷ୍ଟି ହେଉନଥିବାରୁ କେବଳ କୌଣସି ପ୍ରକାର ଅଣାୟତ୍ତ ତଥା ଦୁର୍ବିସହ ପରିସ୍ଥିତିର ତାଡ଼ନାରେ ବିଜ୍ଞାନକୁ ହିଁ ଏପରି ଅପକର୍ମ ପାଇଁ ଦାୟୀ କରୁଛନ୍ତି । ବିଜ୍ଞାନ ନିର୍ଭରଶୀଳ ଟେକ୍‌ନୋଲଜିଗୁଡ଼ିକର ପ୍ରୟୋଗିକ ଉପଯୋଗ କ୍ଷେତ୍ରରେ କୈାଣସି ପ୍ରକାର ରାଷ୍ଟ୍ରୀୟ ବା ଅନ୍ତଃରାଷ୍ଟ୍ରୀୟ ନିୟନ୍ତ୍ରଣ ଜାରି କରାଯିବା ସମ୍ଭବ ହେଉନଥିବାରୁ ଏବଂ ବସ୍ତୁସର୍ବସ୍ୱ ମନୋବୃତ୍ତି ବିନିମୟରେ କେବଳ କୃଷି, ଶିଳ୍ପ, ଯୋଗାଯୋଗ ଓ ପରିବହନ ପ୍ରଭୃତି କ୍ଷେତ୍ରରେ ଅଭିନବ ଟେକ୍‌ନୋଲଜିଗୁଡ଼ିକର ଉପଯୋଗ ପାଇଁ ଆଶୁ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଥିବା ଯୋଗୁଁ ଆଜି ପୃଥିବୀ ବକ୍ଷରେ ମନୁଷ୍ୟର ସ୍ଥାୟିତ୍ୱ ବିପଦାପନ୍ନ ହୋଇଛି ଏବଂ ପାର୍ଥିବ ଭୌତିକ ପରିବେଶ ବା ଜୀବମଣ୍ଡଳ ମନୁଷ୍ୟ ତଥା ମନୁଷ୍ୟେତର ଜୀବଜଗତର ସ୍ଥାୟିତ୍ୱ ପାଇଁ ଏକାନ୍ତ ପ୍ରତିକୂଳ ହୋଇଯିବାର ଆଶଙ୍କା ଜନମାନସକୁ ବିବ୍ରତ ତଥା ବିଚଳିତ କରୁଛି ।

 

କ୍ରମବର୍ଦ୍ଧିଷ୍ଣୁ, ଜନତାର କ୍ରମବର୍ଦ୍ଧମାନ ଚାହିଦା ପୂରଣ ଦିଗରେ ପାର୍ଥିବ ସମ୍ପଦର ସୀମିତତା ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି । ପୃଥିବୀ ବକ୍ଷରେ ବିପୁଳସଂଖ୍ୟକ ଜନତା ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ରମାନଙ୍କରେ ଦାରିଦ୍ର୍ୟର ସୀମାରେଖା ତଳେ ନିଷ୍ପେଷିତ ଜୀବନ ବିତାଉଥିବା ଅବସ୍ଥାରେ ନିଜ ନିଜର ଦୟନୀୟ ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରୁଛନ୍ତି । ଏଥିପାଇଁ ନୂଆ ସ୍ୱାଧିନତା ଲାଭ କରିଥିବା ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ରଗୁଡ଼ିକରେ ବାରମ୍ବାର ରାଜନୈତିକ ଅସ୍ଥିରତା ସୃଷ୍ଟି ହେଉଛି । କ୍ରମବର୍ଦ୍ଧମାନ ଅଭାବଗ୍ରସ୍ତ ଜନତାର ଆଶା ଆକାଂକ୍ଷା ପୂରଣ ଦିଗରେ ସହସା କୌଣସି ପଦକ୍ଷେପ ଗ୍ରହଣ କରିବା ସମ୍ଭବ ହେଉନାହିଁ । ଏପରି ପରିସ୍ଥିତିରେ ଅଳ୍ପ କେତେକ ଶିଳ୍ପୋନ୍ନତ ତଥା ଶକ୍ତିଶାଳୀ ରାଷ୍ଟ୍ର ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟକୁ ନିଜ ନିଜର ନିୟନ୍ତ୍ରଣାଧୀନ କରିବା ପାଇଁ ବିଭିନ୍ନ ପ୍ରକାର ରାଜନୈତିକ କାରସାଦୀ ପ୍ରୟୋଗ କରୁଛନ୍ତି । ନିଅଣ୍ଟିଆ ରାଷ୍ଟ୍ରଗୁଡ଼ିକୁ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟଗୁଡ଼ିକୁ ଯୋଗାଇ ଦେବା କ୍ଷେତ୍ରରେ ଏମାନେ ନିଜ ନିଜର ସ୍ୱାର୍ଥାନୁକୂଳ ସର୍ତ୍ତଗୁଡ଼ିକୁ ଆରୋପ କରୁଛନ୍ତି । ପୃଥିବୀର ଅର୍ଥନୈତିକ ପରିସ୍ଥିତିକୁ ସୁଧାରିବା ପାଇଁ ମିଳିତ ଜାତିସଂଘ ଆନୁକୂଳ୍ୟରେ ଏକ “ଅଭିନବ ଅର୍ଥନୈତିକ ଶୃଙ୍ଖଳା’ର ପ୍ରତିଷ୍ଠା ପାଇଁ ଯେଉଁ ଉଦ୍ୟମ ଚାଲିଛି, ଥିଲାବାଲା ରାଷ୍ଟ୍ରଗୁଡ଼ିକ ତାହାକୁ ପ୍ରତିହତ କରିବାର ମସୂଧା ଚଳାଇଛନ୍ତି । ନିଅଣ୍ଟିଆ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମତଭେଦ ସୃଷ୍ଟି କରିବା ପାଇଁ ତଥା ସେମାନଙ୍କୁ ଆର୍ଥିକ ଓ ଟେକ୍‌ନୋଲଜିଭିତ୍ତିକ ସାହାଯ୍ୟ ଯୋଗାଇଦେବା ପୂର୍ବକ ସେମାନଙ୍କୁ ନିଜ ନିଜର ଗୋଡ଼ାଣିଆ ରାଷ୍ଟ୍ର ଭାବରେ ନିୟୋଜିତ କରିବା ପାଇଁ ଥିଲାବାଲା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ତୁମୂଳ ପ୍ରତିଯୋଗିତା ଚାଲିଛି-। ଏମାନେ ନିଜ ନିଜର ପ୍ରତିରକ୍ଷା ଶକ୍ତିକୁ ମଜବୁତ୍‌ କରିବା ଦିଗରେ ମୋଟ ଜାତୀୟ ଉତ୍ପାଦନର ବିପୁଳାଂଶ ବ୍ୟୟ କରିବାକୁ ଆଦୌ କୁଣ୍ଠାବୋଧ କରୁନାହାନ୍ତି ଏବଂ ଏପରି ବ୍ୟର୍ଥ ପ୍ରୟାସ ପୃଥିବୀ ବକ୍ଷରେ ନବ ‘ସାମ୍ରାଜ୍ୟବାଦ’ର ଅଭ୍ୟୁଦୟ ଘଟାଇଛି ଏବଂ ବର୍ଣ୍ଣାନ୍ଧତା ଓ ଧର୍ମାକ୍ଷତାର ତାଡ଼ନାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣଙ୍କ ସାମାଜିକ ଜୀବନ ଅଶାନ୍ତ ଓ ଉତ୍ତେଜନାମୟ ହେଉଛି । ଏଣୁ, ବିଳମ୍ବରେ ହେଲେ ମଧ୍ୟ ନିଅଣ୍ଟିଆ ରାଷ୍ଟ୍ରଗୁଡ଼ିକ ଏମାନଙ୍କ କାରସାଦୀକୁ ବୁଝିପାରି ଗୋଟିଏ ମେଣ୍ଟ ଗଠନ କରିଛନ୍ତି ଏବଂ ଥିଲାବାଲା ରାଷ୍ଟ୍ରମାନଙ୍କ ବ୍ୟୁହ ଭେଦ କରିବାକୁ ସଙ୍କଳ୍ପବଦ୍ଧ ହୋଇଛନ୍ତି । ଅର୍ଥନୈତିକ ଦୃଷ୍ଟିରୁ ପୃଥିବୀ ବକ୍ଷରେ ଏ ପ୍ରକାର ଯେଉଁ କନ୍ଦଳ ସୃଷ୍ଟି ହୋଇଛି, ତାହାକୁ କେନ୍ଦ୍ର କରି ଆଉ ଗୋଟିଏ ମହାଯୁଦ୍ଧ ଆରମ୍ଭ ହୋଇଯିବାର ଆଶଙ୍କା ପୃଥିବୀ ପୃଷ୍ଠରେ ସର୍ବତ୍ର ମନୁଷ୍ୟକୁ ସୁଖ ନିଦ୍ରାରୁ ବଞ୍ଚିତ କରିଛି । ଜନସଂଖ୍ୟାର ଅଭିବୃଦ୍ଧି, ବେକାରୀ ଓ ଅର୍ଦ୍ଧବେକାରୀ ସମସ୍ୟା ଏବଂ ମୁଦ୍ରାସ୍ଫୀତି ପ୍ରତ୍ୟେକ ଦେଶର ସାମାଜିକ ପରିବେଶକୁ ଅଳ୍ପ ବହୁତେ କଳୁଷିତ କରିଛି । ଏପରି ପାର୍ଥିବ ସମସ୍ୟାର ସମାଧାନ ପାଇଁ ଯେଉଁ ଜୀବନାଦର୍ଶ ଆବଶ୍ୟକ ହେଉଛି, ତାହାକୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଆଦରିନେବା ଦିଗରେ କୌଣସି ରାଷ୍ଟ୍ର ବଳିଷ୍ଠ ନେତୃତ୍ୱ ପ୍ରଦର୍ଶନ କରିବାକୁ ଅପାରଗ ହୋଇଛି ।

 

॥ ୨ ॥

 

ଅନ୍ତଃରାଷ୍ଟ୍ରୀୟ ପରିସ୍ଥିତି ଏପରି ବିଷମ, ବିକୃତ, ବୀଭତ୍ସ ଓ ଶୋଚନୀୟ ରୂପ ଧାରଣ କରିବା ପରେ ଏବଂ ଦିନକୁ ଦିନ ଅବସ୍ଥା ଅଣାୟତ୍ତ ଓ ଅସମ୍ଭାଳ ହୋଇଯାଉଥିବାର ତିକ୍ତ ଅଭିଜ୍ଞତା ଅର୍ଜନ କରିବା ପରେ ମନୁଷ୍ୟ ଅତୀତର ଦୁଃଖଦ ଅନୁଭୂତିରୁ ଶିକ୍ଷା ଲାଭକରି ନିଜର କର୍ମଭିମୁଖ୍ୟକୁ ବଦଳାଇ ଦେବା ପାଇଁ ଚିନ୍ତା କରୁଥିବାର ଶୁଭ ଲକ୍ଷଣ ପ୍ରତିଭାତ ହେଲାଣି । ପୃଥିବୀର ବିଭିନ୍ନ ଦେଶର ତୁଙ୍ଗ ବୁଦ୍ଧିଜୀବୀ ଓ ମହାନୁଭବ ଭବିଷ୍ୟତ୍‌ ପ୍ରବକ୍ତାଗଣ ମନୁଷ୍ୟକୁ ତାର ଦାୟିତ୍ୱବୋଧ ସମ୍ପର୍କରେ ଚେତାଇ ଦେଲେଣି । ‘ଗ୍ରାହକ ମାନବିକତା’ର ପ୍ରତିଷ୍ଠା ପାଇଁ ଯେଉଁ ପ୍ରକାର ହୃଦୟଗ୍ରାହୀ ଯୁକ୍ତି ପରିବେଷଣ କରାଯାଉଛି, ତଜ୍ଜନିତ ମନୁଷ୍ୟ ବ୍ୟକ୍ତିଗତ, ଗୋଷ୍ଠୀଗତ ବା ଜାତିଗତ ଭାବରେ ନିଜର କର୍ମଭିମୁଖ୍ୟକୁ ବଦଳାଇ ଦେବା ପାଇଁ ଏବଂ ଅନୈକ୍ୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା କରିବା ପାଇଁ ପ୍ରାରମ୍ଭିକ ପଦକ୍ଷେପଗୁଡ଼ିକୁ ଗ୍ରହଣ କରିବାର ଶୁଭ ଲକ୍ଷଣ ପ୍ରତିଭାତ ହେଉଛି । ମାନବୀୟ ସଭ୍ୟତାର ଏହି ସନ୍ଧିକ୍ଷଣରେ ବିଭ୍ରାନ୍ତ ଓ ଦିଗଭ୍ରଷ୍ଟ ମନୁଷ୍ୟକୁ ଗୋଟିଏ ବିଚାରବୋଧସମ୍ପନ୍ନ ଜୀବ ଭାବରେ ତାହାର ଅନନ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ଚେତାଇ ଦେବା ପାଇଁ, ବିଜ୍ଞାନର ରୂପ ଓ ତାହାର ଭୂମିକା ସମ୍ପର୍କରେ ସମ୍ୟକ୍‌ ଧାରଣା ଯୋଗାଇ ଦେବା ପାଇଁ, ଟେକ୍‌ ନୋଲଜିଗୁଡ଼ିକର ପ୍ରାୟୋଗିକ ଉପଯୋଗ ଘଟାଇବା ପୂର୍ବରୁ ବହୁଶାସ୍ତ୍ରାଶ୍ରୟୀ ସଶ୍ଳେଷଣାତ୍ମକ ବିଚାର ଅବଲମ୍ୱନରେ ଠିକଣା ସିଦ୍ଧାନ୍ତ ଗ୍ରହଣ କରିବା ପାଇଁ ଅନୁକୂଳ ଆନୁଷ୍ଠାନିକ ପରିବେଶ ସୃଷ୍ଟି କରିବାର ଜରୁରୀକାଳୀନ ଆବଶ୍ୟକତା ଉପଲବ୍‌ଧ ହେଲାଣି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାପାରର ସାର୍ଥକ ରୂପାୟନ ଦିଗରେ ପୃଥିବୀ ପୃଷ୍ଠର ପ୍ରତ୍ୟେକ ବୁଦ୍ଧିଜୀବୀ ନିଜ ଅର୍ଜିତ ଜ୍ଞାନ ଓ ଅନୁଭୂତିର ସମୟୋଚିତ ଉପଯୋଗ କରିବାକୁ ଏକ ଯୁଗ ଆହ୍ୱାନରୂପେ ବିଚାର କରିବା ଯଥାର୍ଥ ବୋଧ ହେଉଛି । ଏପରି ଏକ ଆହ୍ୱାନର ପ୍ରବର୍ତ୍ତନ ହିଁ ଏହି ପ୍ରବନ୍ଧ ସଂକଳନର ପ୍ରକାଶନ ଦିଗରେ ମୋତେ କର୍ମ-ପ୍ରେରଣା ଯୋଗାଇଛି । ଏହି ପୁସ୍ତକରେ ସନ୍ନିବିଷ୍ଟ ଅଧିକାଂଶ ପ୍ରବନ୍ଧକୁ ଦାର୍ଶନିକ ତଥା ଐତିହାସିକ ପୃଷ୍ଠଭୂମିରେ ରଚନା କରାଯିବାର ତାତ୍ପର୍ଯ ହେଉଛି ଯେ, ଏଗୁଡ଼ିକୁ ପାଠ କରିବା ଦ୍ୱାରା ମନୁଷ୍ୟ ନିଜ ସୃଷ୍ଟିଶୀଳ କ୍ରିୟାଶୀଳତା ପ୍ରସୂତ ବିଜ୍ଞାନ ଓ ଟେକ୍‌ନୋଲଜିର ଅସଲ ରୂପ ଓ ଭୂମିକା ସମ୍ପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ପୃଥିବୀର ଜନୈକ ଦାୟିତ୍ୱ ବୋଧସମ୍ପନ୍ନ ନାଗରିକ ଭାବରେ ନିଜ କର୍ମମୟ ଜୀବନଯାପନ କରିବାକୁ ଚିନ୍ତା କରିବାର ଉପାଦାନ ପାଇପାରିବ । ସଂହତି ଓ ସହାବସ୍ଥାନ ପାଇଁ ସାରା ପୃଥିବୀ ବକ୍ଷରେ ଯେଉଁ ପ୍ରକାର ବୌଦ୍ଧିକ ପରିବେଶ ଆବଶ୍ୟକ ହେଉଛି ଏବଂ ସଂପ୍ରତି ସାରା ପୃଥିବୀର ବିଭିନ୍ନ ଦେଶରେ ମହାନୁଭବ ବୁଦ୍ଧିଜୀବୀମାନେ ମନୁଷ୍ୟକୁ ଯେଉଁ ପ୍ରକାର ଜୀବନାଦର୍ଶର ଅନୁଗାମୀ ହେବାକୁ ମର୍ମସ୍ପର୍ଶୀ ପରାମର୍ଶ ଦେଉଛନ୍ତି, ତଦନୁରୂପ ଭାବଧାରା ଏହି ପ୍ରବନ୍ଧଗୁଡ଼ିକରେ ପ୍ରତିଫଳିତ ହୋଇଛି ।

 

॥ ୩ ॥

 

ବିଜ୍ଞାନ କଣ ? ବିଜ୍ଞାନ ଓ କୂଟ-ବିଜ୍ଞାନ (Pseudo-science) ମଧ୍ୟରେ ପାର୍ଥକ୍ୟ କଣ ? ବିଜ୍ଞାନର କ୍ରମ ସମୃଦ୍ଧି ସାଧନ ପାଇଁ ବୈଜ୍ଞାନିକମାନେ କେଉଁ ପ୍ରକାର କର୍ମଭିମୁଖ୍ୟର ଅନୁଗାମୀ ହୁଅନ୍ତି ? ବୈଜ୍ଞାନିକ ପରମ୍ପରା ତଥା ବିଜ୍ଞାନର ସ୍ୱାତନ୍ତ୍ର୍ୟକୁ କେଉଁ ଉପାୟରେ ଚିହ୍ନି ହେବ ? ଏପରି କୌତୂହଳୀ ତଥା ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର ଯୋଗାଇ ଦେବା ପାଇଁ ‘ବିଜ୍ଞାନର ରୂପ’ ଶୀର୍ଷକ ପ୍ରଥମ ପ୍ରବନ୍ଧଟିକୁ ରଚନା କରାଯାଇଛି । ବିଜ୍ଞାନର ଦର୍ଶନ ସମ୍ବନ୍ଧରେ ସ୍ପଷ୍ଟୀକରଣ ପ୍ରଦାନ କରିଥିବା କାର୍ଲ୍‌ ପପ୍‌ପର, ଟମାସ କୁହନ ଓ ଇମ୍ରେ ଲକାଟସ ପ୍ରମୁଖ ଚଳିତ ଶତାବ୍ଦୀର ଅଗ୍ରଗଣ୍ୟ ଦାର୍ଶନିକମାନଙ୍କ ସିଦ୍ଧାନ୍ତଗୁଡ଼ିକ ମଧ୍ୟରେ ଏହି ପ୍ରବନ୍ଧରେ ବହୁବିଧ ଚିତ୍ତାକର୍ଷକ ଦୃଷ୍ଟାନ୍ତ ଜରିଆରେ ତୁଳନାତ୍ମକ ବିଚାର କରାଯାଉଛି । ଏହାକୁ ପାଠ କରିବା ଦ୍ୱାରା ବିଜ୍ଞାନର ରୂପ ସମ୍ବନ୍ଧରେ ସମ୍ୟକ୍‌ ଧାରଣା ମିଳିପାରିବ ।

 

ବିଜ୍ଞାନ ନିର୍ଭରଶୀଳ ଟେକ୍‌ନୋଲଜିଗୁଡ଼ିକର ଅପରିଣାମଦର୍ଶୀ ମାର୍ଗରେ ଉପଯୋଗ କରାଯାଉଥିବା ଯୋଗୁଁ ପୃଥିବୀ ବକ୍ଷରେ ଯେଉଁ ପ୍ରକାର ଶୋଚନୀୟ ପରିସ୍ଥିତିଗୁଡ଼ିକର ସୂତ୍ରପାତ ଘଟିଛି, ତାହାର ସୂଚନା ଏହି ଭୂମିକାର ପ୍ରଥମ ଭାଗରେ ଚୁମ୍ବକରେ ବର୍ଣ୍ଣିତ ହୋଇଛି । କଳା ଓ ସାହିତ୍ୟ ଭଳି ମନୁଷ୍ୟର ସୃଷ୍ଟିଶୀଳ ପ୍ରତିଭାର ପରିପ୍ରକାଶ ଘଟାଇବା ପାଇଁ ଉଦ୍ଦିଷ୍ଟ ବିଜ୍ଞାନର ପ୍ରାୟୋଗିକ ଉପଯୋଗ ବଳରେ କଣ ମନୁଷ୍ୟର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିହେବ ନାହିଁ ? ଏପରି ପ୍ରଶ୍ନର ଯଥାର୍ଥ ଉତ୍ତର ଯୋଗାଇ ଦେବା ପାଇଁ ‘ବିଜ୍ଞାନ ଓ ଆମର ଭବିଷ୍ୟତ’ ଶୀର୍ଷକ ପ୍ରବନ୍ଧରେ ବିଶ୍ଳେଷଣାତ୍ମକ ଆଲୋଚନା ପ୍ରଦତ୍ତ ହୋଇଛି । ଏହାକୁ ପାଠ କରିବା ଦ୍ୱାରା ହୃଦୟଙ୍ଗମ କରିହେବ ଯେ, ବିଜ୍ଞାନର ଅନିଷ୍ଟକାରୀ ଉପଯୋଗଗୁଡ଼ିକର ନିରାକରଣ ପାଇଁ ତଥା ଏହାର କେବଳ ଜନହିତକାରୀ ଉପଯୋଗ ଘଟାଇବା ପାଇଁ କେଉଁ ପ୍ରକାର ଆନୁଷ୍ଠାନିକ କାର୍ଯ୍ୟକ୍ରମଗୁଡ଼ିକର ଜରୁରୀକାଳୀନ ଆବଶ୍ୟକତାକୁ ଏଡ଼ାଇ ହେଉନାହିଁ ।

 

ପ୍ରବନ୍ଧ, କ୍ଷୁଦ୍ରଗଳ୍ପ, ନାଟକ, ସାମାଜିକ ବା ରୋମାଞ୍ଚକର ଉପନ୍ୟାସ ଓ କବିତା ଭଳି ବୈଜ୍ଞାନିକ ଉପନ୍ୟାସକୁ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଭାବରୂପେ ବିଚାର କରାଯାଉଛି । ଏହି ବିଭାବଟିର ଇତିବୃତ୍ତ ସମ୍ପର୍କରେ ତଥା ଏହାର ଆଦ୍ୟ ସ୍ରଷ୍ଟାମାନଙ୍କ ସମ୍ପର୍କରେ ‘ବୈଜ୍ଞାନିକ ଉପନ୍ୟାସର ଇତିବୃତ୍ତ’ ଶୀର୍ଷକ ତୃତୀୟ ପ୍ରବନ୍ଧଟିରେ ପରିଚିତ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ବୁଝାଇ ଦିଆଯାଇଛି ଯେ, ବୈଜ୍ଞାନିକ ଉପନ୍ୟାସଗୁଡ଼ିକ ଜରିଆରେ ମନୁଷ୍ୟ ନିଜ କଳ୍ପନାପ୍ରବଣତାର ପରୀକାଷ୍ଠା ପ୍ରଦର୍ଶନ କରୁଛି । ଏହା ବିଦଗ୍‌ଧ ପାଠକମାନଙ୍କୁ ଭବିଷ୍ୟତର ଧକ୍‌କା (ଫ୍ୟୁଚର୍‌ ସକ୍‌) କବଳରୁ ରକ୍ଷା କରିପାରୁଛି । ଇଂରାଜୀ ତଥା ଅନ୍ୟାନ୍ୟ ପାଶ୍ଚାତ୍ୟ ଭାଷାରେ ଯେପରି ଉଚ୍ଚାଙ୍ଗ ବିଜ୍ଞାନ ତଥ୍ୟାଶ୍ରୟୀ ଉପନ୍ୟାସ ରଚନା କରାଯାଉଛି, ବୈଜ୍ଞାନିକ ଉପନ୍ୟାସଗୁଡ଼ିକୁ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯିବା ଦ୍ୱାରା ଜନ ସମାଜରେ ଯେଉଁ ପ୍ରକାର ବିପୁଳ ଆଗ୍ରହ ପରିଲକ୍ଷିତ ହେଉଛି, ଆମ ଓଡ଼ିଆ ଭାଷାରେ ତଦନୁରୂପ ଉଚ୍ଚ କୋଟୀର ପଦକ୍ଷେପ ଗ୍ରହଣ କରାଯିବା ସମ୍ଭବ ହୋଇନାହିଁ । ଓଡ଼ିଆ ସାହିତ୍ୟରେ ଏହି ତାତ୍ପର୍ଯ୍ୟପୂର୍ଣ୍ଣ ବିଭାବଟିର ସମୃଦ୍ଧି ସାଧନ ଦିଗରେ ସୃଜନଶୀଳ ପ୍ରତିଭାସମ୍ପନ୍ନ ଲେଖକମାନେ ଆନ୍ତରିକ ଉଦ୍ୟମ ଚଳାଇବାର ଆବଶ୍ୟକତା ସମ୍ପର୍କରେ ଏହି ପ୍ରବନ୍ଧରେ ଆଲୋକପାତ କରାଯାଇଛି ।

 

ବାହ୍ୟ ଜଗତର ବା ଭୌତିକ ପରିବେଶର କ୍ରିୟାଶୀଳତାର ରହସ୍ୟ ଉନ୍ମୋଚନ କରିବା ପାଇଁ ବୈଜ୍ଞାନିକ ଗବେଷଣା ଜରିଆରେ ମନୁଷ୍ୟ ଯେଉଁ ଉଦ୍ୟମ ଚଳାଇଛି, ତଜ୍ଜନିତ ସେ କାଳକ୍ରମେ ଅଧିକରୁ ଅଧିକ ପ୍ରାଞ୍ଜଳ ସ୍ପଷ୍ଟୀକରଣ ପାଇ ପାରିବାକୁ ସମର୍ଥ ହେଉଛି । ବୈଜ୍ଞାନିକ ଗବେଷଣା ଚଳାଇବା ଦିଗରେ ସର୍ବଥା ଏକ ଶୃଙ୍ଖଳିତ ଆଚରଣ ବିଧି ଅନୁସୃତ ହେଉଛି । ଏଣୁ, ବୈଜ୍ଞାନିକ ଗବେଷଣାଲବ୍‌ଧ ସିଦ୍ଧାନ୍ତକୁ ସର୍ବସମ୍ମତ ଭାବରେ ଗ୍ରହଣ କରିବା ପଥରେ ଅନ୍ତରାୟ ସୃଷ୍ଟି ହେଉନାହିଁ । ମାତ୍ର ମନୁଷ୍ୟର ଅନ୍ତଃନିବିଷ୍ଟ ମାନସର ରହସ୍ୟ ଭେଦ କରିବା ଅଦ୍ୟାବଧି ଏକ ପ୍ରହେଳିକା ତୁଲ୍ୟ ପ୍ରତୀୟମାନ ହେଉଛି । ମନସ୍ତତ୍ତ୍ୱବିତ୍‌, ଦାର୍ଶନିକ ଓ ଧର୍ମଗୁରୁମାନଙ୍କ ଦ୍ୱାରା ପ୍ରଦତ୍ତ ସିଦ୍ଧାନ୍ତଗୁଡ଼ିକ ବିଭିନ୍ନ ଅର୍ଥସୂଚକ ହେଉଥିବାରୁ ଆତ୍ମସନ୍ଧାନୀ ମନୁଷ୍ୟ ବିଭ୍ରାନ୍ତିକର ପରିସ୍ଥିତିର ସମ୍ମୁଖୀନ ହେଉଛି । ଅବଶ୍ୟ, ସେ ହୃଦୟଙ୍ଗମ କରୁଛି ଯେ, ନିଜକୁ ଓ ନିଜର ଅସଲ ପ୍ରକୃତିକୁ ଭଲ ଭାବରେ ଚିହ୍ନି ପାରିବା ଦ୍ୱାରା ହିଁ ସେ ନିଜର କର୍ତ୍ତବ୍ୟ ପଥକୁ ଠିକଣା ଭାବରେ ନିର୍ଦ୍ଧାରଣ କରିପାରିବ । ‘ସତ୍ୟ ସନ୍ଧାନ ବ୍ୟାପାରରେ ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀର ଗୁରୁତ୍ୱପୂର୍ଣ୍ଣ ଭୂମିକା’ ଶୀର୍ଷକ ଚତୁର୍ଥ ପ୍ରବନ୍ଧଟିରେ ବୁଝାଇ ଦିଆଯାଇଛି ଯେ, ବୈଜ୍ଞାନିକ ପଦ୍ଧତି ଓ ବୈଜ୍ଞାନିକ ପରମ୍ପରାରୁ କେଉଁ ପ୍ରକାର ଶିକ୍ଷା ଲାଭ କରିପାରିଲେ କାଳକ୍ରମେ ମନୁଷ୍ୟ ନିଜର ମାନସିକ ଭାରସାମ୍ୟ ରକ୍ଷା କରିବାକୁ ସମର୍ଥ ହେବ ଏବଂ ଅନ୍ତଃନିବିଷ୍ଟ ଓ ବାହ୍ୟ ଜଗତ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ ହେବାର ଫଳସ୍ୱରୂପ ସେ କିପରି ବିଜ୍ଞାନ ଓ ଟେକ୍‌ନୋଲଜିର ସୁସଂଯତ ଜନହିତକାରୀ ଉପଯୋଗ କରିବାକୁ ପ୍ରେରଣା ପାଇପାରିବ ।

 

‘ଶିଳ୍ପର ସମୃଦ୍ଧି ସାଧନ ଓ ଯୁବ ସମାଜର ଦାୟିତ୍ୱବୋଧ’

 

ଶୀର୍ଷକ ପଞ୍ଚମ ପ୍ରବନ୍ଧଟିରେ ପ୍ରଥମେ ଆମ ଦେଶରେ ଶିଳ୍ପର ବିକାଶର ଧାରା ସମ୍ପର୍କରେ ଆଲୋକପାତ କରାଯାଇଛି । ସ୍ୱଦେଶୀ ଶିଳ୍ପ ପ୍ରତିଷ୍ଠା ଦିଗରେ ସୁପ୍ରସିଦ୍ଧ ଟାଟା ପରିବାରର ପ୍ରାକ୍‌ସ୍ୱାଧୀନତାକାଳୀନ ପଥପ୍ରଦର୍ଶନକାରୀ ଉଦ୍ୟମ ସମ୍ପର୍କରେ ଆଲୋକପାତ କରାଯାଇଛି ଏବଂ ସ୍ୱାଧୀନୋତ୍ତର କାଳରେ ପଞ୍ଚବାର୍ଷିକ ଯୋଜନାଗୁଡ଼ିକ ଜରିଆରେ ଶିଳ୍ପର ସମୃଦ୍ଧି ସାଧନ ଦିଗରେ ଗୃହୀତ ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦତ୍ତ ହୋଇଛି । ତତ୍ପରେ ଦାରିଦ୍ର୍ୟର ଅପସାରଣ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଶିଳ୍ପଭିତ୍ତିକ ଉଦ୍ୟମର ଭୂମିକା ସମ୍ପର୍କରେ ଜ୍ଞାତବ୍ୟ ତଥ୍ୟରାଜି ପରିବେଷିତ ହୋଇଛି । ଦାଦାଭାଇ ନାରୋଜୀ, ଏମ୍‌. ବିଶ୍ୱେଶ୍ୱରିଆ, ମହାଦେବ ଗୋବିନ୍ଦ ରାଣାଡ଼େ ଏବଂ ସର୍ବୋପରି ଆମ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଏହି ମହନୀୟ ଲକ୍ଷ୍ୟ ହାସଲ ଦିଗରେ ପଥପ୍ରଦର୍ଶନକାରୀ ଉଦ୍ୟମ ସମ୍ପର୍କରେ ଆଲୋକପାତ କରାଯାଇଛି । ସ୍ୱାଧୀନତା ପ୍ରାପ୍ତି ପରଠାରୁ ଅଦ୍ୟାବଧି ଯୋଜନାବଦ୍ଧ ଉଦ୍ୟମ ଜରିଆରେ ଶିଳ୍ପର ସମୃଦ୍ଧି ସାଧନ ଦିଗରେ ଯେଉଁ ପ୍ରକାର ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି, ଉଲ୍ଲେଖିତ ଲକ୍ଷ୍ୟ ହାସଲ ପଥରେ ସେଥିରେ ଥିବା ତ୍ରୁଟିଗୁଡ଼ିକ ସମ୍ପର୍କରେ ମଧ୍ୟ ବିଚାର କରାଯାଇଛି । ନିଜ ଅଭିଜ୍ଞତାରୁ ଶିକ୍ଷା ଲାଭକରି କେଉଁ ପ୍ରକାର ଉଦ୍ୟମ କରାଯିବାଦ୍ୱାରା ଶିଳ୍ପର ପ୍ରଗତି ଯୋଗୁଁ କେବଳ ସୀମିତ ଉପଭୋଗୀ ଗୋଷ୍ଠୀ ପରିବର୍ତ୍ତେ ସାରା ଦେଶର ମଳିମୁଣ୍ଡିଆ ଜନସାଧାରଣଙ୍କ ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟିପାରିବ, ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ତତ୍‌ସମ୍ପର୍କୀୟ ବିଶ୍ଳେଷଣାତ୍ମକ ଆଲୋଚନା ପ୍ରଦତ୍ତ ହୋଇଛି । ଯୁବସମାଜ କେଉଁ ପ୍ରକାର ଅଧ୍ୟୟନ, ଅନୁଶୀଳନ ଓ ପ୍ରତ୍ୟକ୍ଷ ଅଭିଜ୍ଞତା ବଳରେ ନିଜ ନିଜ ବ୍ୟକ୍ତିତ୍ୱ ଓ ପ୍ରତିଭାର ପୂର୍ଣ୍ଣାଙ୍ଗ ବିକାଶ ଘଟାଇବା ଦ୍ୱାରା ଭବିଷ୍ୟତରେ ଏ ଦିଗରେ ଠିକଣା ପଦକ୍ଷେପ ଗ୍ରହଣ କରିପାରିବେ, ତାହା ହିଁ ପ୍ରବନ୍ଧର ଉପସଂହାରରେ ସ୍ପଷ୍ଟ ଭାବରେ ସୂଚାଇ ଦିଆଯାଇଛି ।

 

କଳା ଓ ବିଜ୍ଞାନ ମନୁଷ୍ୟର ସୃଷ୍ଟିଶୀଳ ପ୍ରତିଭାର ଦ୍ୱିବିଧ ପରିପ୍ରକାଶ । ମନୁଷ୍ୟର ଚେତନା ରାଜ୍ୟକୁ ଉଦବେଳିତ କରୁଥିବା ଏକାଭଳି କୌତୂହଳର ପରିସ୍ଫୁଟନ ଯୋଗୁଁ କଳା ଓ ବିଜ୍ଞାନ ଜଗତରେ ଅଭିନବ ଧାରଣାଗୁଡ଼ିକର ସୂତ୍ରପାତ ଘଟେ । କଳା ଓ ବିଜ୍ଞାନର ପରିପ୍ରକାଶର ଭଙ୍ଗୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଦେବା ସଙ୍ଗେ ସଙ୍ଗେ ଏ ଉଭୟର ସମକାଳୀନ ସନ୍ତୁଳିତ ସହାବସ୍ଥାନ ଯୋଗୁଁ ମନୁଷ୍ୟର ଚେତନା ଯେପରି ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେଉଛି ଏବଂ ଏତଦ୍ଦ୍ୱାରା ମନୁଷ୍ୟ ରୂପୀ ଜୀବ ଯେଉଁ ଅନନ୍ୟ ରୂପ ପ୍ରଦର୍ଶନ କରୁଛି, ତାହାହିଁ ‘ମନୁଷ୍ୟର ଅନନ୍ୟ ରୂପ’ ଶୀର୍ଷକ ପ୍ରବନ୍ଧଟିର ବିଷୟ ବସ୍ତୁ । ସ୍ୱନାମଧନ୍ୟ ପରିସଂଖ୍ୟାନବିତ୍‌, ଦାର୍ଶନିକ ଓ ଲେଖକ ବ୍ରୋନସ୍କିଙ୍କ ଦ୍ୱାରା ରଚିତ ଦି ଆଇଡ଼େଣ୍ଟିଟି ଅଫ୍‌ ମ୍ୟାନ୍‌ ଶୀର୍ଷକ ବହୁ ଚର୍ଚ୍ଚିତ ପୁସ୍ତକର ସାରମର୍ମକୁ ଏହି ପ୍ରବନ୍ଧରେ ସଂକ୍ଷିପ୍ତ ତଥା ବୋଧଗମ୍ୟ ମାର୍ଗରେ ଉପସ୍ଥାପନା କରାଯାଇଛି ।

 

ଏକ ପକ୍ଷରେ ମୁଷ୍ଟିମେୟ ଶିଳ୍ପୋନ୍ନତ ରାଷ୍ଟ୍ର ଏବଂ ଅପର ପକ୍ଷରେ ବିପୁଳ ସଂଖ୍ୟକ ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସୃଷ୍ଟିଲାଭ କରୁଥିବା କ୍ରମବର୍ଦ୍ଧମାନ ଅର୍ଥନୈତିକ ବୈଷମ୍ୟ ସମ୍ପର୍କରେ “ପ୍ରାଚୁର୍ଯ୍ୟର ଅଭିଶାପ ବନାମ ଦାରିଦ୍ର୍ୟର ଉତ୍ପୀଡ଼ନ” ଶୀର୍ଷକ ସପ୍ତମ ପ୍ରବନ୍ଧଟିରେ ଆଲୋକପାତ କରାଯାଇଛି । ଏହି ବୈଷ୍ୟମର ମାତ୍ରାରେ କ୍ରମସଙ୍କୋଚନ ଘଟାଇବା ପାଇଁ ଉଭୟ ପକ୍ଷ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହେଉଛି ଏବଂ ପ୍ରାଥମିକ ସୂତ୍ରରେ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଗଲାଣି, ତାହା ହିଁ ପ୍ରବନ୍ଧଟିରେ ସଂକ୍ଷିପ୍ତ ଭାବରେ ଆଲୋଚନା କରାଯାଇଛି । ସ୍ଥିତାବସ୍ଥାକୁ ସୁଧାରିବା ପାଇଁ ଜୈବ ବିବର୍ତ୍ତନ ସହ ତାଳ ମିଳାଇ ଧରଣୀ ବକ୍ଷରେ ଯେଉଁ ପ୍ରକାର ସାଂସ୍କୃତିକ ବିବର୍ତ୍ତନ ସଂଘଟିତ ହେଉଛି, ପ୍ରବନ୍ଧଟିର ଶେଷ ପର୍ଯ୍ୟାୟରେ ତତ୍‌ସମ୍ପର୍କୀୟ ଆଭାସ ପ୍ରଦତ୍ତ ହୋଇଛି । ପାର୍ଥିବ ସମ୍ପଦର ସୁଷମ ବଣ୍ଟନ ଓ ପୃଥିବୀ ବକ୍ଷରୁ ଦାରିଦ୍ର୍ୟର ଅପସାରଣ ଦିଗରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ସମୟୋଚିତ କର୍ତ୍ତବ୍ୟ ସମ୍ପର୍କରେ ପ୍ରବନ୍ଧର ଉପସଂହାରରେ ଚେତାଇ ଦିଆଯାଇଛି ।

 

ଇ. ଏଫ୍‌. ସ୍କୁମାଚର୍‌ ‘ସ୍ମଲ ଇଜ୍‌ ବିଉଟିଫୁଲ’ (କ୍ଷୁଦ୍ର ହିଁ କାମ୍ୟ) ଶୀର୍ଷକ ଏକ ଭାବୋଦ୍ଦୀପକ ପୁସ୍ତକ ରଚନା କରି ପାଶ୍ଚାତ୍ୟ ଓ ପ୍ରାଚ୍ୟ ରାଷ୍ଟ୍ରମାନଙ୍କରେ ଗାନ୍ଧିଜୀଙ୍କ ଜୀବନାଦର୍ଶ ଓ ସମୟୋଚିତ ପରାମର୍ଶଗୁଡ଼ିକର ଯଥାର୍ଥତା ସମ୍ପର୍କରେ ବଳିଷ୍ଠ ଯୁକ୍ତି ସମ୍ବଳିତ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ । ସ୍କୁମାଚର୍‌ଙ୍କ ମହାପ୍ରୟାଣ ଘଟିବାର ଦୁଇ ବର୍ଷ ପରେ ତାଙ୍କଦ୍ୱାରା ରଚିତ ‘ଗୁଡ଼୍‌ ୱାର୍କ୍‌’ (ଭଲ କାମ) ଶୀର୍ଷକ ଆଉ ଏକ ପ୍ରଣିଧାନଯୋଗ୍ୟ ଗ୍ରନ୍ଥ ଆତ୍ମପ୍ରକାଶ କରିଛି । ଏହି ପୁସ୍ତକଟିରେ ସେ ଭଲ କାମର ସଂଜ୍ଞା ନିର୍ଦ୍ଧାରଣ କରିଛନ୍ତି । ତ୍ରିବିଧ ସଂଜ୍ଞାର ମହନୀୟତା ସମ୍ପର୍କରେ ସେ ମର୍ମସ୍ପର୍ଶୀ ସ୍ପଷ୍ଟୀକରଣ ପ୍ରଦାନ କରିବାପୂର୍ବକ ସାରା ପୃଥିବୀର ଜନସାଧାରଣଙ୍କୁ ନିଜ ନିଜ ଜୀବନ ଧାରଣର ମାନରେ ପରିବର୍ତ୍ତନ ଘଟାଇବାକୁ ଉଦ୍‌ବୋଧନ ଦେଇଛନ୍ତି । କେଉଁ ପ୍ରକାର ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯିବାଦ୍ୱାରା ମନୁଷ୍ୟ ସଂହତି ଓ ସହାବସ୍ଥାନ ଜରିଆରେ ବସୁମାତା ଧରଣୀ ବକ୍ଷରେ ଗୋଟିଏ ସୁଖଶାନ୍ତିମୟ ପରିବେଶ ସୃଷ୍ଟି କରିପାରିବ ଏବଂ ତାହାର ଭବିଷ୍ୟତ ବିପଦାପନ୍ନ ହେବନାହିଁ, ତତ୍‌ସମ୍ପର୍କୀୟ ବିଚାର ଏହି ପୁସ୍ତକଟିରେ ହୃଦୟସ୍ପର୍ଶୀ ମାର୍ଗରେ ପରିବେଷିତ ହୋଇଛି । ‘ଭଲ କାମ’ ଶୀର୍ଷକ ଅଷ୍ଟମ ପ୍ରବନ୍ଧଟିର ଏହାହିଁ ବିଷୟବସ୍ତୁ । ପ୍ରବନ୍ଧଟିରେ ସ୍କୁମାଚର ଓ ଆମ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ମଧ୍ୟରେ ସାମ୍ୟ ଓ ସଙ୍ଗତି ସମ୍ପର୍କରେ ଆଲୋକପାତ କରାଯାଇଛି । ‘ଭଲ କାମ’ରେ ବ୍ରତୀ ହେବାଦ୍ୱାରା ସତ୍ୟାନୁସନ୍ଧାନୀ ମନୁଷ୍ୟ କିପରି ଭାବରେ ଧରଣୀ ବକ୍ଷରେ ମାନବ ଜାତିର ଭବିଷ୍ୟତକୁ ମଙ୍ଗଳମୟ କରିପାରିବ, ପ୍ରବନ୍ଧଟିର ଶେଷ ପର୍ଯ୍ୟାୟରେ ତତ୍‌ସମ୍ପର୍କୀୟ ଚୁମ୍ବକୀୟ ସୂଚନା ପ୍ରଦତ୍ତ ହୋଇଛି ।

 

ପରିବେଶ ଓ ପରିସଂସ୍ଥାର ଦୂଷିତୀକରଣକୁ କେନ୍ଦ୍ରକରି ବର୍ତ୍ତମାନ ପୃଥିବୀ ବକ୍ଷରେ ବହୁବିଧ ଚିନ୍ତାଧାରାର ସୂତ୍ରପାତ ଘଟୁଛି । ଏହି ଭୂମିକାର ପ୍ରଥମ ଭାଗରେ ସୂଚାଇ ଦିଆଯାଇଛି ଯେ ବିଖଣ୍ଡିତ ତଥା ଅସମନ୍ୱିତ ବୈଜ୍ଞାନିକ ଗବେଷଣାଲବ୍‌ଧ ଜ୍ଞାନର ବ୍ୟାବହାରିକ ଉପଯୋଗ ବଳରେ ମନୁଷ୍ୟ ପୃଥିବୀର ସୀମିତ ଜୀବମଣ୍ଡଳକୁ ଦିନକୁ ଦିନ ଦୂଷିତ କରୁଛି ଏବଂ ଏଥିପାଇଁ ଧରଣୀ ବକ୍ଷରୁ ଜୀବ ଜଗତର ସତ୍ତା ବିଲୀନ ହୋଇଯିବାର ସମ୍ଭାବନା ଉପୁଜିଲାଣି । ମନୁଷ୍ୟକୁ ନିଜ ଦାୟିତ୍ୱବୋଧ ସମ୍ପର୍କରେ ଚେତାଇ ଦେବାପାଇଁ ପ୍ରବୀଣା ଲେଖିକା ରାକାଏଲ କାର୍ସନ ଓ ସ୍ୱନାମଧନ୍ୟ ବୁଦ୍ଧିଜୀବୀ ବକ୍‌ମିନିଷ୍ଟର ଫୁଲ୍‌ର ଅତୀତରେ ସମୟୋଚିତ ପରାମର୍ଶ ଦେଇଛନ୍ତି । ମାତ୍ର ସ୍ୱାଧୀନଚେତା ବ୍ରିଟିଶ ବୈଜ୍ଞାନିକ ଜିମ୍‌. ଇ. ଲଭଲକ୍‌ ଏମାନଙ୍କ ଚିନ୍ତାଧାରାକୁ ଅସ୍ୱୀକାର କରୁନଥିଲେ ମଧ୍ୟ ଆଉ ଏକ ଅଭିନବ ଦୃଷ୍ଟିକୋଣରୁ ମନୁଷ୍ୟକୁ ନିଜ ଦାୟିତ୍ୱବୋଧ ସମ୍ପର୍କରେ ଚେତାଇ ଦେବାକୁ ଶ୍ରେୟସ୍କର ମଣିଛନ୍ତି । ନିଜ ବକ୍ତବ୍ୟକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବା ପାଇଁ ସେ ‘ଗାଇଆ’ ଶୀର୍ଷକ ଏକ ସୁଖପାଠ୍ୟ ତଥା ଭାବୋଦ୍ଦୀପକ ପୁସ୍ତକ ରଚନା କରିଛନ୍ତି । ପଦାର୍ଥ ବିଜ୍ଞାନ ଓ ରସାୟନ ଶାସ୍ତ୍ର ଆଧାରିତ ବହୁବିଧ ଗବେଷଣାଲବ୍‌ଧ ତଥ୍ୟରାଜିକୁ ବିଚାରକୁ ନେଇ ସେ ସ୍ପଷ୍ଟ ଭାବରେ ସୂଚାଇ ପାରିଛନ୍ତି ଯେ, ମନୁଷ୍ୟ ତଥା ସମଗ୍ର ପ୍ରାଣୀ ଓ ଉଭିଦ ଜଗତରେ ଜୈବିକ କ୍ରିୟାଶୀଳତା ଯୋଗୁଁ ଜୀବ ଜଗତର ସ୍ଥାୟିତ୍ୱ ପାଇଁ ଜୀବମଣ୍ଡଳ ସନ୍ତୁଳିତ ଅବସ୍ଥାରେ ରହିପାରୁଛି । ଏଣୁ ମନୁଷ୍ୟ ନିଜର ଅପରିଣାମଦର୍ଶୀ, ବର୍ତ୍ତମାନସର୍ବସ୍ୱ ତଥା ସ୍ୱାର୍ଥାନ୍ୱେଷୀ କ୍ରିୟାଶୀଳତା ଯୋଗୁଁ ଜୀବମଣ୍ଡଳକୁ କଳୁଷିତ କରିବା ଦ୍ୱାରା ଯେଉଁ ଅସନ୍ତୁଳନ ସୃଷ୍ଟି କରୁଛି, ତଜ୍ଜନିତ ଜୀବମଣ୍ଡଳର ବିନ୍ୟାସ ଅପରିବର୍ତ୍ତନୀୟ ଭାବରେ ବିକୃତ ତଥା ଅସନ୍ତୁଳିତ ହେଉଛି । ସେ ଏଣ୍ଟ୍ରୋପି ବା ତାପୀୟ ବିଶୃଙ୍ଖଳାକୁ ବିଚାରକୁ ନେଇ ଏହି ପୁସ୍ତକଟିରେ ମନୁଷ୍ୟକୁ ନିଜର ଦାୟିତ୍ୱବୋଧ ସମ୍ପର୍କରେ ବିଜ୍ଞାନସମ୍ମତ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ଏହି ପୁସ୍ତକଟି ପୃଥିବୀର ବୁଦ୍ଧିଜୀବୀ ମହଲରେ ବିଶେଷ ସମାଦୃତ ହୋଇଛି । ‘ଗାଇଆ’ (ଗ୍ରୀକ୍‌ ଭାଷାରେ ଏହାର ଅର୍ଥ ହେଉଛି: ବସୁମାତା ଧରିତ୍ରୀ) ଶୀର୍ଷକ ନବମ ପ୍ରବନ୍ଧଟିରେ ଏହି ପୁସ୍ତକର ସାରମର୍ମକୁ ସୁଖପାଠ୍ୟ ତଥା ଉପଭୋଗ୍ୟ ମାର୍ଗରେ ପରିବେଷଣ କରାଯାଇଛି ।

 

ଚଳିତ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଜନ୍ମ ଶତବାର୍ଷିକୀ ୧୯୭୯ ମସିହାରେ ପୃଥିବୀ ବକ୍ଷରେ ସର୍ବତ୍ର ମହାସମାରୋହରେ ପାଳିତ ହୋଇଥିଲା । ଏହାପରେ ଆଶା କରାଯାଉଥିଲା ଯେ, ଏଣିକି ସମ୍ଭବତଃ ଏହି ମହାମତି ବୈଜ୍ଞାନିକଙ୍କ ଜୀବନାଦର୍ଶ ଓ ଅବିସ୍ମରଣୀୟ ଅବଦାନଗୁଡ଼ିକ ସମ୍ପର୍କରେ ଆଉ ବିଶେଷ ଆଲୋକପାତ କରାଯିବ ନାହିଁ । ମାତ୍ର ନିକଟ ଅତୀତରେ ଲକ୍ଷ୍ୟ କରାଯାଉଛି ଯେ, ଆଇନଷ୍ଟାଇନଙ୍କ ଜୀବନାଦର୍ଶକୁ କେନ୍ଦ୍ରକରି ଏକ ଅଭିନବ ଚିନ୍ତାଧାରାର ସୂତ୍ରପାତ ଘଟୁଛି । ଏହାକୁ ଦ୍ୱିବିଧ ଉତ୍ତରାଧିକାର (Two Inheritances) ନାମରେ ଅଭିହିତ କରାଯାଉଛି । ଜଣେ କାହାକୁ ଏ ରୂପ ଚିନ୍ତାଧାରାର ଉତପ୍ରେରକ ବା ଉନ୍ମେଷକ ଭାବରେ ବିଚାର କରିବା ଉଚିତ୍‌ ମନେ ହେଉନାହିଁ । ପାଶ୍ଚାତ୍ୟ ଜଗତରେ ଜୁଡ଼ିଓ-ଖ୍ରୀଷ୍ଟୀଆନ୍‌ ପରମ୍ପରା ଓ ବୈଜ୍ଞାନିକ ପରମ୍ପରାକୁ କେନ୍ଦ୍ରକରି ଏପରି ଆଲୋଚନା ଚାଲିଛି । ସ୍ଥୂଳତଃ ଏଥିରୁ ଜଣାପଡ଼ୁଛି ଯେ, ଆଧ୍ୟାତ୍ମିକ ବା ଧର୍ମଭିତ୍ତିକ ପରମ୍ପରା ମନୁଷ୍ୟଠାରେ ଯେଉଁ ପ୍ରକାର ମାନବିକତାବୋଧର ସଞ୍ଚାର ଘଟାଇବା ପାଇଁ ଉଦ୍ଦିଷ୍ଟ ହୋଇଛି, ବୈଜ୍ଞାନିକ ପରମ୍ପରା ତାହାର ବିରୋଧ କରୁଛି । ଏହି ଦ୍ୱିବିଧ ପରମ୍ପରା ଉତ୍ତରାଧିକାର ସୂତ୍ରରେ ପାଶ୍ଚାତ୍ୟ ଜଗତର ଗଣମାନସକୁ ଯେପରି ଭାବରେ ପ୍ରଭାବିତ କରୁଛି, ତନ୍ମଧ୍ୟରେ କୌଣସି ପ୍ରକାର ସମନ୍ୱୟ ପ୍ରତିଷ୍ଠା କରିବା ସମ୍ଭବ ହୋଇନଥିବା ଯୋଗୁଁ ହିଁ ପୃଥିବୀ ବକ୍ଷରେ ଅଶୋଭନୀୟ ତଥା ଆତଙ୍କପ୍ରଦ ପରିସ୍ଥିତିର ସୂତ୍ରପାତ ଘଟୁଛି । ପାଶ୍ଚାତ୍ୟ ଜଗତର କେତେକ ପ୍ରବୀଣ ବୁଦ୍ଧିଜୀବୀ ବର୍ତ୍ତମାନ ମତ ବ୍ୟକ୍ତ କରୁଛନ୍ତି ଯେ, ଏହି ଦ୍ୱିବିଧ ପରମ୍ପରା ମଧ୍ୟରେ ସମନ୍ୱୟ ଘଟାଇବା ପାଇଁ ବୈଜ୍ଞାନିକ ମାନବବାଦ ବା ସାଇଣ୍ଟିଫିକ୍‌ ହ୍ୟୁମାନିଜ୍‌ମ୍‌ ଶୀର୍ଷକ ଜୀବନାଦର୍ଶକୁ ସମଗ୍ର ପୃଥିବୀ ବକ୍ଷରେ ଯଥାଶୀଘ୍ର କାର୍ଯକାରୀ କରାଯିବା ସଙ୍ଗେ ସଙ୍ଗେ ମନୁଷ୍ୟର ଭବିଷ୍ୟତକୁ ଉଜ୍ୱଳମୟ କରାଯିବା ଦିଗରେ ବିହିତ ପଦକ୍ଷେପଗୁଡ଼ିକୁ କାର୍ଯକାରୀ କରାଯାଇ ପାରିବ-। ସ୍ୱନାମଧନ୍ୟ ଚିନ୍ତାନାୟକ ଆଇନଷ୍ଟାଇନଙ୍କୁ ବୈଜ୍ଞାନିକ-ମାନବବାଦର ଅନ୍ୟତମ ପ୍ରତିଷ୍ଠାତାରୂପେ ବିଚାର କରାଯାଉଛି । ଆଲୋଚ୍ୟ ‘ଦ୍ୱିବିଧ ଉତ୍ତରାଧିକାର’ ଶୀର୍ଷକ ଅନ୍ତିମ ପ୍ରବନ୍ଧଟିରେ ଏପରି ବିଚାରର ସାରମର୍ମ ପ୍ରଦତ୍ତ ହୋଇଛି । ପ୍ରାଚ୍ୟ ଦେଶଗୁଡ଼ିକର ତଥା ବିଶେଷ ଭାବରେ ଆମ ଦେଶର ଆଧ୍ୟାତ୍ମିକ ପରମ୍ପରା ଓ ବୈଜ୍ଞାନିକ ପରମ୍ପରାକୁ କେନ୍ଦ୍ର କରି ଆମ ଦେଶର ବୁଦ୍ଧିଜୀବୀମାନେ ଏହି ଦୃଷ୍ଟିରୁ ମୌଳିକ ଆଲୋଚନା ଚଳାଇବା ଦ୍ୱାରା ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ଜନସାଧାରଣଙ୍କୁ ନିଜ ନିଜ କର୍ମସୂଚୀ ନିର୍ଦ୍ଧାରଣ କରିବା ଦିଗରେ ଚିନ୍ତା କରିବାର ଉପାଦାନ ଯୋଗାଇ ଦେବାର ନିଶ୍ଚିତ ଅବକାଶ ରହିଛି ।

 

॥ ୪ ॥

 

ବିଜ୍ଞାନର ଦର୍ଶନ ଓ ଇତିହାସ, ଆମ ଦେଶରେ ବୈଜ୍ଞାନିକ ଅବସ୍ଥାପନାର ସର୍ଜନା ଓ ଜାତୀୟ ପ୍ରଗତି ପଥରେ ଏହାର ଭୂମିକା ଏବଂ ଆଧୁନିକ ଯୁଗର ତୁଙ୍ଗ ବୁଦ୍ଧିଜୀବୀମାନଙ୍କଦ୍ୱାରା ପ୍ରସାରିତ ଅଭିନବ ଚିନ୍ତାଧାରା ସମ୍ପର୍କରେ ରଚିତ ଏହି ଦଶଟି ପ୍ରବନ୍ଧ ଇତ୍ୟବସରରେ ସମାଜର ବାର୍ଷିକ ସଂଖ୍ୟା, ଝଙ୍କାର, କୈବଲ୍ୟ ଓ ତାକତ୍‌ ପ୍ରଭୃତି ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଛି । ଏଣୁ ଏହି ପ୍ରବନ୍ଧ ସଙ୍କଳନର ପ୍ରକାଶନ ଅବସରରେ ମୁଁ ଏହି ପତ୍ରିକାଗୁଡ଼ିକର ସମ୍ପାଦକମାନଙ୍କ ନିକଟରେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି ।

 

ପୁସ୍ତକଟିକୁ ସର୍ବାଙ୍ଗ ସୁନ୍ଦର ମାର୍ଗରେ ପ୍ରକାଶ କରିବା ଦିଗରେ ମୋର ଅଗ୍ରଜ ପ୍ରତିମ ଶୁଭାକାଂକ୍ଷୀ ବନ୍ଧୁଶ୍ରୀ ଜଗନ୍ନାଥ ରଥ ଯଥାଶକ୍ତି ଉଦ୍ୟମ କରିଥିବାରୁ ମୁଁ ଏହାର ପ୍ରକାଶନକାଳୀନ ଶୁଭ ଅବସରରେ ତାଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

ଏହି ପୁସ୍ତକଟିକୁ ପାଠ କରିବାଦ୍ୱାରା ଆମ ରାଜ୍ୟର ଛାତ୍ରଛାତ୍ରୀ ଓ ସଂସ୍କୃତି ସମ୍ପନ୍ନ ବୁଦ୍ଧିଜୀବୀମାନେ ଯଦି ମୌଳିକ ଚିନ୍ତା କରିବା ପାଇଁ ସାମାନ୍ୟ ପ୍ରେରଣା ପାଇପାରନ୍ତି, ତାହାହେଲେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ବିଚାରିବି ।

 

ଦେବକାନ୍ତ ମିଶ୍ର

Image

 

Unknown

ବିଜ୍ଞାନର ରୂପ

 

ଜ୍ଞାନଲିପ୍‌ସା ମନୁଷ୍ୟର ଗୋଟିଏ ଚାରିତ୍ରିକ ଗୁଣ । ଜ୍ଞାନ ଭଣ୍ଡାରରେ ଗଚ୍ଛିତ ଜ୍ଞାନ ସମ୍ବନ୍ଧରେ ଅବଧାରିତ ହେବା ତଥା ନିଜ ବୌଦ୍ଧିକ ଶ୍ରମ ବିନିମୟରେ ଜ୍ଞାନ ଭଣ୍ଡାରକୁ କ୍ରମସମୃଦ୍ଧ କରିବା ହିଁ ବୁଦ୍ଧିଜୀବୀ ମନୁଷ୍ୟର ଏକ ଅନନ୍ୟସାଧାରଣ ବୈଶିଷ୍ଟ୍ୟ । ‘ସାଇନ୍‌ସ’ (ବିଜ୍ଞାନ) ଶବ୍ଦଟି ପ୍ରାଚୀନ ଲାଟିନ୍‌ ଭାଷାରୁ ଉଦ୍ଧୃତ ହୋଇଛି । ଲାଟିନ୍‍ ଭାଷାରେ ସାଇନ୍‍ସିଆ (scientia) ଶବ୍ଦର ଅର୍ଥ ହେଉଛି ଜ୍ଞାନ । ପାଶ୍ଚାତ୍ୟ ଜଗତରେ ବୈଜ୍ଞାନିକ ପଦ୍ଧତିର ପ୍ରଚଳନ ତଥା ବୈଜ୍ଞାନିକ ଚିନ୍ତାଧାରାର ସୂତ୍ରପାତ ଘଟିବା ପରଠାରୁ କାଳକ୍ରମେ ଜ୍ଞାନାର୍ଜନ ଦୃଷ୍ଟିରୁ ବିଜ୍ଞାନର ଗୁଣାତ୍ମକ, ଉତ୍କର୍ଷ ଜନମାନସକୁ ବେଶ୍‌ ପ୍ରଭାବିତ କରିଛି ଏବଂ ଏଥିପାଇଁ ସଂପ୍ରତି ବୌଦ୍ଧିକ ଜଗତରେ ବିଜ୍ଞାନ ତଥ୍ୟାଶ୍ରୟୀ ଜ୍ଞାନକୁ ମର୍ଯ୍ୟାଦାସୂଚକ ତଥା ନିର୍ଭରଯୋଗ୍ୟ ତଥ୍ୟରୂପେ ବିଚାର କରାଯାଉଛି ।

 

ଆମେ ନିଶ୍ଚୟ ଜାଣିବାକୁ ଚାହିଁବା ଯେ, କଣ ପାଇଁ ଅନ୍ଧବିଶ୍ୱାସ, ଆଦର୍ଶଗତ ବଦ୍ଧମୂଳ ଧାରଣା ଓ କୂଟବିଜ୍ଞାନ (pseudoscience) ଠାରୁ ବିଜ୍ଞାନର ଗୁଣାତ୍ମକ ଧର୍ମ ଭିନ୍ନ ପ୍ରକାରର ହୋଇଛି । ଅତୀତର ଇତିହାସ ପ୍ରତି ଦୃଷ୍ଟିପାତ କଲେ ଯେକୌଣସି ବୁଦ୍ଧିଜୀବୀଙ୍କ ମାନସପଟରେ ଏପରି ପ୍ରଶ୍ନ ଆଲୋଡ଼ନ ସୃଷ୍ଟି କରିବା ସ୍ୱାଭାବିକ ବୋଧ ହେଉଛି । ଭୁକେନ୍ଦ୍ରିକ ମତବାଦକୁ ଖଣ୍ଡନ କରି ସୌରକେନ୍ଦ୍ରିକ ଧାରଣା ପ୍ରତିଷ୍ଠା କରିଥିବା ମହାମତି କୋପେରନିକସଙ୍କୁ କ୍ୟାଥୋଲିକ୍‌ ଚର୍ଚ୍ଚ୍‍ର ବଡ଼ପଣ୍ଡାମାନେ ସମାଜରୁ ବାସନ୍ଦ କରିଥିଲେ ଏବଂ ମେଣ୍ଡଲୀୟ ଅନୁବଂଶିକାର (genetics) ପ୍ରସାର ବିରୋଧରେ କମ୍ୟୁନିଷ୍ଟ ପାର୍ଟିର କର୍ତ୍ତୃପକ୍ଷ ଦୃଢ଼ ନିଷେଧାଜ୍ଞା ଜାରି କରିଥିଲେ । ଏହି ଚିନ୍ତାନାୟକମାନଙ୍କ ମତକୁ ସଂପୃକ୍ତ କର୍ତ୍ତୃପକ୍ଷ କୂଟବୈଜ୍ଞାନିକ ତଥା ଭ୍ରାନ୍ତ ଧାରଣା ରୂପେ ବିଚାର କରି ସେମାନଙ୍କ ବିରୋଧରେ ଏପରି ଆସୂୟାସୂଚକ ଦଣ୍ଡବିଧାନ କରିବାକୁ ପାଶ୍ଚାତ୍‌ପଦ ହୋଇନଥିଲେ । ଏପରି ଅନେକ ଭାବୋଦ୍ଦୀପକ ଅବିସ୍ମରଣୀୟ ଐତିହାସିକ ଘଟଣା ସମ୍ବନ୍ଧରେ ଅବଧାରିତ ହେବାଦ୍ୱାରା ଆମେ ନିଶ୍ଚୟ ଜାଣିବାକୁ ଚାହିଁବା ଯେ, ବୈଜ୍ଞାନିକ ଗବେଷଣାଲବ୍‌ଧ ଫଳକୁ ନିର୍ଭରଯୋଗ୍ୟ ସତ୍ୟରୂପେ ବିଚାର କରିବାର କୌଣସି ମାପକାଠି ଅଛି କି ? ଅଥବା କୌଣସି ବୈଜ୍ଞାନିକ ଗବେଷଣାଲବ୍‌ଧ ତଥ୍ୟକୁ ନିର୍ଭରଯୋଗ୍ୟ ତଥ୍ୟରୂପେ ଗ୍ରହଣ କରିବା ପାଇଁ ପରିବର୍ତ୍ତନଶୀଳ ମୂଲ୍ୟବୋଧଗୁଡ଼ିକର ପ୍ରସାର ଘଟୁଛି କି ? ସାମାଜିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଏଭଳି ପ୍ରଶ୍ନର ଭୂମିକା ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ପ୍ରବନ୍ଧର ସୀମିତ କଳେବର ମଧ୍ୟରେ ବୈଜ୍ଞାନିକ କ୍ରିୟାଶୀଳତା ତଥା ବୈଜ୍ଞାନିକ ତଥ୍ୟରାଜିର ମୂଲ୍ୟବୋଧ ସମ୍ପର୍କରେ ସମୀକ୍ଷାମୂଳକ ଆଲୋଚନା କରାଯାଉଛି ।

 

ଅନେକ ଦାର୍ଶନିକ 'ଜ୍ଞାନ' (knowledge) ର ଚାରିନ୍ତ୍ରିକ ରୂପ ସମ୍ବନ୍ଧରେ ଦିଗ୍‍ଦର୍ଶନ ଦେବା ଉଦ୍ଦେଶ୍ୟରେ ସୂଚାଇଛନ୍ତି; ଯଦି ବହୁ ବ୍ୟକ୍ତି କୌଣସି ଏକ ଭକ୍ତିର ଯଥାର୍ଥତା ପ୍ରତି ଦୃଢ଼ ବିଶ୍ଵାସ ପୋଷଣ କରିପାରନ୍ତି, ତାହାହେଲେ ସେପରି ବକ୍ତବ୍ୟକୁ ଜ୍ଞାନ ରୂପେ ଗ୍ରହଣ କରାଯାଇପାରେ । ମାତ୍ର ଅନେକ ବ୍ୟକ୍ତି ଭ୍ରାନ୍ତ ଧାରଣା ଗୁଡ଼ିକୁ ଦୃଢ଼ ବିଶ୍ୱାସ ରୂପେ ଆଦରି ନେବାର ଦୃଷ୍ଟାନ୍ତ ମାନବୀୟ ଇତିହାସରେ ଆଦୌ ବିରଳ ନୁହେଁ । ଯଦି ମନୁଷ୍ୟର କୌଣସି ବ୍ୟକ୍ତବ୍ୟ ପ୍ରତି ବିଶ୍ୱାସ ବା ଆସ୍ଥା ସ୍ଥାପନ କରିବାର ତୀବ୍ରତାକୁ ଜ୍ଞାନର ପରିମାପକ ରୂପେ ଗ୍ରହଣ କରାଯାଏ, ତାହାହେଲେ ଦେବ, ଦାନବ, ସ୍ୱର୍ଗ, ନର୍କ ସମ୍ପର୍କୀୟ ଉପାଖ୍ୟାନ ବା କିମ୍ବଦନ୍ତୀଗୁଡ଼ିକୁ ଜ୍ଞାନରୂପେ ଗ୍ରହଣ କରାଯିବାର ଔଚିତ୍ୟ ଅନାୟାସରେ ଉପଲବ୍‌ଧି ହେଉଛି । ଅପରପକ୍ଷେ, ବିଜ୍ଞାନର ଇତିହାସ ଅନୁଧ୍ୟାନ କରିବା ଦ୍ୱାରା ଆମେ ଜାଣିପାରିଛୁ ଯେ ଗୁଣାତ୍ମକ ମାନ ଦୃଷ୍ଟିରୁ କୌଣସି ଏକ ସମୟରେ ଉତ୍‌କୃଷ୍ଟ ବିବେଚିତ ତତ୍ତ୍ଵ ପ୍ରତି ମଧ୍ୟ ବୈଜ୍ଞାନିକମାନେ ସଂଶୟ ଆରୋପ କରନ୍ତି । ମହାମତି ସାର୍‍ ଆଇଜାକ୍‍ ନିଉଟନଙ୍କ ଦ୍ଵାରା ପ୍ରତିଷ୍ଠିତ ମହାକର୍ଷଣୀୟ ତତ୍ତ୍ଵଟି ବିଜ୍ଞାନର ଇତିହାସରେ ଗୋଟିଏ ମାଇଲଖୁଣ୍ଟ ରୂପେ ବିବେଚିତ ହୋଇଥିଲେ ହେଁ ନିଉଟନ ନିଜେ ବିଶ୍ୱାସ କରିପାରିନଥିଲେ ଯେ, ପରସ୍ପରଠାରୁ ଦୂରେଇ ରହିଥିବା ଦୁଇଟି ବସ୍ତୁ ପରସ୍ପର ଆଡ଼କୁ ଆକୃଷ୍ଟ ହୋଇପାରନ୍ତି । ଏଣୁ ବିଶ୍ୱାସ ବା ସ୍ୱୀକୃତିର ମାତ୍ରାକୁ ଜ୍ଞାନର ପରିମାପକ ରୂପେ ବିଚାର କରାଯିବା ଠିକ ନୁହେଁ । ଏପରି ଉକ୍ତିର ଅଯଥାର୍ଥତା ସପକ୍ଷରେ ଇତିହାସରୁ ଆମେ ପ୍ରଭୂତ ଦୃଷ୍ଟାନ୍ତ ପାଇ ପାରୁଛୁ । ଯେଉଁ ତତ୍ତ୍ୱଟିର ଯଥାର୍ଥତା ପ୍ରତି ଦୃଢ଼ ଆସ୍ଥା ସ୍ଥାପନ କରାଯାଉଛି, ତାହାକୁ ଖୋଲା ମନରେ ସମାଲୋଚନା କରିବାକୁ ବୈଜ୍ଞାନିକ ଆଚରଣ ରୂପେ ବିଚାର କରାଯାଏ । କୌଣସି ଗୋଟିଏ ତତ୍ତ୍ଵକୁ ଅନ୍ଧ ଭାବରେ ସ୍ଵୀକୃତି ପ୍ରଦାନ କରିବାକୁ ବୈଜ୍ଞାନିକମାନେ କେବେ ହେଲେ ଏକ ବୌଦ୍ଧିକ ଧର୍ମ ରୂପେ ଗ୍ରହଣ କରିପାରନ୍ତି ନାହିଁ । ବରଂ, ଗୋଟିଏ ତତ୍ତ୍ଵର ଯଥାର୍ଥତାକୁ ଅନ୍ଧ ଭାବରେ ମାନିନେବାକୁ ସେମାନେ ଏକ ବୌଦ୍ଧିକ ଅପରାଧ ରୂପେ ବିଚାର କରନ୍ତି ।

 

ଜଣେ ବୁଦ୍ଧିଜୀବୀଙ୍କ ବକ୍ତବ୍ୟ ସତ୍ୟ ଭଳି ଜଣା ପଡ଼ୁଥିଲେ ମଧ୍ୟ ଏବଂ ସମସ୍ତେ ତାହାକୁ ସତ୍ୟ ରୂପେ ବିଚାର କରୁଥିଲେ ମଧ୍ୟ, ସେହି ତତ୍ତ୍ୱଟି ପ୍ରକୃତରେ ବୈଜ୍ଞାନିକ ଗୁଣ ସମ୍ପନ୍ନ ହୋଇ ନ ଥାଇପାରେ । ଗୋଟିଏ ତତ୍ତ୍ଵ ଅବାନ୍ତର ବା ଅର୍ଥହୀନ, ଜଣାପଡ଼ୁଥିଲେ ମଧ୍ୟ, କେହି ତାହାକୁ ବିଶ୍ୱାସ କରୁ ନ ଥିଲେ ମଧ୍ୟ ସେହି ତତ୍ତ୍ଵଟି ପ୍ରକୃତରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥାଇପାରେ । କୌଣସି ଏକ ତତ୍ତ୍ଵର ଯଥାର୍ଥତା ପ୍ରତି ବିଶ୍ୱାସ ପୋଷଣ କରିବା ତ ଦୂରର କଥା, ତାହାକୁ ତତ୍‌କାଳୀନ ପରିସ୍ଥିତିରେ କେହି ବୁଝିବାକୁ ଅପାରଗ ହୋଇଥିଲେ ମଧ୍ୟ, ତାହାର ବୈଜ୍ଞାନିକ ମୂଲ୍ୟବୋଧ ଅତୀବ ଗୁରୁତ୍ଵପୂର୍ଣ୍ଣ ହୋଇଥାଇପାରେ । ଗୋଟିଏ ତତ୍ତ୍ଵକୁ ବୈଜ୍ଞାନିକ ମାନେ ସ୍ଵୀକୃତି ପ୍ରଦାନ କରିବାବେଳେ ସେହି ତତ୍ତ୍ଵଟିର ମନୁଷ୍ୟର ମନ ଉପରେ ମନସ୍ତାତ୍ତ୍ୱିକ ପ୍ରଭାବକୁ ବିଚାରଯୋଗ୍ୟ ବିଷୟରୂପେ ଗ୍ରହଣ କରାଯାଏନାହିଁ I ବିଶ୍ୱାସ, ଓ ବୋଧଗମ୍ୟତା ପ୍ରଭୂତି ମନସ୍ତତ୍ତ୍ୱ ନିର୍ଭରଶୀଳ । ମୂଲ୍ୟବୋଧଗୁଡ଼ିକ ମନୁଷ୍ୟର ମନରଅବସ୍ଥା ଉପରେ ନିର୍ଭର କରେ । ମନୁଷ୍ୟର ମନ ନିର୍ଭରଶୀଳ, ସୃଷ୍ଟିଶୀଳ, କ୍ରିୟାଶୀଳତା ତଥା ବୋଧଗମ୍ୟତା ଯୋଗୁଁ କୌଣସି ତତ୍ତ୍ଵ ପ୍ରତିଷ୍ଠା କରାଯିବା ସମ୍ଭବ ହୋଇଥିଲେ ମଧ୍ୟ ତାହାର ବ୍ୟକ୍ତି ନିରପେକ୍ଷ ବୈଜ୍ଞାନିକ ମୂଲ୍ୟବୋଧ ମନୁଷ୍ୟର ମନ ଉପରେ ନିର୍ଭର କରିବା ପରିବର୍ତ୍ତେ ତତ୍ତ୍ଵଟିର ସତ୍ୟତା ବା ତର୍କସିଦ୍ଧତା ପ୍ରତିପାଦନକ୍ଷମ ଘଟଣା ବା ଦୃଶ୍ୟଗୁଡ଼ିକ ଉପରେ ନିର୍ଭର କରେ । ଅଭିକ୍ରିୟାତ୍ମକ ଗବେଷଣା ବଳରେ ସତ୍ୟତା ପ୍ରତିପାଦନ ହୋଇପାରୁଥିବା ବକ୍ତବ୍ୟକୁ ବା ତତ୍ତ୍ଵକୁ ଜ୍ଞାନ ରୂପେ ଗ୍ରହଣ କରାଯିବାର ଯଥାର୍ଥତା ପ୍ରତି ଚିନ୍ତାନାୟକ ହ୍ୟୁମ୍ ଗୁରୁତ୍ଵ ଆରୋପ କରିଥିଲେ I ସେ ସୂଚାଇଥିଲେ ଯେ, ଯେଉଁ ବକ୍ତବ୍ୟ ବା ତତ୍ତ୍ଵର ସତ୍ୟତା ଏପରି ଭାବରେ ପ୍ରତିପାଦନ କରାଯିବାର ଅବକାଶ ନାହିଁ, ତାହାକୁ ଅଚିରେ ଦାହ କରାଯିବା ହିଁ ଶ୍ରେୟସ୍କର; କାରଣ ଏହା କେବଳ ମନୁଷ୍ୟର ମାନସପଟରେ ପ୍ରହେଳିକା ସୃଷ୍ଟି କରିବ ।

 

ହ୍ୟୁମ୍ ଯେପରି ଭାବରେ ଅଭିତ୍ରିୟାତ୍ମକ ଗବେଷଣକୁ ସତ୍ୟତା ପ୍ରତିପାଦନର ମୁଖ୍ୟ ବିଭାବ ରୂପେ ବିଚାରରେ ଜ୍ଞାନର ସ୍ଵରୁପ ଦର୍ଶାଇ ଦେବାକୁ ଯତ୍ନଶୀଳ ହୋଇଛନ୍ତି, ତାହାକୁ ଏକାନ୍ତ ଯୁକ୍ତିଯୁକ୍ତ ପଦ୍ଧକ୍ଷେପ ରୂପେ ଗ୍ରହଣ କରିନେବା ମଧ୍ୟ ସମୀଚୀନ ବୋଧ ହେଉନାହିଁ । ସପ୍ତଦଶ ଶତାବ୍ଦୀରେ ଯାଦୁବିଦ୍ୟାକୁ (witchcraft) ଏକ ମର୍ଯ୍ୟାଦାସୂଚକ ବୃତ୍ତିରୁପ ବିଚାର କରଯାଉଥିଲା-। ପର୍ଯ୍ୟବେକ୍ଷଣ ଓ ଅଭିକ୍ରିୟା ଅବଲମ୍ବନରେ ଯଦୁବିଦ୍ୟାର ସମୃନ୍ଧି ସାଧାନ କରାଯାଇଥିଲା-। ସୁପ୍ରସିନ୍ଧ ରୟାଲ୍ ସୋସାଇଟିର ଘରୋଇ ଦାର୍ଶନିକ ରୂପେ ନିଯୁକ୍ତ ହୋଇଥିବା ଗାନଭିଲ୍ଲ ନାମକ ଜନୈକ ତୁଙ୍ଗ ବୁଦ୍ଧିଜୀବୀ ଯାଦୁବିଦ୍ୟାକୁ ଅଭିକ୍ରିୟାତ୍ମକ ଗବେଷଣ ଶ୍ରୟୀ ଜ୍ଞାନ ଅଭିଷ୍କାରର ପଥପ୍ରଦର୍ଶକ ବୌଦ୍ଧିକ କ୍ରିୟାଶୀଳତା ରୂପେ ଚିତ୍ରଣ କରିଛନ୍ତି । ମାତ୍ର ବର୍ତ୍ତମାନ ଏହାକୁ କେହି ବିଜ୍ଞାନ ରୂପେ ଗ୍ରହଣ କରିନେବାର ଅବକାଶ ନାହିଁ । ଏଣୁ ହ୍ୟୁମ୍‌ଙ୍କ ଦ୍ଵାରା ନର୍ଦ୍ଦେଶିତ ପନ୍ଥା ଅନୁଯାୟୀ ଅଦରକାରୀ ଗ୍ରନ୍ଥଗୁଡ଼ିକୁ ଦାହ କରାଯିବା ପୂର୍ବରୁ ଆମେ ଅଭିକ୍ରିୟାତ୍ମକ ଚିନ୍ତନର (Scientific reasoning) ସଂଜ୍ଞା ନିର୍ଦ୍ଧାରଣ କରିବା ଏକାନ୍ତ ବାଞ୍ଛନୀୟ ବୋଧ ହେଉଛି । ବୈଜ୍ଞାନିକ ଚିନ୍ତନ ଅନୁଯାୟୀ ବୈଜ୍ଞାନିକ ତତ୍ତ୍ଵ ଗୁଡ଼ିକ ତଥ୍ୟ ବା ଘଟଣା ନିର୍ଭରଶୀଳ ହୋଇଥାଏ । ତଥ୍ୟ ବା ଘଟଣାଗୁଡ଼ିକ ଦ୍ୱାରା ସମର୍ଥିତ ବା ସ୍ଵୀକୃତିପ୍ରାପ୍ତ ହେବା ହିଁ ଯେ କୌଣସି ବୈଜ୍ଞାନିକ ତତ୍ତ୍ଵର ଚାରିତ୍ରିକ ବୈଶିଷ୍ଟ୍ୟ । ଆମେ ବର୍ତ୍ତମାନ ଜାଣିବାକୁ ଚାହିଁବା ଯେ, ଗୋଟିଏ ବୈଜ୍ଞାନିକ ତତ୍ତ୍ଵ ଠିକ୍ କିପରି ଭାବରେ ତଥ୍ୟ ବା ଘଟଣାଗୁଡ଼ିକ ଦ୍ୱାରା ସମର୍ଥିତ ହୋଇପାରେ ।

 

ବିଭିନ୍ନ ଯୁଗରେ ବୈଜ୍ଞାନିକମାନେ ଏହି ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନଟିର ଉତ୍ତର ଭିନ୍ନ ଭିନ୍ନ ପ୍ରକାରେ ସୂଚାଇଛନ୍ତି । ନିଉଟନ ନିଜେ ବିଚାରୁଥିଲେ ଯେ, ପ୍ରାମାଣିକ ତଥ୍ୟଗୁଡ଼ିକ ଦ୍ୱାରା ହିଁ ସେ ସ୍ଵପ୍ରଣୀତ ନିୟମଗୁଡ଼ିକର ସତ୍ୟତା ପ୍ରମାଣିତ କରିପାରିଛନ୍ତି । ନିଜ ଗବେଷଣାର ଗୁଣାତ୍ମକ ଉତ୍କଷ ସମ୍ବନ୍ଧରେ ସଚେତନ ହେବା ପୂର୍ବକ ସେ ଜଣାଇଥିଲେ ଯେ, ତାଙ୍କଦ୍ଵାରା ପ୍ରତିଷ୍ଠିତ ପ୍ରତ୍ୟେକ ନିୟମ ପ୍ରାମାଣିକ ତଥ୍ୟରାଜି ଦ୍ଵାରା ସମର୍ଥିତ ହୋଇଛି ଏବଂ କେବଳ ନିଜ ଚିନ୍ତାଶକ୍ତି ତଥା କଳ୍ପନାପ୍ରବଣତା ବିନିମୟରେ କୌଣସି ତତ୍ତ୍ଵ ପ୍ରତିଷ୍ଠା କରିବାକୁ ସେ କେବେହେଲେ ସ୍ପୃହଣୀୟ ମଣିନାହାନ୍ତି । ବିଶେଷତଃ, ସେ ଦୃଢ଼ ଭାବରେ ଘୋଷଣା କରିଥିଲେ ଯେ, କେପ୍‌ଲାରଙ୍କଦ୍ଵାରା ପ୍ରଦର୍ଶିତ ‘ଦୃଶ୍ୟରାଜି’ (‘phenomena’) କୁ ମୂଳାଧର ରୂପେ ଗ୍ରହଣ କରି ସେ ସ୍ଵଉଦ୍ଭାବିତ ନିୟମଗୁଡ଼ିକୁ ପ୍ରଣୟନ କରିଛନ୍ତି । ମାତ୍ର ତର୍କସଙ୍ଗତ ମାର୍ଗରେ ବିଚାର କରିବା ଦ୍ଵାରା ନିଉଟନଙ୍କର ଏପରି ଦମ୍ଭୋକ୍ତି ଅର୍ଥହୀନ ଜଣାପଡ଼ୁଛି । କେପ୍‌ଲାରଙ୍କ ତାତ୍ତ୍ଵିକ ବିଚାର ଅନୁଯାୟୀ ଗ୍ରହଣଗୁଡ଼ିକ ଦୀର୍ଘ ବୃତ୍ତାକାର (elliptical) କକ୍ଷରେ ସୂର୍ଯ୍ୟ ଚତୁର୍ଦ୍ଦିଗରେ ପରିକ୍ରମା କରୁଛନ୍ତି । ନିଉଟନ ଏପରି ପ୍ରାଞ୍ଜଳ ସ୍ପଷ୍ଟାକରଣ ଅନାବିଳ ଭାବରେ କରିବା ପରିବର୍ତ୍ତେ ସୂଚାଇଥିଲେ ଯେ, ଯଦି ଗ୍ରହଗୁଡ଼ିକ ପରସ୍ପର ଉପରେ କୌଣସି ପ୍ରକାର ପ୍ରଭାବ ବିସ୍ତାର ନକରନ୍ତି, ତାହାହେଲେ କେବଳ ସେମାନେ ଦୀର୍ଘବୃତ୍ତାକାର କକ୍ଷରେ ଗତିଶୀଳ ହୋଇପାରିବେ । ଗ୍ରହଗୁଡ଼ିକ ନିଶ୍ଚିତ ଭାବରେ ପରସ୍ପର ଉପରେ ମହାକର୍ଷଣୀୟ ପ୍ରଭାବ ଆରୋପ କରୁଥିବାରୁ ନିଉଟନ ଗୋଟିଏ ବିକ୍ଷୋଭ ତତ୍ତ୍ଵ ବା ସ୍ଖଳନତତ୍ତ୍ଵ (perturbation theory) ପ୍ରତିଷ୍ଠା କରିବାକୁ ଉଚିତ ମଣିଥିଲେ । ଶେଷୋକ୍ତ ତତ୍ତ୍ୱଟିର ସିଦ୍ଧାନ୍ତ ଅନୁଯାୟୀ କୌଣସି ଗ୍ରହ ସୂର୍ଯ୍ୟ ଚତୁର୍ଦ୍ଦିଗରେ ଦୀର୍ଘବୃତ୍ତାକାର କକ୍ଷରେ ପରିକ୍ରମା କରେନାହିଁ ।

 

ଆଧୁନିକ ଯୁଗର ଯେକୌଣସି ଗବେଷକ ଠିକଣା ଭାବରେ ହୃଦୟଙ୍ଗମ କରୁଛନ୍ତି ଯେ ସୀମିତ ବା ନିର୍ଦ୍ଦିଷ୍ଟ ସଂଖ୍ୟକ ତଥ୍ୟ ବା ଘଟଣାକୁ ଆଶ୍ରୟ କରି ପ୍ରକୃତିର କ୍ରିୟାଶୀଳତାକୁ ଠିକ୍ ଭାବରେ ବ୍ୟକ୍ତ କରିପାରୁଥିବାରୁ କୌଣସି ଗୋଟିଏ ନିୟମ ପ୍ରଣୟନ କରାଯିବାର ବୈଦ୍ଧିକ ପ୍ରାୟାସ ସଫଳ ହୋଇନପାରେ । ତଥାପି ସୀମିତ ତଥ୍ୟରାଜି ଦ୍ଵାରା ସମର୍ଥିତ ତତ୍ତ୍ଵଗୁଡ଼ିକୁ ପ୍ରତିଷ୍ଠା କରାଯିବା ପ୍ରତି ସାଂପ୍ରତିକ କାଳରେ ମଧ୍ୟ ପୂର୍ବବତ୍ ଗୁରୁତ୍ଵ ଆରୋପ କରାଯାଉଛି । ଯାହା ଠିକ୍ ଜଣା ପଡ଼ୁନାହିଁ ଏବଂ ତାର୍କିକ ଦୃଷ୍ଟିରୁ ଯେଉଁ ପ୍ରୟାସ ଅସଙ୍ଗତ ବୋଧ ହେଉଛି, ତାହାକୁ ପ୍ରତିରୋଧ କରିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପରିମିତ ତଥ୍ୟ ଦ୍ଵାରା ସମର୍ଥିତ ତତ୍ତ୍ଵ ପ୍ରତିଷ୍ଠା ପାଇଁ ବୈଜ୍ଞାନିକମାନେ କାହିଁକି କର୍ମତତ୍ପର ହେଉଛନ୍ତି ?

 

ଏପରି ନିରବଚ୍ଛିନ୍ନ କର୍ମପ୍ରବଣତା ସପକ୍ଷରେ ସ୍ପଷ୍ଟୀକରଣ ପ୍ରଦାନ କରିବା କଷ୍ଟକର ନୁହେଁ । ବୈଜ୍ଞାନିକମାନେ ନିଜ ନିଜ ଦ୍ୱାରା ଉଦ୍ଭାବିତ ତତ୍ତ୍ଵଗୁଡ଼ିକୁ ମର୍ଯ୍ୟାଦାସୂଚକ ମାର୍ଗରେ ପ୍ରତିଷ୍ଠା କରିବାକୁ ବିଶେଷ ଯତ୍ନବାନ ହୁଅନ୍ତି । ବିଜ୍ଞାନକୁ ନିର୍ଭରଯୋଗ୍ୟ ତଥା ସତ୍ୟଶ୍ରୟୀ ଜ୍ଞାନରୂପେ ପ୍ରତିଷ୍ଠା କରିବା ହିଁ ସେମାନଙ୍କର ବୌଦ୍ଧିକ ପ୍ରୟାସର ଚରମ ଲକ୍ଷ୍ୟରୂପେ ବିବେଚିତ ହୁଏ । ସପ୍ତଦଶ ଶତାବ୍ଦୀରେ ବିଜ୍ଞାନର ଆବିର୍ଭାବ ଘଟିବା କାଳରେ ଦେବ, ଦାନବ; ସ୍ଵର୍ଗ ଓ ନର୍କ ଆଧାରିତ ଜ୍ଞାନାର୍ଜନକୁ ହିଁ ସାମାଜିକ ସଙ୍ଗତିସମ୍ପନ୍ନ ତଥା ଗୁରୁତ୍ଵପୂର୍ଣ୍ଣ ବୌଦ୍ଧିକ ପ୍ରୟାସରୂପେ ବିଚାର କରାଯାଉଥିଲା । ଧର୍ମ ଦର୍ଶନ (theology) ସମ୍ବନ୍ଧୀୟ କୌଣସି ଅଭିନବ ଚିନ୍ତାଧାରା ଯଦି ପ୍ରଚଳିତ ଧର୍ମବିଶ୍ଵାସର ଯଥାର୍ଥତା ପ୍ରତିପାଦନ କରିବା ପରିବର୍ତ୍ତେ ତାହାର ବିରୋଧତ୍ମକ ଧାରଣର ସୂତ୍ରପାତ ଘଟାଉଥିଲା, ତାହାହେଲେ ସମ୍ପୃକ୍ତ ଦାର୍ଶନିକଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଉଥିଲା । ଜନସାଧାରଣ ଜାଣିଥିଲେ ଯେ, ପ୍ରଚଳିତ ଧର୍ମ ଦର୍ଶନ ଭ୍ରାନ୍ତିଶୀଳ ହେବାର ଅବକାଶ ନାହିଁ କିମ୍ଵା କେହି ଏହା ପ୍ରତି ସନ୍ଦେହ ଆରୋପ କରିବାର ଅବକାଶ ନାହିଁ । ଜ୍ଞାନଲୋକ (enlightenment) ପ୍ରାପ୍ତ ହେବାପରେ ମନୁଷ୍ୟ ଅବଧାରିତ ହେଲା ଯେ, ଭ୍ରାନ୍ତିଶୀଳତା (fallibility) ତାହାର ଗୋଟିଏ ଚାରିତ୍ରିକ ଗୁଣ ଏବଂ ସେ ଧର୍ମଦର୍ଶନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ଧର୍ମ ଦର୍ଶନକୁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନରେ ବୁଝାଇ ହେବନାହିଁ; ଏଣୁ ବିଜ୍ଞାନର ତତ୍ତ୍ଵ ଗୁଡ଼ିକ ପରି ତାତ୍ତ୍ଵିକ ଜ୍ଞାନ ବଳରେ ଏ ସମ୍ପର୍କୀୟ ସ୍ପଷ୍ଟ ଧାରଣା ପ୍ରାପ୍ତ ହେବାର ଅବକାଶ ନାହିଁ । ଧର୍ମଦର୍ଶନ ବା ଦେବାଦେବୀ ସମ୍ବନ୍ଧୀୟ ଉପଲବ୍ଧିପ୍ରାପ୍ତି ଦିଗରେ ତାତ୍ତ୍ଵିକ ଜ୍ଞାନ ଅର୍ଜନ କରିବାକୁ ବ୍ୟକ୍ତିଗତ ଭାବରେ ପ୍ରୟାସୀ ହେବା ଉଚିତ ନୁହେଁ । ଏହାର ଯଥାର୍ଥତାକୁ ମାନିନେବା ହିଁ ଶ୍ରେୟସ୍କର-। କେବଳ ପ୍ରକୃତିର କ୍ରିୟାଶୀଳତା ସମ୍ବନ୍ଧରେ ଅବଧାରିତ ହେବାପାଇଁ ତାତ୍ତ୍ଵିକ ଜ୍ଞାନାର୍ଜନ ପଦ୍ଧତିର ଆଶ୍ରୟ ନିଆଯାଇପାରେ । ପୁଣି, ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଭେଦ ପାଇଁ ଯେଉଁ ଜ୍ଞାନ ବିତରଣ କରାଯାଇପାରିବ, ତାହା ମଧ୍ୟ ଧର୍ମଦର୍ଶନ ପରିସନ୍ଦେହମୁକ୍ତ ରୂପ ଧାରଣ କରିଥିବା ଆବଶ୍ୟକ । ଅର୍ଥାତ୍, ନିର୍ଭରଯୋଗ୍ୟତା ତଥା ନିଃସନ୍ଦିଗ୍‌ଧ ଗ୍ରହଣଯୋଗ୍ୟତା ହିଁ ଜ୍ଞାନର ମାପକାଠି-। ଧର୍ମଦର୍ଶନ ବିଜ୍ଞାନର ଅଭ୍ୟୁଦୟ କାଳରେ ତାହାକୁ ଏପରି ଭାବରେ ପ୍ରଭାବିତ କରିଥିବାରୁ ବୈଜ୍ଞାନିକ ତତ୍ତ୍ଵଗୁଡ଼ିକୁ ସନ୍ଦେହମୁକ୍ତ ତଥା ନିର୍ଭରଯୋଗ୍ୟ ମାର୍ଗରେ ଉପସ୍ଥାପନା କରିବା ପାଇଁ ବୈଜ୍ଞାନିକମାନେ ଯତ୍ନବାନ ହେଲେ । ବୈଜ୍ଞାନିକ ତତ୍ତ୍ଵଗୁଡ଼ିକର ସତ୍ୟତା ହୃଦୟଗ୍ରାହୀ ମାର୍ଗରେ ପ୍ରମାଣ କରିଦେବା ପ୍ରତି ଗୁରୁତ୍ଵ ଆରୋପ କରାଗଲା । ବୈଜ୍ଞାନିକତତ୍ତ୍ଵାଗୁଡ଼ିକର ମତ୍ୟତା ହୃଦୟଗ୍ରାହୀ ମାର୍ଗରେ ପ୍ରମାଣ କରିଦେବା ପ୍ରତି ଗୁରୁତ୍ଵଆରୋପ କରାଗଲା । ଧର୍ମ ଦର୍ଶନକୁ ପ୍ରମାଣ ସହକାରେ ସନ୍ଦେହମୁକ୍ତ ତଥା ନିଶ୍ଚିତ ରୂପ ଦେବାପାଇଁ ଧର୍ମଜଗତର ବଡ଼ପଣ୍ଡାମାନେ ଅପାରଗ ହୋଇଥିଲେ; ମାତ୍ର ପ୍ରାମାଣିକ ତଥ୍ୟବଲମ୍ବନରେ ବୈଜ୍ଞାନିକମାନେ ସୁପ୍ରତିଷ୍ଠିତ ତତ୍ତ୍ଵଗୁଡ଼ିକୁ ସନ୍ଦେହମୁକ୍ତ ଭାବରେ ପ୍ରତିଷ୍ଠା କରିପାରିଲେ । ଜଣେ ପ୍ରତିଭାବାନ୍ ବୈଜ୍ଞାନିକ ଅନୁମାନ ବା କଳ୍ପନାବିଳମ୍ବ ବିନିମୟରେ କୌଣସି ତତ୍ତ୍ଵ ପ୍ରତିଷ୍ଠା କରିବାର ଅବକାଶ ରହିଲା ନାହିଁ; କେବଳ ପ୍ରାମାଣିକ ତଥ୍ୟବଲମ୍ବନରେ ବୈଜ୍ଞାନିକମାନେ ପ୍ରତିଷ୍ଠିତ ତତ୍ତ୍ଵଗୁଡ଼ିକୁ ସନ୍ଦେହମୁକ୍ତ ଭାବରେ ପ୍ରତିଷ୍ଠା କରିବାକୁ ସମର୍ଥ ହେଲେ । ଜଣେ ପ୍ରତିଭାବାନ୍‌ ବୈଜ୍ଞାନିକ ଅନୁମାନ ବା କଳ୍ପନାବିଳାସ ବିନିମୟରେ କୌଣସି ତତ୍ତ୍ଵ ପ୍ରତିଷ୍ଠା କରିବାର ଅବକାଶ ରହିଲା ନାହିଁ; କେବଳ ପ୍ରାମାଣିକ ତଥ୍ୟ ଦ୍ଵାରା ସମର୍ଥିତ ତତ୍ତ୍ଵକୁ ହିଁ ବିଜ୍ଞାନର ଅନ୍ତର୍ଭୁକ୍ତ କରାଗଲା । ଯେଉଁମାନେ ତଥ୍ୟାଶ୍ରୟୀ ପ୍ରମାଣ ବିନା କୌଣସି ତତ୍ତ୍ଵ ପ୍ରତିଷ୍ଠା କରିପାରିଲେ, ସେମାନଙ୍କୁ ବୈଜ୍ଞାନିକ ଗୋଷ୍ଠୀ କୁଟ-ବିଜ୍ଞାନୀ (pseudo-scientist) ରୂପେ ଅପବାଦିତ କରାଇବାକୁ ପଶ୍ଚାତ୍‌ପଦ ହେଲେ ନାହିଁ । ଏପରି କର୍ମ ପ୍ରବଣତାକୁ ବୈଜ୍ଞାନିକର ସ୍ୱଧର୍ମ ରୂପେ ବିଚାର କରାଯିବା ପରିବର୍ତ୍ତେ ଅପଧର୍ମ ରୂପେ କଟୁ ସମାଲୋଚନା କରାଗଲା । ସ୍ଥୂଳତଃ ଧର୍ମଦର୍ଶନ ଭଳି ବିଜ୍ଞାନ ମଧ୍ୟ କାହା ମନରେ ସନ୍ଦେହ ସୃଷ୍ଟି କରିନପାରିବା ଭଳି କ୍ରମସମୃଦ୍ଧ ହେବାର ପନ୍ଥାକୁ ହିଁ ଶ୍ରେୟସ୍କର ପନ୍ଥାରୂପେ ଆଦରି ନିଆଗଲା ।

 

ସେହି କାଳଠାରୁ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳ ପର୍ଯ୍ୟନ୍ତ ବୈଜ୍ଞାନିକ ତତ୍ତ୍ଵଗୁଡ଼ିକୁ ପ୍ରାମାଣିକ ତଥ୍ୟରାଜି ଦ୍ଵାରା ସତ୍ୟପିତ ହୋଇପାରୁଥିବା ଢାଞ୍ଚାରେ ପରିବେଷଣ କରାଗଲା । ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଆଇନଷ୍ଟାଇନଙ୍କ ଦ୍ଵାରା ପ୍ରତିଷ୍ଠିତ ଆପେକ୍ଷିକ ତତ୍ତ୍ଵର ଗୁଣାତ୍ମକ ମାନ ନିଉଟନ୍‌ଙ୍କ ଦ୍ଵାରା ପ୍ରତିଷ୍ଠିତ ମହାକର୍ଷଣୀୟ ତତ୍ତ୍ଵଠାରୁ ଉଚ୍ଚ କୋଟିର ହୋଇଥିବାର ଉପଲବ୍‌ଧି ବୈଜ୍ଞାନିକ ସାଧୁତାର ମାନ ପ୍ରତି ବୁଦ୍ଧିଜୀବୀମାନଙ୍କ ସଂଶୟାମକ ଦୃଷ୍ଟି ଆକର୍ଷଣ କଲା । ସେମାନେ ଜାଣିପାରିଲେ ଯେ, ସୁଦୀର୍ଘ ପ୍ରାୟ ତିନି ଶତ ବର୍ଷ ବ୍ୟାପୀ ଯେଉଁ ପ୍ରକାର ବୌଦ୍ଧିକ କ୍ରିୟାଶୀଳତାକୁ ‘ବିଜ୍ଞାନ' ରୂପେ ମର୍ଯ୍ୟାଦା ପ୍ରଦାନ କରାଯାଉଛି, ତାହାକୁ କେବଳ ଏକ ନୈସର୍ଗିକ (Utopian) ଆଦର୍ଶ ରୂପେ ଗ୍ରହଣ କରାଯାଇପାରେ । ଆଇନଷ୍ଟାଇନଙ୍କ ଐତିହାସିକ ତଥା ଯୁଗାନ୍ତରକାରୀ ଆବିଷ୍କାର ସଂଘଟିତ ହେବା ପୂର୍ବରୁ ଅଧିକାଂଶ ବୈଜ୍ଞାନିକ ବିଚାରିଥିଲେ ଯେ, ମହାମତି ନିଉଟନ ହିଁ ମହିମାମୟ ପରମେଶ୍ୱରଙ୍କ ଅନବଦ୍ୟ ସୃଷ୍ଟିର ରହସ୍ୟକୁ ଅଲଙ୍ଘ୍ୟ ନିୟମଗୁଡ଼ିକ ଆକାରରେ ଭେଦକରି ପାରିଛନ୍ତି । ସୁନାମଧନ୍ୟ ପଦାର୍ଥବିଜ୍ଞାନୀ ଆମ୍ପିଆର୍ ବିଦ୍ୟୁତ୍‍-ଚୁମ୍ବକୀୟତା ସମ୍ବନ୍ଧୀୟ ନିଜ ଚିନ୍ତାପ୍ରସୂତ ତତ୍ତ୍ଵଗୁଡ଼ିକୁ ଯେଉଁ ପୁସ୍ତକଟିରେ ଲିପିବଦ୍ଧ କରିଥିଲେ, ତାହାର ନାମ ରଖାଯାଇଥିଲା, "Mathematical Theory of Electromagnetic Phenomena Unequivocally Deduced from Experiment" (ଅର୍ଥାତ୍, ଅଭିକ୍ରିୟାତ୍ମକ ଗବେଷଣାଲବ୍‌ଧ ତଥ୍ୟବଲମ୍ବନରେ ବିଦ୍ୟୁତ୍-ଚୁମ୍ବକୀୟତା ସମ୍ପର୍କୀୟ ଗାଣିତିକ ତତ୍ତ୍ଵ) ମାତ୍ର ସେ ସ୍ଵରଚିତ ପୁସ୍ତକଟିର ଶେଷ ଭାଗରେ ନିଜେ ପ୍ରସଙ୍ଗକ୍ରମେ ସ୍ଵୀକାର କରିଛନ୍ତି ଯେ, ଏହି ପୁସ୍ତକ ସନ୍ନିବିଷ୍ଟ କେତେକ ଅଭିକ୍ରିୟା ଆଦୌ ସମ୍ପାଦିତ ହୋଇନଥିଲା; ଏପରି କି ଅଭିକ୍ରିୟା ପରିଚାଳନା ପାଇଁ ଉଦ୍ଦିଷ୍ଟ କେତେକ ଯନ୍ତ୍ର ମଧ୍ୟ ପ୍ରସ୍ତୁତ ହୋଇନଥିଲା । ବିଜ୍ଞାନର ଇତିହାସରେ ଏପରି ଦୃଷ୍ଟାନ୍ତ ବିରଳ ନୁହେଁ ।

 

ଯଦି ବୈଜ୍ଞାନିକ ତତ୍ତ୍ଵଗୁଡ଼ିକୁ ପ୍ରମାଣ କରିଦେବା ସମ୍ଭବ ହେଉନାହିଁ, ତାହାହେଲେ ବୈଜ୍ଞାନିକ ଜ୍ଞାନ ଓ ଅଜ୍ଞତା ମଧ୍ୟରେ କାହାକୁ ସୀମାବଧାରକ ରୂପେ ଗ୍ରହଣ କରାଯିବ ? ବିଜ୍ଞାନ ଓ କୁଟ-ବିଜ୍ଞାନ ମଧ୍ୟରେ ଗୁଣାତ୍ମକ ପ୍ରଭେଦକୁ କିପରି ଭାବରେ ନିର୍ଣ୍ଣୟ କରାଯିବ ?

 

ବିଂଶ ଶତାବ୍ଦୀରେ ଆଗମନାତ୍ମକ ତର୍କଶାସ୍ତ୍ର (inductive logic) ଅବଲମ୍ବନରେ ତାର୍କିକମାନେ ଉଲ୍ଲିଖିତ ଭାବୋବ୍ଦୀପକ ପ୍ରଶ୍ନଗୁଡ଼ିକର ଉତ୍ତର ଯୋଗାଇ ଦେବାକୁ ମନଯୋଗୀ ହୋଇଥିଲେ । ମିଳୁଥିବା ମୋଟ ସାକ୍ଷ୍ୟପ୍ରମାଣ ଅବଲମ୍ବନରେ ଆଗମନାତ୍ମକ ତାର୍କିକମାନେ ବିଭିନ୍ନ ତତ୍ତ୍ଵଗୁଡ଼ିକର ସମ୍ଭାବନାର (probability) ସଂଜ୍ଞା ନିର୍ଦ୍ଧାରଣ କରିବାକୁ ସ୍ଥିରକଲେ । ଗୋଟିଏ ତତ୍ତ୍ଵର ଗାଣିତିକ ସମ୍ଭାବନାର ମାତ୍ରା ଅଧିକ ହେବାଦ୍ୱାରା ଗୁଣାତ୍ମକ ମାନ ଦୃଷ୍ଟିରୁ ତାହାକୁ ସେମାନେ ବିଜ୍ଞାନର ଅନ୍ତର୍ଭୁକ୍ତ କଲେ । ମାତ୍ର ଯେଉଁ ତତ୍ତ୍ଵଗୁଡ଼ିକର ସମ୍ଭାବନାର ମାତ୍ରା ଅତି କମ୍ ବା ଶୂନ ହେଲା, ସେଗୁଡ଼ିକୁ ବିଜ୍ଞାନର ମର୍ଯ୍ୟାଦା ଦେବାକୁ ସେମାନେ କୁଣ୍ଠାବୋଧ କଲେ । ଏଣୁ ସମ୍ଭାବନାର ମାତ୍ରା ହିଁ କୌଣସି ତତ୍ତ୍ଵକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରାଯିବାର ମାପକାଠି ରୂପେ ବିବେଚିତ ହେଲା । ସମ୍ଭାବନାକୁ ମାପକାଠି ରୂପେ ଗ୍ରହଣ କରାଯିବାର ଗୋଟିଏ ଚିତ୍ତାକର୍ଷକ ବିଭାବ ହେଉଛି ଯେ, ଏତେଦ୍ଵାରା କୌଣସି ତତ୍ତ୍ଵକୁ ସିଧାସଳଖ ବିଜ୍ଞାନ ବା କୁଟ-ବିଜ୍ଞାନ ରୂପେ ଚିହ୍ନଟ କରିବାର ପରିସ୍ଥିତି ଉପୁଜିଲା ନାହିଁ । ସମ୍ଭାବନାର ମାତ୍ରାରେ କମ୍ ବେଶି ଅନୁଯାୟୀ ବୈଜ୍ଞାନିକ ଦୃଷ୍ଟିକୋଣରୁ ତତ୍ତ୍ଵଗୁଡ଼ିକର ଗୁଣାତ୍ମକ ମାନ ସ୍ଥିର କରାଗଲା; ଅର୍ଥାତ୍‌ ଯାହାର ସମ୍ଭାବନାର ମାତ୍ରା ଯେତେ ବେଶୀ ହେଲା, ସେହି ତତ୍ତ୍ଵଟିର ଗୁଣାତ୍ମକ ମାନରେ ତଦନୁପାତିକ ବୃଦ୍ଧି ଘଟିବାରୁ ତାହାକୁ ଏକ ଉଚ୍ଚକୋଟୀର ବୈଜ୍ଞାନିକ ତତ୍ତ୍ଵରୂପେ ବିଚାର କରାଗଲା । ଯେଉଁ ତତ୍ତ୍ଵର ସମ୍ଭାବନାର ମାତ୍ରା ଅତି କମ୍ ହେଲା, ତାହାକୁ କୂଟ-ବିଜ୍ଞାନ ରୂପେ ପ୍ରତ୍ୟାଖ୍ୟାନ କରାଯିବା ପରିବର୍ତ୍ତେ ଗୋଟିଏ ନିମ୍ନ କୋଟୀର ତତ୍ତ୍ଵରୂପେ ହେୟଜ୍ଞାନ କରାଗଲା ।

 

୧୯୩୪ ମସିହାରେ କାର୍ଲ୍‌ ପପ୍‌ପର୍‌ ନାମକ ଚଳିତ ଶତାବ୍ଦୀର ଅନ୍ୟତମ ଅଗ୍ରଗଣ୍ୟ ତଥା ପ୍ରଭାବଶାଳୀ ଦାର୍ଶନିକ ଆଗମନାତ୍ମକ ତାର୍କିକମାନଙ୍କର ଏପ୍ରକାର ବିଚାରବୋଧ ବିରୋଧରେ ଦୃଢ଼ ସ୍ଵର ଉତ୍ତୋଳନ କଲେ । ସେ ବଳିଷ୍ଠ ଯୁକ୍ତି ପରିବେଷଣ କଲେ ଯେ, ପ୍ରାମାଣିକ ତଥ୍ୟର ମାତ୍ରା ଯେତେ ବେଶି ହେଲେ ମଧ୍ୟ ବୈଜ୍ଞାନିକ ବା କୂଟ-ବୈଜ୍ଞାନିକ ନିର୍ବିଶେଷରେ ସବୁ ତତ୍ତ୍ଵଗୁଡ଼ିକର ଗାଣିତିକ ସମ୍ଭାବନାର ମୂଲ୍ୟ ଶୂନ୍‍ ହେବ । ଯଦି ପପ୍‌ପର୍‌ଙ୍କ ଯୁକ୍ତି ଠିକ୍ ଥାଏ, ତାହାହେଲେ ସବୁ ତତ୍ତ୍ଵ ଗୁଡ଼ିକ ଏକା ଭଳି ଅପ୍ରମାଣ୍ୟ ତଥା ଏକା ଭଳି ଅସମ୍ଭାବ୍ୟ ହୋଇଛନ୍ତି । ପପ୍‌ପର୍‌ଙ୍କ ମତାନୁଯାୟୀ ଆଗମନାତ୍ମକ ତାର୍କିକମାନଙ୍କ ଦ୍ୱାରା ନିର୍ଦ୍ଧାରିତ ସମ୍ଭାବନାର ମାତ୍ରାକୁ ତତ୍ତ୍ଵ ଗୁଡ଼ିକର ଗୁଣାତ୍ମକ ମାନର ମାପକାଠି ରୂପେ ଗ୍ରହଣ କରିଯିବା ପରିବର୍ତ୍ତେ ବିକଳ୍ପ ପନ୍ଥାର ଆଶ୍ରୟ ନେବାହିଁ ଶ୍ରେୟସ୍କର । ଏପରି ଚିନ୍ତାଧାରାର ବଶବର୍ତ୍ତୀ ହୋଇ ପପ୍‌ପର୍ କୌଣସି ତତ୍ତ୍ଵକୁ ବିଜ୍ଞାନ ରୂପେ ଗ୍ରହଣ କରାଯିବା ଉଦ୍ଦେଶ୍ୟରେ ଗୋଟିଏ ସ୍ୱତନ୍ତ୍ର ପ୍ରକାରର ଲକ୍ଷଣ ସମ୍ପର୍କରେ ପରାମର୍ଶ ଦେଲେ ।

 

ତାଙ୍କ ମତାନୁଯାୟୀ ଗୋଟିଏ ତତ୍ତ୍ଵ ସପକ୍ଷରେ କୌଣସି ପ୍ରମାଣ ନଥାଇ ମଧ୍ୟ ତାହାକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରାଯାଇପାରେ ଏବଂ ଆଉ ଗୋଟିଏ ତତ୍ତ୍ଵ ସପକ୍ଷରେ ଲକ୍ଷେ ପ୍ରମାଣ ଥିଲେ ମଧ୍ୟ ତାହା କୂଟ-ବୈଜ୍ଞାନିକ ରୂପ ଧାରଣ କରିଥାଇପାରେ । ଅର୍ଥାତ୍ ଗୋଟିଏ ତତ୍ତ୍ଵକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରାଯିବ କି ନାହିଁ—ଏ ପ୍ରଶ୍ନର ଉତ୍ତରବାହ୍ୟ ସାକ୍ଷ୍ୟ ପ୍ରମାଣ ବା ତଥ୍ୟ ନିର୍ଭରଶୀଳ ହୋଇନାହିଁ । ଯଦି ଜଣେ ଉଦ୍ଭାବକ ନିଜ ତତ୍ତ୍ଵକୁ ଅସତ୍ୟ ବା ମିଥ୍ୟା ପ୍ରମାଣିତ କରିଦେବା ଉଦ୍ଦେଶ୍ୟରେ କୌଣସି ନିର୍ଣ୍ଣାୟକ ଅଭିକ୍ରିୟା ବା ପର୍ଯ୍ୟବେକ୍ଷଣ ସମ୍ପର୍କରେ ପ୍ରାକ୍‌ସୂଚନା ଯୋଗାଇ ପାରନ୍ତି, ତାହା ହେଲେ ତାଙ୍କ ତତ୍ତ୍ୱଟିକୁ ଏକ ବୈଜ୍ଞାନିକ ତତ୍ତ୍ୱରୂପେ ଗ୍ରହଣ କରାଯିବା ଉଚିତ୍‍ । ଗୋଟିଏ ତତ୍ତ୍ୱକୁ ଅସତ୍ୟ ପ୍ରତିପାଦନ କରିବାର ସମ୍ଭାବନା ଥିବା କୌଣସି ନିର୍ଣ୍ଣାୟକ ଅଭିକ୍ରିୟା ବା ପର୍ଯ୍ୟବେକ୍ଷଣ ସର୍ମ୍ପକରେ ପ୍ରାକ୍‍ସୂଚନା ଯୋଗେଇଦେବା ସମ୍ଭବ ନ ହେଲେ, ସେହି ତତ୍ତ୍ଵଟିକୁ କେବଳ ଏକ କୂଟ-ବୈଜ୍ଞାନିକ ତତ୍ତ୍ଵ ରୂପ ହିଁ ବିଚାର କରାଯିବା ବାଞ୍ଛାନିୟ । ପପ୍‌ପର୍‌ଙ୍କ ପ୍ରସ୍ତାବନାକୁ ଯଦି ଆମେ ମାନିନେବା, ତାହା ହେଲେ ଏତଦ୍ଦ୍ଵାରା କୌଣସିତତ୍ତ୍ଵର ବୈଜ୍ଞାନିକ ପଦ୍ଧତି ଓ ଅଣବୈଜ୍ଞାନିକ ପଦ୍ଧତି ମଧ୍ୟରେ ହିଁ ପ୍ରଭେଦ ନିର୍ଣ୍ଣୟ କରାଯିବା ସମ୍ଭବ ହୋଇପାରିବ ।

 

ପପ୍‌ପର୍‌ଙ୍କ ଓ ତାଙ୍କ ଅନୁଗାମୀମାନଙ୍କ ମତାନୁଯାୟୀ ମାର୍କସବାଦକୁ ମିଥ୍ୟା ପ୍ରମାଣ କରିପାରୁଥିବା କୈଣସି ନିର୍ଣ୍ଣାୟକ ଘଟଣା ସମ୍ପର୍କରେ ପ୍ରାକ୍ ସୂଚନା ମିଳିପାରିଲେ ଆମେ ଏହାକୁ ଏକ ବୈଜ୍ଞାନିକ ତତ୍ତ୍ଵ ରୂପେ ଗ୍ରହଣ କରିପାରିବା । ଯଦି ନିର୍ଣ୍ଣାୟକ ଘଟଣାର (crucial event) ବାସ୍ତବ ସଂଘଟନ ଯୋଗୁଁ ମାର୍କସବାଦର ଅଳୀକତା ପ୍ରତିପାଦିତ ହୋଇଯାଏ, ତାହାହେଲେ ମାର୍କସବାଦର ଅନୁଗାମୀମାନେ ଏହାକୁ ଏକ କୂଟ-ବୈଜ୍ଞାନିକ ତତ୍ତ୍ଵ ରୂପେ ବିଚାର କରିବେ ଏବଂ ଏଣିକି ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ବିଜ୍ଞତାର ପରିଚାୟକ ରୂପେ ବିଚାର କରିବେ-। ମାର୍କସବାଦର ଅନୁଗାମୀ ହୋଇଥିବା କୌଣସି ବୁଦ୍ଧିଜୀବୀଙ୍କୁ ଏ ପ୍ରକାର ପ୍ରଶ୍ନ ପଚାରିବା ବାସ୍ତବିକ୍ ଏକ କୌତୁହଳପ୍ରଦ ତଥା ଚିତ୍ତାକର୍ଷକ ଘଟଣା ହେବ । ସେ ଏହାର ସତ୍ୟତାକୁ ଖଣ୍ଡନ କରିବାର ସମ୍ଭାବନା ଥିବା କୌଣସି ଘଟଣା ବା ପରିସ୍ଥିତି ସମ୍ପର୍କରେ ପ୍ରାକ୍‌ସୂଚନା ଯୋଗାଇ ଦେବାକୁ ଆଗଭର ହେବେ କି ? କେଉଁ ପ୍ରକାର ପରିସ୍ଥିତି ଉପୁଜିଲେ ସେ ମାର୍କ୍‌ସୀୟ ମତବାଦକୁ ପରିହାର କରିବେ ? ଏ ବିଷୟରେ କୌଣସି ପ୍ରାକ୍‌ସୂଚନା ଦେବାକୁ ସେ ଉଚିତ ମଣିବେ କି-? ଯଦି ସେ ମାର୍କସବାଦ ପ୍ରତି ଆକୃଷ୍ଟ ହୋଇଥାଆନ୍ତି, ତାହାହେଲେ ଏହାକୁ ମିଥ୍ୟା ପ୍ରତିପାଦନକାରୀ କୌଣସି ଲକ୍ଷ୍ୟଣୀୟ ପ୍ରାକ୍‌ସୂଚନାର ଉପସ୍ଥାପନାକୁ ହିଁ କୌଣସି ତତ୍ତ୍ଵକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରାଯିବାର ମାନଦଣ୍ଡ ରୂପେ ସ୍ଥିର କଲେ ।

 

ଆମେ ତାହାହେଲେ କ'ଣ ପପ୍‌ପର୍‌ଙ୍କ ମାପକାଠିକୁ ନିର୍ବିଚାରରେ ଏକ ଗ୍ରହଣଯୋଗ୍ୟ ପରାମର୍ଶ ରୂପେ ମାନିନେବା ? ମିଥ୍ୟା ପ୍ରତିପାଦନକାରୀ ଲକ୍ଷଣ ହିଁ କଣ ବିଜ୍ଞାନ ଓ କୂଟ-ବିଜ୍ଞାନ ମଧ୍ୟରେ ସୀମାବଧାରକ ଭୂମିକା ଗ୍ରହଣ କରୁଛି ? ଏପରି ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନଟିର ଉତ୍ତର ନାସ୍ତିସୂଚକ ହେଉଛି । ବୈଜ୍ଞାନିକ ତତ୍ତ୍ଵ ଗୁଡ଼ିକର ଆଶ୍ଚର୍ଯ୍ୟଜନକ ନଛୋଡ଼ବନ୍ଧା ଦୃଢ଼ତାକୁ ପପ୍‌ପର୍ ନିଜ ବିଚାରର ଅନ୍ତର୍ଭୁକ୍ତ କରିନାହାନ୍ତି । ବୈଜ୍ଞାନିକମାନଙ୍କ ଚମ ଅତି ବହଳ । କୌଣସି ତଥ୍ୟ ଦ୍ଵାରା ସମର୍ଥିତ ହେଉ ନ ଥିଲେ ମଧ୍ୟ ସେମାନେ ଗୋଟିଏ ତତ୍ତ୍ଵକୁ ସହଜରେ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ । ଓଲଟି ସେମାନେ କୌଣସି ନା କୌଣସି ପ୍ରକାର ଅସଙ୍ଗତ (anomaly) ର ଆଳ ଦେଖାଇ ତତ୍ତ୍ଵଟିକୁ ଦୁର୍ଗତିକବଳରୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ପ୍ରକଳ୍ପ (hypothesis) ପ୍ରତିଷ୍ଠା କରନ୍ତି-। ଅସଙ୍ଗତିକୁ କୌଣସି ପ୍ରକାର ପ୍ରକଳ୍ପ ବା ସ୍ପଷ୍ଟୀକରଣ ଅବଲମ୍ବନରେ ବୁଝାଇଦେବା ସମ୍ଭବ ହେଉନଥିଲେ ସେମାନେ ଜାଣିଶୁଣି ଆଖି ବୁଜି ଦିଅନ୍ତି ଏବଂ ଅନ୍ୟ ସମଧାନସାପେକ୍ଷ ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟିପାତ କରନ୍ତି । ଏଠାରେ ବୁଝିବାର କଥା ଯେ, ବୈଜ୍ଞାନିକମାନେ କୌଣସି ଏକ ତତ୍ତ୍ଵର ଅସତ୍ୟତା ପ୍ରତିପାଦନ କରିବା ବା ତାହାକୁ ଅପ୍ରମାଣ କରିବା ପରିବର୍ତ୍ତେ ସେହି ତତ୍ତ୍ଵ ସମ୍ପର୍କରେ ପ୍ରତିରୋଧକ୍ଷମ ସ୍ପଷ୍ଟୀକରଣ ଉପସ୍ଥାପନା କରିବାକୁ ଶ୍ରେୟସ୍କର ମଣନ୍ତି । ଅବଶ୍ୟ, ବିଜ୍ଞାନର ଇତିହାସରୁ ଆମେ ଜାଣି ପାରିଛୁ ଯେ, କେତେକ ନିର୍ଣ୍ଣାୟକ ଅଭିକ୍ରିୟା ଯୋଗୁଁ କେତେକ ବୈଜ୍ଞାନିକ ତତ୍ତ୍ଵର ମୂଳତ୍ପାଟନ ଘଟିଛି । ମାତ୍ର ଐତିହାସିକମାନଙ୍କର ଏପରି ସିଦ୍ଧାନ୍ତକୁ ଗ୍ରହଣ କରିନେବା ଠିକ୍ ନୁହେଁ । ସେମାନେ ପ୍ରକୃତ ଘଟଣାକୁ ସହଜିଆ ଉପାୟରେ ବର୍ଣ୍ଣନା କରିବା ଦ୍ଵାରା ସତ୍ୟର ଅପଳାପ ଘଟିଛି । କାରଣ, ନିର୍ଣ୍ଣାୟକ ଅଭିକ୍ରିୟାଗୁଡ଼ିକର ଫଳ ଯୋଗୁଁ ସମ୍ପୃକ୍ତ ତତ୍ତ୍ଵଗୁଡ଼ିକ ପ୍ରତ୍ୟାଖ୍ୟାନ କରାଯିବାର ବହୁ ପୂର୍ବରୁ ବୈଜ୍ଞାନିକମାନେ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି-। ନିଉଟନୀୟ ଯାନ୍ତ୍ରିକୀକୁ ଅନୁଗାମୀମାନଙ୍କୁ ଯଦି ପପ୍‌ପର୍ ପଚାରିଥାଆନ୍ତେ ଯେ, କେଉଁ ପ୍ରକାର ଅଭିକ୍ରିୟାତ୍ମକ ସର୍ତ୍ତ ପୂରଣ ହେବାଦ୍ୱାରା ସେମାନେ ନିଉଟନୀୟ ଯାନ୍ତ୍ରିକୀକୁ ପ୍ରତ୍ୟାଖ୍ୟାନ କରିବେ, ତାହାହେଲେ ସେମାନେ ନିଶ୍ଚିତ ଭାବରେ ମାର୍କସବାଦୀମାନଙ୍କ ଭଳି ଉତ୍ତର ଦେଇଥାଆନ୍ତେ-। ଏପରି ବିଷୟ ସମ୍ପର୍କରେ ଚିନ୍ତା କରିବାକୁ ମଧ୍ୟ ସେମାନେ ମାର୍କସବାଦୀମାନଙ୍କ ପରି ଏକ ଅନୈତିକ ବ୍ୟାପାରରୂପେ ବିଚାର କରିଥାଆନ୍ତେ:

 

ପପ୍‌ପର୍‌ଙ୍କ ପରାମର୍ଶ ତର୍କସଙ୍ଗତ ବୋଧ ହେଉନଥିବାରୁ ବର୍ତ୍ତମାନ ଆମେ ଆଉ ଗୋଟିଏ ଦୃଷ୍ଟି କୋଣରୁ ବିଚାର କରିବା । ବିଜ୍ଞାନର ଦର୍ଶନ ଓ ଇତିହାସ ରଚନା କ୍ଷେତ୍ରରେ ଅନ୍ୟତମ ତୁଙ୍ଗ ବୁଦ୍ଧିଜୀବୀ ଭାବରେ ସୁଖ୍ୟାତ ଟମାସ ଏସ୍‌. କହନ ହେଉଛନ୍ତି ଏହି ଚିନ୍ତାଧାରାର ପ୍ରବର୍ତ୍ତକ । ତାଙ୍କଦ୍ୱାରା ରଚିତ 'ବୈଜ୍ଞାନିକ ବିପ୍ଳବର ସଂଗଠନିକ ରୂପରେଖ' ୩ ପୁସ୍ତକଟି ବିଗତ ଦୁଇ ଦଶନ୍ଧି ବ୍ୟାପି ବୁଦ୍ଧୀଜୀବି ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ପପ୍‌ପର୍‌ଙ୍କ ପରାମର୍ଶର ଅଳିକତା ସମ୍ପର୍କରେ ଉପଲବ୍‌ଧି ହେବାପରେ କହନ ଏକ ବିପ୍ଳବ ଆଧାରିତ ଚିନ୍ତାଧାରାର ସୂତ୍ରପାତ ଘଟାଇଛନ୍ତି । ତାଙ୍କ ମତାନୁଯାୟୀ ବିଜ୍ଞାନ ଜଗତରେ କିଛି କଛି ସମୟ ଅତିବାହିତ ହେବାପରେ ଗୋଟିକ ପରେ ଗୋଟିଏ କ୍ରମରେ ବିପ୍ଳବ ସଂଘଟିତ ହେଉଛି । ଆଧ୍ୟାତ୍ମ ଜଗତରେ ଘଟୁଥିବା ବିପ୍ଳବ ଅନୁରୂପ ଗୋଟିଏ ବୈଜ୍ଞାନିକ ବିପ୍ଳବର ସଂଘଟନ ଯୋଗୁଁ ସମସାମୟିକ ବୈଜ୍ଞାନିକମାନଙ୍କ ମଧ୍ୟରୁ ବିପୁଳ ସଂଖ୍ୟକ ବୈଜ୍ଞାନିକ ବିପ୍ଳବ ସୃଷ୍ଟିକାରୀ ବୈଜ୍ଞାନିକଙ୍କ ଚିନ୍ତାଧାରାର ଅନୁଗାମୀ ହେଉଛନ୍ତି । ବୈଜ୍ଞାନିକ ବିପ୍ଳବର ସୃଷ୍ଟି କର୍ତ୍ତା ରୂପେ ଠିକଣା ସମୟରେ ଧରଣୀ ବକ୍ଷରେ ଜଣେ ଜଣେ ଯୁଗ ପ୍ରବର୍ତ୍ତକଙ୍କର ଆର୍ବିଭାବ ଘଟୁଛି । କୌଣସି ଧର୍ମର ମାହାତ୍ମ୍ୟ ସମ୍ପର୍କରେ ଅବଧାରିତ ହେବାପରେ ଅନୁରକ୍ତ ଭକ୍ତମାନେ ଯେପରି ସେହି ଧର୍ମରେ ଦୀକ୍ଷିତ ହୁଅନ୍ତି, ଠିକ୍ ସେହିପରି କୌଣସି ଯୁଗ ପ୍ରବର୍ତ୍ତକ ବୈଜ୍ଞାନିକ ବିଜ୍ଞାନ ଜଗତରେ ଅନୁରୂପ ପରିସ୍ଥିତି ସୃଷ୍ଟି କରନ୍ତି । ସେ ଯେଉଁ ଅଭିନବ ଚେତନାର ଉନ୍ମେଷ ଘଟାଇ ପାରନ୍ତି, ତାହା ହିଁ ଆଉ ଗୋଟିଏ ବିପ୍ଳବ ଘଟିବା ପର୍ଯ୍ୟନ୍ତ ଗବେଷକମାନଙ୍କୁ ଗବେଷଣା ଚଳାଇବାର କର୍ମ-ପ୍ରେରଣା ଯୋଗାଇଦିଏ । କୁହୁନଙ୍କ ପରାମର୍ଶକୁ ଗ୍ରହଣ କରିବା ଦ୍ୱାରା ବିଜ୍ଞାନ ଓ କୂଟ-ବିଜ୍ଞାନ ମଧ୍ୟରେ କୈାଣସି ସ୍ପଷ୍ଟ ଗୁଣାତ୍ମକ ପ୍ରଭେଦ ନିର୍ଣ୍ଣୟ କରିବା ସମ୍ଭବ ହେବ ନାହିଁ । ପୁଣି, ଏହା ବୈଜ୍ଞାନିକ ପ୍ରଗତି ଓ ବୌଦ୍ଧିକ ଅବକ୍ଷୟ ମଧ୍ୟରେ କୌଣସି ପ୍ରଭେଦ ନିରୂପଣ କରିବାର ସୂଚନା ଦେଇପାରୁନାହିଁ । ବୈଜ୍ଞାନିକ ସାଧୁତା (Scientific honesty) ସପକ୍ଷରେ ମଧ୍ୟ ଏହା କୌଣସି ବ୍ୟକ୍ତି ନିରପେକ୍ଷ ପ୍ରଗତି ନିର୍ଦ୍ଧାରଣ କରିବାର ଅବକାଶ ନାହିଁ । ବୌଦ୍ଧିକ ଅଧୋଗତି ଓ ବୈଜ୍ଞାନିକ ପ୍ରଗତି ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ପାରୁଥିବା ଭଳି କୌଣସି ସ୍ପଷ୍ଟ ସୂଚନା ମିଳୁନଥିବାରୁ କୁହନଙ୍କ ପରାମର୍ଶକୁ ଆମେ ନିର୍ବଚାରରେ ଗ୍ରହଣ କରିବା କ'ଣ ଠିକ୍ ହେବ ?

 

ପପ୍‌ପର୍‌ ଓ କୁହନଙ୍କ ଭଳି ଦୁଇ ଜଣ ପ୍ରତିଭାଧର ଅଗ୍ରଗଣ୍ୟ ଦାର୍ଶନିକ ଯେଉଁ ସମସ୍ୟାଟିର ସମାଧାନ କରିବା କ୍ଷେତ୍ରରେ ସନ୍ତୋଷପ୍ରଦ ସଫଳତା ହାସଲ କରିପାରିଲେ ନାହିଁ, ତାହାକୁ ସମାଧାନ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ବହୁ ଦାର୍ଶନିକ ମସ୍ତିଷ୍କ ଚାଳନା କରୁଛନ୍ତି । ସେମାନଙ୍କ ମଧ୍ୟରେ ନିକଟ ଅତୀତରେ ଇହଲୀଳା ସମ୍ବରଣ କରିଥିବା ପ୍ରବଣ ଦାର୍ଶନିକ ଇମ୍ରେ ଲାକାଟସ୍‌ଙ୍କ ନାମ ବିଶେଷ ଉଲ୍ଲେଖନୀୟ । 'ବୈଜ୍ଞାନିକ ଗବେଷଣା କାର୍ଯ୍ୟକ୍ରମଗୁଡ଼ିକର ପଦ୍ଧତି'କୁ ବିଚାରକୁ ନେଇ ଏହି ପ୍ରବୀଣ ଦାର୍ଶନିକ ବିଜ୍ଞାନର ରୂପ ସମ୍ପର୍କରେ ଯେଉଁ ପ୍ରକାର ଚିନ୍ତାଧାରାର ପ୍ରସାର ଘଟାଇଛନ୍ତି, ତାହା ପପ୍‌ପର୍ ଓ କୁହନଙ୍କ ପରାମର୍ଶ ତୁଳନାରେ ଅଧିକ ସନ୍ତୋଷପଦ ତଥା ଗ୍ରହଣଯୋଗ୍ୟ ହୋଇପାରିଛି ।

 

ପ୍ରଥମତଃ ଲାକାଟସ ସୂଚାଇଛନ୍ତି ଯେ, କୌଣସି ଏକ ମହତ୍ ବୈଜ୍ଞାନିକ ଅବଦାନର ବର୍ଣ୍ଣନାତ୍ମକ ଶୈଳୀକୁ ଗୋଟିଏ ସ୍ଵତନ୍ତ୍ର ପ୍ରକଳ୍ପରୂପେ ଉପସ୍ଥାପନା କରାଯାଏ ନାହିଁ । ଏହାକୁ ଗବେଷଣାତ୍ମକ କାର୍ଯ୍ୟକ୍ରମ ବା, (Research Programme) ରୂପେ ବିଚାର କରିବା ହିଁ ସମୀଚୀନ ବୋଧ ହେଉଛି । ଅଙ୍କ କଷିବାବେଳେ ଯେପରି ବାରମ୍ଵାର ଭୁଲ୍ ହୁଏ ଓ ଥରକୁ ଥର ଚେଷ୍ଟା କରିବା ପରେ ଅଙ୍କଟିକୁ ଠିକ୍ ଭାବରେ ସମାଧାନ କରିଦେବା ସମ୍ଭବ ହୁଏ, ବୈଜ୍ଞାନିକ ଗବେଷଣାରେ ତଦନ୍ତରୂପ ମାର୍ଗର ଅନୁଗାମୀ ହେବାଦ୍ୱାରା ସଫଳତା ମିଳିନାହିଁ । 'ସବୁ ହଂସ ଦେଖିବାକୁ ଧଳା' । ଏଣୁ ଗୋଟିଏ କଳା ହଂସ ଯଦି ଦେଖିବାକୁ ମିଳେ, ତାହା ହେଲେ ଉଲ୍ଲିଖିତ ମତଟି ଭୁଲ ପ୍ରମାଣିତ ହୋଇଯିବ । କିନ୍ତୁ ଏପରି ସହଜିଆ ଉପାୟ ଅବଲମ୍ବନରେ ସମସ୍ୟା ସମାଧାନର ପନ୍ଥାକୁ 'ବିଜ୍ଞାନ' ରୂପେ ବିଚାର କରାଯାଏ ନାହିଁ । 'ବାରମ୍ଵାର ଚେଷ୍ଟା ଓ ତ୍ରୁଟି ସଂଶୋଧନ' (trial and error) କିମ୍ବା ଅନୁମାନ ଓ ତାହାକୁ ମିଥ୍ୟାରୂପେ ପ୍ରତିପାଦନ (conjectures & refutations) ଦ୍ଵାରା (ଏହା ପପ୍‌ପର୍‌ଙ୍କ ପରାମର୍ଶ) ବିଜ୍ଞାନ ଜଗତରେ ନୂଆ ନୂଆ ଚେତନାର ଉନ୍ନେଷ ଘଟେ ନାହିଁ । ନିଉଟନୀୟ ବିଜ୍ଞାନ କେବଳ ଚତୁର୍ବିଧ ଅନୁମାନ (ଯଥା—ଗତିର ତିନୋଟ ନିୟମ ଓ ମହାକର୍ଷଣର ନିୟମ) ଉପରେ ପ୍ରତିଷ୍ଠିତ ହୋଇଛି ବୋଲି ବିଚାରିବା ଠିକ୍ ନୁହେଁ । ଏହି ତିନିଟି ଅନୁମାନ ତାଙ୍କ ଗବେଷଣାତ୍ମକ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର (hard core) l ନିଉଟନୀୟ ବିଜ୍ଞାନର ସତ୍ୟତାକୁ ରକ୍ଷା କରିବା ପାଇଁ ଥୋ ଏହାକୁ ପ୍ରତ୍ୟାଖ୍ୟାନ କରିବା ଭଳି ପରିସ୍ଥିତିର ସୂତ୍ରପାତ ନ ଘଟାଇବା ପାଇଁ ଅନେକଗୁଡ଼ିଏ ସହାୟକ ପ୍ରକଳ୍ପକୁ (auxiliary hypotheses) ଏକ ରକ୍ଷାକବଚ ଭାବରେ (protective belt) ଏହା ସହିତ ଗ୍ରଥିତ କରାଯାଇଛି । ନିଉଟନୀୟ ଗବେଷଣାତ୍ମକ କାର୍ଯ୍ୟକ୍ରମର ବିଶେଷତ୍ଵ ହେଉଛି ଯେ, ଏହା ବହୁବିଧ ସମସ୍ୟାର ସମାଧାନ କରିପାରୁଛି । ଯାନ୍ତ୍ରିକୀ ଆଧାରିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ନିଉଟନୀୟ ଯାନ୍ତ୍ରିକୀ (Newtonian Mechanics) ଗୋଟିଏ ଶକ୍ତିଶାଳୀ ମେସିନ୍ ତୁଲ୍ୟ କ୍ରିୟାଶୀଳ ହୋଇଛି । ଯାନ୍ତ୍ରିକୀ ଆଧାରିତ ସମସ୍ୟା ସମାଧାନ ବ୍ୟାପାରରେ ସୃଷ୍ଟି ଲାଭ କରିଥିବା ଅସଙ୍ଗତିଗୁଡ଼ିକୁ ଏହା ହଜମ କରିପାରିଛି । ଏପରି କି ଏହି ଯାନ୍ତ୍ରିକୀରେ ଲକ୍ଷ୍ୟ କରାଯାଇଥିବା କେତେକ ଅସଙ୍ଗତିକୁ ଏହାର ମହନୀୟତା ପ୍ରତିପାଦନକ୍ଷମ ବଳିଷ୍ଠ ସାକ୍ଷ୍ୟରେ ପରିଣତ କରାଯିବା ମଧ୍ୟ ସମ୍ଭବ ହୋଇଛି । ଉଦାହରଣ ସ୍ୱରୂପ, ଯଦି ଗୋଟିଏ ଗ୍ରହ ନିଉଟନୀୟ ଯାନ୍ତ୍ରିକୀ ଦ୍ଵାରା ନିର୍ଦ୍ଧାରିତ କକ୍ଷରେ ଠିକଣା ଭାବରେ ପରିକ୍ରମା କରୁନଥିବା ସମ୍ପର୍କରେ ପ୍ରାମାଣିକ ତଥ୍ୟ ମିଳୁଛି, ତାହା-ହେଲେ ଯାନ୍ତ୍ରିକୀରେ କୌଣସି ତ୍ରୁଟି ଥିବାର ସନ୍ଦେହ କରାନଯାଇ ବାୟୁମଣ୍ଡଳରେ ଆଲୋକର ପ୍ରତିସରଣ, ଚୁମ୍ବକୀୟ ଝଡ଼ ସଂଘଟିତ ହେବା ଅବସରରେ ଆଲୋକର ଗତିଶୀଳତା ପ୍ରଭୃତି ବହୁ ସମସ୍ୟା ସମ୍ପର୍କରେ ଅନୁସନ୍ଧାନ କରାଯାଇଛି । ଶେଷୋକ୍ତ ସମସ୍ୟାଗୁଡ଼ିକୁ ନିଉଟନୀୟ ଯାନ୍ତ୍ରିକୀର ଅନୁଗାମୀମାନେ ଗୋଟିଏ ବୃହତ୍ ଗବେଷଣାତ୍ମକ କାର୍ଯ୍ୟକ୍ରମର ଅଙ୍ଗୀଭୂତ କରିଛନ୍ତି । ଏପରି କି କୌଣସି ଅସଙ୍ଗତି କବଳରୁ ନିଉଟନୀୟ ବିଜ୍ଞାନକୁ ଉଦ୍ଧାର କରିବା ପାଇଁ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀମାନେ କୌଣସି ଅଜ୍ଞାତ ଗ୍ରହର ସମ୍ଭାବ୍ୟ ଅବସ୍ଥିତି ସମ୍ପର୍କରେ ଗଣନାଶ୍ରୟୀ ସଂଖ୍ୟାତ୍ମକ ପ୍ରାକ୍‌ସୂଚନା ଯୋଗାଇ-ଦେଇ ନିଉଟନୀୟ ଯାନ୍ତ୍ରିକର ପ୍ରଯୁଜ୍ୟତା ତଥା ମହନୀୟତା ପ୍ରତିପାଦନ କରିବାକୁ ଶ୍ରେୟସ୍କର ମଣୁଛନ୍ତି ।

 

ନିଉଟନଙ୍କ ମହାକର୍ଷଣୀୟ ନିୟମ, ଆଇନ୍‌ଷ୍ଟାଇନ୍‌ଙ୍କ ଆପେକ୍ଷିକ ତତ୍ତ୍ୱ, କ୍ଵଣ୍ଟମ୍ ଯାନ୍ତ୍ରିକୀ, ମାର୍କସ୍‌ବାଦ, ଫ୍ରଏଡ଼ୀୟ ମନସ୍ତତ୍ତ୍ୱ ପ୍ରଭୃତି ବିଜ୍ଞାନ ଜଗତର ଐତିହାସିକ ତଥା ଯୁଗାନ୍ତକାରୀ ଅବଦାନଗୁଡ଼ିକ ପ୍ରତ୍ୟେକ ଗୋଟିଏ ଗୋଟିଏ ଗବେଷଣାତ୍ମକ କାର୍ଯ୍ୟକ୍ରମ ବା (research programme) । ପ୍ରତ୍ୟେକ କାର୍ଯ୍ୟକ୍ରମ ଗୋଟିଏ ନିଜସ୍ୱ ବା ଚାରିତ୍ରିକ ପ୍ରାଣକେନ୍ଦ୍ର (hard core) ଉପରେ ପ୍ରତିଷ୍ଠିତ ହୋଇଛି । ପ୍ରତ୍ୟେକ କାର୍ଯ୍ୟକ୍ରମର ସତ୍ୟତା ପ୍ରତି ଆଞ୍ଚ ନଲାଗିବା ଉଦ୍ଦେଶ୍ୟରେ ସହାୟକ ପ୍ରକଳ୍ପଗୁଡ଼ିକ ଜରିଆରେ ତା ଚତୁର୍ଦ୍ଦିଗରେ ଗୋଟିଏ ‘ରକ୍ଷା-ବଳୟ’ (protective belt) ଘେରାଇ ଦିଆଯାଇଛି । ପ୍ରତ୍ୟେକ କାର୍ଯ୍ୟକ୍ରମ ମଧ୍ୟ ଗୋଟିଏ ଶକ୍ତିଶାଳୀ ସମସ୍ୟା ସମାଧାନକାରୀ ମେସିନ୍‌ତୁଲ୍ୟ କ୍ରିୟାଶୀଳ ହେଉଛି । ପ୍ରତ୍ୟେକ କାର୍ଯ୍ୟକ୍ରମ ତାହାର ବିକାଶକାଳୀନ ବିଭିନ୍ନ ପର୍ଯ୍ୟାୟରେ ବହୁ ସମସ୍ୟାର ସମାଧାନ କରିବାକୁ ଅସମର୍ଥ ହୋଇଛି ଏବଂ ସମାଧାନକ୍ଷମ ହୋଇ ନ ଥିବା ବହୁ ଅସଙ୍ଗତିର ସମ୍ମୁଖୀନ ହୋଇଛି । ଏହି ଦୃଷ୍ଟି କୋଣରୁ ବିଚାର କଲେ ଜଣାପଡ଼ୁଛି ଯେ, ସବୁ ତତ୍ତ୍ୱ ଅପ୍ରମାଣିତ ଭାବରେ ସୃଷ୍ଟିଲାଭ କରୁଛି ଏବଂ ଅପ୍ରମାଣିତ ଭାବରେ ମଧ୍ୟ ସେଗୁଡ଼ିକର ବିଲୟ ଘଟୁଛି । ମାତ୍ର ସବୁ ତତ୍ତ୍ୱଗୁଡ଼ିକ କ’ଣ ଗୁଣାତ୍ମକ ଦୃଷ୍ଟିରୁ ଏକା-ଭଳି ଉତ୍କୃଷ୍ଟ ହୋଇଛନ୍ତି ? ଏ ପର୍ଯ୍ୟନ୍ତ ଆମେ କେବଳ ଗବେଷଣାତ୍ମକ କାର୍ଯ୍ୟକ୍ରମ ବା (research programme)ର ଅର୍ଥ ବା ରୂପରେଖ ସମ୍ବନ୍ଧରେ ଆଲୋଚନା କରୁଥିଲୁ । ବର୍ତ୍ତମାନ ଆମେ ବିଚାର କରିବା ଯେ, ଗବେଷଣାତ୍ମକ କାର୍ଯ୍ୟକ୍ରମ ଭଳି ଚିନ୍ତାଧାରାର ଆଶ୍ରୟ ନେବା ଦ୍ଵାରା କିପରି ଭାବରେ ବୈଜ୍ଞାନିକ ବା ପ୍ରଗତିଶୀଳ କାର୍ଯ୍ୟକ୍ରମଗୁଡ଼ିକୁ କୂଟ-ବୈଜ୍ଞାନିକ ବା ଅବକ୍ଷୟମାନ କାର୍ଯ୍ୟକ୍ରମଗୁଡ଼ିକଠାରୁ ପୃଥକ୍ ଭାବରେ ଚିହ୍ନଟ କରିହେବ ।

 

ଏଠାରେ ଆମେ ପପ୍‌ପର୍‌ଙ୍କ ପରମ୍ପରାକୁ ଗ୍ରହଣ କରିପାରିବା ନାହିଁ । ଆମେ ଯଦି ବିଚାରିବା ଯେ, କେତେକ ବୈଜ୍ଞାନିକ ତତ୍ତ୍ୱ ମିଥ୍ୟା ପ୍ରମାଣିତ ହୋଇଗଲାଣି ଏବଂ ଆଉ କେତେକ ତତ୍ତ୍ୱ ଅଦ୍ୟାବଧି ମିଥ୍ୟା ପ୍ରମାଣିତ ହୋଇନାହିଁ, ତାହାହେଲେ ‘ବୈଜ୍ଞାନିକ କାର୍ଯ୍ୟକ୍ରମ’ ଶୀର୍ଷକ ଚିନ୍ତାଧାରା ଅବଲମ୍ଵନରେ ଅସଲ ସମସ୍ୟାଟିର ସମାଧାନ ହୋଇ ପାରିବାର ଅବକାଶ ନାହିଁ । ନିଉଟନ ଯେତେବେଳେ ସ୍ୱପ୍ରଣୀତ ପ୍ରିନ୍‌ସିପିଆ ନାମକ ଗ୍ରନ୍ଥଟିକୁ ପ୍ରକାଶ କଲେ, ସେତେବେଳକୁ ସମସ୍ତେ ଜାଣିଥିଲେ ଯେ, ତାଙ୍କଦ୍ୱାରା ପ୍ରତିଷ୍ଠିତ ଯାନ୍ତ୍ରିକୀ ଅବଲମ୍ଵନରେ ଚନ୍ଦ୍ରର ଗତିଶୀଳତାକୁ ମଧ୍ୟ ଠିକଣା ଭାବରେ ବୁଝାଇ ହେବନାହିଁ । ପ୍ରକୃତପକ୍ଷେ ଚନ୍ଦ୍ରର ଗତିବିଧି ନିଉଟନୀୟ ଯାନ୍ତ୍ରିକୀର ଅଳୀକତା ପ୍ରତିପାଦନ କରିଥିଲା । ଯେଉଁ ଶୁଭ ସମ୍ବତ୍ସରରେ ଆଇନଷ୍ଟାଇନଙ୍କ ଯୁଗାନ୍ତକାରୀ ଆପେକ୍ଷିକ ତତ୍ତ୍ୱ ଜର୍ମାନୀ ଦେଶର ଗୋଟିଏ ବିଜ୍ଞାନ-ପତ୍ରିକାରେ ପ୍ରକାଶିତ ହେଲା, ଠିକ୍ ସେହି ବର୍ଷ କାଉଫ୍‌ମାନ୍‌ ନାମକ ଜନୈକ ପ୍ରବୀଣ ପଦାର୍ଥବିଜ୍ଞାନୀ ଏହି ତତ୍ତ୍ୱକୁ ମିଥ୍ୟା ପ୍ରମାଣିତ କରିବାକୁ ଯତ୍ନବାନ୍ ହୋଇଥିଲେ । ମାତ୍ର ଏହି ଆଲୋଚନାରେ ଯେଉଁ ଗବେଷଣାତ୍ମକ କାର୍ଯ୍ୟକ୍ରମଗୁଡ଼ିକୁ ଦୃଷ୍ଟାନ୍ତ ସ୍ୱରୂପ ବିଚାରର ଅନ୍ତର୍ଭୁକ୍ତ କରାଯାଉଛି, ସେଗୁଡ଼ିକଠାରେ ଗୋଟିଏ ଲକ୍ଷଣ ସାଧାରଣ ଭାବରେ ବାରି ହେଉଛି । ସେଗୁଡ଼ିକ ପ୍ରତ୍ୟେକ ନୂଆ ନୂଆ ଘଟଣା ବା ଦୃଶ୍ୟ ସମ୍ପର୍କରେ ପ୍ରାକ୍‌-ସୂଚନା ଯୋଗାଇ ପାରୁଛନ୍ତି । ଯେଉଁ ଘଟଣା ବା ଦୃଶ୍ୟ ସମ୍ପର୍କରେ ମନୁଷ୍ୟ ପୂର୍ବରୁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା, କିମ୍ବା ଯେଉଁ ଘଟଣା ବା ଦୃଶ୍ୟଗୁଡ଼ିକ ଅତୀତର ବା ସମସାମୟିକ ଗବେଷଣାତ୍ମକ କାର୍ଯ୍ୟକ୍ରମଗୁଡ଼ିକ ଜରିଆରେ ଅସମ୍ଭାବ୍ୟ ରୂପେ ଚିତ୍ରଣ କରାଯାଇଥିଲା, ସେଗୁଡ଼ିକର ବାସ୍ତବ ସଂଘଟନ ସମ୍ପର୍କରେ ଏପରି ଗବେଷଣାତ୍ମକ କାର୍ଯ୍ୟକ୍ରମଗୁଡ଼ିକ ସ୍ପଷ୍ଟ ପ୍ରାକ୍‌ସୂଚନା ଯୋଗାଇ ପାରୁଛନ୍ତି । ନିଉଟନ୍‌ଙ୍କ ମହାକର୍ଷଣୀୟ ତତ୍ତ୍ୱ ୧୬୮୬ ମସିହାରେ ପ୍ରକାଶିତ ହେବା ବେଳକୁ କମେଟ୍‌ ବା ଧୂମକେତୁର ସୃଷ୍ଟି ଓ ଗତିଶୀଳତା ସମ୍ପର୍କରେ ଦୁଇଟି ତତ୍ତ୍ୱ ସମକାଳୀନ ଭାବରେ ପ୍ରସାରିତ ହେଉଥିଲା । ତନ୍ମଧ୍ୟରୁ ସର୍ବାପେକ୍ଷା ଜନପ୍ରିୟ ତତ୍ତ୍ୱଟି ଜଣାଇ ଦେଇଥିଲା ଯେ, ସୃଷ୍ଟିକର୍ତ୍ତା ପରମେଶ୍ଵର ଧୂମକେତୁ ରୂପୀ ଅଶୁଭ ସଙ୍କେତ ଜରିଆରେ ମନୁଷ୍ୟକୁ ସମୟୋଚିତ ଚେତାବନୀ ଶୁଣାଉଛନ୍ତି । ଧୂମକେତୁର ଆବିର୍ଭାବ ଜଣାଇ ଦେଉଛି ଯେ, ଈଶ୍ୱର ଅସନ୍ତୁଷ୍ଟ ହୋଇଛନ୍ତି ଏବଂ ସେ କ୍ରୋଧ ପରବଶ ହୋଇ ନିକଟ ଭବିଷ୍ୟତରେ ବହୁବିଧ ପ୍ରାକୃତିକ ଦୁର୍ବିପାକ ସୃଷ୍ଟି କରିବେ । ଅନ୍ୟ ଯେଉଁ ତତ୍ତ୍ୱଟି ବିଶେଷ ଜନପ୍ରିୟ ହୋଇଥିଲା ତାହାର ପ୍ରତିଷ୍ଠାତା ହେଉଛନ୍ତି ସ୍ୱନାମଧନ୍ୟ ଜ୍ୟୋତିର୍ବିଜ୍ଞାନୀ କେପ୍‌ଲର । କେପ୍‌ଲର ଘୋଷଣା କରିଥିଲେ ଯେ, ଧୂମକେତୁ ଗୋଟିଏ ନୈସର୍ଗିକ ବସ୍ତୁପିଣ୍ଡ ଏବଂ ଏହା ସରଳରୈଖିକ ମାର୍ଗରେ ଗତିକରେ । ନବପ୍ରସାରିତ ନିଉଟନଙ୍କ ମହାକର୍ଷଣୀୟ ତତ୍ତ୍ୱାନୁଯାୟୀ ଯେଉଁ ଧୂମକେତୁଗୁଡ଼ିକ ଥରେ ଦେଖାଦେବା ପରେ ଆଉ ପାର୍ଥିବ ଆକାଶରେ ପ୍ରତିଭାତ ହୁଅନ୍ତି ନାହିଁ, ସେଗୁଡ଼ିକ ପାରାବୋଲା ବା ହାଇପର୍‌ବୋଲା ଭଳି ଜ୍ୟାମିତିକ କକ୍ଷରେ ଗତିଶୀଳ ହୁଅନ୍ତି; ମାତ୍ର ଯେଉଁ ଧୂମକେତୁଗୁଡ଼ିକ ନିର୍ଦ୍ଦିଷ୍ଟ ସମୟାନ୍ତରରେ ଥରକୁ ଥର ପାର୍ଥିବ ଆକାଶରେ ଦୃଶ୍ୟମାନ ହୁଅନ୍ତି, ସେଗୁଡ଼ିକ ଦୀର୍ଘ ବୃତ୍ତାକାର (elliptical) କକ୍ଷରେ ଗତିଶୀଳ ହୁଅନ୍ତି । ନିଉଟନୀୟ ଗବେଷଣାତ୍ମକ କାର୍ଯ୍ୟକ୍ରମ ସହିତ ଜଡ଼ିତ ହୋଇଥିବା ହାଲ୍ଲେ ନାମକ ଜନୈକ ସ୍ୱନାମଧନ୍ୟ ଜ୍ୟୋତିର୍ବିଜ୍ଞାନୀ ଗୋଟିଏ ନିର୍ଦ୍ଦିଷ୍ଟ ଧୂମକେତୁ ସମ୍ପର୍କୀୟ ପର୍ଯ୍ୟବେକ୍ଷଣ ନେବା ପରେ ତାହାର ଗତିବିଧି ସମ୍ପର୍କରେ ଗଣନା ଚଳାଇଲେ । ନିଉଟନୀୟ ଯାନ୍ତ୍ରିକୀର ସାହାଯ୍ୟ ନେଇ ସେ ଘୋଷଣା କଲେ ଯେ, ଏହି ଧୂମକେତୁଟି ଆଉ ୭୨ ବର୍ଷ ପରେ ପୁଣି ପାର୍ଥିବ ଆକାଶରେ ଦୃଶ୍ୟମାନ ହେବ । ସେ ସମୟର ମୂଲ୍ୟକୁ ମିନିଟ୍ ପରିମିତ ସଠିକତାର ସହ ନିରୂପଣ କରିବା ସଙ୍ଗେ ସଙ୍ଗେ ପୃଥିବୀର ଆକାଶରେ ଏହାର ଆଦ୍ୟ ଆବିର୍ଭାବକାଳୀନ ଅବସ୍ଥିତିକୁ ମଧ୍ୟ ସଠିକ ଭାବରେ ନିର୍ଣ୍ଣୟ କରିଥିଲେ । ତାଙ୍କ ଗଣନାର ସଠିକତା ପ୍ରତିପାଦନ କରିବା ପାଇଁ ଆଉ ୭୨ ବର୍ଷ ଅପେକ୍ଷା କରିବା ଅନିବାର୍ଯ୍ୟ ହେଲା । ସେହି ସୁଦୀର୍ଘ ସମୟାନ୍ତର ମଧ୍ୟରେ ଉଭୟ ନିଉଟନ ଓ ହାଲ୍ଲେ ଇହଧାମ ତ୍ୟାଗ କଲେ । ମାତ୍ର ଆଶ୍ଚର୍ଯ୍ୟର କଥା ଯେ, ହାଲ୍ଲେଙ୍କ ପ୍ରାକ୍‌ସୂଚନା ୭୨ ବର୍ଷ ପରେ ସତ୍ୟ ପ୍ରମାଣିତ ହେଲା ଏବଂ ହାଲ୍ଲେଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏହି ଧୂମକେତୁଟିକୁ ହାଲ୍ଲେ ଧୂମକେତୁ ନାମରେ ଅଭିହିତ କରାଗଲା । ଠିକ୍ ସେହିପରି, ନିଉଟନୀୟ ଯାନ୍ତ୍ରିକୀର ସାହାଯ୍ୟ ନେଇ କେତେକ ଜ୍ୟୋତିର୍ବିଜ୍ଞାନୀ ଜାଣିପାରିଲେ ଯେ, କେତୋଟି ଛୋଟ ଛୋଟ ଗ୍ରହ ସୌର ପରିବାରରେ ବିଦ୍ୟମାନ ହୋଇଛନ୍ତି । ସେମାନେ ଏହି ଅନାବିଷ୍କୃତ ଛୋଟ ଛୋଟ ଗ୍ରହଗୁଡ଼ିକର ଅବସ୍ଥିତି ଓ ଗତି ସମ୍ପର୍କରେ ପ୍ରାକ୍‌ସୂଚନା ଯୋଗାଇ ଦେଲେ । ଅଭିକ୍ରିୟାତ୍ମକ ଗବେଷଣାଦ୍ଵାରା ପରବର୍ତ୍ତୀ କାଳରେ ଏହି ପ୍ରାକ୍‌ସୂଚନାର ସତ୍ୟତା ପ୍ରତିପାଦିତ ହେଲା । ଆଇନଷ୍ଟାଇନୀୟ ଗବେଷଣାତ୍ମକ କାର୍ଯ୍ୟକ୍ରମରୁ ଗୋଟିଏ ଦୃଷ୍ଟାନ୍ତ ନିଆଯାଉ । ଏହି କାର୍ଯ୍ୟକ୍ରମ ଆମ୍ଭମାନଙ୍କୁ ଗୋଟିଏ ବିସ୍ମୟକର ଘଟଣା ସମ୍ପର୍କରେ ସଚେତନ କରାଇ ପାରିଲା । ଏହା ପ୍ରାକ୍‌ସୂଚନା ଯୋଗାଇ ପାରିଲା ଯେ, ଯଦି ଜଣେ କେହି ପର୍ଯ୍ୟବେକ୍ଷକ ରାତ୍ରି କାଳରେ ଦୁଇଟି ନକ୍ଷତ୍ର ମଧ୍ୟରେ ଦୂରତା ନିରୂପଣ କରନ୍ତି ଏବଂ ଯଦି ଦିବାକାଳରେ ସେହି ନକ୍ଷତ୍ର ମଧ୍ୟରେ ପୁନର୍ବାର ଦୂରତା ନିର୍ଣ୍ଣୟ କରାଯାଏ (ଅବଶ୍ୟ, ସୂର୍ଯ୍ୟପରାଗ ସମୟରେ ତାରକା ଦୁଇଟି ଦୃଶ୍ୟମାନ ହେବାଦ୍ଵାରା ଏପରି ମାପ ନିଆଯାଇପାରିବ ।) ତାହାହେଲେ ନିର୍ଣ୍ଣୀତ ଦୂରତା ଦୁଇଟି ପରସ୍ପରଠାରୁ ଭିନ୍ନହେବେ । ଆଇନ୍‍ଷ୍ଟାଇନଙ୍କ ଗବେଷଣାତ୍ମକ କାର୍ଯ୍ୟକ୍ରମ ସମ୍ପାଦିତ ହେବା ପୂର୍ବରୁ ଏପରି ମାପ ନେବା ସମ୍ପର୍କରେ କେହି ଚିନ୍ତା ସୁଦ୍ଧା କରିନଥିଲେ । ଏଣୁ ପ୍ରଗତିଶୀଳ କାର୍ଯ୍ୟକ୍ରମଗୁଡ଼ିକର (progressive programmes) ଗୋଟିଏ ଚାରିତ୍ରିକ ବୈଶିଷ୍ଟ୍ୟ ହେଉଛି ଯେ, ଏଗୁଡ଼ିକ ନୂଆ ନୂଆ ତଥ୍ୟ ବା ଘଟଣାଗୁଡ଼ିକର ଆବିଷ୍କାର ସମ୍ବନ୍ଧରେ ସଠିକ୍ ପ୍ରାକ୍‌ସୂଚନା ଯୋଗାଇ ପାରନ୍ତି-। ଯେଉଁ ଗବେଷଣାତ୍ମକ କାର୍ଯ୍ୟକ୍ରମଗୁଡ଼ିକ ଜରିଆରେ କେବଳ ଜ୍ଞାତ ତଥ୍ୟରାଜି ବା ଘଟଣାଗୁଡ଼ିକୁ ବୁଝାଇଦେବା ପାଇଁ କୌଣସି ପ୍ରକାରେ ତତ୍ତ୍ୱ ପ୍ରତିଷ୍ଠା କରାଯାଏ ଏବଂ ଏତଦ୍ଦ୍ୱାରା କୌଣସି ଅଭିନବ ତଥ୍ୟ ବା ଘଟଣା ଆବିଷ୍କାର କରାଯିବା ପାଇଁ କୌଣସି ପ୍ରାକ୍‌ସୂଚନା ଯୋଗାଇ ଦିଆନଯାଏ, ସେଗୁଡ଼ିକ ଅବକ୍ଷୟମାନ କାର୍ଯ୍ୟକ୍ରମ (degenerating programmes) ନାମରେ ଅଭିହିତ କରାଯିବା ହିଁ ଯଥାର୍ଥ ବୋଧ ହେଉଛି । ଉଦାହରଣ ସ୍ୱରୂପ, ମାର୍କସବାଦ କୌଣସି ଘଟଣା ଘଟିବା ସମ୍ବନ୍ଧରେ ଠିକ୍ ଭାବରେ କୌଣସି ପ୍ରାକ୍‌ସୂଚନା ଯୋଗାଇ ପାରିନାହିଁ-। ଏହା ଯେଉଁ ପ୍ରାକ୍‌ସୂଚନା ଯୋଗାଇଛି, ସେଗୁଡ଼ିକ ବାସ୍ତବ କ୍ଷେତ୍ରରେ ସଂଘଟିତ ହୋଇନାହିଁ-। ଏହାର ପ୍ରାକ୍‌ସୂଚନା ଅନୁଯାୟୀ ଶ୍ରମଜୀବୀମାନଙ୍କ ଆର୍ଥିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ରୂପ ଧାରଣ କରିବ; ସାମ୍ୟବାଦୀ ବିପ୍ଳବ ସର୍ବପ୍ରଥମେ ସର୍ବାପେକ୍ଷା ଅଧିକ ଶିଳ୍ପୋନ୍ନତି ରାଷ୍ଟ୍ରରେ ହିଁ ସଂଘଟିତ ହେବ; ସାମ୍ୟବାଦୀ ସମାଜଗୁଡ଼ିକରେ ଆଉ ବିପ୍ଳବ ଘଟିବ ନାହିଁ ଏବଂ ସାମ୍ୟବାଦୀ ରାଷ୍ଟ୍ରଗୁଡ଼ିକ ନ୍ୟସ୍ତସ୍ୱାର୍ଥ ଦୃଷ୍ଟିରୁ ବାଦ ବିବାଦର ସମ୍ମୁଖୀନ ହେବାର ସମ୍ଭାବନା ନାହିଁ । ମାର୍କସବାଦର ଆଦ୍ୟକାଳୀନ ପ୍ରାକ୍‌ସୂଚନାଗୁଡ଼ିକ ଏକାନ୍ତ ବିସ୍ମୟକର ହୋଇଥିଲା; ମାତ୍ର ଏଗୁଡ଼ିକର ସତ୍ୟତା ପ୍ରତିପାଦନ ସମ୍ଭବ ହେଲା ନାହିଁ । ଏହି ପ୍ରାକ୍‌ସୂଚନାଗୁଡ଼ିକର ଅଳୀକତା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଯିବା ପରେ ହିଁ ମାର୍କସବାଦର ଅନୁଗାମୀମାନେ ଏହାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ବିଭିନ୍ନ ପ୍ରକାର ସ୍ପଷ୍ଟୀକରଣ ଯୋଗାଇ ଦେବାକୁ ଠିକ୍ କଲେ । ସମାଜବାଦ ତଥା ପୁଞ୍ଜିବାଦ ସମ୍ପର୍କରେ ଗୋଟିଏ ତତ୍ତ୍ୱ ପ୍ରତିଷ୍ଠା କରିବା ପୂର୍ବକ ସେମାନେ ଦର୍ଶାଇ ଦେଲେ ଯେ ଶ୍ରମଜୀବୀମାନଙ୍କ ଜୀବନ ଧାରଣର ମାନରେ କାହିଁକି କ୍ରମୋନ୍ନତି ଘଟୁଛି । ଋଷିଆ ଭଳି ଏକ ଅନୁନ୍ନତ ରାଷ୍ଟ୍ରରେ ପ୍ରଥମେ ସାମ୍ୟବାଦୀ ବିପ୍ଳବ ସଂଘଟିତ ହେବାର କାରଣ ସମ୍ପର୍କରେ ମଧ୍ୟ ସେମାନେ ସ୍ପଷ୍ଟୀକରଣ ଯୋଗାଇଦେଲେ । ୧୯୫୩, ୧୯୫୬, ଓ ୧୯୬୮ ମସିହାରେ ଯଥାକ୍ରମେ ବର୍ଲିନ, ବୁଦାପେଷ୍ଟ ଓ ପ୍ରେଗରେ ସଂଘଟିତ ଘଟଣାଗୁଡ଼ିକ ସମ୍ପର୍କରେ ସେମାନେ ସ୍ପଷ୍ଟୀକରଣ ଯୋଗାଇଦେଲେ । ଋଷିଆ ଓ ଚୀନ ମଧ୍ୟରେ ଉପୁଜୁଥିବା ମତଭେଦ ସମ୍ପର୍କରେ ମଧ୍ୟ ସେମାନେ ସ୍ପଷ୍ଟୀକରଣ ପରିବେଷଣ କଲେ । ମାତ୍ର ଏଠାରେ ତାତ୍ପର୍ଯ୍ୟପୂର୍ଣ୍ଣ ତଥା ଲକ୍ଷ୍ୟଣୀୟ ବିଷୟ ହେଉଛି ଯେ, ଘଟଣା-ଗୁଡ଼ିକ ସଂଘଟିତ ହେବା ପରେ ହିଁ ସହାୟକ ପ୍ରକଳ୍ପଗୁଡ଼ିକୁ ସ୍ପଷ୍ଟ କରାଯାଉଛି । ଉଦ୍ଭାଚିତ ସ୍ପଷ୍ଟୀକରଣ ପ୍ରଦାନକାରୀ ସହାୟକ ପ୍ରକଳ୍ପଗୁଡ଼ିକୁ ତଥ୍ୟାନୁବର୍ତ୍ତୀ ହୋଇଛି-। ନିଉଟନୀୟ ବା ଆଇନଷ୍ଟାଇନ କାର୍ଯ୍ୟକ୍ରମଗୁଡ଼ିକୁ ନୂଆ ନୂଆ ଘଟଣା ବା ତଥ୍ୟ ସମ୍ପର୍କରେ ସଠିକ ପ୍ରାକ୍‌ସୂଚନା ଯୋଗାଇ ପାରିଥିବା ସ୍ଥଳେ ମାର୍କସ୍‌ବାଦ ଘଟି-ଯାଇଥିବା ଘଟଣାଗୁଡ଼ିକର ପଛରେ ପଡ଼ିଯାଇଛି । ଘଟଣାଗୁଡ଼ିକ ସହିତ ତାତ୍ତ୍ୱିକ ବା ଭାଗବତ ସଙ୍ଗତ ପ୍ରତିଷ୍ଠା କରିବା ପାଇଁ ମାର୍କସ୍‌ବାଦର ଅନୁଗାମୀମାନେ ନୂଆ ନୂଆ ତତ୍ତ୍ୱ ପ୍ରତିଷ୍ଠା କରିବାକୁ ମନ ବଳାଉଛନ୍ତି-

 

ପପ୍‌ପରଙ୍କ ମତାନୁଯାୟୀ ସତ୍ୟାପନକ୍ଷମ ପ୍ରାକ୍‌ସୂଚନା ହିଁ ଅନୁଭବିକ ତଥା ପ୍ରଗତିଶୀଳ (empirical progress) ବିଜ୍ଞାନର ମାପକାଠି । ମାତ୍ର ବାସ୍ତବରେ ଏହା ଠିକ୍ ନୁହେଁ । ଅବଶ୍ୟ, ବାରମ୍ବାର ଉପରକୁ ଯେତେ ଅଧିକ ଜୋରରେ ଟେକା ଫୋପାଡ଼ିଲେ ମଧ୍ୟ ତାହା ଭୂପୃଷ୍ଠକୁ ଖସି ପଡ଼ୁଛି । ମାତ୍ର କେବଳ ଏପରି ପ୍ରାମାଣିକ ତଥ୍ୟ ଯୋଗୁଁ ନିଉଟନୀୟ ଯାନ୍ତ୍ରିକୀର ସାଫଲ୍ୟ ବା ମହନୀୟତା ପ୍ରକଟିତ ହେଉନାହିଁ । ତଥାକଥିତ ମିଥ୍ୟାକରଣ (refutatin)ବଳରେ କୌଣସି ତତ୍ତ୍ୱକୁ ସହସା ପୂରାପୂରି ପ୍ରତ୍ୟାଖ୍ୟାନ କରିବା ସମ୍ଭବ ନୁହେଁ । କାରଣ ସବୁ ଗବେଷଣାତ୍ମକ କାର୍ଯ୍ୟକ୍ରମ ଗୁଡ଼ିକର କ୍ରମବିକାଶ ନିରବଚ୍ଛିନ୍ନ ଭାବରେ ଅସଙ୍ଗତିଗୁଡ଼ିକୁ ମଧ୍ୟରେ ହିଁ ସଂଘଟିତ ହୁଏ । ଆମେ କେବଳ ନାଟକୀୟ, ଅପ୍ରତ୍ୟାଶିତ ବା ବିସ୍ମୟୋଦ୍ଦୀପକ ମାର୍ଗରେ ମିଳୁଥିବା ପ୍ରାକ୍‌ସୂଚନାଗୁଡ଼ିକୁ ହିଁ ବିଚାର କରୁ । ଏପରି ମୁଷ୍ଟିମେୟ ପ୍ରାକ୍‌ସୂଚନାଗୁଡ଼ିକୁ ହିଁ ଗୋଟିଏ ଗବେଷଣାତ୍ମକ କାର୍ଯ୍ୟକ୍ରମର ଗୁଣାତ୍ମକ ଉତ୍କର୍ଷ ପ୍ରତିପାଦନ କରିପାରେ । ଯେଉଁ କ୍ଷେତ୍ରରେ ତତ୍ତ୍ୱ ତଥ୍ୟନୁବର୍ତ୍ତୀ ହୁଏ,ସେପରି କାର୍ଯ୍ୟକ୍ରମକୁ ଅବକ୍ଷୟମାନ କାର୍ଯ୍ୟକ୍ରମ ରୂପେ ବିଚାର କରାଯାଏ । ମାତ୍ର ଯେଉଁ କ୍ଷେତ୍ରରେ ତତ୍ତ୍ୱ ଅଭିନବ ତଥ୍ୟ ସମ୍ପର୍କରେ ପ୍ରାକ୍‌ସୂଚନା ଯୋଗାଇପାରେ, ସେପରି କାର୍ଯ୍ୟକ୍ରମ ପ୍ରଗତିଶୀଳ ରୂପ ଧାରଣ କରେ ।

 

ବୈଜ୍ଞାନିକ କାର୍ଯ୍ୟକ୍ରମ ଭିତ୍ତିକ ଚିନ୍ତାଧାରାକୁ ଆଶ୍ରୟକରି ଉଲ୍ଲିଖିତ ପ୍ରକାରେ ଯେପରି ଆଲୋଚ୍ୟ ସମସ୍ୟାର ସମାଧାନ କରାଗଲା, ତାହା ଆମ୍ଭମାନଙ୍କୁ କୁହନ୍‍ଦ୍ଦଦ୍ଵାରା ସୂଚିତ ବୈଜ୍ଞାନିକ ବିପ୍ଳବଗୁଡ଼ିକର କାରଣ ସମ୍ପର୍କରେ କୌଣସି ଧାରଣା ଯୋଗାଇ ପାରୁଛି କି ? ଏ ପ୍ରଶ୍ନର ଉତ୍ତର ଦେବା କଷ୍ଟକର ନୁହେଁ । ଯଦି କୌଣସି ଏକ ସମୟରେ ଦୁଇଟି ଗବେଷଣାତ୍ମକ କାର୍ଯ୍ୟକ୍ରମ ବୈଜ୍ଞାନିକମାନଙ୍କ ଦୃଷ୍ଟି ଆକର୍ଷଣ କରେ ଏବଂ ତନ୍ମଧ୍ୟରୁ ଗୋଟିଏ ପ୍ରଗତିଶୀଳ ରୂପ ଧାରଣା କରିବା ସ୍ଥଳେ ଅନ୍ୟଟି ଅବକ୍ଷେୟମାନ ରୂପ ଧାରଣ କରେ, ତାହାହେଲେ ମୋଟ ଗବେଷକମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଗତିଶୀଳ କାର୍ଯ୍ୟକ୍ରମର ଅନୁଗାମୀ ହେବାକୁ ନିଶ୍ଚିତ ଭାବରେ ସ୍ପୃହଣୀୟ ମଣିବେ । ଅଧିକାଂଶ ବୈଜ୍ଞାନିକ ସର୍ବସମ୍ମତ ମାର୍ଗରେ ଗୋଟିଏ ଗବେଷଣାତ୍ମକ କାର୍ଯ୍ୟକ୍ରମର ତ୍ଵରାନ୍ଵିତ ବିକାଶ ଘଟାଇବା ଦ୍ଵାରା ନିଶ୍ଚିତ ଭାବରେ ଗୋଟିଏ ବିପ୍ଳବ ସଂଘଟିତ ହେବ । ବୈଜ୍ଞାନିକ ବିପ୍ଳବର ସଂଘଟନ ପାଇଁ ଏହାକୁ ହିଁ ଏକ ତର୍କସଙ୍ଗତ କାରଣ ରୂପେ ଉପସ୍ଥାପନା କରିବା ସମୀଚୀନ ବୋଧହେଉଛି । ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କିଛି ଗୋପନୀୟ ରଖିବା ବୌଦ୍ଧିକ ସାଧୁତାର ପରିଚାୟକ ନୁହେଁ । ଏଣୁ ଗୋଟିଏ ଅବକ୍ଷୟମାନ କାର୍ଯ୍ୟକ୍ରମ ସହିତ ଖୋଳାଖୋଲି ଭାବରେ ସମ୍ପୃକ୍ତ ହେବାକୁ ଅମର୍ଯ୍ୟଦା ସୂଚକ କ୍ରୀୟାଶୀଳତା ରୂପେ ବିଚାରିବାର ଅବକାଶ ନାହିଁ । କାରଣ, କେବଳ ବୌଦ୍ଧିକ ଶ୍ରମ ବିନିମୟରେ ହିଁ ଗୋଟିଏ ପ୍ରଗତିଶୀଳ କାର୍ଯ୍ୟକ୍ରମରେ ପରିଣତ କରାଯାଇପାରେ

 

ପପ୍‌ପର୍‌ ଯେପରି ଭାବରେ ସହସା ଗୋଟିଏ ତତ୍ତ୍ୱକୁ ପ୍ରତ୍ୟାଖ୍ୟାନ ବା ଗ୍ରହଣ ଯୋଗ୍ୟ କରାଯିବା ସମ୍ପର୍କରେ ମିଥ୍ୟାକରଣକ୍ଷମ ପ୍ରାକ୍‌ସୂଚନା ସମ୍ବଳିତ ସର୍ତ୍ତ ଉପସ୍ଥାପନା କରିଛନ୍ତି, ଇମ୍ରେ ଲାକାଟସ ତାହାକୁ ଅସ୍ଵୀକାର କରିଛନ୍ତି । ବୈଜ୍ଞାନିକ ଗବେଷଣା କାର୍ଯ୍ୟକ୍ରମରୂପୀ ଚିନ୍ତାଧାରା ଅବଲମ୍ୱନରେ ବିଚାର ଚଳାଇ ସେ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ, ସହସା ଗୋଟିଏ ତତ୍ତ୍ୱର ଯୁକ୍ତିଯୁକ୍ତତା ବା ତର୍କସିଦ୍ଧତା ସମ୍ପର୍କୀୟ ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବ ନୁହେଁ । ନବ ପଲ୍ଲବିତ ଗବେଷଣା କାର୍ଯ୍ୟକ୍ରମଗୁଡ଼ିକ ପ୍ରତି କୋହଳ ନୀତି ଅବଲମ୍ୱନ କରାଯିବା ହିଁ ବାଞ୍ଛନୀୟ । ଗୋଟିଏ ଗୋଟିଏ କାର୍ଯ୍ୟକ୍ରମର ମହନୀୟତା ବା ସତ୍ୟତା ପ୍ରତିପାଦନ କରିବା ପାଇଁ ଯୁଗ ଯୁଗ ବିତିଯିବାର ଦୃଷ୍ଟାନ୍ତ ବିରଳ ନୁହେଁ । ଏପରି ଦୀର୍ଘକାଳବ୍ୟାପୀ ବୌଦ୍ଧିକ ସଂଗ୍ରାମ ଚଳାଇବା ପରେ ଗୋଟିଏ ଗବେଷଣା କାର୍ଯ୍ୟକ୍ରମ ଅନୁଭବିକ ବା ଲକ୍ଷ୍ୟଣୀୟ ମାର୍ଗରେ ପ୍ରଗତିଶୀଳ ରୂପ ପ୍ରଦର୍ଶନ କରିପାରେ । ପପ୍‌ପରୀୟ ସହସା ମିଥ୍ୟାକରଣକ୍ଷମ ପ୍ରାକ୍‌ସୂଚନାଶ୍ରୟୀ ସର୍ତ୍ତ ଅବଲମ୍ୱନରେ ଗୋଟିଏ ତତ୍ତ୍ୱକୁ ହତ୍ୟା କରିବା ସୁସ୍ଥ ସମାଲୋଚନାର ପରିଚାୟକ ନୁହେଁ । ଲାକାଟସଙ୍କ ମତାନୁଯାୟୀ କୌଣସି ଗୋଟିଏ ତତ୍ତ୍ୱଠାରୁ ଅଧିକ ଗୁଣାତ୍ମକ ଉତ୍କର୍ଷସମ୍ପନ୍ନ ଆଉ ଗୋଟିଏ ତତ୍ତ୍ୱ ପ୍ରତିଷ୍ଠା କରାଯିବା ଯଦି ସମ୍ଭବ ହୋଇଥାଏ, ତାହାହେଲେ ହିଁ କେବଳ ଗୁଣାତ୍ମକ ଦୃଷ୍ଟିରୁ ନିକୃଷ୍ଟ ତତ୍ତ୍ୱଟିକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ । ପୁଣି କୁହନ ଯେପରି ଭାବରେ ସୂଚାଇଛନ୍ତି ଯେ, ବୈଜ୍ଞାନିକ ବିପ୍ଳବ ସହସା ସଂଘଟିତ ହୁଏ ଏବଂ ଭକ୍ତମାନେ ଧର୍ମ ବଦଳାଇ ଦିଅନ୍ତି, ତାହା ମଧ୍ୟ ଠିକ୍ ନୁହେଁ । ବିଜ୍ଞାନର ଇତିହାସ ପପ୍‌ପର୍‌ ଓ କୁହନଙ୍କ ମତକୁ ସମର୍ଥନ କରୁ ନାହିଁ । ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ଓ ଅନୁଶୀଳନ ଚଳାଇବା ଦ୍ଵାରା ଜଣାପଡ଼ୁଛି ଯେ, ପପ୍‌ପର୍‌ଙ୍କ ନିର୍ଣ୍ଣାୟକ ଅଭିକ୍ରିୟା ଓ କୁହନଙ୍କ ବିପ୍ଳବ କେବଳ ମିଥ୍ ଭିନ୍ନ ଅନ୍ୟ କିଛି ନୁହେଁ । ସାଧାରଣତଃ ଗୋଟିଏ ଅବକ୍ଷୟମାନ କାର୍ଯ୍ୟକ୍ରମକୁ ଗୋଟିଏ ପ୍ରଗତିଶୀଳ କାର୍ଯ୍ୟକ୍ରମ ଦ୍ଵାରା ସ୍ଥାନଚ୍ୟୁତ କରାଇବା ଯୋଗୁଁ ହିଁ ବିଜ୍ଞାନର କ୍ରମସମୃଦ୍ଧି ସାଧିତ ହେଉଛି ।

 

କୌଣସି ପ୍ରକାର ସମାଲୋଚନା ଚଳାଇବା ପୂର୍ବରୁ ବିଜ୍ଞାନ ଓ କୂଟ-ବିଜ୍ଞାନ ମଧ୍ୟରେ ପ୍ରଭେଦ ନିର୍ଣ୍ଣୟରୂପୀ ସମସ୍ୟାଟିକୁ ଭଲ ଭାବରେ ବିଚାର କରିବା ଏକାନ୍ତ ବାଞ୍ଛନୀୟ; କାରଣ ବ୍ୟାବହାରିକ କ୍ଷେତ୍ରରେ ଏହାର ଗୁରୁତ୍ୱ ଯଥେଷ୍ଟ ବେଶି । ଅପରିଣାମଦର୍ଶୀ ବିଚାର ଓ ତଦାଶ୍ରୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅତୀତରେ ବିଜ୍ଞାନର ପ୍ରଗତିର ହାର ମନ୍ଥର ହୋଇଛି ଏବଂ ସମ୍ପୃକ୍ତ ବୈଜ୍ଞାନିକ ତଥା ଜନସାଧାରଣଙ୍କ ପ୍ରତି ଏହା ଅଶେଷ କ୍ଷତିକାରକ ହୋଇଛି । କୋପେରନିକସଙ୍କ ସୌରକେନ୍ଦ୍ରିକ ତତ୍ତ୍ୱଟିର ପ୍ରସାର ବିରୋଧରେ କାଥୋଲିକ୍ ଚର୍ଚ୍ଚ ୧୬୧୬ ମସିହାରେ ଦୃଢ଼ ନିଷେଧାଜ୍ଞା ଜାରିକଲେ । ତତ୍‌କାଳୀନ ପରିସ୍ଥିତିରେ ଏହା ଏକ କୂଟ-ବୈଜ୍ଞାନିକ ଚିନ୍ତାଧାରା ରୂପେ ଅପବାଦିତ ହୋଇଥିଲା । ମାତ୍ର ୧୮୨୦ ମସିହାରେ ସେହି ଚର୍ଚ୍ଚର ବଡ଼ପଣ୍ଡାମାନେ କୋପେରିନିକସୀୟ ମତ ସପକ୍ଷରେ ପ୍ରଭୂତ ପ୍ରମାଣ ଥିବାର ଜାଣିପାରି ତାହାର ପ୍ରସାର ବିରୋଧରେ ଜାରି କରାଯାଇଥିବା ନିଷେଧାଜ୍ଞାକୁ ପ୍ରତ୍ୟାହାର କରି ନେଲେ । ୧୯୪୯ ମସିହାରେ ସୋଭିଏଟ ଋଷିଆର କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ କମିଟି ମେଣ୍ଡେଲୀୟ ଅନୁବାଦିକାକୁ (Mendelian Genetics) ଏକ କୂଟ ବୈଜ୍ଞାନିକ ଧାରଣା ରୂପେ ଚିତ୍ରଣ କଲେ । ଏହି ତତ୍ତ୍ୱ ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରୁଥିବା ଭାଲିଲଭ୍ ନାମକ ଜନୈକ ପ୍ରବୀଣ ବୈଜ୍ଞାନିକଙ୍କୁ ସେଣ୍ଟ୍ରାଲ କମିଟିର କଡ଼ା ନିର୍ଦ୍ଦେଶାନୁକ୍ରମେ କନସେନଟ୍ରେସନ କ୍ୟାମ୍ପରେ ନିର୍ମମ ଭାବରେ ହତ୍ୟା କରାଗଲା । ମର୍ମନ୍ତୁକ ଭାବରେ ଭାଲିଲଭଙ୍କର ମହାପ୍ରୟାଣ ଘଟିବାର କିଛି ବର୍ଷ ପରେ ସେହି କମ୍ୟୁନିଷ୍ଟ ପାର୍ଟିର ତୁଙ୍ଗ କର୍ଣ୍ଣଧାରମାନେ ପୁଣି ମେଣ୍ଡେଲୀୟ ଅନୁବଂଶିକ ସମ୍ପର୍କୀୟ ଗବେଷଣା ଚଳାଇବାକୁ ଅନୁମତି ଦେଲେ । କାହାକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରାଯିବ ଓ କେଉଁ ପ୍ରକାର ଗବେଷଣାଶ୍ରୟୀ ଅନ୍ଦର୍ଭଗୁଡ଼ିକର ପ୍ରକାଶନ ପାଇଁ ଅନୁମତି ଦିଆଯିବ ? ସୋଭିଏତ୍‌ ଋଷିଆର କମ୍ୟୁନିଷ୍ଟ ପାର୍ଟିର ତୁଙ୍ଗ କର୍ମକର୍ତ୍ତାମାନେ ଏ ପ୍ରଶ୍ନଟିର ନିଷ୍ପତ୍ତିମୂଳକ ଉତ୍ତର ଯୋଗାଇ ଦେଉଛନ୍ତି । ପାର୍ଟି ତରଫରୁ ନିଷେଧାଜ୍ଞା ଜାରି କରାଯାଇଥିବା ବିଷୟ ସମ୍ପର୍କରେ ଗବେଷଣା ଚଳାଇବା ଦ୍ଵାରା କଠୋର ଦଣ୍ଡବିଧାନ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉଛି । ସମ୍ପ୍ରତି ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଅବଶ୍ୟ ଉଦାର ରାଷ୍ଟ୍ରନୀତି କାର୍ଯ୍ୟକାରୀ ହେଉଛି । ମାତ୍ର ଖୋଲାଖୋଲି ଭାବରେ ସ୍ଵକୀୟ ଗବେଷଣାର ଫଳ ଘୋଷଣା କରିବା ପାଇଁ ଗବେଷକମାନଙ୍କୁ ଅବାରିକ ସ୍ଵାଧୀନତା ମିଳୁନାହିଁ । ଉଦାହରଣ ସ୍ୱରୂପ ଜାତି ଓ ବୌଦ୍ଧିକତା (race and intelligence) ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା ଶୀର୍ଷକ ବିବାଦୀୟ ସମସ୍ୟା ସମ୍ବନ୍ଧରେ ମୁକ୍ତ ଭାବରେ କେହି ମତ ବ୍ୟକ୍ତ କରିବା ସମ୍ଭବ ହେଉନାହିଁ । ଉଭୟ କମ୍ୟୁନିଷ୍ଟ ରାଷ୍ଟ୍ର ଓ ପୁଞ୍ଜିବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଅଦ୍ୟାବଧି ବିଜ୍ଞାନ ଓ କୂଟବିଜ୍ଞାନ ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ କରିବା ବ୍ୟାପାରଟିକୁ ଠିକଣା ଭାବରେ ପରିଚାଳନା କରିବା ପାଇଁ କୌଣସି ସୁସଂହତ ନୀତି କାର୍ଯ୍ୟକାରୀ ହେଉନାହିଁ । ବିଜ୍ଞାନଜଗତର ଦାର୍ଶନିକମାନେ ଏବେ ମଧ୍ୟ ପପ୍‌ପର୍‌, କୁହନ ଓ ଲକାଟସ୍‍ଙ୍କ ଭଳି ଏହି ସମସ୍ୟାଟିର ସମାଧାନ ଦିଗରେ ମସ୍ତିଷ୍କ ଚାଳନା କରୁଛନ୍ତି । ଆଶା କରାଯାଉଛି ଯେ, ପ୍ରବୀଣ ଦାର୍ଶନିକମାନଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ଯୋଗୁଁ କାଳକ୍ରମେ ବିଜ୍ଞାନ ଓ କୂଟ-ବିଜ୍ଞାନ ମଧ୍ୟରେ ପ୍ରଭେଦ ନିର୍ଣ୍ଣୟକାରୀ ଲକ୍ଷଣଗୁଡ଼ିକୁ ଅଧିକରୁ ସ୍ପଷ୍ଟ ଭାବରେ ନିର୍ଣ୍ଣୟ କରିବା ସମ୍ଭବ ହୋଇପାରିବ ।

 

ଏ ସମସ୍ୟା ଏକ ବୌଦ୍ଧିକ ବିଳାସ ରୂପେ ଏକ କୂଟ-ସମସ୍ୟା (pseudo-problem) ରୂପେ ହେୟଜ୍ଞାନ କରିବା ଆଦୌ ବିଜ୍ଞତାର ପରିଚାୟକ ନୁହେଁ । ବିଜ୍ଞାନାଶ୍ରୟୀ ସଭ୍ୟତାର ଉତ୍ତରୋତ୍ତର କ୍ରମବିକାଶ ଏହା ସହିତ ଘନିଷ୍ଠ ଭାବରେ ଜଡ଼ିତ ହୋଇଥିବାରୁ ପ୍ରତ୍ୟେକ ବୁଦ୍ଧିଜୀବୀ ଏ ବିଷୟରେ ସଚେତନ ହେବାର ଅନିବାର୍ଯ୍ୟ ଆବଶ୍ୟକତା ଅନାୟାସରେ ହୃଦୟଙ୍ଗମ କରି ହେଉଛି ।

 

୧.

"If we take in our hand any volume; of divin ty or school metaphysics, for instance; et us ask: does it contain any experimental reasoning concerning matter of fact and existence ? No, commit it then to flames For it can contain nothing but sophistry and illusion."—The Methology of Seientific Research Programmes By Imre Lakat s, Vol. 1, Cambridge University Press, 1978.

 

 

୨.

unended quesi; karl popper; Fontan Collins;1976.

 

 

୩.

Thomas S.kuhn; the structure of scientifie Revolution, Chicago university press, 1962

Image

 

ବିଜ୍ଞାନ ଓ ଆମର ଭବିଷ୍ୟତ

।। ୧ ।।

 

ସୁଦୀର୍ଘ ତିନି ଶତ ଶତାଦ୍ଦୀବ୍ୟାପୀ ବିଜ୍ଞାନର ଚର୍ଚ୍ଚା ଓ ଗବେଷଣା କରାଯାଉଛି ଏବଂ ବିଜ୍ଞାନଶ୍ରୟୀ ବହୁବିଧ ଟେକ୍‌ନୋଲଜିର ସାହାଯ୍ୟ ନିଆଯାଇ ଆଧୁନିକ ସଭ୍ୟତାର ସୌଧ ନିର୍ମାଣ କରାଯାଉଛି । ଜଳସେଚନ ଉଦ୍ଦେଶ୍ୟରେ କେନାଲ ଖୋଦନ ପାଇଁ ଉଦ୍ଦିଷ୍ଟ ଯନ୍ତ୍ର-କୌଶଳଠାରୁ ଆରମ୍ଭ କରି ମଙ୍ଗଳ ଗ୍ରହ ପୃଷ୍ଠରେ ଅବତରଣ ପାଇଁ ଉଦ୍ଦିଷ୍ଟ ମହାକାଶଯାନ ପର୍ଯ୍ୟନ୍ତ ଆଧୁନିକ ଯୁଗର ଯାବତୀୟ ଅନିବାର୍ଯ୍ୟ ଟେକ୍‌ନୋଲଜିଗୁଡ଼ିକୁ ଉଦ୍ଭାବନ କରିବା ପାଇଁ ଅଭିକ୍ରିୟାତ୍ମକ ଗବେଷଣାଲବ୍‍ଧ ଅବଦାନଗୁଡ଼ିକର ବିଶ୍ଳେଷଣାତ୍ମକ ଅଧ୍ୟୟନ କରାଯାଇଛି । କେଉଁ ପଦ୍ଧତି ଅନୁସରଣ କରାଯିବାର ପରିଣତ ସ୍ୱରୂପ ମନୁଷ୍ୟର କର୍ମ-ଶକ୍ତି ବହୁଗୁଣିତ ହେବା ସଙ୍ଗେ ସଙ୍ଗେ ତାହାର କର୍ମପରିସର କ୍ରମବ୍ୟାପକ ହୋଇପାରିବାରୁ ମାନବ ଜାତିର ନାନା କଲ୍ୟାଣ ସାଧିତ ହୋଇଛି, ଠିକ୍ ତଦନୁରୂପ ପଦ୍ଧତି ଅନୁସରଣ କରି ସେହି ମନୁଷ୍ୟ ନିଜ ବୁଦ୍ଧି ବଳରେ ଏପରି ଟେକ୍‌ନୋଲଜିଗୁଡ଼ିକୁ ଉଦ୍ଭାବନ କରିଛି ଯେ, ବସୁମାତା ଧରିତ୍ରୀ ବକ୍ଷରୁ ମାନବୀୟ ସଭ୍ୟତାର ବିଲୋପ ଘଟିବାର ଆଶଙ୍କା ଏବେ ଜନମାନସକୁ ବିବ୍ରତ କରି ପକାଇଲାଣି । ଗଚ୍ଛିତ ନିଉକ୍ଳିଅର୍‌ ବୋମାଗୁଡ଼ିକଠାରୁ ବିକୀରିତ ଅନିଷ୍ଟକାରୀ ତେଜଷ୍କ୍ରିୟ ରଶ୍ମି ପାରମାଣବିକ ପ୍ରକ୍ରିୟାଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି, ଅମ୍ଳୀୟ ବର୍ଷା, କୃତିମ ରାସାୟନିକ ଦ୍ରବ୍ୟଗୁଡ଼ିକର ଅପରିଣାମଦର୍ଶୀ ତଥା ସ୍ୱେଚ୍ଛାକୃତ ବହୁଳ ବିନିଯୋଗ ଫଳରେ ଭୂ-ପୃଷ୍ଠର ସୀମିତ ଉର୍ବର ସ୍ତର ଚିରସ୍ଥାୟୀ ଭାବରେ ନଷ୍ଟ ହୋଇଯିବାର ଆଶଙ୍କା ବାୟୁମଣ୍ଡଳରେ ଓଜନ ସ୍ତରର କ୍ରମବିଲୟ ଓ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରାରେ ଅଭିବୃଦ୍ଧି ଆଧୁନିକ ଯୁଗର ମନୁଷ୍ୟକୁ ଚିନ୍ତାକୁଳ କରିଛି ।

 

ଜୀବନଯାପନ ପଦ୍ଧତିକୁ ଏକ ଅଭିନବ ଢାଞ୍ଚାରେ ଗଢ଼ିବାପାଇଁ ମନୁଷ୍ୟ ନିଜ ସୃଜନଶୀଳ ପ୍ରତିଭା ବିନିମୟରେ ଯେଉଁ କର୍ମ-ପଦ୍ଧତିର ଅନୁଗାମୀ ହୋଇଛି, ଐତିହାସିକ ଦୃଷ୍ଟକୋଣରୁ ସେଥିପାଇଁ ସୁଦୀର୍ଘ ତିନି ଶତ ବର୍ଷ ଅତିବାହିତ ହୋଇଗଲାଣି । ଏଣୁ ସମୟର ଆଧିକ୍ୟ ଓ ଏପରି ବୌଦ୍ଧିକତା ଓ କର୍ମପ୍ରବଣତାର ଫଳାଫଳ ଦୃଷ୍ଟିକୋଣରୁ ଏପରି ପଦ୍ଧତିକୁ ପ୍ରଶ୍ରୟଦେବା ବା ଏହାକୁ ପରିହାର କରିବା ସମ୍ପର୍କରେ ସୁନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେବାର ପ୍ରକୃଷ୍ଟ ସମୟ ଆଗତ ହେଲାଣି ବୋଲି ବିଚାରିବା ଯୁକ୍ତିଯୁକ୍ତ ବୋଧ ହେଉଛି । ସୁଦୀର୍ଘ କାଳ ପାଇଁ ବିଜ୍ଞାନ ନିର୍ଭରଶୀଳ ସଭ୍ୟତାର ସୌଧ ଗଠନ କରିବା ପରେ ମନୁଷ୍ୟକୁ ବର୍ତ୍ତମାନ ସ୍ଥିର କରିବାକୁ ହେବ ଯେ, ସେ ବିଜ୍ଞାନର ଚର୍ଚ୍ଚା ଓ ଗବେଷଣା ଏବଂ ତଦାଶ୍ରୟୀ ଟେକ୍‌ନୋଲଜିଗୁଡ଼ିକର ବିନିମୟରେ ଏଣିକି ମାନବୀୟ ସଭ୍ୟତାକୁ କ୍ରମବିକାଶ ପଥରେ ଆଗେଇ ନେବ, କିମ୍ବା ଅନ୍ୟ କୌଣସି ସମ୍ପୂର୍ଣ୍ଣ ଅଭିନବ ପନ୍ଥାର ଅନୁଗାମୀ ହେବ ? ଏହି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନଟି ଅବଶ୍ୟ ନିଶ୍ଚିତ ଭାବରେ ବର୍ତ୍ତମାନ ଏକ ବିବାଦମାନ ସମସ୍ୟା ରୂପେ ବିବେଚିତ ହେଉଛି । ବିଜ୍ଞାନର ଅୟମାରମ୍ଭ ଘଟିବା କାଳଠାରୁ ଏପରି ବୌଦ୍ଧିକ ପ୍ରୟାସରେ ଆତ୍ମନିୟୋଗ କରିବା ବିରୋଧରେ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ବିଶେଷତଃ ଊନବିଂଶ ଶତାବ୍ଦୀର ବୈଷୟିକ ବିପ୍ଳବର ଆଦ୍ୟପର୍ବରେ ବିଜ୍ଞାନ ଓ ଟେକ୍‌ନୋଲଜିକୁ ସମ୍ପୂର୍ଣ୍ଣ ଭାବରେ ବାସନ୍ଦ କରିଦେବା ପାଇଁ ବିରୋଧର ସ୍ଵର ତୀବ୍ର ଆକାର ଧାରଣ କରିଛି ଏବଂ ବିଜ୍ଞାନବିରୋଧୀ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ହିଂସାତ୍ମକ ପନ୍ଥାର ଆଶ୍ରୟ ନେବାକୁ ପଶ୍ଚାତପଦ ହେଉନାହାନ୍ତି । ବର୍ତ୍ତମାନ ମଧ୍ୟ ଲକ୍ଷ୍ୟ କରାଯାଉଛି ଯେ, ନିଉକ୍ଳିଅର ଟେକ୍‌ନୋଲଜିର ବହୁଳ ପ୍ରସାର, ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ଯନ୍ତ୍ରଗୁଡ଼ିକର ପ୍ରତିଷ୍ଠା ବିରୋଧରେ ବିପୁଳ ଜନମତ ପ୍ରକାଶିତ ହେଉଛି । ଜନସାଧାରଣ ଶୋଭାଯାତ୍ରା, ଧର୍ମଘଟ ଓ ବହୁବିଧ ଉପାୟ ଅବଲମ୍ୱନରେ ଏପରି ଟେକ୍‌ନୋଲଜିର ବହୁଳ ପ୍ରସାର ବିରୋଧରେ ସ୍ଵର ଉତ୍ତୋଳନ କରୁଛନ୍ତି । କେତେକ ବିଜ୍ଞାନବିରୋଧୀ ଚରମପନ୍ଥୀ ବୁଦ୍ଧିଜୀବୀ ମତ-ବ୍ୟକ୍ତ କରୁଛନ୍ତି ଯେ, ବିଜ୍ଞାନ ଓ ତଦାଶ୍ରୟୀ ଟେକ୍‌ନୋଲଜିକୁ ସମ୍ପୂର୍ଣ୍ଣ ଭାବରେ ବାସନ୍ଦ କରିବା ହିଁ ଶ୍ରେୟସ୍କର ପନ୍ଥା । ସେମାନଙ୍କ ମତାନୁଯାୟୀ ବିଜ୍ଞାନ ନିର୍ଭରଶୀଳ ଟେକ୍‌ନୋଲଜିଗୁଡ଼ିକୁ ପରିହାର କରିବା ସଙ୍ଗେ ସଙ୍ଗେ ଆମେ ତିନି ଶହ ବର୍ଷ ପଛକୁ ଫେରିଯିବା ହିଁ ବାଞ୍ଛନୀୟ । ସେମାନେ ସୂଚାଇଛନ୍ତି ଯେ, ଯେଉଁ ପଦ୍ଧତିର ଅନୁସରଣ ଫଳରେ ମନୁଷ୍ୟର ଭବିଷ୍ୟତ ବିପନ୍ନ ହେବାର ନିଶ୍ଚିନ୍ତ ସମ୍ଭାବନା ସମ୍ପର୍କରେ ପର୍ଯ୍ୟାପ୍ତ ପ୍ରାମାଣିକ ତଥ୍ୟ ସଂଗ୍ରହ କରାଗଲାଣି, ତାହାକୁ ତତକ୍ଷଣାତ୍ ପରିହାର କରାଯିବା ସଙ୍ଗେ ସଙ୍ଗେ ଏପରି କୌଣସି ନୂତନ ପଦ୍ଧତିର ଆଶ୍ରୟ ନିଆଯିବା ସମୀଚୀନ ହେବ, ଯଦ୍ଦ୍ୱାରା ମନୁଷ୍ୟର ତଥା ମନୁଷ୍ୟେତର ଜୀବ-ଜଗତର ନିରାପତ୍ତା ବ୍ୟାହତ ହେବାର କୌଣସି ଅବକାଶ ନ ଥିବ ।

 

ମାତ୍ର ଚରମପନ୍ଥୀ ବ୍ୟକ୍ତିମାନଙ୍କର ଏହି ପରାମର୍ଶ ବୈଜ୍ଞାନିକମାନଙ୍କର ଗ୍ରହଣ-ଯୋଗ୍ୟ ହୋଇପାରି ନାହିଁ । ଏଥିପାଇଁ ସେମାନଙ୍କୁ ଆଂଶିକ ଭାବରେ ବୃତ୍ତିଗତ ପକ୍ଷପାତିତା ଦୋଷରେ ଅଭିଯୁକ୍ତ କରାଯାଇପାରେ । ମାତ୍ର ବିଗତ ଅର୍ଦ୍ଧ-ଶତାଦ୍ଦୀରେ ବିଜ୍ଞାନର ଆଭିମୁଖ୍ୟ ଓ ପ୍ରଗତିକୁ ଲକ୍ଷ୍ୟକରି ସେମାନେ ଉଲ୍ଲିଖିତ ଚରମପନ୍ଥୀମାନଙ୍କ ମନ୍ତବ୍ୟ ପ୍ରତି ଗୁରୁତ୍ୱ ଆରୋପ କରିବାକୁ ଅମଙ୍ଗ ହେଉଛନ୍ତି । ବୈଜ୍ଞାନିକମାନଙ୍କ ମତାନୁଯାୟୀ ବୌଦ୍ଧିକତାର ସମ୍ୟକ୍ ଉପଯୋଗ ଦୃଷ୍ଟିକୋଣରୁ ବୈଜ୍ଞାନିକ କ୍ରିୟା-ଶୀଳତାକୁ ତଥାପି ଏକ ଅଭିନବ ପ୍ରୟାସ ରୂପେ ବିଚାର କରାଯିବା ଯୁକ୍ତିଯୁକ୍ତ ବୋଧ ହେଉଛି । ସ୍ଥୂଳ ଭାବରେ ଚଳିତ ଶତାବ୍ଦୀରେ ଯେଉଁ ଆବିଷ୍କାରଗୁଡ଼ିକ ମୁଖ୍ୟ ସଂଘଟିତ ହୋଇଛି‚ ସେଗୁଡ଼ିକ ଯଥାର୍ଥରେ ମନୁଷ୍ୟର ଜ୍ଞାନଚକ୍ଷୁ ଉନ୍ମୀଳିତ କରିବାକୁ ସମର୍ଥ ହୋଇଛି । ଏହା ଉପଲବ୍‌ଧ ହୋଇଛି ଯେ‚ ପ୍ରକୃତିର କ୍ରିୟାଶୀଳତାର ରହସ୍ୟ ଭେଦ କରିବା ବ୍ୟାପାରରେ ସେ ଲକ୍ଷ୍ୟଣୀୟ ସାଫଲ୍ୟ ଅର୍ଜନ କରିପାରି ନାହିଁ । ବିଂଶ ଶତାବ୍ଦୀର ବିଜ୍ଞାନ ମନୁଷ୍ୟକୁ ସ୍ଥୂଳ ଭାବରେ ନିଜ ଅଭିଜ୍ଞତା ସମ୍ପର୍କରେ ସମ୍ୟକ୍‌ ଭାବରେ ସଚେତନ କରିଛି । ପୂର୍ବରୁ ଯେଉଁ ଆବିଷ୍କାର ବା ଉଦ୍ଭାବନଗୁଡ଼ିକୁ ମନୁଷ୍ୟ ଯୁକ୍ତିଯୁକ୍ତ‚ କାର୍ଯ୍ୟ କାରଣ-ସଙ୍ଗତ ଓ ଧ୍ରୁବ ସତ୍ୟ ରୂପେ ବିଚାର କରୁଥିଲା‚ ସେଗୁଡ଼ିକ ସମ୍ପର୍କରେ ସେ ଆଉ ପୂର୍ବବତ୍‌ ସେପରି ସୁନିର୍ଦ୍ଦିଷ୍ଟ ମତ ପୋଷଣ କରିବାର ଅବକାଶ ନାହିଁ । ନିଉଟନୀୟ ଯାନ୍ତ୍ରିକୀ ମନୁଷ୍ୟର ହାତମୁଠାରୁ ଖସିଯାଇଛି । ସେ ବର୍ତ୍ତମାନ କେତେକ ବିରୋଧାଭାସ‚ ଗୋଲକଧନ୍ଦା ଓ ଅନିଶ୍ଚିତତାର ସମ୍ମୁଖୀନ ହୋଇଛି । ପ୍ରତି ସ୍ୱଳ୍ପ ବର୍ଷ ସମୟାନ୍ତରରେ ପଦାର୍ଥ ବିଜ୍ଞାନର ନିୟମଗୁଡ଼ିକୁ ଉଦ୍ଧାର କରିବା ବେଳେ ସଂଶୋଧନାତ୍ମକ ଟିପ୍‍ପଣୀ ଆବଶ୍ୟକ ହେଉଛି । କେତେକ ପୂର୍ବ ପ୍ରଚଳିତ ନିୟମକୁ ପରିତ୍ୟାଗ କରିବା ଅନିବାର୍ଯ୍ୟ ହେଉଛି । ବିଧାନସଭାଗୁଡ଼ିକରେ ସାମ୍ବିଧାନିକ ଆଇନଗୁଡ଼ିକୁ ସଂଶୋଧନ କରାଯିବା ପରି ବୈଜ୍ଞାନିକ ମହଲରେ ସଂପ୍ରତି ପଦାର୍ଥ ବିଜ୍ଞାନର କେତେକ ନିୟମକୁ ସଂଶୋଧନ କରାଯାଉଛି ।

 

ଚଳିତ ଶତାବ୍ଦୀରେ ଜୀବ-ବିଜ୍ଞାନ ଜଗତରେ ଅଦ୍ଭୂତପୂର୍ବ ତଥା ଚମକପ୍ରଦ ଆବିଷ୍କାରଗୁଡ଼ିକ ସଂଘଟିତ ହୋଇଛି । କେବଳ ପ୍ରାୟ ୩୦ ବର୍ଷ ପୂର୍ବେ ଡି. ଏନ୍. ଏ, ଅଣୁର ଆଣବିକ ଅଙ୍ଗସଜ୍ଜା ସମ୍ପର୍କୀୟ ଏକ ଜ୍ୟାମିତିକ ଚିତ୍ର ଆବିଷ୍କୃତ ହେଲା ଏବଂ ଏତଦ୍ଦ୍ଵାରା ଅନୁବଂଶିକ କୁଟର ରହସ୍ୟୋଦ୍‌ଘାଟନ ପାଇଁ ପଥ ସୂଗମ୍ୟ ହୋଇଗଲା ବୋଲି ବିଚାର କରାଗଲା । କ୍ରିକ୍ ଓ ୱାଟ୍‌ଶନ୍‌ଙ୍କ ଚମକପ୍ରକ ଘୋଷଣା ଓ ତତ୍‌ପରବର୍ତ୍ତୀକାଳୀନ ଗବେଷଣାର ଅସାମାନ୍ୟ ସାଫଲ୍ୟ ଜୀବ-ବିଜ୍ଞାନ ଜଗତରେ ଏକ ବିପ୍ଳବର ସୂତ୍ରପାତ ଘଟାଇଥିବା ସମ୍ପର୍କରେ ବୁଦ୍ଧିଜୀବୀ ମହଲରେ ଗଭୀର ଆଶାବାଦର ବାତାବରଣ ସୃଷ୍ଟି ହେଲା । ଆଣବିକ ଜିବ-ବିଜ୍ଞାନର ଶୈଶବାବସ୍ଥାରେ ବୈଜ୍ଞାନିକମାନେ ବିଚାର କରିଥିଲେ ଯେ‚ ଜିବ-ବିଜ୍ଞାନ ସମ୍ବନ୍ଧୀୟ ସମସ୍ତ ଅସମାଧୃତ ସମସ୍ୟାଗୁଡ଼ିକୁ ଏଣିକି ସମ୍ଭବତଃ ସହଜରେ ସମାଧାନ କରାଯାଇ ପାରିବ । କାରଣ‚ ସେମାନେ ଆଗ୍ରହାତିଶଯ୍ୟରେ ଜୀବକୋଷକୁ ଗୋଟିଏ ସରଳ ଯନ୍ତ୍ର ରୂପେ ବିଚାର କଲେ । ଯେପରି ଗୋଟିଏ କ୍ଷୁଦ୍ରାକୃତି ହାତଘଣ୍ଟାର ବିଭିନ୍ନ ଅଂଶ ଗୁଡ଼ିକୁ କାଢ଼ି ନିଆଯାଇପାରେ ଏବଂ ବିଗିଡ଼ି ଯାଇଥିବା ଅଙ୍ଗଗୁଡ଼ିକୁ ଯଥାବିଧି ଖଞ୍ଜି ଦେବା ସମ୍ଭବ ହୁଏ‚ ଠିକ୍ ସେହିପରି ଭାବରେ ଜୀବକୋଷର ଗଠନ ଓ କ୍ରିୟାଶୀଳତା ସମ୍ବନ୍ଧୀୟ ବିଶେଷଜ୍ଞସୁଲଭ କର୍ମକୁଶଳତା ସହଜରେ ମନୁଷ୍ୟର ଆୟତ୍ତାଧୀନ ହୋଇପାରିବ ବୋଲି ସେମାନେ ବିଚାରିଥିଲେ । ମାତ୍ର ବିଗତ ସ୍ୱଳ୍ପ କତିପୟ ବର୍ଷ ମଧ୍ୟରେ ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ‚ ଜୀବକୋଷର ଗଠନ ଅତି ଜଟିଳ ଓ ଏହାର ଯାବତୀୟ କ୍ରିୟାଶୀଳତା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଗୋଟିଏ ଆୟାସସାଧ୍ୟ ବ୍ୟାପାର । ଗୋଟିଏ ଟେପରେ ଯେପରି କର୍ମସୂଚୀ ସମ୍ବଳିତ ନିର୍ଦ୍ଦେଶଗୁଡ଼ିକ କ୍ରମାନୁଯାୟୀ ସଂସ୍ଥାପିତ ହୋଇଥାଏ ଡି. ଏନ୍. ଏ. ଅଣୁ ସିଧାସଳଖ ତଦନୁରୂପ ମାର୍ଗରେ କ୍ରିୟାଶୀଳ ହେଉନାହିଁ । ପୁଷ୍ଟିସାର ବା ପ୍ରୋଟିନଗୁଡ଼ିକ ସମ୍ମିଳନ ପାଇଁ ତଥା ସମ୍ମିଳନ ପ୍ରକ୍ରିୟାରେ ସହାୟକ ହେବା ପାଇଁ ଜିନ୍‌ଗୁଡ଼ିକର ମଧ୍ୟସ୍ଥଳରେ ତଥା ସେମାନଙ୍କ ଅଭ୍ୟନ୍ତରରେ ଲମ୍ବାଫିତା ସଦୃଶ ଏପରି କେତେକ ଜୈବିକ ବସ୍ତ୍ର ଅବସ୍ଥାନ କରିଛି ଯେ‚ ସେଗୁଡ଼ିକର କରାମତି ସମ୍ପର୍କରେ ସମ୍ୟକ୍‌ ଧାରଣା ପ୍ରାପ୍ତ ହେବା ଏତେ ସହଜ ହେଉନାହିଁ । କେତେକ ଜିନ୍ ଡି. ଏନ୍. ଏ. ଅଣୁର ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ କୁଦା ମାରିବାକୁ ସମର୍ଥ ହୋଇଛନ୍ତି ଯେଉଁ ପ୍ରକାର ଜୈବିକ ପରିବର୍ତ୍ତନ ବିବର୍ତନ ବଳରେ ସଂଘଟିତ ହେବା ପାଇଁ ଯୁଗ ଯୁଗ ବିତି ଯାଉଥିବ ବୋଲି ଆମେ ପୂର୍ବରୁ ବିଚାର କରିଥିଲୁ‚ ଶେଷୋକ୍ତ ଜିନ୍‌ଗୁଡ଼ିକର ବିଚକ୍ଷଣ କରାମତି ଯୋଗୁଁ ତଦନୁରୂପ ପରିବର୍ତ୍ତନ ନିମିଷକ ମଧ୍ୟରେ ସଂଘଟିତ ହେଉଅଛି । ଜୀବକୋଷର ବାହ୍ୟ ପରଦାଟିକୁ ଆମେ ଯେପରି କେବଳ ଗୋଟିଏ ସୀମା ଚିହ୍ନୋଟକାରୀ ଜୈବିକ ଅଙ୍ଗରୂପେ ବିଚାର କରିଥିଲୁ‚ ତାହା ସେପରି ସରଳ ହୋଇନାହିଁ । ଜୀବକୋଷର ଆଭ୍ୟନ୍ତରୀଣ ଓ ବାହ୍ୟ ପରିବେଶ ମଧ୍ୟରେ ସଙ୍କେତର ଆଦାନ ପ୍ରଦାନ ପାଇଁ ଏହା ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଜୀବକୋଷଗୁଡ଼ିକ ପରସ୍ପର ସହିତ ଯୋଗାଯୋଗ ରକ୍ଷା କରିପାରୁଛନ୍ତି । କେଉଁ ଜିନ୍‌ଟି କେତେବେଳେ ଓ କିପରି ଭାବରେ କେଉଁ ଅଣୁଠାରୁ ସଙ୍କେତ ପାଇ କ୍ରିୟାଶୀଳ ହେଉଛି ଏବଂ ଯଥାବିଧି କାର୍ଯ୍ୟ ସମ୍ପନ୍ନ କରିବା ପରେ ସ୍ୱଳ୍ପଃ ନିଷ୍କ୍ରିୟ ହୋଇଯାଉଛି‚ ତାହାର ରହସ୍ୟ ଅଦ୍ୟାବଧି ଉଦ୍‌ଘାଟିତ ହୋଇନାହିଁ । ଜୀବକୋଷ ମଧ୍ୟରେ ଏପରି ବିଚକ୍ଷଣଭାବେ କର୍ମନିପୁଣ ସୁଇଚ୍‌ଗୁଡ଼ିକ ଅବସ୍ଥାନ କରିଛି ଯେ‚ ସେଗୁଡ଼ିକ ଗୋଟିଏ ପ୍ରକାରେ କ୍ରିୟାଶୀଳ ହେବା ଯୋଗୁଁ ଗୋଟିଏ ସୁସ୍ଥକୋଷ କ୍ୟାନ୍‌ସର ବା କର୍କଟ ବ୍ୟାଧିଗ୍ରସ୍ତ ହୋଇଯାଉଛି; ସ୍ଥଳ ବିଶେଷରେ ବ୍ୟାଧିଗ୍ରସ୍ତ କୋଷଟି ପୁନର୍ବାର ସୁଇଚ୍‌ର କରାମତି ଯୋଗୁଁ ପୁଣି ସୁସ୍ଥ କୋଷରେ ପରିଣତ ହୋଇପାରୁଛି ।

 

ଜୀବ-ବିଜ୍ଞାନ ସଂପ୍ରତି ଯୌବନାବସ୍ଥାରେ ପଦାର୍ପଣ କରିଛି ବା ଜୀବ-ବିଜ୍ଞାନର ସମୃଦ୍ଧି ସାଧନ ପାଇଁ ଆହୁରି ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସୁଚାଇବା ଦ୍ଵାରା ଆଲୋଚ୍ୟ ପ୍ରସଙ୍ଗର ଗୁରୁତ୍ଵ ସମ୍ୟକ୍ ଭାବରେ ଉପଲବ୍‌ଧ ହୋଇ ପାରିବାର ସମ୍ଭାବନା ରହିଛି । ଏଠାରେ ଆମେ ପ୍ରାଞ୍ଜଳ ଭାବରେ ବୁଝିବାର କଥା ଯେ‚ ଜୀବ-ବିଜ୍ଞାନ ବିଷୟକ ସଠିକ୍ ପ୍ରଶ୍ନ ପଚାରିବାକୁ ଆମେ ବର୍ତ୍ତମାନ ସମର୍ଥ ହୋଇଛୁ ଏବଂ ଭବିଷ୍ୟତରେ ବୈଜ୍ଞାନିକ ଗବେଷଣାର ତ୍ୱରାନ୍ୱିତ ସମୃଦ୍ଧି ସାଧନ ବିନିମୟରେ ଏହି ବିଜ୍ଞାନ ସହ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ହେବ । ଯଦି ମୌଳିକ ଗବେଷଣା ଚଳାଇବା ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରାଯାଏ ଏବଂ ପୃଥିବୀର ବିଭିନ୍ନ ଦେଶର ମେଧାବୀ ଗବେଷକମାନେ ଏ ବିଷୟକ ଗବେଷଣା ସହିତ ଜଡ଼ିତ ହେବା ପାଇଁ ସର୍ବବିଧ ଆନୁସଙ୍ଗିକ ସୁବିଧା ଉପଭୋଗ କରିପାରନ୍ତି‚ ତାହାହେଲେ ଦୁରାରୋଗ୍ୟ ବ୍ୟାଧିଗୁଡ଼ିକ କବଳରୁ ଆରୋଗ୍ୟ ଲାଭ କରିବା‚ ଉନ୍ନତ ଟେକ୍‌ନୋଲଜି ବିନିମୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନରେ ଅଭିବୃଦ୍ଧି ଘଟାଇବା ଏବଂ ସାମୁଦ୍ରିକ ତଥା ଭକ୍ଷଣ ଉପଯୋଗୀ ପୁଷ୍ଟିକର ଖାଦ୍ୟ ଉତ୍ପାଦନର ହାରରେ ଅଭିବୃଦ୍ଧି ଘଟାଇବା ସମେତ ମାନବ ଜାତିର ଆହୁରି ଅଶେଷ କଲ୍ୟାଣ ସାଧିତ ହେବ । ସଜୀବ ବସ୍ତୁଗୁଡ଼ିକର ମୌଳିକ ଜୈବିକ ପ୍ରକ୍ରିୟାଗୁଡ଼ିକ ସମ୍ବନ୍ଧରେ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିବା ଦ୍ଵାରା ତଥା ଆମ୍ଭମାନଙ୍କ ମସ୍ତିଷ୍କର ଜୈବିକ କ୍ରିୟାଶୀଳତା ସମ୍ପର୍କରେ ପ୍ରଭୂତ ଜ୍ଞାନ ଅର୍ଜନ କରିବାକୁ ସମର୍ଥ ହେବା । ଏପରି ଜ୍ଞାନ ଅର୍ଜନ ବଳରେ ସମ୍ଭବତଃ ଅନନ୍ୟସାଧାରଣ ବୌଦ୍ଧିକ ଶକ୍ତିସମ୍ପନ୍ନ ମନୁଷ୍ୟ ନିଜ ବାସସ୍ଥଳୀ ପୃଥିବୀ ସମ୍ପର୍କରେ ନିଜର ଭବିଷ୍ୟତ ପରିପ୍ରେକ୍ଷୀରେ ସମ୍ୟକ୍ ସଚେତନତା ପ୍ରାପ୍ତ ହେବ । ଏ ପ୍ରକାର ବୌଦ୍ଧିକ ପ୍ରୟାସର ନିରବଚ୍ଛିନ୍ନ ସଂଘଟନ ଓ ତତ୍‌ପ୍ରସୂତ ପ୍ରଜ୍ଞାର ଅଧିକାରୀ ହେବାଯୋଗୁଁ ମନୁଷ୍ୟ ଏକ ଅଭିନବ ଦୃଷ୍ଟିକୋଣରୁ ସ୍ଵୀୟ ସଭ୍ୟତାର ଆଭିମୁଖ୍ୟ ବଦଳାଇ ଦେବାର ସମ୍ଭାବନାକୁ ଏଡ଼ି ହେଉନାହିଁ । ଅତିରଞ୍ଜନ ଦୋଷରେ ଦୁଷ୍ଟ ହେବାର ଆଶଙ୍କା ଥିଲେ ମଧ୍ୟ ଜଣାପଡ଼ୁଛି ଯେ‚ ଆଗାମୀ ଯୁଗରେ ଜୀବ-ବିଜ୍ଞାନର ସମୃଦ୍ଧି ସାଧନ ପର୍ଯ୍ୟବସିତ ଚେତନାର ଅଧିକାରୀ ହେବା ଯୋଗୁଁ ମନୁଷ୍ୟ ଆଦିମ କାଳଠାରୁ ତା ମାନସପଟରେ ଗୋଲକଧନ୍ଦା ସୃଷ୍ଟି କରିଥିବା କେତେକ ସମସ୍ୟାର ସମାଧାନ କରିପାରିବ । ଅର୍ଥାତ୍ ଆମେ ଜାଣିପାରିବା ଯେ‚ ଆମେ କିଏ; କେଉଁଠାରୁ ଆସିଲୁ ଓ ଆମର ଭୂମିକା କଣ ? ମାନବ ଜାତିର ଭବିଷ୍ୟତକୁ ଉଜ୍ଜଳମୟ କରାଇବା ପାଇଁ ଏ ପ୍ରକାର ବାଜିଖେଳରେ ମତ୍ତ ହେବା ହିଁ ଏକମାତ୍ର ପ୍ରକୃଷ୍ଟ ପନ୍ଥାରୂପେ ଜଣାପଡ଼ୁଛି । କାରଣ‚ ଅନ୍ୟ କୌଣସି ସୁନିର୍ଦ୍ଧିଷ୍ଟ ତଥା ବିକଳ୍ପ ପନ୍ଥା ଅବଲମ୍ବନରେ ମାନବୀୟ ସଭ୍ୟତାର ମୋଡ଼କୁ ଶୁଭଙ୍କରୀ ମାର୍ଗରେ ବଦଳାଇ ଦେବାର ସୂଚନା ମିଳୁନାହିଁ ।

 

॥ ୨ ॥

 

ରୁକ୍ଷ ମଙ୍ଗଳ ଗ୍ରହର ଜଡ଼ ମୃତ୍ତିକାସ୍ତର‚ ଶନି ଗ୍ରହ ସହିତ ସଂଶ୍ଳିଷ୍ଟ ବଳୟଗୁଡ଼ିକର ଗଠନ ଏବଂ ଅନ୍ୟ ଗ୍ରହଗୁଡ଼ିକ ଭୌତିକ ଓ ରାସାୟନିକ ଗଠନ ସମ୍ବନ୍ଧରେ ଆମେ ଇତ୍ୟବସରରେ ସୂଗ୍ରାହୀ ଯନ୍ତ୍ରଗୁଡ଼ିକ ଜରିଆରେ ବହୁବିଧ ଜ୍ଞାତବ୍ୟ ତଥ୍ୟ ସଂଗ୍ରହ କରିଛୁ । ସୌରଜଗତ ସମ୍ବନ୍ଧୀୟ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆଧାରିତ ଉଲ୍ଲିଖିତ ସୂଚନା ସମେତ ପୃଥିବୀର ବିଭିନ୍ନ ବିଜ୍ଞାନୋନ୍ନତ ରାଷ୍ଟ୍ରଗୁଡ଼ିକ ଏହି ବ୍ୟପାରଟିକୁ ଶୃଙ୍ଖଳିତ ତଥା ମିତବ୍ୟୟୀ ମାର୍ଗରେ ପରିଚାଳନା କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏ ପ୍ରକାର ବୌଦ୍ଧିକତା ଓ କର୍ମକୁଶଳତା ଆମ୍ଭମାନଙ୍କଠାରେ ଦୃଢ଼ ଆତ୍ମପ୍ରତ୍ୟୟ ସୃଷ୍ଟି କରୁଛି ଯେ‚ ମନୁଷ୍ୟ ଭବିଷ୍ୟତରେ ପ୍ରତ୍ୟକ୍ଷ ଭାବରେ ସୌରଜଗତ ବହିର୍ଭୂତ ଆମ ଗାଲାକ୍‌ସିର ଅନ୍ୟାନ୍ୟ ଅଞ୍ଚଳରେ ତଥା ଆନ୍ତଃଗାଲାକ୍‍ସିକ ଅଞ୍ଚଳର ପର୍ଯ୍ୟଟନ କରିବାକୁ ସମର୍ଥ ହେବ ।

 

କମ୍ପ୍ୟୁଟରଗୁଡ଼ିକର ନିର୍ମାଣ ପଦ୍ଧତିରେ ତ୍ୱରାନ୍ୱିତ ସମୃଦ୍ଧି ସାଧନ ଓ ସେଗୁଡ଼ିକର ବହୁମୁଖୀ ତଥା ବହୁଳ ଉପଯୋଗ ବିରୋଧରେ ସଂପ୍ରତି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଏପରି ଅହେତୁକ ଆଶଙ୍କାର ପରିପ୍ରକାଶ ଗୋଟିଏ ଯୁଗ ଫେଶନରେ ପରିଣତ ହୋଇଗଲାଣି । କମ୍ପ୍ୟୁଟରବିରୋଧୀ ବୁଦ୍ଧିଜୀବୀମାନେ ଘୋଷଣା କରୁଛନ୍ତି ଯେ‚ ମନୁଷ୍ୟର ଚିନ୍ତନ ପ୍ରକ୍ରିୟା ଅଲୋଡ଼ା ହୋଇଯିବ; କାରଣ କମ୍ପ୍ୟୁଟର ମନୁଷ୍ୟ ତୁଳନାରେ ଅପେକ୍ଷାକୃତ ଶୀଘ୍ର ତଥା ସୁଦକ୍ଷ ମାର୍ଗରେ କ୍ରିୟାଶୀଳ ହୋଇପାରିବ । ଏହି ଯନ୍ତ୍ରଗୁଡ଼ିକ ନିଜ ନିଜର ବିଚକ୍ଷଣ କ୍ରିୟାଶୀଳତା ବଳରେ ବହୁଗୁଣିତ ହେବା ଯୋଗୁଁ ଏଗୁଡ଼ିକର ଏପରି ବଂଶବୃଦ୍ଧି ଘଟିବ ଯେ‚ କୌଣସି ବୁଦ୍ଧି ଜୀବୀଙ୍କ ମାନସପଟରେ ଆଗାମୀ ଯୁଗର କମ୍ପ୍ୟୁଟରଭିତ୍ତିକ ସଭ୍ୟତାର ସମ୍ଭାବ୍ୟ ରୂପରେଖ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ସୃଷ୍ଟି ହୋଇନପାରିବା ବେଶ୍ ସ୍ଵାଭାବିକ ବୋଧ ହେଉଛି । କମ୍ପ୍ୟୁଟର ପ୍ରସ୍ତୁତି ସହ ଜଡ଼ିତ ବିଶେଷଜ୍ଞମାନେ ମଧ୍ୟ ମାନବିୟ ସଭ୍ୟତାର ଉତ୍ତରୋତ୍ତର ବିକାଶ ପଥରେ ଏଗୁଡ଼ିକର ସମ୍ଭାବ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସମ୍ୟକ୍ ସୂଚନା ଯୋଗାଇପାରୁନାହାନ୍ତି । ମନୁଷ୍ୟ ସ୍ଵୀୟ ବୁଦ୍ଧିମତ୍ତା ଓ ପାରଦର୍ଶିତା ପ୍ରଦର୍ଶନ କରିବା ପୂର୍ବକ ଅତୀବ କ୍ଷୁଦ୍ରାକୃତି ମାଇକ୍ରୋଚିପ୍‌ଗୁଡ଼ିକୁ ପ୍ରସ୍ତୁତ କରିବା ଯୋଗୁଁ ବର୍ତ୍ତମାନ ଦିନକୁ ଦିନ ମାନବୀୟ ସଭ୍ୟତାର ସ୍ଥାୟିତ୍ଵ ଓ ବିକାଶ ପଥରେ କମ୍ପ୍ୟୁଟରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଗୋଟିଏ ଗୋଟିଏ ମାଇକ୍ରୋଚିପ୍ ଯେପରି ବିଚକ୍ଷଣ ଭାବରେ ତଥ୍ୟ ସଞ୍ଚୟ ଓ ସଞ୍ଚାରଣ ବ୍ୟାପାରକୁ ନିର୍ଭୁଲ ଭାବରେ ତଥା ନିମିଷକ ମଧ୍ୟରେ ସମ୍ପାଦନ କରିପାରୁଛି‚ ତାହାକୁ ସଂପ୍ରତି କେବଳ ବୁଦ୍ଧିମାନ ମନୁଷ୍ୟ ହିଁ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ ବଳରେ ତଦନୁରୂପ ମାର୍ଗରେ କ୍ରିୟାଶୀଳ କରାଇଛି ଅବଶ୍ୟ‚ ଭବିଷ୍ୟତରେ ମନୁଷ୍ୟଠାରୁ କୌଣସି ନିର୍ଦ୍ଦେଶ ନପାଇ ଚିପ୍‍ଖଚିତ ଉନ୍ନତ କମ୍ପ୍ୟୁଟରଗୁଡ଼ିକ ଗୋଟିଏ ଗୋଟିଏ ବୁଦ୍ଧିମାନ ଜୀବରୂପେ ତଥା ମନୁଷ୍ୟର ନିକଟ ସମ୍ପର୍କୀୟ ମନ୍ତ୍ର-ମଣିଷ ରୂପେ କ୍ରିୟାଶୀଳ ହେବାର ସମ୍ଭାବନାକୁ ଏଡ଼ି ହେଉନାହିଁ । ମନୁଷ୍ୟ ଏହି କ୍ଳାନ୍ତିବିହୀନ ତଥା ବିଚାରବୋଧସମ୍ପନ୍ନ ଯନ୍ତ୍ର-ମଣିଷକୁ ସ୍ଵଜାତିର ଅଶେଷ କଲ୍ୟାଣ ସାଧନ ପାଇଁ ନିୟୋଜିତ କରିବା ଦିଗରେ ଆଜହୁଁ ବିହିତ ପଦକ୍ଷେପ ଗ୍ରହଣ କରିବାର ପ୍ରକୃଷ୍ଟ ସମୟ ଉପନୀତ ହେଲାଣି ।

 

ବିଜ୍ଞାନ ଜଗତରେ ସଂପ୍ରତି ‘ପାର୍ଥିବ ବିଜ୍ଞାନ’ ବା ‘ଆର୍ଥ୍-ସାଇନ୍‌ସ’ ଶୀର୍ଷକ ଯେଉଁ ଅଭିନବ ବିଭାଗଟିର ଅଭ୍ୟୁଦୟ ତଥା ଉତ୍ତରୋତ୍ତର ସମୃଦ୍ଧି ସାଧିତ ହେଉଛି‚ ତତ୍‌ଜନିତ ମାନବ ଜାତିର ଶୁଭଚିନ୍ତକମାନେ ଗଭୀର ଆତ୍ମତୃପ୍ତି ଅନୁଭବ କରୁଛନ୍ତି । ଆମର ଏକାନ୍ତ ଆଦରଣୀୟା ବସୁମାତା ଧରିତ୍ରୀରୂପୀ ମହାକାଶଯାନର ସୀମିତ ପରିବେଶ‚ ପରିସଂସ୍ଥା‚ ଭୂପୃଷ୍ଠୀୟ ମୃତ୍ତିକା ସ୍ତରର ସଂରଚନା‚ ଭୂଗର୍ଭସ୍ଥ ଶିଳାସ୍ତରର ଅଙ୍ଗବିନ୍ୟାସ ଓ ଆପେକ୍ଷିକ ଗତିଶୀଳତା ସମ୍ବନ୍ଧୀୟ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ଓ ଅନୁଶୀଳନ ଚଳାଇବା ପାଇଁ ବହୁସଂଖ୍ୟକ ମେଧାବୀ ପେଶାଦାର ବୈଜ୍ଞାନିକ ତାତ୍ତ୍ୱିକ ତଥା ଅଭିକ୍ରିୟାତ୍ମକ ଗବେଷଣାରେ ମନୋନିବେଶ କରିଛନ୍ତି । କୃତ୍ରିମ ଉପଗ୍ରହଗୁଡ଼ିକ ଜରିଆରେ ଅହୋରାତ୍ର ପୃଥିବୀ ସମ୍ପର୍କୀୟ ବହୁବିଧ ପ୍ରାମାଣିକ ତଥ୍ୟ ସଂଗ୍ରହ କରାଯାଉଛି । ପାର୍ଥିବ ବାୟୁମଣ୍ଡଳରେ ବାଦଲଗୁଡ଼ିକର ସୃଷ୍ଟି ଓ ଗତିଶୀଳତା‚ ଭୂପୃଷ୍ଠର ବିଭିନ୍ନ ଅଞ୍ଚଳର ତାପମାତ୍ରା‚ ଶସ୍ୟଶ୍ୟାମଳା ତଥା ଅନୁର୍ବର ଭୂପୃଷ୍ଠର ଚିତ୍ର‚ ଜଳଯୋଗାଣର ବହୁବିଧ ଉତ୍ସ‚ ନଗରାଞ୍ଚଳର ଭୌତିକ ପରିବେଶ ପ୍ରଭୃତି ଯାବତୀୟ ସମସ୍ୟା ସମ୍ପର୍କରେ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରାଯାଉଛି । ଭୂମିକମ୍ପ ଆଧାରିତ ଗବେଷଣା ଓ ଭୂତତ୍ତ୍ୱ ସମ୍ବନ୍ଧୀୟ ଗବେଷଣାର ପ୍ରଶଂସନୀୟ ଅଗ୍ରଗତି ଘଟୁଛି । ଭୂଗର୍ଭସ୍ଥିତ ତରଳ ବା ଅର୍ଦ୍ଧ-ତରଳ ମାଧ୍ୟମ ଉପରେ ଭାସମାନ ଶିଳାସ୍ତରଗୁଡ଼ିକର ଆପେକ୍ଷିକ ଗତିଶୀଳତା ସମ୍ପର୍କରେ ‘ମହାଦେଶୀୟ ବିଚଳନ’ (କଣ୍ଟିନେଣ୍ଟାଲ ଡ୍ରିଫ୍‌ଟ ଶିରୋନାମାରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରାଯାଉଛି । ଏତଦ୍ଦ୍ୱାରା ଭବିଷ୍ୟତରେ କେତେ ତୀବ୍ରତାସମ୍ପନ୍ନ ଭୂମିକମ୍ପ କେଉଁ ସମୟରେ ଓ କେଉଁଠାରେ ସଂଘଟିତ ହେବ‚ ତତ୍‌ସମ୍ପର୍କୀୟ ପ୍ରାକ୍‍ସୂଚନା ଯୋଗାଇଦେବା ସମ୍ଭବ ହେଲାଣି । ଚିକିତ୍ସା ବିଜ୍ଞାନ ଜଗତରେ ‘କ୍ୟାଟ୍’ (CAT) ଶୀର୍ଷକ ବିଚକ୍ଷଣଭାବେ କର୍ମନିପୁଣ ଯନ୍ତ୍ର ସାହାଯ୍ୟରେ ମନୁଷ୍ୟ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକର କ୍ରିୟାଶୀଳତା ଯେପରି ତନ୍ନ ତନ୍ନ ଭାବରେ ପରୀକ୍ଷା କରିବା ସମ୍ଭବ ହୋଇଛି‚ ଠିକ୍ ସେହିପରି ଭୂମିକମ୍ପ ଓ ଭୂଗର୍ଭସଞ୍ଚିତ, ଉପଯୋଗୀ ସମ୍ପଦ ସମ୍ବନ୍ଧରେ ଯାବତୀୟ ତଥ୍ୟ ସଂଗ୍ରହ କରିବା ପାଇଁ ସୁଗ୍ରାହୀ କର୍ମନିପୁଣ ଯନ୍ତ୍ରଗୁଡ଼ିକର ସାହାଯ୍ୟ ନିଆଯିବା ସମ୍ଭବ ହୋଇଛି ।

 

ଜ୍ୟୋତିର୍ବିଜ୍ଞାନ ଓ ପଦାର୍ଥବିଜ୍ଞାନ ମଧ୍ୟରେ ସୀମାରେଖାର ମାତ୍ରା ସଙ୍କୁଚିତ ହୋଇଯାଇଛି । ଜ୍ୟୋତିର୍ବିଜ୍ଞାନୀମାନେ ପଦାର୍ଥବିଜ୍ଞାନୀମାନଙ୍କ ତୁଲ୍ୟ କ୍ରିୟାଶୀଳ ହେଉଥିବା ବେଳେ ପଦାର୍ଥବିଜ୍ଞାନୀମାନେ ଜ୍ୟୋତିର୍ବିଜ୍ଞାନୀମାନଙ୍କ ଭଳି କର୍ମତତ୍ପର ହେଉଛନ୍ତି ଏବଂ ଉଭୟେ କର୍ତ୍ତବ୍ୟାନୁରୋଧରେ ରସାୟନବିତ୍‌ର ଦାୟିତ୍ଵ ତୁଲାଉଛନ୍ତି । ସହସ୍ର ସହସ୍ର ଆଲୋକବର୍ଷ ଦୂରତାରେ ଭାସମାନ ମହାଜାଗତିକ ବାଦଲରେ ସେମାନେ ଆମୋନିଆ ଓ ଫରମାଲ୍‌ଡିହାଇଡ୍‌ର ଆପେକ୍ଷିକ ପରିମାଣ ନିର୍ଣ୍ଣୟ କରିବାକୁ ସମର୍ଥ ହୋଇଛନ୍ତି । ଅପେକ୍ଷାକୃତ ଅଳ୍ପ ଦୂରତାରେ ଥିବା ସୌରଜଗତରେ ପ୍ଲୁଟୋ ନାମକ ଗ୍ରହଟିର ବାୟୁମଣ୍ଡଳରେ ମିଥେନ୍‌ର ପରିମାଣ ନିର୍ଣ୍ଣୟ କରିବା ପାଇଁ ଅଭିକ୍ରିୟାତ୍ମକ ଗବେଷଣା ଚାଲିଛି । ଆଧୁନିକ ଯୁଗର ପଦାର୍ଥବିଜ୍ଞାନ ଜଗତରେ ବିରୋଧାଭାସଗୁଡ଼ିକ ପ୍ରାଦୁର୍ଭାବ ବିସ୍ତାର କରିଛି । ମହାମତି ପଦାର୍ଥବିଜ୍ଞାନୀ ତଥା ପରମାଣୁ-ବିଜ୍ଞାନର ଜନକ ନିଏଲ୍‌ସ୍‌ ବୋହରଙ୍କ ମତାନୁଯାୟୀ ଯେଉଁ ବିଜ୍ଞପ୍ତିର ବିରୋଧାତ୍ମକ ବିଜ୍ଞପ୍ତିଟି ମଧ୍ୟ ଏକ ମହାସତ୍ୟ ରୂପେ ଜନମାନସରେ ପ୍ରଭାବ ବିସ୍ତାର କରେ‚ ତାହାକୁ ମହାସତ୍ୟ (ଗ୍ରେଟ୍ ଟୁଥ୍) ରୂପେ ବିଚାର କରାଯିବା ସମୀଚୀନ । ସାମ୍ପ୍ରତିକ ଯୁଗର ପଦାର୍ଥବିଜ୍ଞାନୀମାନଙ୍କ ଗଣନା ଅନୁଯାୟୀ ସୌର ବିକୀରଣରେ ଯେତିକି ପରିମାଣର ନିଉଟ୍ରିନୋ ଥିବା ସମ୍ପର୍କରେ ସୂଚନା ମିଳୁଛି‚ ଅଭିକ୍ରିୟାତ୍ମକ ଗବେଷଣା ବଳରେ ତଦପେକ୍ଷା ଯଥେଷ୍ଟ କମ୍ ନିଉଟ୍ରିନୋର ଅବସ୍ଥିତ ସମ୍ବନ୍ଧରେ ପ୍ରାମାଣିକ ତଥ୍ୟ ସଂଗ୍ରହ କରାଯାଉଛି । ଏହା ଆମ୍ଭମାନଙ୍କୁ ସ୍ପଷ୍ଟ ଭାବରେ ଚେତାଇ ଦେଉଛି ଯେ‚ ସୌର କ୍ରିୟାଶୀଳତାରେ କୌଣସି ତ୍ରୁଟି ଘଟିନାହିଁ; ମାତ୍ର ଅଜ୍ଞ ମନୁଷ୍ୟ ତାହାର କ୍ରିୟାଶୀଳତା ସମ୍ବନ୍ଧରେ ଏ ଯାବତ୍ ସମ୍ୟକ୍ ଭାବରେ ଅବଧାରିକ ହୋଇପାରିନାହିଁ । ଏ ବିଶ୍ଵର ସର୍ଜନା ଘଟିବା କାଳଠାରୁ ଯେଉଁ ନାଦ ବା ଶବ୍ଦ ସୃଷ୍ଟି ହୋଇଥିଲା‚ ସେହି ସର୍ବତ୍ର ବିରାଜମାନ ଶବ୍ଦକୁ ଶ୍ରବଣ କରିବା ପାଇଁ ମନୁଷ୍ୟ ବେତାର-ଜ୍ୟୋତିର୍ବିଜ୍ଞାନୀୟ କର୍ମକୁଶଳୀ ଯନ୍ତ୍ରଗୁଡ଼ିକୁ ସଫଳତାର ସହ ବ୍ୟବହାର କଲାଣି ।

 

ପ୍ରାକୃତିକ ବିଜ୍ଞାନ ତୁଳନାରେ ସାମାଜିକ ବିଜ୍ଞାନର ଅଗ୍ରଗତି ତୁଚ୍ଛ ମନେହେଉଛି । ଶେଷୋକ୍ତ ବିଜ୍ଞାନକୁ ପ୍ରଥମୋକ୍ତ ବିଜ୍ଞାନର ସମସ୍ତରୀୟ ଉନ୍ନତାବସ୍ତାରେ ଉପନୀତ କରାଇବା ଅବଶ୍ୟ ଗୋଟିଏ ସମୟସାପେକ୍ଷ ବ୍ୟାପାର; ମାତ୍ର ସର୍ବାଦୌ ଉପଯୁକ୍ତ ପ୍ରଶ୍ନଗୁଡ଼ିକୁ ଉତ୍‌ଥାପନ କରିବା ହିଁ ଏ ବିଷୟକ ପ୍ରଣିଧାନଯୋଗ୍ୟ ବିଷୟ ରୂପେ ବିବେଚିତ ହେଉଛି । ଆମେ ପରସ୍ପର ପ୍ରତି ଇତର ଭାବ ପୋଷଣ କରୁଛୁ ଓ ଆମେ ଏ ଦିଗରେ ଯେଉଁ ଆଚରଣବିଧି ପ୍ରୟୋଗ କରୁଛୁ‚ ତତ୍‌ସମ୍ପର୍କୀୟ ପ୍ରାକ୍‌ସୂଚନା ଯୋଗାଇଦେବା କଦାପି ସମ୍ଭବ ହେଉନାହିଁ । ଆମେ ଯେପରି ଭାବରେ ଜୀବନ ଯାପନ କରୁଛୁ‚ ତାହାର ଢାଞ୍ଚାକୁ ଯୁକ୍ତିଯୁକ୍ତ ମାର୍ଗରେ ବୁଝାଇଦେବାର ଅବକାଶ ନାହିଁ । ସମଗ୍ର ପ୍ରକୃତି କୋଳରେ ମନୁଷ୍ୟର ସ୍ଥାୟିତ୍ଵ ଓ ଭବିଷ୍ୟତର ନିରାପତ୍ତାକୁ ବ୍ୟାହତ କରିବା ଭଳି କୌଣସି ଅନିଷ୍ଟକାରୀ ଅଭିକତ୍ତା ସେହି ମନୁଷ୍ୟର ସମକକ୍ଷ ହୋଇପାରି ନାହିଁ । ଏପରି ଆସନ୍ନ ବିପଦ କବଳରୁ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ବୁଦ୍ଧି ଜୀବୀମାନଙ୍କ ପ୍ରତେକ୍ଷ ସହଯୋଗ ଏକାନ୍ତ ଜରୁରୀ ବୋଧ ହେଉଛି । ସେମାନେ ଯଦି ପୂର୍ବରୁ ମନୁଷ୍ୟ କଳ୍ପନା କରିନଥିବା କୌଣସି ସାମାଜିକ ଢାଞ୍ଚା ସମ୍ବନ୍ଧରେ ଚିତ୍ର ପ୍ରଦାନ କରିବାପୂର୍ବକ ତାହାକୁ କାର୍ଯ୍ୟକାରୀ କରାଇବାର ମାର୍ଗ ନିର୍ଦ୍ଧାରଣ ବ୍ୟାପାରର ସମ୍ପାଦନ ପାଇଁ ସେମାନେ ଠିକଣା ଭାବରେ କମ୍ପ୍ୟୁଟରଗୁଡ଼ିକୁ ବ୍ୟବହାର କରିପାରନ୍ତି‚ ତାହାହେଲେ ମନୁଷ୍ୟର ଆଗାମୀ ଯୁଗର ସମସ୍ୟା-ଗୁଡ଼ିକର ସମାଧାନ ପାଇଁ ଉପାୟ ନିର୍ଣ୍ଣୀତ ହୋଇପାରିବାର ସମ୍ଭାବନାକୁ ଏଡ଼ି ହେଉନାହିଁ ।

 

ଦ୍ଵିତୀୟ ମହାଯୁଦ୍ଧ ସଂଘଟିତ ହେବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ ବିଜ୍ଞାନ ପ୍ରତି ପ୍ରାଧାନ୍ୟ ଆରୋପିତ ହୋଇନଥିଲା । ଦ୍ଵିତୀୟ ମହାଯୁଦ୍ଧୋତ୍ତର କାଳରେ ପୃଥିବୀର ବିଭିନ୍ନ ଶିଳ୍ପୋନ୍ନତ ରାଷ୍ଟ୍ରର ପ୍ରବୀଣ ସମାଜବିଜ୍ଞାନୀ ଓ ବୁଦ୍ଧିଜୀବୀମାନେ ସରକାରଙ୍କୁ ପରାମର୍ଶ ଦେଲେ ଯେ‚ ସାମରିକ ଶକ୍ତିର ଅଭିବୃଦ୍ଧି ପାଇଁ ଏଣିକି ବିଜ୍ଞାନ ନିର୍ଭରଶୀଳ ଟେକ୍‍ନୋଲଜିଗୁଡ଼ିକର ଆଶ୍ରୟ ନେବା ଅନିବାର୍ଯ୍ୟ ହୋଇଯିବ ଏବଂ ଏଣିକି ମୌଳିକ ଗବେଷଣାର ତ୍ଵରାନ୍ଵିତ ସମୃଦ୍ଧି ସାଧନ ପାଇଁ ସୁଦୃଢ଼ ଅବସ୍ଥାପନା ପ୍ରତିଷ୍ଠା କରିବାକୁ ହେବ । ଉଦାହରଣ ସ୍ଵରୂପ‚ ଯୁକ୍ତରାଷ୍ଟ୍ର ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ସ୍ୱର୍ଗୀୟ ଆଇକେନହାୱାରଙ୍କ ହ୍ୱାଇଟ୍ ହାଉସ୍‌ସ୍ଥିତ କାର୍ଯ୍ୟାଳୟରେ ଗୋଟିଏ ବୈଜ୍ଞାନିକ ପରାମର୍ଶଦାତା କମିଟି ଗଠନ କରାଗଲା ଏବଂ ଏହାର ସର୍ବୋଚ୍ଚ ପ୍ରଶାସନିକ କ୍ଷମତା ଜନୈକ ବୈଜ୍ଞାନିକ ପରାମର୍ଶଦାତାଙ୍କ ଉପରେ ନ୍ୟସ୍ତ କରାଗଲା । ପୁଣି‚ ପୂର୍ବ ପ୍ରତିଷ୍ଠିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥର୍ କର୍ମପରିସରକୁ ଆହୁରି ଆବର୍ଦ୍ଧିତ କରାଗଲା । ମୌଳିକ ଗବେଷଣାର ପୃଷ୍ଠପୋଷକତା ପାଇଁ ରାଷ୍ଟ୍ରୀୟ ସ୍ତରରେ ନ୍ୟାସନାଲ୍ ସାଇନସ୍ ଫାଉଣ୍ଡେସନ ଶୀର୍ଷକ ଏକ ଅନୁଷ୍ଠାନକୁ କ୍ରିୟାଶୀଳ କରାଗଲା । ସରକାର ପ୍ରତ୍ୟେକ ମନ୍ତ୍ରଣାଳୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନରେ ଅଭିବୃଦ୍ଧି ଘଟାଇବା ପାଇଁ ଗବେଷଣା ଚଳାଇବା ଦିଗରେ ଯଥାବିଧି ଆନୁଷ୍ଠାନିକ ପଦକ୍ଷେପ ଗ୍ରହଣ କରାଗଲା । ବିଶେଷତଃ ପ୍ରତିରକ୍ଷା‚ କୃଷି‚ ମହାକାଶ-ବିଜ୍ଞାନ ଓ ପରମାଣୁ ଶକ୍ତି କ୍ଷେତ୍ରରେ ମୌଳିକ ଗବେଷଣା ଓ ତତ୍‌ପ୍ରସୂତ ଅବଦାନଭିତ୍ତିକ ଟେକ୍‍ନୋଲଜିଗୁଡ଼ିକର ସମୃଦ୍ଧି ସାଧନ ପାଇଁ ବିପୁଳ ଆୟୋଜନ କରାଗଲା । ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ବୈଜ୍ଞାନିକ ଗବେଷଣା ଚଳାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଏକଶହ କୋଟିରୁ କମ୍ ଅର୍ଥ ବ୍ୟୟ କରୁଥିବା ସ୍ଥଳେ ୧୯୮୦ ମସିହା ବେଳକୁ ଏ ବାବଦ ବ୍ୟୟଭାର ୩ହଜାର କୋଟି ଡଲାର ପର୍ଯ୍ୟନ୍ତ ବୃଦ୍ଧି ଲାଭ କଲା । ଆମ ଦେଶ ସ୍ଵାଧୀନତା ଲାଭ କରିବା ପରେ ବିଜ୍ଞାନପ୍ରେମୀ ସ୍ୱର୍ଗୀୟ ପଣ୍ଡିତ ନେହେରୁଙ୍କ ବଳିଷ୍ଠ ନେତୃତ୍ଵ ବଳରେ ବୈଜ୍ଞାନିକ ଗବେଷଣାର ଉତ୍ତରୋତ୍ତର ବିକାଶ ପାଇଁ ଗୋଟିଏ ସୁଦୃଢ଼ ଅବସ୍ଥାପନା ପ୍ରତିଷ୍ଠା କରାଗଲା । ସି. ଏସ୍. ଆଇ. ଆର୍. ଆନୁକୂଲ୍ୟରେ ସାରା ଦେଶର ବିଭିନ୍ନ ସ୍ଥାନରେ ଅନେକଗୁଡ଼ିଏ ଜାତୀୟ ଗବେଷଣାଗାର ପ୍ରତିଷ୍ଠା କରାଗଲା । ପଣ୍ଡିତ ନେହେରୁଙ୍କ ପ୍ରୋତ୍ସାହନ ଓ ସ୍ୱର୍ଗୀୟ ଭାଭାଙ୍କ ସାଙ୍ଗଠନିକ ଉଦ୍ୟମ ବଳରେ ପରମାଣୁ ଶକ୍ତି କମିଶନ ଗଠନ କରାଗଲା । ସାରା ଦେଶର ବିଭିନ୍ନ ରାଜ୍ୟରେ ଅନେଗୁଡ଼ିଏ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବା ସଙ୍ଗେ ସଙ୍ଗେ ସ୍ନାତକୋତ୍ତର ବିଜ୍ଞାନ ଶିକ୍ଷା ଓ ବୈଜ୍ଞାନିକ ଗବେଷଣା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଗଲା । ଏଣୁ ଅଚିରେ ପୃଥିବୀର ଅନ୍ୟାନ୍ୟ ବିଜ୍ଞାନୋନ୍ନତ ରାଷ୍ଟ୍ରଗୁଡ଼ିକ ଭଳି ଆମ ଦେଶରେ ବିଜ୍ଞାନ ଓ ତଦାଶ୍ରୟୀ ଟେକ୍‌ନୋଲଜିର ସମୃଦ୍ଧି ସାଧନ ସମ୍ଭବ ହେଲା ଏବଂ କେତେକ ଅତ୍ୟାଧୁନିକ ଟେକ୍‌ନୋଲଜି କ୍ଷେତ୍ରରେ (ଯଥା: ପରମାଣୁ ଶକ୍ତି ଉତ୍ପାଦନ ଓ ମହାକାଶ ବିଜ୍ଞାନ) ଆମ ଦେଶ ଅନ୍ୟାନ୍ୟ ବିଜ୍ଞାନୋନ୍ନତ ରାଷ୍ଟ୍ରଗୁଡ଼ିକର ସମକକ୍ଷ ହୋଇପାରିଲା । ସଂପ୍ରତି ଉତ୍କଟ ଦାରିଦ୍ର୍ୟର ବିଲୋପ ସାଧନ ଓ ଜନସାଧାରଣଙ୍କ ଜୀବନ ଧାରଣରମାନରେ ଅଭିବୃଦ୍ଧି ଘଟାଇବା ପାଇଁ ବିଜ୍ଞାନ ଓ ଟେକ୍‌ନୋଲଜିକୁ ଆମୋଘ ଅସ୍ତ୍ରରୂପେ ପ୍ରୟୋଗ କରାଯିବାର ଉଦ୍ୟମ ଅବ୍ୟାହତ ରହିଛି ଏବଂ ବୈଜ୍ଞାନିକ ଗବେଷଣାର ବ୍ୟୟଭାର ବର୍ଷକୁ ବର୍ଷ ବୃଦ୍ଧି ଲାଭ କରୁଛି ।

 

ମୁଖ୍ୟତଃ ବିଶ୍ଵବିଦ୍ୟାଳୟ ସ୍ତରରେ ମୌଳିକ ଗବେଷଣା ପାଇଁ ଆନୁଷ୍ଠାନିକ ପଦକ୍ଷେପ ଗ୍ରହଣ କରାଯାଉଛି । ଶିଳ୍ପୋନ୍ନତ ତଥା ବିକାଶଶୀଳ ରାଷ୍ଟ୍ର ନିର୍ବିଶେଷରେ ସଂପ୍ରତି ପ୍ରତ୍ୟେକ ରାଷ୍ଟ୍ରର ବିଶ୍ଵବିଦ୍ୟାଳୟସ୍ତରୀୟ ଗବେଷଣାର ସ୍ଥାୟିତ୍ଵ ଓ ଉତ୍ତରୋତ୍ତର ବିକାଶ ପାଇଁ ସରକାରୀ ପୃଷ୍ଠପୋଷକତା ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବା ଅନିବାର୍ଯ୍ୟ ହୋଇଛି । ଆଧୁନିକ ଯୁଗର ବୈଜ୍ଞାନିକ ଗବେଷଣା ବିପୁଳ ବ୍ୟୟସାପେକ୍ଷ ହୋଇଥିବା ସ୍ଥଳେ ଶିକ୍ଷା ଓ ଗବେଷଣା ଦିଗରେ ସରକାରଙ୍କ ଖର୍ଚ୍ଚ କାଟ ବ୍ୟବସ୍ଥା ଗବେଷକମାନଙ୍କୁ ମ୍ରିୟମାଣ କରିଛି । ସରକାରୀ ଅର୍ଥ ମଞ୍ଜୁରୀ ଉପରେ ସଂପୂର୍ଣ୍ଣ ଆସ୍ଥା ସ୍ଥାପନ କରି କୌଣସି ଏକ ଗବେଷଣାତ୍ମକ ବ୍ୟାପାରରେ ଆଗେଇଯିବାର ଅବକାଶ ନଥିବାରୁ ଗବେଷଣା ଆଶାନୁରୂପ ମାର୍ଗରେ ଉଧେଇ ପାରୁନାହିଁ । ପୂର୍ବରୁ ଅବଶ୍ୟ ବଦାନ୍ୟ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବିଶ୍ଵବିଦ୍ୟାଳୟ ସ୍ତରୀୟ ଗବେଷଣାର ଶ୍ରୀବୃଦ୍ଧି ସାଧନ ପାଇଁ ଅର୍ଥଦାନ କରୁଥିଲେ ଏବଂ ଏଥିପାଇଁ ପାଶ୍ଚାତ୍ୟ ବିଜ୍ଞାନୋନ୍ନତ ରାଷ୍ଟ୍ରଗୁଡ଼ିକରେ ବିଶ୍ଵବିଦ୍ୟାଳୟ ସ୍ତରୀୟ ମୌଳିକ ଗବେଷଣାର ଶ୍ରୀବୃଦ୍ଧି ସାଧିତ ହୋଇଥିଲା । ମାତ୍ର ସଂପ୍ରତି ଗବେଷଣାର ବ୍ୟୟଭାର ଏତେ ଅଧିକ ହୋଇଛି ଯେ‚ କୌଣସି ଏକ ନିର୍ଦ୍ଦିଷ୍ଟ ଗବେଷଣା ପାଇଁ ସମସ୍ତ ଆନୁସଙ୍ଗିକ ଉପକରଣ ଓ ସୁବିଧା ଯୋଗାଇ ଦେବା କୌଣସି ବଦାନ୍ୟ ପ୍ରତିଷ୍ଠାନ ବା ବ୍ୟକ୍ତିବିଶେଷଙ୍କ ପକ୍ଷରେ ସମ୍ଭବ ହେଉନାହିଁ ଏବଂ ଏପରି ଦାନ କେବଳ ସମୁଦ୍ରକୁ ଶଙ୍ଖେ ପଣା ପରି ବିବେଚିତ ହେଉଛି ।

 

ସରକାରୀ ପୃଷ୍ଠପୋଷକତାରେ ପରିଚାଳିତ ଜାତୀୟ ଗବେଷଣାଗାର ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବ୍ୟତୀତ ଘରୋଇ ବା ବେସରକାରୀ ଭାବରେ ମୌଳିକ ଗବେଷଣାର ଶ୍ରୀବୃଦ୍ଧି ସାଧନ ପାଇଁ ବୃହଦାକୃତି ଶିଳ୍ପାନୁଷ୍ଠାନ ବା ମଲ୍‌ଟିନ୍ୟାସନାଲ କର୍ପୋରେସନଗୁଡ଼ିକରେ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଇ ମାତ୍ର ଅଳ୍ପ କିଛି ବର୍ଷ ପୂର୍ବରୁ ପାଶ୍ଚାତ୍ୟ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକରେ ଶିଳ୍ପାନୁଷ୍ଠାନଗୁଡ଼ିକର ପୃଷ୍ଠପୋଷକତା ବଳରେ ବୈଷୟିକ ଗବେଷଣାକୁ ପୃଥକ୍ ତଥା ଗୋପନୀୟ ଭାବରେ ପରିଚାଳନା କରାଯାଇଥିଲା । ମାତ୍ର ଇତ୍ୟବସରରେ ଏହି ପ୍ରଥାରେ ପରିବର୍ତ୍ତନ ଘଟୁଥିବାର ଶୁଭ ସଙ୍କେତ ପ୍ରତିଭାତ ହେଲାଣି । ସୁପ୍ରସିଦ୍ଧ ବୃହଦାକୃତି କର୍ପୋରେସନଗୁଡ଼ିକ ଗବେଷଣାର ତ୍ୱରାନ୍ୱିତ ସମୃଦ୍ଧି ସାଧନ ପାଇଁ ବିଶ୍ଵବିଦ୍ୟାଳୟଗୁଡ଼ିକୁ ଅକାତରରେ ଅର୍ଥଦାନ କରୁଛନ୍ତି । କାଲଟେକ୍‚ ଏମ. ଆଇ. ଟି. ପ୍ରଭୃତି ସୁଖ୍ୟାତିସମ୍ପନ୍ନ ବିଶ୍ଵବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ମଲ୍‌ଟିନ୍ୟାସନାଲ କର୍ପୋରେସନଗୁଡ଼ିକର ବଦାନ୍ୟତା ଫଳରେ ଉଚ୍ଚ କୋଟୀର ମୌଳିକ ଗବେଷଣା ପରିଚାଳିତ ହେଲାଣି । ରସାୟନ ଶାସ୍ତ୍ର, ପଦାର୍ଥବିଜ୍ଞାନ ଓ ଆଣବିକ ଜୀବ-ବିଜ୍ଞାନ ଆଧାରିତ ଗବେଷଣାଗୁଡ଼ିକର ସୁପରିଚାଳନା ପାଇଁ ବ୍ୟାବସାୟିକ ସଂଗଠନଗୁଡ଼ିକର ଏଭଳି ଉଦ୍ୟମ ବେଶ୍ ଅନୁକୂଳ ହୋଇଛି ଏବଂ ଏତଦ୍ଦ୍ୱାରା ସେମାନେ ମଧ୍ୟ ପ୍ରକାରାନ୍ତରରେ ଲାଭବାନ୍ ହେଉଛନ୍ତି । ଅନ୍ୟାନ୍ୟ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଭଳି ଆମ ଦେଶ ପରି ଗୋଟିଏ ବିକାଶଶୀଳ ରାଷ୍ଟ୍ରର ଶିଳ୍ପପତିମାନେ ମଧ୍ୟ ମୌଳିକ ଗବେଷଣାର ଶ୍ରୀବୃଦ୍ଧି ସାଧନ ପାଇଁ ବଦାନ୍ୟ ମନୋଭାବ ପୋଷଣ କରିଛନ୍ତି । ଏ ଦିଗରେ ଟାଟା ପରିବାରର ଐତିହାସିକ ଉଦ୍ୟମ ବିଶେଷ ଉଲ୍ଲେଖନୀୟ । ମାତ୍ର ଆମ ଦେଶରେ ପୁଞ୍ଜିପତିମାନଙ୍କ ସଂଖ୍ୟା ବିଶେଷ କମ୍ ହୋଇଥିବାରୁ ଏବଂ ବ୍ୟବସାୟୀମାନେ ପ୍ରାୟତଃ ମୌଳିକ ଗବେଷଣାର ମହନୀୟତା ଉପଲବ୍‌ଧି କରିପାରିବା ଭଳି ବୌଦ୍ଧିକ ପରିବେଶର ସର୍ଜନା ସମ୍ଭବ ହୋଇ ନଥିବାରୁ ବିଶ୍ଵବିଦ୍ୟାଳୟ ସ୍ତରୀୟ ମୌଳିକ ଗବେଷଣାର ସୁପରିଚାଳନା ପାଇଁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଅର୍ଥ ଯୋଗାଇ ଦେବାର ମାତ୍ରା ବିଶେଷ ଲକ୍ଷ୍ୟଣୀୟ ହୋଇନାହିଁ ।

 

ମିଶ୍ରିତ ଅର୍ଥନୀତି ପ୍ରଚଳିତ ପାଶ୍ଚାତ୍ୟ ବିଜ୍ଞାନୋନ୍ନତ ରାଷ୍ଟ୍ରଗୁଡ଼ିକରେ ଏକ ପକ୍ଷରେ ମଲ୍‌ଟିନ୍ୟାସନାଲ କର୍ପୋରେସନ ଓ ଅପର ପକ୍ଷରେ ବିଶ୍ଵବିଦ୍ୟାଳୟ ମଧ୍ୟରେ ମୌଳିକ ପୃଷ୍ଠପୋଷକତା ଦିଗରେ ସୂସ୍ଥ ଭାବ ବିନିମୟ ଭିତ୍ତିକ ପରମ୍ପରା ସୃଷ୍ଟି କରାଯିବା ଦିଗରେ ବୁଦ୍ଧିଜୀବୀମାନେ ଗୁରୁତ୍ଵ ଆରୋପ କଲେଣି । ବେସରକାରୀସ୍ତରରେ ସହଯୋଗିତାମୂଳକ ଦୃଷ୍ଟିଭଙ୍ଗୀ ବିନିମୟରେ ମୌଳିକ ଗବେଷଣା ପରିଚାଳନା କରାଯିବାଦ୍ଵାରା ଜାତୀୟ ପ୍ରଗତିର ଧାରା ତଥା ଦେଶର ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ ବୋଲି ସେମାନେ ସୁଚିନ୍ତିତ ମତ ବ୍ୟକ୍ତି କରୁଛନ୍ତି । ଅବଶ୍ୟ ସଂପ୍ରତି ମୁଷ୍ଟିମେୟ ବ୍ୟାବସାୟିକ ପ୍ରତିଷ୍ଠାନ ନିଜ ନିଜ ସ୍ଵାର୍ଥ ଦୃଷ୍ଟିରୁ ବିଶ୍ଵବିଦ୍ୟାଳୟସ୍ତରୀୟ ଗବେଷଣାର ପୃଷ୍ଠପୋଷକତା ପାଇଁ ଆଗଭର ହୋଇଛନ୍ତି; ମାତ୍ର ସେମାନଙ୍କ ସଂଖ୍ୟା ଆଶାନୁରୂପ ହୋଇପାରି ନାହିଁ । ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଅଦ୍ୟାବଧି ମୁଖ୍ୟତଃ ପ୍ରୟୋଗାତ୍ମକ ଗବେଷଣାର ଶ୍ରୀବୃଦ୍ଧି ସାଧନ ତଥା ସ୍ଵୀୟ ପ୍ରତିଷ୍ଠାନରେ ଉତ୍ପାଦିତ ସାମଗ୍ରୀଗୁଡ଼ିକର କାଟ୍‌ତି ପ୍ରତି ପ୍ରାଧାନ୍ୟ ଆରୋପ କରୁଛନ୍ତି । ମୌଳିକ ଗବେଷଣାର ମହନୀୟତା ଓ ସୁଦୂରପ୍ରସାରୀ ଭୂମିକା ସମ୍ପର୍କରେ ସେମାନେ ଏ ଯାବତ୍ ସଚେତନ ହୋଇ ନାହାନ୍ତି । ଅପର ପକ୍ଷେ ବିଶ୍ଵବିଦ୍ୟାଳୟରେ ଗବେଷଣାରତ ଗବେଷକମାନେ ନୂଆ ନୂଆ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର ପ୍ରସ୍ତୁତି ପ୍ରତି କୌଣସି ଗୁରୁତ୍ଵ ଆରୋପ କରିବା ପରିବର୍ତ୍ତେ ନିଜ ନିଜ ସୃଷ୍ଟିଶୀଳ ପ୍ରତିଭା ବିନିମୟରେ ପ୍ରକୃତିର ରହସ୍ୟେଦ୍‌ଘାଟନ ବ୍ୟାପାର ପ୍ରତି ଅଗ୍ରାଧିକାର ଆରୋପ କରୁଛନ୍ତି । ଉଭୟ ପକ୍ଷର ଗବେଷଣାର ଆଭିମୁଖ୍ୟ ଆପାତତଃ ପରସ୍ପରର ବିରୋଧାତ୍ମକ ହୋଇଥିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ପକ୍ଷ ଅପର ପକ୍ଷ ପ୍ରତି ଅସୂୟୀସୂଚକ ମନୋଭାବ ପୋଷଣ କରୁଛନ୍ତି । ବିଶ୍ଵବିଦ୍ୟାଳୟମାନଙ୍କରେ ଗବେଷଣାରତ ଗବେଷକମାନେ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଅର୍ଥଲୋଲୁପୀ ଦୋଷରେ ଅଭିଯୁକ୍ତ କରୁଥିବା ସ୍ଥଳେ ପୁଞ୍ଜିପତିମାନେ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକମାନଙ୍କୁ ସ୍ଵପ୍ନ ରାଜ୍ୟରେ ବିଚରଣ କରୁଥିବା କଳ୍ପନାବିଳାସୀ ବ୍ୟକ୍ତି ରୂପେ ଚିତ୍ରଣ କରୁଛନ୍ତି-। ମାତ୍ର ଆଶ୍ଚର୍ଯ୍ୟର କଥା ଯେ‚ ଜାପାନରେ ସରକାର‚ ବ୍ୟାବସାୟିକ ପ୍ରତିଷ୍ଠାନ‚ ବିଶ୍ଵବିଦ୍ୟାଳୟ ଓ ପୁଞ୍ଜି ପତିମାନଙ୍କ ମଧ୍ୟରେ ଏପରି ଉତ୍ତମ ଭାବ ବିନିମୟ ଘଟିପାରିଛି ଯେ‚ ଉଭୟ ମୌଳିକ ଗବେଷଣା ଓ ବୈଷୟିକ ଗବେଷଣାର ତ୍ଵରାନ୍ଵିତ ସମୃଦ୍ଧି ସାଧନ ପାଇଁ ସେହି ଦେଶରେ ପ୍ରଶଂସନୀୟ ଓ ଅନୁକରଣୀୟ ପଦକ୍ଷେପଗୁଡ଼ିକୁ ଗ୍ରହଣ କରାଯାଇଛି । ଏହି କ୍ଷୁଦ୍ର ରାଷ୍ଟ୍ରଟି ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ବ୍ୟାପାରରେ ସମଗ୍ର ପୃଥିବୀରେ ବର୍ତ୍ତମାନ ଅଧିକରୁ ଅଧିକ ପ୍ରାଧାନ୍ୟ ବିସ୍ତାର କରୁଥିବାର ଚମକପ୍ରଦ ଅନୁଭୂତି ଅନ୍ୟାନ୍ୟ ଶିଳ୍ପୋନ୍ନତ ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଜ୍ଞାନଚକ୍ଷୁ ଉନ୍ମୀଳନ କରିବାକୁ ସମର୍ଥ ହୋଇଛି ।

 

ଗବେଷଣା ଚଳାଇବା ପାଇଁ ବିଶ୍ଵବିଦ୍ୟାଳୟମାନଙ୍କରେ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର କର୍ତ୍ତୃତ୍ତ୍ୱାଧୀନରେ ପରିଚାଳିତ ଗବେଷଣାଗାରଗୁଡ଼ିକରେ ଯେଉଁ ଆଭିମୁଖ୍ୟ ବଜାୟ ରହିଛି‚ ସେଥିରେ ବିରୋଧାତ୍ମକ ଭାବ ପ୍ରକଟିତ ହେଉଛି । କର୍ପୋରେସନଗୁଡ଼ିକ ବଜାରକୁ ଖାଉଟୀମାନଙ୍କ ବ୍ୟବହାରଯୋଗ୍ୟ ନୂଆ ନୂଆ ଉପକରଣ ପଠାଇବା ଉଦ୍ଦେଶ୍ୟରେ ମୁଖ୍ୟତଃ ପ୍ରୟୋଗାତ୍ମକ ଦୃଷ୍ଟିକୋଣରୁ ଗବେଷଣା ପ୍ରତି ପ୍ରାଧାନ୍ୟ ଆରୋପ କରୁଛନ୍ତି ଏବଂ ପ୍ରତ୍ୟେକ କର୍ପୋରେସନ କର୍ତ୍ତୃତ୍ତ୍ୱାଧୀନରେ ପରିଚାଳିତ ଗବେଷଣାକୁ ବ୍ୟାବସାୟିକ ପ୍ରତିଯୋଗିତା ଦୃଷ୍ଟିକୋଣରୁ ଗୋପନୀୟ ରହିବାର ଅବକାଶ ନାହିଁ ଏବଂ ଗବେଷଣଲବ୍‌ଧଫଳକୁ ଯଥାଶୀଘ୍ର ଅନ୍ୟ ସମଧର୍ମୀଗବେଷକ ମାନଙ୍କ ନିକଟରେ ପହଞ୍ଚାଇଦେବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ପୃଥିବୀର ବିଭିନ୍ନ ଦେଶର ରାଷ୍ଟ୍ରୀୟ ଗବେଷଣାତ୍ମକ ପ୍ରତିଷ୍ଠାନ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ଗବେଷଣାରତ ଗବେଷକମାନେ ପାରସ୍ପରିକ ସହଯୋଗଗିତା ତଥା ସ୍ଥଳ ବିଶେଷରେ ସଂଘବଦ୍ଧ ଉଦ୍ୟମ ବିନିମୟରେ ପ୍ରାକୃତିକ ଗବେଷଣାର ସମୃଦ୍ଧି ସାଧନ କରୁଛନ୍ତି । ମାତ୍ର ଗବେଷଣା ଚଳାଇବାର ଏପରି ପରସ୍ପରର ବିରୋଧାତ୍ମକ ଆଭିମୁଖ୍ୟ ଓ ଅସୂସ୍ଥ ପରମ୍ପରାକୁ ଅବ୍ୟାହତ ରଖିବା ଆଉ ସମ୍ଭବ ଜଣାପଡ଼ୁନାହିଁ । ସମ୍ପ୍ରତି ମୌଳିକ ଗବେଷଣା ଜଗତରେ ପ୍ରାକୃତିକ କ୍ରିୟାଶୀଳତାର ଯେଉଁ ପ୍ରକାର ରହସ୍ୟେଦ୍‌ଘାଟନ ପାଇଁ ଉଦ୍ୟମ ଚାଲିଛି‚ ତାହାର ଫଳ ପ୍ରକାଶିତ ହୋଇଯିବା ପରେ ସେହି ଗବେଷଣାଲବ୍‍ଧ ଅବଦାନଭିତ୍ତିକ ଟେକ୍‌ନୋଲୋଜିଗୁଡ଼ିକର ଉଦ୍ଭାବନ ଓ ବହୁଳ ଉପଯୋଗ ପାଇଁ ନିଶ୍ଚିତ ଭାବରେ ବିପୁଳ ଆୟୋଜନ କରାଯିବ । କାରଣ‚ ଖାଉଟୀମାନଙ୍କ ଚାହିଦା ପୂରଣ କରିବା ସଙ୍ଗେ ସଙ୍ଗେ ପରିବେଶ ଓ ପରିସଂସ୍ଥାକୁ ନିର୍ମଳ ରଖିବା ପାଇଁ ତଥା ଜନସାଧାରଣଙ୍କ କ୍ରମବର୍ଦ୍ଧମାନ କାମନାର ପରିପୂରଣ ପରିବର୍ତ୍ତେ ସେମାନଙ୍କ ଜୀବନ ଧାରଣର ଚାହିଦା ପୂରଣ ପାଇଁ ଉଦ୍ଦିଷ୍ଟ ଅଭିନବ ଟେକ୍‌ନୋଲଜିଗୁଡ଼ିକର କାଟ୍‌ତି ବିଶେଷ ଭାବରେ ବୃଦ୍ଧି ଲାଭ କରିବ । ଏଣୁ ଯେଉଁ କର୍ପୋରେସନଗୁଡ଼ିକ ପୂର୍ବରୁ ମୌଳିକ ଗବେଷଣା ସହ ଜଡ଼ିତ ହୋଇ ନଥିବେ ଏବଂ ଭବିଷ୍ୟତର ଠିକଣା ମୁକାବିଲା କରିବାକୁ ପ୍ରସ୍ତୁତ ହୋଇ ନଥିବେ, ସେଗୁଡ଼ିକ ବ୍ୟବସାୟିକ ପ୍ରତିଯୋଗିତାରେ ନିଶ୍ଚିତ ଭାବରେ ପରାସ୍ତ ହୋଇଯିବେ । ବ୍ୟବସାୟିକ କର୍ପୋରେସନଗୁଡ଼ିକ ନିଜ ନିଜ ଉତ୍ପାଦିତ ସାମଗ୍ରୀର କର୍ମନୈପୁଣ୍ୟ ଓ ସୁଦୂରପ୍ରସାରୀ ଶୁଭଙ୍କରୀ ଉପଯୋଗ ସମ୍ବଦ୍ଧରେ ସଚେତନ ହେବା ପାଇଁ ତଥା ଅନ୍ତଃରାଷ୍ଟ୍ରୀୟ ବଜାରରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର କାଟ୍‌ତିକୁ ବଢ଼ାଇବା ପାଇଁ ଆଜହୁଁ ମୌଳିକ ଗବେଷଣା ନିର୍ଭରଶୀଳ ହେବାକୁ ହିଁ ବାଧ୍ୟ ହେବେ; ନଚେତ୍ ସେଗୁଡ଼ିକ ଦେବାଳିଆ ହୋଇଯିବାର ପ୍ରାୟତଃ ନିଶ୍ଚିତ ସମ୍ଭାବନାକୁ ଏଡ଼ି ହେବନାହିଁ । ଅପର ପକ୍ଷେ‚ ବିଶ୍ୱବିଦ୍ୟାଳୟରେ କର୍ମରତ ଗବେଷକମାନେ ସଚେତନ ହେଲେଣି ଯେ‚ କେବଳ ‘ଆଇଭରି ଟାୱାର’ ଭିତ୍ତିକ କଳ୍ପନାବିଳାସୀ ମନୋଭାବ ପୋଷଣ କରି ପ୍ରକୃତିର ରହସ୍ୟୋଦ୍‌ଘାଟନ ପାଇଁ ପୂର୍ବବତ୍ ଯନ୍ତ୍ରଶୀଳ ହେବାଦ୍ୱାରା ବିପୁଳ ବ୍ୟୟସାପେକ୍ଷ ଗବେଷଣାର ଅଗ୍ରଗତି ପାଇଁ ସେମାନଙ୍କୁ ଅର୍ଥ ଯୋଗାଇଦେବା ଆଉ ସମ୍ଭବ ହେବ ନାହିଁ । ପ୍ରାକୃତିକ ଗବେଷଣାଲବ୍ଧ ଅବଦାନଗୁଡ଼ିକର ସୁଦୁରପ୍ରସାରୀ ତଥା ଜନ-କଲ୍ୟାଣକାମୀ ଉପଯୋଗଗୁଡ଼ିକ ସମ୍ବନ୍ଧରେ ସେମାନେ ଜନସାଧାରଣଙ୍କୁ ଓ ପୁଞ୍ଜିପତି-ମାନଙ୍କୁ ସମ୍ୟକ୍ ଦିକ୍‍ଦର୍ଶନ ଯୋଗାଇ ଦେବାଦ୍ଵାରା ହିଁ ଆର୍ଥିକ ଅନାଟନ ଗବେଷଣାର ଉତ୍ତୋରତ୍ତୋର ସମୃଦ୍ଧି ସାଧନ ପଥରେ ଅନ୍ତରାୟ ସୃଷ୍ଟି କରିବା ନାହିଁ । ବ୍ୟବସାୟୀମାନେ ଗବେଷଣାଲବ୍‍ଧ ଅବଦାନଗୁଡ଼ିକର ସୁଦୂରପ୍ରସାରୀ ତଥା ଶୁଭଙ୍କରୀ ଓ ଲାଭ-ପ୍ରଦାୟକ ଉପଯୋଗ ସମ୍ବନ୍ଧରେ ସଚେତନ ହେବାଦ୍ୱାରା ତଥା ଏପରି ଇନୋଭେସନ-ପ୍ରବଣ ମନୋବୃତ୍ତି ବିନିମୟରେ ନିଜ ନିଜ କର୍ତ୍ତୂତ୍ତ୍ୱାଧୀନରେ ପରିଚାଳିତ ଗବେଷଣା-ଗାରଗୁଡ଼ିକରେ ଏଗୁଡ଼ିକର ପ୍ରୟୋଗାତ୍ମକ ଉପଯୋଗ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ବିଶ୍ଵବିଦ୍ୟାଳୟସ୍ଥିତ ବିଶେଷଜ୍ଞମାନଙ୍କ ପରାମର୍ଶ ଗ୍ରହଣ କରିବା ଦ୍ଵାରା ବିଜ୍ଞାନ ନିର୍ଭରଶୀଳ ସଭ୍ୟତାର ଶୁଭଙ୍କରୀ କ୍ରମବିକାଶ ପଥରେ ସହାୟକ ହୋଇପାରିବେ ଏବଂ ନିଜ ନିଜର ତଥା ରାଷ୍ଟ୍ରୀୟ ଉତ୍ପାଦନର ଅଭିବୃଦ୍ଧି ପଥରେ ଠିକଣା ପଦକ୍ଷେପ ଗ୍ରହଣ କରିପାରିବେ-। ଜାପାନ ଦେଶ ଏ ଦିଗରେ ପଥପ୍ରଦର୍ଶନକାରୀ ଭୂମିକା ଗ୍ରହଣ କରିଛି ଏବଂ ଏହି କ୍ଷୁଦ୍ର ତଥା ଇନ୍ମୋଭେସନ୍‌ପ୍ରବଣ ରାଷ୍ଟ୍ରଟି ଇଲେକ୍‍ଟ୍ରୋନିକ ଉପକରଣ, ଇଞ୍ଜିନଚାଳିତ ଯାନ, ଜୈବ ପ୍ରଯୁକ୍ତି ବିଦ୍ୟାଅନ୍ତର୍ଭୁ ଭେଷଜ ଦ୍ରବ୍ୟଗୁଡ଼ିକର ପ୍ରସ୍ତୁତି ଆଧାରିତ ଆନ୍ତଃରାଷ୍ଟ୍ରିୟ ବାଣିଜ୍ୟ କ୍ଷେତ୍ରରେ ସମ୍ପ୍ରତି ଯୁକ୍ତ ଆମେରିକାକୁ ଟପିଲାଣି । ଆମ ଦେଶର ସରକାର, ବିଶ୍ଵବିଦ୍ୟାଳୟ ଓ ବ୍ୟବସାୟୀମାନେ ଜାପାନ ଦେଶର ଏପରି ଅନୁକରଣୀୟ ତଥା ଆଦର୍ଶ କର୍ମପଦ୍ଧତିର ଅନୁଗାମୀ ହେବା ଏକାନ୍ତ ବାଞ୍ଛନୀୟ ବୋଧହେଉଛି । ଆମ ଦେଶର ବ୍ୟବସାୟୀମାନଙ୍କ ମାନସପଟରେ ମୌଳିକ ଗବେଷଣାର ମହନୀୟତା ସମ୍ପର୍କରେ ସମ୍ୟକ୍ ଧାରଣା ସୃଷ୍ଟି କରାଯିବା ସମ୍ଭବ ହେଲେ ସେମାନେ ବିଶ୍ଵବିଦ୍ୟାଳୟସ୍ତରୀୟ ତଥା ରାଷ୍ଟ୍ରୀୟ ଗବେଷଣାଗାର ସ୍ତରୀୟ ଶ୍ରୀବୃଦ୍ଧି ସାଧନ ପାଇଁ ଯଥାଶକ୍ତି ଅର୍ଥ ଯୋଗାଇଦେବାକୁ ବିମୁଖ ହେବେ ନାହିଁ । ଆମ ଦେଶର ଜନସମ୍ବଳ, ଜନସାଧାରଣଙ୍କ ଚାହିଦା, ପ୍ରାକୃତିକ ସମ୍ପଦକୁ ଚାହିଁ ମୌଳିକ ଗବେଷଣାଲବ୍‌ଧ ଆବଦାନଗୁଡ଼ିକର ଯଥାର୍ଥ ପ୍ରାୟୋଗିକ ଉପଯୋଗ କରାଯିବା ସମ୍ଭବ ହେଲେ ଦାରିଦ୍ର୍ୟ ଓ ବେକାରୀ ସମସ୍ୟାର ସମାଧାନର ପଥ ସୁଗମ ହୋଇଯିବ । ସୁଖର କଥା ଯେ, ଆମ ସରକାର ଓ ଆମ ଦେଶର ବ୍ୟବସାୟୀମାନେ ଏ ଦିଗରେ ସଚେତନ ହେବାର ଶୁଭ ଲକ୍ଷଣ ପ୍ରତିଭାତ ହେଲାଣି । ଏଣୁ ଆମେ ଆଶା କରିବା ଯେ, ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗିତା ସୂତ୍ରରେ ଗ୍ରଥିତ ହୋଇ ଆମ ଦେଶରେ ବୈଜ୍ଞାନିକ ଓ ବ୍ୟବସାୟୀମାନେ ବିଜ୍ଞାନ ଓ ଟେକ୍‌ନୋଲଜିର ବହୁଳ ଉପଯୋଗ ପାଇଁ ଯତ୍ନଶୀଳ ହେବାଦ୍ଵାରା ଆମେ ବିଶେଷ ଲାଭବାନ୍ ହୋଇପାରିବା । କାରଣ ଏତଦ୍ଦ୍ୱାରା ଆମ ଦେଶର ଖାଉଟୀମାନଙ୍କ ଚାହିଦା ପୂରଣ ହେବା-ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ବଜାରମାନଙ୍କରେ ଆମ ଦେଶରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର କାଟ୍‌ତି ବେଶ୍ ବୃଦ୍ଧିଲାଭ କରିବ ।

 

।। ୩ ।।

 

ପ୍ରକୃତପକ୍ଷେ ଠିକ୍ ୩୦୦ବର୍ଷ ପୂର୍ବରୁ ବିଜ୍ଞାନର ଅୟମାରମ୍ବ ଘଟି ନଥିଲା । କୌତୁହଳପରାୟଣତା ମନୁଷ୍ୟର ଏକ ଚାରିତ୍ରିକ ଓ ଅନୁବଶିକ ବୈଶିଷ୍ଟ୍ୟ । ସେ ଆଦିମ କାଳରୁ କେବଳ ସ୍ଵୀୟ ଚିନ୍ତନପ୍ରକ୍ରିୟା ଓ କଳ୍ପନାପ୍ରବଣତା ବିନିମୟରେ ପ୍ରାକୃତିକ ରହସ୍ୟୋଦ୍‌ଘାଟନ ପାଇଁ ଯତ୍ନଶୀଳ ହୋଇଛି । ପ୍ରକୃତି ଉପାସନ ସତ୍ୟନିଷ୍ଠ ମନୁଷ୍ୟ ଦାର୍ଶନିକ ମନୋଭାବାପନ୍ନ ହୋଇ ପ୍ରାକୃତିକ ଦର୍ଶନର ସମୃଦ୍ଧି ସାଧନ ବଳରେ ନିଜର ଜ୍ଞାନ-ଭଣ୍ଡାରକୁ ପରିପୁଷ୍ଟ କରିଛି । ଆଧୁନିକ ଯୁଗରେ ଆମେ ଯେଉଁ ପ୍ରକାର କ୍ରିୟାଶୀଳତାକୁ ବିଜ୍ଞାନ ରୂପେ ଚିତ୍ରଣ କରୁଛୁ, ତାହାର ଅଭ୍ୟୁଦୟ ୩୦୦ ବର୍ଷ ପୂର୍ବରୁ ଘଟିଛି ବୋଲି କୁହାଯିବାର ଏକମାତ୍ର ତାତ୍ପର୍ଯ୍ୟ ହେଉଛି ଯେ, ସେହି କାଳଠାରୁ ମନୁଷ୍ୟର ଚେତନାର କ୍ରମଉତ୍ତରଣର ପରିଣତ ସ୍ଵରୂପ ସେ ଅଭିକ୍ରିୟାତ୍ମକ ଗବେଷଣା ଅବଲମ୍ବନରେ ପ୍ରକୃତିର ରହସ୍ୟ ଉନ୍ମୋଚନ କରିବାକୁ ଶ୍ରେୟସ୍କର ମଣିଛି । ମନୁଷ୍ୟ ନିଜର ବ୍ୟକ୍ତିଗତ, ସାମାଜିକ ଓ ରାଷ୍ଟ୍ରୀୟ ଚାହିଦାଗୁଡ଼ିକର ପୂରଣ ପାଇଁ ଏହି ବିଂଶ ଶତାବ୍ଦୀରେ ହିଁ ବିଜ୍ଞାନ ଓ ତତ୍‌ନିର୍ଭରଶୀଳ ଟେକ୍‌ନୋଲଜିଗୁଡ଼ିକୁ ଅମୋଘ ଅସ୍ତ୍ରରୂପେ ବ୍ୟବହାର କରିଛି ଏବଂ ବିଶେଷତଃ ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ତାହାର ଏ ରୂପ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ହିଁ ସଭ୍ୟତାର ଗତିପଥକୁ ନିୟନ୍ତ୍ରଣ କରୁଛି । ପୁନଃ ପୁନଃ ଅଭିକ୍ରିୟାତ୍ମକ ଗବେଷଣା ବଳରେ କୌଣସି ଏକ ତତ୍ତ୍ଵର ସତ୍ୟାପନ ଓ ସେହି ତତ୍ତ୍ଵର ବହୁମୁଖୀ ପ୍ରାୟୋଗିକ ଉପଯୋଗ ବଳରେ ମନୁଷ୍ୟର ଚାହିଦା ପୂରଣ ହିଁ ବିଜ୍ଞାନ ନିର୍ଭରଶୀଳ ସଭ୍ୟତାର ଅଭିମୁଖ୍ୟ ରୂପେ ବିବେଚିତ ହେଉଛି । ଏଥିପାଇଁ ଆମେ ଥରକୁ ଥର ଅନିଶ୍ଚିତତା, ବିଭାନ୍ତି ଓ ହତାଶ ଭାବର ବଶବର୍ତ୍ତୀ ହେବାକୁ ବାଧ୍ୟ ହେଉଛୁ । ଅନିବାର୍ଯ୍ୟ ଭାବରେ ବିଜ୍ଞାନ ନିର୍ଭରଶୀଳତା ପାଇଁ ଆମେ ଏପରି ତାଡ଼ନା ସହ୍ୟ କରିବାକୁ ବାଧ୍ୟ ହୋଇଛୁ । ଅବଶ୍ୟ, ବୈଜ୍ଞାନିକ ଗବେଷଣାର ନିରବଚ୍ଛିନ୍ନ ସଘଟନ ଯୋଗୁଁ ମନୁଷ୍ୟ ଅବିଶ୍ରାନ୍ତ ଭାବରେ ଜ୍ଞାନଲୋକ ପ୍ରାପ୍ତ ହୁଏ ନାହିଁ । ନବଚେତନାର ଉନ୍ମେଷ ନିରବଚ୍ଛିନ୍ନ ଭାବରେ ଘଟେନାହିଁ । ଏହାର ଉନ୍ମେଷ ଘଟେ ସାମୟିକ ଭାବରେ । ବିଜ୍ଞାନ ବଳରେ ମନୁଷ୍ୟର ସମସ୍ତ ଅସମାଧିକ ସମସ୍ୟାର ସମାଧାନ ହୋଇପାରେ ନାହିଁ; କିମ୍ବା ଏଥିପାଇଁ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ସମ୍ପୂର୍ଣ୍ଣ ଭାବରେ ଉନ୍ମୋଚିତ ହୁଏ ନାହିଁ । ପ୍ରତି ଯୁଗରେ, ପ୍ରତି ଶତାବ୍ଦୀରେ ମନୁଷ୍ୟର ଚେତନାର କ୍ରମଉତ୍ତରଣ ଘଟୁଛି । ଆମେ କଦାପି ଦୃଢ଼ ସ୍ଵରରେ ମତ ବ୍ୟକ୍ତ କରିପାରିବା ନାହିଁ ଯେ, ମୌଳିକଗବେଷଣାର ସମୃଦ୍ଧି ସାଧନ ଯୋଗୁଁ ଆଗାମୀ କିଛି ବର୍ଷ ମଧ୍ୟରେ ମନୁଷ୍ୟର ମାନସପଟରୁ ସର୍ବବିଧ ସଂଶୟ ବା କୌତୁହଳର ଅବମାନ ଘଟିପାରିବ । ଆମେ କେବଳ ଏତିକି ମାତ୍ର ସୁଚାଇ ପାରିବା ଯେ, ମନୁଷ୍ୟ ମୌଳିକ ଗବେଷଣାର ସମୃଦ୍ଧି ସାଧନ କରିବାଦ୍ଵାରା ସ୍ଵୀୟ କାର୍ଯ୍ୟଦକ୍ଷତାର ସର୍ବୋଚ୍ଚ ସୀମା ସମ୍ପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ଏ ବିଶ୍ୱର ଗୋଟିଏ ବିଚାରବୋଧସମ୍ପନ୍ନ ପ୍ରାଣୀ ରୂପେ ନିଜ ଭବିଷ୍ୟତର କର୍ମସୂଚୀକୁ ଶୁଭଙ୍କରୀ ମାର୍ଗରେ ପ୍ରଣୟନ କରିବା ପାଇଁ ଅଧିକରୁ ଯୋଗ୍ୟତାର ଅଧିକାରୀ ହୋଇପାରିବ ।

 

।। ୪ ।।

 

ବୈଜ୍ଞାନିକ କ୍ରିୟାଶୀଳତାର ସ୍ଵରୂପ ଓ ଟେକ୍‌ନୋଲଜି ବଳରେ ଏହାର ଅନିଷ୍ଟକାରୀ ତଥା ଶୁଭଙ୍କରୀ ଉପଯୋଗ ସମ୍ବନ୍ଧରେ ସଚେତନ ହୋଇ ମଧ୍ୟ ଆମେ ଗ୍ରାହକ ସ୍ତରରେ ଗଭୀର ଆଶାବାଦୀ ମନୋଭାବ ପୋଷଣ କରି ମୌଳିକ ଗବେଷଣାର ସ୍ଥାୟିତ୍ଵକୁ ବଜାଇ ରଖିବା ପାଇଁ ଯତ୍ନଶୀଳ ହୋଇଛୁ । ବୈଜ୍ଞାନିକମାନଙ୍କ ସମେତ ବିଜ୍ଞାନ ଅନଭିଜ୍ଞ ସାଧାରଣ ଜନତା ଜ୍ଞାନାଲୋକ ପ୍ରାପ୍ତି ପ୍ରତି ବିଶେଷ ଅନୁରାଗ ପ୍ରଦର୍ଶନ କରୁନଥିଲେ ମଧ୍ୟ ଦିନକୁ ଦିନ ଉଦ୍ଭାବନ କରାଯାଉଥିବା ନୂଆ ନୂଆ ଟେକ୍‌ନୋଲଜିଗୁଡ଼ିକର କରାମତି ପ୍ରତି ବିଶେଷ ଆଶାବାଦୀ ମନୋଭାବ ପୋଷଣ କରୁଛନ୍ତି । ଟେକ୍‌ନୋଲଜିଗୁଡ଼ିକର ଉଦ୍ଭାବନ ଓ ଯଥାଶୀଘ୍ର ସେଗୁଡ଼ିକର ବହୁଳ ପ୍ରାୟୋଗିକ ଉପଯୋଗ ପ୍ରତି ପ୍ରାଧାନ୍ୟ ଆରୋପ କରାଯାଉଛି । ଏଠାରେ ପ୍ରଣିଧାନ-ଯୋଗ୍ୟ ବିଷୟ ହେଉଛି ଯେ, ପ୍ରତ୍ୟେକ ନବ ଉଦ୍ଭାବିତ ଟେକ୍‌ନୋଲଜିର ବ୍ୟବସାୟିକ ତଥା ପ୍ରାୟୋଗିକ ଉପଯୋଗ କରାଯିବା ପୂର୍ବରୁ ପ୍ରକୃତି ତଥା ଜନ-ସମାଜ ଉପରେ ତାହାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ସବିଶେଷ ଅଲୋକପାତ କରାଯାଉ ନାହିଁ । ଫେସନ୍‌ପ୍ରବଣ ଖାଉଟୀମାନଙ୍କ କ୍ରମବର୍ଦ୍ଧମାନ ଚାହିଦାର ପରିପୂରଣ ଓ ତଜ୍ଜନିତବିପୁଳ ଅର୍ଥୋପାର୍ଜନ ଗତି ହିଁ ଅଗ୍ରାଧିକାର ଆରୋପିତ ହେଉଛି । ଏପରି ଏକ କର୍ମଭିମୁଖ୍ୟ ଯୋଗୁଁ ହିଁ ସମ୍ପ୍ରତି ଧରଣୀ ବକ୍ଷରେ ଅଶୋଭନୀୟ, ଅବାଞ୍ଛିତ ତଥା ଆତଙ୍କପ୍ରଦ ପରିସ୍ଥିତି ସୃଷ୍ଟି ହୋଇଛି । ଏଣୁ, ବିଳମ୍ବରେ ହେଲେ ମଧ୍ୟ ଏବେଠାରୁ ନବଉଦ୍ଭାବିତ ଟେକ୍‌ନୋଲଜିଗୁଡ଼ିକର ପରିବେଶ, ପରିସଂସ୍ଥା ଓ ମନୁଷ୍ୟ ସମେତ ସମଗ୍ର ଜୀବଜଗତ ଉପରେ ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ବହୁ ଶୃଙ୍ଖଳାଶ୍ରୟୀ ଆଲୋକପାତ କରାଯିବା ଏକାନ୍ତ ଜରୁରୀ ବୋଧହେଉଛି । ଯେଉଁ ଟେକ୍‌ନୋଲଜିଗୁଡ଼ିକର ଉପଯୋଗ ବଳରେ ଆଶୁ ଲାଭ ମିଳିବାର ଅବକାଶ ଥିଲେ ମଧ୍ୟ ଭବିଷ୍ୟତର ଆମ ବସୁମାତା ଧରିତ୍ରୀ କଳୁଷିତ ବା ଦୂଷିତ ହୋଇଯିବାର ଆଶଙ୍କା ଉପୁଜିଛି, ତାହାର ପ୍ରୟୋଗିକ ଉପଯୋଗ ବିରୋଧରେ ସାରା ପୃଥିବୀରେ ଦୃଢ଼ ନିଷେଧଜ୍ଞା ଜାରି କରାଯିବ ହିଁ ଏକମାତ୍ର ବିଜ୍ଞ ପନ୍ଥା ରୂପେ ଉପଲବ୍‌ଧି ହେଉଛି । ଆମେ ନିଶ୍ଚିତ ଭାବରେ ଜାଣିପାରୁଛୁ ଯେ, ଜନସଂଖ୍ୟା ହୁ ହୁ ଭାବରେ ବଢ଼ି ଚାଲିଛି ଏବଂ କ୍ରମବର୍ଦ୍ଧମାନ ଜନତାର ଜୀବନ ଧାରଣାର ଚାହିଦା ପୂରଣ କରିବା ପାଇଁ ଭବିଷ୍ୟତରେ ଠିକଣା କର୍ମପନ୍ଥାର ଆଶ୍ରୟ ନେବାର ଅନିବାର୍ଯ୍ୟତା ଅନାୟାସରେ ଉପଲବ୍‌ଧି ହେଉଛି । ଏକବିଂଶ ଶତାବ୍ଦୀର ପ୍ରାରମ୍ଭ କାଳ ବେଳକୁ ପୃଥିବୀର ଜନସଂଖ୍ୟା ଦ୍ଵିଗୁଣିତ ହୋଇଯିବ । ଏଣୁ ଆଗାମୀ ଶତାବ୍ଦୀରେ ଜନସାଧାରଣଙ୍କ ଜୀବନ ଧାରଣର ଚାହିଦା ପୂରଣ କରାଯିବ କିପରି ? ଏହି ତାତ୍ପର୍ଯ୍ୟପୂର୍ଣ୍ଣ ତଥାସର୍ବାପେକ୍ଷା ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନଟି ବିଜ୍ଞାନ ପ୍ରତି ଏକ ଆହ୍ଵାନ । ବିଜ୍ଞାନ ଜରିଆରେ ଏହି ଆହ୍ଵାନର ମୁକାବିଲା କରାଯିବ କିପରି ? ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ପରିପ୍ରେକ୍ଷୀରେ ନିମ୍ନରେ ତ୍ରିବିଧ ପରାମର୍ଶ ପ୍ରଦତ୍ତ ହୋଇଛି :—

 

(କ) ମୋଟ ଜାତୀୟ ଉତ୍ପାଦନର ଏକ ନିର୍ଦ୍ଦିଷ୍ଟ ଭାଗ ମୌଳିକ ଗବେଷଣାର ପୃଷ୍ଠପୋଷକତା ପାଇଁ ବ୍ୟୟ କରାଯିବା ଉଚିତ୍ । ବିଜ୍ଞାନର ସର୍ବବିଧ ବିଭାଗଗୁଡ଼ିକର ସମୃଦ୍ଧି ସାଧନ କରାଯିବା ପାଇଁ ତଥା ଦୀର୍ଘମିଆଦୀ ସୂତ୍ରରେ ଏହି କ୍ରମସମୃଦ୍ଧି ପଥରେ କୌଣସି ଅନ୍ତରାୟ ସୃଷ୍ଟି ହେବାର ଅବକାଶକୁ ଏଡ଼ିବା ପାଇଁ ଯଥାବିଧି ପଦକ୍ଷେପ ଗ୍ରହଣ କରିବାକୁ ହେବ । ଜାତୀୟ ସରକାର ଓ ବ୍ୟବସାୟିକ ପ୍ରତିଷ୍ଠା ଗୁଡ଼ିକ ଏହି ପୃଷ୍ଠପୋଷକତା ଦାୟିତ୍ଵକୁ ସେମାନଙ୍କ ପବିତ୍ର କର୍ତ୍ତବ୍ୟ ରୂପେ ବିଚାର କରିବା ହିଁ ବିଜ୍ଞତାର ପରିଚାୟକ ରୂପେ ଉପଲବ୍‌ଧି ହେଉଛି । ଉଭୟ ପ୍ରାୟୋଗିକ ଓ ମୌଳିକ ଗବେଷଣାର ନିରବଚ୍ଛିନ୍ନ ସୁପରିଚାଳନା ପାଇଁ ମୋଟ ଜାତୀୟ ଉତ୍ପାଦନର ଯଦି ଶତକଡ଼ା ୫ଭାଗ ବ୍ୟୟ କରାଯାଏ, ତାହାହେଲେ ମୌଳିକ ଗବେଷଣା ଦିଗରେ ଅନ୍ତତଃ ଏହାର ଶତକଡ଼ା ୧ଭାଗ ବ୍ୟୟ କରାଯିବା ବାଞ୍ଛନୀୟ ବୋଧ ହେଉଛି ।

 

(ଖ) ସମ୍ପ୍ରତି ପୃଥିବୀର ପ୍ରତ୍ୟକ ରାଷ୍ଟ୍ରର ବୁଦ୍ଧିଜୀବୀମାନେ ଚିନ୍ତା କଲେଣି ଯେ, ପ୍ରଚଳିତ ଶିକ୍ଷାଦାନ ପଦ୍ଧତିର ଢାଞ୍ଚାକୁ ବଦଳାଇ ଦେବାକୁ ହେବ । ବିଜ୍ଞାନର କରାମତି ଓ ମହନୀୟତା ତଥା ତାହାର ମୂଲ୍ୟବୋଧ ସମ୍ପର୍କରେ କଳା, ବିଜ୍ଞାନ, ବାଣିଜ୍ୟ ପ୍ରଭୃତି ପ୍ରତ୍ୟକ ବିଷୟରେ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀମାନଙ୍କ ମାନସ-ପଟରେ ଉପଯୁକ୍ତ ଧାରଣା ସୃଷ୍ଟି କରିବାକୁ ହେବ । ଏତଦ୍ଵାରା ସାରା ଦେଶରେ ଏକ ବୈଜ୍ଞାନିକ ବାତାବରଣ ସୃଷ୍ଟି ହେବାର ପଥ ଅନୁକୂଳ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ପ୍ରତିଭାବାନ ମେଧାବୀ ଗବେଷକମାନେ ବୈଜ୍ଞାନିକ ଗବେଷଣାକୁ ବୃତ୍ତି ରୂପେ ଆଦରି ନେବାକୁ ସ୍ଵେଚ୍ଛାକୃତ ଭାବରେ ଆଗେଇ ଆସିବେ । କୋମଳମତି ଛାତ୍ର-ଛାତ୍ରୀମାନେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଶିକ୍ଷା ଲାଭ କରୁଥିବା ସମୟରେ ସେମାନଙ୍କ ମାନସପଟରେ ବିଜ୍ଞାନ ପ୍ରତି ଅନୁରାଗ ସୃଷ୍ଟି କରିବାକୁ ହେବ । ଜଣେ ବୈଜ୍ଞାନିକଙ୍କ ପ୍ରତିଭା, କର୍ମ ପରିସର ଓ ବିଜ୍ଞାନ ଜଗତକୁ ଅବଦାନ ଓ ସେହି ଅବଦାନଗୁଡ଼ିକର ଟେକ୍‌ନୋଲଜିଭିତ୍ତିକ ପ୍ରାୟୋଗିକ ଉପଯୋଗ ସମ୍ବନ୍ଧରେ ସରଳ ଓ ସୁବୋଧ୍ୟ ଭାଷାରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରିବା ଦ୍ଵାରା ସେମାନେ ପଦାର୍ଥ ବିଜ୍ଞାନ, ରସାୟନ ଶାସ୍ତ୍ର ଓ ଜୀବ-ବିଜ୍ଞାନ ପ୍ରଭୃତି ବିଜ୍ଞାନର ଜଟିଳ ତତ୍ତ୍ଵଗୁଡ଼ିକ ସମ୍ବନ୍ଧରେ ସମ୍ୟକ୍ ଧାରଣା ପାଇପାରିବେ । ବାଲ୍ୟକାଳରୁ ସେମାନେ ବୁଝିବାକୁ ସମର୍ଥ ହେବେ ଯେ, ବିଜ୍ଞାନ ଓ ଟେକ୍‌ନୋଲଜିକୁ କୌଣସି ଯାଦୁକାରୀ ବିଦ୍ୟାର କାଉଁରୀ ସ୍ପର୍ଶ ରୂପେ ବିଚାରିବା ଠିକ୍ ନୁହେଁ; ଏହା ମନୁଷ୍ୟର ସୃଷ୍ଟିଶୀଳ ପ୍ରତିଭା ଓ କର୍ମକୁଶଳତାର ପରିପ୍ରକାଶ ପାଇଁ ଅନ୍ୟତମ ପ୍ରକୃତି ମାଧ୍ୟମ । ଏଣୁ ଯେ କେହି ନିଜ ପ୍ରତିଭାର ସଦୁପଯୋଗ ତଥା ଅଧ୍ୟବସାୟ ବଳରେ ନିଜକୁ ଜଣେ ବୈଜ୍ଞାନିକ ରୂପେ ପ୍ରତିଷ୍ଠା କରିପାରିବାର ଅବକାଶ ରହିଛି । ଗତାନୁଗତିକ ମାଗରେ ବିଜ୍ଞାନ-ଶିକ୍ଷାକୁ ଯେପରି ସୂତ୍ର ଓ ନିୟମବହୁଳ ତଥା ନୀରସ ମାର୍ଗରେ ପରିଚାଳନା କରାଯାଉଛି ଓ ପାଠ୍ୟକ୍ରମକୁ ଯେପରି ଭାବରେ ପ୍ରଣୟନ କରାଯାଉଛି, ତାହାକୁ ଯଥାଶୀଘ୍ର ପରିହାର କରିବା ହିଁ ପ୍ରକୃଷ୍ଟ ପନ୍ଥା । ଅନ୍ୟାନ୍ୟ ଦେଶଗୁଡ଼ିକ ପରି ଆମ ଦେଶରେ ନ୍ୟାସନାଲ କାଉନ୍‌ସିଲ ଅଫ୍ ଏଡୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଙ୍ଗ୍ (NCERT) ଆନୁକୁଲ୍ୟରେ ଏ ଦିଗରେ ଆଶୁ ପଦକ୍ଷେପଗୁଡ଼ିକୁ ଗ୍ରହଣ କରାଯାଉଛି ଏବଂ ବିଭିନ୍ନ ରାଜ୍ୟର ମାଧ୍ୟମିକ ଶିକ୍ଷା ବୋର୍ଡଗୁଡ଼ିକ ଏ ଦିଗରେ ଯଥାବିଧି ପଦକ୍ଷେପ ଗ୍ରହଣ କରିବାକୁ ଆଗ୍ରହୀ ହୋଇଛନ୍ତି ।

 

ମୌଳିକ ଗବେଷଣାର ସମୃଦ୍ଧି ସାଧନ କରାଯିବା ଦ୍ଵାରା ଭବିଷ୍ୟତରେ ମନୁଷ୍ୟ କେଉଁ ପ୍ରକାର କୌତୁହଳୀ ପ୍ରଶ୍ନଗୁଡ଼ିକର ଉତ୍ତର ପାଇପାରିବ ? ମୌଳିକ ଗବେଷଣାର ସୁପରିଚାଳନା ଫଳରେ ବିଶ୍ଵ ତଥା ପ୍ରକୃତି ସମ୍ବନ୍ଧରେ ଆମେ ଆଉ ଅଧିକ କ’ଣ ଜାଣିପାରିବା ? ଏପରି ଜ୍ଞାନ ଆମ୍ଭମାନଙ୍କୁ କେଉଁ ପ୍ରକାରର ପ୍ରକୃତି-ସଚେତନ ତଥା ସମାଜ-ସଚେତନ କରିପାରିବ ? ବିଶ୍ଵବିଦ୍ୟାଳୟସ୍ତରରୀୟ ଶିକ୍ଷାବ୍ୟବସ୍ଥାରେ ଏପରି ପ୍ରଶ୍ନଗୁଡ଼ିକର ଉତ୍ତର ଯୋଗାଇଦେବା ପାଇଁ ଉପଯୁକ୍ତ ପାଠ୍ୟକ୍ରମ ପ୍ରଣୟନ କରାଯିବା ବାଞ୍ଛନୀୟ । ଆମ ଦେଶର ବିଶ୍ଵବିଦ୍ୟାଳୟମାନଙ୍କର ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀ ବିଚାର କରୁଛନ୍ତି ଯେ, ବୈଜ୍ଞାନିକ ଗବେଷଣା ବଳରେ ପ୍ରାୟତଃ ସମସ୍ତ ତଥ୍ୟ ସଗୃହୀତ ହୋଇସାରିଛି । କେବଳ ମାନସିକ ପରିଶ୍ରମ ବଳରେ ପୁସ୍ତକ ସନିବିଷ୍ଟ ତଥ୍ୟରାଜିକୁ ଆୟତ୍ତାଧୀନ କରିପାରିଲେ ଜଣେ କେହି ବିଜ୍ଞାନର କୌଣସି ଏକ ବିଷୟର ବିଶେଷଜ୍ଞସୁଲଭ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିପାରିବେ । ମାତ୍ର ବିଜ୍ଞାନର ପ୍ରକୃତ ଚିତ୍ତାକର୍ଷକ ବିଭାଗଟି ଯୁବକ ଯୁବତୀମାନଙ୍କ ମାନସପଟରେ ବିଶେଷ କୌତୁହଳ ସୃଷ୍ଟି କରିପାରେ ନାହିଁ । ପ୍ରକୃତିର ସୁସମନ୍ୱିତ ଛନ୍ଦବଦ୍ଧ କ୍ରିୟା-ଶୀଳତାର ରହସ୍ୟୋଦ୍‌ଘାଟନକଳ୍ପେ ଆହୁରି ଯଥେଷ୍ଟ ଗବେଷଣା ଚଳାଇବାର ଅବକାଶ ରହିଛି । ଅଜ୍ଞ ମନୁଷ୍ୟ କେବଳ ଏହାର କ୍ରିୟାଶୀଳତା ସମ୍ବନ୍ଧରେ ବିଖଣ୍ଡିତ ସ୍ୱଳ୍ପ ଜ୍ଞାନ ଅର୍ଜନ କରିଛି । ଆଧୁନିକ ଯୁଗର ମନୁଷ୍ୟ ଭଳି ମାନବ ଜାତିର ଇତିହାସରେ କେବେହେଲେ ମନୁଷ୍ୟ ନିଜ ଅଜ୍ଞତା ସମ୍ପର୍କରେ ଏତେ ସଠିକ ଭାବରେ ସଚେତନ ହୋଇନଥିଲା । ଆଧୁନିକ ଯୁଗର ମନୁଷ୍ୟ ଜାଣିପାରୁଛି ଯେ, ବହୁ ଅସମାଧିତ ସମସ୍ୟାର ସମାଧାନ କରିବାକୁ ହେବ । ବିଶ୍ଵବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀ-ମାନଙ୍କୁ ମନୁଷ୍ୟର ଅଜ୍ଞତା ସମ୍ବନ୍ଧରେ ସଚେତନ କରାଇବା ସଙ୍ଗେ ସଙ୍ଗେ ଅସମାଧିତ ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ପ୍ରୋସାହିତ କରାଯିବା ବାଞ୍ଛନୀୟ ବୋଧ ହେଉଛି । ଅଭିଜ୍ଞ ତଥା ପ୍ରବୀଣ ଅଧ୍ୟାପକ ଓ ଗବେଷକମାନେ ଯୁବକ ଯୁବତୀମାନଙ୍କୁ ଅସମାଧିତ ସମସ୍ୟାଗୁଡ଼ିକର ତାତ୍ପର୍ଯ୍ୟ ସମ୍ପର୍କରେ ପରିଚିତ କରାଇପାରିଲେ ଏବଂ ଏଗୁଡ଼ିକର ସମାଧାନ ପାଇଁ ସେମାନଙ୍କୁ ପ୍ରରଣା ଯୋଗାଇପାରିଲେ, ବିଶ୍ଵବିଦ୍ୟାଳୟ-ସ୍ତରୀୟ ଶିକ୍ଷା ଦୀର୍ଘମିଆଦୀ ସୂତ୍ରରେ ମାନବ ଜାତିର ଭବିଷ୍ୟତକୁ ଉଜ୍ଜ୍ଵଳମୟ କରିପାରିବ ।

 

ବିଶ୍ଵବିଦ୍ୟାଳୟସ୍ତରୀୟ ବିଜ୍ଞାନ ଶିକ୍ଷା ଲାଭ କରିଥିବା ଶିକ୍ଷକ-ମାନଙ୍କ ଉପରେ ହିଁ ପ୍ରାଥମିକ ଓ ମାଧ୍ୟମିକ ସ୍ତରୀୟ ବିଜ୍ଞାନ-ଶିକ୍ଷାର ଦାୟିତ୍ଵ ନ୍ୟସ୍ତ କରାଯିବା ଉଚିତ; କାରଣ ସେମାନେ ହିଁ ପ୍ରକୃତରେ ବିଜ୍ଞାନର ମହତ୍ଵ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସମ୍ୟକ୍ ଧାରଣା ଯୋଗାଇପାରିବେ । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟକବିଦ୍ୟାର୍ଥୀ ବିଶ୍ଵବିଦ୍ୟାଳୟସ୍ତରୀୟ ଶିକ୍ଷାରେ ମନୋନିବେଶ କରୁଛନ୍ତି । ସ୍ନାତକୋତ୍ତର ବିଜ୍ଞାନ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀମାନଙ୍କ ସଂଖ୍ୟା ହୁ ହୁ ଭାବରେ ବଢ଼ି ଚାଲିଛି । ଏହି ଉଚ୍ଚ-ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଜାତୀୟ ଗବେଷଣାଗାରମାନଙ୍କରେ, ବିଶ୍ୱବିଦ୍ୟାଳୟସ୍ତରୀୟ ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର କର୍ତ୍ତୁତ୍ତ୍ଵାଧୀନରେ ପରିଚାଳିତ ଗବେଷଣାଗାରମାନଙ୍କର ନିଯୁକ୍ତି ପ୍ରଦାନ କରିବା ସମ୍ଭବ ନୁହେଁ । ଯେଉଁମାନେ ଏପରି ନିଯୁକ୍ତି ପ୍ରାପ୍ତ ହେବାରୁ ବଞ୍ଚିତ ହେଉଛନ୍ତି ଓ ଭବିଷ୍ୟତରେ ଅଧିକରୁ ଅଧିକ ସଂଖ୍ୟାରେ ଏପରି ପେଶାଦାର ବୃତ୍ତିରୁ ବଞ୍ଚିତ ହେବାର ନିଶ୍ଚତ ସମ୍ଭାବନା ରହିଛି, ସେମାନଙ୍କୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଶିକ୍ଷକ ରୂପେ ନିଯୁକ୍ତି କରିବା ହିଁ ଶ୍ରେୟସ୍ଵର ପନ୍ଥା । ସମ୍ପ୍ରତି ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପିକମାନଙ୍କୁ ଯେଉଁପ୍ରକାର ବେଦନ ଓ ମର୍ଯ୍ୟାଦା ପ୍ରଦାନ କରାଯାଇଛି, ଶେଷୋକ୍ତ ଶିକ୍ଷକମାନଙ୍କ ପାଇଁ ତଦନୁରୂପ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଦ୍ଵାରା ହିଁ ସେମାନେ ଇନ୍ମୋଭେସନପ୍ରବଣ ମନୋବୃତ୍ତି ବିନିମୟରେ ବିଜ୍ଞାନ ଶିକ୍ଷାକୁ ଅଧିକ ଚିତ୍ତାକର୍ଷକ କରାଇପାରିବେ । ପ୍ରାସଙ୍ଗିକତା ଦୃଷ୍ଟିକୋଣରୁ ଏଠାରେ ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଯେ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାଦାନ ପାଇଁ ନିଯୁକ୍ତି ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ମହାବିଦ୍ୟାଳୟମାନଙ୍କରେ ତାଲିମ ପ୍ରଦାନ କରିବା ଦ୍ଵାରା ଶିକ୍ଷାଦାନର ମହତ୍ ଉଦ୍ଦେଶ୍ୟ ଠିକଣା ଭାବରେ ପୂରଣ ହୋଇପାରିବ ନାହିଁ । ଏଥିପାଇଁ ସେମାନଙ୍କୁ ଥରକୁ ଥର ବିଶ୍ଵବିଦ୍ୟାଳୟସ୍ତରୀୟ ଅବକାଶକାଳୀନ ତାଲିମ କେନ୍ଦ୍ରମାନଙ୍କର ଉପଯୁକ୍ତ ତାଲିମ ଦେବାକୁ ହେବ; କାରଣ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଦ୍ଵାରା ସେମାନେ ବିଜ୍ଞାନର ଅତ୍ୟାଧୁନିକ ଅବଦାନଗୁଡ଼ିକ ସହିତ ପରିଚିତ ହେବା ସଙ୍ଗେ ସଙ୍ଗେ ନିଜ ନିଜ ଅର୍ଜିତ ଜ୍ଞାନର ପରିସରରେ ଅଭିବୃଦ୍ଧି ଘଟାଇବା ପୂର୍ବକ ବିଦ୍ୟାର୍ଥୀମାନଙ୍କୁ ବିଜ୍ଞାନର ଗୁରୁତ୍ଵପୂର୍ଣ୍ଣ ଭୁମିକା ସମ୍ପର୍କରେ ସଚେତନ କରାଇପାରିବେ ।

 

ମୌଳିକ ଗବେଷଣାପ୍ରସ୍ତୁତ ତଥ୍ୟରାଜିକୁ ପ୍ରାୟୋଗିକ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ତଥା ତଜ୍ମନିତ ଲାଭ ପ୍ରଦାୟକ ଦ୍ରବ୍ୟଗୁଡ଼ିକୁ ଉତ୍ପାଦନ କରିବା ପାଇଁ ସମ୍ପ୍ରତି ଯେପରି ବଣିକସୁଲଭ ତଥା ଏକଦିଗଦର୍ଶି କର୍ମପ୍ରବଣତାର ପରିପ୍ରକାଶ ଘଟୁଛି,ତାହାର ନିରାକରଣ ପାଇଁ ଆନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ଯଥାବିଧି ଆଇନସମ୍ମତ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଆମ ବଂଶଧରମାନଙ୍କ ଜୀବନ ଧାରଣର ନିରାପତ୍ତା ଓ ସେମାନଙ୍କ ଜୀବନର ସୁଖମୟତା ପାଇଁ ଦୀର୍ଘମିଆଦୀ ସୂତ୍ରରେ ବିଜ୍ଞାନାଶ୍ରୟୀ ଟେକ୍‌ନୋଲଜିଗୁଡ଼ିକର ସୁଦୂରପ୍ରସାରୀ ଉପଯୋଗ ସମ୍ବନ୍ଧରେ ଚିନ୍ତା କରିବା ହିଁ ସାମ୍ପ୍ରତିକ କାଳର ପ୍ରଣିଧାନଯୋଗ୍ୟ ବିଷୟ । ମୌଳିକ ଗବେଷଣାରେ ସମୃଦ୍ଧି ସାଧନ ବଳରେ ବର୍ତ୍ତମାନ ଯାହା କିଛି ଜ୍ଞାନ ଅର୍ଜିତ ହୋଇଛି, ତଦପେକ୍ଷ ଆହୁରି ସଠିକ ତଥା ପର୍ଯ୍ୟାପ୍ତ ଜ୍ଞାନ ଅର୍ଜନ କରିବାର ଅବକାଶ ରହିଛି । ପ୍ରାକୃତିକ କ୍ରିୟାଶୀଳତା, ମନୁଷ୍ୟର ବ୍ୟବହାର ଓ ସମାଜିକ କ୍ରିୟାଶୀଳତା ସମ୍ବନ୍ଧରେ ଜ୍ଞାନାର୍ଜନ ପାଇଁ ସମ୍ପ୍ରତି ଯେଉଁ ପ୍ରକାର ମୌଳିକ ଗବେଷଣା ପରିଚାଳିତ ହେଉଛି, ତାହାର ସମ୍ଭାବ୍ୟ ଅବଦାନକୁ ବିଚାରର ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ଏଣୁ କୌଣସି ଏକ ସମୟରେ କୌଣସି ପ୍ରକାର ଟେକ୍‌ନୋଲଜି ପ୍ରତି ଏକାନ୍ତ ପ୍ରାଧାନ୍ୟ ଆରୋପ କରିବାପୂର୍ବକ ତାହାର ଯଥେଚ୍ଛା ବହୁଳ ଉପଯୋଗ କରିବା ବାଞ୍ଛନୀୟ ନୁହେଁ । ପ୍ରତ୍ୟେକ ଦେଶର ପରମ୍ପରା, ଜନସମ୍ବଳ, ପ୍ରାକୃତିକ ବିଭବ ଓ ଜନସାଧାରଣ ଅର୍ଥନୈତିକ ବ୍ୟବସ୍ଥା ଓ ପରିସଂସ୍ଥାକୁ ବିଚାରକୁ ନେଇ ସେହି ଦେଶର ପ୍ରଗତି ସାଧନ ଦିଗରେ ବିଜ୍ଞାନାଶ୍ରୟୀ ପୂର୍ବ ପ୍ରଚଳିତ ତଥା ଅଭିନବ ଟେକ୍‌ନୋଲଜିଗୁଡ଼ିକର ଉପଯୋଗ ଉଦ୍ଦେଶ୍ୟରେ ବହୁମୁଖୀ ଶୃଙ୍ଖଳାଭିତ୍ତିକ ଆଲୋଚନା ଚଳାଇବାର ଜରୁରୀକାଳୀନ ଆବଶ୍ୟକତାକୁ ଆଉ ଏଡ଼ି ହେବନାହିଁ । ଏତଦ୍ଦ୍ୱାରା ବିଜ୍ଞାନ ଓ ଟେକ୍‌ନୋଲଜିକୁ ମାନବ ଜାତିର କଲ୍ୟାଣ ସାଧନ ଦିଗରେ ନିୟୋଜିତ କରାଯିବାବେଳେ ଏହାର କୌଣସି ପ୍ରକାର ଅନିଷ୍ଟକାରୀ ପ୍ରଭାବକୁ ରୋକି ଦିଆଯିବା ସମ୍ଭବ ହେବ । ମୌଳିକ ଗବେଷଣାର ସମୃଦ୍ଧି ସାଧନ ସହିତ ସଭ୍ୟତାର ଢାଞ୍ଚାକୁ ଶୁଭଙ୍କରୀ ମାର୍ଗରେ ବଦଳାଇଦେବା ପାଇଁ ଆଜହୁଁ ସର୍ବତ୍ର ଜରୁରୀକାଳୀନ ଭିତ୍ତିରେ ବିହିତ ଆନୁଷ୍ଠାନିକ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯିବା ହିଁ ବିଜ୍ଞାତାର ପରିଚାୟକ । ଏତଦ୍ଦ୍ୱାରା ଆମେ ଆଗାମୀ ଦଶନ୍ଧିଗୁଡ଼ିକର ତଥା ଏକବିଂଶ ଶତାବ୍ଦୀରେ ମନୁଷ୍ୟର ସମସ୍ତ ସମସ୍ୟାଗୁଡ଼ିକର ଯଥାର୍ଥ ମୁକାବିଲା କରିବାକୁ ସମର୍ଥ ହେବା ।

 

ଆଗାମୀ ଯୁଗର ସମସ୍ୟାଗୁଡ଼ିକର ସମାଧାନ ପାଇଁ ମୌଳିକ ଗବେଷଣା କିପରି ଭାବରେ ସହାୟକ ହୋଇପାରିବ ? କେଉଁ ପ୍ରକାରେ ବିଜ୍ଞାନର କେଉଁ ବିଭାଗର ସମୃଦ୍ଧି ସାଧନ କରାଯିବା ଦ୍ଵାରା କେଉଁ ପ୍ରକାର ସୁଫଳ ମିଳିପାରିବ ? ଏହି ଆଲୋଚନାର ଉପ ସିଂହାରରେ ସ୍ପଷ୍ଟ ଭାବରେ ସୂଚାଇଦେବା ସମୀଚୀନ ବୋଧ ହେଉଛି ଯେ, କୌଣସି ବୁଦ୍ଧିଜୀବୀ ଏପରି ପ୍ରଶ୍ନଗୁଡ଼ିକର ସଠିକ ଉତ୍ତର ଯୋଗାଇଦେବା ସମ୍ଭବ ନୁହେଁ । ଆମେ କେବେହେଲେ ଆମ ଇଚ୍ଛାନୁଯାୟୀ କୌଣସି ପ୍ରକାର ଟେକ୍‌ନୋଲଜିର ଉଦ୍ଭାବନ ଉଦ୍ଦେଶ୍ୟରେ ମୌଳିକ ଗବେଷଣାର ମାର୍ଗକୁ ସୁନିର୍ଦ୍ଦିଷ୍ଟ ମାର୍ଗରେ ପରିଚାଳନା କରିପାରିବା ନାହିଁ । କାରଣ, ଅନ୍ତଃଦୃଷ୍ଟି, କଳ୍ପନାପ୍ରବଣତା, ଦୂରଦୃଷ୍ଟି ଓ ସୃଜନଶୀଳତା ବିନିମୟରେ ପ୍ରତିଭାବାନ ଗବେଷକମାନେ ମୌଳିକ ଗବେଷଣାରେ ମନୋନିବେଶ କରନ୍ତି; ଏଣୁ ସେମାନଙ୍କ ମାନସିକ କୌତୁହଳ ଓ ତଦାଶ୍ରୟୀ ଚୌଦ୍ଧିକ ପ୍ରୟାସ ଉପରେ କୌଣସି ପ୍ରକାର ବାହ୍ୟ କଟକଣା ଜାରି କରିବା ସମ୍ଭବ ନୁହେଁ ।

 

ଏଣୁ ମୌଳିକ ଗବେଷଣାର ସୁପରିଚାଳନା ଓ ପ୍ରଗତି ଧାରାକୁ ଅବ୍ୟାହତ ରଖିବା ଦ୍ଵାରା ଯେଉଁ ପ୍ରକାର ଫଳ ମିଳିବାର ଅବକାଶ ରହିଛି, ସେଥିପ୍ରତି ଆସ୍ଥା ସ୍ଥାପନ କରି ଭବିଷ୍ୟତର ମୁକାବିଲା କରିବା ପାଇଁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବା ଭିନ୍ନ ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ । ମୌଳିକ ଗବେଷଣା ଜଗତରେ ଯୁଗ ପ୍ରବର୍ତ୍ତକ ବୈଜ୍ଞାନିକମାନଙ୍କ ଦ୍ଵାରା ଚମକପ୍ରଦ ଆବିଷ୍କାର ସଂଘଟିତ ହୁଏ । ବିଜ୍ଞାନର ଇତିହାସରେ ଥରକୁ ଥର ଏହି ଉକ୍ତିର ସତ୍ୟତା ପ୍ରତିପାଦିତ ହୋଇଛି । ଏଣୁ ଭବିଷ୍ୟତରେ ଯେଉଁ ଚମତ୍‌କାରୀ ଆବିଷ୍କାରଗୁଡ଼ିକ ସଂଘଟିତ ହେବ, ମାନବ ଜାତିର କଲ୍ୟାଣ ସାଧନ ପାଇଁ ସେଗୁଡ଼ିକର ଟେକ୍‌ନୋଲଜିଭିତ୍ତିକ ଉପଯୋଗ ଘଟାଇବା ଦିଗରୁ ଆଜହୁଁ ଅନ୍ତଃରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ଉତ୍ତମ ବୁଝାମଣା ବଳରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ସମୀଚୀନ ବୋଧ ହେଉଛି । ଏତଦ୍ଦ୍ୱାରା ହିଁ ଗ୍ରାହକ ସ୍ତରରେ ପରିବର୍ତ୍ତନଶୀଳ ସମାଜର ଜନକଲ୍ୟାଣମୁଖୀ ହୋଇପାରିବ ଏବଂ ମନୁଷ୍ୟ ତଥା ଜୀବଜଗତର ସ୍ଥାୟୀତ୍ଵ ଓ ନିରାପତ୍ତା ଦିଗରେ କୌଣସି ଆଶଙ୍କା ଉପୁଜିବାର ଅବକାଶ ରହିବ ନାହିଁ ।

Image

 

Unknown

ବୈଜ୍ଞାନିକ ଉପନ୍ୟାସର ଇତିବୃତ୍ତ

।। ୧ ।।

 

ଇଂରାଜୀ ଭାଷାର ଲିରିଜ୍ କବିତା ରଚନା କରି ଆନ୍ତଃରାଷ୍ଟ୍ରୀୟ ସୁଖ୍ୟାତି ଅର୍ଜନ କରିଥିବା ଅଗ୍ରଗଣ୍ୟ କବିମାନଙ୍କ ମଧ୍ୟରେ ବ୍ରିଟିଶ କବି ପେରସି ବାଇସେ ସେଲି ଅନ୍ୟତମ । କଳ୍ପନାବିଳାସୀ ସେଲି ନିଜ ଧର୍ମପତ୍ନୀଙ୍କ ଗହଣରେ ସ୍ଵାଭାବିକ ଦାମ୍ପତ୍ୟ ଜୀବନ ବିତାଇବା ପରିବର୍ତ୍ତେ ମ୍ୟାରୀ ଓଲ୍ଲେଷ୍ଟୋନ୍‌ନ୍ତ୍ରାଫ୍‌ଟ ଡେଉଇନ୍‌ ନାମ୍ନୀ ଜନୈକା ବିଦୁଷୀ ମହିଳାଙ୍କ ପ୍ରତି ପ୍ରେମାସକ୍ତ ହୋଇଥିଲେ । ଏହି ଗୁପ୍ତ ପ୍ରଣୟର ଆସକ୍ତି ଶେଷକୁ ଏପରି ତୀବ୍ର ସ୍ତରରେ ଉପନୀତ ହେଲା ଯେ ସେଲି ମାତ୍ର ୨୨ବର୍ଷ ବୟସରେ ଗଡ଼ଉଇନ୍‌ଙ୍କୁ ସାଙ୍ଗରେ ନେଇ ଇଂଲଣ୍ଡରୁ ସୁଇଜରଲାଣ୍ଡକୁ ଚାଲିଗଲେ । ଲୋକାପବାଦ ଓ କୁତ୍ସାରଟନାର ତାଡ଼ନା ସେଲିଙ୍କୁ ଏପରି ବ୍ୟତିବ୍ୟସ୍ତ କରିପକାଇଥିଲା ଯେ, ସେ ଏହି ପଦକ୍ଷେପ ଗ୍ରହଣ କରିବାକୁ ଶ୍ରେୟସ୍କର ମଣିଥିଲେ । ୧୮୧୬ ମସିହାରେ ଗ୍ରୀଷ୍ମ ଋତୁରେ ସୁଇଜରଲାଣ୍ଡର ପ୍ରାକୃତିକ ଦୃଶ୍ୟବହୁଳ ଜେନେଭା ହ୍ରଦ ତଟରେ ଉଭୟେ ନବ ବିବାହିତ ଦମ୍ପତି ତୁଲ୍ୟ ପ୍ରେମାସକ୍ତ ଜୀବନ ବିତାଇଥିଲେ । ଇଂରାଜୀ ସାହିତ୍ୟ ଜଗତରେ ଅନ୍ୟତମ ଶ୍ରେଷ୍ଠ ରୋମାଣ୍ଟିକ କବି ଜର୍ଜ ଗର୍ଡନ ବାଇରନ୍ ମଧ୍ୟ ସେତେବେଳକୁ ଏଠାକାର ରୋମାଣ୍ଟିକ ପରିବେଶକୁ ପୂରା ମାତ୍ରାରେ ଉପଭୋଗ କରୁଥିଲେ । ସେଲି, ଲର୍ଡ /ବାଇରନ୍ ଓ ମ୍ୟାରୀ ଗଡଉଇନ୍ ଅଚିରେ ଘନିଷ୍ଠ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇଥିଲେ ଏବଂ ଜେନେଭା ହଦର ଶୋକପାସୋରା ଅନୁପମ ଦୃଶ୍ୟ ସେମାନଙ୍କୁ ସମ୍ମିଳିତ ଭାବରେ କଳା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଚର୍ଚ୍ଚା କରିବାକୁ ଉଦ୍‌ବୁଦ୍ଧ କରିଥିଲା ।

 

ଇଂରାଜୀ କାବ୍ୟ ଜଗତରେ ଏହି ଦୁଇ ଜଣ ଇତିହାସପ୍ରସିଦ୍ଧ କଳାକାର ମୀରା ଗଡଉଇନ୍‌ଙ୍କ ନିକଟ ସାନ୍ନିଧ୍ୟ ଲାଭ କରିବା ସଙ୍ଗେ ସଙ୍ଗେ ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ଆଲୋଚନାରେ ଆତ୍ମନିୟୋଗ କରିଥିବା ଅବସରରେ ବିଜ୍ଞାନ ଜଗତରେ ତୁମୂଳ ଆଲୋଡ଼ନ ସୃଷ୍ଟି ହୋଇଥିଲା । ୧୬୯୧ ମସିହାରେ ଇତାଲୀୟ ପଦାର୍ଥବିଜ୍ଞାନୀ ଲୁଇଗି ଗାଲଭାନି ଅଭିକ୍ରିୟା ଅବଲମ୍ବନରେ ଦର୍ଶାଇଦେଲେ ଯେ ଗୋଟିଏ ବେଙ୍ଗର ମାଂସପେଶୀକୁ ଦୁଇଟି ଭିନ୍ନ ଭିନ୍ନ ଧାତୁ ଦ୍ଵାରା ପ୍ରସ୍ତୁତ ତାର ବା ପାତିଆ ଦ୍ଵାରା ସ୍ପର୍ଶ କରାଇଦେଲେ ମାଂସପେଶୀରେ କମ୍ପନ ସୃଷ୍ଟି ହେଉଛି ଏବଂ ଏହି ପ୍ରାମାଣିକ ତଥ୍ୟରାଜିକୁ ଆଶ୍ରୟ କରି ସେ ‘ପ୍ରାଣିଜ ବିଦ୍ୟୁତ୍ ଶକ୍ତି’ ଶୀର୍ଷକ ଚିନ୍ତାଧାରାର ସୂତ୍ରପାତ ଘଟାଇଲେ । ସମକାଳୀନ ଭାବରେ ଅନ୍ୟତମ ଇତାଲୀୟ ପଦାର୍ଥ-ବିଜ୍ଞାନ ଆଲୋଜାଣ୍ଡ୍ରେ-। ଭେଲଟା ‘ପ୍ରାଣିଜ ବିଦ୍ୟୁତ୍ ଶକ୍ତି’ ଶୀର୍ଷକ ତତ୍ତ୍ଵଟିକୁ ଖଣ୍ଡନ କରିବା ସଙ୍ଗେ ସଙ୍ଗେ ଦର୍ଶାଇଦେଲେ ଯେ, ଦୁଇଟି ଭିନ୍ନ ଭିନ୍ନ ଧାତବ ବିଦ୍ୟୁତ୍ ପରିବାହୀ ତାରକୁ ପ୍ରାଣିଜ ମାଧ୍ୟମ ପରିବର୍ତ୍ତେ ଅଜୈବ ରାସାୟନିକ ମାଧ୍ୟମ ଦ୍ଵାରା ସଂଯୁକ୍ତ କରାଇବା ଦ୍ଵାରା ବିଦ୍ୟୁତ୍ ସ୍ରୋତର ସଞ୍ଚାର ଘଟୁଛି-। ସେ ପ୍ରାମାଣିକ ତଥ୍ୟାବଲମ୍ବନରେ ସ୍ପଷ୍ଟ ଭାବରେ ଦର୍ଶାଇଦେଲେ ଯେ, ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ କରିବା ପାଇଁ ବେଙ୍ଗର ମାଂସପେଶୀ ବା ତତ୍ତୁଲ୍ୟ କୌଣସି ଜୈବିକ ମାଧ୍ୟମ ଅନିବାର୍ଯ୍ୟ ଭାବରେ ଆବଶ୍ୟକ ହେଉନାହିଁ । ଭେଲଟା ନିଜ ବୁଦ୍ଧି ଖଟାଇ ସର୍ବପ୍ରଥମ ବିଦ୍ୟୁତ୍ ଶକ୍ତି ଯୋଗାଣକାରୀ ବ୍ୟାଟେରୀ ପ୍ରସ୍ତୁତ କଲେ । ୧୮୦୭ ଓ ୧୮୦୮ ମସିହାରେ ମଧ୍ୟରେ ସୁନାମଧନ୍ୟ ବ୍ରିଟିଶ ବୈଜ୍ଞାନିକ ହମ୍‌ଫେ ଡାଭି ଭୋଲଟାଙ୍କ ପଦାଙ୍କ ଅନୁସରଣ କରିବା ପୂର୍ବକ ବ୍ୟାଟେରୀର ପ୍ରସ୍ତୁତି ପ୍ରଣାଳୀକୁ ଉନ୍ନତ କରିପାରିଲେ । ଡାଭି ଗୋଟିଏ ଶକ୍ତିଶାଳୀ ବ୍ୟାଟେରୀ ପ୍ରସ୍ତୁତି କରିବା ସଙ୍ଗେ ସଙ୍ଗେ ଦେହୀ ବ୍ୟାଟେରୀ ସାହାଯ୍ୟରେ ବିଦ୍ୟୁତ୍ ଶକ୍ତି ଯୋଗେଇଦେଇ ପୂର୍ବରୁ ସମ୍ଭବ ହୋଇନଥିବା ବହୁବିଧ ଜଟିଳ ରସାୟନିକ ପ୍ରକ୍ରିୟାର ବାସ୍ତବ ସଂଘଟନ ପାଇଁ ପଥ ସୁଗମ୍ୟ କରିପାରିଲେ । ବିଦ୍ୟୁତ୍ ଶକ୍ତିର ଆବିଷ୍କାର ତତ୍କାଳୀନ ପରିସ୍ଥିତିରେ ସମଗ୍ର ପୃଥିବୀରେ ଅଭୂତପୂର୍ବ ଚାଞ୍ଚଲ୍ୟ ସୃଷ୍ଟି କଲା । ବିଦ୍ୟୁତ୍ ଶକ୍ତି ଯୋଗାଣକାରୀ ଉସ୍ରର ପ୍ରକୃତି ସମ୍ପର୍କରେ ଭୋଲଟାଙ୍କ ଚିନ୍ତାପ୍ରସୂତ ତତ୍ତ୍ଵଟିର ସତ୍ୟତା ପ୍ରତିପାଦିତ ହୋଇଥିଲେ ମଧ୍ୟ ଗାଲଭାନିଙ୍କ ଦ୍ଵାରା ପ୍ରସାରିତ, ‘ପ୍ରାଣିଜ ବିଦ୍ୟୁତ୍ ଶକ୍ତି’ ଆଧାରିତ ଚିନ୍ତାଧାରା ଜନମାନସରେ ଚମକ ସୃଷ୍ଟି କରିଥିଲା । ‘ପ୍ରାଣିଜ ବିଦ୍ୟୁତ୍ ଶକ୍ତି’ ଶୀର୍ଷକ ତତ୍ତ୍ଵଟି ଭିତ୍ତିହୀନ ହୋଇଥିଲେ ମଧ୍ୟ ଏହାର ଯାଦୁକାରୀ ପ୍ରଭାବ ଜନମାନସରେ କୌତୁହଳ ସୃଷ୍ଟି କରିଥିଲା । ଜୀବ-ଜଗତ ଓ ବିଦ୍ୟୁତ୍ ଶକ୍ତି ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ପ୍ରତିଷ୍ଠା କରିବା ପାଇଁ କଳ୍ପନାବିଳାସୀ ବୁଦ୍ଧିଜୀବୀମାନେ ମସ୍ତିଷ୍କ ଚାଳନା କରିଥିଲେ ।

 

ବିଦ୍ୟୁତ୍ ଶକ୍ତିର ଅଭୂତପୂର୍ବ ବିଚକ୍ଷଣ ଉପଯୋଗ ବଳରେ ଅଜୈବ ବସ୍ତୁରୁ ଜୀବ ସୃଷ୍ଟି କରିବାର ଅଦ୍ୟମ କୌତୂହଳ ସେଲି. ବାଇରନ୍ ଓ ମ୍ୟାରୀ ଗଡଉଇନ୍‌ଙ୍କ ମାନସପଟରେ ବେଶ୍ ଚମକ ସୃଷ୍ଟି କରିଥିଲା । ଗୋଟିଏ ରମଣୀୟ ସନ୍ଧ୍ୟାର ଆଲୋଚନା ଚକ୍ରରେ ସ୍ଥିର ହେଲା ଯେ ମ୍ୟାରୀ ଗଡଉଇନ୍ ବିଦ୍ୟୁତ୍ ଶକ୍ତି ସାହାଯ୍ୟରେ କୃତ୍ରିମ ଜୀବ ସୃଷ୍ଟି ଶୀର୍ଷକ ଚିନ୍ତାଧାରାକୁ ଆଶ୍ରୟ କରି ଗୋଟିଏ କାଳ୍ପନିକ ଉପନ୍ୟାସ ରଚନା କରିବେ । ମ୍ୟାରୀ ଏହି ସିଦ୍ଧାନ୍ତକୁ ସାଦରେ ଗ୍ରହଣ କରି ନିଜ କଳ୍ପ ପ୍ରବଣତା ବିନିମୟରେ ଉପନ୍ୟାସଟିକୁ ରଚନା କରିବା ଦିଗରେ ଏକନିଷ୍ଠ ଉଦ୍ୟମ ଚଳାଇଲେ । ଇତିହାସରେ ସେଲିଙ୍କ ବୈବାହିକ ଜୀବନରେ ପଟ୍ଟ ପରିବର୍ତ୍ତନ ଘଟିଲା । ସେଲିଙ୍କ ଧର୍ମପତ୍ନୀ ନିଜ ସ୍ଵାମୀଙ୍କ ବ୍ୟଭଚାରଗ୍ରସ୍ତ ଯୌନ-ଜୀବନ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଅସମର୍ଥା ହେଲେ । ସେଲି ତାଙ୍କର ଉପଯୁକ୍ତ ଯନ୍ତ୍ର ନେବା ଦିଗରେ କୌଣସି ପ୍ରକାରେ ମନୋଯୋଗୀ ନହେବାର ଦେଖି ଶେଷକୁ ସେ ଆତ୍ମହତ୍ୟା କଲେ । ଧର୍ମପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ସେଇ ମ୍ୟାରୀ ଗଡଉଇନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ଦିଗରେ ଆଉ କୌଣସି ଅନ୍ତରାୟ ରହିଲା ନାହିଁ । ସେ ମ୍ୟାରୀଙ୍କୁ ବିବାହ କରିବା ପରେ ପୁର୍ନବାର ନିଜ ଜନ୍ମଭୂମି ଇଂଲଣ୍ଡକୁ ଫେରି ଆସିଲେ । ୧୮୧୭ ମସିହାରେ ମ୍ୟାରୀ ଏହି କାଳ୍ପନିକ ଉପନ୍ୟାସଟିର ରଚନା ଶେଷ କରିଦେଲେ ଏବଂ ୧୮୧୮ ମସିହାରେ ଏହା ‘ଫାଙ୍କେନ୍‌ଷ୍ଟିନ୍‌’ ନାମରେ ଆତ୍ମପ୍ରକାଶ କଲା । ଫ୍ରାଙ୍କେନ୍‌ଷ୍ଟିନ୍‌ ଉପନ୍ୟାସଟିର ନାୟକଙ୍କ ନାମ ‘ଫ୍ରାଙ୍କେନ୍‌ଷ୍ଟିନ୍‌’ । ସେ ଜଣେ ଯୁବ ବୈଜ୍ଞାନିକ । ନିଜ ଆଦିମ କୌତୁହଳକୁ ବାସ୍ତବ ରୂପରେଖ ପ୍ରଦାନ କରିବା ପାଇଁ ଫ୍ରାଙ୍କେନ୍‌ଷ୍ଟିନ୍‌ ପରୀକ୍ଷା ଗାରରେ ଅଜୈବ ବସ୍ତ୍ର ସାହାଯ୍ୟରେ ଗୋଟିଏ କୃତିମ ଜୀବ ସୃଷ୍ଟି କରିଛି ଏବଂ ବିଦ୍ୟୁତ୍‍ ଶକ୍ତି ସାହାଯ୍ୟରେ ସେ ଏହି ଜୀବ ଶରୀରରେ ପ୍ରାଣ-ଶକ୍ତିର ସଞ୍ଚାର ଘଟାଇଛି । ଫ୍ରାଙ୍କେନ୍‌ଷ୍ଟିନ୍‌ଙ୍କ ଦ୍ୱାରା କୃତିମ ଉପାୟରେ ସୃଷ୍ଟ ଏହି ପ୍ରାଣୀଟି ଆଠଫୁଟ ଲମ୍ବା ଗୋଟିଏ ବିରାଟକାୟ ତଥା ବୀଭତ୍ସ ମୁଖମଣ୍ଡଳଯୁକ୍ତ ଜୀବରୂପେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଭୀତତ୍ରସ୍ତ କରିଛି । ଏହି ନରରାକ୍ଷାସ କୌଣସି ପ୍ରକାରେ ନିଜକୁ ଜନସମାଜ ସହ ଖାପ ଖୁଆଇ ଚଳାଇ ନେବାକୁ ସମର୍ଥ ହୋଇନାହିଁ । ସେ ତାର ସୃଷ୍ଟିକର୍ତ୍ତାଙ୍କ ସମସ୍ତ ଆତ୍ମୀୟସ୍ୱଜନମାନଙ୍କୁ ତଥା ତାଙ୍କ ଧର୍ମପତ୍ନୀଙ୍କୁ ହତ୍ୟା କରିଛି ଏବଂ ଶେଷକୁ ନିଜେ ଫ୍ରାଙ୍କେନ୍‌ଷ୍ଟିନ୍‌ ମଧ୍ୟ ଏହି ନରରାକ୍ଷସର ଅମାନୁଷିକ କ୍ରିୟଶୀଳତାର ଶରବ୍ୟ ହୋଇ ମୃତ୍ୟୁ କବଳିତ ହୋଇଛନ୍ତି । ନିଜ ସୃଷ୍ଟିକର୍ତ୍ତାଙ୍କ ମୃତ୍ୟୁ ଘଟିବା ପରେ ରୋବଟ୍‍ଟି ଅନନ୍ୟୋପାୟ ହୋଇ ଜନସମାଜଠାରୁ ଦୂରେଇ ଯାଇଛି ଏବଂ ନିର୍ବାସିତ ଜୀବନ ଯାପନ କରୁଥିବାବେଳେ ମାନସିକ ଯାତନାର ତାଡ଼ନାରେ ତା’ର ମୃତ୍ୟୁ ଘଟିଛି ।

 

ମ୍ୟାରୀ ସେଲିଙ୍କ ଦ୍ୱାରା ରଚିତ ଏହି ଫ୍ରାଙ୍କେନ୍‌ଷ୍ଟିନ୍‌ ଶୀର୍ଷକ ପୁସ୍ତକଟି ଆତ୍ମପ୍ରକାଶ କରିବାକ୍ଷଣି ଗୋଟିଏ ଜନପ୍ରିୟ ପୁସ୍ତକ ରୂପେ ସର୍ବତ୍ର ଆଦୃତ ହେଲା । ସେହି କାଲିଠାରୁ ଆଜି ପର୍ଯ୍ୟନ୍ତ ଏ ଉପନ୍ୟାସଟି ପ୍ରକାଶକମାନଙ୍କ ପାଇଁ ଗୋଟିଏ ଲାଭପ୍ରସୁ ପୁସ୍ତକରୂପେ ବିବେଚିତ ହେଉଛି ଏବଂ କାଳଜୟୀ ଉପନ୍ୟାସଟି ପୃଥିବୀର ବିଭିନ୍ନ ଭାଷାରେ ଅନୁବାଦିତ ହେଉଛି । ଇଂରାଜୀ-ସାହିତ୍ୟ ଜଗତରେ ସାହିତ୍ୟ ରସିକ ଓ କଳାପ୍ରେମୀ ବୁଦ୍ଧିଜୀବୀ ମହଲରେ ପେରସି ବାଇସେ ସେଲିଙ୍କ ପ୍ରତିଭାର ଚିରନ୍ତନ ମୂଲ୍ୟବୋଧକୁ ଅବଷ୍ୟ ସ୍ଵାକୀର କରାଯାଉଛି; ମାତ୍ର ଜନପ୍ରିୟତା ଦୃଷ୍ଟିକୋଣରୁ ସବୁ ପ୍ରକାର ବୁଦ୍ଧିଜୀବୀ ମହଲରେ ‘ଫ୍ରାଙ୍କେନ୍‌ଷ୍ଟିନ୍‌’ ଉପନ୍ୟାସଟିର ଲେଖିକାରୂପେ ମ୍ୟାରୀ ସେଲିଙ୍କ ନାମ ବେଶ୍ ପ୍ରତିଷ୍ଠିତ ହୋଇଛି । ପେରସି ସେଲିଙ୍କ ଅମର ଲେଖନୀ ପ୍ରସୂତ ‘ଆଡୋନାଇସ୍’, ‘ଓଡ୍‌ ଟୁ ଦି ୱେଷ୍ଟ୍ ଉଇଣ୍ଡ୍’, ‘ଦି ସେନସି’ ପ୍ରମୁଖ କବିତା ପୁସ୍ତକଗୁଡ଼ିକ କାବ୍ୟ ଜଗତର ରସଗ୍ରାହୀ ସୀମିତ ପାଠକ ମହଲରେ ଆଦୃତ ହେଉଥିବା ସ୍ଥଳେ ପ୍ରାୟ ସମସ୍ତ ଶିକ୍ଷିତ ଓ ସୁସଂସ୍କୃତ ବୁଦ୍ଧିଜୀବୀ ‘ଫ୍ରାଙ୍କେନ୍‌ଷ୍ଟିନ୍‌’ ଉପନ୍ୟାସ ସମ୍ପର୍କରେ ସମ୍ୟକ୍ ଧାରଣା ପୋଷଣ କରିଛନ୍ତି ।

 

ଏହି ଉପନ୍ୟାସ ସଭ୍ୟ ମନୁଷ୍ୟର ମାନସପଟରେ ଏପରି ଗଭୀର ଛାପ ପକାଇଛି ଯେ, ଏହାର ନାୟକ ଫ୍ରାଙ୍କେନ୍‌ଷ୍ଟିନ୍‌ଙ୍କୁ ଏଣିକି ଇଂରାଜୀ ଭାଷାଭାଷୀ ଜନସମ୍ପ୍ରଦାୟରେ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ୁଛି । ଯେ କୌଣସି ବୁଦ୍ଧିଜୀବୀ ନିଜ ବୌଦ୍ଧିକତା ବା କର୍ମକୁଶଳତା ବିନିମୟରେ ପ୍ରସ୍ତୁତ କରିଥିବା ଗୋଟିଏ ଯନ୍ତ୍ର କୌଶଳ ବା ବୌଦ୍ଧିକ କୌଶଳ ଦ୍ଵାରା ଶେଷକୁ ନିଜର ବା ଜନ ସମାଜର କ୍ଷତି ସାଧନ କରିବା ବେଳେ ତାଙ୍କ ଆବିଷ୍କାରକୁ ଫ୍ରାଙ୍କେନ୍‌ଷ୍ଟିନ୍‌ କ୍ରିୟାଶୀଳତା ନାମରେ ଅଭିହିତ କରାଯାଉଛି । ‘ମୁଁ ଗୋଟିଏ ଫ୍ରାଙ୍କେନ୍‌ଷ୍ଟିନ୍‌ ସୃଷ୍ଟି କରିଛି’—ଏହି ବାକ୍ୟଟି ଇଂରାଜୀ ଭାଷାରେ ବର୍ତ୍ତମାନ ବହୁଳ ଭାବରେ ବ୍ୟବହୃତ ହେଉଛି । ସମାଜ ବିଜ୍ଞାନ କ୍ଷେତ୍ରରେ ଏହି ଆପ୍ତ ବାକ୍ୟଟିର ତାତ୍ପର୍ଯ୍ୟ ବିଶେଷ ଭାବରେ ଉପଲବ୍‌ଧ ହେଲାଣି-। କୃତ୍ରିମ ଉପାୟରେ ପ୍ରାଣଶକ୍ତି ଧାରିତ ଜୀବ ସୃଷ୍ଟି କରିବା ଏବଂ ନିଜ ସୃଷ୍ଟି ଶିଳ କର୍ମପ୍ରବଣତା ନିକଟରେ ନିଜେ ପରାଭୂତ ହେବ—ଏହି ଚିନ୍ତାଧାରାକୁ ଆଶ୍ରୟ କରି ବିଚକ୍ଷଣ କଳ୍ପନା ପ୍ରବଣତା ବିନିମୟରେ ସୁଖପାଠ୍ୟ ତଥା ଉପଭୋଗ୍ୟ ‘ଫ୍ରାଙ୍କେନ୍‌ଷ୍ଟିନ୍‌’ ଉପନ୍ୟାସଟିକୁ ରଚନା କରିବା ଦ୍ୱାରା ମ୍ୟାରୀ ସେଲି ସାହିତ୍ୟ ଜଗତରେ ଗୋଟିଏ ନୂତନ ବିଭାଗ ସୃଷ୍ଟି କରିଛନ୍ତି । କୃତିମ ଜୀବ ତଥ୍ୟାଶ୍ରୟୀ କାଳ୍ପନିକ ବୈଜ୍ଞାନିକ ଉପନ୍ୟାସ ରଚନା କରିବା କ୍ଷେତ୍ରରେ ଐତିହାସିକ ଦୃଷ୍ଟି କୋଣରୁ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ପଦାଙ୍କ ଅନୁସରଣ କରିବା ଦ୍ଵାରା ପରବର୍ତ୍ତୀ ଯୁଗର ଲେଖକ ଲେଖିକାମାନେ ନିଜ ନିଜ କଳ୍ପନା ଶକ୍ତିର ପରାକାଷ୍ଠା ପଦର୍ଶନ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ନିର୍ଭରଶୀଳ ସଭ୍ୟ ମନୁଷ୍ୟର ପ୍ରତିଭାର ଉପଯୋଗ ବଳରେ ମାନବ ଜାତିର ଭବିଷ୍ୟତ ସମ୍ପର୍କରେ ଇଙ୍ଗିତ ପ୍ରଦାନ କରିବାକୁ ସମର୍ଥ ହୋଇଛନ୍ତି ।

 

॥ ୨ ॥

 

ମାନବ ଜାତି ସବୁ ଯୁଗରେ ବୌଦ୍ଧିକ କ୍ଷେତ୍ରରେ ଅଭ୍ୟୁଦୟ ଲାଭ କରିଥିବା ନୂତନ ଜ୍ଞାନ ବିରୋଧରେ ସଂଶୟ ପ୍ରକାଶ କରିଛି । ନୂତନ ଜ୍ଞାନ ତା’ ମନରେ ଭୟ ସଞ୍ଚାର କରିଛି । ଫ୍ରାଙ୍କେନ୍‌ଷ୍ଟିନ୍‌ ପୁସ୍ତକଟିର ବହୁଳ ପ୍ରସାରର ମୁଖ୍ୟ କାରଣ ହେଉଛି ଯେ, ଏହା ମନୁଷ୍ୟର ସୀମିତ ଶକ୍ତି ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରାଇ ଦେଇଛି । ଇଂରାଜୀ ଭାଷା ଭାଷୀ ଖ୍ରୀଷ୍ଟ-ଧର୍ମାବଲମ୍ବୀ ଜନସାଧାରଣ ଫ୍ରାଙ୍କେନ୍‌ଷ୍ଟିନ୍‌ଙ୍କୁ ଷଷ୍ଟ୍‌ଙ୍କର ଅନ୍ୟତମ ରୂପ ଭାବରେ ଗ୍ରହଣ କରିଛନ୍ତି । କୃତିମ ଜୀବ, ସୃଷ୍ଟି କରିବା, ଜୀବଠାରେ ପ୍ରାଣ ଶକ୍ତିର ସଞ୍ଚାର ଘଟାଇବା ଓ ଜୀବ ଶରୀରରେ ଅବନାଶୀ ଆତ୍ମାର ଆରୋପଣ ଘଟାଇବା ପ୍ରଭୂତି ସମସ୍ୟାଗୁଡ଼ିକ ସମ୍ପର୍କରେ ଜ୍ଞାନ ଲୋକ ବିତରଣ କରିବା ମନୁଷ୍ୟର ଦାୟିତ୍ଵ ନୁହେଁ । ମହିମାମୟ ସୃଷ୍ଟି କର୍ତ୍ତା ପରମେଶ୍ଵରଙ୍କ ଦାୟିତ୍ଵକୁ ଯଦି ଅହଙ୍କାରୀ ମନୁଷ୍ୟ ନିଜ କରାୟତ୍ତ କରିବାର ଅପଚେଷ୍ଟା ଚଳାଏ, ତାହାହେଲେ ଫ୍ରାଙ୍କେନ୍‌ଷ୍ଟିନ୍‌ ପରି ତାକୁ ଅନିବାର୍ଯ୍ୟ ଭାବରେ ମେଫିଷ୍ଟେଫେଲୀୟ ଦୈବଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ ।

 

ଉନବିଂଶ ଶତାବ୍ଦୀରେ ଅବଶ୍ୟ ବିଜ୍ଞାନ ଓ ତତ୍‌ନିର୍ଭରଶୀଳ ପ୍ରଯୁକ୍ତ ବିଦ୍ୟାର ତ୍ଵରାନ୍ଵିତ ସମୃଦ୍ଧି ସାଧିତ ହେଉଥିଲା ଏବଂ ମନୁଷ୍ୟ ମନରେ ବିଜ୍ଞାନର ଅଭୂତପୂର୍ବ ବିଚକ୍ଷଣ କରାମତି ପ୍ରତି ପ୍ରଗାଢ଼ ଅନୁରକ୍ତି ଜାତ ହୋଇଥିଲା । ସେ ଆତ୍ମପ୍ରତ୍ୟୟ ଭାବ ଦ୍ଵାରା ଉଦ୍‌ବୁଦ୍ଧ ହୋଇ ସ୍ୱଚେଷ୍ଟାରେ ଅଜୈବ ବସ୍ତ୍ର ସାହାଯ୍ୟରେ କୃତିମ ଜୀବ ସୃଷ୍ଟି କରିବା ଦିଗରେ ଆଶାବାଦୀ ମନୋଭାବ ପୋଷଣ କରୁଥିଲା । ମାତ୍ର କୃତିମ ଜୀବଠାରେ ଆତ୍ମାର ଆରୋହଣ ବ୍ୟାପାରରେ ମନୁଷ୍ୟ କୃତିତ୍ଵ ଅର୍ଜନ କରିବା ପ୍ରତି ସଂଶୟ ଆରୋପ କରାଯାଇଥିଲା । ତତ୍କାଳୀନ ବିଜ୍ଞାନ ଅନୁରକ୍ତ ଜନ ସାଧାରଣଙ୍କର ହୃଦବୋଧ୍‌ ହୋଇଥିଲା ଯେ, କୃତିମ ଜୀବ ସୃଷ୍ଟି ବ୍ୟାପରରେ ଅବଶ୍ୟ ମନୁଷ୍ୟ ସାଫଲ୍ୟମଣ୍ଡିତ ହୋଇପାରିବାର ଅବକାଶ ରହିଛି; ମାତ୍ର ସେହି ଜୀବଠାରେ ଆତ୍ମାର ଆରୋପଣ କଦାପି ସମ୍ଭବ ହେବ ନାହିଁ । ଶେଷୋକ୍ତ ଐଶ୍ୱରିକ ବ୍ୟାପାରରେ ଅସଫଳ ହେବାର ପରିଣତ ସ୍ୱରୂପ ସେ କେବଳ ବୁଦ୍ଧି ବିବେକହୀନ, ଆତ୍ମାବିହୀନ ଜୀବ ହିଁ ସୃଷ୍ଟି କରିବ । ଫ୍ରାଙ୍କେନ୍‌ଷ୍ଟିନ୍‌ର ଆତ୍ମସଂହାରୀ କ୍ରିୟାଶୀଳତା ତା’ର ଏପରି ବଳବତ୍ତର ଧାରଣାର ସତ୍ୟତା ପ୍ରତିପାଦନ କରିପାରିଲା । ଏହା ମନୁଷ୍ୟକୁ ଚେତାଇ ଦେଲା ଯେ ବିଜ୍ଞାନ ନିର୍ଭରଶୀଳ ପ୍ରଯୁକ୍ତି ବିଦ୍ୟାର ବହୁଳ ଉପଯୋଗ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାବେଳେ ଜୀବ ସୃଷ୍ଟି ଭଳି ଐଶ୍ଵରିକ ବ୍ୟାପାରରେ ଆତ୍ମନିୟୋଗ କରିବା ବିଜ୍ଞତାର ପରିଚାୟକ ହେବନାହିଁ ।

 

ଫ୍ରାଙ୍କେନ୍‌ଷ୍ଟିନୀୟ କର୍ମପ୍ରବଣତାର ଅସାରତା ସମ୍ପର୍କରେ ଏପରି ଧାରଣା ଅବଶ୍ୟ ସମୟକ୍ରମେ ମନୁଷ୍ୟକୁ ବିଶେଷ ପ୍ରଭାବିତ କଲା ନାହିଁ । ଆଧ୍ୟାତ୍ମିକ ଚିନ୍ତାଧାରା, ମହିମାମୟ ପରମେଶ୍ଵରଙ୍କ ଅଲୌକିକ କ୍ରିୟାଶୀଳତା ବା ଦୈବୀଶକ୍ତି ପ୍ରତି ସେ ଆଉ ଭକ୍ତି ବା ଅନୁରକ୍ତି ପ୍ରଦର୍ଶନ କରିବାକୁ ଉଚିତ୍ ମଣିଲା ନାହିଁ । ବିଜ୍ଞାନର ଜୟଯାତ୍ରା ବସ୍ତୁବାଦୀ ସଭ୍ୟତାର ତ୍ଵରାନ୍ଵିତ ବିକାଶ ଘଟାଇବା ପାଇଁ ତାକୁ ଅନୁପ୍ରାଣିତ କଲା । ପରମଶ୍ଵେରଙ୍କ ସ୍ଥାନରେ ସେ ‘ବିଜ୍ଞାନ’କୁ ତାର ଆରାଧ୍ୟ ଦେବତା ରୂପେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ବଳରେ ଧରଣୀ ବକ୍ଷରେ ନୈସର୍ଗିକ ପରିବେଶ ସୃଷ୍ଟି କରିବାକୁ ଯତ୍ନଶୀଳ ହେଲା ।

 

ପ୍ରଥମ ମହାଯୁଦ୍ଧର ଘନଘଟା ଓ ପ୍ରଳୟଙ୍କାରୀ ନୃଶଂସ ଲୀଳା ବିଜ୍ଞାନ ପ୍ରତି ତା’ର ମୋହାଶକ୍ତି ମାନସପଟରେ ଗଭୀର ଆଲୋଡ଼ନ ସୃଷ୍ଟି କଲା । ବିଜ୍ଞାନର ବିନାଶକାରୀ ଶକ୍ତି ତା’ ମନରେ ଭୟ ସଞ୍ଜାର କରାଇବା ସଙ୍ଗେ ସଙ୍ଗେ ତାକୁ ପ୍ରଥମ ଥର ପାଇଁ ଚେତାଇ ଦେଲେ ଯେ, ଏହି ବିଜ୍ଞାନ ହିଁ ମାନବ ଜାତିର ସାମୂହିକ ବିନାଶ ଘଟାଇପାରେ ଏବଂ ବିଜ୍ଞାନ ଦ୍ଵାରା ସମକାଳୀନ ଭାବରେ ମନୁଷ୍ୟର ଅଶେଷ କଲ୍ୟାଣ ତଥା ପ୍ରଭୃତ କ୍ଷତି ସାଧିତ ହେବାର ଅବକାଶ ରହିଛି । ଯୁଦ୍ଧକ୍ଷେତ୍ରରେ ନୂଆ ପ୍ରକାରର ଗୋଳା, କମାଣ, ଦ୍ରୁତଗାମୀ ବୋମାବାହୀ ବିମାନ, ବିଷାକ୍ତ ଗ୍ୟାସ ପ୍ରଭୃତି ଆୟୁଧଗୁଡ଼ିକର ବହୁଳ ପ୍ରୟୋଗ ଯୋଗ ମାନବ ଜାତି ଯେଉଁ ଅଭୂତପୂର୍ବ ଦୁର୍ଦ୍ଦଶାର ସମ୍ମୁଖୀନ ହେଲା, ତଜ୍ଜନିତ ଏଣିକି ମନୁଷ୍ୟ ବିଜ୍ଞାନକୁ ଓ ବିଜ୍ଞାନ ନିର୍ଭରଶୀଳ ପ୍ରଯୁକ୍ତି ବିଦ୍ୟାକୁ ପୂର୍ବବତ୍ ଆଉ ଏକାନ୍ତ ଭାବରେ ଶ୍ରଦ୍ଧାସ୍ପଦ ଆସନରେ ଅଧିଷ୍ଠିତ କରାଇବାକୁ ଉଚିତ୍ ମଣିଲା ନାହିଁ-। ଅବଶ୍ୟ ପ୍ରଥମ ମହାଯୁଦ୍ଧକାଳିନ ପରିସ୍ଥିତିରେ ବିଜ୍ଞାନାଶ୍ରୟୀ ପ୍ରଯୁକ୍ତି ବିଦ୍ୟାର ଫଷ୍ଟୀୟ ଭୂମିକା ଦ୍ୱିତୀୟ ମହାଯୁଦ୍ଧ କାଳରେ ତା’ର ତତ୍ତୁଲ୍ୟ ଭୂମିକା ତୁଳନାରେ ନିତ୍ୟାନ୍ତ ଗୌଣ । ଦ୍ଵିତୀୟ ମହାପୁଦ୍ଧ ତଥା ତତ୍‌ପରବର୍ତ୍ତୀ କାଳରେ ପ୍ରଳୟଙ୍କରୀ ପରମାଣୁ ବୋମା, ଉଦ୍‍ଜାନ ବୋମା, ନିଉଟ୍ରନ୍ ବୋମା, ପ୍ରଭୃତ କ୍ଷତି ସାଧନକାରୀ ବ୍ୟାକଟେରିଆ ନିକ୍ଷେପୀ ବୋମା, ରାଡର୍, କ୍ଷେପଣାସ୍ତ୍ର ପ୍ରଭୃତି ଆୟୁଧଗୁଡ଼ିକର ପ୍ରସ୍ତୁତି ମନୁଷ୍ୟକୁ ସୁଖନିଦ୍ରାରୁ ବଂଚିତ କରାଇବା ସଙ୍ଗେ ସଙ୍ଗେ ମାନବ ଜାତିର ସ୍ଥାୟିତ୍ଵ ତଥା ଭବିଷ୍ୟତ ପ୍ରତି ତା’ ମନରେ ତୁମୂଳ ସଂଶୟ ସୃଷ୍ଟି କରିଛି ।

 

ପ୍ରଥମ ମହାଯୁଦ୍ଦୋତ୍ତର କାଳରେ ବିଜ୍ଞାନର ଅନିଷ୍ଟକାରୀ ଉପଯୋଗ ସମ୍ବନ୍ଧରେ ସଚେତନ ହେବା ପରେ କଳ୍ପନାବିଳାସୀ ଉପନ୍ୟାସକାରଗଣ ବିଜ୍ଞାନର ଫଷ୍ଟୀୟ ଭୂମିକା ତଥା ବୈଜ୍ଞାନିକମାନଙ୍କର ଅପରିଣାମଦର୍ଶୀ କର୍ମପ୍ରବଣତାକୁ ଆଧାର କରି ବହୁ ଉପନ୍ୟାସ ରଚନା କଲେ । ଅଜୈବ ବସ୍ତୁଗୁଡ଼ିକ ସାହାଯ୍ୟରେ କୃତିମ ଜୀବର ସର୍ଜନା ତଥା ଏପରି ଜୀବର କ୍ରିୟାଶଳତା ବିନିମୟରେ ମାନବ ଜାତିର ଅନିଷ୍ଠ ସାଧନ—ଏହି ବିଷୟ ବସ୍ତୁକୁ ଆଶ୍ରୟ କରି ବହୁ ପ୍ରବୀଣ ଲେଖକ ବୈଜ୍ଞାନିକ ଉପନ୍ୟାସ ରଚନା କଲେ । ଚେକୋସ୍ଳୋଭାକିଆର କାରେଲ୍ କାପେକ୍ ନାମକ ଜନୈକ ପ୍ରବୀଣ ଉପନ୍ୟାସକାର ଆର ୟୁ.ଆର୍: (ରୋସମ୍’ସ ଯୁନିଭରସାଲ୍ ରୋବଟ୍‍ସ୍) ଶିରୋନାମାରେ ବୈଜ୍ଞାନିକ ଉପନ୍ୟାସ ରଚନା କରି ସାହିତ୍ୟ ଜଗତର ଏହି ନୂତନ ବିଭାଗଟିର ସମୃଦ୍ଧି ପଥରେ ଗୋଟିଏ ମାଇଲ ଖୁଣ୍ଟ ପ୍ରତିଷ୍ଠା କଲେ । ତାଙ୍କ ଦ୍ଵାରା ରଚିତ ପୁସ୍ତକଟି ପ୍ରଥମେ ୧୯୨୧ ମସିହାରେ ଆତ୍ମପ୍ରକାଶ କଲା ଏବଂ ୧୯୨୩ ମସିହାରେ ଏହି କାଳଜୟୀ ଉପନ୍ୟାସର ଇଂରାଜୀ ଅନୁବାଦ ପୃଥିବୀର ସବୁ ଦେଶରେ ବ୍ୟାପକ ଭାବରେ ପ୍ରସାରିତ ହେଲା । ମ୍ୟାରୀସେଲିଙ୍କ ମାନସ ସନ୍ତାନ ‘ଫ୍ରାଙ୍କେନ୍‍ଷ୍ଟିନ୍‌’ ତୁଲ୍ୟ କାପେକ୍‌ଙ୍କ ଉପନ୍ୟାସର ମୁଖ୍ୟନାୟକ ରୋସମ୍ କୃତ୍ରିମ ମନୁଷ୍ୟ ସୃଷ୍ଟି କରିବାର ଉପାୟ ଆବିଷ୍କାର କଲା । ସେ ଏହି କୃତ୍ରିମ ମଣିଷକୁ ରୋବାଟ୍ ନାମରେ ଅଭିହିତ କଲା । ଚେନ୍‌ ଭାଷାରେ ଭୋବଟ୍ ଶବ୍ଦର ଅର୍ଥ ‘କର୍ମୀ’ । ଅର୍ଥାତ୍‍, ମନୁଷ୍ୟ ନିଜ ସ୍ୱାର୍ଥ ସାଧନ ପାଇଁ ଏହି କର୍ମୀ ବା ରୋବଟ୍‍ଗୁଡ଼ିକ ନିୟୋଜିତ କରିବା ସମ୍ପର୍କୀୟ ଚିନ୍ତାଧାରାର ପ୍ରସାର ଘଟାଇ କାପେକ୍ ବୌଦ୍ଧିକ, ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କଲେ । ଏଣିକି ରୋବଟ୍ ଶବ୍ଦଟିକୁ ପୃଥିବୀର ସବୁ ଭାଷାରେ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଶବ୍ଦ ରୂପେ ପ୍ରୟୋଗ କରାଗଲା । କାପେକ୍‌ଙ୍କ ସୁଖପାଠ୍ୟ ଉପନ୍ୟାସଟିରେ ରୋବଟ୍ ଗୁଡ଼ିକ ମନୁଷ୍ୟ ନିଜର ସ୍ଵାର୍ଥ ସାଧନ ପାଇଁ ନିୟୋଜିତ କରିଛି । ସେ ଯୁଦ୍ଧ କ୍ଷେତ୍ରରେ ଏଗୁଡ଼ିକ ବିଚକ୍ଷଣ ଭାବରେ ପ୍ରୟୋଗ କରି ଶତ୍ରୁ ପକ୍ଷର ଅଶେଷ କ୍ଷତି ସାଧନ କରିଛି । ମାତ୍ର ମନୁଷ୍ୟର ସୃଷ୍ଟିଶୀଳ ପ୍ରତିଭାସମ୍ଭୁତ ଏହି ରୋବଟ୍ ଶେଷକୁ ମାନବ ଜାତି ବିରୋଧରେ ବିଦ୍ରୋହ ଘୋଷଣା କରିଛି । ଉପନ୍ୟାସର ଅନ୍ତିମ ପର୍ଯ୍ୟାୟରେ ରୋବଟ୍‌ଗୁଡ଼ିକ ମନୁଷ୍ୟକୁ ଯୁଦ୍ଧରେ ପରାସ୍ତ କରିବା ସଙ୍ଗେ ସଙ୍ଗେ ଧରଣୀ ବକ୍ଷରୁ ମାନବଜାତିର ବିଲୋପ ସାଧନ କରିଛନ୍ତି । ‘ଫ୍ରାଙ୍କେନ୍‌ଷ୍ଟିନ୍‌’ ଉପନ୍ୟାସ ପରି ଏହି ଉପନ୍ୟାସଟିର ମେଫିଷ୍ଟୋଫେଲୀୟ କ୍ରିୟାଶୀଳତା ଯୋଗୁଁ ବୈଜ୍ଞାନିକ ଗବେଷଣା ସହ ଜଡ଼ିତ ଫଷ୍ଟୀୟ ମନୁଷ୍ୟର ବିନାଶ ସାଧିତ ହୋଇଛି ।

 

॥ ୩ ॥

 

ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ, ଅର୍ଥାତ୍ ପ୍ରଥମ ମହାଯୁଦ୍ଧୋତ୍ତର କାଳରେ, ବିଜ୍ଞାନ ତଥ୍ୟଶ୍ରୟୀ କାଳ୍ପନିକ ଉପନ୍ୟାସର ଦ୍ରୁତ ସମୃଦ୍ଧି ସାଧିତ ହେଲା ଏବଂ ବୁଦ୍ଧିଜୀବୀ ମହଲରେ ଏପରି ପୁସ୍ତକ ବିଶେଷ ଆଦୃତ ହେବାର ପରିଲକ୍ଷିତ ହେଲା । ଜୁଲ୍‌ସ ଭରନେ ବା ଏଚ୍: ଜି; ୱେଲ୍‌ସଙ୍କ ଭଳି ସୁନାମ୍ ଧନ୍ୟ ଉପନ୍ୟାସ ରଚୟିତାଗଣ ବଳିଷ୍ଠ ଲେଖନୀ ଚାଳନା କରି ସେପରି କିଛି ସମୟ ପାଇଁ ବିଜ୍ଞାନର ଏହି ବିଭାଗଟିକୁ ସମୃଦ୍ଧ କରିବାର ମହତ୍ ପ୍ରୟାସ ଚଳାଇଥିଲେ, ଏଣିକି ଆଉ ଏହାର ଅଗ୍ରଗତିରେ ସେପରି ଜୁଆର ବା ଭଟ୍ଟା ପରିଲକ୍ଷିତ ହେଲା ନାହିଁ । ବିଜ୍ଞାନ ତଥ୍ୟଶ୍ରୟୀ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନା ଦିଗରେ ବହୁ ପ୍ରତିଭାବାନ୍‌ ଲେଖକ ମସ୍ତିଷ୍କ ଚାଳନା କଲେ । ପୃଥିବୀର ସମସ୍ତ ସଭ୍ୟ ରାଷ୍ଟ୍ର ଗୁଡ଼ିକରେ ବିଜ୍ଞାନ ତଥ୍ୟଶୟୀ କାଳ୍ପନିକ ଗଳ୍ପ ବା ଉପନ୍ୟାସ ପ୍ରକାଶ କରୁଥିବା ପ୍ରତିକାଗୁଡ଼ିକର ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଲା । ମହାକାଶ ଅଭିଯାନ, ସ୍ଥାନ ଓ କାଳ ସମ୍ବନ୍ଧୀୟ ଆପେକ୍ଷିକ ତତ୍ତ୍ଵ ଆଧ୍ୟାରିତ ଧାରଣା, ରୋବଟ୍ ପରିକଳ୍ପନା, ଜୈବିକ ବିବର୍ତ୍ତନ, ପୃଥିବୀ ଭିନ୍ନ ଅନ୍ୟ ଜ୍ୟୋତିଷ୍କ ପୃଷ୍ଠରେ ଜୀବଜଗତର ସ୍ଥାୟିତ୍ଵ ପ୍ରଭୃତି ବିଷୟବସ୍ତୁକୁ ବିଚାରକୁ ନେଇ ତଥା ନିଜ ନିଜ କଳ୍ପନାଶକ୍ତି, ରଚନା ଶୈଳୀ, ଭାବ ପ୍ରକାଶ କରିବାର ଭଙ୍ଗୀର ସାର୍ଥକ ଉପଯୋଗ ଘଟାଇ ସୁଦକ୍ଷ ଲେଖକମାନେ ଗୋଟିଏ ପରେ ଗୋଟିଏ ବୈଜ୍ଞାନିକ ଉପନ୍ୟାସ ରଚନା କଲେ । ମାତ୍ର ବରାବର ଦେଖାଗଲା ସେ ରୋବଟ୍ ଚିନ୍ତାଧାରାଶ୍ରୟୀ ସମସ୍ତ ଉପନ୍ୟାସଗୁଡ଼ିକରେ ମନୁଷ୍ୟକୃତ ରୋବଟ୍ ସାମୟିକ ଭାବରେ ମନୁଷ୍ୟର ସ୍ଵାର୍ଥ ସାଧନ ପାଇଁ ନିୟୋଜିତ ହୋଇଥିଲେ ହେଁ ଶେଷକୁ ମନୁଷ୍ୟ ରୋବଟ୍ ଦ୍ଵାରା ପରାଭୂତ ହେଉଛି ।

 

ରୋବଟ୍ ଚିନ୍ତାଧାରାଶ୍ରୟୀ ଉପନ୍ୟାସ ଗୁଡ଼ିକର ସମଧର୍ମୀ ଅନ୍ତିମ ନୈରାଶ୍ୟ ଜନକ ପରିଣତି ପ୍ରବୀଣ ମାର୍କିନ ଉପନ୍ୟାସକାର ଆଇଜାକ ଆସିମୋଭଙ୍କ ମାନସପଟରେ ଗଭୀର ଆଲୋଡ଼ନ ସୃଷ୍ଟି କଲା । ସେ ବିଚାରିଲେ ଯେ, ମନୁଷ୍ୟ ନିଜ ସୃଷ୍ଟିଶୀଳ ପ୍ରତିଭା ବିନିମୟରେ ପ୍ରକୃତିର ରହସ୍ୟୋଦ୍‌ଘାଟନ କରିବା ପୂର୍ବକ ଯେଉଁ ନୂତନ ଜ୍ଞାନର ଅଭ୍ୟୁଦୟ ଘଟାଉଛି, ତାହାକୁ ପ୍ରାୟୋଗିକ କ୍ଷେତ୍ରରେ ସବୁ ଯୁଗରେ ଦୁଇ ପ୍ରକାରେ ବ୍ୟବହାର କରାଯିବାର ଅବକାଶ ରହିଛି । ବୁଦ୍ଧି ବିବେକସଂପନ୍ନ ମନୁଷ୍ୟ ନବ ଆବିଷ୍କୃତ ଜ୍ଞାନ ପ୍ରତି ସଂଶୟ ଆରୋପ କରିବା ପୂର୍ବକ ଜ୍ଞାନର ସଦୁପଯୋଗ କରିବାରୁ ନିବୃତ୍ତ ହେବା ଦ୍ଵାରା ମାନବୀୟ ଚେତନାର ଉତ୍ତରଣ ଘଟିବ ନାହିଁ । ସେ ବିଚାରିଲେ, ଯେ ଜ୍ଞାନରସାର୍ଥକ ଉପଯୋଗ କରାଯିବା ପାଇଁ ଯଦି ପ୍ରାକୃତିକ ବିଜ୍ଞାନ ସହ ସମାଜ ବିଜ୍ଞାନ ସମତାଳରେ ଆଗେଇପାରେ, ତାହାହେଲେ ବିଜ୍ଞାନ ନିର୍ଭରଶୀଳ ପ୍ରଯୁକ୍ତି ବିଦ୍ୟାର ଅପରିଣାମଦର୍ଶୀ ଉପଯୋଗ ଘଟିବାର ଅବକାଶ ରହିବ ନାହିଁ । ନୂତନ ଜ୍ଞାନର ସଦୁପଯୋଗ ବଳରେ ମାନବଜାତିର ସୁଖମୟ ଭବିଷ୍ୟତ ନିର୍ଦ୍ଧାରିତ କରାଯିବା ଦିଗରେ ବୈଜ୍ଞାନିକ ଉପନ୍ୟାସଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ସଂପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ସେ ରୋବଟ୍ ଭିତ୍ତିକ ଉପନ୍ୟାସ ଗୁଡ଼ିକୁ ରଚନା କରାଯିବାର ଆଭିମୁଖ୍ୟକୁ ବଦଳାଇ ଦେଲେ । ତାଙ୍କ ମତାନୁଯାୟୀ ଫଷ୍ଟ୍ ଓ ମେଫିଷ୍ଟୋଫେଲସ୍‌ଙ୍କୁ ପରସ୍ପରର ସମ୍ମୁଖୀନ ସମ୍ମୁଖୀନ କରାଇବା ସମ୍ଭବ ହେଲେ ଫଷ୍ଟ୍ ବରାବର ପରାସ୍ତ ହେବାର ଅବକାଶ ରହିବ ନାହିଁ । ମନୁଷ୍ୟ ତୀକ୍ଷ୍‌ଣ ଧାରଯୁକ୍ତ ଛୁରୀଟିଏ ତିଆରି କରିବାବେଳେ ତାକୁ ସାବଧାନରେ ଧରିବା ପାଇଁ ଗୋଟିଏ ହାଣ୍ଡଲ ପ୍ରସ୍ତୁତ କରୁଛି, କିମ୍ୱା ବା ଆଲୁମିନିଅମ୍‍ ଦ୍ଵାରା ନିର୍ମିତ ବିଦ୍ୟୁତ ପରିବାହୀ ଉପରେ ବିଦ୍ୟୁତରୋଧୀ ଆବରଣ ଘୋଡ଼ାଇ ଦେଉଛି, ବିମାନଯାତ୍ରାକୁ ନିରାପଦ କରିବା ପାଇଁ ଗଡ଼ର ଯନ୍ତ୍ରର ସାହାଯ୍ୟ ନିଆଯାଉଛି, ପ୍ରେସର କୁକରରେ ବିସ୍ପୋରଣ ନ ଘଟିବା ପାଇଁ ସେଥିରେ ସେଫଟି ଭଲ୍‌ଭ ସଂଯୁକ୍ତ କରାଯାଉଛି । ସେହିପରି ମନୁଷ୍ୟର ଚିନ୍ତାପ୍ରସ୍ତୁତ ବିଜ୍ଞାନ ନିର୍ଭରଶୀଳ ପ୍ରଯୁକ୍ତ ବିଦ୍ୟା ବଳରେ ରୋବଟ୍‌କୁ ଗୋଟିଏ ଉପଯୋଗୀ ଉପକରଣରୂପେ ବହୁବିଧ ଦାୟିତ୍ଵ ତୁଲାଇବା ପାଇଁ ପ୍ରୟୋଗ କରିବା ବେଳେ ସେ ରୋବଟ୍‌ର ସମାଜବିରୋଧୀ କ୍ରିୟା-ଶୀଳତା ବିରୋଧରେ ବହୁଳ ପଦକ୍ଷେପ ଗ୍ରହଣ କରିବାକୁ ଅସମର୍ଥ ହେବ କାହିଁକି ? ନିଜ ବୃଦ୍ଧି ଓ କର୍ମକୁଶଳତା ବିନିମୟରେ ପ୍ରସ୍ତୁତ କରିଥିବା ରୋବଟ‌୍‌କୁ ସେ ନିଶ୍ଚୟ ନିଜ ଅକ୍ତିଆରରେ ରଖି ପାରିବ ।

 

ଆଇକାକ୍ ଆସିମୋଭ ଏପରି ଚିନ୍ତାଧାରାର ବଶବର୍ତ୍ତୀ ହୋଇ ରୋବଟ୍ ପରି-କଳ୍ପନାର ଜନକଲ୍ୟାଣମୁଖୀ ଉପଯୋଗ ସମ୍ବନ୍ଧରେ ବୈଜ୍ଞାନିକ ଉପନ୍ୟାସ ରଚନା କରିବା ପାଇଁ ସ୍ଥିର କଲେ-। ସେ ରୋବଟ୍‌ର କ୍ରିୟାଶୀଳତାକୁ ଶୃଙ୍ଖଳିତ କରାଇବା ଉଦ୍ଦେଶ୍ୟରେ ୧୯୪୧ ମସିହାରେ ରୋବୋଟିକସ୍‌ ଶୀର୍ଷକ ତିନିଟି ନିୟମ ପ୍ରଣୟନ କଲେ । ବସ୍ତୁଗୁଡ଼ିକର ଗତି ବା ବଳ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଆମେ ସେପରି ନିଉଟନ୍‌ଙ୍କ ଗତି-ନିୟମଗୁଡ଼ିକୁ ବିଚାରକୁ ନେଉ, ଠିକ୍ ସେହିପରି ରୋବଟ୍‌ଗୁଡ଼ିକର ବହୁବିଧି ଉପଯୋଗ ଘଟାଇବା ବେଳେ ସେଗୁଡ଼ିକର କ୍ରିୟାଶୀଳତାକୁ ନିମ୍ନଲିଖିତ ତିନିଟି ନିୟମ ମଧ୍ୟରେ ସୀମାବଦ୍ଧ ରଖିବାକୁ ସେ ଶ୍ରେୟସ୍କର ମଣିଲେ:—

 

(୧) ରୋବାଟ୍ ମନୁଷ୍ୟକୁ ଆହତ କରି ପାରିବ ନାହିଁ କିମ୍ବା ତା’ର ବିକୃତି ବା ନିଷ୍କ୍ରିୟତା ଯୋଗୁଁ ମନୁଷ୍ୟ କ୍ଷତିଗ୍ରସ୍ତ ହେବାର ଅବକାଶ ନାହିଁ ।

 

(୨) ପ୍ରଥମ ନିୟମର ବିରୋଧାଚରଣ କରୁନଥିବା ମନୁଷ୍ୟର ଯେ କୌଣସି ନିର୍ଦ୍ଦେଶକୁ ରୋବଟ୍ ଯଥାବିଧି ପାଳନ କରିବାକୁ ବାଧ୍ୟ ।

 

(୩) ପ୍ରଥମ ଓ ଦ୍ଵିତୀୟ ନିୟମର ବିରୋଧାଚରଣ କରୁନଥିବା ଯେ କୌଣସି ପନ୍ଥାର ଆଶ୍ରୟ ନେଇ ରୋବଟ୍ ନିଜର ସ୍ଥାୟିତ୍ଵ ଓ କର୍ମକୁଶଳତାକୁ ବଜାୟ ରଖି ପାରିବ ।

 

୧୯୪୦ ମସିହାଠାରୁ ଆସିମୋଭ କଳ୍ପନାଶ୍ରୟୀ ଗଳ୍ପ ଓ ଉପନ୍ୟାସ ରଚନା ଦିଗରେ ମନଯୋଗୀ ହୋଇଥିଲେ ହେଁ ‘ରୋବୋଟିକ୍‍ସ’ ଚିନ୍ତାଧାରାଶ୍ରୟୀ ତାଙ୍କ ଦ୍ଵାରା ରଚିତ । ‘ଆଇ ରୋବଟ୍’ ଶୀର୍ଷକ ପୁସ୍ତକଟି ୧୯୫୦ ମସିହାରେ ପ୍ରକାଶିତ ହେବା ପରେ ବୌଦ୍ଧିକ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି ହେଲା । ‘ଆଇ ରୋବଟ୍’ ଓ ‘ରେଷ୍ଟ୍‍ ଅଫ୍ ଦି ରୋବଟସ୍‌’ ଶୀର୍ଷକ ପୁସ୍ତକ ରଚନା କରି ସେ ରୋବଟ୍ ପରିକଳ୍ପନାଶ୍ରୟୀ ଉପନ୍ୟାସ ରଚନା କରିବାର ମାର୍ଗକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଲେ ।

 

॥ ୪ ॥

 

ସ୍ୱନାମଧନ୍ୟ ବୈଜ୍ଞାନିକ ନବଟ୍ ୱେନର (୧୮୬୪-୧୯୭୪) ‘ସାଇବର୍‍-ନେଟିକସ୍‌’ ଚିନ୍ତାଧାରାର ପ୍ରସାର ଘଟାଇବା କାଳଠାରୁ ବିଚକ୍ଷଣଭାବେ କର୍ମନିପୁଣ ରୋବଟ୍ ବା ଯନ୍ତ୍ରମାନବ ପ୍ରସ୍ତୁତ କରିବା ପାଇଁ ମନୁଷ୍ୟର ପ୍ରଯତ୍ନ ଅବ୍ୟାହତ କରିଛି । ଇଲେକ୍‌ଟ୍ରୋନିକ୍‍ସର ଅଗ୍ରଗତି ସହ ତାଳ ମିଳାଇ କମ୍‍ପ୍ୟୁଟରଗୁଡ଼ିକର ପ୍ରସ୍ତୁତି–ପ୍ରଣାଳୀରେ ତ୍ୱରାନ୍ଵିତ ବିକାଶ ଘଟାଯାଉଛି । ଆଣବିକ ଜୀବ ବିଜ୍ଞାନ ଆଧାରିତ ବିଜ୍ଞାନର ଅତ୍ୟାଧୁନିକ ବିଭାଗଟିର ତ୍ଵରାନ୍ଵିତ ସମୃଦ୍ଧି ସାଧନ ବଳରେ ପ୍ରାଣୀ ଶରୀରର ଆଭ୍ୟନ୍ତରୀଣ ଜୈବ ରସାୟନ ଓ ତତ୍‌ନିର୍ଭରଶୀଳ କ୍ରିୟାଶୀଳତା ସମ୍ବନ୍ଧରେ ବହୁବିଧ ଜ୍ଞାତବ୍ୟ ତଥ୍ୟ ସଂଗୃହୀତ ହେଉଛି । ଏହି ସମସ୍ତ ଜ୍ଞାନର ସୁସମନ୍ଵିତ ଅଧ୍ୟୟନ ଓ ଅନୁଶୀଳନ ବଳରେ ଡିଜିଟାଲ୍ ଆନାଲଗ କମ୍ପ୍ୟୁଟର୍‍ଗୁଡ଼ିକର କର୍ମଶକ୍ତିରେ ଅଭିବୃଦ୍ଧ ଘଟାଯାଉଛି । ବିଜ୍ଞାନର ଏହି ବିଭାଗର ତ୍ୱରାନ୍ୱିତ ଅଗ୍ରଗତି ସହ ତାଳ ମିଳାଇ ସଂପ୍ରତି କମ୍ପ୍ୟୁଟର୍‍ଗୁଡ଼ିକୁ ପ୍ରତିରକ୍ଷା, ପରିବହନ, କୃଷି, ଶିଳ୍ପ, ଚିକିତ୍ସା, ବୈଜ୍ଞାନିକ ଗବେଷଣା, ସରକାରୀ ଓ ବେସରକାରୀ ଦପ୍ତରଗୁଡ଼ିକରେ ବହୁବିଧ ଦାୟିତ୍ଵ ତୁଲାଇବା ପାଇଁ ନିୟୋଜିତ କରାଯାଉଛି । କ୍ଳାନ୍ତିବିହୀନ, ଅଭୂତପୂର୍ବ ମାର୍ଗରେ କର୍ମନିପୁଣ କମ୍‌ପ୍ୟୁଟରର ବିଚକ୍ଷଣ କର୍ମପ୍ରବଣତା ମନୁଷ୍ୟକୁ ବିସ୍ମିତ କରିଛି । ବିଜ୍ଞାନ ଓ ଟେକ୍‌ନୋଲୋଜିର ଜୟଯାତ୍ରା ସହ ତାଳ ମିଳାଇ କଳ୍ପନାବିଳାସୀ ଭାବୁକଗଣ ରୋବୋଟ୍ ଚିନ୍ତାଧାରାଶ୍ରୟୀ ବୈଜ୍ଞାନିକ ଉପନ୍ୟାସ ରଚନା କରିବା କ୍ଷେତ୍ରରେ ମନୋବିବେଶ କରୁଛନ୍ତି । ଭବିଷ୍ୟତର ସୁଖଶାନ୍ତିମୟ ସମାଜ ପ୍ରତିଷ୍ଠା ଦିଗରେ ରୋବୋଟ୍‌ଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ସେମାନେ କଳ୍ପନାପ୍ରସୂତ ଚିତ୍ତାକର୍ଷକ ତଥା ରୋମାଞ୍ଚକର ବିବରଣୀ ଯୋଗାଇ ଦେଉଛନ୍ତି । ମାନବୀୟ ଇତିହାସକୁ ଅନୁଧ୍ୟାନ କରିବା ଦ୍ୱାରା ଆମେ ଜାଣି ପାରୁଛୁ ଯେ ମନୁଷ୍ୟର କଳ୍ପନା ବହୁଳାଂଶରେ ବାସ୍ତବ କ୍ଷେତ୍ରରେ ରୂପାୟିତ ହୋଇଛି । ତେଣୁ ଏପରି ଉପନ୍ୟାସଗୁଡ଼ିକୁ ବିଜ୍ଞାନ ନିର୍ଭରଶୀଳ ମନୁଷ୍ୟକୁ ଅନିଶ୍ଚିତ ଭବିଷ୍ୟତ ସହ ମୁକାବିଲା କରିବାର ପଥ ପ୍ରଦର୍ଶନ କରୁଛି ବୋଲି କହିଲେ ସତ୍ୟର ଅପଳାପ ହେବନାହିଁ । ମନୁଷ୍ୟ ସହସା କୌଣସି ଅଚିନ୍ତନୀୟ ବା ଅଭୂତପୂର୍ବ ପରିସ୍ଥିତିର ସମ୍ମୁଖୀନ ହେବାବେଳେ ଛାନିଆ ହୋଇଯାଏ । ଏପରି ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ସେ ପାଳାୟନପନ୍ଥୀ ହେବାକୁ ସହଜ ମଣେ । ସମାଜବିଜ୍ଞାନୀମାନଙ୍କ ଭାଷାରେ ବୈଜ୍ଞାନିକ ଉପନ୍ୟାସଗୁଡ଼ିକ ମନୁଷ୍ୟକୁ ‘ଫ୍ୟୁଚର୍ ସକ୍ ବା ‘ଭବିଷ୍ୟତର ଧକ୍‌କା’ କବଳରୁ ରକ୍ଷା କରୁଛନ୍ତି । ରୋବୋଟ୍‌ଗୁଡ଼ିକର ଜନକଲ୍ୟାଣମୁଖୀ ଉପଯୋଗ ବଳରେ ସୁଖଶାନ୍ତିମୟ ପରିବେଶ ସୃଷ୍ଟି କରାଯିବାର ସମ୍ଭାବନା ସମ୍ପର୍କରେ ଆସିମୋଭଙ୍କ କଳ୍ପନାଶ୍ରୟୀ ଉପନ୍ୟାସଗୁଡ଼ିକ ମନମୁଗ୍‌ଧକର ଚିତ୍ର ପରିବେଷଣ କରିବା ପରେ ପୃଥିବୀର ବିଭିନ୍ନ ଦେଶର ପ୍ରବୀଣ ସାହିତ୍ୟିକମାନେ ଏହି ତଥ୍ୟାଶ୍ରାୟୀ ଉଚ୍ଚକୋଟୀର ଉପନ୍ୟାସ ରଚନା କଲେଣି । ମହାକାଶ ଅଭିଯାନକୁ ବିଷୟବସ୍ତୁ ରୂପେ ଆଦରି ନେଇ ବୈଜ୍ଞାନିକ ଉପନ୍ୟାସ ରଚନା କରିବା କ୍ଷେତ୍ରରେ ଆନ୍ତଃରାଷ୍ଟ୍ରୀୟ ସୁଖ୍ୟାତି ଅର୍ଜନ କରିଥିବା ଆର୍ଥର ସି. କ୍ଳାର୍କ ନାମକ ଜନୈକ ପ୍ରବୀଣ ଲେଖକ ୨୦୦୧-ଏ ସ୍ପେସ୍ ଓଡ଼ିସି ‘ଦି ନାଇନ୍, ବିଲ୍ଲିଅନ୍ ନେମସ୍ ଅଫ୍ ଗଡ୍’ ଓ ରେଣ୍ଡେଜେଭସ୍ ଉଇଥ ମେ’ ଶୀର୍ଷକ ଜନପ୍ରିୟ ପୁସ୍ତକଗୁଡ଼ିକରେ ମହାକାଶ ଅଭିଯାନ ଓ ପୃଥିବେତର ଜ୍ୟୋତିଷ୍ଟ ପୃଷ୍ଟଦେଶରେ ଜନବସତି ସ୍ଥାପନା କ୍ଷେତ୍ରରେ କମ୍ପ୍ୟୁଟର ଓ ରୋବଟ୍‍ଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ଚିତ୍ତାକର୍ଷକ ତଥା ରୋମାଞ୍ଚକର ବିବରଣୀ ଯୋଗାଇଛନ୍ତି । ଅଭିନବ ରାଜନୈତିକ, ସମାଜିକ ଓ ଅର୍ଥନୈତିକ ଆଦର୍ଶଭିତ୍ତିକ ସୁଖଶାନ୍ତିମୟ : ଜନସମାଜ ସୃଷ୍ଟି କରିବା କ୍ଷେତ୍ରରେ ରୋବଟ୍ ତଥା କମ୍ପ୍ୟୁଟର ଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ବିଷୟବସ୍ତୁ ରୂପେ ଆଦରି ନେଇ ପୃଥିବୀର ବିଭିନ୍ନ ଦେଶରେ ସୃଷ୍ଟି ଶୀଳ ପ୍ରତିଭାସମ୍ପନ୍ନ ଲେଖକମାନେ ବିଭିନ୍ନ ଭାଷାରେ ବହୁ ବୈଜ୍ଞାନିକ ଉପନ୍ୟାସ ରଚନା କଲେଣି । କର୍ଟ ଭନ୍ମେଗଟ୍ (ଏପିକ କ୍) ରବର୍ଟ ଏ. ହେନଲିନ୍ (ମୃନ୍‌ ଇଜ୍‌ ଏ ହାରାମ୍ ମିଷ୍ଟ୍ରେସ୍‌’) ହରଲାନ୍, ଏଲିସନ୍ (‘ଆଇ ହାଭ୍‌ନୋ ମାଉଥ୍ ଆଣ୍ଡ ଆଇ ମଷ୍ଟ୍ ସ୍କ୍ରିମ୍’) ପ୍ରମୁଖ ପ୍ରବୀଣ ସାହିତ୍ୟିକମାନେ ରୋବଟ୍ ଚିନ୍ତାଧାରାଶ୍ରୟୀ ବୈଜ୍ଞାନିକ ଉପନ୍ୟାସ ରଚନା କରି ମାନବ ଜାତିର ସମ୍ଭାବ୍ୟ ଭବିଷ୍ୟତ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମ ଓଡ଼ିଆ ଭାଷାରେ ଏ ଧରଣର ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବା ଦ୍ୱାରା ସାହିତ୍ୟର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ତଥା ଆକର୍ଷଣୀୟ ବିଭାଗକୁ ଋଦ୍ଧ ମନ୍ତ କରାଯିବା ଦିଗରେ କୌଣସି ଲକ୍ଷ୍ୟଣୀୟ ପଦକ୍ଷେପ ଗୃହୀତ ହୋଇନାହିଁ । ବୈଜ୍ଞାନିକ ଗବେଷଣାଲବ୍‌ଧ ତଥ୍ୟରାଜି ସହ ଅବଗତ ହେବାକୁ ଯତ୍ନଶୀଳ ହେଲେ ଆମ ରାଜ୍ୟର ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ଲେଖକମାନେ ମାନବଜାତିର ସମ୍ଭାବ୍ୟ ଭବିଷ୍ୟତ ସମ୍ପର୍କରେ ଉଚ୍ଚକୋଟୀର କଳ୍ପନାଶ୍ରୟୀ ଚିତ୍ର ପରିବେଷଣ କରିପାରିବେ । ମାନବୀୟ ଚେତନାର ଉତ୍ତରଣ ପଥରେ ତଥା ସଭ୍ୟତା ଓ ସଂସ୍କୃତିର ସୁସଂଯତ ବିକାଶ ପଥରେ ଏପରି ବୌଦ୍ଧିକ ପ୍ରୟାସର ଗୁରୁତ୍ଵପୂର୍ଣ୍ଣ ମୂଲ୍ୟବୋଧ ସର୍ବଥା ସ୍ଵୀକୃତ ହେଉଛି । ବିଳମ୍ବରେ ହେଲେ ମଧ୍ୟ କଳା ଓ ବିଜ୍ଞାନ କ୍ଷେତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିବା ଆମ ରାଜ୍ୟର ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ବୁଦ୍ଧିଜୀବୀଗଣ ସାହିତ୍ୟର ଏହି ଗୁରୁତ୍ଵପୂର୍ଣ୍ଣ ବିଭାବର ସମୃଦ୍ଧି ସାଧନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଏ ।

 

ସହାୟକ ଗ୍ରନ୍ଥସୂଚୀ

 

1.

I, Robot by Isaac Asimov, 1950

 

 

2.

The Rest of the Robots by Asimov, Panther 1976

 

 

3.

Science Fiction : History : Vision by Robert Scholes and Eric S. Rabkin, Oxford University Press, 1977 .

 

 

4.

Growing up with science Fiction by Carl Sagan, Span, Feb. 1979

 

 

5.

Reconcilling man with environment by Eric Ashby, Stanford Univ. Press.

 

 

6.

Nobel Award Stories Eleven—Ed, by Ursula K. Leguin, Bantam,

Image

 

Unknown

ସତ୍ୟ ସନ୍ଧାନ ବ୍ୟାପାରରେ ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀର ଗୁରୁତ୍ଵପୂର୍ଣ୍ଣ ଭୂମିକା

 

ସତ୍ୟର ସନ୍ଧାନ ହିଁ ବ୍ରହ୍ମବିଦ୍ୟାର (theosophy) ଅନ୍ୟତମ ମୁଖ୍ୟ ଆଭିମୁଖ୍ୟ । ଉଭୟ ବାହ୍ୟ ଜଗତ ଓ ଅନ୍ତଃମାନସର କ୍ରିୟାଶୀଳତାର ରହସ୍ୟ ଭେଦ କରିବାପାଇଁ ବ୍ରହ୍ମବିଦ୍ୟା ଅନୁଗାମୀମାନେ ନିଜ ନିଜ ବୌଦ୍ଧିକତା ତଥା ସୃଷ୍ଟିଶୀଳ ପ୍ରତିଭାର ସଦୁପଯୋଗ କରନ୍ତି । ବାହ୍ୟ ଜଗତର ଶୋଭା ସମ୍ଭାର ଯେଉଁ ଜ୍ଞାନଲିପ୍‌ସୁ ବ୍ୟକ୍ତିମାନଙ୍କ ମାନସପଟରେ ଆଗ୍ରହ ସୃଷ୍ଟିକରେ, ସେମାନେ ଦୁର୍ବାର କୌତୁହଳର ବଶବର୍ତ୍ତୀ ହୋଇ ଗୋଟିଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ଚିନ୍ତା କରନ୍ତି, ଯଥା; ଆମ ଚତୁର୍ଦ୍ଦିଗରେ ବିରାଜିତ ବିଚିତ୍ରବର୍ଣ୍ଣା ଦୃଶ୍ୟଗୁଡ଼ିକ କେଉଁ କେଉଁ ନିୟମାନୁଯାୟୀ ସଂଘଟିତ ହେଉଛି ? ଅନ୍ତଃମାନସର କ୍ରିୟାଶୀଳତା ବୈଚିତ୍ୟ ଯେଉଁମାନଙ୍କୁ ବିମୁଗ୍‍ଧ କରିପାରେ, ସେମାନେ ଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ପାଇଁ ବା ପାଇଁ ପ୍ରୟାସୀ ହୁଅନ୍ତି; ଯଥା : ମୁଁ କିଏ ? ମୋ’ ଜୀବନର ଲକ୍ଷ୍ୟ କ’ଣ ? ଜୀବନ ଯାପନ କରିବାର ଠିକଣା ମାର୍ଗ ନିରୂପଣ ଭଳି ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସନ୍ତୋଷପ୍ରଦ ସମାଧାନ ମଧ୍ୟ ଶେଷୋକ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶୁଗୁଡ଼ିକ ସହିତ ଜଡ଼ିତ ହୋଇଯାଏ ।

 

ବାହ୍ୟ ଜଗତର କ୍ରିୟାଶୀଳତା ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ବ୍ୟାପାରରେ ମନୁଷ୍ୟ ଯଥେଷ୍ଟ ଅଗ୍ରଗାମୀ ହୋଇଛି । ବୈଜ୍ଞାନିକମାନଙ୍କ ଏକନିଷ୍ଟ ସାଧନାର ଫଳ ସ୍ୱରୂପ ସେ ପ୍ରାକୃତିକ ନିୟମଗୁଡ଼ିକ ସମ୍ବନ୍ଧରେ ବୋଧଗମ୍ୟ ସ୍ପଷ୍ଟୀକରଣ ପାଇପାରୁଛି । ଅବଶ୍ୟ ସେ ପ୍ରକୃତିକୁ ସାମଗ୍ରିକ ଭାବରେ ଚିହ୍ନି ପାରିବାକୁ ଏ ଯାବତ୍ ସମର୍ଥ ହୋଇନାହିଁ । ମାତ୍ର ଅଦ୍ୟାବଧି ଅର୍ଜନ କରିଥିବା ଅସମ୍ପୂର୍ଣ୍ଣ ଜ୍ଞାନର ପ୍ରୟୋଗିକ ଉପଯୋଗ ଫଳରେ ସେ ପ୍ରକୃତିକୁ କିୟତ୍ ପରିମାଣରେ ନିଜ ନିୟନ୍ତ୍ରଣାଧିନ କରିବାକୁ ସମର୍ଥ ହୋଇଛି । ବିଦ୍ୟୁତ୍ ଶକ୍ତି, ବିମାନ ଚଳାଚଳ ଓ ଟେଲି ଯୋଗାଯୋଗ ପ୍ରଭୃତି ବିଚକ୍ଷଣ ଯାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଇ ସେ ଧରଣୀ ବକ୍ଷରେ ଆରାମ୍ ପ୍ରଦାୟକ ଜୀବନ ଯାପନ କରୁଥିବା ସମର୍ଥ ହୋଇଛି । ବିଜ୍ଞାନ ଓ ତଦାଶ୍ରୟୀ ଟେକ୍‌ନୋଲୋଜିଗୁଡ଼ିକର କ୍ରମବର୍ଦ୍ଧମାନ ଉପଯୋଗ ଫଳରେ ମନୁଷ୍ୟର ଜୀବନ ଯାପନର ଭଙ୍ଗୀରେ ତ୍ଵରାନ୍ଵିତ ପରିବର୍ତ୍ତନ ସଙ୍ଘଟିତ ହେଉଛି । ମାତ୍ର ଅନ୍ତଃମାନସ ସମ୍ବନ୍ଧୀୟ ଅନୁସନ୍ଧାନ ବ୍ୟାପାରରେ ମନୁଷ୍ୟ ବିଶେଷ ପ୍ରଗତି ହାସଲ କରିପାରିନାହିଁ । ସେ ଅଦ୍ୟାବଧି ନିଜକୁ ଭଲ ଭାବରେ ଚିହ୍ନି ପାରିବାକୁ ଅପାରଗ ହୋଇଛି ଏବଂ ଏହି ସୁଦୀର୍ଘ କାଳ ଅତିକ୍ରାନ୍ତ ‌‌ହୋଇଥିବା ଅବସରରେ ତାହାର ଚେତନ ସଂସ୍ଥିତିରେ ସ୍ଥାନ ପାଇଥିବା ବିଷୟଗୁଡ଼ିକରେ କୌଣସି ପ୍ରକାର ବିଶେଷ ପରିବର୍ତ୍ତନ ଘଟିନାହିଁ । ବାହ୍ୟ ଜଗତ ସମ୍ବନ୍ଧୀୟ ଅନୁସନ୍ଧାନ ବ୍ୟାପାରରେ ଏପରି ଅସାମାନ୍ୟ କୃତିତ୍ଵ ପ୍ରଦର୍ଶନ କରିଥିବା ମନୁଷ୍ୟ ସମକାଳୀନ ଭାବରେ ଅନ୍ତଃନିବିଷ୍ଠ ଜଗତର କ୍ରିୟାଶୀଳତାର ରହସ୍ୟ ଭେଦ କରିବାକୁ କାହିଁକି ଅପାରଗ ହୋଇଛି ? ବୈଜ୍ଞାନିକ ଗବେଷଣାର ଗୌରବୋଜ୍ୱଳ ଇତିହାସରୁ ଶିକ୍ଷା ଲାଭ କରି ସେ ଅନ୍ତଃମାନସ ଆଧାରିତ ଅନୁସନ୍ଧାନ ବ୍ୟାପାରରେ ସଫଳତା ହାସଲ କରିବାରେ ଅବକାଶ ଅଛି କି ?

 

ପଦାର୍ଥ ବିଜ୍ଞାନୀମାନେ ବାହ୍ୟ କଥା ଜଡ଼ ଜଗତର କ୍ରିୟାଶୀଳତାର ରହସ୍ୟ ଭେଦ କରିବା ପାଇଁ ଏକ ଶୃଙ୍ଖଳିତ ପଦ୍ଧତିରେ ଅନୁଗାମୀ ହୁଅନ୍ତି । ସେମାନେ ନିମ୍ନଲିଖିତ ଚତୁର୍ବିଧ ପନ୍ଥା ଅବଲମ୍ବନରେ ଗୋଟିଏ ଗୋଟିଏ ଭୌତିକ ଦୃଶ୍ୟର ରହସ୍ୟ ଉନ୍ମୋଚନ କରନ୍ତି:—

 

(କ) ଯେଉଁ ଦୃଶ୍ୟଟି ସେମାନଙ୍କ କୌତୁହଳୀ ମାନସପଟରେ ଗଭୀର ରେଖାପାତ କରିବା ପୂର୍ବକ ସେମାନଙ୍କୁ ଗବେଷଣା ଚଳାଇବାକୁ ଉତ୍ସାହିତ କରିଥାଏ, ସେମାନେ ସେହି ଦୃଶ୍ୟଟିକୁ ପର୍ଯ୍ୟାପ୍ତ ଭାବରେ ପର୍ଯ୍ୟବେଷଣ କରନ୍ତି ଏବଂ ତତସଂଶ୍ଳିଷ୍ଟ ସର୍ବବିଧ ଘଟଣାଗୁଡ଼ିକ ସମ୍ବନ୍ଧରେ ବ୍ୟକ୍ତି ନିରପେକ୍ଷ ତଥା ରାଜି ସଂଗ୍ରହ କରନ୍ତି ।

 

(ଖ) ସଂଗ୍ରହୀତ ତଥ୍ୟ ନିର୍ଭରଶୀଳ ଅନୁମାନଗୁଡ଼ିକୁ ଆଶ୍ରୟ କରି ସେମାନେ ଗୋଟିଏ ନମୁନା ବା ମଡ଼େଲ ପ୍ରସ୍ତୁତ କରନ୍ତି ।

 

(ଗ) ଜ୍ଞାତ ଭୌତିକ ନିୟମଗୁଡ଼ିକୁ ପ୍ରୟୋଗ କରି ତଥା ତାର୍କିକ ବିଶ୍ଳେଷଣାତ୍ମାକ (ଗଣିତ ସମେତ) ପନ୍ଥାର ଆଶ୍ରୟ ନେଇ ସେମାନେ ପରିକଳ୍ପିତ ନମୁନାଟିର ବ୍ୟବହାର ସମ୍ପର୍କରେ ପ୍ରାକ୍‍ସୂଚନା ପରିବେଷଣ କରନ୍ତି ।

 

(ଘ) ଅଭିକ୍ରିୟାତ୍ମକ ପଦ୍ଧତି ଅବଲମ୍ବନରେ ସେମାନେ ପ୍ରାକ୍‍ସୂଚନା ଗୁଡ଼ିକର ସତ୍ୟତା ପ୍ରତିପାଦନ କରନ୍ତି । ପ୍ରାକ୍‍ସୂଚନା ଗୁଡ଼ିକର ସତ୍ୟତା ପ୍ରତିପାଦିତ ହୋଇଯିବା ଦ୍ୱାରା ଜନୈକ ବୈଜ୍ଞାନିକଙ୍କ ପରିକଳ୍ପିତ ନମୁନାଟି ଗ୍ରହଣଯୋଗ୍ୟ ହୁଏ ।

 

ଅଭିକ୍ରିୟାର ଫଳ ଯେତେ ଅଧିକ ପରିମାଣରେ ପ୍ରାକ୍‌ସୂଚନା ସହ ସାମଞ୍ଜସ୍ୟ ରକ୍ଷା କରିପାରେ, ତଦନୁପାତରେ ବାସ୍ତବ ଦୃଶ୍ୟ ପରିପ୍ରେକ୍ଷୀରେ ପରିକଳ୍ପିତ ନମୁନାଟିର ଉତ୍କର୍ଷ ପ୍ରତିପାଦିତ ହୁଏ । ତାତ୍ତ୍ଵିକ ଗବେଷଣା ଚଳାଉଥିବାବେଳେ ଅର୍ଥାତ୍‌ ନମୁନା ପ୍ରଣୟନ କରୁଥିବା ବେଳେ, ପଦାର୍ଥ ବିଜ୍ଞାନୀ ପ୍ରତ୍ୟକ୍ଷ ଭାବରେ ବାସ୍ତବତା ସହ ଜଡ଼ିତ ହୁଅନ୍ତି ନାହିଁ, ସେ କେବଳ ତଥ୍ୟାଶ୍ରୟୀ ପରିକଳ୍ପିତ ପରିବର୍ଦ୍ଧନ ତଥା ପରିମାର୍ଜନ ଦିଗରେ ମନଯୋଗୀ ହୁଅନ୍ତି । ଏପରି ଅବିଶ୍ରାନ୍ତ ମନନଶୀଳତାର ପରିଣତି ସ୍ୱରୂପ ସେ ବାସ୍ତବତା ସହ ନିଜ ନମୁନାଟିର ସାମଞ୍ଜସ୍ୟ ପ୍ରତିଷ୍ଠା ବ୍ୟାପାରଟିକୁ ଅଧିକରୁ ଅଧିକ ଦକ୍ଷତା ସହକାରେ ସମ୍ପାଦନ କରନ୍ତି । ଅଭିକ୍ରିୟାତ୍ମକ ବିଚାରକୁ ନେଇ ସେ ଏ ପ୍ରକାର ନମୁନାର ପରିବର୍ଦ୍ଧନ ବା ପରିମାର୍ଜନ ବ୍ୟାପାରଟିକୁ ସମ୍ପାଦନ କରନ୍ତି । ଅଭିକ୍ରିୟାତ୍ମକ ଗବେଷଣାର ଫଳ ହିଁ କେବଳେ ତାଙ୍କ ବୌଦ୍ଧିକ ପ୍ରୟାସର ଦିଗ୍‌ ଦର୍ଶକ ଭୂମିକା ଗ୍ରହଣ କରେ । ଏହାଠାରୁ ଉତ୍କୃଷ୍ଟ ଧରଣର ହୋଇଥିବା ଆଉ କୌଣସି ଚରମ ସତ୍ୟକୁ ସେ ସ୍ୱୀକାର କରନ୍ତି ନାହିଁ । ଗୋଟିଏ ଗୋଟିଏ ସରଳ ପରୀକ୍ଷାର ଫଳ ପ୍ରତିଷ୍ଠିତ ତତ୍ତ୍ଵ ବା ପରିକଳ୍ପିତ ନମୁନାକୁ ଅସତ୍ୟ ପ୍ରତିପାଦନ କରିବାର ଦୃଷ୍ଟାନ୍ତ ବିଜ୍ଞାନ ଇତିହାସରେ ବିରଳ ନୁହେଁ । ବହୁ ମତାମତି ବୈଜ୍ଞାନିକଙ୍କ କଳ୍ପନାପ୍ରସ୍ତୁତ ତଥା ସୁଦୀର୍ଘ କାଳ ବ୍ୟାପୀ ଗ୍ରହଣଯୋଗ୍ୟ ଗୋଟିଏ ଗୋଟିଏ ତତ୍ତ୍ଵ ବା ନମୁନ ପରବର୍ତ୍ତୀ କାଳରେ ଗୋଟିଏ ଗୋଟିଏ ଅଭିକ୍ରିୟା ପ୍ରସ୍ତୁତ ଫଳ ସହିତ ସଙ୍ଗତି ବା ସାମଞ୍ଜସ୍ୟ ରକ୍ଷାକରି ନ ପାରିବା ଯୋଗୁଁ ବିଜ୍ଞାନ ଜଗତରୁ ଅପସରି ଯାଇଛି । ଅଭିକ୍ରିୟା ପ୍ରସ୍ତୁତ ସତ୍ୟକୁ ମଥାନତ ପର୍ବତ ସ୍ୱୀକାର କରିବା ହିଁ ବୈଜ୍ଞାନିକଙ୍କ ଧର୍ମ । ସତ୍ୟାଗ୍ରହୀ, ସତ୍ୟ ସନ୍ଧାନୀ ବୈଜ୍ଞାନିକ ସର୍ବାଦୌ ଅଭିକ୍ରିୟାତ୍ମକ ଗବେଷଣା ଲବ୍‌ଧ ସତ୍ୟକୁ ସ୍ଵୀକାର କରିବା ଦ୍ୱାରା ହିଁ ବୈଜ୍ଞାନିକ ପରମ୍ପରାର ମାନ ଅତୁଟ ରହିଛି । ଅତୁଟ ଭାବରେ ବୈଜ୍ଞାନିକ ପଦ୍ଧତିର ପ୍ରଚଳନ ଯୋଗୁଁ ତଥା ସତ୍ୟ ପ୍ରତି ଶ୍ରଦ୍ଧା ଭାବ ଅମ୍ଳାନ ରହିଥିବା ଯୋଗୁ ହିଁ ପ୍ରଗତିଶୀଳ ତଥା ବ୍ୟକ୍ତି ନିରପେକ୍ଷ ମାର୍ଗରେ ବିଜ୍ଞାନର ସୌଧ କ୍ରମବର୍ଦ୍ଧିଷ୍ଣୁ ରୂପ ଧାରଣ କରିପାରିଛି ।

 

ଯୁଗାନ୍ତକାରୀ ଚିନ୍ତାନାୟକ ଆଇନଷ୍ଟାଇନଙ୍କ ଦ୍ୱାରା ପ୍ରତିଷ୍ଠିତ ଆପେକ୍ଷିକ ତତ୍ତ୍ଵ ଓ ମହାମତି ପ୍ଳାଙ୍କ୍‍ଙ୍କ ଦ୍ୱାରା ପ୍ରତିଷ୍ଠିତ କ୍ୱାଣ୍ଟମ୍‌ ତତ୍ତ୍ଵ ଭଳି ଦୁଇଟି ଯୁଗାନ୍ତକାରୀ ତତ୍ତ୍ଵର ଉଦ୍ଭାବନକୁ ହିଁ ଚଳିତ ଶତାବ୍ଦୀର ପଦାର୍ଥ ବିଜ୍ଞାନୀମାନଙ୍କର ଶ୍ରେଷ୍ଠ ଅବଦାନ ରୂପେ ସ୍ଵୀକାର କରାଯାଉଛି । ଏ ଦୁଇଟି ମହନୀୟ ତତ୍ତ୍ଵ ପ୍ରତିଷ୍ଠିତ ହେବା ଫଳରେ ଚଳିତ ଶତାବ୍ଦୀରେ ମନୁଷ୍ୟର ଚେତନାଲକ୍ଷ୍ୟଣୀୟ ମାର୍ଗରେ ଉତ୍ତରିତ ତଥା ସଂପ୍ରସାରିତ ହୋଇଛି । ଏହି ତତ୍ତ୍ଵ ଦୁଇଟି ମନୁଷ୍ୟକୁ ତାହାର ଧାରଣାପ୍ରାପ୍ତି ବ୍ୟାପାରରେ ନିଜର ସୀମିତ ଶକ୍ତି ସମ୍ବନ୍ଧରେ ସଚେତନ କରିପାରିଥିବା ସଙ୍ଗେ ସଙ୍ଗେ ପ୍ରକୃତିର ରହସ୍ୟ ଉନ୍ମୋଚନ ବ୍ୟାପାରରେ ଏକ ଭିନ୍ନ ଦୃଷ୍ଟି କୋଣର ଅନୁଗାମୀ ହେବାକୁ ଦିକ୍‍ଦର୍ଶନ ଯୋଗାଇ ପାରିଛି । ଆମେ ସମ୍ୟକ୍ ଭାବରେ ଉପଲବ୍‍ଧ ହେଲୁଣି ଯେ ପାରମାଣବିକ, ତଥା ଅନୁପାରମାଣିବିକ ଜଗତରେ ସଂଘଟିତ ଦୃଶ୍ୟରାଜିର କ୍ରିୟାଶୀଳତା ସମ୍ପର୍କରେ କୌଣସି ଯାତ୍ରିକ ବା ନିର୍ଣ୍ଣୟାତ୍ମକ (daterminstic) ନିୟମାବଲମ୍ୱନରେ ଯଥାର୍ଥ ସ୍ପଷ୍ଟୀକରଣ ମିଳିବ ନାହିଁ । ଆଧୁନିକ ଯୁଗର ପଦାର୍ଥବିଜ୍ଞାନୀମାନେ ନିଉଟନଙ୍କ ଅମଳଠାରୁ କ୍ଲାସିକାଲ ବା ଐତିହାସିକ ତଥା ସ୍ଵୟଂ ସିଦ୍ଧ ସତ୍ୟ ରୂପେ ପ୍ରତିଷ୍ଠା ଲାଭ କରିଥିବା ନିୟମଗୁଡ଼ିକୁ ଆଉ ସ୍ଵୀକାର କରୁନାହାନ୍ତି । ଭୌତିକ ବାସ୍ତବତାକୁ ବୁଝାଇ ଦେବାପାଇଁ ନିର୍ଣ୍ଣୟାତ୍ମକ ନିୟମଗୁଡ଼ିକ ପରିବର୍ତ୍ତେ ଗାଣିତିକ ତଥା ସଂକେତଧର୍ମୀ ଭାଷାର ବ୍ୟବହାର ପ୍ରତି ସେମାନେ ଆସ୍ଥା ସ୍ଥାପନ କରୁଛନ୍ତି । ଆଜିର ପଦାର୍ଥବିଜ୍ଞାନୀ ଉପଲବ୍‍ଧ ହେଲେଣି ଯେ ଦୈନନ୍ଦିନ ଜୀବନର ଅଭିଜ୍ଞତା ତାଙ୍କୁ ସ୍ଥାନ, କାଳରୂପୀ ସଂସ୍ଥିତ ସହିତ ଯେପରି ଘନିଷ୍ଠ ଭାବରେ ଜଡ଼ିତ କରାଇଛି ଏବଂ ଅଭ୍ୟାସବଶତଃ ସ୍ଥାନ କାଳରୂପୀ ନିରବଛିନ୍ନ ସଂସ୍ଥିତିକୁ ସେ ଯେପରିଭାବରେ ବୁଝିଛନ୍ତି, ତାହା ଗାଣିତିକ ସମୀକରଣଗୁଡ଼ିକ ଦ୍ୱାରା ପ୍ରତିପାଦିତ ସ୍ଥାନ କାଳର ନିରବଛିନ୍ନତା ରୂପୀ ପ୍ରକୃତ ରୂପ ସଂପର୍କୀୟ ମାନସ ଚିତ୍ର ଅଙ୍କନ କରିବା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ବାସ୍ତବତା ସଂପର୍କୀୟ ଗାଣିତିକ ସୂଚନା ପାଇପାରିଲେ ମଧ୍ୟ କୌଣସି ନମୁନା ଜରିଆରେ ତାହାର ଅବିକଳ ରୂପ ସଂପର୍କରେ ଅବଧାରିତ ହେବାକୁ ସେ ଅସମର୍ଥ ହୋଇଛନ୍ତି ।

 

ସ୍ଥାନ-କାଳରୂପୀ ନିରବଛିନ୍ନ ସଂସ୍ଥିତ ସମ୍ବନ୍ଧରେ କୌଣସି ପ୍ରତିରୂପୀୟ ମାନସଚିତ୍ର ଅବଲମ୍ବନରେ ଅବଧାରିତ ହେବା ଯେପରି ମନୁଷ୍ୟର ସୀମାତିରିକ୍ତ ବ୍ୟାପାର ରୂପେ ଉପଲବ୍‍ଧ ହୋଇଛି ଠିକ୍‍ ସେହିପରି ବର୍ଣ୍ଣ କଣିକାଗୁଡ଼ିକର ରୂପ ତଥା ଭୌତିକ ପ୍ରକୃତି ସମ୍ପର୍କରେ ଅବଧାରିତ ହେବା ବ୍ୟାପାରଟି ମଧ୍ୟ ମନୁଷ୍ୟର ସୀମା ବହିର୍ଭୁତ ବ୍ୟାପାରରେ ପରିଣତ ହୋଇଛି । ଆମେ ବର୍ତ୍ତମାନ ଜାଣିଗଲୁଣି ଯେ, ବିଦ୍ୟୁତ ଚୁମ୍ବକୀୟ ବିକିରଣ ରାଜି (ଯଥା: ଦୃଶ୍ୟମାନ ଆଲୋକ) ସମକାଳୀନ ଭାବରେ ଦ୍ଵି ବିଧ ପ୍ରକୃତି ପ୍ରଦର୍ଶନ କରୁଛି । ଏଗୁଡ଼ିକ ଏକାଧାରରେ ତରଙ୍ଗ ପ୍ରକୃତି ତଥା କଣିକା ପ୍ରକୃତି ପ୍ରଦର୍ଶନ କରିବା ପରିବର୍ତ୍ତେ ଯଦି କେବଳ କଣିକା ବା ତରଙ୍ଗ ପ୍ରକୃତି ମଧ୍ୟରୁ ଗୋଟିକର ଅଧିକାରୀ ହୋଇଥାନ୍ତେ, ତାହାହେଲେ ସାର୍ବତ୍ରିକ ଭାବରେ ପ୍ରଯୁଜ୍ୟ କୌଣସି ନମୁନା ବା ପ୍ରତିରୂପ ଅବଲମ୍ବନରେ ଏଗୁଡ଼ିକର ରୂପ ବା ଭୌତିକ ପ୍ରକୃତି ସମ୍ବନ୍ଧରେ ଅବଧାରିତ ହେବାର ଅବକାଶ ଥାଆନ୍ତା । ବିଦ୍ୟୁତ୍‍ ଚୁମ୍ବକୀୟ ବିକିରଣକୁ ଗଠନ କରିଥିବା ଫୋଟନ କଣିକାର ଅବସ୍ଥିତ ବା ଭୌତିକ ପ୍ରକୃତି ସମ୍ବନ୍ଧରେ ନିଶ୍ଚିତ ସୂଚନା ଯୋଗାଇବା ଦିଗରେ ଆଧୁନିକ ଯୁଗର ପଦାର୍ଥ ବିଜ୍ଞାନୀ ଯେପରି ମୁକ୍ତ କଣ୍ଠରେ ନିଜର ଅପାରଗତା ସ୍ଵୀକାର କରୁଛନ୍ତି, ବିଗତ ଶତାବ୍ଦୀର ପଦାର୍ଥ ବିଜ୍ଞାନୀ ମାନେ ତଦନୁରୂପ ଚେତନାର ଅଧିକାରୀ ହୋଇପାରି ନ ଥିଲେ । ସେମାନେ ନିଉଟନୀୟ ଯାନ୍ତ୍ରିକୀ ବଳରେ ଘୋଷଣା କରିଥିଲେ ଯେ କୈାଣସି ବର୍ଣ୍ଣ କଣିକାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ସୂଚନା ବା ପ୍ରାକ୍‌ସୂଚନା ଯୋଗାଇ ଦେବା ଦିଗରେ କୌଣସି ଅନ୍ତରାୟ ନାହିଁ-। ତତ୍କାଳୀନ ଭୌତିକ ବିଜ୍ଞାନ ଜଗତରେ ଯେଉଁ ପ୍ରକାର ନିଶ୍ଚିତ ନିର୍ଣ୍ଣୟାତ୍ମକ ଓ ଦାମ୍ଭିକ ବୌଦ୍ଧିକ ବାତାବରଣ ସୃଷ୍ଟି ହୋଇଥିଲା, ଆଜିର ପଦାର୍ଥ ବିଜ୍ଞାନୀ ତାହାକୁ ସ୍ଵୀକାର କରିବାର ଅବକାଶ ନାହିଁ-। ଅନିଶ୍ଚିତତା-ସିଦ୍ଧାନ୍ତର ପ୍ରତିଷ୍ଠାତା ମହାମତି ହାଇଜେନବର୍ଗ ଆମ୍ଭମାନଙ୍କୁ ନିଃସନ୍ଧଗ୍‌ଧ ମାର୍ଗରେ ବୁଝାଇ ଦେଇଛନ୍ତି ଯେ, ଗୋଟିଏ ବସ୍ତୁ କଣିକାର ସଂବେଗ ଯେତିକି ସଠିକ ଭାବରେ ମପା ଯାଇପାରିବ, ତାହାର ଅବସ୍ଥିତ ନିର୍ଣ୍ଣୟ ବ୍ୟାପାରରେ ତଦନୁପାତରେ ଅନିଶ୍ଚିତତା ସୃଷ୍ଟି ହେବ; ଠିକ୍ ସେହିପରି କୌଣସି ବର୍ଣ୍ଣ କଣିକାର ଶକ୍ତି ସମ୍ବନ୍ଧରେ ଯେତେ ସଠିକ ଭାବରେ ସଂଖ୍ୟାତ୍ମକ ଜ୍ଞାନ ଅର୍ଜନ କରାଯିବ, ତତ୍‌ସଂଶ୍ଳିଷ୍ଟ କାଳ ନିରୂପଣ ବ୍ୟାପାରରେ ତଦନୁପାତିକ ଅନିଶ୍ଚିତତା ସୃଷ୍ଟି ହେବ-। ଚଳିତ ଶତାବ୍ଦୀରେ କ୍ଵାଣ୍ଟମ ତତ୍ତ୍ଵର ପ୍ରତିଷ୍ଠା ଓ ବହୁମୁଖୀ ପ୍ରୟୋଗ ବ୍ୟାପାରରେ ମନୋନିବେଶ କରିଥିବା ହାଇଜେନବର୍ଗ, ବୋହର ଓ ଡିରାକ୍‍ ପ୍ରମୁଖ ଓଜସ୍ୱିନୀ ପ୍ରତିଭା ସଂପନ୍ନ ଚିନ୍ତାନାୟକମାନେ ଆମ୍ଭମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେଇଛନ୍ତି ଯେ, ପାରମାଣବିକ ବା ଅନୁପାରମାଣବିକ ଜଗତରେ ସ୍ଥାନ ପାଇଥିବା କୌଣସି କଣିକାର ଅବସ୍ଥିତି ବା ଭୌତିକ ପ୍ରକୃତି ସମ୍ପର୍କରେ ଚରମ ସତ୍ୟ ବା ଧାରଣାରେ ଉପନୀତ ହେବା ସମ୍ଭବ ନୁହେଁ, ଆମେ କେବଳ ତାହାର ସଂଭାବ୍ୟ ଅବସ୍ଥିତି ବା ପ୍ରକୃତି ସଂପର୍କରେ ପ୍ରାକ୍‍ସୂଚନା ପାଇପାରିବା । ତାତ୍ତ୍ୱିକ ହିସାବର ଗୁଣାତ୍ମକମାନ ଅନୁଯାୟୀ କିମ୍ଵା ଅଭିକ୍ରିୟାତ୍ମକ ଗବେଷଣାର ଉତ୍କର୍ଷ ଅନୁଯାୟୀ ଆମେ ପାଉଥିବା ସଂଭାବ୍ୟ ଜ୍ଞାନର ଶତକଡ଼ା ମାତ୍ରାରେ ବୃଦ୍ଧି ଘଟିପାରେ; ମାତ୍ର ତାହାକୁ ଏକାନ୍ତ ସଠିକ୍ ଜ୍ଞାନ ରୂପେ ବିଚାର କରାଯାଇ ପାରିବ ନାହିଁ । ଉନବିଂଶ ଶତାବ୍ଦୀର ପଦାର୍ଥ ବିଜ୍ଞାନୀମାନଙ୍କ ଭଳି ନିଉଟନୀୟ ଯାତ୍ରିକୀ ଅବଲମ୍ବନରେ ଭୌତିକ ଦୃଶ୍ୟ ସମ୍ବନ୍ଧରେ ଏକାନ୍ତ ସଠିକ ଜ୍ଞାନ ପରିବେଷଣ କରିବା ପରିବର୍ତ୍ତେ ଆଧୁନିକ ଯୁଗର ପଦାର୍ଥ ବିଜ୍ଞାନୀମାନେ କ୍ୱାଣ୍ଟମ୍‌ ତତ୍ତ୍ଵାଶ୍ରୟୀ ସଂଭାବନା (probability) ଭିତ୍ତିକ ଗଣନା ଅବଲମ୍ବନରେ ତତ୍‌ସମ୍ବନ୍ଧୀୟ ଜ୍ଞାନ ବିତରଣ କରିଥାନ୍ତି ।

 

ପଦାର୍ଥ ବିଜ୍ଞାନୀମାନେ ଇତ୍ୟବସରରେ ଆମ୍ଭମାନଙ୍କୁ ଜଣାଇ ଦେଲେଣି ଯେ, ଏ ବିଚିତ୍ରବର୍ଣ୍ଣା ବିଶ୍ଵର ସକଳ ଦୃଶ୍ୟ ବା ସକଳ ବସ୍ତୁ କେବଳ ଚତୁର୍ବିଧ ବଳର (ଯଥା: ବିଦ୍ୟୁତ-ଚୁମ୍ବକୀୟ, ମହାକର୍ଷଣୀୟ, ଦୁର୍ବଳ ନିଉକ୍ଳିଆର ଓ ଶକ୍ତିଶାଳୀ ନିଉକ୍ଲିଆର) କରାମତି ଯୋଗୁଁ ସମ୍ଭବ ହୋଇଛି । ବିଭିନ୍ନ ପରିବେଶର ଉପସ୍ଥିତିରେ ଏହି ବଳଗୁଡ଼ିକର ଏକକ ପ୍ରଭାବ ଓ ଏକାଧିକ ପ୍ରକାରର ସମଷ୍ଟିଗତ ପ୍ରଭାବ ଫଳରେ ବିଭିନ୍ନ ବସ୍ତୁ ଭିନ୍ନ ଭିନ୍ନ ପ୍ରକାର ଦୃଶ୍ୟ ସୃଷ୍ଟି କରିବାକୁ ସମର୍ଥ ହୋଇଛି । ନିଉଟନଙ୍କ ଅମଳଠାରୁ ଫାରାଡ଼େ, ଆଇନ୍‌ଷ୍ଟାଇନ୍, ସତ୍ୟେନ୍ଦ ନାଥ ବୋଷ ପ୍ରମୁଖ ଅଗ୍ରଗଣ୍ୟ ଚିନ୍ତା-ନାୟକମାନେ ତାତ୍ତ୍ଵିକ ସୃଷ୍ଟିକରଣ ଅବଲମ୍ବନରେ ଏହି ଚତୁର୍ବିଧ ବଳକୁ ଗୋଟିଏ ଏକତ୍ରିତ କ୍ଷେତ୍ର ତତ୍ତ୍ଵାବଲମ୍ବନରେ ଗୋଟିଏ ସାଧାରଣ କ୍ଷେତ୍ରର (field of force) ଚତୁର୍ବିଧ ବିଭାବ ରୂପେ ଦଶାଇ ଦେବାକୁ ଯତ୍ନବାନ୍ ହୋଇଛନ୍ତି । ନିକଟ ଅତୀତରେ ଏପରି ଗବେଷଣାରେ ଅସାମାନ୍ୟ ପ୍ରଗତି ସାଧିତ ହୋଇଛି । ସଲାମ୍‌-ୱ୍ୱିନ୍‌ବର୍ଗ-ସ୍କାଲୋ । ପ୍ରମୁଖ ବୈଜ୍ଞାନିକମାନେ ବିଦ୍ୟୁତ୍-ଚୁମ୍ବକୀୟ ଓ ଦୁର୍ବଳ ନିଉକ୍ଲିଆର୍‍ ବଳ ମଧ୍ୟରେ ପ୍ରକୃତିଗତ ସାମଞ୍ଜସ୍ୟ ତଥା ସମନ୍ୱୟ ପ୍ରତିଷ୍ଠା କରିବା ପୂର୍ବକ ଉଭୟବିଧ ବଳକୁ ଗୋଟିଏ electro-weak ବା ବିଦ୍ୟୁତ୍‌-ଦୁର୍ବଳ କ୍ଷେତ୍ରର ଦ୍ୱିବିଧ ବିଭାବ ରୂପେ ଦର୍ଶାଇ ପାରିଛନ୍ତି । ଚଳନ୍ତି ଗବେଷଣାର ଧାରାକୁ ଅନୁଧ୍ୟାନ କରିବା ଦ୍ଵାରା ଜଣାପଡ଼ୁଛି ଯେ ଅଚିରେ ଶକ୍ତିଶାଳୀ ନିଉକ୍ଲିଆର ବଳକୁ ମଧ୍ୟ ଏପରି ଏକତ୍ରିତ କ୍ଷେତ୍ର ତତ୍ତ୍ଵର ଅଙ୍ଗୀଭୂତ କରାଯାଇ ପାରିବ । ଅର୍ଥାତ୍‍, ଏହି ତିନୋଟି ବଳକୁ ଗୋଟିଏ ମାତ୍ର କ୍ଷେତ୍ରର କରାମତି ରୂପେ ଦର୍ଶାଇ ଦିଆଯିବା ସମ୍ଭବ ହେବ । ଏହି ଏକକ କ୍ଷେତ୍ର ବିଭିନ୍ନ ଭୌତିକ ପରିବେଶର ଉପସ୍ଥିତିରେ ଭିନ୍ନଭିନ୍ନ ପ୍ରକାର ବଳର ପ୍ରଭାବ ଯୋଗୁଁ ଭିନ୍ନଭିନ୍ନ ପ୍ରକାର ଦୃଶ୍ୟ ସୃଷ୍ଟି କରୁଥିବାର ରହସ୍ୟ ଉନ୍ମୋଚିତ ହୋଇଯିବ । ନିକଟ ଭବିଷ୍ୟତରେ ଅବଶିଷ୍ଟ ମହାକର୍ଷଣୀୟ ବଳକୁ ଏକତ୍ରିତ କ୍ଷେତ୍ର ତତ୍ତ୍ଵର (unified field theory) ଅଙ୍ଗୀଭୂତ କରାଯିବା ସମ୍ଭବ ହୋଇ ପାରିଲେ ଆମେ ପ୍ରକୃତିର ସାମଗ୍ରିକ ରୂପରେଖ ତଥା ତାହାର ସର୍ବବିଧ କ୍ରିୟାଶୀଳତାର ରହସ୍ୟ ଭେଦ କରିବା ସହଜ ହୋଇଯିବ ।

 

ବାହ୍ୟ ବା ଜଡ଼ ଜଗତ ସମ୍ବନ୍ଧୀୟ ଗବେଷଣାରେ ବୁଦ୍ଧିମାନ ମନୁଷ୍ୟ ଏପରି ପ୍ରଶଂସନୀୟ ପ୍ରଗତି ହାସଲ କରିଥିଲେ ମଧ୍ୟ ଜୀବ ବିଜ୍ଞାନ କ୍ଷେତ୍ରରେ ତାହାର ପ୍ରଗତି ବିଶେଷ ଲକ୍ଷ୍ୟଣୀୟ ହୋଇନାହିଁ । ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ମଧ୍ୟରେ ଗୁଣାତ୍ମକ ତାରତମ୍ୟର ମାତ୍ରା ବେଶ୍‍ ଅଧିକ ହୋଇଛି । ଜୀବ ସୃଷ୍ଟିର ରହସ୍ୟ ଭେଦ କରିବାକୁ କିମ୍ବା ବିଜ୍ଞାନଗାରରେ ଗୋଟିଏ ସରଳ ବା ଜଟିଳ ଅଙ୍ଗାବୟବଯୁକ୍ତ ଜୀବ ସୃଷ୍ଟି କରିବାକୁ ମନୁଷ୍ୟ ଏ ଯାବତ୍ ସମର୍ଥ ହୋଇନାହିଁ । ମନୁଷ୍ୟର ଚେତନଶୀଳ ସଂସ୍ଥିତିର ବୈଚିତ୍ର ପୂର୍ବଭଳି ଆଜିର ବୈଜ୍ଞାନିକମାନଙ୍କୁ ମଧ୍ୟ ବିସ୍ମୟା ଭିଭୂତ କରୁଛି । ମଣିଷର ମନ ଭଳି ଏକ ଅନନ୍ୟସାଧାରଣ ସଂସ୍ଥିତର ବିଚକ୍ଷଣ କ୍ରିୟାଶୀଳତା ବୈଜ୍ଞାନିକମାନଙ୍କୁ ତାହାର ରହସ୍ୟ ଭେଦ କରିବା ଦିଗରେ କର୍ମପ୍ରବଣ କରାଇଥିଲେ ମଧ୍ୟ ସେମାନେ ଏ ସଂପର୍କୀୟ କୌଣସି ନିର୍ଭରଯୋଗ୍ୟ ତଥା ତର୍କସଂଗତ ସ୍ପଷ୍ଟୀକରଣ ଯୋଗାଇ ଦେବାକୁ ଅପାରଗ ହୋଇଛନ୍ତି । ସୌନ୍ଦର୍ଯ୍ୟାନୁରାଗ, ସଂବେଦନା, ସଂପ୍ରତି ଓ ପ୍ରେମର ଉତ୍ସ ନିର୍ଦ୍ଧାରଣ ବ୍ୟାପାର ଏବେ ମଧ୍ୟ ବୈଜ୍ଞାନିକମାନଙ୍କୁ ଏକନିଷ୍ଠ ଗବେଷଣା ଚଳାଇବାକୁ ପୋତ୍ସାହିତ କରୁଛି । ବୈଜ୍ଞାନିକ ଗବେଷଣା ଜରିଆରେ ଏପରି ମାନବିକତାବୋଧର ଉତ୍ସ ନିର୍ଦ୍ଧାରଣ ଅବଶ୍ୟ ସମ୍ଭବ ହୋଇ ନ ପାରେ; ମାତ୍ର ଏଗୁଡ଼ିକର ରହସ୍ୟ ଉନ୍ମୋଚନ ବ୍ୟାପାରରେ ବୈଜ୍ଞାନିକଙ୍କ ବୌଦ୍ଧିକ ପ୍ରୟାସକୁ ଯେପରି କେତେକ ଚରମପନ୍ଥୀ ବୁଦ୍ଧିଜୀବୀ ‘ଅଣବିଜ୍ଞାନ’ (antiscience) ରୂପେ ଅପବାଦିତ କରାଇବାର ଅପଚେଷ୍ଟା ଚଳାଇଛନ୍ତି, ତାହାକୁ ପୃଥିବୀର ବୈଜ୍ଞାନିକ ମହଲରେ ପ୍ରଶ୍ରୟ ଦେବା ଆଦୌ ବାଞ୍ଛନୀୟ ନୁହେଁ । କାରଣ, ଆମେ ଜାଣୁ ଯେ ବୈଜ୍ଞାନିକ ଗବେଷଣା ଜରିଆରେ ସଂପୂର୍ଣ୍ଣ ସତ୍ୟ ଏକାନ୍ତଭାବରେ ଉଦ୍‍ଘାଟିତ ହେବାର ନିଶ୍ଚିତ ଅବକାଶ ନାହିଁ-। ଏତଦ୍ଵାରା ଆଂଶିକ ତଥା ସଂଭାବ୍ୟ ସତ୍ୟ ଉନ୍ମୋଚିତ ହେଉଛି ଏବଂ କାଳକ୍ରମେ ଏହାର ଗୁଣାତ୍ମକ ମାନରେ ଅଭିବୃଦ୍ଧି ଘଟୁଛି । ଏଣୁ ଯେଉଁ ରହସ୍ୟବାଦୀ ଗୁଢ଼ ବିଷୟଗୁଡ଼ିକ ସଂପ୍ରତି ବିଜ୍ଞାନୋତ୍ତର ରୂପ ଧାରଣ କରିଥିବା ପରି ଜଣାପଡ଼ୁଛି; ସେଗୁଡ଼ିକ ପ୍ରତି ବୈଜ୍ଞାନିକମାନଙ୍କ ବ୍ୟକ୍ତି ନିରପେକ୍ଷ ଗବେଷଣାକୁ ‘ଅଣବିଜ୍ଞାନ’ କୁହାଯିବ କାହିଁକି ? ସେହି ବିଷୟ ଗୁଡ଼ିକ ସଂପର୍କରେ ଚିନ୍ତା କରୁଥିବା ଗବେଷକମାନଙ୍କ ଉଦାମକୁ ଗୌଣ ମନେ କରାଯିବାର ଯଥାର୍ଥତା କେଉଁଠି ? ବ୍ୟକ୍ତି ନିରପେକ୍ଷ ଗବେଷଣା ମନୁଷ୍ୟକୁ ବାହ୍ୟ ଜଗତ ଭଳି ତାହାର ଅନ୍ତଃନିବିଷ୍ଟ ଜଗତ ସମ୍ବନ୍ଧରେ ଏକାନ୍ତ ସତ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରି ନ ପାରେ; ମାତ୍ର ଏହା ମନୁଷ୍ୟକୁ ତାହାର ସୀମିତ ଶକ୍ତି ସଂବନ୍ଧରେ ସଚେତନ କରାଇବା ସଙ୍ଗେ ସଙ୍ଗେ ମାନସିକ ସଂସ୍ଥିତି ଓ ବାହ୍ୟ ଜଗତ ମଧ୍ୟରେ ଘଟୁଥିବା ଅନ୍‍ତଃକ୍‍ରୀୟା ସଂବନ୍ଧରେ ଅଧିକ ରୁ ଅଧିକ ସ୍ପଷ୍ଟ ଜ୍ଞାନ ଯୋଗାଇ ଦେବାର ଅବକାଶକୁ ଏଡ଼ି ହେବ କି ? ଏଠାରେ ଆମେ ଭଲ ଭାବରେ ବୁଝିବାର କଥା ସେ ବୈଜ୍ଞାନିକମାନେ ବିଜ୍ଞାନ ଜଗତରେ ଯେଉଁ ଆଂଶିକ ତଥା ସଂଭାବ୍ୟ ସତ୍ୟକୁ ସର୍ବବାଦୀସମ୍ମତ ଭାବରେ ଗ୍ରହଣ କରୁଛନ୍ତି, ସେମାନେ ସେହି ସଂପୃକ୍ତ ବିଷୟ ସଂପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଅର୍ଜନ କରୁଛନ୍ତି ଏବଂ ଅନାବିଳ ଭାବରେ ସେଗୁଡ଼ିକର ସତ୍ୟତା ପ୍ରତିପାଦନ କରୁଛନ୍ତି ।

 

ବର୍ତ୍ତମାନ ପୁଣି ଅସଲ ପ୍ରଶ୍ନଟିକୁ ଉତ୍‌ଥାପନ କରାଯାଇ—ମନୁଷ୍ୟ କାହିଁକି ଜୀବ ଜଗତ ତୁଳନାରେ ନିଜ ସଂପର୍କୀୟ ଉପଲବ୍‌ଧି ପ୍ରାପ୍ତ ହେବା ବ୍ୟାପାରରେ ଆଗେଇ ପାରିନାହିଁ ? ଏହାର ଗୋଟିଏ କାରଣ ହେଉଛି ସେ, ବାହ୍ୟ ଜଗତ ସଂବନ୍ଧୀୟ ଅଧ୍ୟୟନ ଓ ଅନୁଶୀଳନ ବ୍ୟାପାରରେ ବ୍ୟକ୍ତି ନିରପେକ୍ଷ ପନ୍ଥା ଅନୁସରଣ କରିବା ଅପେକ୍ଷାକୃତ ସହଜ ହୋଇଛି । ଏହାର ଆଉ ଏକ କାରଣ ହେଇଛି ଯେ, ବିଜ୍ଞାନ ଜଗତରେ ଯେଉଁ ଜ୍ଞାନ ଅର୍ଜନ କରାଯାଉଛି, ଏକ ସମଷ୍ଟିଗତ ପ୍ରକ୍ରିୟାର (additive process) ଅନୁସରଣ ଯୋଗୁଁ ତାହାର ଶ୍ରୀବୃଦ୍ଧି ସମ୍ଭବ ହେଉଛି । ଜଣେ ବୈଜ୍ଞାନିକଙ୍କର ଆବିଷ୍କାରଗୁଡ଼ିକୁ ବିଚାରକୁ ନେଇ ପରବର୍ତ୍ତୀ କାଳରେ ଆଉ ଜଣେ ବୈଜ୍ଞାନିକ କୌଣସି ଏକ ସମସ୍ୟା ସଂପର୍କରେ ଆହୁରି ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଚଳାଇ ପାରୁଛନ୍ତି-। ମାତ୍ର ମନୁଷ୍ୟ ନିଜ ପ୍ରକୃତି ସଂବନ୍ଧରେ ଅନୁସନ୍ଧାନ କରିବା ବ୍ୟାପାରରେ ପରି ପନ୍ଥା ଅନୁସରଣ କରିଥିବା ପରି ଜଣା ପଡ଼ୁନାହିଁ । ଅହଙ୍କାର, ପ୍ରବୃତ୍ତି, ଆତ୍ମଅବରୋଧ, ସୁଜନଶୀଳତା ପ୍ରଭୃତି ବ୍ୟାପାର ଗୁଡ଼ିକର ଭୟ ସଂବନ୍ଧରେ ମୌଳିକ ଚିନ୍ତା କରୁଥିବା ବ୍ୟକ୍ତିମାନେ ଏକକ ପ୍ରଚେଷ୍ଟା ଚଳାଇବାକୁ ଶ୍ରେୟସ୍କର ମଣିଛନ୍ତି । ପୂର୍ବବର୍ତ୍ତୀ ଭାବୁକମାନଙ୍କ ଅବଦାନ ଗୁଡ଼ିକୁ ବିଚାରଯୋଗ୍ୟ ମନେ ନ କରି ତଥା ସେଗୁଡ଼ିକରୁ କୌଣସି ପ୍ରକାରେ ଶିକ୍ଷା ଲାଭ ନ କରି ପ୍ରତ୍ୟେକ ସ୍ଵୀୟ ଉଦ୍ୟମ ବଳରେ ଏ ଦିଗରେ ଉପଲବଧି ପ୍ରାପ୍ତ ହେବାକୁ ଉଚିତ ମଣିଛନ୍ତି । ଗୌତମ ବୁଦ୍ଧ ଓ ଯୀଶୁ ଖ୍ରୀଷ୍ଟ ମନୁଷ୍ୟକୁ ତାହାର ମାନସିକ ସଂସ୍ଥିତର ସନ୍ତୁଳନ ଓ କର୍ତ୍ତବ୍ୟବୋଧ ସଂପର୍କରେ ମହତ ବାଣୀ ଶୁଣାଇଛନ୍ତି । ମାତ୍ର ସେମାନେ କେଉଁ ପ୍ରକାର ପଦ୍ଧତି ଅନୁସରଣ କରିବାର ପରିଣତି ସ୍ୱରୂପ କିପରି ଭାବରେ ଏପରି ଉପଲବ୍‌ଧିରେ ଉପନୀତ ହୋଇଥିଲେ, ତାହା ଜାଣି ପାରିବା ସମ୍ଭବ ହୋଇନାହିଁ । ଆଧୁନିକ ଯୁଗର ବହୁ ଦାର୍ଶନିକ ଓ ଦର୍ଶନ ବିଭାଗର ଅଧ୍ୟାପକ ବୁଦ୍ଧ ଓ ଖ୍ରୀଷ୍ଟଙ୍କ ତୁଳନାରେ ଯଥେଷ୍ଟ ଅଧିକ ଅଧ୍ୟୟନ କରୁଛନ୍ତି । ଏହି ବହୁ ଶାସ୍ତ୍ରଦର୍ଶୀ ଅଧ୍ୟାପକମାନେ ଅନେକ ଗବେଷଣାଶ୍ରୟୀ ସନ୍ଦର୍ଭ ରଚନା କରୁଛନ୍ତି । ମାତ୍ର, ମଣିଷ ଭାବରେ ଜଣେ ସାଧାରଣ ମନୁଷ୍ୟ ତୁଳନାରେ ସେମାନଙ୍କ ଆତ୍ମିକ ଉପଲବଧି ଉଚ୍ଚକୋଟୀର ହୋଇନାହିଁ । ଯେଉଁ ବୈଜ୍ଞାନିକମାନେ ବିଜ୍ଞାନଗାରରେ ଗବେଷଣା ଚଳାଇବା ଫଳରେ ଜଡ଼ ଜଗତ ସମ୍ବନ୍ଧରେ ଜ୍ଞାନ ବିତରଣ କରିବାକୁ ସମର୍ଥ ହେଉଛନ୍ତି, ବିଜ୍ଞାନାଗାର ଗବେଷଣା ତୁଳନାରେ ବାହାରରେ ସେମାନଙ୍କ ସାଧାରଣ ଜୀବନ ଯାପନର ଭଙ୍ଗୀ ସାଧାରଣ ନାଗରିକଙ୍କ ଠାରୁ କୌଣସି ପ୍ରକାର ଭିନ୍ନ ହୋଇନାହିଁ । ସେମାନେ ଅବଶ୍ୟ ଜ୍ଞାନର (knowledge) ଅଧିକାରୀ ହୋଇଛନ୍ତି; ମାତ୍ର ସାଧାରଣ ନାଗରିକଙ୍କ ତୁଳନାରେ ସେମାନଙ୍କ ପ୍ରଜ୍ଞାର (Wisdom) ମାନ ଉଚ୍ଚ କୋଟୀର ହୋଇନାହିଁ । ବୌଦ୍ଧିକ ବୋଧଗମ୍ୟତା (intellectual understanding) ବାସ୍ତବ ବୋଧଗମ୍ୟତା ତାଠାରୁ (real understanding) ଭିନ୍ନ ହୋଇଛି, ଅର୍ଥାତ୍ ଇନ୍ଦ୍ରିୟାନୁଭୁତ ଜ୍ଞାନ ଜଗତ ସଂପର୍କୀୟ ଉପଲବ୍‌ଧି ବାସ୍ତବ ଜଗତ (ଉଭୟ ଜଡ଼ ଓ ଅନ୍ତନିବିଷ୍ଟ ଜଗତ) ସଂପର୍କୀୟ ଉପଲବ୍‌ଧି ସହିତ ସଂଗତି ବା ସମନ୍ଵୟ ପ୍ରତିଷ୍ଠା କରିବାକୁ ଏ ଯାବତ୍ ସମର୍ଥ ହୋଇନାହିଁ ।

 

ସଂପ୍ରତି ମନୁଷ୍ୟ ଏକ ସନ୍ଧିକ୍ଷଣରେ ଉପନୀତ ହୋଇଛି । ସେ ନିଜ ପରିବେଷ୍ଟନୀ ସମ୍ବନ୍ଧରେ ଯେଉଁ ବୌଦ୍ଧିକ ବୋଧଗମ୍ୟତା (intellectual understanding) ପ୍ରାପ୍ତ ହୋଇଛି, ତାହାକୁ ଆଶ୍ରୟ କରି ସେ ପ୍ରକୃତି ଉପରେ ପ୍ରଭୃତି କ୍ଷମତା ବିସ୍ତାର କରୁଛି । ପରମାଣୁର ବିଭାଜନ ଓ ସଂଯୋଜକ ଘଟାଇ ପ୍ରଚଣ୍ଡ ଶକ୍ତି ଉଦ୍‌ଗୀରଣ କରିବା ଓ ମହାକାଶରେ ବିଚରଣ କରିବା ଭଳି ଆୟାସସାଧ୍ୟ ବ୍ୟାପାରରେ ସେ ବିଚକ୍ଷଣ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ମଧ୍ୟ ନିଜ ପ୍ରତିବେଶୀ ସହିତ ହାର୍ଦ୍ଦିକ ସୁସଂପର୍କ ପ୍ରତିଷ୍ଠା କରିବାକୁ ଅସମର୍ଥ ହୋଇଛି । ବିଜ୍ଞାପନ ସର୍ବସ୍ଵ ତଥା ଆଡ଼ମ୍ବରବହୁଳ ସଭ୍ୟତା ସୃଷ୍ଟି କରି ସେ ଦର୍ଶାଇ ଦେବାକୁ ଚାହୁଁଛି ଯେ ଆଦିମ ଯୁଗର ବର୍ବର ମନୁଷ୍ୟଠାରୁ ସେ ଅଧିକସୁସଭ୍ୟ ଓ ସୁସଂସ୍କୃତ ହୋଇଛି । ମାତ୍ର ଆମ ପ୍ରତ୍ୟେକଙ୍କ ଅନ୍ତରରେ ସେହି ଆଦିମ ଯୁଗର ବର୍ବରତା ପ୍ରଛନ୍ନ ଭାବରେ ତଥା ଅତୁଟ ଭାବରେ ନିଜର ଅବସ୍ଥିତ ବଜାୟ ରଖିଛି; ଆମେ କେବଳ ଅପ୍ରତ୍ୟକ୍ଷ ମାର୍ଗରେ ମାହାର ବାହାନା ଦର୍ଶାଇ ଅନ୍ୟ ଉପରେ ନିଜ ସ୍ୱାର୍ଥନ୍ଵେଷା ପ୍ରବୃତ୍ତିକୁ ଜାହିର କରୁଛୁ । ଯଦି ମନୁଷ୍ୟ ଜୀବନର ଗୁଣାତ୍ମକ ମାନ ବିଚାର କରିବା ଉଦ୍ଦେଶ୍ୟରେ ବ୍ୟବହୃତ ଯନ୍ତ୍ରଗୁଡ଼ିକର ବେଗ, ବ୍ୟବହାର ଯୋଗ୍ୟ ଯାନ୍ତ୍ରୀକ ଉପକରଣଗୁଡ଼ିକର କର୍ମକୁଶଳତାକୁ ମାପକାଠୀ ରୂପେ ବ୍ୟବହାର କରାଯାଏ, ତାହା ହେଲେ ଆମେ ନିଶ୍ଚିତ ଭାବେ ସ୍ଵୀକାର କରିବା ଯେ, ପ୍ରାଚୀନ ଯୁଗର ମନୁଷ୍ୟ ଠାରୁ ଆଜିର ମଣିଷର ଜୀବନର ମାନ ଗୁଣାତ୍ମକ ଦୃଷ୍ଟିରୁ ଯଥେଷ୍ଟ ଉଚ୍ଚକୋଟୀର ହୋଇଛି । ମାତ୍ର ମଣିଷର ଜୀବନ ଗୁଣାତ୍ମକ ମାନ ବିଚାର ଉଦ୍ଦେଶ୍ୟରେ ଯଦି ମାନସିକ ଶାନ୍ତି, ପ୍ରେମ, ସଂବେଦନା, ଅହିଂସା ମନୋଭାବ ପ୍ରଭୁତି ଗୁଣ ଗୁଡ଼ିକ ମାପକାଠି ରୂପେ ବିଚାର କରାଯାଏ, ତାହାହେଲେ ଆମେ ସ୍ଵୀକାର କରିବାକୁ ବାଧ୍ୟ ହେବା ଯେ ଆଜିର ମଣିଷର ଜୀବନର ଗୁଣାତ୍ମକ ମାନରେ ସମୟାନୁକ୍ରମେ କୌଣସି ଶୁଭଙ୍କର ପରିବର୍ତ୍ତନ ଘଟିନାହି ।

 

ପ୍ରକୃତି ଉପରେ ପ୍ରାଦୃଭାବ ବିସ୍ତାର କରିବା ପାଇ କର୍ମ ଚଞ୍ଚଳ ସ୍ଵାର୍ଥପର ଜୀବନ ଯାପନ କରୁଥିବା ଅବସରରେ ନିଜର ମାନସିକ ଭାରସାମ୍ୟ ରକ୍ଷା କରିପାରୁ ନ ଥିବାରୁ ମନୁଷ୍ୟ ସଂପ୍ରତି ଏକ କ୍ରାନ୍ତିକାରୀ ପରିସ୍ଥିତିର ସମୁଖୀନ ହୋଇଛି । ତା’ର ଏକଦିଗଦର୍ଶୀ ବୌଦ୍ଧିକତା ଓ ତଦାଶ୍ରୟୀ କର୍ମପ୍ରବଣତାର ପରିଣତ ସ୍ଵରୂପ ସେ ଧରଣୀ ବକ୍ଷରୁ ଇତର ଜୀବଜଗତ ସମେତ ସ୍ଵଜାତିର ବିଲୟ ଘଟାଇବାର ଆଶଙ୍କା ଉପୁଜିଲାଣି । ଏଭଳି ଘଡ଼ିସନ୍ଧି ମୁହୁତ୍ତରେ ସେ କୌଣସି ସମାଧାନର ପନ୍ଥା ଆବିଷ୍କାର କରିବାକୁ ଅସମର୍ଥ ହୋଇଛି । ଏଠାରେ ବୁଝିବାର କଥା ସେ କେହି ଅଙ୍କଟିଏ କଷିଦେବା ଭଳି ମଣିଷକୁ ସହସା ଗୋଟିଏ ସମାଧାନର ପନ୍ଥା ଯୋଗାଇ ପାରିବ ନାହି । ଯଦି ମନୁଷ୍ୟ ଆନ୍ତରିକ ଭାବରେ ଚାହୁଥାଏ ଯେ ସେ ନିଜର ମାନସିକ ସଂସ୍ଥିତିକୁ ସନ୍ତୁଳିତ କରିବା ସଙ୍ଗେ ସଙ୍ଗେ ମାନବ ଜାତିର ସାମୁହିକ ତଥା ସୁସଂଯତ ପ୍ରଗତି ଘଟାଇବା ପୂର୍ବକ ଧରଣୀ ବକ୍ଷରେ ଜୀବ ଜଗତର ସ୍ଥାୟିତ୍ଵ ପାଇଁ ଉପଯୁକ୍ତ ପରିବେଶ ଓ ପରିସଂସ୍ଥା ସୃଷ୍ଟି କରିବା, ତାହାହେଲେ ତାହାକୁ ଆତ୍ମାନୁସନ୍ଧାନ ପଥରେ ଆଗେଇ ଯିବାକୁ ହେବ । ଆମେ ନିଜେ ନିଜକୁ ଓ ନିଜର ଅସଲ ପ୍ରକୃତିକୁ ଭଲ ଭାବରେ ଚିହ୍ନି ପାରିବ ଦ୍ଵାରା ହିଁ ନିଜ କର୍ତ୍ତବ୍ୟର ପଥକୁ ଠିକଣା ଭାବରେ ନିର୍ଦ୍ଧାରଣ କରିପାରିବା । ବୈଜ୍ଞାନିକ ପଦ୍ଧତି ତଥା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରୁ ଶେଷୋକ୍ତ ଦାୟିତ୍ଵ ତୁଲାଇବା ପାଇଁ ଆମେ ଯଥେଷ୍ଟ ଶିକ୍ଷଣୀୟ ଉପାଦାନ ପାଇ ପାରିବା । ବୈଜ୍ଞାନିକ ସୁଲଭ ମନନଶୀଳତାର (Scientific tempor) ଅଶିକାରୀ ହୋଇପାରିଲେ ଆତ୍ମସନ୍ଧାନ ବ୍ୟାପାରରେ ସଫଳତା ସହଜସାଧ୍ୟ ହେବ । ଏଣୁ ବୈଜ୍ଞାନିକ ପଦ୍ଧତି ତଥା ବୈଜ୍ଞାନିକ ପରମ୍ପରାର ନିମ୍ନଲିଖିତ ଚାରିତ୍ରିକ ବୈଶିଷ୍ଟ୍ୟଗୁଡ଼ିକର ଅନୁରାଗୀ ହୋଇପାରିଲେ ମନୁଷ୍ୟ ନିଜ ଅନ୍ତଃନିବିଷ୍ଟ ଜଗତକୁ ଠିକଣା ଭାବରେ ଆବିଷ୍କାର କରି ପାରିବାର ଅବକାଶକୁ ଏଡ଼ି ହେଉନାହିଁ ।

 

(କ) ସତ୍ୟାଗ୍ରହ ଓ ସତ୍ୟାନୁସନ୍ଧାନ ବ୍ୟାପାରରେ କୌଣସି ପ୍ରକାର ଗୋପନୀୟତାର ଅନୁପସ୍ଥିତି;

 

(ଖ) କାହା ପ୍ରତି କୌଣସି ପ୍ରକାର ଅସୌଜନ୍ୟ ପ୍ରଦର୍ଶନ ନ କରିବା ସଙ୍ଗେ ସଙ୍ଗେ କାହାର ମତକୁ କୌଣସି ପ୍ରକାର କ୍ଷମତା ବା ବଳିଷ୍ଠ ବ୍ୟକ୍ତିତ୍ଵର ପ୍ରଭାବ ଯୋଗୁଁ ଗ୍ରହଣ ନ କରିବାର ମାନସିକ ଦୃଢ଼ତା;

 

(ଗ) ଅନ୍ୟଠାରୁ ଶିକ୍ଷା ଲାଭ କରିବାର ଆଗ୍ରହ ଏବଂ ବୋଧଗମ୍ୟତାର ପରିସରର ସୀମା ସମ୍ପର୍କରେ ସଚେତନ ହେବା ଯୋଗୁଁ ନିଜଠାରେ ଜାତ ହେଉଥିବା ବିନମ୍ର ମନୋଭାବ ।

 

ଆଜିର ମନୁଷ୍ୟ ବୈଜ୍ଞାନିକ ପଦ୍ଧତି ତଥା ବୈଜ୍ଞାନିକ ପରମ୍ପରାରୁ ଏତିକି ଶିକ୍ଷା ଲାଭ କରି ଆତ୍ମାନୁସନ୍ଧାନ ବ୍ୟାପାରରେ ମନଯୋଗୀ ହୋଇ ପାରିଲେ କାଳକ୍ରମେ ସେ ନିଜର ମାନସିକ ଭାରସାମ୍ୟ ରକ୍ଷା କରିବା ବ୍ୟାପାରରେ ସଫଳତା ଲାଭ କରି ପାରିବ ଏବଂ ଏଣିକି ଅନ୍ତଃନିବିଷ୍ଟ ଓ ବାହ୍ୟ ଜଗତ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ ହେବାର ଫଳ ସ୍ଵରୂପ ସେ ବିଜ୍ଞାନ ଓ ଟେକ୍‌ନୋଲଜିର ସୁସଂଯତ ଉପଯୋଗ କରିବା ଫଳରେ ଧରଣୀ ବକ୍ଷରେ ସୁଖଶାନ୍ତିମୟ ଜୀବନ ଯାପନ କରିପାରିବ ।

Image

 

ଶିଳ୍ପର ସମୃଦ୍ଧି ସାଧନ ଓ ଯୁବ ସମାଜର ଦାୟିତ୍ଵବୋଧ

॥ ୧ ॥

 

ଆମ ଦେଶରେ ଶିଳ୍ପର ବିକାଶଧାରା ଓ ସାଂପ୍ରତିକ ପରିସ୍ଥିତି ସ୍ଵାଧୀନୋତ୍ତର ଭାରତର ଶିଳ୍ପୋଦ୍ୟୋଗ ନିର୍ଭରଶୀଳ ଅର୍ଥନୈତିକ ବିକାଶ ସମ୍ବନ୍ଧରେ ଐତିହାସିକ ତଥା ବିଶ୍ଲେଷଣାତ୍ମକ ଅଧ୍ୟୟନ ଓ ଅନୁଶୀଳନ ଚଳାଇବା ଦ୍ଵାରା ହିଁ ଆମ ଦେଶର ଶିକ୍ଷିତ ସମାଜ ନିଜ ନିଜ ବ୍ୟକ୍ତିତ୍ଵର ସୁସଂଯତ ବିକାଶ ଘଟାଇବା ସଙ୍ଗେ ସଙ୍ଗେ ଜାତୀୟ ଉନ୍ନୟନ ବ୍ୟାପାରଗୁଡ଼ିକରେ ସମୟୋପଯୋଗୀ ଭୂମିକା ଗ୍ରହଣ କରି ପାରିବେ । ଏହି ଜନବହୁଳ ରାଷ୍ଟ୍ରର ସର୍ବାଙ୍ଗୀନ ପ୍ରଗତି ସାଧନ ପାଇଁ ସ୍ଵାଧୀନତା ପ୍ରାପ୍ତି ପରଠାରୁ ଯୋଜନାବଦ୍ଧ ବ୍ୟାପକ ଉଦ୍ୟମ କରାଯାଇଥିଲେ ହେଁ ସର୍ବବ୍ୟାପୀ ଦାରିଦ୍ର୍ୟର ଉତ୍ପୀଡ଼ନ ସାରା ଦେଶରେ ଦୁର୍ନୀତିମୟ, ଅଶାନ୍ତ ଓ ବିଶୃଙ୍ଖଳ ପରିସ୍ଥିତି ସୃଷ୍ଟି କରିଛି । ଏହାର କାରଣ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟର ବିଲୋପ ସାଧନ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଶିକ୍ଷିତ ଯୁବସମାଜର ଆତ୍ମୋସୃଷ୍ଟ ପ୍ରଗାଢ଼ ଉଦ୍ୟମ ଏକାନ୍ତ ଆବଶ୍ୟକ ହେଉଛି । ଉପଯୁକ୍ତ ଶିକ୍ଷା, ସାମାଜିକ ସଚେତନା, ପାରିପାର୍ଶ୍ଵିକ ପରିବେଶ ସମ୍ବନ୍ଧୀୟ ପ୍ରଭୃତି ଅଭିଜ୍ଞତା ଏବଂ ସର୍ବୋପରି ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵର ଯଥାର୍ଥ ବିକାଶ ପ୍ରଭୃତି ସୁଗୁଣଗୁଡ଼ିକ ବିନିମୟରେ ଜାତି ଗଠନ ବ୍ୟାପାରଗୁଡ଼ିକର ଯଥାବିଧି ପରିଚାଳନା ଯୁବସମାଜ ପ୍ରତି ଏକ ବିରାଟ ଆହ୍ଵାନ ରୂପେ ବିବେଚିତ ହେଉଛି ।

 

ଆମ ଦେଶ ସୁଦୀର୍ଘ ପ୍ରାୟ ଦୁଇ ଶତାବ୍ଦୀ ବ୍ୟାପୀ ବ୍ରିଟିଶ ଶାସନାଧୀନ ଥିଲା । ଜାତୀୟ ଇତିହାସର ଏହି କାଳିମାମୟ ପର୍ଯ୍ୟାୟରେ ଶୋଷଣ ପ୍ରବଣ ବ୍ରିଟିଶ ସରକାର ଆମ ଦେଶରୁ ନିଜ ଦେଶକୁ କଞ୍ଚାମାଲ ରପ୍ତାନୀ କରିବା ପ୍ରତି ଅଗ୍ରାଧିକାର ଆରୋପ କରିଥିଲେ । ନିଜ ଦେଶର ଶିଳ୍ପାନୁଷ୍ଠାନଗୁଡ଼ିକରେ ଏହି କଞ୍ଚା ମାଲଗୁଡ଼ିକୁ ବ୍ୟବହାର କରି ଓ ବ୍ୟବହାରପଯୋଗୀ ଦ୍ରବ୍ୟଗୁଡ଼ିକୁ କଳକାରଖାନାଗୁଡ଼ିକରେ ଉତ୍ପାଦନ କରି ବ୍ରିଟିଶ ଶିଳ୍ପପତିମାନେ ବଣିକସୁଲଭ ମନୋବୃତ୍ତି ବିନିମୟରେ ସେଗୁଡ଼ିକୁ ବ୍ରିଟିଶ ସାମ୍ରାଜ୍ୟଭୁକ୍ତ ରାଷ୍ଟ୍ର ଗୁଡ଼ିକର ବଜାର ମାନଙ୍କରେ ଚଢ଼ା ଦରରେ ବିକି ଯଥେଷ୍ଟ ଲାଭବାନ୍‌ ହେଉଥିଲେ । ଆମ ଦେଶରେ ସ୍ଵାଧୀନତା ଆନ୍ଦୋଳନରେ ସୂତ୍ରପାତ ଘଟାଇଥିବା ସ୍ଵଦେଶପ୍ରେମୀ ଜନନାୟକମାନେ ଏପରି ଅସୁସ୍ଥ ପରମ୍ପରାର ମୂଳୋତ୍ପାଟନ ଘଟାଇବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଶିକ୍ଷାର ପ୍ରସାର ଓ ଗଣ ଆନ୍ଦୋଳନ ବଳରେ ସେମାନେ ଏହି ଜାତୀୟ ସମସ୍ୟାର ମୁକାବିଲା କରିବାକୁ ଯତ୍ନଶୀଳ ହୋଇଥିଲେ । ଶିଳ୍ପର ପ୍ରସାର ଘଟାଇବା ଦିଗରେ ଜନସାଧାରଣଙ୍କୁ ଉତ୍ସାହିତ କରିବା ପାଇଁ ଐତିହାସିକ ସ୍ଵଦେଶୀ ଆନ୍ଦୋଳନର ଆଶ୍ରୟ ନିଆଗଲା l ନିଜ ଦେଶର କର୍ମନିପୁଣ କାରିଗରମାନେ ହସ୍ତନୈପୁଣ୍ୟ ବିନିମୟରେ ପ୍ରସ୍ତୁତ କରୁଥିବା ବ୍ୟବହାରୋପଯୋଗୀ ଦ୍ରବ୍ୟଗୁଡ଼ିକୁ ଖରିଦ୍ କରିବା ପାଇଁ ଜନ ମାନସରେ ଆଗ୍ରହ ସୃଷ୍ଟି କରାଗଲା ଏବଂ ବିଦେଶୀ ଦ୍ରବ୍ୟଗୁଡ଼ିକୁ ଖରିଦ୍ ନ କରିବା ପାଇଁ ତଥା ସେଗୁଡ଼ିକୁ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ଅନୁପ୍ରାଣିତ କରାଗଲା । କୁଟୀରଶିଳ୍ପ ଓ କ୍ଷୁଦ୍ରଶିଳ୍ପର ପ୍ରସାର ଘଟାଇବା ଦିଗରେ କର୍ମକୁଶଳୀ ଭାରତୀୟମାନଙ୍କ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରିବା ହିଁ ଥିଲା ସ୍ଵଦେଶୀ ଆନ୍ଦୋଳନର ଅଭିମୁଖ୍ୟ I ୧୯୦୬ ମସିହାରେ ବଙ୍ଗଳା ରାଜ୍ୟର ବିଭାଜନ ଘଟିବା ପରେ ସ୍ଵଦେଶୀ ଆନ୍ଦୋଳନର ତୀବ୍ରତା ଚରମ ଆକାର ଧାରଣ କଲା l ଭାରତୀୟ ଜାତୀୟ କଂଗ୍ରେସର ନେତୃବର୍ଗ ଜନସାଧାରଣଙ୍କୁ ବ୍ରିଟିଶ ମାଲ ବାସନ୍ଦ କରିବାକୁ ଯେଉଁ ବୋଧଗମ୍ୟ ସ୍ପଷ୍ଟୀକରଣ ଯୋଗାଇଥିଲେ ଜନ ମାସରେ ତାହା ଗଭୀର ରେଖାପାତ କରିଥିଲା l

 

ବିଂଶ ଶତାବ୍ଦୀର ପ୍ରଥମ ପାଦରେ ଆମ ଦେଶରେ ଯେଉଁ ଜାତୀୟ ଚେତନା ପ୍ରତିଭାତ ହେଲା, ସେଥିରେ ଶିଳ୍ପର ଅଭ୍ୟୁତ୍‌ଥାନ ଘଟାଇବା ଦିଗରେ ଯେଉଁ ଲକ୍ଷଣୀୟ ଶୁଭ ପଦକ୍ଷେପଗୁଡ଼ିକୁ ଗ୍ରହଣ କରାଗଲା ତନ୍ମଧ୍ୟରୁ 'ଟାଟା ଆଇରନ୍‌ ଆଣ୍ଡ ଷ୍ଟିଲ୍ କମ୍ପାନୀ, (ଟିସ୍‌କୋ) ର ପ୍ରତିଷ୍ଠା ବିଶେଷ ଉଲ୍ଲେଖନୀୟ । ଟାଟା ପରିବାର ହିଁ ସ୍ଵୀୟ ପଥପ୍ରଦର୍ଶନକାରୀ ଉଦ୍ୟମ ତଥା ପରିଚାଳନାଗତ ଦକ୍ଷତା ବଳରେ କୌଣସି ବିଦେଶୀ ପୁଞ୍ଜିର ସାହାଯ୍ୟ ନ ନେଇ ଆମ ଦେଶରେ ସର୍ବପ୍ରଥମେ ଗୋଟିଏ ଆଧୁନିକ ଧରଣର ଇସ୍ପାତ କାରଖାନା ପ୍ରତିଷ୍ଠା କଲେ I ଏହି କାରଖାନାଟିକୁ ପ୍ରତିଷ୍ଠା କରିବା ପାଇଁ ଉଦ୍ୟୋକ୍ତାମାନେ ପ୍ରଥମେ ଲଣ୍ଡନ ବଜାରରୁ ପୁଞ୍ଜି ସଂଗ୍ରହ କରିବା ଉଦ୍ଦେଶ୍ୟର ଯେଉଁ ଉଦ୍ୟମ ଚଳାଇଥିଲେ, ତାହା ବାର୍ଥ ହୋଇଗଲା l କାରଣ ବ୍ରିଟିଶଜାତିର ଅର୍ଥନୈତକ ସ୍ଵାର୍ଥ ବ୍ୟାହତ ହେବାର ଆଶଙ୍କା ଥିବାରୁ ଏପରି ଉଦ୍ୟମକୁ ପଣ୍ଡ କରିଦେବା ପାଇଁ ସେଠାକାର ପୁଞ୍ଜିପତିମାନେ ଚକ୍ରାନ୍ତ ଚଳାଇଥିଲେ l ୧୯୦୭ ମସିହାରେ ଅନନ୍ୟୋପାୟ-ହୋଇ ଟାଟା ପରିବାର ସୁଦେଶୀ ଜନସାଧାଣଙ୍କୁ ଏହି ମହତ୍ ଉଦ୍ୟମର ବାସ୍ତବ ରୂପାୟନ କଳ୍ପେ ଅର୍ଥ ଯୋଗାଇ ଦେବାକୁ ଆବେଦନ କରିଥିଲେ । ଏହି ଆବେଦନର ପ୍ରତ୍ୟୁତ୍ତର ସ୍ଵରୂପ ସେମାନେ ସ୍ଵଦେଶରୁ ମାତ୍ର ତିନି ସପ୍ତାହ ମଧ୍ୟରେ ୬୩ ନିୟୁତ ପାଉଣ୍ଡ ଅର୍ଥ ସଂଗ୍ରହ କରିପାରିଲେ । ଏପରି ଭାବରେ ସଂଗୃହୀତ ଅର୍ଥ ବଳରେ ହିଁ ‘ଟିସକୋ’ ର ପ୍ରତିଷ୍ଠା ସମ୍ଭବ ହେଲା ।

 

ପ୍ରଥମ ବିଶ୍ଵ ମହାଯୁଦ୍ଧ ସଂଘଟିତ ହେବାବେଳକୁ ଆମ ଦେଶରେ ଲାଭ ପ୍ରଦାୟକ କୃଷି ଉଦ୍ୟାନ, ବୃହତ୍‍ ଶିଳ୍ପାନୁଷ୍ଠାନ ଓ ଖଣିଜ ଶିଳ୍ପଗୁଡ଼ିକର ପ୍ରତିଷ୍ଠା ସମ୍ଭବ ହୋଇଥିଲା । ମାକ୍ୟୁଲେ ପ୍ରବର୍ତ୍ତିତ ଶିକ୍ଷାଦାନ ପଦ୍ଧତିର ସୁଯୋଗ ଗ୍ରହଣ କରିଥିବା ଭାରତୀୟ ମାନେ ସ୍ଵଦେଶରେ ଗୋଟିଏ ମଧ୍ୟବିତ୍ତ ଶିକ୍ଷିତ ଶ୍ରେଣୀର ଆର୍ବିଭାବ ଘଟାଇଥିଲେ । ବାଣିଜ୍ୟ କରିବାର ବଳରେ ଅଧିକରୁ ଅଧିକ ଅର୍ଥୋପାର୍ଜନ କରିବାର କୌଶଳ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥିବା ଗୋଟିଏ ବଣିକ ଶ୍ରେଣୀର ମଧ୍ୟ ଅଭ୍ୟୁଦୟ ଘଟିଥିଲା । ମାତ୍ର ଆମ ଦେଶର ଶ୍ରମିକ ଓ କାରିଗରମାନେ ବିଦେଶୀ ଯନ୍ତ୍ରଗୁଡ଼ିକୁ ସକ୍ରିୟ କରାଇ ପାରିବାର ଯୋଗ୍ୟତା ବା ଦକ୍ଷତା ଅର୍ଜନ କରି ନ ଥିବାରୁ ବୈଷୟିକ ଶିକ୍ଷାର ଅଭାବ ଯୋଗୁଁ ଶିକ୍ଷିତ ତଥା ତାଲିମପ୍ରାପ୍ତ ଜନ ସମ୍ବଳର ଉତ୍କଟ ଅଭାବ ଘଟିବାରୁ ବିଦେଶୀ ବିଶେଷଜ୍ଞ ଓ ଯନ୍ତ୍ରପାତିଗୁଡ଼ିକ ଉପରେ ଶିଳ୍ପାନୁଷ୍ଠାନ ଗୁଡ଼ିକର ପରିଚାଳନା ଏକାନ୍ତ ନିର୍ଭରଶୀଳ ହୋଇଥିବାରୁ ଆମ ଦେଶରେ ପାଶ୍ଚାତ୍ୟ ଢାଞ୍ଚାନୁସାରୀ ପୁଞ୍ଜିଗହନ ଯନ୍ତ୍ରାଶୟୀ ଶିଳ୍ପଗୁଡ଼ିକର ଧାରା ଅତି ମନ୍ଥର ହୋଇଗଲା ।

 

ଆମ ଦେଶରେ ଶିଳ୍ପର ବିକାଶର ଧାରାକୁ ପୂର୍ବାପେକ୍ଷା ଅଧିକ ତ୍ଵରାନ୍ଵିତ କରାଇବା ଦିଗରେ ଦ୍ଵିତୀୟ ମହାଯୁଦ୍ଧ ହିଁ ଉତପ୍ରେରକ ଭୂମିକାରେ ଅବତୀର୍ଣ୍ଣ ହେଲା । ବ୍ରିଟିଶ ସରକାର ଆମ ଦେଶର ଜାତୀୟ ଅର୍ଥନୀତିକୁ ଯୁଦ୍ଧର ଚାହିଦା ପୂରଣ ଦିଗରେ ନିୟୋଜିତ କରିବାକୁ ଶ୍ରେୟସ୍କର ମଣିଥିଲେ । ମିଳିତ ସେନାବାହିନୀ ପାଇଁ ଆନୁସଙ୍ଗିକ ଦ୍ରବ୍ୟ ଯୋଗାଣ ଉଦ୍ଦେଶ୍ୟରେ ଆମ ଦେଶକୁ ଗୋଟିଏ ମୁଖ୍ୟ ଯୋଗାଣକେନ୍ଦ୍ର ରୂପେ ବିଚାର କରାଗଲା । ସେତେବେଳକୁ ପ୍ରାୟତଃ ବ୍ରିଟିଶ ବ୍ୟବସାୟୀମାନଙ୍କ ମାଲିକାନାରେ ଆମ ଦେଶରେ ଯେଉଁ ଶିଳ୍ପଗୁଡ଼ିକୁ ପ୍ରତିଷ୍ଠା କରାଯାଇଥିଲା ସେଗୁଡ଼ିକରେ ଉତ୍ପାଦନର ହାରକୁ ଦ୍ଵିଗୁଣିତ କରାଗଲା ଏବଂ ଯୁଦ୍ଧକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ନୂଆ ନୂଆ କାରଖାନାଗୁଡ଼ିକୁ ପ୍ରତିଷ୍ଠା କରାଗଲା ।

 

ଦ୍ଵିତୀୟ ମହାଯୁଦ୍ଧ ଯବନିକାପାତ ହେବା ପରେ ଦେଖାଗଲା ଯେ ପ୍ରତିଷ୍ଠିତ କାରଖାନାଗୁଡ଼ିକରେ ଉତ୍ପାଦନ ପ୍ରକ୍ରିୟାକୁ ଆବିଶ୍ରାନ୍ତ ସକ୍ରିୟ ରଖାଯିବା ଯୋଗୁଁ ଯନ୍ତ୍ରପାତିଗୁଡ଼ିକ ପ୍ରାୟତଃ ବିଗିଡ଼ି ଯାଇଛି ଏବଂ ଅଧିକାଂଶ କାରଖାନାରେ ପ୍ରାୟତଃ ଅଚଳ ଯନ୍ତ୍ରଗୁଡ଼ିକ ସ୍ଥାନରେ ନୂଆ ନୂଆ ଯନ୍ତ୍ରଗୁଡ଼ିକୁ ଯଥାବିଧି ସ୍ଥାପନ କରିବା ଭିନ୍ନ ଉତ୍ପାଦାନ ପକ୍ରିୟାକୁ ପୂର୍ବବତ ବଜାୟ ରଖିବା ସମ୍ଭବ ହେଉନାହିଁ । ମାତ୍ର ଯୁଦ୍ଧତ୍ତର କାଳରେ ଗୁରୁତର ଆର୍ଥିକ ଅନାଟନ ଯୋଗୁଁ ଆମଦାନୀ ବ୍ୟାପାରକୁ ଏପରି କଡ଼ାକଡ଼ି ଭାବରେ ନିଷିଦ୍ଧ କରାଗଲା ଯେ ଅଚଳ କାରଖାନାଗୁଡ଼ିକରେ ପୂର୍ବବତ୍ ଉତ୍ପାଦନ ପ୍ରକ୍ରିୟାକୁ ଅବ୍ୟାହତ ରଖିବାର ଅବକାଶ ରହିଲା ନାହିଁ । ସାରାଦେଶରେ ଖାଉଟୀମାନଙ୍କ ବ୍ୟବହାରୋପଯୋଗୀ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକ ଦୃଷ୍ପ୍ରାପ୍ୟ ହୋଇଗଲା । ଏପରି କ୍ରାନ୍ତିକାରୀ ପରିଣତିରେ ଆମ ଦେଶ ପରାଧୀନତାର ଶୃଙ୍ଖଳାରୁ ମୁକ୍ତ ହେବାର ଘୋଷଣା କରାଗଲା । ମାତ୍ର ବ୍ରିଟିଶ ସରକାର ଆମ ଦେଶକୁ ଦୁଇଟି ରାଷ୍ଟ୍ରରେ ବିଭାଜିତ କରାଇବାର ଐତିହାସିକ ନିଷ୍ପତ୍ତି ଗ୍ରହଣ କଲେ । ଲକ୍ଷ ଲକ୍ଷ ନରନାରୀ ନବଗଠିତ ପାକିସ୍ଥାନରୁ ଆମ ଦେଶକୁ ଚାଲି ଆସିଲେ । ଏତଦ୍ୱାରା ଯେଉଁ ଶରଣାର୍ଥୀ ସମସ୍ୟା ସୃଷ୍ଟି ହେଲା, ତାହାକୁ କୌଣସିମତେ ସମାଧାନ କରିବା ଗୋଟିଏ ଜଟିଳ ବ୍ୟାପାରରେ ପରିଣତ ହେଲା । ଦେଶର ପ୍ରାକ୍ ସ୍ଵାଧୀନତାକାଳୀନ ଦୁର୍ବଳ ଅର୍ଥନୈତିକ ପରିସ୍ଥିତି ଏଥିପାଇଁ ଆହୁରି ଦୁର୍ବଳ ହୋଇଗଲା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ମୁଖ୍ୟତଃ ବାସଚ୍ୟୁତ ଶାରଣାର୍ଥୀମାନଙ୍କ ଥଇଥାନ ପାଇଁ କ୍ରିୟାଶୀଳ କରାଯିବାରୁ ଅର୍ଥନୈତିକ ସମସ୍ୟାଗୁଡ଼ିକର ମୁକାବିଲା କରାଯିବାର ଅବକାଶ ରହିଲା ନାହିଁ । ଏପରି ଗୁରୁତର ଅର୍ଥନୈତିକ ସଂକଟ କବଳରୁ ଦେଶକୁ ଉଦ୍ଧାର କରିବା ପାଇଁ ୧୯୫୦ ମସିହା ପର୍ଯ୍ୟନ୍ତ କୌଣସି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯିବା ସମ୍ଭବ ହେଲାନାହିଁ ।

 

ଶରଣାର୍ଥୀ ସମସ୍ୟା ଲାଘବ ହୋଇଯିବାପରେ ଦେଶର ଅର୍ଥନୈତିକ ଦୂରାବସ୍ଥାକୁ ସୁଧାରି ନେବା ପାଇଁ ୧୯୫୦ ମସିହାରେ ଗୋଟିଏ ଯୋଜନା କମିଶନ ଗଠନ କରାଗଲା । ସୁପରିକଳ୍ପିତ ପଞ୍ଚବାର୍ଷିକ ଯୋଜନାଗୁଡ଼ିକୁ ଯଥାବିଧି ପରିଚାଳନା କରାଯିବାର ପରିଣତି ସ୍ଵରୂପ ଦେଶର ପ୍ରଗତି ସାଧିତ ହେବାର ଉଚ୍ଚାଭିଳାଷ ପୋଷଣ କରାଗଲା । ୧୯୫୧ ମସିହାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାଟିକୁ କାର୍ଯ୍ୟକାରୀ କରାଗଲା । ଏତଦ୍ଵାରା କୃଷିଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦକ, ଶ୍ରମିକମାନଙ୍କ ମଜୁରୀହାର ମୂଲ୍ୟସୂଚୀ କୃଷିଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦକ, ଶ୍ରମିକମାନଙ୍କ ମଜୁରୀହାର ମୂଲ୍ୟସୂଚୀ ସ୍ଥିରୀକରଣ ଓ ଲାଭଉଠାଣ ବିନିମୟରେ ମୋଟ ଜାତୀୟ ଆୟର ଅଭିବୃତ୍ତି ପ୍ରଭୁତି ବ୍ୟାପାରଗୁଡ଼ିକ କ୍ଷେତ୍ରରେ ଜନସାଧାରଣଙ୍କୁ କର୍ମତତ୍ପର କରାଇବା ପାଇଁ ଉଦ୍ଦିପନା ସୃଷ୍ଟି କରାଗଲା । ପ୍ରଥମ ପଞ୍ଚବାର୍ଷିକ ଯୋଜନାର ବାସ୍ତବ ପତଣତିକୁ ଲକ୍ଷ୍ୟ କରିବା ପରେ ଅଭିଜ୍ଞତାରୁ ଶିକ୍ଷାଲାଭ କରି ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାଟିକୁ ପୂର୍ବାପେକ୍ଷା ଅଧିକ ଦକ୍ଷତାର ସହ ପ୍ରଣୟନ କରାଗଲା । ଏହି ଯୋଜନାରେ ଭାରି ଶିଳ୍ପର ପ୍ରସାର ପ୍ରତି ପ୍ରାଧାନ୍ୟ ଆରୋପିତ ହେଲା । ତୃତୀୟ ପଞ୍ଚବାର୍ଷିକ ଯୋଜନାଟିକୁ ମଧ୍ୟ ଅନୁରୂପ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟକାରୀ କରାଗଲା । ମାତ୍ର ଏହି ଦୁଇଟି ଯୋଜନାରେ ପୁଞ୍ଜିଗହନ ବୃହତ୍ ଶିଳ୍ପ ଓ ମଧ୍ୟମ ଧରଣର ଶିଳ୍ପଗୁଡ଼ିକୁ ଅଧିକରୁ ଅଧ୍ୟକ ପରିମାଣରେ ପ୍ରତିଷ୍ଠା କରାଯିବା ଦିଗରେ ଅଗ୍ରାଧିକାର ଆରୋପିତ ହେଲା ।

 

କ୍ଷମତାସୀନ କଂଗ୍ରେସ ଦଳ ଆମ ଦେଶରେ ସମାଜବାଦୀ ଗଣତାନ୍ତ୍ରୀକ ରାଷ୍ଟ୍ର ପ୍ରତିଷ୍ଠା କରିବାର ସିଦ୍ଧାନ୍ତ ଗ୍ରହଣ କଲେ । ଏଥିପାଇଁ ଦେଶର ସାମଗ୍ରିକ ଅର୍ଥନୀତି ଉପରେ ସରକାରୀ ନିୟନ୍ତ୍ରଣ ଜାରୀ କରାଯିବା ଅନିବାର୍ଯ୍ୟ ହେଲା । ଏଣିକି ରାଷ୍ଟ୍ରାୟାତ ଶିଳ୍ପାନୁଷ୍ଠାନଗୁଡ଼ିକର ପ୍ରସାର ଘଟାଇବା ଦିଗରେ ଏବଂ ପୂର୍ବ ପ୍ରତିଷ୍ଠିତ କାରଖାନାଗୁଡ଼ିକର ଜାତୀୟକରଣ ଦିଗରେ ଉଦ୍ୟମ ଆରମ୍ଭ ହେଲା ।

 

ମିଶ୍ରିତ ଅର୍ଥନୀତି ବଳରେ ତଥା ସ୍ଵଦୀର୍ଘ ତିନି ଦଶନ୍ଧି ବ୍ୟାପୀ ଯୋଜନାବଦ୍ଧ ଉଦ୍ୟମ ଚଳାଇବା ଫଳରେ ଆମେ ଦେଶରେ ଶିଳ୍ପର ସର୍ବାଙ୍ଗୀନ ବିକାଶ ବେଶ୍ ସନ୍ତୋଷଜନକ ହୋଇପାରିଛି । ଭାରତ ସଂପ୍ରତି ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମଗ୍ର ପୃଥିବୀରେ ତ୍ରୟୋଦଶ ସ୍ଥାନ ଅଧିକାର କରିଛି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ଓ ତାଲିମ ହାସଲ କରିଥିବା ବିଶେଷଜ୍ଞମାନଙ୍କ ସଂଖ୍ୟା ଦୃଷ୍ଟିରୁ ଆମ ଦେଶ ପୃଥିବୀରେ ତୃତୀୟ ସ୍ଥାନ ଅଧିକାର କରିଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟକ ଶିକ୍ଷା ଓ ଗବେଷଣା ପାଇଁ ସମ୍ୟକ୍ ଅବସ୍ଥାପନା ସୃଷ୍ଟି କରାଯିବା ଦୃଷ୍ଟିକୋଣରୁ ଆମ ଦେଶ ସମସ୍ତ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଗ୍ରଗଣୀ ହୋଇ ପାରିଛି । ୧୯୬୦ ମସିହାରେ ରପ୍ତାନୀ ବାଣିଜ୍ୟର ମୂଲ୍ୟ ମାତ୍ର ୬୦୦ କୋଟି ହୋଇଥିବା ସ୍ଥଳେ ୧୯୭୬-୭୭ ମସିହାବେଳକୁ ଆମ ଦେଶ ବିଦେଶକୁ ପ୍ରାୟ ୫୦୦୦ କୋଟି ଟଙ୍କାର ମାଲ ରତ୍ପାନୀ କରିଛି ।

 

ତଥାପି ଅଭିବୃଦ୍ଧି ହାର ଆଶାନୁରୂପ ନ ହେବାର କାରଣ ହେଉଛି ଯେ ଶିଳ୍ପଜାତର ଦ୍ରବ୍ୟଗୁଡ଼ିକର ଉତ୍ପାଦନ ପାଇଁ ଅତ୍ୟାବଶ୍ୟକ ହେଉଥିବା କୋଇଲା, ଇସ୍ପାତ, ସିମେଣ୍ଟ ପ୍ରଭୃତି ଉପାଦନଗୁଡ଼ିକୁ ଚାହିଦା ଅନୁପାତରେ ଯୋଗାଇଦେବା ସମ୍ଭବ ହେଉନାହିଁ ଓ ରେଳବାଇ ବିଭାଗ ଓ ବନ୍ଦରଗୁଡ଼ିକ ପରିବହନ ବ୍ୟାପାରକୁ ଯଥାବିଧି ତୁଲାଇ ନେବାକୁ ଅପାରଗ ହେଉଛନ୍ତି । ଉତ୍ପାଦନ ପ୍ରକ୍ରିୟାର ମନ୍ଥରତା ଶ୍ରମିକ ଅଶାନ୍ତ ଯୋଗୁଁ ବହୁଗୁଣିତ ହେଉଛି । ଏହି ପରିପ୍ରେକ୍ଷୀରେ ଅବଶ୍ୟ ଉଲ୍ଲେଖ କରାଯିବା ପ୍ରାସଙ୍ଗିକ ତଥା ସମୀଚୀନ ବୋଧ ହେଉଛି ଯେ ଅର୍ଥନୀତିକୁ ବର୍ଦ୍ଧିଷ୍ଣୁ ତଥା ସୁଦୃଢ଼ କରାଇବା ପାଇଁ ଉଦ୍ଧିଷ୍ଟ ମୁଖ୍ୟ ଆନୁସଙ୍ଗିକ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ଓ ଯୋଗାଣକୁ ରାଷ୍ଟ୍ରାୟାତ କରାଯାଇଛି । ଶକ୍ତିଯୋଗାଣ, କୋଇଲା, ରେଳବାଇ ପ୍ରଭୃତି ବ୍ୟାପାରଗୁଡ଼ିକର ପରିଚାଳନା ସରକାରଙ୍କ ଦାୟିତ୍ଵ ହୋଇଥିବା ଯୋଗୁ ଏ କ୍ଷେତ୍ରଗୁଡ଼ିକରେ ସୃଷ୍ଟି ବିଶୃଙ୍ଖଳା ଯୋଗୁଁ ସମଗ୍ର ଜାତୀୟ ଅର୍ଥନୀତି ବିକଳାଙ୍ଗ ଓ ପଙ୍ଗୁ ହୋଇଯାଉଛି ।

 

ଆମ ଦେଶର ଶିଳ୍ପୋଦ୍ୟଗୀ ବ୍ୟକ୍ତିମାନେ ପ୍ରାକ୍-ସ୍ଵାଧିନତା କାଳରେ ଶୋଷଣପ୍ରବଣ ବ୍ରିଟିଶ ପ୍ରତିଯୋଗୀମାନଙ୍କ ସହିତ ତୁମୂଳ ପ୍ରତିଯୋଗୀତାର ସମ୍ମୁଖୀନ ହୋଇ ଶିଳ୍ପର ବିକାଶ ଘଟାଇବା ଦିଗରେ ଯତ୍ନଶୀଳ ହୋଇଥିଲେ; ସେମାନଙ୍କ ସଂଗ୍ରାମମୟ ଯତ୍‌ପରୋନାସ୍ତି ଉଦ୍ୟମ ଯୋଗୁଁ ଭାରତର ବହୁବିଧ ଶିଳ୍ପର-ଅଭ୍ୟୁଦୟ ଘଟିଥିଲା । ମାତ୍ର ସ୍ଵାଧୀନତା ପ୍ରାପ୍ତି ପରେ ଉଲ୍ଲିଖିତ ମାର୍ଗରେ ଉତ୍ପାଦନ ପ୍ରକ୍ରିୟାକୁ କ୍ରିୟାଶୀଳ କରାଯିବାର ପରିଣତି ସ୍ଵରୂପ ଦେଖାଗଲା ଯେ, ବ୍ୟବସାୟୀମାନେ ଜାତୀୟ ମହାସ୍ରୋତଠାରୁ ପୃଥକ ହୋଇ ଯାଉଛନ୍ତି । ସରକାର ଓ ବ୍ୟବସାୟୀମାନଙ୍କ ମଧ୍ୟରେ ସମନ୍ୱୟରକ୍ଷାକାରୀ ସୁସମ୍ପର୍କ ପ୍ରତିଷ୍ଠିତ ହେବା ପରିବର୍ତ୍ତେ ଉଭୟେ ପରସ୍ପର ପ୍ରତି ବୈରଭାବ ପୋଷଣ କରୁଛନ୍ତି । ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଓ ରାଷ୍ଟ୍ରାୟତ ଶିଳ୍ପାନୁଷ୍ଠାନଗୁଡ଼ିକ ପରସ୍ପର ସହିତ ଯୋଗସୂତ୍ର ରକ୍ଷାକରିବା ସଙ୍ଗେସଙ୍ଗେ ଜାତୀୟ ଉତ୍ପାଦନର ଅଭିବୃଦ୍ଧିକୁ ଯଥାବିଧି ପରିଚାଳନା କରିବା ପରିବର୍ତ୍ତେ ପରସ୍ପର ପ୍ରତି ଅସହନଶୀଳତା ଓ ବୈରଭାବ ପ୍ରଦର୍ଶନ କରୁଛନ୍ତି । ଏପରି ଅସୁସ୍ଥ ପରମ୍ପରାକୁ ରୋକିଦେବା ପାଇଁ ଉଦ୍ୟମ ହୋଇ ନ ଥିବା ଯୋଗୁଁ ଜାତୀୟ ଅର୍ଥନୈତିକ ପରିବେଶ କଳୁଷିତ ହେଉଛି ।

 

ଭାରତରେ ଶିଳ୍ପର ବିକାଶ ଏପରି ଭାବରେ ଘଟିଛି ଯେ କୌଣସି ଗୋଟିଏ ଦ୍ରବ୍ୟର ଉତ୍ପାଦନ ପ୍ରକ୍ରିୟାରେ ଗୁଣାତ୍ମକ ବିକାଶ ଘଟାଇବା ପରିବର୍ତ୍ତେ ସ୍ଥିତାବସ୍ଥାକୁ ବଜାଇ ରଖାଯାଉଛି ଏବଂ ଉତ୍ପାଦନ ପ୍ରକ୍ରିୟାର ସୁପରିଚାଳନା ପରିବର୍ତ୍ତେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର କାଟ୍‌ତି ପ୍ରତି ବିଶେଷ ଗୁରୁତ୍ଵ ଆରୋପ କରାଯାଉଛି । ବିଗତ ୩୦ ବର୍ଷ ମଧ୍ୟରେ ସରକାର ଯେଉଁ ନୀତି ଅନୁସରଣ କରିଛନ୍ତି, ତଜ୍ଜନିତ ଉତ୍ପାଦନ ତୁଳନାରେ ବାଣିଜ୍ୟ କାରବାର ପ୍ରତି ପ୍ରାଧାନ୍ୟ ଆରୋପ କରାଯାଇଛି ଏବଂ ଶୋଷୋକ୍ତ ପ୍ରକ୍ରିୟାକୁ ଅଧିକ ଲାଭଦାୟକ ବ୍ୟାପାର ରୂପେ ବିଚାର କରାଯାଉଛି । ଏପରି ତ୍ରୁଟି ସମ୍ବଳିତ ରାଷ୍ଟ୍ରନୀତି ହିଁ ଶିଳ୍ପର ଉତ୍ତରୋତ୍ତର ଯଥାର୍ଥ ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିଛି ।

 

ଏହା ନିଶ୍ଚିତଭାବରେ ସ୍ଵୀକାର କରିବାକୁ ହେବ ଯେ ଯେଉଁ ମାପକାଠି ଅନୁଯାୟୀ ବେସରକାରୀ ବା ଘରୋଇ ଶିଳ୍ପଗୁଡ଼ିକର ଦକ୍ଷତାର ମୂଲ୍ୟାୟନ କରାଯିବ, ରାଷ୍ଟ୍ରାୟାତ ଶିଳ୍ପଗୁଡ଼ିକ ପାଇଁ ତଦନୁରୂପ ମୂଲ୍ୟାୟନ ପଦ୍ଧତି ଅନୁସୃତ ହେବ । ମାତ୍ର ଏପରି ମୂଲ୍ୟାୟନ ପଦ୍ଧତି ଅନୁସରଣ କରିବାଦ୍ୱାରା ରାଷ୍ଟ୍ରାୟାତ ଶିଳ୍ପଗୁଡ଼ିକରୁ ଉତ୍ପାଦନ ଓ ପରିଚାଳନା ବେସରକାରୀ ଶିଳ୍ପୋଦ୍ୟୋଗ ତୁଳନାରେ ନିକୃଷ୍ଟ ହୋଇଛି । ଆମେ ଆଶାକରିବା ସ୍ଵାଭାବିକ ଯେ ରାଷ୍ଟ୍ରାୟତ୍ତ ଶିଳ୍ପଗୁଡ଼ିକ ହିଁ ଜାତୀୟ ଅର୍ଥନୀତିର ମେରୁଦଣ୍ଡ ଭଳି କ୍ରିୟାଶୀଳ ହେବେ ଏବଂ ଏଗୁଡ଼ିକ ଜାତୀୟ ଉତ୍ପାଦନର ଅଭିବୃଦ୍ଧି ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମାତ୍ର ସମାଜବାଦୀ ଚିନ୍ତାଧାରାକୁ ଜନସାଧାରଣଙ୍କ ମଧ୍ୟରେ ଏପରି ବିଭ୍ରାନ୍ତ ମାର୍ଗରେ ପ୍ରସାର କରାଯାଉଛି ଯେ, ସେମାନେ ରାଷ୍ଟ୍ରାୟାତ୍ତ ଶିଳ୍ପଗୁଡ଼ିକୁ ଲାଭ ପ୍ରଦାୟକ ପ୍ରତିଷ୍ଠାନ ରୂପେ ବିଚାର କରୁନାହାନ୍ତି । ସେମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ଯେ, ଲାଭ ଉଠାଇବା ପରିବର୍ତ୍ତେ ଜାତୀୟ ଚାହିଦା ପୂରଣ ହିଁ ଏଗୁଡ଼ିକର ଆଭିମୁଖ୍ୟ । ଜନସାଧାରଣଙ୍କୁ ଏପରି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ କରାଇବା ପରେ ସଂପୃକ୍ତ କର୍ତ୍ତୃପକ୍ଷ ଏଗୁଡ଼ିକର ପରିଚାଳନା କ୍ଷେତ୍ରରେ ଉପୁଜିଥିବା ତ୍ରୁଟି ଓ ବିଶୃଙ୍ଖଳାଗୁଡ଼ିକର ପ୍ରତି ଉଦାସୀନ ରହୁଛନ୍ତି । ଯେଉଁ କାରଖାନାଗୁଡ଼ିକରେ ଉତ୍ପାଦନ ଆଶାନୁରୂପ ହେଉନାହିଁ, ସେଗୁଡ଼ିକୁ ବନ୍ଦ କରିଦେବା ପରିବର୍ତ୍ତେ କୌଣସିମତେ ସକ୍ରିୟ ରଖିବା ଉଦ୍ଦେଶ୍ୟରେ ଜାତୀୟ ରାଜକୋଷରୁ ଅଯଥା ବିପୁଳ ପୁଞ୍ଜିର ବଦ୍‌ବ୍ୟୟ କରାଯାଉଛି । ଯଦି ବେସରକାରୀ ବା ଘରୋଇ ଶିଳ୍ପାନୁଷ୍ଠାନଗୁଡ଼ିକ ସହିତ ପ୍ରତିଯୋଗିତା ସୂତ୍ରରେ ଉତ୍ପାଦନ ପ୍ରକ୍ରିୟାକୁ ଚାଲୁ ରଖିବା ପାଇଁ ରାଷ୍ଟ୍ରାୟାତ୍ତ ଶିଳ୍ପଗୁଡ଼ିକୁ ବାଧ୍ୟ କରାଯିବା ସମ୍ଭବ ହୁଅନ୍ତା ଏବଂ ଉଭୟବିଧ ଶିଳ୍ପର ମୂଲ୍ୟାୟନ ପ୍ରତି ଏକାଭଳି ମାପ କାଠି ବ୍ୟବହାର କରାଯିବା ସମ୍ଭବ ହୁଅନ୍ତା, ତାହାହେଲେ ରାଷ୍ଟ୍ରୟତ ଶିଳ୍ପଗୁଡ଼ିକୁ ଠିକଣା ମାର୍ଗରେ କ୍ରିୟାଶୀଳ କରାଯିବାର ପଥ ସୁଗମ୍ୟ ହୋଇପାରନ୍ତା ।

 

ଆମଦେଶରୁ ବ୍ୟାପକ ଦାରିଦ୍ର୍ୟର ଅପସାରଣ ଘଟାଇବା ଦିଗରେ କିମ୍ବଲ ବେକାରୀ ସମସ୍ୟାର ସମାଧାନ ଦିଗରେ ବୈଷୟିକ ବା ଶିଳ୍ପଭିତ୍ତିକ ପ୍ରଗତି ବିଶେଷ ସହାୟକ ହେଇନାହିଁ । ଉଭୟ ରାଷ୍ଟ୍ରାୟତ୍ତ ଓ ବେସରକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ଜରିଆରେ ମାତ୍ର ୬.୫ ନିୟୁତ କାରିଗରଙ୍କୁ ଜୀବିକା ଯୋଗାଇ ଦିଆଯାଇଛି । ୧୯୬୫-୬୬ ଆର୍ଥିକ ବର୍ଷଠାରୁ ଇତ୍ୟବସରରେ ବେକାରମାନଙ୍କ ସଂଖ୍ୟା ଦି-ଗୁଣ ବଢ଼ିଯାଇଛି ଓ ଜିନିଷପତ୍ରର ଦର ମଧ୍ୟ ଇତ୍ୟବସରରେ ବେକାରୀମାନଙ୍କ ସଂଖ୍ୟା ଗୁଣ ବଢ଼ିଯାଇଛି ଓ ଜିନିଷପତ୍ରର ଦର ମଧ୍ୟ ଇତ୍ୟବସରରେ ଯଥେଷ୍ଟ ଅଧିକ ବଢ଼ିଯାଇଛି । ଦାରିଦ୍ର୍ୟର କଷାଘାତରୁ ବିପୁଳ ସଂଖ୍ୟାକ ଜନସାଧାରଣଙ୍କୁ ଉଦ୍ଧାର କରିବା ଗୋଟିଏ ଜଟିଳ ସମସ୍ୟା ହେଲେ ମଧ୍ୟ ଠିକଣାପଥର ଅନୁଗାମୀ ହେବା ଦ୍ଵାରା ଏପରି ଉତ୍କଟ ସମସ୍ୟା । ବହୁଳାଂଶରେ ଲାଘବ ହୋଇ ପାରିବ । ଆଧୁନିକ ଯୁଗରେ ଟେକ୍‌ନୋଲଜିଗୁଡ଼ିକର ଯେପରି ତ୍ଵରାନ୍ୱିତ ବିକାଶ ଘଟୁଛି, ସେଗୁଡ଼ିକ ମଧ୍ୟରୁ ଉପଯୁକ୍ତ ଟେକ୍‌ନୋଲଜିଗୁଡ଼ିକୁ ଯଦି ଠିକଣା ଭାବରେ କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କରାଯାଏ, ତାହାହେଲେ ଶିଳ୍ପଭିର୍ତ୍ତିକ ଉଦ୍ୟମ ଜନହିତକାରୀ ହୋଇ ପାରିବ । ଏଥିପାଇଁ ଏକ ପକ୍ଷରେ ଉଭୟ ଶିଳ୍ପୋଦ୍ୟୋଗୀ ନାଗରିକ ଓ ସରକାରଙ୍କ ମଧ୍ୟରେ ଉତ୍ତମ ବୁଝାବଣା ସୃଷ୍ଟିହେବା ବିଧେୟ ଏବଂ ଅପର ପକ୍ଷେ ପରିଚାଳନାଗତ ବ୍ୟାପାର ସହ ସଂପୃକ୍ତ ପ୍ରଶାସକ ଓ ବିଶେଷଜ୍ଞ ଏବଂ ଶ୍ରମିକମାନଙ୍କ ମଧ୍ୟରେ ମଧ୍ୟ ଉତ୍ତମ ବୁଝାବଣା ସୃଷ୍ଟି ହେବା ବାଞ୍ଛନୀୟ ।

 

ଯେଉଁ ଦେଶର ମୋଟ ଜନସଂଖ୍ୟାର ଶତକଡ଼ା ୪୦ ଭାଗରୁ ଅଧିକ ଦାରିଦ୍ର୍ୟର ସୀମାରେଖା ତଳେ ନିଷ୍ପେଷିତ ଜୀବନ ବିତାଉଛନ୍ତି, ସେ ଦେଶର ଉତ୍ପାଦନ-ପକ୍ରିୟା ବାରମ୍ବାର ବ୍ୟାହତ ହେବା ଆଦୌ ବାଞ୍ଛନୀୟ ନୁହେଁ । ଶିଳ୍ପ, ସରକାର ଓ ଶ୍ରମିକ ଭଳି ତିନିଟି ଗୁରୁତ୍ଵପୂର୍ଣ୍ଣ ବିଭାବ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରାଯିବା ସଂଭବ ନ ହେଲେ ଶିଳ୍ପାଶ୍ରୟୀ ଉଦମ୍ୟ ବଳରେ ଦେଶରୁ ଦାରିଦ୍ର୍ୟର ବିଲୋପ ସାଧନ କଦାପି ସଂଭବ ହେବ ନାହିଁ । ଆଗାମୀ ଦଶନ୍ଧିରେ ଏହି ଚିତ୍ତଆଲୋଡ଼ନକାରୀ ସମସ୍ୟାର ସମାଧାନ କରିବାକୁ ହେବ । ଏହି ଦେଶୋପଯୋଗୀ ଜରୁରୀ ସମସ୍ୟା ହିଁ ଏକ ବିରାଟ ଆହ୍ଵାନ ରୂପେ ଆମ ସମ୍ମୁଖରେ ଉପସ୍ଥାପିତ ହୋଇଛି ।

 

।। ୨ ।।

 

ଦାରିଦ୍ର୍ୟର ଅପସାରଣ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା ଦିଗରେ ଶିଳ୍ପଭିତ୍ତିକ ଉଦ୍ୟମର ଭୂମିକା-ଐତିହାସିକ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ ପ୍ରଦାନ କରିଥିବା ଜନନାୟକମାନଙ୍କ ମଧ୍ୟରେ କତିପୟ ବୁଦ୍ଧିଜୀବୀ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର ଚଳାଇ ମଳିମୁଣ୍ଡିଆ ଜନସାଧାରଣଙ୍କ ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟାଇବା ପାଇଁ ଯତ୍ନଶୀଳ ହୋଇଥିଲେ । ଏହି ନେତାମାନଙ୍କ ମଧ୍ୟରେ ମହାମାନବ ମହାତ୍ମା ଗାନ୍ଧୀଙ୍କନାମ ସର୍ବାଦୌ ଉଲ୍ଲେଖଯୋଗ୍ୟ । ସ୍ଵସଂପାଦିକ ହିନ୍ଦ୍ ସ୍ଵରାଜ୍ୟରେ ଭାରତର ଅର୍ଥନୈତିକ ବିକାଶ କଳ୍ପେ ପରାମର୍ଶ ଦେବା ଅବସରରେ ସେ ବରାବର ଅଗ୍ରାଧିକାର ଆରୋପ କରୁଥିଲେ ଯେ, ଆମ ଦେଶରୁ ସର୍ବବ୍ୟାପୀ ଉତ୍କଟ ଦାରିଦ୍ର୍ୟ, ବେକାରୀ ଓ ଅର୍ଦ୍ଧ-ବେକାରୀର ଅପସାରଣ ଘଟାଇବା ଦିଗରେ ହିଁ ସ୍ଵାଧିନୋତ୍ତର କାଳରେ ପ୍ରାଧାନ୍ୟ ଆରୋପ କରାଯିବା ବାଞ୍ଛନୀୟ । ଆମ ଦେଶର ଜନସାଧାରଣଙ୍କ ଦୁର୍ଦ୍ଦଶା ଓ ଦୁର୍ଗତି ପାଇଁ ପାଶ୍ଚାତ୍ୟ ଅର୍ଥନୈତିକ ଧାରଣାଗୁଡ଼ିକର ଅନ୍ଧାନୁସରଣକୁ ହିଁ ସେ ମୁଖ୍ୟତଃ ଦାୟୀ କରୁଥିଲେ-

 

ଭାରତୀୟ ଜନମାନସକୁ ବିଶେଷ ଭାବରେ ପ୍ରଭାବିତ କରୁଥିବା ମହାମତୀ ଜନନାୟକମାନଙ୍କ ମଧ୍ୟରେ ଦାଦା-ଭାଇ ନାରୋଜୀଙ୍କ ଭୂମିକା ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ । ଜାତିର ଜନକ ମହାତ୍ମା ଗାନ୍ଧୀ ସ୍ଵାଧିନତା ଆନ୍ଦୋଳନର କର୍ଣ୍ଣଧାର ଭୂମିକାରେ ଅବତୀର୍ଣ୍ଣ ହେବା ପୂର୍ବରୁ ସେ ସ୍ଵଦେଶୀ ଜନ-ସାଧାରଣଙ୍କ ହିତ ସାଧନ ଦିଗରେ ନିଜ ଅସାଧାରଣ ବୌଦ୍ଧିକତାର ସଦୁପଯୋଗ କରିଥିଲେ । ବ୍ରିଟିଶ ସରକାରଙ୍କ ସାମ୍ରାଜ୍ୟବାଦୀ ଶୋଷଣପ୍ରବଣ ମନୋଭାବକୁ ହିଁ ସେ ଭାରତୀୟମାନଙ୍କ ଦାରିଦ୍ର୍ୟର ମୁଖ୍ୟ କାରଣ ରୂପେ ଚିହ୍ନଟ କରାଇଥିଲେ । ଗୋରା ସାହେବମାନେ ପ୍ରଶାସକ ଓ ବ୍ୟବସାୟୀ ଭାବରେ ଏ ଦେଶକୁ ପ୍ରତିବର୍ଷ ଲୁଣ୍ଠନ କରୁଥିବା ସଂପର୍କରେ ସେ ପ୍ରତିବର୍ଷ ପ୍ରାମାଣିକ ତଥ୍ୟ ପରିବେଷଣ କରିବା ସଙ୍ଗେ ସଙ୍ଗେ ଏହା ବିରୋଧରେ ଜନମତ ସୃଷ୍ଟି କରିଥିଲେ ।

 

ଶିଳ୍ପର ଅଭିବୃଦ୍ଧି ସାଧନ ତଥା ଭାରତର ଅର୍ଥନୈତିକ ବିକାଶ ସମ୍ବନ୍ଧରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ପ୍ରବୀଣ ଇଂଜିନିୟର ଓ ପ୍ରାଶାସନ ଏମ୍ . ବିଶ୍ଵେଶରାୟାଙ୍କ ପଥପ୍ରଦଶନକାରୀ ଉଦ୍ୟମଗୁଡ଼ିକ ଭାରତୀୟ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ । ପାଶ୍ଚାତ୍ୟ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକରେ ଯୋଜନାବଦ୍ଧ ଉଦମ୍ୟ ବଳରେ ରାଷ୍ଟ୍ରୀୟ ପ୍ରଗତିର ଧାରାକୁ ତ୍ୱରାନ୍ୱିତ କରାଯିବା ସଂପର୍କରେ ବିଚାର ହେବା ପୂର୍ବରୁ ଏହି ପ୍ରବୀଣ ବୁଦ୍ଧିଜୀବୀ ସୁପରିକଳ୍ପିତ ଯୋଜନାଗୁଡ଼ିକ ଯଥାବିଧି କାର୍ଯ୍ୟକାରୀ କରାଇ ଆମ ଦେଶର ପ୍ରଗତି ସାଧନ ଉଦ୍ଦେଶ୍ୟରେ ପରାମର୍ଶ ଦେଇଥିଲେ । ଜାତୀୟ ଉନ୍ନୟନ ପାଇଁ ଆବଶ୍ୟକ ମୁଖ୍ୟ ଶିଳ୍ପ-ଗୁଡ଼ିକ ରାଷ୍ଟ୍ରୟାତ୍ତ କରାଯିବା ସଂପର୍କରେ ବିଶ୍ଵେଶରାୟା ହିଁ ସର୍ବପ୍ରଥମେ ପରାମର୍ଶ ଦେଇଥିଲେ । ସେ ସ୍ପଷ୍ଟ ଭାବରେ ଜଣାଇ ଦେଇଥିଲେ ଯେ, ଶିଳ୍ପର ବିକାଶ ବିନା ଭାରତର ପ୍ରଗତି ସମ୍ବନ୍ଧରେ ଚିନ୍ତା କରାଯାଇ ନ ପାରେ । ‘ଶିଳ୍ପ କରଣ ଅଥବା ଦୁର୍ଗତି’—ଏହି ଦ୍ୱିବିଧ ପନ୍ଥା ମଧ୍ୟରୁ ଗୋଟିକୁ ବାଛିନେବା ପାଇଁ ସେ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ ।

 

ଅର୍ଥନୈତିକ ତଥା ଶିଳ୍ପଭିତ୍ତିକ ଉନ୍ନୟନ ସଂପର୍କିତ ଭାରତୀୟ ଚିନ୍ତାଧାରାକୁ ବିଶେଷ ଭାବରେ ପ୍ରଭାବିତ କରିଥିବା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ମହାଦେବ ଗୋବିନ୍ଦ ରାଣାଡ଼େ ଅନ୍ୟତମ-। ଉଚ୍ଚସ୍ତରୀୟ ଶିକ୍ଷା ଓ ଗବେଷଣା ବ୍ୟାପାରରେ ମନୋନିବେଶ କରିଥିବା ଭାରତୀୟ ଅର୍ଥନୀତିଜ୍ଞମାନେ ତାଙ୍କ ପରାମର୍ଶଗୁଡ଼ିକ ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ସାମାଜିକ–ଅର୍ଥନୈତିକ କ୍ଷେତ୍ରରେ ପ୍ରଚଳିତ ଆନୁଷ୍ଠାନିକ ପଦ୍ଧତିଗୁଡ଼ିକରେ ତ୍ରୁଟି ଦର୍ଶାଇ ଦେବା ଦିଗରେ ରାଣାଡ଼େ ପ୍ରଶଂସନୀୟ ଉଦ୍ୟମ ଚଳାଇଥିଲେ । ଧର୍ମ ଭିତ୍ତିକ କୁସଂସ୍କାର, ପୁରୁଣା କାଳିଆ ସାମାଜିକଚଳନି, ନିରକ୍ଷରତା, ଭାଗ୍ୟବାଦିତା, ଟେକ୍‌ନୋଲଜି ଗୁଡ଼ିକର ଉଦ୍ଭାବନ ଓ ନବୀକରଣ କ୍ଷେତ୍ରରେ ଉତ୍ସାହର ଅଭାବ, ସ୍ଥିତାବସ୍ଥାର ସ୍ଥାୟିତ୍ଵ ବଜାୟ ରଖିବା ଦିଗରେ ଆଗ୍ରହ ତଥା କୌଣସି ଶୁଭଙ୍କରୀ ପରିବର୍ତ୍ତନର ପଥରୋଧ କରିବା ଦିଗରେ କର୍ମ ତତ୍‌ପରତା, ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ଉପାଦାନଗୁଡ଼ିକୁ ଯଥାସ୍ଥାନମାନଙ୍କୁ ପଠାଇଦେବା ଦିଗରେ ନିଷ୍କ୍ରିୟତା ସ୍ଵଳ୍ପ ସଞ୍ଚୟ ପ୍ରଭୃତି ଘଟଣାଗୁଡ଼ିକୁ ସେ ଆମ ଦୁର୍ଗତି ପାଇଁ କେବଳ ବ୍ରିଟିଶ ଶାସନକୁ ଦାୟୀ କରାଯିବା ଦ୍ୱାରା ଆମେ ନିଜେ ଦାୟିତ୍ଵକୁ ଏଡ଼ାଇ ଦେବାର ଅପଚେଷ୍ଟା କରୁଛୁ ବୋଲି ବୁଝିବାକୁ ହେବ । ସେ ଆହୁରି ମଧ୍ୟ ସ୍ପଷ୍ଟଭାବରେ ସୁଚାଇଥିଲେ ଯେ ଭାରତରେ ଶିଳ୍ପର କ୍ରମସମୃଦ୍ଧି ପାଇଁ ସରକାରଙ୍କୁ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ; ଶିଳ୍ପର ଅଭ୍ୟୁତଧାନ କାଳରେ, ଅର୍ଥାତ୍ ବିକାଶ-କାଳୀନ ଆଦ୍ୟ ପର୍ବରେ, ସରକାର ଶିଳ୍ପୋଦ୍ୟୋଗୀମାନଙ୍କୁ ସର୍ବବିଧ ସୁବିଧା ଓ ସୁଯୋଗ ଯୋଗାଇଦେବା ଦ୍ୱାରା ହିଁ ପରବର୍ତ୍ତୀ କାଳରେ ବିକାଶର ଧାରା ତ୍ୱରାନ୍ୱିତ ହୋଇ ପାରିବ ।

 

ଆମ ଦେଶର ପ୍ରଥମ ଜନପ୍ରିୟ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ବିଜ୍ଞନାଶ୍ରୟୀ ପନ୍ଥା ଅବଲମ୍ବନରେ ଭାରତର ସର୍ବାଙ୍ଗୀନ ପ୍ରଗତି ଘଟାଇବାକୁ ଯତ୍ନବାନ୍ ହୋଇଥିଲେ । ଗାନ୍ଧୀଜୀଙ୍କ ରାଜନୈତିକ ନେତୃତ୍ଵ ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ସେ ଅର୍ଥନୈତିକ ବ୍ୟାପାର ଗୁଡ଼ିକର ସୁପରିଚାଳନା କ୍ଷେତ୍ରରେ ତାଙ୍କ ଚିନ୍ତାଧାରାଗୁଡ଼ିକ ପ୍ରତି ଗୁରୁତ୍ଵ ଆରୋପ କରି ନ ଥିଲେ । ବିଶ୍ଵେଶରାୟଙ୍କ ପରାମର୍ଶ ତାଙ୍କ ହୃଦୟଗ୍ରାହୀ ହୋଇଥିଲା । ଆନିଷ୍ଠାନିକ ପଦ୍ଧତିଗୁଡ଼ିକର ତ୍ରୁଟି ଓ ବିଚ୍ୟୁତିଗୁଡ଼ିକର ଅପସାରଣ ଘଟାଇବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଚଳଣି ଓ ରୁଚିକୁ ବିଜ୍ଞାନସମ୍ମତ ପନ୍ଥାର ଅନୁଗାମୀ କରାଇବା ଉଦ୍ଦେଶ୍ୟରେ ସେ ରାଷ୍ଟ୍ରାୟତ୍ତ ବ୍ୟବସ୍ଥା ଅବଲମ୍ବନରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରେୟସ୍କର ମଣିଥିଲେ । ପଣ୍ଡିତ ନେହେରୁ ବିଚାରିଥିଲେ ଯେ, ବିଶ୍ଵେଶରାୟାଙ୍କ ଦ୍ଵାରା ପ୍ରଦର୍ଶିତ ମାର୍ଗର ଅନୁଗାମୀ ହେବା ଦ୍ଵାରା ରାଣାଡ଼େଙ୍କ ଦ୍ୱାରା ସୂଚିତ ବିଲକ୍ଷଣଗୁଡ଼ିକର ବିଲୟ ସଂଭବ ହୋଇପାରିବ । ଏହି କର୍ମ ତଥା ସ୍ଵଦେଶପ୍ରେମୀ ବୁଦ୍ଧିଜୀବୀମାନଙ୍କ ଅବଦାନଗୁଡ଼ିକ ପ୍ରତି ପଶ୍ଚାତ ଦୃଷ୍ଟି ନିକ୍ଷେପ କରିବା ଦ୍ଵାରା ଆମେ ଅନାୟାସରେ ଉପଲବ୍‌ଧ କରୁଛୁ ଯେ ଏମାନେ ସମସ୍ତେ ଏକାପ୍ରକାର ଉଚ୍ଚାଶା ପୋଷଣ କରିଥିଲେ । ଏମାନେ ବିଶ୍ଵାସ କରିଥିଲେ ସେ ସ୍ଵାଧିନତାପ୍ରାପ୍ତି ପରେ ଆମ ଦେଶର ପ୍ରଗତିର ପଥ ସୁଗମ୍ୟ ହୋଇଯିବ ଏବଂ ଏ ଦେଶର ଅଗଣିତ ମଳିମୁଣ୍ଡିଆ ନିଃସମ୍ବଳ ଜନସାଧାରଣଙ୍କ ଜୀବନ ଧାରଣର ମାନରେ ତ୍ଵରାନ୍ଵିତ ହାରରେ କ୍ରମୋନ୍ନତି ଘଟାଇବା ପାଇଁ ନିର୍ବିଘ୍ନରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସଂଭବ ହେବ ।

 

ମାତ୍ର ଭାଗ୍ୟର ବିଡ଼ମ୍ବନା ସେ ସ୍ଵାଧୀନୋତ୍ତର କାଳରେ ଗ୍ରାମାଞ୍ଚଳର ଜନସାଧାରଣଙ୍କ ମୁଣ୍ଡ ପିଛା ଖର୍ଚ୍ଚରେ ଅଧୋଗତି ଘଟିଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନ-ସାଧାରଣଙ୍କ ଜୀବନଧାରଣର ମାନରେ ତୁମୃଳ ତାରତମ୍ୟ ପରିଲକ୍ଷିତ ହୋଇଛି । ପ୍ରଚ୍ଛନ୍ନ ବେକାରୀର ଉତ୍ପୀଡ଼ନ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଜୀବନକୁ ଦୁର୍ବିସହ କରିଛି । ମହାତ୍ମା ଗାନ୍ଧୀଙ୍କ ସ୍ଵପ୍ନର ଭାରତ ଓ ନାରୋଜୀଙ୍କ ଉଚ୍ଚାଶା ବାସ୍ତବକ୍ଷେତ୍ରରେ ରୂପାୟିତ ହୋଇନାହିଁ । ଅବଶ୍ୟ ବହୁବିଧ ଶିଳ୍ପଗୁଡ଼ିକର ପ୍ରତିଷ୍ଠା ଓ ଉତ୍ତରୋତ୍ତର ବିକାଶକୁ ବିଚାରକୁ ନେଲେ ଆମେ ଜାଣିପାରୁଛୁ ଯେ ଆମ ଦେଶ କେତେକ ଉପଯୋଗୀ ଶିଳ୍ପ ଜାତ ଦ୍ରବ୍ୟର ଉତ୍ପାଦନ ଦୃଷ୍ଟିକୋଣରୁ ସ୍ଵାବଲମ୍ବୀ ହୋଇଛି । ବିଶ୍ଵେଶରାୟଙ୍କ ‘ଯୋଜନା’ ଓ ନେହେରୁଙ୍କ ସ୍ଵପ୍ନ କିୟତ୍ ପରିମାଣରେ ପୂରଣ ହୋଇଛି । ଆମ ଦେଶ ସ୍ଵାଧିନତା ଲାଭ କରିଛି ସତ, ମାତ୍ର ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ଗତାନୁଗତିକ ଭାବରେ ପରିଲକ୍ଷିତ ତ୍ରୁଟି ଗୁଡ଼ିକୁ ସୁଧାରି ନେବା ଭଳି ପରିବେଶର ସର୍ଜନା ଅଦ୍ୟାବଧି ସମ୍ଭବ ହୋଇନାହିଁ । ରାଣାଡ଼େ ଯେଉଁ ବିଘଟନ-ଗୁଡ଼ିକର ଅପସାରିଣ ଦିଗରେ ପରାମର୍ଶ ଦେଇଥିଲେ, ସେ ଗୁଡ଼ିକର ଉତ୍ପୀଡ଼ନ ହିଁ ଜନଜୀବନକୁ ଅତିଷ୍ଠ କରୁଛି । ସାମନ୍ତବାଦର ବିଲୟ ଘଟିବା ପରିବର୍ତ୍ତେ ତାହାର ମୁଖା କେବଳ ବଦଳି ଯାଇଛି । ତଥାକଥିତ ଆଧୁନିକ ଚଳଣିର ଅନ୍ତରାଳରେ ଜନସାଧାରଣଙ୍କୁ ଶୋଷଣ କରିବାର ପରମ୍ପରା ଅବ୍ୟାହତ ରହିଛି । ସରକାରୀ ବ୍ୟୟକୁ ସୀମିତ ତଥା ସଙ୍କୁଚିତ କରିବା ପାଇଁ ମହାମତି ଗୋଖେଲ ଯେଉଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ. କାର୍ଯ୍ୟ କ୍ଷେତ୍ରରେ ତାହାର ବ୍ୟତିକ୍ରମ ଘଟୁଛି । ସମାଜର ଦଳିତ ତଥା ଅବହେଳିତ ଶ୍ରେଣୀର ଜନସାଧାରଣଙ୍କ ଦୁର୍ଦ୍ଦଶମୋଚନ ହେବା ପରିବର୍ତ୍ତେ ଧନୀ ଓ ଦରିଦ୍ର ମଧ୍ୟରେ ଅର୍ଥନୈତିକ ତାରତମ୍ୟର ମାତ୍ରା ଦିନକୁ ଦିନ ଏପରି ହୁ ହୁ ଭାବରେ ବଢ଼ି ଚାଲିଛି ଯେ ଭାରତୀୟ ଅର୍ଥନୀତିର କ୍ରମଅଭିବୃଦ୍ଧି ପ୍ରକ୍ରିୟା ଚଳିତ ଶତାବ୍ଦୀର ନବମ ଦଶନ୍ଧିରେ ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଲାଣି-। ଯଦି ଏପରି ଦୁର୍ଗତି ଅବ୍ୟାହତ ରହେ, ତାହାହେଲେ ଏ ଦେଶରୁ ଦାରିଦ୍ର୍ୟର ଅପସାରଣ କଦାପି ସମ୍ଭବ ହେବ ନାହିଁ ଏବଂ ମୋଟ କାର୍ଯ୍ୟକ୍ଷମ ନାଗରିକମାନଙ୍କ ମଧ୍ୟରୁ ଯଉ ଦୁର୍ଭାଗା ଶତକଡ଼ା ୩୦ ଭାଗ ବେକାର ଜୀବନ ବିତାଉଛନ୍ତି ବୋଲି ଅଟକଳ କରାଯାଉଛି, ସେମାନଙ୍କ ପାଇଁ ଚାହିଦା ମୁତାବକ କର୍ମସଂସ୍ଥାନ ସୃଷ୍ଟି କରିବା ମଧ୍ୟ ସମ୍ଭବ ହେବନାହିଁ ।

 

ପ୍ରାସଙ୍ଗିକତା ଦୃଷ୍ଟିରୁ ମୌଳିକ ପ୍ରଶ୍ନଗୁଡ଼ିକୁ ପୁଣି ଥରେ ଉତ୍‌ଥାପନ କରାଯାଉ :—ଆମ ଦେଶର ନେତୃବର୍ଗ, ବୁଦ୍ଧିଜୀବୀ ଓ ଅର୍ଥନୀତିଜ୍ଞମାନଙ୍କର ଭୁଲ ବିଚାର ଅଗ୍ରାଧିକାର ଆରୋପ ଦିଗରେ ତ୍ରୁଟି ଓ ଦୁର୍ବଳ ନେତୃତ୍ୱ ଯୋଗୁଁ କ’ଣ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ? ଏହି ପ୍ରଶ୍ନଟିର ସନ୍ତୋଷଜନକ ଉତ୍ତର ଦେବାପାଇଁ ବହୁବିଧ କାରଣ ଦର୍ଶାଯାଇ ପାରେ; ମାତ୍ର ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ । ଦୂରଦୃଷ୍ଟିର ଅଭାବ ଯୋଗୁଁ ଯୋଜନା ପ୍ରଣୟନକାରୀମାନେ ଜନସଂଖ୍ୟାର ଅଭିବୃଦ୍ଧି ଭଳି ତାତ୍ପର୍ଯ୍ୟପୂର୍ଣ୍ଣ ସମସ୍ୟା ପ୍ରତି ଗୁରୁତ୍ୱ ଆରୋପ କରିନଥିଲେ । ଜାତୀୟ ଉନ୍ନୟନପାଇଁ ତ୍ରୁଟି ସମ୍ବଳିତ ପଦ୍ଧତି ଗୁଡ଼ିକର ପ୍ରଚଳନଯୋଗୁ ତଥା ଦକ୍ଷତାହୀନ ତଥା ଦୁର୍ବଳ ଅର୍ଥନୈତିକ ଓ ରାଜନୈତିକ ସଂସ୍ଥିତ ବିନିମୟରେ ଜାତୀୟ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ଯୋଗୁଁ ଯେଉଁ ବିରୂପ ତଥା ବିଷମ ପରିସ୍ଥିତି ସୃଷ୍ଟି ହେଲା, ଜନସଂଖ୍ୟାର ଅଭିବୃଦ୍ଧି ତାହାକୁ ଆହୁରି ଶୋଚନୀୟ ଅବସ୍ଥାରେ ଉପନୀତ କରାଇଛି । ଜନସଂଖ୍ୟାର ଅଭିବୃଦ୍ଧିର ହାରକୁ ଆହୁରି ଯଥେଷ୍ଟ ପରିମାଣରେ କମାଇ ଦିଆ ନ ଗଲେ ଆମ ଭବିଷ୍ୟତ ନିଶ୍ଚିତ ଭାବରେ ଅନ୍ଧକାରମୟ ହୋଇଯିବ ।

 

ଦେଶର ଅର୍ଥନୈତିକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆମ ଦେଶର ପ୍ରବୀଣ ବୁଦ୍ଧିଜୀବୀମାନେ ଅବଶ୍ୟ ସ୍ୱତଃପ୍ରବୃତ୍ତ ସହଯୋଗ ପ୍ରଦାନ କରିବା ଏକାନ୍ତ କାମ୍ୟ ବୋଧ ହେଉଛି; ମାତ୍ର ସମସ୍ୟାଗୁଡ଼ିକ ଠିକଣା ଭାବରେ ଉପସ୍ଥାପନା କରାଯାଇ ନ ଥିବା ଯୋଗୁଁ ସେମାନଙ୍କ ଠାରୁ ଆଶାନୁରୂପ ବୌଦ୍ଧିକ ସାହାଯ୍ୟ ବା ସହଯୋଗ ମିଳିନାହିଁ ଜନମାନସରେ ଭାବାବେଗ ବା ରେଖାପାତ କରିପାରିବା ଭଳି କୌଣସି ଫଳପ୍ରସୂ ବା ଆକର୍ଷଣୀୟ ଉଦମ୍ୟ କରାଯାଇ ନ ଥିବାରୁ ଜାତୀୟ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଜନସାଧାରଣଙ୍କୁ ସୁବିଧା ମିଳିନାହିଁ । ଶ୍ରୁତି ମଧୁର ସ୍ଲୋଗାନ୍‌ର ବହୁଳ ପ୍ରଚାର ବଳରେ ସରକାରୀ ଉଦ୍ୟମକୁ ବିଜ୍ଞାପିତ କରାଯାଇଛି । ତେଣୁ ଯେଉଁ ବିଶିଷ୍ଟ ବିଶେଷଜ୍ଞମାନେ ଜାତୀୟ ସମସ୍ୟାଗୁଡ଼ିକର ସମାଧାନ ଦିଗରେ କ୍ଷୀଣ ସ୍ୱର ଉତ୍ତୋଳନ କରିଛନ୍ତି, ସେଗୁଡ଼ିକ ସମ୍ବନ୍ଧରେ ଜନସାଧାରଣ ବିଚାର ଚଳାଇବା ଦିଗରେ ଅନୁକୂଳ ପରିବେଶର ସର୍ଜନା ସଂଭବ ହୋଇନାହିଁ । ତେଣୁ ସେହି ଶୁଭ ଚିନ୍ତକମାନଙ୍କ ବୌଦ୍ଧିକ ଅବଦାନଗୁଡ଼ିକ ନିସ୍ଫଳ ହୋଇଯାଇଛି । ଆଗାମୀ ଆର୍ଥିକ ବର୍ଷଗୁଡ଼ିକରେ ପ୍ରାୟ ଦୀର୍ଘ କାଳ ପାଇଁ ନିମ୍ନଲିଖିତ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାଯିବାର ଅନିବାର୍ଯ୍ୟତା ଉପଲବ୍‌ଧ ହେବ; ଯଥା: ଦାରିଦ୍ର୍ୟ, ବେକାରୀ, ମୁଦ୍ରାସ୍ଫୀତି, ସମାଜିକ ବୈଷମ୍ୟ, ଅନୁନ୍ନତ ଅଂଚଳଗୁଡ଼ିକର ଦୁର୍ଦ୍ଦଶା, ଧନୀ ଦରିଦ୍ର ନିର୍ବିଶେଷରେ ମୌଳିକ ଅଧିକାରଗୁଡ଼ିକୁ ଉପଭୋଗ କରିବା କ୍ଷେତ୍ରରେ ପକ୍ଷପାତିତା ।

 

॥ ୩ ॥

 

ଅଭିଜ୍ଞତାରୁ ଶିକ୍ଷାଲାଭ :–ବିବେକୀ ମନୁଷ୍ୟ ଇତିହାସରୁ ଶିକ୍ଷାଲାଭ କରେ । ଆମେ ଯଦି ନିଜ ତିକ୍ତ ଅଭିଜ୍ଞତାରୁ ଶିକ୍ଷାଲାଭ ନ କରୁ ତାହାହେଲେ ତ୍ରୁଟିଗୁଡ଼ିକର ପୁନରାବୃତ୍ତି ଘଟିବା ଯୋଗୁଁ ଜନସାଧାରଣଙ୍କ ଦୁର୍ଦ୍ଦଶା କ୍ରମଶଃ ତୀବ୍ର ଆକାର ଧାରଣ କରିବ । ବ୍ରିଟିଶ ସରକାର ଯେପରି ଏ ଦେଶର ଜନସାଧାରଣଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ବୀତସ୍ପୃହ ମନୋଭାବ ପୋଷଣ କରିଥିଲେ ସ୍ୱାଧୀନ ଭାରତର ସ୍ୱଦେଶ ନେତୃବର୍ଗ ତଦନୁରୂପ ଚିନ୍ତାଧାରାର ବଶବର୍ତ୍ତୀ ହେବା କିଛି ଅସ୍ୱାଭାବିକ ନୁହେଁ । ମାତ୍ର ଆମ ଦେଶର ଅର୍ଥନୈତିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମେ ଯଦି ଆନ୍ତରିକ ଭାବରେ ଚେଷ୍ଟା କରିବାକୁ ସଂକଳ୍ପ-ବଦ୍ଧ ହେଉ ତାହାହେଲେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱର ସ୍ୱରୂପ ସଂପୂର୍ଣ୍ଣଭାବରେ ଦେବା ହିଁ ଯୁକ୍ତିଯୁକ୍ତ ଓ ବିଧ୍ୱସଂଗତ ବୋଧ ହେଉଛି ।

 

ଏକାଧାରରେ ବିଶେଷଜ୍ଞ ରୂପେ ବିଭିନ୍ନ ବିଦ୍ୟାରେ ଆଗାଧ ପାଣ୍ଡିତ୍ୟ ଅର୍ଜନ କରିଥିବା ତଥା ସାମାଜିକ ସଚେତନା ଓ ସ୍ୱଦେଶାନୁରାଗ ବିନିମୟରେ ଜାତୀୟ ଉନ୍ନୟନମୂଳକ ବ୍ୟାପାରଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ଅଭିନବ ତଥା ସାହସିକ ପଦକ୍ଷେପ ଗ୍ରହଣ କରିପାରୁଥିବା ବୁଦ୍ଧିଜୀବୀମାନଙ୍କୁ ବିଭିନ୍ନ ଉନ୍ନୟନମୂଳକ ବ୍ୟାପାରଗୁଡ଼ିକ ସହିତ ପ୍ରତକ୍ଷ୍ୟ ଭାବରେ ଜଡ଼ିତ କରାଯିବା ବାଞ୍ଛନୀୟ ବୋଧ ହେଉଛି । ସୁସ୍ଥ ସମାଲୋଚନାବଳରେ ଅନୁଷ୍ଠାନିକ ଉଦ୍ୟମଗୁଡ଼ିକର ତ୍ରୁଟି ଦର୍ଶାଇ ଦେବା ଭଳି ନିର୍ଭୀକ, ସଚ୍ଚୋଟ ଓ ଉଦାର ମନୋଭାବାପନ୍ନ ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ନିଷ୍ଠାପର ଉଦ୍ୟମ ବଳରେ ହିଁ ଯୋଜନାଗୁଡ଼ିକୁ ଠିକଣା ପଥରେ ଚଳାଇ ନେବାକୁ ନିଶ୍ଚିତ ଅବକାଶ ରହିଛି ପ୍ରତ୍ୟୁତ୍ପନ୍ନମତି ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ପରିଚାଳକ, ଉଦ୍ଭାବକ ଓ କାରିଗରମାନଙ୍କ ଉଦ୍ଭାବନ ପ୍ରବଣତା ଜନହିତକାରୀ ଅଭିନବ ପନ୍ଥା ଓ ଯନ୍ତ୍ରକୌଶଳଗୁଡ଼ିକର ଉଦ୍ଭାବନ ଓ କାର୍ଯ୍ୟକାରିତା ଦିଗରେ ସେମାନଙ୍କ ପାରଙ୍ଗମତା, ଚାହିଦା ପୁରଣକାରୀ ଦ୍ରବ୍ୟଗୁଡ଼ିକୁ ଉତ୍ପାଦନ କରିବା କ୍ଷେତ୍ରରେ ସ୍ୱତଃପ୍ରବୃତ୍ତ ଉତ୍ସାହ ପ୍ରଭୃତି ସୁଗୁଣଗୁଡ଼ିକ ବିନିମୟରେ କର୍ମତତ୍ପର ହୋଇ ପାରିଲେ ଏବଂ ପ୍ରଶାସନିକ ବ୍ୟବସ୍ଥା ସେମାନଙ୍କୁ ସ୍ୱୀୟ ପ୍ରତିଭାର ଚରମ ବିକାଶ ଘଟାଇବା ପାଇଁ ଉପଯୁକ୍ତ ପରିବେଶ ଓ କର୍ମପ୍ରେରଣା ଯୋଗାଇପାରିଲେ ଜାତୀୟ ପ୍ରଗତିର ମାର୍ଗ ଜନକଲ୍ୟାଣମୁଖୀ ହୋଇ ପାରିବ । ଏ ଦେଶର ଭାବୁକ, ସାହିତ୍ୟିକ, କଳାକାର ଓ ସଂସ୍କୃତପ୍ରେମୀ ବୁଦ୍ଧିଜୀବୀମାନେ ସ୍ୱୀୟ ସୃଜନଶୀଳ ପ୍ରତିଭା ବିନିମୟରେ ଦୁରାଚାର, ଦୁର୍ନୀତି ଓ ଶୋଷଣପ୍ରବଣ ମନୋବୃତ୍ତିର ଅପସାରଣ ଘଟାଇବା ଦିଗରେ ଏକନିଷ୍ଠ ଉଦ୍ୟମ ଚଳାଇବା ବାଞ୍ଛନୀୟ ବୋଧ ହେଉଛି । ଗତାନୁଗତିକ ଶିକ୍ଷା-ପଦ୍ଧତି ଓ ପାଠ୍ୟକ୍ରମରେ ପରିବର୍ତ୍ତନଘଟାଇ ତାହାକୁ ପ୍ରାଣବନ୍ତ କରାଯିବାଦ୍ୱାରା ହିଁ ଆମ ଦେଶର ବିଦ୍ୟାର୍ଥୀମାନଙ୍କ ମାନସପଟରେ ସାମାଜିକ ଓ ପରିବେଶୀୟ ସଚେତନତା, ମାନବିକତାବୋଧ, ସ୍ୱଦେଶାନୁରାଗ ଜାଗ୍ରତ ହୋଇ ପାରିବ । ଉପଯୁକ୍ତ ଶିକ୍ଷା-ପଦ୍ଧତିର ପ୍ରଚଳନ ବଳରେ ସେମାନେ ସାମାଜିକ ପରିବେଶ ସହ ସଂଗତି ରକ୍ଷା କରୁଥିବା ଶିକ୍ଷାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଜାତୀୟ ଉନ୍ନୟନମୂଳକ ବ୍ୟାପାରଗୁଡ଼ିକ ସହିତ ଜଡ଼ିତ ହୋଇ ନିଜ ନିଜର ଜୀବିକା ନିର୍ବାହ ପାରିବେ । ଦେଶର ସର୍ବାଙ୍ଗୀନ ପ୍ରଗତି ସାଧନ କଳ୍ପେ ବିଜ୍ଞାନ ଓ ତଦାଶ୍ରୟୀ ଟେକ୍‌ନୋଲଜି ଉପରେ ଗଭୀର ଆସ୍ଥା ସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଅତୀତର ଅଭିଜ୍ଞତାରୁ ଶିକ୍ଷା ଲାଭ କରି ଗୋଟିଏ ନୂଆ ‘ଟେକ୍‌ନୋଲଜି ପଲିସି’କୁ ଷଷ୍ଠ ଯୋଜନାକାଳଠାରୁ ଜାତୀୟ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତି-। ତାଙ୍କ ମତାନୁଯାୟୀ ଏତଦ୍ୱାରା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯଥାର୍ଥ ଜନମଙ୍ଗଳକାମୀ ଉପଯୋଗ ହୋଇ ପାରିବ । ପରବର୍ତ୍ତୀ ପ୍ରବନ୍ଧରେ ଏ ବିଷୟକ ସବିଶେଷ ସୂଚନା ପ୍ରଦତ୍ତ ହୋଇଛି-

 

॥ ୪ ॥

 

ଉପଭୋଗୀ ଶ୍ରେଣୀର ବ୍ୟର୍ଥ ପ୍ରୟାସ :–ଗୋଟିଏ ରାଷ୍ଟ୍ର ରାତିଅଧିଆ ବଡ଼ଲୋକ ସାଜିବା ପାଇଁ ଅନ୍ୟ ଦେଶରେ ପ୍ରଚଳିତ ଢାଞ୍ଚାର ଅନ୍ଧାନୁସରଣ କରିବା ପରିବର୍ତ୍ତେ ଯଦି ନିଜଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ନିଷ୍ଠାପର ଉଦ୍ୟମ ଚଳାଇବାକୁ ଚାହେଁ, ତାହାହେଲେ ସେହି ରାଷ୍ଟ୍ରର ଜନସାଧାରଣଙ୍କୁ‌ ଜାତୀୟ ଉନ୍ନୟନମୂଳକ ଯୋଜନାଗୁଡ଼ିକ ସହିତ ଜଡ଼ିତ କରାଇବାକୁ ହେବ । ଅର୍ଥନୈତିକ ଚେତନାକୁ ଜନମାନସରେ ବଳବତ୍ତର କରାଇବା ଉଦ୍ଦେଶ୍ୟରେ ବୃକ୍ଷରୋପଣ, କୁଟୀର ଶିଳ୍ପ ଓ କ୍ଷୁଦ୍ରଶିଳ୍ପର ବିକାଶ, ପୌଢ଼ ଶିକ୍ଷା ପ୍ରଭୃତି କାର୍ଯ୍ୟକ୍ରମଗୁଡ଼ିକ ସହିତ ଜନସାଧାରଣଙ୍କୁ ଘନିଷ୍ଠ ଭାବରେ ଜଡ଼ିତ କରାଇବାକୁ ହେବ । ଅର୍ଥନୈତିକ ଚେତନାର ଉତ୍ତରଣ ସହସା ସମାହିତ ହେବାର ଅବକାଶ ନାହିଁ । ସୁଚିନ୍ତିତ ସରଳ ପରିକଳ୍ପନାଗୁଡ଼ିକ କାର୍ଯ୍ୟକାରୀ କରାଇବା ଦ୍ୱାରା ଏବଂ ଜନସାଧାରଣ ସେଗୁଡ଼ିକର କାର୍ଯ୍ୟକାରିତା ଫଳରେ ଉପକୃତ ହେବା ଦ୍ୱାରା ହିଁ ସେମାନଙ୍କ ରୁଚି ଓ ଚଳଣି ପରିମାର୍ଜିତ ହୋଇପାରିବ । ପରିବାର ନିୟନ୍ତ୍ରଣର ଜରୁରୀକାଳୀନ ଆବଶ୍ୟକତା ଓ ଏହାର ପ୍ରତିକାର ପାଇଁ ଉଦ୍ଧିଷ୍ଟ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଜନମାନସରେ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଣଆନ୍ଦୋଳନ ସୂତ୍ରପାତ ଘଟାଇବାକୁ ହେବ । ସଂକୀର୍ଣ୍ଣ ଜାତିଆଣ ଭେଦଭାବ, ସାଂପ୍ରଦାୟିକତା ଓ କୁସଂସ୍କାରଶ୍ରୟୀ ଲୋକ ଚାରଗୁଡ଼ିକର ମୂଳୋତ୍ପାଟନ ପାଇଁ ବଳିଷ୍ଠ ନେତୃତ୍ୱ ବଳରେ ଆନ୍ଦୋଳନ ଚଳାଇବାକୁ ହେବ । ଜାତୀୟ ଅଖଣ୍ଡତାର ସୁରକ୍ଷା ପାଇଁ ପାଣ୍ଡିତ୍ୟ ଓ ଅଭିଜ୍ଞତା ପର୍ଯ୍ୟବେଶିତ ନିଷ୍ଠାପର ତଥା ନିଃସ୍ୱାର୍ଥପର ଉଦ୍ୟମ ଚଳାଇବା ଦିଗରେ ଶିକ୍ଷିତ ନାଗରିକମାନଙ୍କୁ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ହେବ । ପ୍ରତ୍ୟେକ, ବିଶ୍ୱବିଦ୍ୟାଳୟ ଦେଶର ପ୍ରାଣ କେନ୍ଦ୍ରରୂପେ ବୌଦ୍ଧିକ ପରିବେଶକୁ ଜ୍ଞାନଲିପ୍‌ସାର ପରିବର୍ଦ୍ଧନ ଦିଗରେ ଉପଯୁକ୍ତ ମାର୍ଗରେ କ୍ରିୟାଶୀଳ କରାଇବେ—ଏଥିପାଇଁ ଶିକ୍ଷକ ଶିକ୍ଷାବିତ୍‌ ଓ ଶିକ୍ଷାବିଭାଗୀୟ ପ୍ରଶାସକମାନଙ୍କୁ ସାହସିକ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଯେ କୌଣସି କର୍ମପନ୍ଥାର ଦେଶୋପଯୋଗୀ ନବୀକରଣ ଦିଗରେ ଉତ୍ସାହ ପ୍ରଦାନକାରୀ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ ।

 

ସ୍ୱଦେଶାନୁରାଗ ଓ ଆତ୍ମାଭିମାନ ପରିବର୍ତ୍ତେ କୌଣସି ଜାତି ବା ରାଷ୍ଟ୍ର ମୁଣ୍ଡ ଟେକିବାର ଅବକାଶ ନାହିଁ । ବିନମ୍ରତା, ଚରିତ୍ରବତ୍ତା ଓ ମାନବିକତାବୋଧ ବଳରେ ଯେ କୌଣସି ବିରାଟ ଆହ୍ୱାନର ଧୈର୍ଯ୍ୟ ସହକାରେ ମୁକାବିଲା କରିବା ପାଇଁ ମାନସିକ ପ୍ରସ୍ତୁତି ନ ଥିଲେ ଗୋଟିଏ ରାଷ୍ଟ୍ର କ୍ରାନ୍ତିକାରୀ ପରିସ୍ଥିତିରେ ବିଭ୍ରାନ୍ତ ହୋଇଯିବାର ନିଶ୍ଚିତ ଅବକାଶ ରହିଛି । ତେଣୁ ସ୍ଥୂଳତଃ ଉପଲବ୍‌ଧି ହେଉଛି ଯେ ଗତାନୁଗତିକ କର୍ମପନ୍ଥାର ସ୍ଥିତାବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦିଆ ନ ଗଲେ ଦାରିଦ୍ର୍ୟର ଅପସାରଣ ଘଟିବ ନାହିଁ । ସ୍ଥିତାବସ୍ଥାକୁ ବଜାୟ ରଖାଯିବା ଦ୍ୱାରା ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ନିର୍ମାଣରୂପୀ ଆଶାର ସୌଧ ଧୂଳିସାତ୍‌ ହୋଇଯିବା ହିଁ ସାର ହେବ-। ଜାତୀୟ ଲକ୍ଷ୍ୟଗୁଡ଼ିକର ପୁନଃନିର୍ଦ୍ଧାରଣ ଓ ଅଗ୍ରାଧିକାର ଭିତ୍ତିରେ ସୁଚିନ୍ତିତ ଯୋଜନାଗୁଡ଼ିକର ବାସ୍ତବ ରୂପାୟନ ପାଇଁ ଆମେ ଜ୍ଞାନ ଓ ଅଭିଜ୍ଞତା ବିନିମୟରେ ନିଷ୍ଠାପର ଉଦ୍ୟମ ଚଳାଇବାକୁ ଅସମର୍ଥ ହେଲେ ଆମ ଦାୟାଦମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ-

 

ସୁଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ବ୍ୟାପୀ ଯୋଜନାବଦ୍ଧ ବିପୁଳ ଆୟୋଜନ ସତ୍ତ୍ୱେ ଆମ ଦେଶରେ ବହୁ ସଂଖ୍ୟକ ନାଗରିକ ଦାରିଦ୍ର୍ୟର ସୀମାରେଖା ତଳେ ହତାଶମୟ ଜୀବନ ବିତାଉଛନ୍ତି-। ଉନ୍ନୟନମୂଳକ ଯୋଜନାଗୁଡ଼ିକର ସୁଫଳ ଉପଭୋଗ କରିବାରୁ ସେମାନେ ପ୍ରାୟତଃ ବଂଚିତ ହେଉଛନ୍ତି । ଦେଶର ଅତି ଅଳ୍ପ ସଂଖ୍ୟକ ଉପଭୋଗୀ ଶ୍ରେଣୀଭୁକ୍ତ ନାଗରିକ ଯୋଜନାବଦ୍ଧ ଉଦ୍ୟମର ସୁଫଳ ଉପଭୋଗ କରିବା ସଙ୍ଗେ ସଙ୍ଗେ ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ନିଜ ନିଜର ପ୍ରତିପତ୍ତି ବିସ୍ତାର କରୁଛନ୍ତି । ତେଲିଆ ମୁଣ୍ଡରେ ତେଲ ଢଳା ଯାଉଥିବାରୁ ଧନୀ ଓ ଦରିଦ୍ର ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ବ୍ୟାପକ ତାରତମ୍ୟ ପରିଲକ୍ଷିତ ହେଉଛି । ସାମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରତିଷ୍ଠାବଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତିଭାର ପରିପୂର୍ଣ୍ଣ ବିକାଶ ଘଟାଇବା ଆମର ମହାନ୍‌ ଜାତୀୟ ଲକ୍ଷ୍ୟ ହୋଇଥିଲେ ହେଁ ଶୋଷଣ ପ୍ରବଣ ଉପଭୋଗୀ ଗୋଷ୍ଠୀ ସମସ୍ତ ସୁବିଧାଗୁଡ଼ିକର ଅଧିକାରୀ ହୋଇଛନ୍ତି । ଶେଷୋକ୍ତ ସୁବିଧାବାଦୀ ଶ୍ରେଣୀ ପାଶ୍ଚାତ୍ୟ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକର ଜନସାଧାରଣଙ୍କ ଜୀବନାଦର୍ଶର ଅନୁଗାମୀ ହେବା ସଙ୍ଗେ ସଙ୍ଗେ ସ୍ୱାର୍ଥସର୍ବସ୍ୱ ମନୋବୃତ୍ତି ବିନିମୟରେ ସର୍ବବିଧ କ୍ଷମତାକୁ ନିଜ ଗୋଷ୍ଠୀ ବା ଶ୍ରେଣୀ ମଧ୍ୟରେ କେନ୍ଦ୍ରୀଭୁତ କରାଇବାର ଅପଚେଷ୍ଟା ଚଳାଇଛନ୍ତି । ଯୋଜନାବଦ୍ଧ ଉଦ୍ୟମ ଯୋଗୁଁ ଶିକ୍ଷା, କୃଷି, ଶିଳ୍ପ, ଚିକିତ୍ସା, ଶକ୍ତି ଯୋଗାଣ ପ୍ରଭୃତି କ୍ଷେତ୍ରରେ ଯେଉଁ ଅଗ୍ରଗତି ସାଧିତ ହୋଇଛି ଏବଂ ଜାତୀୟ ଆୟରେ ଏଥିପାଇଁ ଯେଉଁ ଅଗ୍ରଗତି ଘଟୁଛି, ତଜ୍ଜନିତ ସାରା ଦେଶର ଜନସାଧାରଣଙ୍କ ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟିବା ପରିବର୍ତ୍ତେ ଏହି ସୁବିଧାବାଦୀ ଗୋଷ୍ଠୀ ମଧ୍ୟରେ ସୀମିତ ହେଉଛି । କୃଷି କ୍ଷେତ୍ରରେ ଜାତୀୟ ଉତ୍ପାଦନର ମାତ୍ରାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକ ଅନୁରୂପ ଖାଦ୍ୟର ସୁଷମ ବଣ୍ଟନ ଘଟୁନଥିବାରୁ ପ୍ରଚୁର ଖାଦ୍ୟ ମହଜୁଦ ଥିବା ସତ୍ତ୍ୱେ ଜନସାଧାରଣ ଅର୍ଦ୍ଧାହାର ଓ ଅନାହାରରେ ଜୀବନ ବିତାଉଛନ୍ତି । କୁଟୀର ଶିଳ୍ପ ଓ ଗ୍ରାମ୍ୟ ଶିଳ୍ପଗୁଡ଼ିକର ଅଧୋଗତି ଘଟିଛି । ଏହା ପରିବର୍ତ୍ତେ ଅଗ୍ରାଧିକାର ଭିତ୍ତିରେ ଯେଉଁ ପୁଞ୍ଜି ଗହନ ବୃହତ୍‌ ଶିଳ୍ପଗୁଡ଼ିକୁ ମେସିନ୍‌ ବଳରେ କ୍ରିୟାଶୀଳ କରାଯାଉଛି, ତଜ୍ଜନିତ ବେକାରୀ ସମସ୍ୟା ଲାଘବ ହେବା ପରିବର୍ତ୍ତେ ଆହୁରି ଉତ୍କଟ ହେଉଛି । ଆମ ଦେଶର ଜନସାଧାରଣଙ୍କ ସାଂପ୍ରତିକ ଅବସ୍ଥା, ସେମାନଙ୍କ ଜୀବନ ଧାରଣର ନ୍ୟୂନ୍ୟତମ ଚାହିଦା, ଜାତୀୟ ଆୟର ସୁଷମ ବିତରଣ ପ୍ରଭୃତି ଘଟଣାଗୁଡ଼ିକ ପ୍ରତି ପ୍ରାଧାନ୍ୟ ଆରୋପ କରାଯାଇ ନଥିବାରୁ ଏବଂ ଉପଭୋଗୀ ଶ୍ରେଣୀର କ୍ରମବର୍ଦ୍ଧମାନ କାମନା ପୂରଣ ଦିଗରେ ପୁଞ୍ଜି ବିନିଯୋଗ କରାଯାଇ ଥିବାରୁ ହିଁ ସାରା ଦେଶର ଏପରି ଅସ୍ୱାଭାବିକ ତଥା ଶୋଚନୀୟ ପରିସ୍ଥିତିର ସୂତ୍ରପାତ ଘଟିଛି । କେବଳ ଜାତୀୟ ଆୟର କ୍ରମବୃଦ୍ଧି ବଳରେ ଦାରିଦ୍ର୍ୟର ଅପସାରଣ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା ପାଇଁ ଉତ୍ପାଦନରେ ଅଭିବୃଦ୍ଧି ଘଟାଯିବା ପ୍ରତି ଏକ ଦିଗଦର୍ଶୀ ଯୋଜନା ପ୍ରଣୟନକାରୀମାନେ ପ୍ରଧାନ୍ୟ ଆରୋପ କରିଥିବା ଯୋଗୁଁ ଏବଂ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବା ଜାତୀୟ ଆୟର ବିତରଣ ଦିଗରେ କୌଣସି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁଁ ସାରା ଦେଶରେ ଏପରି ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସୁବୃହତ୍‌ ଅବସ୍ଥାପନା ଥାଇ ମଧ୍ୟ ଆଜି ଆମ ଦେଶର ଅର୍ଥନୈତିକ ଅବସ୍ଥା ଏପରି ବୀଭତ୍ସ ରୂପ ଧାରଣ କରିଛି । ଅମଲାତନ୍ତ୍ରକୁ ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ନିୟୋଜିତ କରିବା ଭଳି ରାଜନୈତିକ ପରିବେଶର ସର୍ଜନା ସଂଭବ ହୋଇନାହିଁ । ସେମାନେ ଉପଭୋଗୀ ଗୋଷ୍ଠୀ ସହିତ ସାମିଲ ହୋଇ ଜନସାଧାରଣଙ୍କୁ ଶୋଷଣ କରିବାର ଅସୁସ୍ଥ ପରମ୍ପରା ଅଦ୍ୟାବଧି ବଜାୟ ରହିଛି । ରାଜନୈତିକ ନେତୃବର୍ଗ ଓ ଅମଲାତନ୍ତ୍ର ଏକା ନାବରେ ବସି ମଙ୍ଗୁଆଳ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାରୁ ଜାତୀୟ ନୌକା ଟଳମଳ ତଥା ଆତଙ୍କପ୍ରଦ ପରିସ୍ଥିତିର ସମ୍ମୁଖୀନ ହୋଇଛି । ସ୍ଥୂଳତଃ ସ୍ୱାର୍ଥସର୍ବସ୍ୱ ରାଜନୈତିକ ନେତୃବର୍ଗ ଓ ଅଜ୍ଞାବହ ଅମଲାତନ୍ତ୍ରର ଚରମ ଅପାରଗତା ଓ ଶୋଷଣପ୍ରବଣତା ଯୋଗୁଁ ହିଁ ଆମ ଦେଶର ଅଧିକାଂଶ ନାଗରିକ ଯୋଜନାବଦ୍ଧ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକର ସୁଫଳ ଉପଭୋଗ କରିବାରୁ ବଂଚିତ ହୋଇଛନ୍ତି । କଥାରେ ଅଛି ଯେ, ଯେଉଁ ବ୍ୟକ୍ତି ସୁଦୂର ଅତୀତ ପ୍ରତି ଯେତେ ଅଧିକ ପଶ୍ଚାତ୍‌ ଦୃଷ୍ଟି ନିକ୍ଷେପ କରି ପାରନ୍ତି, ତଦନୁପାତରେ ସେ ଭବିଷ୍ୟତ ପ୍ରତି ସେତେ ଦକ୍ଷଭାବରେ ଦୂରଦୃଷ୍ଟି ନିକ୍ଷେପ କରିବାକୁ ସମର୍ଥ ହୁଅନ୍ତି । ତେଣୁ ଅତୀତର ଅଭିଜ୍ଞତାକୁ ଆମେ ଯେତେ ଅଧିକ ଅର୍ଥସୂଚକମାର୍ଗରେ ଅନୁଶୀଳନ କରି ପାରିବା ଏବଂ ଏପରି ଅନୁଶୀଳନାଶ୍ରୟୀ ଜ୍ଞାନବଳରେ ଆମ ତ୍ରୁଟିଗୁଡ଼ିକୁ ଆମେ ଯେତେ ଭଲ ଭାବରେ ଚିହ୍ନି ପାରିବା, ଭବିଷ୍ୟତର ମୁକାବିଲା କରିବା ପାଇଁ ଆମେ ନିଜ ନିଜକୁ ସେତେ ଦକ୍ଷତାର ସହ ପ୍ରସ୍ତୁତ କରି ପାରିବା ।

 

ଆମ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ, ବିଭିନ୍ନ ରାଜ୍ୟ ମଧ୍ୟରେ, ଗୋଟିଏ ରାଜ୍ୟର ବିଭିନ୍ନ ଜିଲ୍ଲା ମଧ୍ୟରେ, ଉପଭୋଗୀ ଶ୍ରେଣୀ ଓ ଅବହେଳିତ ଶ୍ରେଣୀ ମଧ୍ୟରେ ଯେଉଁ ବ୍ୟାପକ ଅର୍ଥନୈତିକ ବ୍ୟବଧାନ ସୃଷ୍ଟି ହୋଇଛି, ତାହାର ସ୍ଥିତାବସ୍ଥାକୁ ବଜାୟ ରଖିବା ପାଇଁ ଆଗଭର ହେବା କଦାପି ବିଜ୍ଞତାର ପରିଚାୟକ ହେବନାହିଁ । ଏତଦ୍ୱାରା ଏ ଦେଶରୁ ଗଣତାନ୍ତ୍ରିକ ଶାସନର ବିଲୟ ଘଟିବାର ପଥ ସୁଗମ୍ୟ ହୋଇଯିବ ।

 

ଯୋଜନାବଦ୍ଧ ଉଦ୍ୟମରେ ଗୁରୁତର ତ୍ରୁଟି ଥିବା ଯୋଗୁଁ ଉଲ୍ଲିଖିତ ଶୋଚନୀୟ ପରିସ୍ଥିତି ସୃଷ୍ଟି ହେବା ସତ୍ତ୍ୱେ ଆମ ଦେଶର ନ ଥିଲାବାଲା ଶ୍ରେଣୀର ନାଗରିକମାନେ ଇତ୍ୟବସରରେ ସେମାନଙ୍କ ନ୍ୟାଯ୍ୟ ଅଧିକାର ସମ୍ପର୍କରେ ସଚେତନ ହେଲେଣି । ସେମାନେ ନିଜ ନିଜର ଅଧିକାର ସାବ୍ୟସ୍ତ କରାଇବା ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ସଙ୍ଗେ ସଙ୍ଗେ ଭୋଟ ବଳରେ ଦୂରାଚାରୀମାନଙ୍କୁ ରାଜନୈତିକ କ୍ଷମତାରୁ ହଟାଇ ଦେବାକୁ ସମର୍ଥ ହେଲେଣି । ଏପରି ଜନଜାଗରଣ ଦେଶ ପକ୍ଷରେ ଏକ ଶୁଭ ସଙ୍କେତ । ମାତ୍ର ଗଭୀର କ୍ଷୋଭ ଓ ପରିତାପର ବିଷୟ ହେଉଛି ଯେ ସୁବିଧାବାଦୀ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେମାନଙ୍କ ପୂର୍ବବତ୍‌ ଶୋଷଣ କରିବାର ଖଳ ଚକ୍ରାନ୍ତକୁ ଅବ୍ୟାହତ ରଖିଛନ୍ତି । ହରିଜନ ଓ ଅବହେଳିତ ଶ୍ରେଣୀର ଜନତା ଉପରେ ଉପଭୋଗୀ ଗୋଷ୍ଠୀର ଅତ୍ୟାଚାର, ଭୁସଂସ୍କାର ଦିଗରେ ଚରମ ଉଦାସୀନତା, ଟିକସଫାଙ୍କି ପ୍ରଭୃତି ଦୁଃସମ୍ବାଦଗୁଡ଼ିକ ନିତିଦିନିଆଁ ଖବରରେ ପରିଣତ ହୋଇଗଲାଣି । ମାତ୍ର ଏହା ଧୃବ ସତ୍ୟ ଯେ ମଳିମୁଣ୍ଡିଆ ଜନସାଧାରଣଙ୍କ ପ୍ରତିରୋଧ ସମ୍ମୁଖରେ ସ୍ଥିତାବସ୍ଥାକୁ ଆଉ ବେଶିକାଳ ପାଇଁ ବଜାୟ ରଖିବା କଦାପି ସମ୍ଭବ ହେବ ନାହିଁ ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ସର୍ବବିଧ ଖଳଉଦ୍ୟମ ନିଶ୍ଚିତ ଭାବରେ ବ୍ୟର୍ଥ ହୋଇଯିବ ।

 

ଏଣୁ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ପାଇଁ ଧୈର୍ଯ୍ୟହରା ନ ହୋଇ ମନ୍ଥର ଭାବରେ ସ୍ଥିତାବସ୍ଥାର ରୂପାନ୍ତର ଘଟାଇବାକୁ ହେବ । ଅର୍ଥନୈତିକ ପ୍ରଗତିର ସୁଫଳ ଯେପରି ଜନସାଧାରଣ ସର୍ବତ୍ର ସମାନଭାବରେ ଉପଭୋଗ କରିପାରିବେ, ସେଥିପ୍ରତି ଅଗ୍ରାଧିକାର ଆରୋପ କରିବାକୁ ହେବ । ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଓ ପ୍ରଶାସନିକ ବ୍ୟବସ୍ଥାରେ ତୁମୂଳ ପରିବର୍ତ୍ତନ ଘଟାଇବାକୁ ହେବ-। କ୍ଷମତାର ବିକେନ୍ଦ୍ରୀକରଣ ବଳରେ ଜନସାଧାରଣଙ୍କୁ ଉନ୍ନୟନକାମୀ ଯୋଜନାଗୁଡ଼ିକ ସହିତ ପ୍ରତ୍ୟକ୍ଷଭାବରେ ଜଡ଼ିତ କରାଇବାକୁ ହେବ ।

 

॥ ୫ ॥

 

ଯୁବ ସମାଜର କର୍ତ୍ତବ୍ୟ :–ବିଜ୍ଞାନ ଓ ସମାଜ ସମ୍ବନ୍ଧରେ ସମ୍ୟକ୍‌ ଜ୍ଞାନ ଅର୍ଜନ କରିଥିବା ତଥା ନିଜ ଦେଶର ସାମାଜିକ ଚଳଣି ଓ ବିଭବ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ଓ ଅନୁଭୂତି ଅର୍ଜନ କରିଥିବା ଯୁବ ସମାଜକୁ ଏହି ଗୁରୁ ଦାୟିତ୍ୱ ସମ୍ପାଦନ କରିବାକୁ ହେବ । ଯୁବକ ଯୁବତୀମାନେ ଉପଯୁକ୍ତ ଶିକ୍ଷା ଓ ତାଲିମ୍‌ ବଳରେ ନିଜ ନିଜ ବ୍ୟକ୍ତିତ୍ୱର ପୂର୍ଣ୍ଣାଙ୍ଗ ବିକାଶ ଘଟାଇବାକୁ ଯତ୍ନଶୀଳ ହେବା ଦ୍ୱାରା ହିଁ ଏପରି ଗୁରୁ ଦାୟିତ୍ୱ ଯଥାବିଧି ସମ୍ପାଦନ କରିବାକୁ ସମର୍ଥ ହେବେ । ସ୍ୱାଧୀନୋତ୍ତର କାଳରେ ବିଭିନ୍ନ କ୍ଷେତ୍ରର ନେତୃତ୍ୱ ଗ୍ରହଣ କରିଥିବା ବୟସ୍କ ତଥା ନିଷ୍କ୍ରିୟ ନେତୃବର୍ଗଙ୍କ ପ୍ରତି ଦୋଷାରୋପ କରିବା ଦ୍ୱାରା ଦେଶର କୌଣସି ହିତ ସାଧିତ ହେବାର ଅବକାଶ ନାହିଁ । ସ୍ୱଦେଶପ୍ରେମୀ ଯୁବ ସମାଜ ଚରିତ୍ରବତ୍ତା ଓ ମାନବିକତା ବୋଧ ବିନିମୟରେ ନିଜ ନିଜ ଅର୍ଜିତ ଜ୍ଞାନ ଓ ଅଭିଜ୍ଞତା ବଳରେ ବିଭିନ୍ନ ଗୁରୁ ଦାୟିତ୍ୱ ସମ୍ପାଦନ କରିବା ପାଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ଚଳାଇବା ଦ୍ୱାରା ହିଁ ଦେଶ ଦୁର୍ଗତି କବଳରୁ ମୁକ୍ତ ହେବ । ଦେଶ ବିଦେଶରେ ଉଦ୍ଭାବିତ ବା ଆବିଷ୍କୃତ ଜ୍ଞାନ ସମ୍ବନ୍ଧରେ ଅଧ୍ୟୟନ ଓ ଅନୁଶୀଳନ ଚଳାଇ ସେମାନେ ମୌଳିକ ଚିନ୍ତା ଓ ଉଦ୍ଭାବନ ପ୍ରବଣତା ବଳରେ ସମୟୋପଯୋଗୀ ତଥା ଦେଶୋପଯୋଗୀ ଅଭିନବ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରିବା ଦ୍ୱାରା ହିଁ ଆମ ଦେଶର ଯଥାର୍ଥ ସୁସଂଯତ ବିକାଶ ଘଟିବ । ଯେଉଁମାନେ ସମ୍ପ୍ରତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଦ୍ୟାର୍ଥୀ ଜୀବନ ବିତାଉଛନ୍ତି, ଆଉ ମାତ୍ର ଅଳ୍ପ କିଛି ବର୍ଷପରେ ସେମାନଙ୍କୁ ଜାତି ଗଠନ ବ୍ୟାପାରରେ ଗୁରୁ ଦାୟିତ୍ୱ ତୁଲାଇବାକୁ ହେବ । ସେମାନେ ସ୍ୱାଧୀନ ଦେଶର ସନ୍ତାନ । ଆତ୍ମାଭିମାନ, ଆତ୍ମନିରୀକ୍ଷଣ ଓ ଆତ୍ମପ୍ରତ୍ୟୟ ସହକାରେ ସେମାନେ ଯଦି ଜନକଲ୍ୟାଣକାମୀ ଦାୟିତ୍ୱଗୁଡ଼ିକୁ ନିଷ୍ଠାପର ଭାବରେ ସମ୍ପାଦନ କରିବାକୁ ସମର୍ଥ ହୁଅନ୍ତି, ତାହାହେଲେ ସେମାନଙ୍କ ମଧ୍ୟରୁ ଆମ ଦେଶର ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବା ପାଇଁ ଉପଯୁକ୍ତ ନାଗରିକମାନଙ୍କ ଅଭାବ ଅନୁଭୂତ ହେବନାହିଁ । ଯୁବ ସମାଜ ଆଜହୁଁ ବ୍ୟାପକ ଅଧ୍ୟୟନ, ଅନୁଶୀଳନ ଓ ପ୍ରତ୍ୟକ୍ଷ ଅଭିଜ୍ଞତା ବଳରେ ନିଜ ନିଜ ବ୍ୟକ୍ତିତ୍ୱ ଓ ପ୍ରତିଭାର ପୂର୍ଣ୍ଣାଙ୍ଗ ବିକାଶ ଘଟାଇ ପାରିଲେ ହିଁ ଭବିଷ୍ୟତର ଠିକଣା ମୁକାବିଲା କରିବାକୁ ସମର୍ଥ ହେବେ । ଏହା ଏକ ବିରାଟ ଆହ୍ୱାନ । ଏଥିପାଇଁ ପ୍ରଗାଢ଼ ଅଧ୍ୟବସାୟ, ଚରିତ୍ରବତ୍ତା ଓ ଧୈର୍ଯ୍ୟ ଲୋଡ଼ା । ଯୁବ ସମାଜ ଦେଶମାତୃକାର ଏହି ବିରାଟ ଆହ୍ୱାନର ମୁକାବିଲା କରିବା ପାଇଁ ବିଦ୍ୟାର୍ଥୀ ଜୀବନରେ ନିଜ ନିଜକୁ ପ୍ରସ୍ତୁତ କରିବା ହିଁ ଏକମାତ୍ର ପ୍ରକୃଷ୍ଟ ପନ୍ଥା ।

Image

 

ମନୁଷ୍ୟର ଅନନ୍ୟ ରୂପ

 

ମନୁଷ୍ୟର ଶରୀର ଗୋଟିଏ ଯନ୍ତ୍ର ଭଳି କାର୍ଯ୍ୟ କରୁଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସଂଖ୍ୟକ ସୁତ୍ର ବା ନିୟମ ଜରିଆରେ ମନୁଷ୍ୟକୁ ନିର୍ଦ୍ଧାରିତ ମାର୍ଗରେ କ୍ରିୟାଶୀଳ କରାଯିବାର ଅବକାଶ ନାହିଁ । କାରଣ, ପ୍ରତ୍ୟେକ ମନୁଷ୍ୟ ଏକ ସ୍ୱତନ୍ତ୍ର ପ୍ରକାର ଚରିତ୍ରର ଅଧିକାରୀ ହୋଇଛି । ସେ ଯେତେ ଯେତେ ନୂଆ ଅଭିଜ୍ଞତା ଅର୍ଜନ କରି ପାରୁଛି, ତାହାର ନିଜସ୍ୱ ସତ୍ତା ବା ଆତ୍ମା (Self) ସେତେ ସଂପ୍ରସାରିତ ହେଉଛି । ଅଭିଜ୍ଞତାଗୁଡ଼ିକୁ ସେ ଜ୍ଞାନରେ ପରିଣତ କରୁଛି । ମନୁଷ୍ୟର ନିଜସ୍ୱ ‘ସେଲ୍‍ଫ’ ବା ଆତ୍ମା ତାହାର ମସ୍ତିଷ୍କ ଅଭ୍ୟନ୍ତରରେ ଅବସ୍ଥାପିତ ହୋଇଛି ବୋଲି ବିଚାରିବା ଠିକ୍‌ ନୁହେଁ । ‘ସେଲ୍‍ଫ’ର ସଂପ୍ରସାରଣ ଏକ ଅନ୍ତହୀନ ପ୍ରକ୍ରିୟା । ଏହି ପ୍ରକ୍ରିୟାର ନିରବଚ୍ଛିନ୍ନ ସଂଘଟନ ଯୋଗୁଁ ହିଁ ମନୁଷ୍ୟର କର୍ମସୂଚୀ ମେସିନତୁଲ୍ୟ ପ୍ରାକ୍‌ସୂଚିତ ମାର୍ଗରେ ତଥା ନିୟମାନୁବର୍ତ୍ତୀ ଭାବରେ ପରିଚାଳିତ ହୁଏ ନାହିଁ ।

 

କେବଳ ମନୁଷ୍ୟର ଅଭିଜ୍ଞତା ସମ୍ପର୍କୀୟ ଜ୍ଞାନ ଅର୍ଜନ କରିବା ଦ୍ୱାରା ହିଁ ‘ସେଲ୍‍ଫ’ ବା ‘ଆତ୍ମା’ର ସଂଜ୍ଞା ନିର୍ଦ୍ଧାରଣ କରାଯାଇ ପାରେ । ଇତର ପ୍ରାଣୀମାନଙ୍କ ତୁଳନାରେ ମନୁଷ୍ୟଠାରେ ଅଧିକ ଅଭିଜ୍ଞତା ଅର୍ଜନ କରିବାର ସାମର୍ଥ୍ୟ ରହିଛି । କାରଣ, କେବଳ ମନୁଷ୍ୟ ରୂପୀ ପ୍ରାଣୀ ନିଜ ମାନସପଟରେ କୌଣସି ଦୃଶ୍ୟ ବା ଘଟଣାର ପ୍ରତିବିମ୍ବ ଅଙ୍କନ କରି ପାରୁଛି ଏବଂ ନିଜ କଳ୍ପନା ପ୍ରବଣତାର ସଦୁପଯୋଗ କରିବା ଯୋଗୁଁ ସେ ପୁରୋଦୃଷ୍ଟି ତଥା ପ୍ରାକ୍‌ସୂଚନା ବିନିମୟରେ ବାହ୍ୟ ଜଗତରେ ଘଟୁଥିବା ଘଟଣାଗୁଡ଼ିକ ସମ୍ପର୍କରେ ଅବଧାରିତ ହେଉଛି । ନିଜ ଇନ୍ଦ୍ରିୟାନୁଭୂତି ବଳରେ ବାହ୍ୟ ଜଗତରେ ସଂଘଟିତ ଘଟଣାଗୁଡ଼ିକ ସମ୍ପର୍କରେ ଅର୍ଜିତ ଅନୁଭୂତିକୁ ତଥା ନିଜ ଅନନ୍ୟ ସାଧାରଣ ମାନସିକ କ୍ରିୟାଶୀଳତା ବଳରେ ବାହ୍ୟ ଜଗତରେ ଘଟୁ ନ ଥିବା ତଥା ନିଜକୁ ପ୍ରଭାବିତ କରୁଥିବା ଘଟଣାଗୁଡ଼ିକ ସମ୍ପର୍କରେ ଅର୍ଜିତ ଅଭିଜ୍ଞତାକୁ ପ୍ରତ୍ୟେକ ମନୁଷ୍ୟ ଏକ ସ୍ୱତନ୍ତ୍ର ପ୍ରକାରେ ଜ୍ଞାନରେ ପରିଣତ କରୁଛି । ମନୁଷ୍ୟ ଦ୍ୱାରା ଅର୍ଜିତ ଜ୍ଞାନର ପ୍ରକୃତି ହିଁ ମନୁଷ୍ୟକୁ ଧରଣୀ ବକ୍ଷରେ ଏକ ଅନନ୍ୟ ସାଧାରଣ ଜୀବଭାବରେ ପ୍ରତିଷ୍ଠିତ କରାଇଛି ।

 

ମନୁଷ୍ୟ ନିଜ ଅଭିଜ୍ଞତା ବଳରେ ଯେଉଁ ଅଭିନବ ଚିନ୍ତାଧାରା ଗୁଡ଼ିକର, (Concepts) ଜାଗରଣ ଘଟାଉଛି, ତଜ୍ଜନିତ ସେ ପ୍ରକୃତିକୁ ସାମଗ୍ରିକ ଭାବରେ ଚିହ୍ନି ପାରିବାକୁ ସମର୍ଥ ହୋଇନାହିଁ । ପ୍ରକୃତିର ଭାଷା ବିନ୍ୟାସ, ବ୍ୟାକରଣ ଓ ଶବ୍ଦ ସମ୍ଭାର ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ପାଇଁ ସେ ନିଜ ବୌଦ୍ଧିକତା ଓ କର୍ମକୁଶଳତା ବିନିମୟରେ ଯେଉଁ ବ୍ୟାପାରଗୁଡ଼ିକରେ ଆତ୍ମନିୟୋଗ କରିଛି, ତନ୍ମଧ୍ୟରୁ ବିଜ୍ଞାନ ଅନ୍ୟତମ । ପ୍ରକୃତିର କ୍ରିୟାଶୀଳତାର ରହସ୍ୟ ଉଦ୍‌ଘାଟନ ପାଇଁ ସାହିତ୍ୟିକ, କଳାକାର ଓ ସଙ୍ଗୀତଜ୍ଞମାନେ ଯେଉଁ ପ୍ରକାର ମାନସିକ ଉଦବେଳନର ବଶବର୍ତ୍ତୀ ହୁଅନ୍ତି ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ବୈଜ୍ଞାନିକମାନେ ମଧ୍ୟ ତଦନୁରୂପ ମାର୍ଗତତ୍ପର ହୁଅନ୍ତି । ସମସ୍ତଙ୍କ କ୍ରିୟାଶୀଳତାର ଉତ୍ସ ଏକା; ମାତ୍ର ଅଭିବ୍ୟକ୍ତିର ରୂପ ଭିନ୍ନ ଭିନ୍ନ । ଯୁଗାନ୍ତକାରୀ ଉଭାବନଗୁଡ଼ିକର ସୃଷ୍ଟିକର୍ତ୍ତାମାନଙ୍କୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରିବା ଦ୍ୱାରା ଉପଲବ୍‌ଧ ହେଉଛି ଯେ, ଏମାନେ ପ୍ରତ୍ୟେକେ ମନୁଷ୍ୟର ଅଭିଜ୍ଞତାରୁ ଶିକ୍ଷାଲାଭ କରି ତଥା ନିଜସ୍ୱ କଳ୍ପନା ପ୍ରବଣତା ଓ ଉଚ୍ଚ ଚିନ୍ତାଶକ୍ତି ପ୍ରୟୋଗ କରି ପ୍ରକୃତିର ସାମଗ୍ରିକ ଶବ୍ଦ ସମ୍ଭାରରୁ କେତେଗୁଡ଼ିଏ ଶବ୍ଦ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ସୀମିତ ପ୍ରୟୋଗ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଛନ୍ତି । ଯେଉଁ ନିର୍ଦ୍ଦିଷ୍ଟ ଦୃଶ୍ୟ କୌଣସି ବିଶେଷଜ୍ଞଙ୍କ ମନରେ କୌତୁହଳ ସୃଷ୍ଟି କରୁଛି, ତତ୍‌ସମ୍ପର୍କୀୟ ସ୍ପଷ୍ଟୀକରଣ ପ୍ରଦାନ କରିବା ଦ୍ୱାରା ପ୍ରକୃତିର ସାମଗ୍ରିକତାର ସ୍ୱରୂପ ଉଦ୍‍ଘାଟିତ ହେଉନାହିଁ । ସାମାନ୍ୟକରଣର (Generalisation) ମାତ୍ରା ଯେତେ ଅଧିକ ହେଲେ ମଧ୍ୟ ତଦ୍ଦ୍ୱାରା ପ୍ରକୃତିର ସାମଗ୍ରିକ ରୂପ ଉନ୍ମୋଚିତ ହେଉ ନାହିଁ । ନିଉଟନ, ଆଇନଷ୍ଟାଇନ, ମ୍ୟାକସୱେଲ ଓ ପ୍ଲାଙ୍କ ପ୍ରମୁଖ ମହାମତି ଚିନ୍ତାନାୟକମାନଙ୍କ କୃତିକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରି ମହାମତି ଦାର୍ଶନିକ ଓ ଗଣିତଜ୍ଞ ବ୍ରୋନସ୍କି ସୂଚାଇଛନ୍ତି ଯେ, ଏମାନେ ପ୍ରତ୍ୟେକେ ଅଭିଜ୍ଞତାକୁ ଆଶ୍ରୟ କରି ନିଜ ନିଜର ସୃଷ୍ଟିଶୀଳ ପ୍ରତିଭା ବଳରେ ମନୁଷ୍ୟର ଚେତନାର କ୍ରମ ଉତ୍ତରଣ ଘଟାଇଛନ୍ତି । ଆପେକ୍ଷିକବାଦର ସ୍ରଷ୍ଟା ଆଇନଷ୍ଟାଇନ ଏବଂ କ୍ୱାଣ୍ଟସ ତତ୍ତ୍ୱର ପ୍ରତିଷ୍ଠାତା ତଥା ଚଳିତ ଶତାବ୍ଦୀର ବହୁ ପ୍ରବୀଣ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀମାନଙ୍କ ମହନୀୟ ଅବଦାନଗୁଡ଼ିକୁ ବିଚାର କରିବା ଦ୍ଵାରା ଉପଲବ୍‌ଧ ହେଉଛି ଯେ, ଆଧୁନିକ ଯୁଗର ବିଜ୍ଞାନ ମନୁଷ୍ୟକୁ ପ୍ରକୃତିରେ ନିଜର ସ୍ଥାନ ସମ୍ପର୍କରେ ସଚେତନ କରାଇପାରିଛି । ମନୁଷ୍ୟ ବୁଝିପାରିଛି ଯେ, ସେ ଏ ବିଶ୍ଵର କ୍ରିୟାଶୀଳତା ସହିତ ଓତପ୍ରୋତ ଭାବରେ ଜଡ଼ିତ । ଏଣୁ ପର୍ଯ୍ୟବେଷଣ ପାଇଁ ବା ଅଭିଜ୍ଞତା ଅର୍ଜନ କରିବାପାଇଁ ସେ ଯେଉଁ ପ୍ରକାରରେ ଉଦ୍ୟମୀ ହେଉଛି ଏବଂ ତଜ୍ଜନିତ ପ୍ରକୃତିର ବିନ୍ୟାସରେ ଯେଉଁ ପରିବର୍ତ୍ତନ ଘଟୁଛି, ତାହାକୁ ସେ ଜାଣି ପାରୁନାହିଁ । ଅର୍ଥାତ୍‌, ପର୍ଯ୍ୟବେକ୍ଷଣ ପାଇଁ ଉଦ୍ଦିଷ୍ଟ ବସ୍ତୁ ଓ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ସଂଘଟିତ ଅନ୍ତଃକ୍ରିୟା ମନୁଷ୍ୟର ଜ୍ଞାତସାରକୁ ଆସିବାର ଅବକାଶ ନାହିଁ । ଏଣୁ ସେ ଯେଉଁ ଜ୍ଞାନ ଅର୍ଜନ କରୁଛି ସେଥିରେ ଅନିଶ୍ଚିତତା ସୃଷ୍ଟି ହେବା ଏକ ସ୍ଵାଭାବିକ ଘଟଣା । କୌଣସି ଚରମ ସତ୍ୟରେ ଉପନୀତ ହେବା ମନୁଷ୍ୟର ଶକ୍ତି ବହିର୍ଭୂତ ହୋଇଥିବା ପରି ଜଣା ପଡ଼ୁଛି । ବିଶେଷ ତଥା ସାର୍ବନ୍ତ୍ରିକ ଆପେକ୍ଷିକବାଦକୁ ଆଇନଷ୍ଟାଇନ ଯେପରି ଗାଣିତିକ ଭାଷାରେ ପ୍ରକାଶ କରିଛନ୍ତି, ପ୍ଳାଙ୍କ୍‌ E=hf ଶୀର୍ଷକ ସମୀକରଣ ଜରିଆରେ ଶକ୍ତିର କ୍ଵାଣ୍ଟସ ରୂପ ସମ୍ବନ୍ଧରେ ଯେଉଁ ଅଭିନବ ଚେତନାର ସୂତ୍ରପାତ ଘଟାଇଛନ୍ତି, ଡି. ଏନ୍. ଏ ଅଣୁର ଦ୍ଵୈତ କୁଣ୍ଡଳୀ (Double Helix) ରୂପୀ ଆଣବିକ ଗଠନ ସମ୍ବନ୍ଧରେ ୱାଟ୍‌ଶନ ଓ ନ୍ତ୍ରିକ୍ ଯେଉଁ ସ୍ପଷ୍ଟୀକରଣ ଘୋଷଣା କରିଛନ୍ତି, ସେଗୁଡ଼ିକ ପ୍ରକୃତିର ଭାଷା ବିନ୍ୟାସକୁ ବୁଝି ପାରିବା ପାଇଁ ଉଦ୍ଦିଷ୍ଠ କତିପୟ ସଫଳ ପ୍ରୟାସ । ସେମାନଙ୍କ ଦ୍ଵାରା ଘୋଷିତ ଫଳଗୁଡ଼ିକରେ ସେମାନଙ୍କ କ୍ରିୟାଶୀଳତାର ରୂପ ପ୍ରତିଫଳିତ ହେଉନାହିଁ ।

 

ଏ ପରିପ୍ରେଷୀରେ ବୁଝିବାର କଥା ଯେ, କବିମାନଙ୍କ ପରି ବୈଜ୍ଞାନିକମାନଙ୍କ କ୍ରିୟାଶୀଳତାର ଉତ୍ସ ଏକାଭଳି ହୋଇଥିଲେ ହେଁ ସେମାନଙ୍କ ଦ୍ୱାରା ଘୋଷିତ ଫଳ କବିମାନଙ୍କ ବୌଦ୍ଧିକ ଅବଦାନଠାରୁ ଭିନ୍ନ ରୂପ ଧାରଣ କରିଛି । ଇତର ପ୍ରାଣୀମାନେ କେବଳ ଗୋଟିଏ ଭାଷା ଜରିଆରେ ପ୍ରକୃତି ସହ ଭାବ ବିନିମୟ କରି ପାରୁଥିବା ସ୍ଥଳେ ମନୁଷ୍ୟରୂପୀ ଅନନ୍ୟ ସାଧାରଣ ପ୍ରାଣୀଟି ଦୁଇ ପ୍ରକାର ଭାଷା ବ୍ୟବହାର କରି ପାରୁଛି; ଯଥା—ବିଭିନ୍ନ ଧାରଣ ଭିତ୍ତିକ ମାନସ ମନ୍ଥନ ବଳରେ ସୃଷ୍ଟି ଚିନ୍ତନ-ଭାଷା ଏବଂ ଅନ୍ୟମାନଙ୍କ ସହିତ ଭାବବିନିମୟ କରିବା ପାଇଁ ଉଦ୍ଧିଷ୍ଟ କଥିତ ଭାଷା । ମନୁଷ୍ୟେତର ପ୍ରାଣୀମାନେ କେବଳ ଶେଷୋକ୍ତ ଭାଷା ବ୍ୟବହାର କରି ପାରନ୍ତି । କୌଣସି ବୈଜ୍ଞାନିକ ଆବିଷ୍କାର ସଂଘଟିତ କରାଇବା ପାଇଁ ଜଣେ ବୈଜ୍ଞାନିକ ପ୍ରଥମେ ଅନୁମାନ ବଳରେ ତଥା ଆଗମନିକ ତର୍କର ଉପଯୋଗ ବଳରେ ପର୍ଯ୍ୟବେଷଣାଶ୍ରୟୀ ଗୋଟିଏ ନିୟମ ବା ଉପକଳ୍ପ ପ୍ରତିଷ୍ଠା କରନ୍ତି । ଏହି ବ୍ୟାପାରଟିର ସଂରଚନା ପାଇଁ ସେ ବିଭିନ୍ନ ଭାଷା ବ୍ୟବହାର କରନ୍ତି-। ତତ୍ପରେ ସେ ଅଭିକ୍ରିୟା ସମ୍ପାଦନ ବଳରେ ନିଜ ଦ୍ୱାରା ବା ଅନ୍ୟମାନଙ୍କ ଦ୍ଵାରା ତତ୍ତ୍ଵଟିର ସତ୍ୟାପନ ପାଇଁ ଯତ୍ନବାନ୍‌ ହୁଅନ୍ତି । ତାଙ୍କ ବୌଦ୍ଧିକ ପ୍ରୟାସର ଅନ୍ତିମ ପରିଣତି ସ୍ୱରୂପ ସେ ସର୍ବସାଧାରଣଙ୍କ ଅବଗତି ପାଇଁ ଯେଉଁ ପ୍ରକାର ଫଳ ଘୋଷଣା କରନ୍ତି, ସେଥିରେ କେବଳ କଥିତ ଭାଷାର ଉପଯୋଗ କରାଯାଏ । ଆବିଷ୍କାରର ସଂଘଟନ ପାଇଁ ବୈଜ୍ଞାନିକ ଯେଉଁ ଚିନ୍ତନ ପ୍ରକ୍ରିୟାର ଅନୁଗାମୀ ହୋଇଥାଆନ୍ତି, ତାହା ତାଙ୍କ ସିଦ୍ଧାନ୍ତରେ ପ୍ରତିଫଳିତ ହେବାର ଅବକାଶ ନ ଥାଏ । ସେ ଅନୁମାନ ବା ଆଗମନାତ୍ମକ ତର୍କ ବଳରେ ଯେଉଁ ପ୍ରାଥମିକ ଅନୁମାନଟିରେ ଉପନୀତ ହୋଇଥାଆନ୍ତି, ତାହା-

 

ତାର୍ଥକ (ambiguous) ହୋଇଥିଲେ ମଧ୍ୟ ତାଙ୍କ ଦ୍ଵାରା ସ୍ଵତଃସିଦ୍ଧ ସିଦ୍ଧାନ୍ତ (axiom), ନିୟମ ବା ସୂତ୍ର ଜରିଆରେ ଘୋଷିତ ଫଳ ଗୋଟିଏ ନିର୍ଦ୍ଧିଷ୍ଟ ଅର୍ଥ ସୂଚାଇ ଥାଏ-। ପ୍ରଥମେ ଗୋଟିଏ ଦୃଶ୍ୟ ବୈଜ୍ଞାନିକଙ୍କ ମାନସପଟରେ ଯେଉଁ ଦ୍ଵନ୍ଦ୍ଵାତ୍ମକ ତଥା ବହୁବିଧ ଅର୍ଥସୂଚକ ଭାବନା ସୃଷ୍ଟି କରେ, ସେଥିରେ କ୍ରମହ୍ରାସ ଘଟାଇ ତନ୍ମଧ୍ୟରୁ ଗୋଟିଏ ପ୍ରକାର ଧାରଣାକୁ ନିର୍ଦ୍ଦିଷ୍ଟ ଅର୍ଥସୂଚକ ଫଳ ଆକାରରେ ଘୋଷଣା କରିବାକୁ ସେ ପ୍ରୟାସୀ ହୁଅନ୍ତି । ସେ ନିଜ ସମ୍ପ୍ରସାରିତ କଳ୍ପନାକୁ କୌଣସି ପ୍ରକାରେ ସଙ୍କୁଚିତ କରିବାକୁ ଯତ୍ନବାନ୍ ହୁଅନ୍ତି । ତାଙ୍କ ଦ୍ୱାରା ଘୋଷିତ ଫଳ ଗୋଟିଏ ସ୍ଵୟଂସମ୍ପନ୍ନ ତଥା ଅବରୁଦ୍ଧ ସଂସ୍ଥିତିର ରୂପ ଧାରଣ କରେ । ନିଗମନାତ୍ମକ ତର୍କ ଅବଲମ୍ବନରେ ନିୟମ ବା ସୂତଟିକୁ ବୁଝିପାରିବା ସମ୍ଭବ ହୁଏ । ପ୍ରଦତ୍ତ ନିୟମ ବା ସୂତ୍ରଟିକୁ ବ୍ୟବହାର କରି ପ୍ରାକ୍‌ସୂଚିତ କୌଣସି ଘଟଣା ବା ଦୃଶ୍ୟର କ୍ରିୟାଶୀଳତାର ରହସ୍ୟ ଭେଦ କରିବା ସମ୍ଭବ ହୁଏ । ସ୍ପଷ୍ଟୀକରଣ ମିଳୁ ନ ଥିବା କୌଣସି ଏକ ବା ଏକାଧିକ ଦୃଶ୍ୟର ରହସ୍ୟ ଭେଦ କରିବା ପାଇଁ ତାହାକୁ ପ୍ରୟୋଗ କରାଯାଏ । ଯେଉଁ ନିୟମ ବା ସୂତ୍ରର ସାମାନ୍ୟୀ କରଣର ମାତ୍ରା ଯେତେ ଅଧିକ ହୁଏ; ଅର୍ଥାତ୍‌ ଯେଉଁ ନିୟମ ବା ସୂତ୍ର ଜରିଆରେ ଯେତେ ଅଧିକ ଦୃଶ୍ୟ ବା ଘଟଣାର ରହସ୍ୟ ଭେଦ କରିବା ସମ୍ଭବ ହୁଏ, ତାହାର ଗୁଣାତ୍ମକ ମାନ ସେତେ ଅଧିକ ହୁଏ-। ଆବିଷ୍କୃତ ନିୟମ ବା ସୂତ୍ରଟି ସମସାମୟିକ ବୈଜ୍ଞାନିକମାନଙ୍କ ଗ୍ରହଣଯୋଗ୍ୟ ହୋଇଯିବା ପରେ ତାହାକୁ ତତ୍‌କାଳିନ ପରିସ୍ଥିତିରେ ଏକ ସ୍ୱୟଂସମ୍ପନ୍ନ ତଥା ଅବରୂଦ୍ଧ ସଂସ୍ଥିତି ରୂପେ ବ୍ୟବହାର କରି ଅନ୍ୟମାନେ ବିଜ୍ଞାନର ସମୃଦ୍ଧ ସାଧନ ପାଇଁ ଯତ୍ନବାନ୍ ହୁଅନ୍ତି । ମାତ୍ର ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ଭାବୁକମାନେ ଏ ପ୍ରକାରେ ବ୍ୟବହୃତ କୌଣସି ନିୟମ ବା ତତ୍ତ୍ଵକୁ ଚରମ ସତ୍ୟ ରୂପେ ଗ୍ରହଣ କରନ୍ତି ନାହିଁ । ସେମାନେ ଏହାର ସତ୍ୟତା ପ୍ରତି ନିଃସନ୍ଦିଗ୍‌ଧ ମନୋଭାବ ପୋଷଣ କରିବା ପରିବର୍ତ୍ତେ ଏତଦ୍ଵାରା ବୁଝି ହେଉ ନଥିବା କୌଣସି ଘଟଣା ବା ଦୃଶ୍ୟର ରହସ୍ୟ ଭେଦ କରିବାକୁ ଚେଷ୍ଟା କରନ୍ତି । ଏପରି ବୌଦ୍ଧିକ ପ୍ରୟାସ ବଳରେ ଯଦି ପ୍ରତିଷ୍ଠିତ ନିୟମ ବା ସୂତ୍ରଟି ମିଥ୍ୟା ପ୍ରତିପାଦିତ ହୁଏ ଏବଂ ସମକାଳୀନ ଭାବରେ ନବ ପ୍ରତିଷ୍ଠିତ ତତ୍ତ୍ଵଟିର ସାମାନ୍ୟକରଣର ମାତ୍ରା ଯଦି ପୂର୍ବାପେକ୍ଷା ଅଧିକ ହୁଏ, ତାହାହେଲେ ପୂର୍ବ ପ୍ରତିଷ୍ଠିତ ତତ୍ତ୍ଵଟିକୁ ପ୍ରତ୍ୟାଖ୍ୟାନ କରାଯିବା ସଙ୍ଗେ ସଙ୍ଗେ ନବ ପ୍ରତିଷ୍ଠିତ ତତ୍ତ୍ଵଟି ଗ୍ରହଣଯୋଗ୍ୟ ବିବେଚିତ ହୁଏ ଏବଂ ତା' ଠାରୁ କୌଣସି ଉନ୍ନତ ତତ୍ତ୍ଵ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ତାହାକୁ ଏକ ସ୍ୱୟଂସମ୍ପନ୍ନ ଅବରୁଦ୍ଧ ସଂସ୍ଥିତି ରୂପେ ବ୍ୟବହାର କରାଯାଏ । ଏପରି ଭାବରେ ହିଁ ବିଜ୍ଞାନର ଗନ୍ତାଘର ପରିପୁଷ୍ଟ ହେଉଛି ।

 

ଅନୁମାନ ଓ ଆଗମନାତ୍ମକ ଚିନ୍ତନ ଭଳି ମାନସିକ ପ୍ରକ୍ରିୟା ଉଭୟ କବି ଓ ବୈଜ୍ଞାନିକମାନଙ୍କ ସର୍ଜନାର ଆଦ୍ୟ ଉତ୍ସ ହୋଇଥିଲେ ହେଁ ଭାବାଭିବ୍ୟକ୍ତି ପରସ୍ପର ଠାରୁ ଭିନ୍ନ ହେବାର କାରଣ ବର୍ତ୍ତମାନ ସ୍ପଷ୍ଟ ଭାବରେ ବୁଝ ହେଉଛି । ମାନସପଟରେ ଜାଗରିତ ଭାବରାଜିରେ କ୍ରମହ୍ରାସ ଘଟାଇବାର ଉଦ୍ୟମ କବିତାରେ ହୁଏ ନାହିଁ । କୌଣସି ଏକ ଦୃଶ୍ୟ ବା ଘଟଣା କବିଙ୍କ ମାନସପଟରେ ଯେଉଁ ବିକ୍ଷପ୍ତ ଭାବନା ସୃଷ୍ଟି କରେ, ତାହାକୁ କୌଣସି ପ୍ରକାରେ ଚପାଇ ଦେଇ ସେ ଗୋଟିଏ ଭାବନାକୁ ଏକ ନିର୍ଦ୍ଦିଷ୍ଟ ଅର୍ଥସୂଚକମାର୍ଗରେ ବ୍ୟକ୍ତ କରିବାକୁ ଯତ୍ନବାନ୍ ହୁଅନ୍ତି ନାହିଁ । ତାଙ୍କ ଅବଦାନ ଗୋଟିଏ ସ୍ୱୟଂସମ୍ପନ୍ନ ଅବରୁଦ୍ଧ ସଂସ୍ଥତିର ରୂପ ଧାରଣ କରେ ନାହିଁ । ଏହା ଏକ ଉନ୍ମୁକ୍ତ ସଂସ୍ଥିତିରୂପେ ବିଦ୍‌ଗଧ ପାଠକମାନଙ୍କ ମାନସପଟକୁ ବିଭିନ୍ନ ପ୍ରକାରେ ପ୍ରଭାବିତ କରେ । ପୁଣି, ଏକାଭଳି ଦୃଶ୍ୟ ବା ଘଟଣାକୁ ଆଶ୍ରୟ କରି ବିଭିନ୍ନ କବିମାନେ ଭିନ୍ନ ଭିନ୍ନ ଅର୍ଥସୂଚକ ତଥା ଭିନ୍ନଭିନ୍ନ ଭାବୋଦତକ କବିତା ରଚନା କରନ୍ତି । ଗୋଟିଏ କବିତାର ଅର୍ଥକୁ ଏକ ଅବରୁଦ୍ଧ ସ୍ୱୟଂସମ୍ପନ୍ନ ସଂସ୍ଥିତି ରୂପେ ବ୍ୟବହାର କରିବା କେବେ ହେଲେ ସମ୍ଭବ ହୁଏ ନାହିଁ । ବହୁ ଅର୍ଥସୂଚକ ଭାବରାଜିର ସଙ୍କୋଚନ ଘଟାଇବା ପରିବର୍ତ୍ତେ ନିଜ ମାନସପଟରେ ଉଦବେଳନ ସୃଷ୍ଟି କରୁଥିବା ଭାବରାଜିର ସାମଗ୍ରିକ ରୂପକୁ ଉପମା ଓ ଅଳଙ୍କାର ଯୁକ୍ତ ଭାଷା ଜରିଆରେ ସଂକ୍ଷିପ୍ତ ଭାବରେ ପ୍ରକାଶ କରିବା ଦ୍ୱାରା ହିଁ କବିଙ୍କ ବୌଦ୍ଧିକ ପ୍ରୟାସ ଫଳପ୍ରସୁ ହୁଏ । କୃପଣ ବୈଜ୍ଞାନିକମାନେ ବିଶ୍ଵ ଭଳି ଏକ ବିଚିତ୍ରବର୍ଣ୍ଣ । ଅପରୂପା ମଡେଲକୁ ଅଳ୍ପ କେତୋଟି ଉପକଳ୍ପ, ନିୟମ ବା ସୂତ୍ର ଜରିଆରେ ବୁଝାଇ ଦେବାକୁ ପ୍ରୟାସୀ ହେଉଥିବା ବେଳେ କବି କଳାକାରମାନେ ନବ ନବ ଚେତନାର ଅଭ୍ୟୁଦୟ ବଳରେ ତଥା ଧାରଣା ବା ଦର୍ଶନର ପରିବ୍ୟାପ୍ତି ବଳରେ ତାହାକୁ ବୁଝିବାକୁ ଚେଷ୍ଟା କରନ୍ତି ।

 

ବୈଜ୍ଞାନିକ ଗବେଷଣା ଅବଲମ୍ବନରେ ପ୍ରକୃତିର କ୍ରିୟାଶୀଳତା ସମ୍ପର୍କରେ ଅବଧାରିତ ହେବା ଅପେକ୍ଷା ମନୁଷ୍ୟ ଅନ୍ୟ ମଣିଷମାନଙ୍କୁ ବୁଝି ପାରିବାର ତଥା ସେମାନଙ୍କ ସହିତ ମିଳିମିଶି ଚଳିବାରେ ଅଧିକ ପାରଙ୍ଗମତା ପ୍ରଦର୍ଶନ କରିଛି । ଏହି ଶତାବ୍ଦୀର ଆଦ୍ୟା ପାଦ ଠାରୁ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ବୁଝାମଣାକୁ ବୁଝାଇ ଦେବା ପାଇଁ ସମାନୁଭୂତି (empathy) ଶବ୍ଦଟିକୁ ବ୍ୟବହାର କରାଯାଉଛି । ସମକାଳିକ ଭାବରେ ସ୍ୱନାମଧନ୍ୟ ସମାଜ-ବିଜ୍ଞାନୀ ମ୍ୟାକ୍‌ସୱେବର (verstehen) ଶୀର୍ଷକ ଗୋଟିଏ କ୍ରିୟାବାଚକ ଜର୍ମାନୀ ଶବ୍ଦ ଜରିଆରେ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ବୁଝାମଣାକୁ ସୂଚାଇ ଦେବାର ଉଦ୍ୟମ କରୁଛନ୍ତି । ଯେଉଁ ପ୍ରକାର ପ୍ରବର୍ତ୍ତନା, ପ୍ରରୋଚନା ଓ ଭାବ ବିନିମୟ ପ୍ରକିୟାକୁ ୱେବର ଓ ତାଙ୍କ ପୂର୍ବରୁ ଡିଲଥେ ଓ ଜାସ୍‌ପର ପ୍ରମୁଖ ସମାଜବିଜ୍ଞାନୀମାନେ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ଚାଲିଥିବା ବୁଝାମଣା ରୂପେ ସୂଚାଇ ଦେବାକୁ ସ୍ଥିର କରିଛନ୍ତି, ତାହା ବୈଜ୍ଞାନିକ ଅନୁସନ୍ଧାନର ରୂପ ଧାରଣ କରିଛି । ବୈଜ୍ଞାନିକମାନେ ଯେଉଁ ପ୍ରକାର ପଦ୍ଧତି ଅବଲମ୍ବନରେ ପ୍ରକୃତିକୁ ବୁଝିପାରିବା ପାଇଁ ପ୍ରଯତ୍ନ ଚଳାଇଛନ୍ତି, ଏହି ସମାଜବିଜ୍ଞାନୀମାନେ ତଦନୁରୂପ ମାର୍ଗରେ ସାମାଜିକ ତଥା ବ୍ୟକ୍ତିର ଇତିହାସର ନିର୍ଣ୍ଣୟ କରିବାକୁ ଉଦ୍ୟମୀ ହୋଇଛନ୍ତି ।

 

ମାତ୍ର ସ୍ୱନାମଧନ୍ୟ ଗଣିତଜ୍ଞ ଓ ଦାର୍ଶନିକ ବ୍ରୋନସ୍କିଙ୍କ ମତାନୁଯାୟୀ ବୈଜ୍ଞାନିକ ଅନୁସନ୍ଧାନଲବ୍‌ଧ ଜ୍ଞାନାର୍ଜନ ପରିବର୍ତ୍ତେ ଆତ୍ମ-ଜ୍ଞାନ (Knowledge of the self) ବଳରେ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ପ୍ରତିଷ୍ଠିତ ବୁଝାମଣାକୁ ଠିକ୍ ଭାବରେ ବୁଝିହେବ । ସେ ଆତ୍ମଜ୍ଞାନର ସଂଜ୍ଞା ଓ ବୈଶିଷ୍ଟ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ସେ ବୁଝାଇ ଦେଇଛନ୍ତି ଯେ, ପ୍ରତ୍ୟେକ ମଣିଷର ଗୋଟିଏ ଆତ୍ମା ବା self ଅଛି ଏବଂ ଅଭିଜ୍ଞତା ବଳରେ ସେ ନିଜ ‘self' ର ସମ୍ପ୍ରସାରଣ ଘଟାଉଛି । ଏହି ଅଭିଜ୍ଞତା ଉଭୟ ବାହ୍ୟ ଜଗତ ତଥା ଅନ୍ତଃ ନିବିଷ୍ଟ ଜଗତରୁ ମିଳୁଛି-। ଅନ୍ୟମାନଙ୍କ ଅନ୍ତଃମାନସରେ ପ୍ରବେଶ କରିପାରିବା ଦ୍ଵାରା ହିଁ ସେ ସେମାନେଙ୍କ ଅନ୍ତଃମାନସିକ ଅଭିଜ୍ଞତାରୁ ଶିକ୍ଷା ଲାଭ କରିବାକୁ ସମର୍ଥ ହେଉଛି । ବାହ୍ୟ ଜଗତର ଅଭିଜ୍ଞତାରୁ ସେ ଯେଉଁ ଜ୍ଞାନ ଅର୍ଜନ କରୁଛି, ତାହାକୁ ହିଁ ଆମେ ବିଜ୍ଞାନ ରୂପେ ବିଚାର କରୁଛ । ମାତ୍ର ନିଜର ତଥା ଅନ୍ୟମାନଙ୍କ ଅନ୍ତଃନିବିଷ୍ଟ ଜଗତର ଅଭିଜ୍ଞତାରୁ ସେ ଯେଉଁ ଶିକ୍ଷାଲାଭ କରୁଛି ତାହାକୁ ବ୍ରୋନସ୍କି 'ଆତ୍ମ-ଜ୍ଞାନ' ରୂପେ ଅଭିହିତ କରିଛନ୍ତି ।

 

ପ୍ରତ୍ୟେକ ମଣିଷ ଅନ୍ୟମାନଙ୍କ ଅନ୍ତଃନିବିଷ୍ଟ ଜଗତକୁ ଭଲଭାବରେ ଚିହ୍ନି ପାରିବା ପାଇଁ ସେମାନଙ୍କ ସହିତ ଏକାତ୍ମ ହେବାକୁ ଚେଷ୍ଟା କରୁଛି । ସେମାନଙ୍କ ଅନ୍ତଃନିର୍ବିଷ୍ଟ ମାନସରେ ସୃଷ୍ଟି ଦ୍ଵନ୍ଦ୍ଵଗୁଡ଼ିକୁ ବୁଝିପାରିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ସେ ସେମାନଙ୍କ ସହିତ ଏକାତ୍ମ ହୋଇ ସେଗୁଡ଼ିକର ସମାଧାନ ଦିଗରେ ଯତ୍ନବାନ୍ ହେଉଛି । କୌଣସି ବିଷମ ପରିସ୍ଥିତିର ସମ୍ମୁଖୀନ ହେବା ବେଳେ ଜଣେ ଅନ୍ୟମାନଙ୍କ ମାନସିକ ଦ୍ୱନ୍ଦ୍ଵର ତୀବ୍ରତାକୁ ଲାଘବ କରିବା ପାଇଁ ସ୍ଵତଃସ୍ଫୁର୍ତ୍ତ ଉଦ୍ୟମ ଚଳାଉଛି । ପରସ୍ପରର ମନକୁ ଚିହ୍ନିବା ପୂର୍ବକ ମନୁଷ୍ୟ ଏ ପ୍ରକାର ଯେଉଁ ଆତ୍ମ ଜ୍ଞାନ ଅର୍ଜନ କରୁଛି, ତାହାକୁ ବିଜ୍ଞାନ ଭଳି ସାମାନ୍ୟକରଣ ପ୍ରକ୍ରିୟା ଅବଲମ୍ବନରେ କୌଣସି ସୂତ୍ର ବା ନିୟମ ଆକାରରେ ପ୍ରକାଶ କରିବା ସମ୍ଭବ ନୁହେଁ । ବିଜ୍ଞାନର ଅବଦାନଗୁଡ଼ିକ ଭଳି ଆତ୍ମଜ୍ଞାନକୁ ସାମୟିକ ଭାବରେ ମଧ୍ୟ ଗୋଟିଏ ସ୍ୱୟଂସମ୍ପନ୍ନ ଅବରୂଦ୍ଧ ସଂସ୍ଥିତି ରୂପେ ବ୍ୟବହାର କରାଯିବା ସମ୍ଭବ ନୁହେଁ । ମନୁଷ୍ୟରୂପା ବୁଦ୍ଧିମାନ ପ୍ରାଣୀର ସମସ୍ୟା ଅନ୍ତହୀନ । କୌଣସି ସମସ୍ୟାର ସମାଧାନ ହେବା ମାତ୍ରେ ପରିବର୍ତ୍ତନଶୀଳ ପରିସ୍ଥିତିରେ ନୂଆ ନୂଆ ସମସ୍ୟାର ସୂତ୍ରପାତ ଘଟୁଛି । ଏଣୁ ଆତ୍ମ-ଜ୍ଞାନ ସାମୟିକ ଭାବରେ ଗୋଟିଏ ସ୍ୱୟଂସମ୍ପନ୍ନ ରୁଦ୍ଧ ସଂସ୍ଥିତିର ରୂପ ଧାରଣ କରିବାର ଅବକାଶ ନାହିଁ । ସାହିତ୍ୟ ବା କଳାରେ ଏହି ଆତ୍ମଜ୍ଞାନ ହିଁ ରୂପାୟିତ ହେଉଛି । କଳା ଓ ବିଜ୍ଞାନ ଉଭୟେ ମନୁଷ୍ୟର କଳ୍ପନା ପ୍ରବଣତା ଯୋଗୁଁ ସୃଷ୍ଟି ଲାଭ କରୁଥିଲେ ମଧ୍ୟ ଏଗୁଡ଼ିକର ଅଭିବ୍ୟକ୍ତିର ରୂପ ଏଥିପାଇଁ ଭିନ୍ନ ଭିନ୍ନ ହୋଇଛି । ମାନବିକ ମୂଲ୍ୟବୋଧ ସମ୍ପର୍କରେ ଅବଧାରିତ ହୋଇ ନ ଥିଲେ, ଅର୍ଥାତ୍ ମଣିଷପଣିଆଁ ସମ୍ପର୍କରେ ଧାରଣା ନ ଥିଲେ କୌଣସି ସାହିତ୍ୟ ବା କଳା କେବେହେଲେ ପାଠକଙ୍କ ବୋଧଗମ୍ୟ ହେବନାହିଁ ।

 

ବର୍ତ୍ତମାନ କ’ଣ କରୁଛି ଓ ଭବିଷ୍ୟତରେ କ’ଣ କରିବାକୁ ହେବ ଏପରି ପ୍ରଶ୍ନର ଉତ୍ତର ମନୁଷ୍ୟ ନିର୍ଣ୍ଣୟ କରି ପାରୁଛି । ତାର ମସ୍ତିଷ୍କରେ ଥିବା ବିଚିତ୍ର ଭାବେ କର୍ମନିପୁଣ ସ୍ମରଣ-କେନ୍ଦ୍ରଟି ତାକୁ ପୁରୋଦୃଷ୍ଟି ପାଇଁ ସାମର୍ଥ୍ୟ ଯୋଗାଇ ଦେଉଛି । ଅତୀତରେ ନିଜ ସ୍ମରଣ-କେନ୍ଦ୍ର ଗଚ୍ଛିତ, ପ୍ରତିବିମ୍ବଗୁଡ଼ିକ ଜରିଆରେ ସେ ବୁଦ୍ଧି ଖଟାଇ ଭବିଷ୍ୟତର କର୍ମସୂଚୀ ନିର୍ଦ୍ଧାରଣ କରୁଛି । ସମ୍ପୁର୍ଣ୍ଣ ସଚେତନ ମନୁଷ୍ୟକୁ ଉଭୟ ଅତୀତ ଓ ଭବିଷ୍ୟତ ପ୍ରତି ଦୃଷ୍ଟିପାତ କରିବାକୁ ସାମର୍ଥ୍ୟ ପ୍ରଦାନ କରିଛି ଏବଂ ଏଥିମଧ୍ୟରୁ ଭବିଷ୍ୟତ ପ୍ରତି ଦୃଷ୍ଟିପାତ କରିବା ହିଁ ଏକ ଅପେକ୍ଷାକୃତ ଅଧିକ, ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସମସ୍ତ ଜୈବିକ ପ୍ରକ୍ରିୟା ଅବଶ୍ୟ ଭବିଷ୍ୟତ ଆଡ଼କୁ ନିର୍ଦ୍ଦେଶିତ ହୋଇଛି । ମାତ୍ର ମନୁଷ୍ୟରୂପୀ ପ୍ରାଣୀର ଜୈବକ ପ୍ରକ୍ରିୟାର ଅନନ୍ୟ ସାଧାରଣ ବୈଶିଷ୍ଟ୍ୟ ହେଉଛି ଯେ, ସେ ସଚେତନ ଭାବରେ ଭବିଷ୍ୟତ ଆଡ଼କୁ ଅଗ୍ରଗାମୀ ହେଉଛି । ଅର୍ଥାତ୍ ଭବିଷ୍ୟତ ମନୁଷ୍ୟର ସଚେତନାର (Consciousness) ଅନ୍ତର୍ଭୁକ୍ତ ହୋଇଛି ।

 

ଅନେକ ବୁଦ୍ଧିଜୀବୀ ସଚେତନାର ଏହି ସଂଜ୍ଞାକୁ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି-। ମାତ୍ର ଏହାକୁ ଗ୍ରହଣ କରିନେବା ପରିବର୍ତ୍ତେ ଅନ୍ୟ କୌଣସି ବିକଳ୍ପ ସଂଜ୍ଞା ନିର୍ଦ୍ଧାରଣ କରିବା ସମ୍ଭବ ହେଉନାହିଁ । ମଣିଷ ନିଜେ ସଚେତନ ହେଉଛି ଯେ, ପାରିପାର୍ଶ୍ଵିକ ପରିବେଶଠାରୁ ତାହାର ସ୍ଥିତି ଭିନ୍ନ ବା ପୃଥକ ହୋଇଛି । ଏଠାରେ ବିଶେଷ ଭାବରେ ବୁଝିବାର କଥା ଯେ, ସମକାଳୀନ ଭାବରେ ସେ ଗୋଟିଏ ଜୀବନ୍ତ ପ୍ରାଣୀ ରୂପେ ନିଜର ଆତ୍ମିକ ସତ୍ତା ସମ୍ପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅବଧାରିତ ହେଉଛି । ଜାଣିବା ଓ କଳ୍ପନା କରିବା—ଏ ଉଭୟ ମଣିଷର ସଚେତନା ଅନ୍ତର୍ଭୁକ୍ତ ହୋଇଛି ଏବଂ ବିଧ ସଚେତନାରୂପୀ ସୁଗଭୀର ଝରଣାରୁ ହିଁ ଆାମ ମାନବିକତାର ଧାରା ଅବାରିତ ତଥା ନିରବଛିନ୍ନ ମାର୍ଗରେ ପ୍ରବାହିତ ହେଉଛି । ଆମେ ଯେତେବେଳେ ପ୍ରକୃତିକୁ ଆମଠାରୁ ଏକ ବାହ୍ୟ ସଂସ୍ଥିତିରୂପେ ବିଚାର କରୁଛୁ ଏବଂ ଭବିଷ୍ୟତ ଆଡ଼କୁ ଦୃଷ୍ଟି ନିକ୍ଷେପ କରୁଛୁ ସେତେବେଳେ ଆମେ ବିଜ୍ଞାନରୂପୀ ଜ୍ଞାନ ଅର୍ଜନ କରୁଛୁ । ଯେତେବେଳେ ଆମେ ପ୍ରାଣସତ୍ତା-ଧାରିତପ୍ରାଣୀ ଭାବରେ ଭବିଷ୍ୟତର ମୁକାବିଲା ପାଇଁ ସଜବାଜ ହେଉଛୁ, ସେତେବେଳେ ଆମେ ଆତ୍ମ ଜ୍ଞାନ (Knowledge of the self ) ରୂପୀ ଜ୍ଞାନ ଅର୍ଜନ କରୁଛୁ । ମନୁଷ୍ୟର ଅନନ୍ୟ ରୂପ (Identity) ଏହି ଦ୍ଵିବିଧ ଜ୍ଞାନର ଅବିଚ୍ଛେଦ୍ୟ ସହାବସ୍ଥାନ ଯୋଗୁଁ ସମ୍ଭବ ହୋଇଛି । ଅର୍ଥାତ୍‌ କଳା ଓ ବିଜ୍ଞାନରୂପୀ ଅବିଚ୍ଛେଦ୍ୟ କର୍ମ-ପ୍ରବଣତା ଜରିଆରେ ମନୁଷ୍ୟ ନିଜର ଅନନ୍ୟ ସାଧାରଣ ବୈଶିଷ୍ଟ୍ୟ ପ୍ରତିପାଦନ କରୁଛି ।

 

J. Bronowski. The Identity of Man, Americal Museum Science Books, 1971–ଏହି ପୁସ୍ତକର ସାରମର୍ମ ହିଁ ଏ ପ୍ରବନ୍ଧରେ ପ୍ରଦତ୍ତ ହୋଇଛି । ମହାମତି ଦାର୍ଶନିକ, ଗଣିତଜ୍ଞ ଓ ସୁସାହିତ୍ୟିକ ବ୍ରୋନସ୍କିଙ୍କ ଦ୍ୱାରା ରଚିତ ଏହି ପୁସ୍ତକଟି ସାରା ପୃଥିବୀର ବୁଦ୍ଧିଜୀବୀ ମହଲରେ ସମାଦୃତ ହୋଇଛି ।

Image

 

ପ୍ରାଚୁର୍ଯ୍ୟର ଅଭିଶାପ ବନାମ ଦାରିଦ୍ର୍ୟର ଉପ୍ତୀଡ଼ନ

 

ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ବିଜ୍ଞାନାଶ୍ରୟୀ ସଭ୍ୟତା ଗୋଟିଶ ବିଚିତ୍ର ବିରୋଧାଭାସର ସମ୍ମୁଖୀନ ହୋଇଛି । ବିଜ୍ଞାନ ନିର୍ଭରଶୀଳ ପ୍ରଯୁକ୍ତି ବିଦ୍ୟାର ଉତ୍ତରୋତ୍ତର ସମୃଦ୍ଧି ସାଧନ କଳ୍ପେ ମନୁଷ୍ୟର ବାତୁଳପ୍ରାୟ କର୍ମପ୍ରବଣତା ସମ୍ପ୍ରତି ଯୋଗାଯୋଗ ତଥା ପରିବହନ ଦୃଷ୍ଟିକୋଣରୁ ପୃଥିବୀର ଆକାରକୁ ସଙ୍କୁଚିତ କରି ଦେଇଛି ସତ, ମାତ୍ର ଅତୀତର ବହୁବିଧ ରାଜନୈତିକ କୁଚତ୍ର ତଥା ବଣିକ ସୁଲଭ କାରସାଦୀ ଯୋଗୁଁ ‘ଥିଲାବାଲା’ ରାଷ୍ଟ୍ର ସମୂହ ଓ ‘ନଥିଲାବାଲା’ ରାଷ୍ଟ୍ର ସମୂହ ମଧ୍ୟରେ ସ୍ଵାବଲମ୍ବନଶୀଳତା ଦୃଷ୍ଟିକୋଣରୁ ତାରତମ୍ୟର ମାତ୍ରା ବଢ଼ିବାରେ ଲାଗିଛି । ପୃଥିବୀର ସମଗ୍ର ସ୍ଥଳଭାଗ ଓ ଜଳଭାଗରୁ ସଂଗ୍ରହ କରାଯାଉଥିବା ପ୍ରାକୃତିକ ସମ୍ପଦ କଞ୍ଚାମାଲ ରୂପେ ମୃଷ୍ଟିମେୟ ଦେଶକୁ ଚାଲାଣ ହେଉଛି ଏବଂ ଶେଷୋକ୍ତ ଶିଳ୍ପୋନ୍ନତ କପାଳିଆ ରାଷ୍ଟ୍ରର ପୁଞ୍ଜିପତିମାନେ ଏହାର ଉପଯୋଗ କରି ବ୍ୟବହାରୋପଯୋଗୀ ଉପକରଣ ପ୍ରସ୍ତୁତ କରିବା ସଙ୍ଗେସଙ୍ଗେ ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ରମାନଙ୍କରେ ଏହାକୁ ଚଢ଼ା ଦରରେ ବିକ୍ରୟ କରି ଯଥେଷ୍ଟ ଲାଭ ଉଠାଉଛନ୍ତି ।

 

ପ୍ରାଚୁର୍ଯ୍ୟର ଅଭିଶାପ–ପ୍ରଥମେ ଏହି ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ସମ୍ଭନ୍ଧରେ ବିଚାର କରାଯାଉ । ପୁନରଭ୍ୟୁଦୟ କାଳଠାରୁ ବିଜ୍ଞାନ ବଳରେ ବଳୀୟାନ ଏହି ରାଷ୍ଟ୍ରଗୁଡ଼ିକ ବୈଜ୍ଞାନିକ ଗବେଷଣା ପ୍ରସ୍ତୁତ ତଥ୍ୟରାଜିକୁ ଯଥାଶୀଘ୍ର ପ୍ରାୟୋଗିକ କ୍ଷେତ୍ରରେ ବିନିଯୋଗ କରିବା ଉଦ୍ଦେଶ୍ୟରେ ପ୍ରଯୁକ୍ତି ବିଦ୍ୟାର ସମୃଦ୍ଧି ସାଧନ କରିଛନ୍ତି । ସରକାରୀ ତଥା ଘରୋଇ କର୍ତ୍ତୃପକ୍ଷଙ୍କ ପୃଷ୍ଠପୋଷକତାରେ ଏ ଦିଗରେ ନିରବଚ୍ଛିନ୍ନ ଉଦ୍ୟମ ଚଳାଇ ସେମାନେ ପ୍ରତିରକ୍ଷା କ୍ଷେତ୍ରରେ ସମୃଦ୍ଧି ସାଧନ ପାଇଁ ନିର୍ମାଣ କରିଛନ୍ତି ପ୍ରଳୟଙ୍କରୀ ପାରମାଣବିକ ଶକ୍ତିସମ୍ପନ୍ନ ମାରଣାସ୍ତ୍ର, କ୍ଷେପଣାସ୍ତ୍ର, ରାସାୟନିକ, ବୋମା, ଦ୍ରୁତଗାମୀ ବୋମାବର୍ଷୀ ବିମାନ ପ୍ରଭୃତି; ମନୁଷ୍ୟକୁ ବହୁବିଧ ବ୍ୟାଧି କବଳରୁ ଆରୋଗ୍ୟ କରିବାପାଇଁ ବହୁ ବ୍ୟୟସାପେକ୍ଷ ଗବେଷଣା ଜରିଆରେ ସେମାନେ ପ୍ରସ୍ତୁତ କରିଛନ୍ତି; ବିଭିନ୍ନ ପ୍ରକାରର ସଲ୍‌ଫା ଔଷଧ, ଆଣ୍ଟିବାଓଟିକ୍, ଦୁର୍ଲଭ ଶଲ୍ୟ ଚିକିତ୍ସାର ସରଞ୍ଜାମ ପ୍ରଭୃତି; ବିଳାସୀ ମନୁଷ୍ୟର ଜୀବନକୁ ଆରାମଦାୟକ କରିବାପାଇଁ ସେମାନେ ସୁରମ୍ୟ ବହୁତଳ ପ୍ରାସାଦ ବିଶିଷ୍ଟ ବାସଗୃହ ନିର୍ମାଣ କରିବା ସଙ୍ଗେ ସଙ୍ଗେ ତାହାକୁ ଶୀତତାପ ନିୟନ୍ତ୍ରିତ କରାଇପାରିଛନ୍ତି; ଯୋଗାଯୋଗ କ୍ଷେତ୍ରର ସମୃଦ୍ଧି ପାଇଁ ସେମାନେ ଜନସାଧାରଣଙ୍କୁ ଯୋଗାଇ ଦେଇଛନ୍ତି ଘରେ ଘରେ ଟେଲିଭିଜନ ଟେଲିଫୋନ ଓ ରେଡ଼ିଓ ପ୍ରଭୃତି । କୁହାଯାଉଛି ଯେ, ଏହି ଦେଶମାନଙ୍କରେ ସ୍ନାନକୁଣ୍ତର ସଂଖ୍ୟା ଟେଲିଭିଜନ ସେଟ୍‌ର ସଂଖ୍ୟା ସଙ୍ଗେ ସମାନ ହୋଇ ଗଲାଣି-। ଘରୁ ପଦାକୁ ବାହାରିବାବେଳେ ସେମାନେ ବ୍ୟବହାର କରୁଛନ୍ତି ସୁଦୃଶ୍ୟ ବୃହଦାକୃତି ମଟରଗାଡ଼ି; ପୁଣି ପ୍ରତିବର୍ଷ ନୂଆନୂଆ ଡିଜାଇନ୍‌ର ଗାଡ଼ି ଚଳାଇବାକୁ ସେମାନେ ନିଜ ନିଜ ସାମାଜିକ ପ୍ରତିପତ୍ତିର ପରିଚାୟକ ରୂପେ ବିଚାର କରୁଛନ୍ତି । ବେଶ ପୋଷାକର ଚାହିଦା ପୂରଣ କରିବା ପାଇଁ ଯୋଗାଇ ଦିଆଯାଉଛି ବିଭିନ୍ନ ଡିଜାଇନ୍‌ର କୃତ୍ରିମ ବସ୍ତ୍ର । ଯେ କୌଣସି ପ୍ରକୃତିଲବ୍‌ଧ ପଦାର୍ଥର ଚାହିଦା ପୂରଣ କରିବା ପାଇଁ ରାସାୟନିକ ସଂଶ୍ଳେଷଣ ପଦ୍ଧତି ଅନୁସୃତ କୃତ୍ରିମ ପଦାର୍ଥ ଯୋଗାଇ ଦେବାରେ ଅସୁବିଧା ନାହିଁ । ପୁଣି ଏ ସମସ୍ତ ଚାହିଦା ପୂରଣ ହୋଇଯିବା ସଙ୍ଗେ ସଙ୍ଗେ ଜୀବନର ମାଦକତା ଓ ରୋମାଞ୍ଚ ଅନୁଭବ ପାଇଁ ବହୁବିଧ କୃତ୍ରିମ ତଥା ପ୍ରକୃତିଲବ୍‌ଧ ମାଦକ ଦ୍ରବ୍ୟ ପ୍ରସ୍ତୁତ କରାଯାଉଛି । ଉତ୍ପାଦନର ହାର ବଢ଼ାଇବା ସଙ୍ଗେ ସଙ୍ଗେ ଗଚ୍ଛିତ ପୁଞ୍ଜିର ମାତ୍ରା ବଢ଼ାଇବା ପାଇଁ ଅହରହ କର୍ମଚଞ୍ଚଳ ଏ ଦେଶର ନାଗରିକମାନେ ସାମାନ୍ୟ ବିଶ୍ରାମ ନେବା ପାଇଁ ଯେତିକି ସମୟ ପାଉଛନ୍ତି, ସେଥିରେ ମାନସିକ ଶାନ୍ତି ତଥା ଜୀବନର ମାଦକତା ଓ ରୋମାଞ୍ଚ ଉପଭୋଗ କରିବା ପାଇଁ ସେମାନେ ଅର୍ଥ ବିନିମୟରେ ବୀଭତ୍ସ ଯୌନ ଜୀବନ ତଥା ଦୁଃସାହସିକ ସମାଜବିରୋଧି କାର୍ଯ୍ୟରେ ଆତ୍ମନିୟୋଗ କରିବାକୁ ଆଗ୍ରହୀ ହେଉଛନ୍ତି । ତେଣୁ ଏ ଦେଶମାନଙ୍କରେ ବର୍ତ୍ତମାନ ସାମାଜିକ ଜୀବନ କଳୁଷିତ ହୋଇ ଯାଇଥିବାର ଲକ୍ଷ୍ୟ କରାଗଲାଣି । କୌଣସି ପ୍ରକାର ଅଧ୍ୟାତ୍ମିକ ପ୍ରଭାବ ଜନମାନସରେ ମାନବିକତାବୋଧସମ୍ପନ୍ନ ପ୍ରବୃତ୍ତି ଜାତ କରାଇବାକୁ ଅସମର୍ଥ ହୋଇଥିବାର ଲକ୍ଷ୍ୟ କରାଯାଉଛି । ଭବିଷ୍ୟତକୁ ବେଖାତିର କରି ଏ ଦେଶମାନଙ୍କରେ ସ୍ଵାର୍ଥନ୍ୱେଷୀ ବଣିକ ସମ୍ପ୍ରଦାୟ ପ୍ରାକୃତିକ ସମ୍ପଦକୁ ଯେପରି ବେପରବାୟ ଭାବରେ ବ୍ୟୟ କରୁଥିଲେ, ସେପରି ଅପରିଣାମଦର୍ଶୀ କର୍ମପ୍ରବଣତାର ପଥ ରୁଦ୍ଧ ହୋଇଯିବାର ଆଶଙ୍କା ଜନମାନସକୁ ବିବ୍ରତ କରି ପକାଇଲାଣି । ଶକ୍ତି ଅନାଟନ ସମସ୍ୟାର ସମାଧାନ ପାଇଁ ସେ ଦେଶମାନଙ୍କରେ ତ୍ୱରାନ୍ୱିତ ବେଗରେ ଗବେଷଣା ପରିଚାଳିତ ହେଲାଣି । ପୂର୍ବରୁ ଯେଉଁ ପ୍ରକାର କାରସାଦୀ ପ୍ରୟୋଗ କରି ସେମାନେ ଶିଳ୍ପର ଅଭ୍ୟୁତ୍‍ଥାନ ପାଇଁ ବିଦେଶରୁ ସୁବିଧାରେ କଞ୍ଚାମାଲ ଯୋଗାଡ଼ କରି ପାରୁଥିଲେ ସାମ୍ପ୍ରତିକ ଯୁଗର ରାଜନୈତିକ ପରିସ୍ଥିତି ତାହାର ପଥରୋଧ କରିବାର ବେଳ ପାଖେଇ ଆସିଲାଣି-ନିକଟ ଅତୀତରେ ମଧ୍ୟପାଚ୍ୟ ରାଷ୍ଟ୍ରସମୂହ ଏକଜୁଟ ହୋଇ ଅଶୋଧିତ ଖଣିଜ ତୈଳର ମୂଲ୍ୟ ଯେପରିଭାବରେ ବଢ଼ାଇ ଦେଇଛନ୍ତି ତଜ୍ଜନିତ ଏହି ରାଷ୍ଟ୍ରମାନଙ୍କରେ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟି ହୋଇଛି । ଇଞ୍ଜିନ୍‌ଚାଳିତ ଯାନଗୁଡ଼ିକର ନିର୍ମାଣ ପଦ୍ଧତି ବଦଳାଇ ଦେବା ପାଇଁ ତଥା ପରିବହନ କ୍ଷେତ୍ରରେ ସ୍ୱଳ୍ପ ଶକ୍ତି ବିନିମୟରେ ଫଳପ୍ରଦ ବ୍ୟବସ୍ଥାର ପ୍ରଚଳନ ପାଇଁ ଏ ଦେଶମାନଙ୍କରେ ଜୋରସୋରରେ ଗବେଷଣା ଚାଲିଛି । ପୁଣି ଏ ରାଷ୍ଟ୍ରମାନଙ୍କରେ ଶକ୍ତି ଅନାଟନ ସମସ୍ୟା ଯେତିକି ଆଲୋଡ଼ନ ସୃଷ୍ଟି କରିଛି, ପରିବେଶର ଦୂଷିତୀକରଣ ମଧ୍ୟ ତଦନୁରୂପ ଚାଞ୍ଚଲ୍ୟ ସୃଷ୍ଟି କରିବାକୁ ସମର୍ଥ ହୋଇଛି । ଇଞ୍ଜିନ୍‌ଚାଳିତ ଯାନ ଗୁଡ଼ିକର ବାହୁଳ ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ବିଷାକ୍ତ କାରବନ୍ ମନୋକସାଇଡ଼ ଗ୍ୟାସର ମାତ୍ରା ଅଧିକ ହୋଇଯାଉଛି, କଳକାରଖାନା ନିଃସୃତ ବିଷାକ୍ତ ଧୂମ ଓ ଆବର୍ଜନା ଯୋଗୁଁ ଉଭୟ ଜଳ ଓ ସ୍ଥଳଭାଗ ଦୂଷିତ ହେଉଛି; ଶବ୍ଦଠାରୁ ଅଧିକ ବେଗରେ ଧାବିତ ଜେଟ୍ ବିମାନ ନିଃସୃତ ଗ୍ୟାସ ବାୟୁମଣ୍ଡଳରୁ ଓଜନ ଗ୍ୟାସର ପରିମାଣ କ୍ରମଶ କମାଇ ଦେଇଥିବାରୁ ସୌରାଗତ ପାରଲୋହିତ ରଶ୍ମିର ଅନିଷ୍ଟକାରୀ ପ୍ରଭାବର ଆଶଙ୍କା ଜନମାନସକୁ ବିଚଳିତ କଲାଣି; ଲାଭଖୋର କୃଷକ ବର୍ତ୍ତମାନ ସର୍ବସ୍ୱ ମନୋବୃତ୍ତି ପୋଷଣ କରି କର୍ଷଣକ୍ଷମ କୃଷକ୍ଷେତ୍ରରେ ବେପରବାୟ ଭାବରେ ରାସାୟନିକ ସାର ପ୍ରୟୋଗ କରି ତାହାକୁ ନଷ୍ଟ କରି ଦେବାକୁ ଉଦ୍ୟତ ହେଲାଣି, ଇଲେକ୍‌ଟ୍ରୋନିକ୍ ଯନ୍ତ୍ରପାତିର ବହୁଳ ପ୍ରୟୋଗ ତଥା ବିଜ୍ଞାନସର୍ବସ୍ୱ ମନୋବୃତ୍ତିର ପରିପ୍ରକାଶ ଯୋଗୁଁ ଯେଉଁ ଶବ୍ଦ ସୃଷ୍ଟି କରାଯାଉଛି ତାର ଉତ୍ପୀଡ଼ନ ଯୋଗୁଁ ମନୁଷ୍ୟର ସ୍ନାୟୁବିକ ସଂସ୍ଥା ବିକୃତ ହୋଇଯାଉଛି ଯାନବାହାନର ଅବାଞ୍ଚିତ ଶବ୍ଦ ତଥା କଳକାରଖାନାର ଘୋ ଘୋ ଶବ୍ଦ ମନୁଷ୍ୟର ମାନସିକ ସଂସ୍ଥିତିକୁ ଦୁର୍ବଳ କରି ପକାଇଲାଣି । ତେଣୁ ପରିବେଶର ଦୂଷିତୀକରଣକୁ ରୋକିବା ପାଇଁ ଏ ଦେଶମାନଙ୍କରେ ଆଇନସମ୍ମତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲାଣି ।

 

ଉଲ୍ଲିଖିତ ସଂକ୍ଷିପ୍ତ ଆଲୋଚନା ଉପଲବ୍‌ଧ ହେଉଛି ଯେ ପାଶ୍ଚାତ୍ୟ ଶିଳ୍ପୋନ୍ନତ ରାଷ୍ଟ୍ର ଗୁଡ଼ିକ ନିମ୍ନଲିଖିତ ଶୁଭଙ୍କରୀ ଉଦ୍ଦେଶ୍ୟ ସାଧନ ପାଇଁ ସମ୍ପ୍ରତି ଯତ୍ନଶୀଳ ହୋଇଛନ୍ତି—

 

(କ) ବିଜ୍ଞାନାଶ୍ରୟୀ ସଭ୍ୟତାର ସଂସ୍ଥିତିକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଶକ୍ତି ଅନାଟନ ସମସ୍ୟାର ସମାଧାନ ପାଇଁ ଜରୁରୀକାଳୀନ ଭିତ୍ତିରେ ନୂତନ ପନ୍ଥା ଅନ୍ୱେଷଣ; ଯଥା—ସୌର ଶକ୍ତି, ଭୂତାପୀୟ ଶକ୍ତି, ପରିତ୍ୟକ୍ତ ପଦାର୍ଥରୁ ସଂଶ୍ଳେଷିତ ରାସାୟନିକ ଶକ୍ତି, ଜୁଆରଶକ୍ତି, ଚୂମ୍ବକୀୟ ଜଳଗତିକ ଶକ୍ତି, ସମୁଦ୍ରଗର୍ଭ ତଥା ଦୁର୍ଗମ ସ୍ଥାନର ଖଣିଜ ତୈଳର ସନ୍ଧାନ ପ୍ରଭୃତି ।

 

(ଖ) ପରିବେଶର ଦୂଷିତୀକରଣକୁ ରୋକିବା ସଙ୍ଗେ ସଙ୍ଗେ ଶିଳ୍ପର ଅଭ୍ୟୁତ୍‌ଥାନ ଘଟାଇବା ପାଇଁ ଅଭିନବ ଦୃଷ୍ଟିକୋଣରୁ ପ୍ରଯୁକ୍ତି ବିଦ୍ୟାର ସମୃଦ୍ଧି ସାଧନ ।

 

(ଗ) ବସ୍ତ୍ରବାଦୀ ସଭ୍ୟତାର ସ୍ଥାୟିତ୍ଵ ବଜାୟ ରଖିବା ସଙ୍ଗେ ସଙ୍ଗେ ଜନମାନସରେ ମାନବିକତାବୋଧ ଜାଗ୍ରତ କରାଇବା ପାଇଁ ଉପାୟ ଅନ୍ୱେଷଣ; ସମାଜବିଜ୍ଞାନୀ ଓ ବୈଜ୍ଞାନିକମାନଙ୍କ ମିଳିତ ସହଯୋଗରେ ବହୁବିଧ ଜନହିତକାର ଯୋଜନାଗୁଡ଼ିକର ସଫଳ ରୂପାୟନ ।

 

ଦାରିଦ୍ର୍ୟର ଉତ୍ପୀଡ଼ନ :–ପୃଥିବୀର ଅଧିକାଂଶ ରାଷ୍ଟ୍ର, ବିଶେଷକରି ଏସିଆ ଓ ଆଫ୍ରିକାର ବହୁରାଷ୍ଟ୍ର ଚଳିତ ଶତାବ୍ଦୀର ମଧ୍ୟଭାଗରେ ଔପନିବେଶିକ ଶାସନ କବଳରୁ ମୁକ୍ତି ଲାଭ କରିଛନ୍ତି । ବିଦେଶୀ ଶାସକମାନଙ୍କ ସ୍ଵାର୍ଥାନ୍ୱେଷା ଆଚରଣ ଓ ଏ ଦୁର୍ଭାଗା ରାଷ୍ଟ୍ରଗୁଡ଼ିକର ଜାତୀୟ ସମ୍ପଦକୁ ଲୁଣ୍ଠନ କରି ନିଜ ଦେଶରେ ଶିଳ୍ପର ଅଭିବୃଦ୍ଧି ଘଟାଇବାର ଲୋଭାତୁର କର୍ମପ୍ରବଣତା ସମ୍ପ୍ରତି ବିଶ୍ଵ ଦରବାରରେ ଏ ରାଷ୍ଟ୍ରଗୁଡ଼ିକ ବିକାଶଶୀଳ ବା ଅନୁନ୍ନତ ରାଷ୍ଟ୍ର ରୂପେ ପ୍ରତିଷ୍ଠିତ କରିଛି । ଉତ୍କଟ ଖାଦ୍ୟାଭାବ ଶିଳ୍ପର ସମୃଦ୍ଧି ସାଧନ ପାଇଁ ଆବଶ୍ୟକୀୟ ପୁଞ୍ଜି ଓ କାରିଗରମାନଙ୍କ ଅଭାବ, ଦେଶପୋଯୋଗୀ ଶିକ୍ଷା ପଦ୍ଧତିର ପ୍ରଚଳନ ପଥରେ ଆର୍ଥିକ ଅନାଟନ, ଶକ୍ତି ଯୋଗାଣ ପାଇଁ ପରରାଷ୍ଟ୍ର ଉପରେ ନିର୍ଭର କରୁଥିବା ବେଳେ ବୈଦେଶିକ ମୁଦ୍ରାର ଅଭାବ ଯୋଗୁଁ ଉପୁଜୁଥିବା ବିଷମ ପରିସ୍ଥିତି, ନିଜ ଦେଶରୁ ରତ୍ପାନୀ କରାଯାଉଥିବା କଞ୍ଚାମାଲ ତଥା ଖଣିଜ ସମ୍ପଦକୁ ଶିଳ୍ପୋନ୍ନତ ରାଷ୍ଟ୍ରମାନଙ୍କୁ ଚାଲାଣ କରିବା ପୂର୍ବରୁ ଆନ୍ତଃରାଷ୍ଟ୍ରୀୟ ମେଣ୍ଟ ଜରିଆରେ ଦରଦାମ ସ୍ଥିର କରିବାର ଦୃଢ଼ ମନୋଭାବ, ସାମୁଦ୍ରିକ ଜଳଭାଗ ତଥା ଭୂଗର୍ଭସଂଚିତ ଖଣିଜ ସମ୍ପଦର ସୁଷମ ବଣ୍ଟନ ପାଇଁ ଆପତ୍ତି କରିବାର ପ୍ରଚେଷ୍ଟା, ଖାଦ୍ୟ ଅନାଟନ ସୁଧାରିବା ପାଇଁ ‘ପୃଥିବୀ ଖାଦ୍ୟ ଭଣ୍ଡାର’ ଶୀର୍ଷକ ଗୋଟିଏ ସଂସ୍ଥା ଉନ୍ମୋଚନ କରିବା ପାଇଁ ବିପୁଳ ଆଗ୍ରହ, ଉପନିବେଶ ସ୍ଥାପନ କରି ନିଜ ନିଜ ଦେଶକୁ ଲୁଣ୍ଠନ କରିଥିବା କପାଳିଆ ରାଷ୍ଟ୍ରଗୁଡ଼ିକ ଉପରେ ନୈତିକ ଚାପ ପକାଇ ନିଜ ଦେଶପାଇଁ ଆବଶ୍ୟକୀୟ ପୁଞ୍ଜି ଓ ସରଞ୍ଜାମ ଆଦାୟ କରିବାର ଉଦ୍ୟମ, ଶିଳ୍ପୋନ୍ନତ ରାଷ୍ଟ୍ରମାନଙ୍କର ଉପଦେଶଗୁଡ଼ିକୁ ନୈତିକ ଦୃଷ୍ଟିକୋଣରୁ ପ୍ରତ୍ୟାଖ୍ୟାନ, ମିଳିତ ଜାତିସଂଘ ଜରିଆରେ ସମଗ୍ର ପୃଥିବୀରେ ସମ୍ପଦର ସୁଷମ ବଣ୍ଟନ ତଥା ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କାରବାରର ନିୟନ୍ତ୍ରଣ ପାଇଁ ଗୋଟିଏ ‘ଅର୍ଥନୈତିକ ଶୃଙ୍ଖଳା’ ସୃଷ୍ଟି କରିବାର ବ୍ୟାପକ ଆୟୋଜନ ଏ ଦେଶଗୁଡ଼ିକର ରାଷ୍ଟ୍ରୀୟ ରାଜନୀତିକୁ ନିୟନ୍ତ୍ରଣ କରୁଥିବାର ଲକ୍ଷ୍ୟ କରାଯାଉଛି । ପ୍ରତ୍ୟେକ ଅନୁନ୍ନତ ତଥା ବିକାଶଶିଳ ରାଷ୍ଟ୍ରକୁ ଅନ୍ୟ ପ୍ରତିବେଶୀ ରାଷ୍ଟ୍ର ପକ୍ଷରେ ଟିହାଇ ତଥା ବୈଦେଶିକ ସାହାଯ୍ୟ ବିନିମୟରେ ଯୁଦ୍ଧ ଆରମ୍ଭ କରିବାକୁ ପ୍ରବର୍ତ୍ତାଇ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଯେପରିଭାବରେ ପ୍ରଚୁର ପରି-ମାଣର ପ୍ରତିରକ୍ଷା ସରଞ୍ଜାମ ବିମାନ ଓ ଜାହାଜ ବିକ୍ରୟ କରି ପ୍ରଚୁର ଫାଇଦା ଉଠାଉଥିଲେ, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ତାର ପଥରୋଧ କରୁଥିବାର ପରିଲକ୍ଷିତ ହୋଇଛି । ଅନୁନ୍ନତ ରାଷ୍ଟ୍ରର କର୍ତ୍ତୁପକ୍ଷ ସେମାନଙ୍କର ଏ ଚାଲାକୀ ଓ ବ୍ୟବସାୟିକ ଚକ୍ରାନ୍ତ ସମ୍ବନ୍ଧରେ ଜାଣି ଯିବାପରେ ନିଜ ନିଜ ଦେଶର ଅତ୍ୟାବଶ୍ୟକ ଚାହିଦା ପୂରଣ ଦିଗରେ ଯତ୍ନଶୀଳ ହେବାକୁ ଶ୍ରେୟସ୍କର ମଣୁଛନ୍ତି-

 

ତେଣୁ ସମ୍ପ୍ରତି ପ୍ରତ୍ୟେକ ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ରରେ ନିମୋକ୍ତ ପ୍ରକାରେ ଜନହିତକାରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିବାର ପରିଲକ୍ଷିତ ହେଉଛି:—

 

(କ) ଜନସାଧାରଣଙ୍କୁ ଅଜ୍ଞତା ତଥା କୁସଂସ୍କାର କବଳରୁ ମୁକ୍ତ କରିବାପାଇଁ ବ୍ୟାପକ ଜାତୀୟ ଶିକ୍ଷା ପଦ୍ଧତିର ପ୍ରଚଳନ;

 

(ଖ) କୃଷି, ଶିଳ୍ପ ଓ ଚିକିତ୍ସା ପଦ୍ଧତିର କ୍ରମୋନ୍ନତି ପାଇଁ ନିଜ ଦେଶର ସମ୍ବଳକୁ ଭିତ୍ତିକରି ଜନହିତକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ;

 

(ଗ) ପରିବାର ନିୟନ୍ତ୍ରଣ ତଥା ସମାଜ କଲ୍ୟାଣ ପାଇଁ ବ୍ୟାପକ ପ୍ରଚେଷ୍ଟା;

 

(ଘ) ବିଭିନ୍ନ ଅନୁନ୍ନତ ତଥା ବିକାଶଶୀଳ ରାଷ୍ଟ୍ର ଗୁଡ଼ିକର ମିଳିତ ଉଦ୍ୟମ ଜରିଆରେ କୃଷି ଓ ଶିଳ୍ପ କ୍ଷେତ୍ରରେ ସମୃଦ୍ଧ ତଥା ବାଣିଜ୍ୟ କାରବାରର ନିୟନ୍ତ୍ରଣ ପାଇଁ ବିହିତ ପନ୍ଥା ଅନ୍ଵେଷଣ;

 

(ଙ) ପୃଥିବୀର ସମସ୍ତ ପ୍ରାକୃତିକ ସମ୍ପଦର ସୁଷମ ବଣ୍ଟନ ପାଇଁ ମିଳିତ ଜାତିସଂଘ ଆନୁକୁଲ୍ୟରେ ବ୍ୟାପକ ପ୍ରଚେଷ୍ଟା;

 

(ଚ) ‘ଥିଲାବାଲା’ ଓ ‘ନଥିଲାବାଲା’ ଦେଶଗୁଡ଼ିକ ମଧ୍ୟରେ ଅର୍ଥନୈତିକ ବୈଷମ୍ୟର ଦୂରୀକରଣ ପାଇଁ ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କ୍ଷେତ୍ରରେ ପୂର୍ବ ପ୍ରଚଳିତ ଅର୍ଥନୈତିକ ଶୃଙ୍ଖଳାଗତ ନିୟମଗୁଡ଼ିକୁ କୋହଳ କରାଯିବା ପଥରେ ବ୍ୟାପକ ଉଦ୍ୟମ ପ୍ରଭୃତି ।

 

ସ୍ଥିତାବସ୍ଥା ସୁଧୁରିବ କି :—ବିଗତ ଦଶନ୍ଧି ମଧ୍ୟରେ:ପୃଥିବୀ ବିଭିନ୍ନ ରାଷ୍ଟ୍ର ଆନ୍ତଃରାଷ୍ଟ୍ରୀୟ ସହଯୋଗ ଭିତ୍ତିରେ ଯେଉଁ ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି; ମିଳିତ ଜାତିସଂଘ ଆନୁକୂଲ୍ୟରେ ସମଗ୍ର ମାନବ ଜାତିର କଲ୍ୟାଣ ସାଧନ ପାଇଁ ଯେଉଁ କେତୋଟି ସଂଗଠନ ଜରିଆରେ ପ୍ରଶସନୀୟ ଜନହିତକାରୀ କ୍ରିୟାନୁଷ୍ଠାନ ଗୃହୀତ ହୋଇଛି; ପରିବେଶକୁ ନିର୍ମଳ ରଖିବା ସଙ୍ଗେସଙ୍ଗେ ପ୍ରଯୁକ୍ତି ବିଦ୍ୟାର ସମୃଦ୍ଧି ସାଧନ ପାଇଁ ଅଭିନବ ଆଭିମୁଖ୍ୟ ଘେନି ଗବେଷଣାର ମାର୍ଗକୁ ଯେପରିଭାବରେ ବଦଳାଇ ଦିଆଗଲାଣି; ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାରସ୍ପରିକ ସହଯୋଗିତା ବିନିମୟରେ ନିଜ ନିଜ ଦେଶର ସୁସଂଯତ ବିକାଶ କଳ୍ପେ ଯେଉଁ ପ୍ରକାର କ୍ରିୟାନୁଷ୍ଠାନର ଶୁଭାରମ୍ଭ ଘଟାଇଛନ୍ତି; ଯୁଗୋପଯୋଗୀ ଜାତୀୟ ଶିକ୍ଷାଦାନ ପଦ୍ଧତିର ପ୍ରଚଳନ ପାଇଁ ବିକାଶ-ଶୀଳ ରାଷ୍ଟ୍ରମାନଙ୍କରେ ଯେପରି ବିପୁଳ ଆଗ୍ରହ ପ୍ରକାଶ ପାଉଛି; ମନୁଷ୍ୟର ମୌଳିକ ଜନ୍ମଗତ ଅଧିକାରକୁ ସାବ୍ୟସ୍ତ କରାଇବା ପାଇଁ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯେଉଁ ପ୍ରକାର ବିପୁଳ ଜନମତ ପ୍ରକାଶିତ ହେଉଛି ଏବଂ ଉନ୍ନତ ରାଷ୍ଟ୍ରଗୁଡ଼ିକର ସରକାରୀ କର୍ତ୍ତୃପକ୍ଷ ଏ ଦିଗରେ ଯେପରି ବିପୁଳ ଉତ୍ସାହ ପ୍ରଦର୍ଶନ କରୁଛନ୍ତି, ଆଣବିକ ଜୀବ-ବିଜ୍ଞାନ ଓ ପ୍ରଜନନ ବିଦ୍ୟା ସମ୍ବନ୍ଧୀୟ ଗବେଷଣା ଯେପରି ସମାଜବିଜ୍ଞାନୀ ଓ ଆଇନଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ଶୃଙ୍ଖଳିତ ମାର୍ଗରେ ପରିଚାଳିତ ହେଉଥିବାର ଲକ୍ଷ୍ୟ କରାଯାଉଛି; ବୈଜ୍ଞାନିକ ଗବେଷଣାପ୍ରସୂତ ଫଳକୁ ପ୍ରାୟୋଗିକ କ୍ଷେତ୍ରରେ ବିନିଯୋଗ କରାଯିବା ପୂର୍ବରୁ ସମାଜବିଜ୍ଞାନୀମାନଙ୍କ ଦ୍ଵାରା ତାର ସୁଦୂରପ୍ରସାରୀ ଉପଯୋଗ ଓ ଅଭିଜାନକାରୀ ପ୍ରଭାବ ସମ୍ବଦ୍ଧରେ ସମୀକ୍ଷା ଚଳାଇବା ଦିଗରେ ଯେପରି ବିପୁଳ ଜନମତ ପ୍ରକଟିତ ହେଉଛି; ବର୍ଣ୍ଣବୈଷମ୍ୟ, ଜାତିଭେଦ ଓ ମହିଳାମାନଙ୍କ ସ୍ଵାଧୀକାର ସମ୍ବନ୍ଧୀୟ ବ୍ୟାପାରଗୁଡ଼ିକର ସନ୍ତୋଷଜନକ ସମାଧାନ ପାଇଁ ଯେପରି କ୍ରିୟାନୁଷ୍ଠାନ ଗୃହୀତ ହେଉଛି, ପରମାଣୁ ଶକ୍ତିର ଅନିଷ୍ଟକାରୀ ଉପଯୋଗକୁ ରୋକିବା ଦିଗରେ ବିହିତ ଆନ୍ତଃରାଷ୍ଟ୍ରୀୟ ରାଜିନାମା ପ୍ରଣୟନ ଦିଗରେ ଯେପରି ଜୋରସୋର ଉଦ୍ୟମ ଚାଲିଛି, ପୁଞ୍ଜିବାଦୀ ଗଣତାନ୍ତ୍ରିକ ଶାସନ ପଦ୍ଧତି ଅନୁସୃତ ରାଷ୍ଟ୍ରମାନଙ୍କରେ ଅଭିନବ ଅର୍ଥନୈତିକ ଶୃଙ୍ଖଳା ଅବଲମ୍ବନରେ ସମାଜବାଦ ପ୍ରତିଷ୍ଠା ପାଇଁ ପ୍ରବୀଣ ଅର୍ଥନୀତିଜ୍ଞମାନେ ଯେପରି ଅଭିନବ ଦିଗଦର୍ଶନ ପ୍ରଦାନ କରିବାକୁ ଆଗ୍ରହୀ ହୋଇଛନ୍ତି ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଏକଛତ୍ରବାଦ ବ୍ୟତରେକେ ଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନରେ କମ୍ୟୁନିଜମର ପ୍ରସାର ଘଟାଇବା ପାଇଁ ଯେପରି ଅଭିନବ ରାଜନୈତିକ ଚିନ୍ତାଧାରାର ସୂତ୍ରପାତ ଘଟୁଛି; ସମାଜ ବିଜ୍ଞାନ ଓ ପରିବେଶ ବିଜ୍ଞାନର ଅଧ୍ୟୟନ ଓ ଅନୁଶୀଳନ ପ୍ରତି ଯେପରି ଅଗ୍ରାଧିକାର ଆରୋପ କରାଯାଉଛି; ପ୍ରାଚ୍ୟ ଧର୍ମ ଓ ଦର୍ଶନ ସମ୍ବନ୍ଧରେ ବ୍ୟାପକ ଅଧ୍ୟୟନ ଓ ଅନୁଶୀଳନ ପାଇଁ ବସ୍ତୁବାଦୀ ସଭ୍ୟତାର ଉପାସକମାନେ ଯେପରି ଅପରିମିତ ଆଗ୍ରହ ପ୍ରକାଶ କରୁଛନ୍ତି; ମାନବଜାତିର ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ଭବିଷ୍ୟତ ବିଜ୍ଞାନ ସମ୍ବନ୍ଧୀୟ ଅଧ୍ୟୟନ ଓ ଅନୁଶୀଳନ ଯେପରି ତ୍ଵରାନ୍ଵିତ ବେଗରେ ସଂଘଟିତ ହେଉଛି, ତାହାକୁ ଲକ୍ଷ୍ୟ କରିବା ପରେ ଜଣାପଡ଼ୁଛି ଯେ ଜୈବ ବିବର୍ତ୍ତନ (ଅରଗାନିକ୍ ଇଭୋଲ୍ୟୁସନ) ସହ ତାଳ ମିଳାଇ ମନୁଷ୍ୟର ସାଂସ୍କୃତିକ ବିବର୍ତ୍ତନ ସଂଘଟିତ ହେଉଛି । ଏ ରୂପ ସାଂସ୍କୃତିକ ବିବର୍ତ୍ତନ ସମଗ୍ର ପୃଥିବୀର ଜନସାଧାରଣଙ୍କୁ ସୁଖଶାନ୍ତିମୟ ଜୀବନ ଯାପନ ପାଇଁ ଧରଣୀ ବକ୍ଷରେ ନୈସର୍ଗିକ ପରିବେଶ ଯୋଗାଇ ଦେବାର ସମ୍ଭାବନାକୁ ଏଡ଼ି ହେବ ନାହିଁ । ପୃଥିବୀର ବିଭିନ୍ନ ରାଷ୍ଟ୍ରଗୁଡ଼ିକ ବହୁ ବିରୋଧାଭାସଗୁଡ଼ିକର ମୁକାବିଲା କରିବା ସଙ୍ଗେ ସଙ୍ଗେ ଗୋଟିଏ ଉତ୍ତମ ଆନ୍ତଃରାଷ୍ଟ୍ରୀୟ ବୁଝାମଣାରେ ଉପନୀତ ହେବା ଯୋଗୁଁ ମନୁଷ୍ୟ ନିର୍ମଳ ପରିବେଶ ମଧ୍ୟରେ ସୁଖଶାନ୍ତିମୟ ଜୀବନଯାପନ କରିବାର ଆଶାବାଦୀ ମନୋଭାବ ପୋଷଣ କରିବା ଅବାସ୍ତବ ବୋଧ ହେଉ ନାହିଁ । ଚଳିତ ଶତାବ୍ଦୀରେ ମନୁଷ୍ୟର ଚେତନାର ଉତ୍ତରଣ ଘଟାଇବା ପାଇଁ ଯେପରି ଭାବରେ ଜ୍ଞାନ ବିସ୍ପୋରଣ ସଂଘଟିତ ହୋଇଛି, ନିଜ ଦାୟାଦମାନଙ୍କର ଶୁଭ ମନାସୁଥିବା ମନୁଷ୍ୟ ଇତିହାସରୁ ଶିକ୍ଷାଲାଭ କରିବା ସଙ୍ଗେ ସଙ୍ଗେ ସେହି ଜ୍ଞାନର ସଦୁପଯୋଗ କରି ପାରିଲେ ସର୍ବଂସହା ସମାଜ ମାନବଜାତିର ଲାଳନ ପାଳନ ପାଇଁ ଆୟ ଅନୁକୂଳ ପରିବେଶ ଯୋଗାଇ ଦେବା ପୃଥିବୀର ପ୍ରତ୍ୟେକ ଦେଶର ଜ୍ଞାନୀ ତଥା ବିଚାରବନ୍ତ ନାଗରିକ ମାନବିକତାବୋଧସମ୍ଫନ୍ନ ଗୁଣ ବଳରେ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହି ପାରିଲେ ମନୁଷ୍ୟର ସୁନେଲୀ ଭବିଷ୍ୟତର ସଫଳ ରୂପାୟନ ସମ୍ଭବ ହୋଇପାରିବ ।

Image

 

Unknown

ଭଲ କାମ

॥ ୧ ॥

 

କ୍ଷୁଦ୍ର ହିଁ କମନୀୟ :—ବିଜ୍ଞାନାଶ୍ରୟୀ ସଭ୍ୟତାର ଚାକଚକ୍ୟରେ ବିମୋହିତ ହୋଇ ପୁଷ୍ଟିଗହନ ଶିଳ୍ପଗୁଡ଼ିକର ଉତ୍ତରୋତ୍ତର ଅଭିବୃଦ୍ଧି ଘଟାଇବା ପାଇଁ ବିଜ୍ଞାପନସର୍ବସ୍ୱ ମନୋବୃତ୍ତି ବିନିମୟରେ ଅନ୍ତର୍ଦେଶୀୟ ବାଣିଜ୍ୟର ବ୍ୟାପକ ପ୍ରସାର ଘଟାଇବା ପାଇଁ ଦୁର୍ବଳ ବ୍ୟକ୍ତି ବା ଦୁର୍ବଳ ଜାତିକୁ ଶୋଷଣ କରିବା ଫଳରେ ନିଜର ବା ନିଜ ଜାତିର ଜୀବନଧାରଣର ମାନରେ କ୍ରମୋନ୍ନତି ଘଟାଇବା ପାଇଁ, ପରିବେଶ ଓ ପରିସଂସ୍ଥାର ଦୂଷିତୀକରଣ ପ୍ରତି ନଜର ଦେବା ପରିବର୍ତ୍ତେ ବଣିକସୁଲଭ ଓ ସ୍ୱାର୍ଥସର୍ବସ୍ୱ କର୍ମତତ୍ପରତା ବିନିମୟରେ ଅଧିକରୁ ଅଧିକ ସମ୍ପଦ ଠୁଳ କରିବା ପାଇଁ, ଯନ୍ତ୍ରବତ୍ ରୁଟିନ ବନ୍ଧା ଜୀବନଯାପନ କରିବାର ମାନସିକ ଅବସାଦକୁ ପାଶୋରି ପକାଇବା ଉଦ୍ଦେଶ୍ୟରେ ବହୁବିଧ ବ୍ୟଭିଚାର ଓ ଉନ୍ମାଦନା-ସୃଷ୍ଟିକାରୀ ଅସାମାଜିକ ବ୍ୟାପାରରେ ଲିପ୍ତ ରହି ବିଚିତ୍ର ମାଦକତା ଉପଭୋଗ କରିବା ପାଇଁ ଶିଳ୍ପୋନ୍ନତ ରାଷ୍ଟ୍ରର ଜନସାଧାରଣ ଯେପରି କର୍ମମୟ ଜୀବନ ବିତାଉଛନ୍ତି, ଅନୁନ୍ନତ ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଜନସାଧାରଣ ମଧ୍ୟ ତଦନୁ-ରୂପ ଜୀବନପ୍ରବାହର ସର୍ଜନା ପାଇ ସେମାନଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରଲୋଭିତ ହେଉଛନ୍ତି । ଏପରି ଜୀବନ-ଯାତ୍ରାର ଅନ୍ତିମ ପରିଣତି ଦୁଃଖାବହ ଓ ପ୍ରଳୟଙ୍କରୀ ହୋଇଥିବା ସମ୍ପର୍କରେ ମାନବ ଜାତିର ଶୁଭଚିନ୍ତକ ରୂପେ ବୁଦ୍ଧିଜୀବୀ-ମାନେ ବାରମ୍ଵାର ଚେତାବନୀ ଶୁଣାଉଛନ୍ତି । ସଭ୍ୟତାର ମୋଡ଼କୁ ବଦଳାଇ ଦେବାପାଇଁ ସେମାନଙ୍କ ମଧ୍ୟରୁ ମୁଷ୍ଟିମେୟ ଚିନ୍ତାନାୟକ ଏପରି ଉଦ୍ୟମ କରିଛନ୍ତି ଯେ ମହାପ୍ରୟାଣ ଘଟିବା ପରେ ମଧ୍ୟ ସେମାନଙ୍କ ପରାମର୍ଶ ବିଷୟାସକ୍ତ ସ୍ଵାର୍ଥପର ଅହଙ୍କାରୀ ମନୁଷ୍ୟର ମାନସପଟରେ ଆଲୋଡ଼ନ ସୃଷ୍ଟି କରୁଛି । ଏହି ମହାନୁଭବ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଇ.ଏଫ୍, ସ୍କୁମାଚର, ଅନ୍ୟତମ । ‘ସ୍କୁଲ୍ ଇଜ୍‌ ବିଉଟିଫୁଲ’ ଶୀର୍ଷକ ପୁସ୍ତକଟିକୁ ରଚନା କରି ସେ ସାରା ପୃଥିବୀର ବୁଦ୍ଧିଜୀବୀ ମହଲରେ ଅବଶ୍ୟ ଚହଳ ସୃଷ୍ଟି କରିଥିଲେ; ମାତ୍ର ଅଦ୍ୟାବଧି କୌଣସି ସମାଜ ତାଙ୍କ ପରାମର୍ଶ ଅନୁଯାୟୀ ଜୀବନଧର୍ମୀ ମାର୍ଗର ଅନୁଗାମୀ ହେବାର ଶୁଭ ଲକ୍ଷଣ ପ୍ରତିଭାତ ହେଉନାହିଁ । ତାଙ୍କ ମହାପ୍ରୟାଣ ଘଟିବାର ଦୁଇବର୍ଷ ପରେ ତାଙ୍କ ଦ୍ଵାରା ରଚିତ ‘ଗୁଡ୍‍ୱାର୍କ’ ବା ‘ଭଲକାମ’ ଶୀର୍ଷକ ଆଉ ଏକ ପ୍ରଣିଧାନଯୋଗ୍ୟ ପୁସ୍ତକ ଆତ୍ମପ୍ରକାଶ କରିଛି । ଏହି ପୁସ୍ତକଟି ମଧ୍ୟ ଉଲ୍ଲିଖିତ ବହୁ ଚର୍ଚ୍ଚିତ ପୁସ୍ତକ ଭଳି ଅତିଶୀଘ୍ର ଜନସାଧାରଣଙ୍କ ସତ୍ ପଥଗାମୀ କରାଇବାର ଆଶା ଅତି କ୍ଷୀଣ ବୋଧ ହେଉଛି, ମାତ୍ର ପ୍ରଥମ ପୁସ୍ତକଟି ଭଳି ଏହା ବସ୍ତୁବାଦୀ ମନୁଷ୍ୟର ଭାବଜଗତରେ ମୃଦୁ ଆଲୋଡ଼ନ ସୃଷ୍ଟି କରୁଛି । ଏପରି ଚେତାବନୀ ଉଭୟ ଶିଳ୍ପୋନ୍ନତ ତଥା ଅନୁନ୍ନତ ରାଷ୍ଟ୍ର-ଗୁଡ଼ିକର ବହୁ ଜନନାୟକ ଓ ସମାଜବିଜ୍ଞାନୀମାନଙ୍କୁ ସଭ୍ୟତାର ମୋଡ଼ ବଦଳାଇ ଦେବା ଦିଗରେ ଚିନ୍ତା କରିବାକୁ ଅନୁପ୍ରାଣିତ କରିଛି ।

 

॥ ୨ ॥

 

ଭଲ କାମର ସଂଜ୍ଞା :–ସ୍କ୍‌ମାଚର୍ ଭଲ କାମର ସଜ୍ଞା ନିମ୍ନ ମତେ ନିର୍ଦ୍ଧାରଣ କରିଛନ୍ତି-:–(୧) ଜନସାଧାରଣଙ୍କୁ ଏକାନ୍ତ ଆବଶ୍ୟକ ଓ ଦରକାରୀ ଦ୍ରବ୍ୟଗୁଡ଼ିକୁ ଯୋଗାଇ ଦେବାପାଇଁ ଓ ସେବାକାରୀ ସଙ୍ଗଠନଗୁଡ଼ିକୁ ଯଥାବିଧି କ୍ରିୟାଶୀଳ କରାଇବା ପାଇଁ କାମ କରିବା; (୨) ଆମେ ପ୍ରତ୍ୟେକ ନିଜ ନିଜ ପ୍ରତିଭାର ପରିପୂର୍ଣ୍ଣ ବିକାଶ ଘଟାଇବା ପାଇଁ ତଥା ତତ୍‌ନିର୍ଭରଶୀଳ କର୍ମଶକ୍ତିର ସଦୁପଯୋଗ କରିବା ପାଇଁ ଯତ୍ନଶୀଳ ହେବା; (୩) ଅନ୍ୟର ସେବା କରିବା ପାଇଁ ସହଯୋଗିତା ସୂତ୍ରରେ ବା ପାରସ୍ପରିକ ନିର୍ଭରଶୀଳତା ବିନିମୟରେ କର୍ମତତ୍ପର ହେବା ଅବସରରେ ଅହଙ୍କାର କବଳରୁ ମୁକ୍ତିଲାଭ କରିବା ।

 

ଏହି ତ୍ରିବିଧ କ୍ରିୟାଶୀଳତାକୁ ଭଲ କାମ ରୂପେ ବିଚାର କରିବା ସଙ୍ଗେ ସଙ୍ଗେ ସ୍କୁମାଚର ମନୁଷ୍ୟକୁ ଚେତାବନୀ ଶୁଣାଇଛନ୍ତି ଯେ ଏପରି କର୍ମସୂଚୀକୁ ଆଦରି ନ ଦେବା ଦ୍ଵାରା ସେ ଆତ୍ମଘାତୀ ପଥରେ ଅଗ୍ରସର ହେବ ଏବଂ ବିବେକହୀନ ପଶୁ ଭଳି ଘୃଣ୍ୟ ଜୀବନଯାପନ କରିବାକୁ ବାଧ୍ୟ ହେବ । ଏକାଧାରରେ ନିଜ ପରିବାର ବା ଆତ୍ମୀୟ ସ୍ୱଜନର ପରିପୋଷଣ ପାଇଁ, ସାମାଜିକ ପ୍ରଗତି ସାଧନ ପାଇଁ, ସାମାଜିକ ତଥା ବ୍ୟକ୍ତିଗତ ଜୀବନକୁ ସୁଖଶାନ୍ତିମୟ କରାଇବା ପାଇଁ, ଆତ୍ମିକ ସନ୍ତୋଷଲାଭ କରିବା ପାଇଁ, ବସୁମାତା କୋଳରେ ଇତର ଜୀବମାନଙ୍କସହିତ ନିରାପଦରେ ସହାବସ୍ଥାନ କରିବା ପାଇଁ, ଏବଂ ଧରଣୀ ବକ୍ଷରେ ମାନବ ଜାତିର ଭବିଷ୍ୟତକୁ ଉଜ୍ଜ୍ୱଳ କରାଇବା ପାଇଁ ପାଇଁ ସ୍କୁମାଚର ଉଲ୍ଲିଖିତ ପ୍ରକାରେ ‘ଭଲ କାମ’ କରିବା ଉଦ୍ଦେଶ୍ୟରେ ଆମ୍ଭମାନଙ୍କୁ ପରାମର୍ଶ ଦେଇଛନ୍ତି ।

 

1. GOOD WORK; E. F. Schumacher, Jonathan Cape, London, 1979.

 

॥ ୩ ॥

 

ମହାତ୍ମା ଗାନ୍ଧୀ ଓ ସ୍କୁମାଚର :—ମହାତ୍ମା ଗାନ୍ଧୀ ସୁଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ଵ କାଳବ୍ୟାପୀ ଆମ ଦେଶରେ ଏପରି ସୁସ୍ଥ ସାମାଜିକ ପରିବେଶର ସର୍ଜନା ପାଇଁ ଆତ୍ମୋସୃଷ୍ଟ ଉଦ୍ୟମ ଚଳାଇଥିଲେ । ସେ ଚାହିଁଥିଲେ ଯେ ବ୍ୟକ୍ତି-ସ୍ଵାଧୀନତା ଓ ସାମାଜିକ ସମାନତାର ପ୍ରତିଷ୍ଠା ଫଳରେ ଆମ ଦେଶରେ ଯଥାର୍ଥ ସାମ୍ୟବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠିତ ହେବ । ସତ୍ୟ ଓ ଅହିଂସାରୂପୀ ଅମୋଘ ଅସ୍ତ୍ର ପ୍ରୟୋଗ କରି ତଥା ପ୍ରତିଯୋଗିତା ପରିବର୍ତ୍ତେ ସହଯୋଗିତାରୂପୀ ଜୀବନାଦର୍ଶର ଅନୁଗାମୀ ହୋଇ ଭାରତବାସୀ ଏକ ଆଦର୍ଶ ଜୀବନଧର୍ମା ସଭ୍ୟତାର ଶୁଭାରମ୍ଭ ଘଟାଇ ପାରିବେ-। କ୍ରମବର୍ଦ୍ଧମାନ କାମନାର ପରିପୂରଣ ପରିବର୍ତ୍ତେ ଜୀବନଧାରଣର ନ୍ୟୁନତମ ଚାହିଦା ପୂରଣ ପାଇଁ ବିକେନ୍ଦ୍ରୀକୃତ ଯୋଜନା ଗୁଡ଼ିକ ବିନିମୟରେ ବିହିତ କର୍ମସୂଚୀ କାର୍ଯ୍ୟକାରୀ କରାଯିବା ପାଇଁ ସେ ପରାମର୍ଶ ଦେଇଥିଲେ । ତାଙ୍କ ମହତ୍ ବାଣୀ ଭାରତବାସୀଙ୍କ ହୃଦୟ କନ୍ଦରରେ ଝଙ୍କାର ସୃଷ୍ଟି କରିଥିଲା ସତ୍ୟ, ମାତ୍ର ତାଙ୍କ ପଥପ୍ରଦର୍ଶନକାରୀ ପରାମର୍ଶ ବାସ୍ତବ କ୍ଷେତ୍ରରେ ରୂପାୟିତ ହୋଇପାରିଲା ନାହିଁ । ଭାରତବାସୀ ତାଙ୍କୁ ମହାତ୍ମା ବା ଋଷି ପ୍ରତିମ ବ୍ୟକ୍ତି ରୂପେ ସମ୍ମାନ ପ୍ରଦର୍ଶନ କଲେ; ତାଙ୍କ ପ୍ରତି ଦେବତ୍ଵ ଆରୋପ କଲେ; କିନ୍ତୁ ଦାରିଦ୍ର୍ୟ ପ୍ରପୀଡ଼ିତ ପରିସ୍ଥିତିର ତାଡ଼ନାରେ ଆଶୁଫଳଲାଭ ଆଶାରେ ପାଶ୍ଚାତ୍ୟ ବସ୍ତୁବାଦୀ ଅନ୍ତଃସାରଶୂନ୍ୟ ସଭ୍ୟତାର ଆଭିମୁଖ୍ୟକୁ ଜୀବନାଦର୍ଶ ରୂପେ ଆଦରି ନେବାକୁ ସେମାନେ ଶ୍ରେୟସ୍କର ମଣିଲେ ।

 

ଇତ୍ୟବସରରେ ବିଜ୍ଞାପନସର୍ବସ୍ୱ ସଭ୍ୟତାର ପୃଷ୍ଠପୋଷକ-ମାନଙ୍କର ସାମାନ୍ୟ ଚୈତନ୍ୟୋଦୟ ଘଟିଛି । ବାହ୍ୟ ପ୍ରାକୃତିକ ପରିବେଶକୁ ସ୍ଵାର୍ଥାନ୍ୱେଷୀ ମାର୍ଗରେ ବଦଳାଇ ଦେବାର ପରିଣତି ସ୍ଵରୂପ ଅବଶ୍ୟ ବାଣିଜ୍ୟିକ ବା ବ୍ୟବସାୟିକ ଦୃଷ୍ଟିକୋଣରୁ ମନୁଷ୍ୟ ଲାଭବାନ୍ ହୋଇଛି; ମାତ୍ର ସମ୍ପଦ ଠୁଳ କରିବାର ଏକଦିଗଦର୍ଶୀ କର୍ମପ୍ରବଣତା ଯୋଗୁଁ ତା’ର ଆତ୍ମ ବିସ୍ମରଣ ଘଟିଛି । ଯେଉଁ ମନୁଷ୍ୟର ହିତ ସାଧନ କଳ୍ପେ ତା’ର ସକଳ ଉଦ୍ୟମ ଉଦ୍ଦିଷ୍ଟ, ସେହି ମନୁଷ୍ୟର ଶାରୀରିକ ଓ ମାନସିକ ସଂସ୍ଥିତିର ସୁରକ୍ଷାକୁ ସେ ପାଶୋରି ପକାଇଛି । ତେଣୁ ବହୁବିଧ ସାମାଜିକ ବ୍ୟଭିଚାର ଓ ମାନସିକ ଉତ୍ତେଜନାର ନିରବଚ୍ଛିନ୍ନ ତାଡ଼ନା ତାକୁ ବିବ୍ରତ କରୁଛି । ରୁଟିନ୍ ବନ୍ଧା କର୍ମ ଜଞ୍ଜାଳ ତାକୁ ଅତିଷ୍ଠ କରୁଛି । ସ୍ଵାର୍ଥାନ୍ୱେଷୀ ଲୋଭାତୁର କର୍ମପ୍ରବଣତା ଯୋଗୁଁ ସେ ସାମାଜିକ ସଂସ୍ଥିତି ପ୍ରତି ଏକାନ୍ତ ଉଦାସୀନ ହେଉଥିବାରୁ ତୁମୂଳ ପ୍ରତିଯୋଗିତାରେ ବା ଜୀବନ-ସଂଗ୍ରାମରେ ପଥଚ୍ୟୁତ ବା ପରାସ୍ତ ହୋଇଯିବା-କ୍ଷଣି ନିଜକୁ ନିଃସହାୟ ମନେ କରୁଛି । ବେଗ ହିଁ ସଭ୍ୟତାର ମାନଦଣ୍ଡ ରୂପେ ବିଚାର କରାଯାଉଥିବା ବେଳେ ତା’ର ହୃଦୟ ସ୍ଥାଣୁ ପାଲଟି ଯାଇଛି । ପୁଣି ଉତ୍ପାଦନ ବୃଦ୍ଧି ପାଇଁ ତା’ର ପାମୂର୍ଚ୍ଛ । ଉଦ୍ୟମ ଯୋଗୁଁ ସେ ନିଜ ପରିବେଶ ଓ ପରିସଂସ୍ଥାକୁ ଦୂଷିତ କରି ପକାଉଛି । ଅବକ୍ଷୟମାନ ସମାଜର ଏପରି ଦୁର୍ଦ୍ଦାଶା ଲକ୍ଷ୍ୟ କରିବା ପରେ ସ୍କୁମାଚର ଏହାର କାରଣ ନିର୍ଣ୍ଣୟ କରି ଆତ୍ମ ଉପଲବଧି ବଳରେ ‘ଭଲକାମ’ରେ ଆତ୍ମ ନିୟୋଗ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ପାଶ୍ଚାତ୍ୟ ସୁପ୍ରସିଦ୍ଧ ବିଶ୍ଵବିଦ୍ୟାଳୟମାନଙ୍କରେ ଅଧ୍ୟାପନା ଦାୟିତ୍ୱ ତୁଲାଇଥିବା, ବ୍ରିଟେନର ସୁବୃହତ ଜାତୀୟ କୋଇଲା-ବୋର୍ଡର ଅର୍ଥନୈତିକ ପରାମର୍ଶଦାତା ଦାୟିତ୍ଵ ତୁଲାଇଥିବା ପ୍ରବୀଣ ଅର୍ଥନୀତିଜ୍ଞ ସ୍କୁମାଚର ଗାନ୍ଧିଜୀଙ୍କ ଚିନ୍ତାଧାରାର ଯଥାର୍ଥତା ଉପଲବ୍‌ଧି କରିଥିବାରୁ ବିଜ୍ଞାନସଚେତନ ତଥା ଉଚ୍ଚ ଶିକ୍ଷିତ ବୁଦ୍ଧି ଜୀବୀମାନଙ୍କୁ ସେହିମାନଙ୍କ ବୋଧଗମ୍ୟ ଭାଷାରେ ଜୀବନଧର୍ମା ଆଦର୍ଶର ଅନୁଗାମୀ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସର୍ବଥା ପୁଞ୍ଜି ଗହନ ଶିଳ୍ପ ପ୍ରତିଷ୍ଠା କରାଯିବାର ଅଯଥାର୍ଥତା, ନିଃଶେଷଦାୟ ପ୍ରାକୃତିକ ସମ୍ପଦକୁ ବେପରବାୟ ଭାବରେ ଅପବ୍ୟୟ କରାଯିବାର ଅପରିଣାମଦର୍ଶୀ କର୍ମତତ୍ପରତା, କୃଷି କ୍ଷେତ୍ରରେ ଅବିବେକୀ ଭାବରେ କୃତ୍ରିମ ରାସାୟନିକ ସାର ପ୍ରୟୋଗ କରାଯିବାର ଅସାରତା, ନଗରୀ ଜୀବନର କୋଳାହଳ ଓ ତଜ୍ଜନିତ ମାନସିକ ଉତ୍ତେଜନାର ଦୁଃଖାବହ ପରିଣତି, ସହଯୋଗ ଓ ସମ୍ବେଦନା ପରିବର୍ତ୍ତେ ଶୋଷଣପ୍ରବଣ ମନୋବୃତ୍ତି ବିନିମୟରେ ପ୍ରତିଯୋଗିତା ଚଳାଇବାର ଅଯଥାର୍ଥତା, ଜୀବନଧାରଣ ଚାହିଦା ପୂରଣ ପାଇଁ ଆଶାୟୀ ହେବା ପରିବର୍ତ୍ତେ ସଂଗ୍ରହପ୍ରବଣ ମନୋବୃତ୍ତି ବିନିମୟରେ ଖାଉଟୀମାନେ ଟେକ୍‌ନୋଲଜିଭିତ୍ତିକ ସଭ୍ୟତାର ଉତ୍ତରୋତ୍ତର ଅଭିବୃଦ୍ଧି ଘଟାଇବାର ଶୋଚନୀୟ ପରିଣତି ପ୍ରଭୃତି ବହୁବିଧ ବିଲକ୍ଷଣଗୁଡ଼ିକୁ ବିଭିନ୍ନ ଦୃଷ୍ଟାନ୍ତ ଅବଲମ୍ବନରେ ଚିହ୍ନାଇ ଦେବା ସଙ୍ଗେ ସଙ୍ଗେ ପ୍ରବୀଣ ଅର୍ଥନୀତିଜ୍ଞ ସ୍କୁମାଚର ଅବକ୍ଷୟମାନ ସଭ୍ୟତାର ମୋଡ଼କୁ ଜୀବନଧର୍ମୀ ମାର୍ଗରେ ବଦଳାଇଦେବା ଉଦ୍ଦେଶ୍ୟରେ ଗାନ୍ଧୀ-ଦର୍ଶନର ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଛନ୍ତି । ତାଙ୍କ ଚିନ୍ତାଧାରା ପାଶ୍ଚାତ୍ୟ ଜନମାନସରେ ମୃଦୁ ଆଲୋଡ଼ନ ସୃଷ୍ଟି କରିବା ଦ୍ଵାରା ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରଗୁଡ଼ିକ ବିଶେଷ କରି ଭାରତୀୟମାନେ, ନିଜ ନିଜ ତ୍ରୁଟି ସୁଧାରିବା ପାଇଁ ଆଗ୍ରହୀ ହେଉଛନ୍ତି । ବସ୍ତୁବାଦୀ ସଭ୍ୟତାର ଅଭିବୃଦ୍ଧି ସାଧନ ଦିଗରେ ଯେଉଁ ବୁଦ୍ଧିଜୀବୀ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ଜୀବନର ଉତ୍ତର-କାଳରେ ତାଙ୍କ ହୃଦୟ-ପରିବର୍ତ୍ତନ, ମୋହଭଙ୍ଗ ଓ ଗଭୀର ଆତ୍ମଉପଲବ୍‌ଧି-ପର୍ଯ୍ୟବସିତ ପରାମର୍ଶ ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରର ସମ୍ବେଦନଶୀଳ ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ଵାଭାବିକ ।

 

ସ୍କୁମାଚର ବହୁ ପ୍ରାମାଣିତ ତଥ୍ୟ ତଥା ପ୍ରାଞ୍ଜଳ ସ୍ପଷ୍ଟୀକରଣ ଅବଲମ୍ବନରେ ବୁଝାଇ ଦେଇଛନ୍ତି ଯେ (୧) ପୃଥିବୀରୂପୀ ମହାକାଶଯାନର ସୀମିତ ପରିବେଶରୁ ମନୁଷ୍ୟର କ୍ରମବର୍ଦ୍ଧମାନ ଚାହିଦା ପୂରଣକାରୀ ଉପାଦାନଗୁଡ଼ିକ ମିଳିବା ସମ୍ଭବ ନୁହେଁ, ତେଣୁ ପ୍ରକୃତି କୋଳରେ ଇତର ଜୀବ ଓ ଉଦ୍ଭିଦଜଗତ ସହିତ ପାରସ୍ପରିକ ନିର୍ଭରଶୀଳତା ବିନିମୟରେ ଜୀବନଯାପନ କରିବା ହିଁ ପ୍ରକୃଷ୍ଟ ପନ୍ଥା । ସେ ବୁଦ୍ଧିମାନ ମନୁଷ୍ୟକୁ ଚେତାଇ ଦେଇଛନ୍ତି ଯେ (୨) ପୁଞ୍ଜିଗହନ ଶିଳ୍ପର ଉତ୍ତରୋତ୍ତର ସମୃଦ୍ଧି ସାଧନ ପାଇଁ ସ୍ଵଳ୍ପ ମଜୁରୀ ବିନିମୟରେ କାର୍ଯ୍ୟକ୍ଷମ ମନୁଷ୍ୟକୁ ଯନ୍ତ୍ରବତ୍ କର୍ମରତ କରାଇବାର ପରିସ୍ଥିତି ଆଉ ବେଶିକାଳ ତିଷ୍ଠିବ ନାହିଁ । କାରଣ, ଏଥିପାଇଁ ସୃଷ୍ଟି ହେଉଥ‌ିବା ନଗରୀ-ସଭ୍ୟତାର ଉତ୍ପୀଡ଼ନ ଓ ତଦାଶ୍ରୟୀ ସାମାଜିକ ବ୍ୟଭିଚାର ମନୁଷ୍ୟକୁ ଆତ୍ମବିନାଶୀ ପନ୍ଥାର ଅନୁଗାମୀ କରାଇବ ଏବଂ ଏତଦ୍ଦ୍ଵାରା ଜନସାଧାରଣ ନିଜ ନିଜ ପ୍ରତିଭାର ସମ୍ପୂର୍ଣ୍ଣ ବିକାଶ ଘଟାଇବା ପାଇଁ ଓ ଯଥାର୍ଥ ସାମ୍ୟବାଦୀ ରାଷ୍ଟ୍ରର ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାର ଅବକାଶ ନ ଥିବାରୁ ରକ୍ତାକ୍ତ ବିପ୍ଳବ ଅନିବାର୍ଯ୍ୟ ହେବ । ତୃତୀୟତଃ, ସ୍କୁମାଚର ଦର୍ଶାଇଛନ୍ତି ଯେ ସୃଷ୍ଟିଶୀଳ ପାରିବ ନାହିଁ । ବହୁବିଧ ବ୍ୟକ୍ତିଗତ ଓ ସାମାଜିକ ଚାହିଦାର ପରିପୂରଣ ପାଇଁ ଯେଉଁ ପ୍ରକାର ପରିବେଶ ଆବଶ୍ୟକ, ତାହା କେବଳ ବସ୍ତୁସର୍ବସ୍ୱ ପରିବେଶର ସର୍ଜନା ଯୋଗୁଁ ସମ୍ଭବ ହେବ ନାହିଁ ।

 

ଗାନ୍ଧୀ-ଦର୍ଶନର ଉପାସକ ରୂପେ ସେ ଦର୍ଶାଇଛନ୍ତି ଯେ ବୃହତ୍ ପୁଞ୍ଜି ଗହନ ଶିଳ୍ପ, ହି ସାପର ତଥା ଶୋଷଣନ୍ମୁଖୀ ପରିଚାଳନା ପଦ୍ଧତି, ଜଟିଳ କର୍ମପନ୍ଥା ଓ ପ୍ରତିଯୋଗିତା ପରିବର୍ତ୍ତେ କ୍ଷୁଦ୍ରାକୃତି ଉପଯୁକ୍ତ ଶିଳ୍ପ, ଅହିଂସା ଓ ଅହଙ୍କାରବିହୀନ ପରିଚାଳନା ପଦ୍ଧତି ସରଳ କର୍ମପନ୍ଥା ଓ ପାରସ୍ପରିକ ନିର୍ଭରଶୀଳତା ବା ସହଯୋଗ ଦ୍ଵାରା ଭଲକାମରେ ଆତ୍ମନିୟୋଗ କରିବା ଦ୍ଵାରା ପାର୍ଥିବ ପ୍ରାକୃତିକ ସମ୍ପଦର ସୁଷମ ବଣ୍ଟନ ସମ୍ଭବ ହୋଇ ପାରିବ । ଧରଣୀବକ୍ଷରେ ମାନବଧର୍ମୀ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ, ଉତ୍ତେଜନା ଓ ରକ୍ତାକ୍ତ ସଂଗ୍ରାମ ପରିବର୍ତ୍ତେ ଉତ୍ତମ ବୁଝାମଣା ବିନିମୟରେ ସୋହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରିବା ପାଇଁ, ମନୁଷ୍ୟ ଓ ମନଷୋତର ଜୀବଜଗତର ନିରାପତ୍ତାର ସୁରକ୍ଷା ପାଇଁ, ସଂକୀର୍ଣ୍ଣ ସ୍ଵାର୍ଥାନ୍ୱେଷୀ ମନୋଭାବ ଓ ଜାତୀୟତାବୋଧ ପରିବର୍ତ୍ତେ ଅହଙ୍କାର ମୁକ୍ତ ମନୋଭାବ ବିନିମୟରେ ବିଶ୍ଵଭ୍ରାତୃଭାବ ପ୍ରଦର୍ଶନ କରିବା ପାଇଁ ପ୍ରତ୍ୟେକ ଦେଶର ସୁସଂଯତ ବିକାଶକଳ୍ପେ ସ୍ଵତନ୍ତ୍ର ଧରଣର ଉପଯୁକ୍ତ ଟେକ୍‌ନୋଲଜିଗୁଡ଼ିକର ଉଦ୍ଭାବନ ଓ ଯଥାବିଧି କାର୍ଯ୍ୟକାରିତା ପାଇଁ, ସମକାଳୀନ ଭାବରେ ବ୍ୟକ୍ତି ସ୍ଵାଧୀନତା ଓ ସାମାଜିକ ଜୀବନର ସୁଖମୟତାକୁ ଅବ୍ୟାହତ ରଖିବା ପାଇଁ ସେ ଯେଉଁପ୍ରକାର ‘ଭଲକାମ’ର ସଂଜ୍ଞା ନିର୍ଦ୍ଧାରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ଜୀବନଧର୍ମୀ ଆଦର୍ଶରେ ଦୀକ୍ଷିତ କରାଇବାକୁ ପ୍ରୟାସୀ ହୋଇଛନ୍ତି, ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ ।

 

॥ ୪ ॥

 

ନୈସର୍ଗିକ ପରିକଳ୍ପନାର ତାପର୍ଯ୍ୟ :–ସ୍ୱନାମଧନ୍ୟ ସମାଜ ବିଜ୍ଞାନୀ କାର୍ଲମାର୍କସ୍‌ କର୍ମଜୀବୀ ମନୁଷ୍ୟ ପାଇଁ ଯେଉଁ ଇତରତାବିହୀନ ବା ନନ୍‌ଥାଲିଏନେଟେଡ଼୍ ସମାଜର ଆବହନୀ ବାର୍ତ୍ତା ଶୁଣାଇ ଥିଲେ କିମ୍ଵା ହବର୍ଟ ମାକସ୍‌ ଯେଉଁ ପ୍ରକାର ଶୋଷଣବିହୀନ ସମାଜର ସଜାନା ପାଇଁ ପଥ ପ୍ରଦର୍ଶନ କରିଥିଲେ, ତାହା ଅବଶ୍ୟ ବାସ୍ତବତା ସହ ସଂଗତି ରକ୍ଷା କରିଛି, ମାତ୍ର ତଦନୁଯାୟୀ କୌଣସି ରାଷ୍ଟ୍ରର ସାମାଜିକ ରୂପରେଖରେ ଆନୁସଙ୍ଗିକ ପରିବର୍ତ୍ତନ ଘଟିନାହିଁ । ମହାତ୍ମା ଗାନ୍ଧୀ ଓ ସ୍କୁମାଚରଙ୍କ ମହତ ପରାମର୍ଶ ଅନୁଯାୟୀ କେତେବେଳେ ଓ କିପରି ଭାବରେ ଚୈତନ୍ୟୋଦୟ ଘଟିବା ଫଳରେ ମନୁଷ୍ୟ ଶୁଭଙ୍କରୀ ପଥର ଅନୁଗାମୀ ହୋଇପାରିବ, ତତ୍‌ସମ୍ବନ୍ଧୀୟ ପୂର୍ବାଭାବ ଯୋଗାଇ ଦେବା ସମ୍ଭବ ନୁହେଁ । ମାତ୍ର ଏହା ନିଶ୍ଚିତ ଯେ ପ୍ରତ୍ୟେକ ନୈସର୍ଗିକ ପରି-କଳ୍ପନା ସ୍ଥିତାବସ୍ଥାର ବିଲକ୍ଷଣ ଗୁଡ଼ିକ ସଂପର୍କରେ ଚିନ୍ତା କରିବାପାଇଁ ବିବେକୀ ମନୁଷ୍ୟକୁ ଉଦ୍ଦୀପନା ଯୋଗାଇ ଦିଏ ଏବଂ ସ୍ଥିତାବସ୍ଥାରେ ଶୁଭଙ୍କରୀ ପରିବର୍ତ୍ତନ ଘଟାଇବା ପାଇଁ ଏହା ମନୁଷ୍ୟକୁ ଅନୁପ୍ରାଣିତ କରେ ।

 

ସାଂପ୍ରତିକ ଆନ୍ତଃରାଷ୍ଟ୍ରୀୟ ରାଜନୈତିକ ପରିବେଶ, ସାମାଜିକ ଚଳଣି, ବାଣିଜ୍ୟିକ ପରିସ୍ଥିତି ପ୍ରଭୃତି ଅନୁଧ୍ୟାନ କରିବା ଫଳରେ ମନୁଷ୍ୟ ଜାଣିଗଲାଣି ଯେ, ଶିଳ୍ପାଶ୍ରୟୀ, ପୁଞ୍ଜି ଗହନ, ବସ୍ତୁବାଦୀ, ବିଜ୍ଞାପନ-ସର୍ବସ୍ୱ ସଭ୍ୟତା ଆଉ ବେଶିକାଳ ପାଇଁ ତିଷ୍ଠିବ ନାହିଁ । ସ୍କୁମାଚରଙ୍କ ପ୍ରାଣସ୍ପର୍ଶୀ ଭାଷାରେ ଆମେ କହିପାରିବା ଯେ ପୃଥିବୀରୂପୀ ମହାକାଶ-ଯାନର ପ୍ରଥମ ଶ୍ରେଣୀରେ ଯାତ୍ରୀମାନେ ଯେଉଁ ଅସୁସ୍ଥ ପରମ୍ପରା ସୃଷ୍ଟି କରିଛନ୍ତି, ତାହାକୁ ବଦଳାଇବାର ତାତ୍ପର୍ଯ୍ୟ ଉପଲବ୍‌ଧ ହେବା ଫଳରେ ମନୁଷ୍ୟ ପୁଣି ସମାଜିକ ସଚେତନା ଓ ପରିବେଶୀୟ ସଚେତନା ବଳରେ ଧରଣୀ ବକ୍ଷରେ ସୁଖ-ଶାନ୍ତିରେ ଜୀବନ ଯାପନ କରିବା ପାଇଁ ‘ଭଲ କାମ’ରେ ନିଯୁକ୍ତି ହେବା ପାଇଁ ଆଗ୍ରହୀ ହେବ । ‘ଭଲକାମ’ ରୂପୀ ସଜ୍ଞାକୁ ଜୀବନାଦଶ ରୂପେ ଆଦରି ନେଇ ଯେଉଁ ପ୍ରକାର କର୍ମମୟ ଜୀବନଯାପନ କରିବାର ଅବକାଶ ରହିଛି, ସେଥିପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆବଶ୍ୟକ । ବ୍ୟାପକ ଅଧ୍ୟୟନ ଓ ଅନୁଶୀଳନ, ପର୍ଯ୍ୟାପ୍ତ ପ୍ରତ୍ୟକ୍ଷ ଅନୁଭୂତି-ପ୍ରସ୍ତୁତ ଉପଲବ୍‌ଧି ଓ ମାନବିକତାବୋଧ ବିନିମୟରେ ମନୁଷ୍ୟ ତଥା ମନୁଷ୍ୟୋତର ଜୀବ-ଜଗତ ସହିତ ସହାବସ୍ଥାନ କରିବା ପାଇଁ ଯେଉଁ କର୍ତ୍ତବ୍ୟନିଷ୍ଠା, ଚରିତ୍ରବତ୍ତା ଓ ଆତ୍ମଶୁଚିତା ଆବଶ୍ୟକ ହେଉଛି, ଅହଙ୍କାରମୁକ୍ତ ହେବା ପାଇଁ ଯେପରି ଭାବରେ ନିଜକୁ ପ୍ରସ୍ତୁତ କରିବା ଦରକାର ହେଉଛି, ବିଶ୍ଵର ନାଗରିକ ଭାବରେ ଅନ୍ୟମାନଙ୍କ ସହ ମିଳିମିଶି ନିଜ ପାଇଁ ଓ ସମାଜ ପାଇଁ କାମ କରିଯିବା ଉଦ୍ଦେଶ୍ୟରେ ଯେଉଁ ମହାନୁଭବତା ଲୋଡ଼ା, ହେଉଛି, ତାହାକୁ ସମ୍ୟକ୍ ଭାବରେ ଉପଲବ୍‌ଧି କରିବା ଓ ତଦନୁଯାୟୀ ନିଜର କର୍ମସୂଚୀ ପ୍ରସ୍ତୁତ କରିବା ହିଁ ଆମର ପରମ କର୍ତ୍ତବ୍ୟ । ବିଶେଷତଃ ଆମ ଦେଶର ସାଂପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କଲେ ଯେ କେହି ହୃଦୟଙ୍ଗମ କରିପାରିବେ ଯେ, ଏ ଦେଶକୁ ଦୁର୍ନୀତି ଓ ବ୍ୟଭିଚାର କବଳରୁ ମୁକ୍ତ କରିବା ପାଇଁ କେବଳ ‘ଭଲ କାମ’ କରିବା ଉଦ୍ଦେଶ୍ୟରେ ଜନମାନସରେ ଆଗ୍ରହ ସୃଷ୍ଟି କରିବା ହିଁ ଶ୍ରେୟସ୍କର ପନ୍ଥା । ଏତଦ୍ଵାରା ଆଶୁ-ଫଳ ଲାଭର ଆଶା ନ ଥିଲେ ମଧ୍ୟ ଦୀର୍ଘକାଳୀନ ସୂତ୍ରରେ ସତ୍ୟାଶ୍ରୟୀ ମାର୍ଗର ଅନୁଗାମୀ ହେବାର ପରିଣତ ସ୍ଵରୂପ ଆମେ ଲାଭବାନ୍ ହୋଇ ପାରିବା ।

Image

 

ଗାଇଆ

॥ ୧ ॥

 

ବସୁମାତା ଧରିତ୍ରୀ ବକ୍ଷରେ ଜୀବ-ଜଗତର ସର୍ଜନା ଘଟିଲା କିପରି ? ଏ ବିଚିତ୍ରବର୍ଣ୍ଣା ବିଶ୍ଵର ପୃଥିବୀ ଭିନ୍ନ ଅନ୍ୟ କେଉଁ ବସ୍ତ୍ର-ପିଣ୍ଡରେ ଜୀବ ଜଗତର ସ୍ଥାୟିତ୍ଵ ସମ୍ଭବ ହୋଇଛି କି ? ଆମର ଅତି ଆଦରଣୀୟା ସ୍ନେହମୟୀ ବସୁମାତାର କୋଳରେ ଆମେ ଲାଳିତ ପାଳିତ ହେଉଛୁ । ମାତ୍ର ନିଜ ନିଜର ସ୍ଵାର୍ଥ ସାଧନ ପାଇଁ ପାର୍ଥିବ ପରିବେଶକୁ ଆମେ ଯେପରି ଭାବରେ ଦୂଷିତ କରୁଛୁ, ତଜ୍ଜନିତ ଜୀବମଣ୍ଡଳରୁ (ବାୟୋସ୍ଫିଅର) ଜୀବ-ଜଗତ ବିଲୀନ ହୋଇଯିବାର ଆଶଙ୍କା ଉପୁଜିଛି । କେଉଁ ପ୍ରକାର ସତର୍କତାମୂଳକ ପଦେକ୍ଷେପ ଗ୍ରହଣ କରିବା ଦ୍ଵାରା ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରିବ ? ମନୁଷ୍ୟ କେଉଁ ପ୍ରକାର ଜୀବନାଦର୍ଶର ଅନୁଗାମୀ ହେବା ଦ୍ଵାରା ଏବଂ କିପରି ଭାବରେ ନିଜ ମାତୃରୂପିଣୀ ବସୁନ୍ଧରାର ହେପାଜତ କରିବା ଦ୍ଵାରା ଜୀବ-ଜଗତର ସ୍ଥାୟିତ୍ଵ ବିପନ୍ନ ହେବାର ଆଶଙ୍କା ଉପୁଜିବ ନାହିଁ—ସମ୍ପ୍ରତି ଏପରି ପ୍ରଶ୍ନଗୁଡ଼ିକ ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକମାନଙ୍କ ମାନସପଟରେ ଗଭୀର ଆଲୋଡ଼ନ ସୃଷ୍ଟି କରୁଛି । ଭୌତିକ ବିଜ୍ଞାନ ଓ ଜ୍ୟୋତିଃପଦାର୍ଥବିଜ୍ଞାନର ଛାତ୍ରମାନେ ନିଷ୍ପ୍ରାଣ ଜଡ଼ବସ୍ତ୍ରଗୁଡ଼ିକର ସମାହାରରେ ଗଠିତ ଅନୁପମ ପ୍ରକୃତିର ବିଚିତ୍ର ଛନ୍ଦବଦ୍ଧ କ୍ରିୟାଶୀଳତାର ରହସ୍ୟ ଉନ୍ମୋଚନ କରୁଛନ୍ତି ଏବଂ ମନୁଷ୍ୟ ପ୍ରକୃତି ଉପରେ ପ୍ରାଦୁର୍ଭାବ ବିସ୍ତାର କରିବା ପାଇଁ କେଉଁ ପ୍ରକାରେ କ୍ରିୟାଶୀଳ ହେଉଥିବା ଯୋଗୁଁ ପାର୍ଥିବ ଜୀବମଣ୍ଡଳକୁ କିପରି ଭାବରେ ଦୂଷିତ ତଥା ବିକୃତ କରି ପକାଉଛି, ତତ୍‌ସମ୍ପର୍କୀୟ ଚମକପ୍ରଦ ସ୍ପଷ୍ଟୀକରଣ ଯୋଗାଇ ପାରୁଛନ୍ତି । ପର୍ଯ୍ୟାପ୍ତ ପ୍ରାମାଣିକ ତଥ୍ୟାବଲମ୍ବନରେ ବୈଜ୍ଞାନିକମାନେ ପରିବେଶ ଓ ପରିସଂସ୍ଥାର ଦୂଷିତୀକରଣ ଏବଂ ଜୀବ-ଜଗତ ଉପରେ ତାହାର ଅନିଷ୍ଟକାରୀ ପ୍ରଭାବ ସମ୍ପର୍କରେ ଯେଉଁ ପ୍ରକାର ତଥ୍ୟ ପରିବେଷଣ କରୁଛନ୍ତି, ତାହାର ଗୁରୁତ୍ଵ ଓ ତାତ୍ପର୍ଯ୍ୟକୁ ଅଦ୍ୟାବଧି ପୃଥିବୀର ସ୍ଵାର୍ଥପର ମାନବଜାତି ସମ୍ୟକ୍ ଭାବରେ ଉପଲବ୍‌ଧି କରି ନାହାନ୍ତି-

 

ପରିବେଶ ଓ ପରିସଂସ୍ଥାର ଦୂଷିତୀକରଣକୁ କେନ୍ଦ୍ର କରି ବର୍ତ୍ତମାନ ଦ୍ଵିବିଧ ଚିନ୍ତାଧାରାର ସୂତ୍ରପାତ ଘଟିଛି । ପ୍ରଥମତଃ ମନୁଷ୍ୟ ପ୍ରକୃତିକୁ ଏକ ଆଦ୍ୟାଶକ୍ତି ରୂପେ ବିଚାର କରି ତଥା ପ୍ରକୃତିକୁ ଜୟ କରି ଧରଣୀ ବକ୍ଷରେ ବସ୍ତୁ ସର୍ବସ୍ଵ ସଭ୍ୟତାର ଉତ୍ତରୋତ୍ତର ବିକାଶ ଘଟାଇବା ପାଇଁ ଯେପରି ଭାବରେ କର୍ମପ୍ରବଣ ହୋଇଛି, ତଜ୍ଜନିତ ସେ ପ୍ରକୃତିର ସାମଗ୍ରିକ ରୂପକୁ ଚିହ୍ନି ପାରିନାହିଁ । ନିଜର ତଥା ଇତର ଜୀବ-ଜଗତର ସ୍ଥାୟିତ୍ଵ ସମ୍ପର୍କରେ ଚିନ୍ତା କରିବା ପରିବର୍ତ୍ତେ ସେ କେବଳ ସମ୍ପଦ ଓ କ୍ଷମତାର ଆବର୍ଦ୍ଧନ ଦିଗରେ ପ୍ରକୃତିକୁ ନିଜଠାରୁ ଏକ ଭିନ୍ନ ସଂସ୍ଥିତି ରୂପେ ବିଚାର କରିବାକୁ ଶ୍ରେୟସ୍କର ମଣିଛି । ବିଖଣ୍ଡିତ ତଥା ଅସମନ୍ଵିତ ବୈଜ୍ଞାନିକ ଗବେଷଣାଲବ୍‌ଧ ଜ୍ଞାନର ବ୍ୟାବହାରିକ ଉପଯୋଗ ବଳରେ ସେ ଧରଣୀର ସୀମିତ ଜୀବ-ମଣ୍ଡଳକୁ ଯେପରି ଦିନକୁ ଦିନ ଅଧିକରୁ ଅଧିକ ଦୂଷିତ କରି ପକାଉଛି, ତଜ୍ଜନିତ ବସୁମାତା ବକ୍ଷରୁ ଜୀବ-ଜଗତର ସତ୍ତା ବିଲୀନ ହୋଇଯିବାର ସମ୍ଭାବନା ଉପୁଜିଲାଣି । ସ୍ୱନାମଧନ୍ୟା ଲେଖିକା ରାଜାଏଲ କାରସନ ‘ସାଇଲେଣ୍ଟ ସ୍ପ୍ରିଙ୍ଗ୍’ *(୧) ଶୀର୍ଷକ ଏକ ସୁଖପାଠ୍ୟ ତଥା ଭାବୋଦ୍ଦୀପକ ପୁସ୍ତକ ଜରିଆରେ ସର୍ବପ୍ରଥମେ ଦୁଇ ଦଶନ୍ଧି ପୂର୍ବରୁ ମନୁଷ୍ୟର ମାନସପଟରେ ଏ ପ୍ରକାର ଚେତନା ଉତ୍ତରଣ ଘଟାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ଐତିହାସିକ ଉଦ୍ୟମ ବେଶ୍ ଫଳପ୍ରସୁ ହେଲା । ତାଙ୍କର ଅକାଳ ମହାପ୍ରାୟାଣ ଘଟିବା ପରଠାରୁ ପୃଥିବୀର ବିଭିନ୍ନ ଦେଶର ବହୁ ବୁଦ୍ଧିଜୀବୀ ଏହି ଦୃଷ୍ଟିକୋଣରୁ ବିଚାର ଚଳାଇ ମନୁଷ୍ୟକୁ ତାହାର ବଣିକସୁଲଭ କ୍ରିୟାଶୀଳତାରୁ ନିବୃତ୍ତ ହେବା ପାଇଁ ପରାମର୍ଶ ଦେଉଛନ୍ତି ।

 

ଦ୍ଵିତୀୟତଃ, ପ୍ରବୀଣ ବୁଦ୍ଧିଜୀବୀ ବକ୍‌ମିନିଷ୍ଟର ଫୁଲର୍‌ଙ୍କ ଅଧ୍ୟକ୍ଷତାରେ ବର୍ତ୍ତମାନ ‘ପୃଥିବୀରୂପୀ ବ୍ୟୋମପୋତ’ (Space ship earth) ଧାରଣାର ସୂତ୍ରପାତ ଘଟିଛି । କେତେକ ବୁଦ୍ଧିଜୀବୀ ମତବ୍ୟକ୍ତି କରୁଛନ୍ତି ଯେ, ପୃଥିବୀରୁପୀ ସୀମିତ ବ୍ୟୋମପୋତଟି ଏକ ଉପବୃତ୍ତାକାର କକ୍ଷରେ ସୂର୍ଯ୍ୟ ଚତୁର୍ଦ୍ଦିଗରେ ନିରନ୍ତର ପରିକ୍ରମା କରୁଛି । ଏହି ନିଷ୍ପ୍ରାଣ ଓ ଚେତନାବିହୀନ ବସ୍ତୁପିଣ୍ଡଟି ଲକ୍ଷ୍ୟହୀନ ଭାବରେ ସୂର୍ଯ୍ୟ ଚତୁର୍ଦ୍ଦିଗରେ ଘୁରୁଥିବା ଅବସରରେ ଏହାର ଅନୁକୂଳ ପରିବେଶରେ ଜୀବ-ଜଗତର ସର୍ଜନା ସମ୍ଭବ ହୋଇଛି । ମହାକାଶରୁ ବ୍ୟୋମପୋତରୂପୀ ପୃଥିବୀର ଫଟୋଗ୍ରାଫ୍ ଉତ୍ତୋଳନ କରିବା ସମ୍ଭବ ହେବାପରଠାରୁ ଏବଂ ପୃଥିବୀର ରଙ୍ଗୀନ ଫଟୋଗ୍ରାଫକୁ ସନ୍ଦର୍ଶନ କରିବା ପରଠାରୁ ମନୁଷ୍ୟ ଏହାର ଅତି ସୀମିତ ପରିସର ଓ ପରିବେଶ ସମ୍ବନ୍ଧରେ ସଚେତନ ହୋଇଛି । ସେ ଜାଣିପାରୁଛି ଯେ ଏହି ବ୍ୟୋମପୋତଟିର ସୀମିତ ପରିବେଶକୁ ଦୂଷିତ ବା କରିପକାଇଲେ ଏହା ଆଉ ମହାକାଶରେ ନିଜର କ୍ରିୟାଶୀଳତାକୁ ଅବ୍ୟାହତ ରଖି ପାରିବ ନାହିଁ ଏବଂ ମନୁଷ୍ୟର ଆତ୍ମବିନାଶୀ ତଥା ଅପରିଣାମଦର୍ଶୀ କ୍ରିୟାଶୀଳତା ଯୋଗୁ ଦୁର୍ଘଟଣା ଘଟିବା ଫଳରେ ମନୁଷ୍ୟ ସମେତ ସମଗ୍ର ଜୀବ-ଜଗତ ଧରଣୀ ବକ୍ଷରୁ ନିଶ୍ଚିହ୍ନ ହୋଇଯିବ ।

 

॥ ୨ ॥

 

ସ୍ଵାଧୀନଚେତା ବ୍ରିଟିଶ ବୈଜ୍ଞାନିକ ଜିମ୍‌.ଇ ଲଭଲକ ଏ ଉଭୟବିଧ ଚିନ୍ତାଧାରାକୁ ଅସ୍ଵୀକାର କରୁ ନାହାନ୍ତି । ମାତ୍ର ସେ ସୂଚାଉଛନ୍ତି ଯେ ଏ ପ୍ରକାର ଆଭିମୁଖ୍ୟ ପାର୍ଥିବ ପରିବେଶକୁ ଜୀବ-ଜଗତର ସ୍ଥାୟିତ୍ଵ ପାଇଁ ଅନୁକୂଳ କରିବା ଉଦ୍ଦେଶ୍ୟରେ ମନୁଷ୍ୟକୁ ସମ୍ୟକ ଦିଗଦର୍ଶନ ଯୋଗାଇ ପାରୁନାହିଁ । ପରିବେଶ ଓ ପରିସଂସ୍ଥାକୁ ବର୍ତ୍ତମାନ ଯେପରି ଦୃଷ୍ଟିରେ ବିଚାର କରାଯାଉଛି, ତାହାକୁ ନିର୍ମଳ ରଖିବା ଉଦ୍ଦେଶ୍ୟରେ ଯେପରି ଗବେଷଣାଶ୍ରୟୀ ପରାମର୍ଶ ଦିଆଯାଉଛି ଏବଂ ପାର୍ଥିବ ଜୀବ-ମଣ୍ଡଳକୁ ଏକ ଘୂର୍ଣ୍ଣମାନ ନିଷ୍ପ୍ରାଣ ଜଡ଼ ପିଣ୍ଡ ରୂପେ ଯେପରି ଚିତ୍ରଣ କରାଯାଉଛି, ତଜ୍ଜନିତ ଧରାବକ୍ଷରେ ଜୀବ-ଜଗତର ସହାବସ୍ଥାନ ପାଇଁ ମନୁଷ୍ୟକୁ ନିଜର ଦାୟିତ୍ଵବୋଧ ସମ୍ପର୍କରେ ସଚେତନ କରାଇବାର ଅବକାଶ ନାହିଁ । କାରଣ, ଏପରି ଚିନ୍ତାଧାରାଗୁଡ଼ିକ ଅବଲମ୍ବନରେ ପ୍ରକୃତିରାଣୀର ସ୍ୱରୂପ ସମ୍ପର୍କରେ ବିଜ୍ଞାନ ସମ୍ମତ ଯଥାର୍ଥ ସ୍ପଷ୍ଟୀକରଣ ମିଳୁନାହିଁ । ମୌଳିକ ଦୃଷ୍ଟିଭଙ୍ଗୀ ଓ ପ୍ରାମାଣିକ ତଥ୍ୟାବଲମ୍ବନରେ ପ୍ରବୀଣ ବୈଜ୍ଞାନିକ ଓ ଚିନ୍ତାନାୟକ ଲଭଲକ ଜଣାଇଛନ୍ତି ଯେ ଏ ପୃଥିବୀ ପୃଷ୍ଠରେ ଜୀବ-ଜଗତର ଆଦ୍ୟ ସର୍ଜନା ସମ୍ପର୍କୀୟ ନିର୍ଭୁଲ ସ୍ପଷ୍ଟକରଣ ଯୋଗାଇଦେବା ଅବଶ୍ୟ ଅଦ୍ୟାବଧି ସମ୍ଭବ ହୋଇନାହିଁ । ମାତ୍ର ଗବେଷଣାଲବ୍‌ଧ ଫଳରୁ ଯାହା ଜଣା ପଡ଼ୁଛି, ସେଥିରୁ ସ୍ପଷ୍ଟ ବୁଝା ହେଉଛି ଯେ ପୃଥିବୀ ବକ୍ଷରେ ଜୀବ-ଜଗତକୁ ଧାରଣ କରିଥିବା ଧରିତ୍ରୀ ବା ଜୀବମଣ୍ଡଳ ଗୋଟିଏ ନିଷ୍ପ୍ରାଣ ବସ୍ତୁପିଣ୍ଡ ନୁହେଁ । ଜୀବ-ଜଗତର (ଉଭୟ ପ୍ରାଣୀ ଓ ଉଦ୍ଭିଦ) ସମନ୍ଵିତ କ୍ରିୟାଶୀଳତାର ଫଳ ସ୍ୱରୂପ ଏହି ଜୀବ-ମଣ୍ଡଳର ବିବର୍ତ୍ତନ ଘଟୁଛି । ଏଣୁ ଲଭଲକ ଜୀବ-ଜଗତ ଧାରିତ ପୃଥିବୀକୁ ବସୁମାତା ରୂପେ ଚିତ୍ରଣ କରିବାକୁ ଉଚିତ ମଣିଛନ୍ତି । ପ୍ରାଚୀନ ଗ୍ରୀକ୍ ସଭ୍ୟତାର ବିକାଶ ପର୍ବରେ ପୃଥିବୀରୂପୀ ବସୁମାତାକୁ ଗାଇଆ (Gaia) ନାମରେ ଅଭିହିତ କରାଯାଉଥିଲା । ‘Ge’ ଶବ୍ଦରୁ ହିଁ Geography ବା ଭୂଗୋଳ ଓ Geology ବା ଭୂତତ୍ତ୍ଵ ନାମକ ଶବ୍ଦ ଦୁଇଟି ଉଦ୍ଭୂତ ହୋଇଛି । ଏଣୁ ନିଜ ମୌଳିକ ଚିନ୍ତାପ୍ରସୂତ ପରିକଳ୍ପନାଟିକୁ ତଥା ଏପରି ପରିକଳ୍ପନାର ସତ୍ୟାପନ କରି ପାରୁଥିବା ଗବେଷଣାଶ୍ରୟୀ ନିର୍ଭରଯୋଗ୍ୟ ତଥ୍ୟରାଜିକୁ ସେ ‘ଗାଇଆ’ ଶୀର୍ଷକ ଏକ ଭାବୋଦ୍ଦୀପକ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ନିଜ ଗ୍ରାମବାସୀ ତଥା ସ୍ୱନାମଧନ୍ୟ ଇଂରେଜୀ ଔପନ୍ୟାସିକ ଉଇଲିଆମ ଗୋଲଡିଙ୍ଗଙ୍କ ପରାମର୍ଶ କ୍ରମେ ସେ ସ୍ଵରଚିତ ଏହି ପୁସ୍ତକଟିକୁ ଏପରି ଭାବରେ ନାମିତ କରିଛନ୍ତି । ‘ଗଇଆ’ (* ୨) ନାମକ ପୁସ୍ତକଟି ଆତ୍ମପ୍ରକାଶ କରିବାର ମାତ୍ର ଦୁଇବର୍ଷ ମଧ୍ୟରେ ପୃଥିବୀର ବୁଦ୍ଧିଜୀବୀ ମହଲରେ ଏକ ଅଭିନବ ଚେତନାର ସୂତ୍ରପାତ ଘଟିଛି । ଏହି ୧୫୦ ପୃଷ୍ଠା ସମ୍ବଳିତ ସୁଖପାଠ୍ୟ ପୁସ୍ତକ ଜରିଆରେ ଲଭ୍‌ଲକ ଆମ୍ଭମାନଙ୍କୁ ଚେତାଇ ଦେଇଛନ୍ତି ଯେ, କ୍ଷୂଦ୍ରାତିକ୍ଷୁଦ୍ର କୀଟପତଙ୍ଗଠାରୁ ଆରମ୍ଭ କରି ମନୁଷ୍ୟସମେତ ବୃହଦାକୃତି ତିମିମାଛ ବା ହସ୍ତୀ ପର୍ଯ୍ୟନ୍ତ ତଥା କ୍ଷୁଦ୍ରାତିକ୍ଷୁନ୍ଦ୍ର ଦୁବଘାସଠାରୁ ଆରମ୍ଭ କରି ବୃହଦାକୃତି କଳ୍ପବଟ ପର୍ଯ୍ୟନ୍ତ ସମଗ୍ର ଜୀବ ବିଚିତ୍ର କ୍ରିୟାଶୀଳତା ଯୋଗୁଁ ଗାଇଆ ରୂପୀ ଜନନୀର ସର୍ଜନା ସମ୍ଭବ ହୋଇଛି । ଜଗତର ପ୍ରାଣସତ୍ତାଧାରିତ ପ୍ରତ୍ୟେକ ବସ୍ତ୍ର ଏହି ସ୍ନେହମୟୀ ଲାଳୟିତ୍ରୀର ଏକ ଅଙ୍ଗବିଶେଷ । ଏଣୁ ଜୀବ-ଜଗତ ସୁସମନ୍ଵିତ ଯୋଗସୂତ୍ର ତଥା ପାରସ୍ପରିକ ନିର୍ଭରଶୀଳତା ବିନିମୟରେ କ୍ରିୟାଶୀଳ ହେବାଦ୍ୱାରା ହିଁ ବସୁମାତାର ଅଙ୍ଗସୌଷ୍ଠବ ଅତୁଟ ରହିପାରିବ ଏବଂ ତାହାର ସ୍ଵାସ୍ଥ୍ୟହାନୀ ଘଟିବ ନାହିଁ । ପ୍ରତ୍ୟେକ ଜାତିର ଜୀବର ଯେପରି ସମୟାନୁକ୍ରମେ ବିବର୍ତ୍ତନ ଘଟୁଛି, ଠିକ୍‍ ସେହିପରି ସମଗ୍ର ଜୀବ-ଜଗତର ସମୟାନୁକ୍ରମିକ ସୁସମନ୍ଵିତ ଦୈନିକ କ୍ରିୟାଶୀଳତା ବଳରେ ଗାଇଆରୂପୀ ଜୀବ-ମଣ୍ଡଳର ବିବର୍ତ୍ତନ ଘଟୁଛି । ଏଣୁ ଲଭ୍‌ଲକ ସୂଚାଇଛନ୍ତି ଯେ ଗାଇଆ ବା ବସୁମାତା ନିଷ୍ପ୍ରାଣ କିମ୍ବା ଚେତନାବିହୀନ ନୁହେଁ । ଜୀବ-ଜଗତର ସାମଗ୍ରିକ କ୍ରିୟାଶୀଳତା ଏପରି ଭାବରେ ସଂଘଟିତ ହେଉଛି, ଅର୍ଥାତ୍ ଗାଇଆ ଏପରି ଭାବରେ କର୍ମପ୍ରବଣା ହେଉଛି ଯେ, ଜୀବମଣ୍ଡଳର ବିବର୍ତ୍ତନ ଜୀବଜଗତର ସ୍ଥାୟିତ୍ଵ ପ୍ରତି ଅନୁକୂଳ ହୋଇ ପାରୁଛି । ବସୁମାତା ବା ଗାଇଆର ସଂଜ୍ଞାଟିକୁ ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ସେ ଉଲ୍ଲେଖ କରିଛନ୍ତି ଯେ ପୃଥିବୀର ଜୀବ-ମଣ୍ଡଳ, ବାୟୁମଣ୍ଡଳ, ସମୁଦ୍ର ଓ ମୃତ୍ତିକା ସ୍ତରର ସମାହାରରେ ଯେଉଁ ବିଚିତ୍ର ବୃହଦାକୃତି ତଥା ଜଟିଳ ପ୍ରତିପୃଷ୍ଟିକାରିଣୀ ଓ ଚେତନଶୀଳା ଜନନୀର ଆବିର୍ଭାବ ଘଟିଛି ଏବଂ ଧରଣୀ ବକ୍ଷରେ ସମଗ୍ର ଜୀବ-ଜଗତର ସ୍ଥାୟିତ୍ଵକୁ ବଳବତ୍ତର ରଖିବା ପାଇଁ ଯିଏ ଅନନ୍ୟ ସାଧାରଣ ମାର୍ଗରେ କ୍ରିୟାଶୀଳ ହେଉଛି, ତାହା ହିଁ ‘ଗାଇଆ’-

 

॥ ୩ ॥

 

ଜିମ୍ ଲଭ୍‌କଲ ନିଜ କର୍ମମୟ ଜୀବନର ପ୍ରାରମ୍ଭ କାଳରେ ଗ୍ୟାସ୍ ବର୍ଣ୍ଣଲେଖନ (gas chromatography) ସମ୍ପର୍କୀୟ ଗବେଷଣା କ୍ଷେତ୍ରରେ ଅସାମାନ୍ୟ କୃତିତ୍ଵ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଯନ୍ତ୍ର-କୌଶଳ ଉଦ୍ଭାବନ କରିବା ହିଁ ହେଉଛି ତାଙ୍କର ବୌଦ୍ଧିକ ବିଳାସ । ସ୍ଵୀୟ ଉଦ୍ଭାବନଗୁଡ଼ିକର ପେଟେଣ୍ଟ ବିକ୍ରୟଲବ୍‌ଧ ଅର୍ଥ ବଳରେ ଜୀବିକା ନିର୍ବାହ କରିବାକୁ ସେ ସୁଖପ୍ରଦ ମଣନ୍ତି । ତାଙ୍କ ଦ୍ଵାରା ଉଦ୍ଭାବିତ ‘ଇଲେକ୍‌ଟ୍ରନ କାପ୍‌ଚର ଡିଟେକ୍ଟର’ ଶୀର୍ଷକ ଏକ କର୍ମକୁଶଳୀ ଯନ୍ତ୍ରକୁ ବର୍ତ୍ତମାନ ପରିବେଶ-ବିଜ୍ଞାନୀମାନେ ଅଭିକ୍ରିୟାତ୍ମକ ଗବେଷଣା ଚଳାଇବା ବ୍ୟାପାରରେ ବହୁଳ ଭାବରେ ବ୍ୟବହାର କରୁଛନ୍ତି ଏବଂ ଏହି ଶେଷୋକ୍ତ ଅସାମାନ୍ୟ କୃତିତ୍ଵ ପାଇଁ ତାଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରତିଷ୍ଠା ମିଳିଛି । ୧୯୭୩ ମସିହାରେ ସେ ରୟାଲ ସୋସାଇଟିର ସଭ୍ୟ (FRS) ରୂପେ ନିର୍ବାଚିତ ହୋଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରସିଦ୍ଧ ନାସା ପ୍ରତିଷ୍ଠାନ ତାଙ୍କୁ ଜନୈକ ଟେକ୍‌ନିକାଲ ପରାମର୍ଶଦାତା ରୂପେ ସମ୍ମାନିତ କରିଛନ୍ତି ଏବଂ ସେ ରିଡିଙ୍ଗ୍‍ସ ବିଶ୍ୱବିଦ୍ୟାଳୟର ସାଇବର୍ ନେଟିକସ ବିଭାଗରେ ଜନୈକ ପରିଦର୍ଶୀ ଅଧ୍ୟାପକ ରୂପେ ନିଯୁକ୍ତ ହୋଇଛନ୍ତି ।

 

ନାସା ପ୍ରତିଷ୍ଠାନର ବିଶେଷଜ୍ଞମାନେ ପୃଥିବୀ ଇତର ଗ୍ରହ ପୃଷ୍ଠରେ ଜୀବ-ଜଗତର ସନ୍ଧାନ ନେବାପାଇଁ ମହାକାଶଯାନଗୁଡ଼ିକରେ ସୁଗ୍ରାହୀ ଓ ବିଚକ୍ଷଣ ଭାବେ କର୍ମକୁଶଳୀ ଯନ୍ତ୍ରଗୁଡ଼ିକୁ ସ୍ଥାପନା କରୁଥିବା ବେଳେ ଲଭ୍‌ଲକଙ୍କ ପରାମର୍ଶ ଲୋଡ଼ିଥିଲେ । ମୌଳିକ ଚିନ୍ତାଶକ୍ତିସମ୍ପନ୍ନ ଲଭ୍‌ଲକଙ୍କ କୌତୁହଳୀ ତଥା ଉଦ୍ଭାବନପ୍ରବଣ ମାନସପଟରେ ଏ ସମସ୍ୟାର ସମାଧାନ ପାଇଁ ଏକ ଅଭିନବ ଧାରଣାର ଅଭ୍ୟୁଦୟ ଘଟିଲା । ସେ ସମର୍ଧମୀ ଗବେଷକମାନଙ୍କୁ ଜଣାଇ ଦେଲେ ଯେ ମଙ୍ଗଳ ଗ୍ରହ ବା ଅନ୍ୟ ଯେକୌଣସି ଗ୍ରହ ପୃଷ୍ଠରେ ଜୀବ-ଜଗତର ସନ୍ଧାନ ନେବା ପାଇଁ ଯେଉଁ ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି, ସେଗୁଡ଼ିକୁ ପ୍ରୟୋଗ କରାଯିବା ଫଳରେ ଜୀବ-ଜଗତର ସନ୍ଧାନ ପାଇବା ଦିଗରେ ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହ କରିବାର ଅବକାଶ ନାହିଁ । କାରଣ, ଜୀବନର ସଂଜ୍ଞା ନିର୍ଭୁଲ ଭାବରେ ନିର୍ଦ୍ଧାରଣ କରିବା ଗୋଟିଏ ଆୟାସସାଧ୍ୟ ବ୍ୟାପାର । ସେ ଏହି ଦୃଷ୍ଟିକୋଣରୁ ବିଚାର ଗୋଟିଏ ଆୟାସସାଧ୍ୟ ବ୍ୟାପାର । ସେ ଏହି ଦୃଷ୍ଟିକୋଣରୁ ବିଚାର କରି ସମଧର୍ମୀ ବିଶେଷଜ୍ଞମାନଙ୍କୁ ଚେତାଇ ଦେଇଥିଲେ ଯେ, ଏଣ୍ଟ୍ରୋପି (ତାପୀୟ ବିଶୃଙ୍ଖଳା) ର ହ୍ରାସ ହିଁ ଜୀବର ଚାରିତ୍ରିକ ବୈଶିଷ୍ଟ୍ୟ ଏବଂ ପ୍ରତ୍ୟେକ ଜୀବ ଜୈବିକ ପ୍ରକ୍ରିୟା ସମ୍ପାଦନ କରିବାପୂର୍ବକ ଜୀବନ ଧାରଣ କରୁଥିବା ଅବସରରେ ନିଜଠାରୁ ପରିବେଶକୁ ଯାହା ତ୍ୟାଗ କରେ, ତଜ୍ଜନିତ ପରିବେଶର ଏଣ୍ଟ୍ରୋପିରେ ଅଭିବୃଦ୍ଧି ଘଟେ । ତାପଗତିକ ବିଜ୍ଞାନର ଦ୍ଵିତୀୟ ନିୟମାନୁଯାୟୀ ଏ ବିଶ୍ଵର ସମସ୍ତ ଉତ୍ତାପ ଶକ୍ତି ସମୟକ୍ରମେ ଏପରି ବିଶୃଙ୍ଖଳିତ ମାର୍ଗରେ ଚତୁର୍ଦ୍ଦିଗକୁ ବିତରିତ ହେବାର ନିଶ୍ଚିତ ସମ୍ଭାବନା ରହିଛି ଯେ ଏହି ବିଶୃଙ୍ଖଳାର ଚରମ ପରିଣତି ସ୍ୱରୂପ କୌଣସି ଦରକାରୀ କାର୍ଯ୍ୟ ସାଧନ ପାଇଁ ଆବଶ୍ୟକୀୟ ଶକ୍ତି ମିଳି ନାହିଁ । ଏଣ୍ଟ୍ରୋପିର ଅଭିବୃଦ୍ଧି ପ୍ରକୃତିର ଏକ ଅଲଙ୍ଘନୀୟ ନିୟମ ଏବଂ ଏହାର ଅଭିବୃଦ୍ଧି ଉଲ୍ଲିଖିତ ଚରମ ସୀମାରେ ଉପନୀତ ହେବା ଫଳରେ ପୃଥିବୀ ତଥା ଇତର ବସ୍ତ୍ରପିଣ୍ଡଗୁଡ଼ିକର ବିନାଶ ଘଟିବ । ଲଭ୍‌ଲକ୍‌ଙ୍କ ମତାନୁଯାୟୀ ସର୍ବବିଧ ପ୍ରାକୃତିକ କ୍ରିୟାଶୀଳତା ସଂଘଟିତ ହେବା ଅବସରରେ କେବଳ ଯେଉଁ ବସ୍ତୁପିଣ୍ଡର ପୃଷ୍ଠଦେଶରେ ଜୀବ-ଜଗତର ସୃଷ୍ଟି ସମ୍ଭବ ହୋଇଥିବ, ସେଠାକାର ପରିବେଶରେ ଏଣ୍ଟ୍ରୋପିର ହ୍ରାସ ଘଟୁଥିବା ଘଟଣାଟିକୁ ଲକ୍ଷ୍ୟ କରାଯାଇ ପାରେ । କାରଣ ପ୍ରତ୍ୟେକ ଜୀବ ବାହ୍ୟ ପରିବେଶରୁ ଶକ୍ତି ସଂଗ୍ରହ କରି ତାହାର ଶୃଙ୍ଖଳିତ ଉପଯୋଗ ବିନିମୟରେ ନିଜ ଜୈବିକ ପ୍ରକ୍ରିୟା ସମ୍ପାଦନ କରିପାରେ । ଜୀବଠାରେ ଏଣ୍ଟ୍ରୋପିର କିପରି ହ୍ରାସ ଘଟୁଛି ଏବଂ ତାହାର ଜୈବିକ କ୍ରିୟାଶୀଳତାର ପରିଣତି ସ୍ୱରୂପ ବାହ୍ୟ ଏଣ୍ଟ୍ରୋପିରେ କେଉଁ ପ୍ରକାର ଇତର ଅଦଳ ବଦଳ ଘଟୁଛି—ଏ ସମ୍ପର୍କୀୟ ଅନୁସନ୍ଧାନ ଚଳାଇ ପାରିଲେ ପୃଥିବୀ ଇତର ବସ୍ତୁପିଣ୍ଡର ପୃଷ୍ଠଦେଶରୁ ଜୀବ-ଜଗତର ସନ୍ଧାନ ମିଳିପାରିବ ବୋଲି ପରାମର୍ଶ ଦେଇଥିଲେ । ତାଙ୍କ ପ୍ରସ୍ତାବ ଅବଶ୍ୟ ତତ୍କାଳୀନ ପରିସ୍ଥିତିରେ ସମଧର୍ମୀ ଗବେଷକମାନଙ୍କର ହୃଦୟଗ୍ରାହୀ ହେଲା ନାହିଁ । ମାତ୍ର ନିଜ ମୌଳିକ ଧାରଣାର ସତ୍ୟତା ପ୍ରତିପାଦନ କଳ୍ପେ ଗବେଷଣା ଚଳାଇବା ପାଇଁ ସେ ସଂକଳ୍ପବଦ୍ଧ ଏକନିଷ୍ଠ ଉଦ୍ୟମ ଚଳାଇଲେ ।

 

ପୃଥିବୀ ଇତର ମଙ୍ଗଳ ବା ଶୁତ୍ରଗ୍ରହର ପୃଷ୍ଠଦେଶରେ ଜୀବଜଗତର ସନ୍ଧାନ ନେବାପାଇଁ ଗବେଷଣା ଚଳାଇବା ପରିବର୍ତ୍ତେ ସେ ଜୀବ-ଜଗତ ଧାରିତ ପୃଥିବୀ ପୃଷ୍ଠର ଜୀବମଣ୍ଡଳର ଅନନ୍ୟସାଧାରଣ ଭୌତିକ ପ୍ରକୃତି ସମ୍ପର୍କରେ ଜାଣିବା ପାଇଁ ବହୁ ଶୃଙ୍ଖଳାଭିତିକ ଗବେଷଣାର ଅୟମାରମ୍ଭ ଘଟାଇଲେ । ପ୍ରାଥମିକ ପର୍ଯ୍ୟାୟର ଗବେଷଣାର ଫଳରୁ ସେ ଜାଣିପାରିଲେ ଯେ ପୃଥିବୀରୂପୀ ବସ୍ତୁପିଣ୍ଡର ଆବିର୍ଭାବ ୪୫୦୦ ନିୟୁତ ବର୍ଷ ପୂର୍ବରୁ ସଂଘଟିତ ହୋଇଥିଲେ ହେଁ ଏହାର ପୃଷ୍ଠଦେଶରେ ଜୀବ-ଜଗତର ଅୟମାରମ୍ଭ ଘଟିଛି ୩୫୦୦ ନିୟୁତ ବର୍ଷ ପୂର୍ବରୁ । ଜୀବ-ଜଗତର ସ୍ଥାୟିତ୍ଵ ତଥା ବିବର୍ତ୍ତନ ଫଳରେ ପାର୍ଥିବ ଜୀବ-ମଣ୍ଡଳରେ ଶୁଭଙ୍କରୀ ପରିବର୍ତ୍ତନ ଘଟିଛି । ଉଦ୍ଭିଦ ଓ ପ୍ରାଣୀମାନେ ଜୈବିକ ପ୍ରକ୍ରିୟା ସମ୍ପାଦନ କରିବା ଦ୍ଵାରା ଏବଂ ଏତଦ୍ଦ୍ଵାରା ପାର୍ଥିବ ଜୀବମଣ୍ଡଳକୁ ପ୍ରଭାବିତ କରିବା ଦ୍ଵାରା ପାର୍ଥିବ ପାଣିପାଗ ଓ ବାୟୁମଣ୍ଡଳରେ ଯେଉଁ ପ୍ରକାର ପରିବର୍ତ୍ତନ ଘଟୁଛି, ତାହା ଅନ୍ୟ କୌଣସି ନିଷ୍ପ୍ରାଣ ବସ୍ତୁପିଣ୍ଡର ବାୟୁମଣ୍ଡଳରେ ପରିଲକ୍ଷିତ ହେଉ ନାହିଁ । ସେ ପ୍ରାମାଣିକ ତଥ୍ୟାବଲମ୍ବନରେ ଦର୍ଶାଇ ପାରିଲେ ଯେ ଜୀବ-ଜଗତର ପାରସ୍ପରିକ ନିର୍ଭରଶୀଳ ସହାବସ୍ଥାନ ଓ ପରିସଂସ୍ଥାୟ ସନ୍ତୁଳନର ଫଳ ସ୍ୱରୂପ ଜୀବ-ଜଗତର ବିବର୍ତ୍ତନ ସହ ତାଳ ମିଳାଇ ପାର୍ଥିବ ଜୀବ-ମଣ୍ଡଳର ମଧ୍ୟ ଶୁଭଙ୍କରୀ ପରିବର୍ତ୍ତନ ଘଟୁଛି । ଗବେଷଣାଶ୍ରୟୀ ପର୍ଯ୍ୟାପ୍ତ ପ୍ରାମାଣିକ ତଥ୍ୟାବଲମ୍ବନରେ ସେ ସୂଚାଇ ଦେଲେ ଯେ ଜୀବ-ଜଗତର ଛନ୍ଦବଦ୍ଧ ନିୟମିତ କ୍ରିୟାଶୀଳତା ଯୋଗୁଁ ହିଁ ସୌର ରଶ୍ମିର ତୀବ୍ରତା, ଭୂପୃଷ୍ଠର ତାପମାତ୍ରା ଏବଂ ସୌରଶକ୍ତି ଅବଶୋଷଣକ୍ଷମ ଓ ବିକୀରଣକ୍ଷମ ଭୂପୃଷ୍ଠର ବର୍ଣ୍ଣରେ ପରିବର୍ତ୍ତନ ଘଟୁଥିଲେ ମଧ୍ୟ ପୃଥିବୀର ବାୟୁମଣ୍ଡଳରେ ଜୀବ-ଜଗତର ସ୍ଥାୟିତ୍ଵ ଦୃଷ୍ଟିରୁ କୌଣସି ଲକ୍ଷ୍ୟଣୀୟ ପ୍ରତିକୂଳ ପରିବର୍ତ୍ତନ ଘଟି ନାହିଁ । ପ୍ରାଣୀ ଓ ଉଦ୍ଭିଦମାନଙ୍କର ବିଚକ୍ଷଣ କ୍ରିୟାଶୀଳତା ଯୋଗୁଁ ଜୀବ-ମଣ୍ଡଳର ଅମ୍ଳୟ ଓ କ୍ଷାରୀୟ ଅବସ୍ଥା ଆନୁପାତିକ ଦୃଷ୍ଟିରୁ ଜୀବମାନଙ୍କ ବଞ୍ଚି ରହିବା ପାଇଁ ସନ୍ତୁଳିତ ଅବସ୍ଥାରେ ରହି ପାରିଛି । ଜୀବମାନଙ୍କ କ୍ରିୟାଶୀଳତା ବାୟୁମଣ୍ଡଳୀୟ ଉଦ୍‌ଜାନକୁ ଏପରି ଅବସ୍ଥାରେ ସନ୍ତୁଳିତ ରଖିଛି ଯେ ଉଦ୍‌ଜାନର ମହାକାଶକୁ ନିର୍ଗମନ ଯୋଗୁ ଜୀବ-ଜଗତର ସ୍ଥାୟିତ୍ଵ ବିପନ୍ନ ହେବାର ଆଶଙ୍କା ଉପୁଜୁ ନାହିଁ; ଜୀବ-ମଣ୍ଡଳଧାରିତ ଜୀବମାନଙ୍କ ସହ ଅନ୍ତଃକ୍ରିୟା ହିଁ ବାୟୁମଣ୍ଡଳୀୟ ଜଳୀୟ ବାଷ୍ପ ଓ ଅଙ୍ଗାରକାମ୍ଳର ପରିମାଣକୁ ପ୍ରଭାବିତ କରୁଛି; ସାମୁଦ୍ରିକ ଜୀବମାନଙ୍କର ବିଚକ୍ଷଣ ଜୈବିକ ପ୍ରତିକ୍ରିୟା ପରିଣତି ସ୍ୱରୂପ ଗନ୍ଧକ ଓ ଆୟୋଡିନ ଭଳି ଦୁଷ୍ପ୍ରାପ୍ୟ ତଥା ଜୀବୋପଯୋଗୀ ଉପାଦାନଗୁଡ଼ିକ ଜୀବ-ମଣ୍ଡଳରେ ସୁଲଭ୍ୟ ହୋଇ ପାରୁଛି ।

 

ସ୍ଥୂଳତଃ ଏ ପ୍ରକାର ବହୁବିଧ ପ୍ରାମାଣିକ ତଥ୍ୟାବଲମ୍ବନରେ ଲଭ୍‌ଲକ୍ ସୂଚାଇ ଦେଲେ ଯେ ନିଜର ସ୍ଥାୟିତ୍ଵକୁ ବଳବତ୍ତର ରଖିବା ପାଇଁ ସମଗ୍ର ଜୀବ-ଜଗତ ଏପରି ସୁସମନ୍ଵିତ ମାର୍ଗରେ କ୍ରିୟାଶୀଳ ହେଉଛି ଯେ ପାର୍ଥିବ ବାୟୁମଣ୍ଡଳର ବିବର୍ତ୍ତନ ସେମାନଙ୍କ ସ୍ଥାୟିତ୍ଵ ପାଇଁ ଉପଯୋଗୀ ହୋଇ ପାରୁଛି । ଯେଉଁ ବସ୍ତ୍ରପିଣ୍ଡଗୁଡ଼ିକରେ ଜୀବ-ଜଗତ ସର୍ଜନା ସମ୍ଭବ ହେଉ ନାହିଁ, ସେଠାକାର ବାୟୁମଣ୍ଡଳ ବା ଭୌତିକ ପରିବେଶରେ ଏପରି ପରିବର୍ତ୍ତନ ଘଟୁ ନାହିଁ । ସେ ସ୍ପଷ୍ଟଭାବରେ ଘୋଷଣା କଲେ ଯେ ଏଣ୍ଟ୍ରୋପି ବା ତାପୀୟ ବିଶୃଙ୍ଖଳାର ଆବର୍ଦ୍ଧନ ଯୋଗୁଁ ଅବଶ୍ୟ ପୃଥିବୀ କାଳକ୍ରମେ ଜୀବ-ଜଗତର ବାସପୋଯୋଗୀ ହେବ ନାହିଁ; ମାତ୍ର ଏଣ୍ଟ୍ରୋପିର ମାତ୍ରା ଏପରି ଚରମ ସୀମାରେ ଉପନୀତ ହେବା ପାଇଁ ଆହୁରି ଲକ୍ଷ ଲକ୍ଷ ବର୍ଷ ବିତିଯିବ । ଏହାପରେ ମିଳୁଥିବା ଉତ୍ତାପ ସାହାଯ୍ୟରେ ଜୈବିକ ପ୍ରକ୍ରିୟା ସମେତ କୌଣସି ଦରକାରୀ କାର୍ଯ୍ୟ ସମ୍ପାଦନ କରିବା ସମ୍ଭବ ହେବ ନାହିଁ । ମାତ୍ର ସୁଦୂର ଭବିଷ୍ୟତରେ ସେହି କ୍ରାନ୍ତିକ ପରିସ୍ଥିତିର ଆବିର୍ଭାବ ଘଟିବା ପର୍ଯ୍ୟନ୍ତ ଆହୁରି ଲକ୍ଷ ଲକ୍ଷ ବର୍ଷବ୍ୟାପୀ ମନୁଷ୍ୟ ସମେତ ସମଗ୍ର ଜୀବ-ଜଗତ ଧରଣୀ ବକ୍ଷରେ ନିଜ ନିଜର ସ୍ଥାୟିତ୍ଵକୁ ନିରାପଦ ରଖି ପାରିବାର ଅବକାଶ ରହିଛି । ମନୁଷ୍ୟତର ଜୀବମାନେ ଜୈବିକ ପ୍ରକ୍ରିୟା ଅବଲମ୍ବନରେ ପ୍ରକୃତିର ଭାରସାମ୍ୟକୁ ସନ୍ତୁଳିତ ରଖିଛନ୍ତି ଏବଂ ସେମାନେ ସ୍ଵେଚ୍ଛାକୃତ ଭାବରେ ଏହାକୁ ସନ୍ତୁଳିତ କରିବା ସମ୍ଭବ ନୁହେଁ । ଏହି ଜୀବମାନେ ଅନୁବଂଶିକ ସୂତ୍ରରେ ଆହରିତ ପ୍ରବୃତ୍ତିଗୁଡ଼ିକର ତାଡ଼ନାରେ ବଞ୍ଚି ରହିବାର ପାଥେୟ ସଂଗ୍ରହ କରନ୍ତି । କେବଳ ମନୁଷ୍ୟ ଭଳି ଗୋଟିଏ ଅନନ୍ୟ ସାଧାରଣ ଜୀବ ନିଜ ମସ୍ତିଷ୍କର ବିଚକ୍ଷଣ କରାମତି ଯୋଗୁଁ ପାର୍ଥିବ ପରିବେଷକୁ ସ୍ଵେଚ୍ଛାକୃତ ଭାବରେ ବଦଳାଇ ପାରୁଛି । ସେ ସ୍ପଷ୍ଟ ଭାବରେ ବୁଝାଇ ଦେଇଛନ୍ତି ଯେ, ପରିବେଶକୁ ଦୂଷିତ କରିବା ହିଁ ପ୍ରତ୍ୟେକ ଜୀବର ଧର୍ମ । ତା’ର ନିଜଠାରେ ଏଣ୍ଟ୍ରୋପିର ହ୍ରାସ ଘଟୁଥିବା ବେଳେ ସେ ନିଜର ଜୈବିକ ଓ ବୃତ୍ତିଗତ କ୍ରିୟାଶୀଳତା ଯୋଗୁଁ ପରିବେଶର ଏଣ୍ଟ୍ରୋପିରେ ବୃଦ୍ଧି ଘଟାଏ । ଏଣୁ ପରିବେଶର ଦୂଷିତୀକରଣକୁ ଏକ ଅସ୍ଵାଭାବିକ ବା ଅନୈତିକ ବ୍ୟାପାର ରୂପେ ବିଚାର କରିବାର ଅବକାଶ ନାହିଁ । ଜୀବ-ଜଗତ ସ୍ଥାନ ପାଇଥିବା ପ୍ରତ୍ୟେକ ଜୀବ ସମେତ ମନୁଷ୍ୟ ପରିବେଶ ଓ ପରିସଂସ୍ଥାକୁ ଏପରି ଭାବରେ ପ୍ରଭାବିତ କରୁଛି ଯେ, ସେମାନଙ୍କ ସାମଗ୍ରିକ ପରିଣାମିକ କ୍ରିୟାଶୀଳତାର ଫଳ ଜୀବମଣ୍ଡଳକୁ ସମସ୍ତଙ୍କ ପାଇଁ ବାସୋପଯୋଗୀ କରି ପାରୁଛି । ଏହି ପରିସଂସ୍ଥୀୟ ସନ୍ତୁଳନ ଯେପରି ଅତୁଟ ରହେ, ସେ ଦିଗରେ ଉପଯୁକ୍ତ ନଜର ଦେବା ହିଁ ହେଉଛି କେବଳ ବିଚାରବୋଧ ସମ୍ପନ୍ନ କର୍ମକୁଶଳୀ ମନୁଷ୍ୟର ପରମ କର୍ତ୍ତବ୍ୟ । ବିଜ୍ଞାନ ଓ ଟେକ୍‌ନୋଲଜି ଭିତ୍ତିକ ସଭ୍ୟତାର ଉତ୍ତରୋତ୍ତର ବିକାଶ ଘଟାଇବା ବେଳେ ସେ ନିଶ୍ଚିତ ଭାବରେ ପରିବେଶକୁ ଦୂଷିତ କରିବ, ମାତ୍ର ସେ ବରାବର ସ୍ମରଣ ରଖିବାକୁ ହେବ ଯେ, ତାହାର କ୍ରିୟାଶୀଳତା ଯୋଗୁଁ ଜୀବ ଜଗତର ସ୍ଥାୟିତ୍ଵ ପାଇଁ ଆବଶ୍ୟକ ହେଉଥିବା ବିବର୍ତ୍ତନ ପ୍ରକ୍ରିୟା ଯେପରି ପ୍ରଭାବିତ ନ ହୁଏ, ଗାଇଆର ସ୍ଵାସ୍ଥ୍ୟ ଯେପରି ଅତୁଟ ରହେ । ଲଭ୍‌ଲକ୍ ସୂଚାଇଛନ୍ତି ଯେ, ମନୁଷ୍ୟ ଯଦି ପୁଙ୍ଖାନୁପୁଙ୍ଖ ଗବେଷଣା ବଳରେ ଜାଣିପାରେ ଯେ ସେ କେଉଁ ପ୍ରକାରେ ଜୀବମଣ୍ଡଳରେ ପରିବର୍ତ୍ତନ ଘଟାଇବା ଦ୍ଵାରା ପରିବେଶୀୟ ସନ୍ତୁଳନ କିପରି ଭାବରେ ବ୍ୟାହତ ହେବାର ଅବକାଶ ରହିଛି, ତାହାହେଲେ ସେ ନିଜର ତଥା ଇତର ଜୀବ-ଜଗତର ସ୍ଥାୟିତ୍ଵକୁ ବିପନ୍ନ କରିବାର ସମ୍ଭାବନା ଥିବା କାର୍ଯ୍ୟନୁଷ୍ଠାନଗୁଡ଼ିକ କାର୍ଯ୍ୟକାରୀ କରିବ ନାହିଁ । ମନୁଷ୍ୟଠାରେ ବସୁମାତା ଗାଇଆ ସମ୍ପର୍କରେ ଏପରି ସଚେତନା ସୃଷ୍ଟି କରିବାକୁ ଏବଂ ଏହି ସଚେତନା ପର୍ଯ୍ୟବସିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାହାକୁ ଆବଶ୍ୟକୀୟ ବିଜ୍ଞାନସମ୍ମତ ତଥ୍ୟ ଯୋଗାଇ ଦେବାକୁ ସେ ବୁଦ୍ଧିଜୀବୀମାନଙ୍କର ପରମ କର୍ତ୍ତବ୍ୟ ରୂପେ ବିଚାର କରିଛନ୍ତି । ପାର୍ଥିବ ବାୟୁମଣ୍ଡଳର ସନ୍ତୁଳିତ ପରିବେଶକୁ ବ୍ୟାହତ କରିବାର ସମ୍ଭାବନା ଥିବା କେତେକ ଅପରିଣାମଦର୍ଶୀ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ସମ୍ୟକ୍ ସୂଚନା ଯୋଗାଇଛନ୍ତି । ସୁବିସ୍ତୃତ କ୍ରାନ୍ତୀୟ ଜଙ୍ଗଲାଞ୍ଚଳର ଉଚ୍ଛେଦ, ସୀମିତ ଉର୍ବର ମୃତ୍ତିକା ସ୍ତରର ଦୂଷିତୀକରଣ ପ୍ରଭୃତି ଘଟଣାଗୁଡ଼ିକ ସମ୍ପର୍କରେ ପର୍ଯ୍ୟାପ୍ତ ଗବେଷଣା ଚଳାଇ ଏହାର କୁପରିଣତି ସମ୍ପର୍କରେ ଚେତନା ଦେବାକୁ ସେ ମମସାମୟିକ ଗବେଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।

 

ଲଭ୍‌ଲକ୍ଙ୍କ ଗବେଷଣାର ଫଳ କାର୍ଲ୍ ସାଗନ୍‍ଙ୍କ ଦ୍ଵାରା ସମ୍ପାଦିତ ‘ଇକାରସ୍’ ନାମକ ପତ୍ରିକାରେ ପ୍ରକାଶିତ ହୋଇଯିବା ପରେ ଲିନ୍ନ, ମାର୍‌ଗୁଲିସ, ପ୍ରିଗୋଗିନ, ଜି:ସିଲ୍ଲେନ, ଇ:ଜେ: କର୍ଣ୍ଣୱେ, ସି : ଇ. ୟୁଙ୍ଗ୍. ଆର : ଆଇକ୍ ମାନ୍, ଏଚ ପିଟେକ୍, ଆବ୍ରାହାମ ଲରମାନ, ଫ୍ରେଡ୍ ଟି. ମାକେଞ୍ଜି, ଏ : ଜେ: ମିଡୋଜ୍ ପ୍ରମୁଖ ବୈଜ୍ଞାନିକମାନେ ଏ ଦିଗରେ ବହୁ ଶୃଙ୍ଖଳାଭିତ୍ତିକ ଗବେଷଣା ଚଳାଇ ତାଙ୍କ ପ୍ରକଳ୍ପର ସତ୍ୟତା ପ୍ରତିପାଦନ କରିବା ସଙ୍ଗେ ଜୀବ-ମଣ୍ଡଳକୁ ପ୍ରଭାବିତ କରିବା ଦିଗରେ ଜୀବ-ଜଗତର ସାମଗ୍ରିକ କ୍ରିୟାଶୀଳତାର ରହସ୍ୟ ଉନ୍ମୋଚନ ବ୍ୟାପାରରେ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ।

 

ଲଭ୍‌ଲକ୍ ଓ ତାଙ୍କ ଅନୁଗାମୀମାନଙ୍କ ଗବେଷଣାର ଫଳରୁ ଜଣାପଡ଼ୁଛି ଯେ କ୍ଷୁଦ୍ର ବା ବୃହତ ନିର୍ବିଶେଷରେ ଏ ପୃଥିବୀର ପ୍ରତ୍ୟେକ ଜୀବ-ଜୀବମଣ୍ଡଳର ପରିବେଶକୁ ଜୀବଜଗତ ପାଇଁ ନିରାପଦ ରଖିବା ଦିଗରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ମନୁଷ୍ୟ କେବଳ ନିଜ ଅବିବେକୀ କର୍ମ ବଳରେ ଇତର ଜୀବମାନଙ୍କ ସ୍ଥାୟିତ୍ଵକୁ ବିପନ୍ନ କରିଦେବାର ସମ୍ଭାବନା ରହିଛି । ଏଣୁ ସେ ଯଦି ନିଜର ଜୀବନ ଧାରଣ ପାଇଁ ପାରସ୍ପରିକ ନିର୍ଭରଶୀଳତା, ସହାବସ୍ଥାନ, ସଂବେଦନା ବିନିମୟରେ ପ୍ରତ୍ୟେକ ଛୋଟ ବଡ଼ ପ୍ରାଣୀ ବା ଉଦ୍ଭିଦର ସ୍ଥାୟିତ୍ଵକୁ ବିପନ୍ନ କରିବା ଭଳି କାର୍ଯ୍ୟରେ ଆତ୍ମନିୟୋଗ ନ କରେ, ଅର୍ଥାତ୍ ଜୀବମଣ୍ଡଳର ଶୁଭଙ୍କରୀ ବିବର୍ତ୍ତନର ଧାରାକୁ ସେ ଯଦି ସ୍ଵୀୟ ଅପକର୍ମ ବଳରେ ବିପଦଗାମୀ ନ କରେ, ତାହାହେଲେ ମନୁଷ୍ୟ ସମେତ ସମଗ୍ର ଜୀବଜଗତର ସ୍ଥାୟିତ୍ଵ ଧରଣୀ ବକ୍ଷରେ ଆହୁରି ଲକ୍ଷ ଲକ୍ଷ ବର୍ଷ ପର୍ଯ୍ୟନ୍ତ ନିରାପଦ ରହିପାରିବ, ଅର୍ଥାତ୍ ସୁଦୂର ଭବିଷ୍ୟତରେ ଏଣ୍ଟ୍ରୋପିର ମାତ୍ରା ଚରମ ସୀମାରେ ଉପନୀତ ହେବା ପର୍ଯ୍ୟନ୍ତ ମନୁଷ୍ୟ ତଥା ସମଗ୍ର ଜୀବଜଗତର ସହାବସ୍ଥାନ ସଂଭବ ହୋଇପାରିବ । ମାତ୍ର ମନୁଷ୍ୟ ଯଦି ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାଟିକୁ ସମ୍ୟକ ଭାବରେ ହୃଦୟଙ୍ଗମ ନ କରେ, ତାହାହେଲେ ସେ ଏଣ୍ଟ୍ରୋପିର ଆବର୍ଦ୍ଧନର ହାରକୁ ଅସ୍ଵାଭାବିକ ଭାବରେ ତ୍ୱରାନ୍ୱିତ କରିଦେବ ଏବଂ ନିଜର ଅପକର୍ମ ଯୋଗୁଁ ଅପେକ୍ଷାକୃତ ଅଳ୍ପକାଳ ମଧ୍ୟରେ ସେ ନିଜ ମାତୃରୂପିଣୀ ଗାଇଆ’ର ଘାତକ ଭୂମିକା ଗ୍ରହଣ କରିବ ।

 

॥ ୪ ॥

 

ପୃଥିବୀର ବିଭିନ୍ନ ଦେଶରେ ବିକାଶ ଲାଭ କରିଥିବା ଓ ଅସ୍ତମିତ ହୋଇଥିବା ବହୁ ପ୍ରାଚୀନ ସଭ୍ୟତାର ଇତିହାସରୁ ଜଣାପଡ଼ୁଛି ଯେ ବିଚାରବନ୍ତ ମନୁଷ୍ୟ ସ୍ଵୀୟ ଅନୁଭୂତି ଓ ଆତ୍ମଅବବେଧ ବଳରେ ବସୁମାତାରୂପୀ ସ୍ନେହମୟୀ ଜନନୀର ଲାଳନ କ୍ଷମତା ସମ୍ପର୍କରେ ସଚେତନ ହୋଇଛି । ‘ଜୀବେଦୟା’ ରୂପୀ ମାନବିକତାବୋଧ ପ୍ରତି ପୃଥିବୀର ପ୍ରତେକ ଦେଶର ସଭ୍ୟତା ଓ ସଂସ୍କୃତିରେ ଅଗ୍ରାଧିକାର ଆରୋପିତ ହୋଇଛି । ନିଜର ଏ ରୂପ ଅବବୋଧକୁ ସାମାଜୀକ ଚଳଣୀରେ ରୂପାୟୀତ କରିବାପାଇଁ ବହୁବିଧ ଧର୍ମାନୁମୋଦିତ ନିୟମଗୁଡ଼ିକ ଦୃଢ଼ଭାବରେ ମାନି ସେ ଜୀବିକା ନିର୍ବାହ କରିଛି । ଆଧ୍ୟାତ୍ମିକ ଚିନ୍ତନ ବଳରେ ମନୁଷ୍ୟ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯେଉଁ ପ୍ରକାର ସଚେତନା ପ୍ରାପ୍ତ ହୋଇଛି ତାହାର ସାରମର୍ମକୁ ଗୌର-ବିବାହ ଭାରତୀୟ ସଂସ୍କୃତି ‘ବସୁଧୈବ କୁଟୁମ୍ବକମ୍’ ରୂପେ ଚିତ୍ରିତ କରିଛି । ବିଗତ ପ୍ରାୟ ମାତ୍ର ତିନି ଶତାବ୍ଦୀ ମଧ୍ୟରେ ଭୌତିକ ବିଜ୍ଞାନ ବଳରେ ବଳୀୟାନ୍ ମନୁଷ୍ୟ ବିଜ୍ଞାନ ଓ ତଦାଶ୍ରୟୀ ଟେକ୍‌ନୋଲୋଜି ସର୍ବସ୍ଵ ମନୋବୃତ୍ତିର ଅଧିକାରୀ ହେବା ପରେ ଆଧ୍ୟାତ୍ମିକ ଚିନ୍ତନ ବା ତତନିର୍ଭରଶୀଳ ଆତ୍ମିକ ପ୍ରଶାନ୍ତି ପ୍ରତି ପ୍ରାଧାନ୍ୟ ଆରୋପ କରିବାକୁ ଉଚିତ ମଣିନାହିଁ । ବସ୍ତୁସର୍ବସ୍ଵ ତଥା ବଣିକସୁଲଭ ପ୍ରବୃତ୍ତିର ତଡ଼ନାରେ ସେ ବିଖଣ୍ଡିତ ଗବେଷଣା ବଳରେ ପ୍ରକୃତିକୁ ଜୟ କରିବାକୁ ଶ୍ରେୟସ୍କର ମଣିଛି-। ବିଗତ ପ୍ରାୟ ତିନି ଶତାବ୍ଦୀ ମଧ୍ୟରେ ପ୍ରକୃତିର ସାମଗ୍ରିକ କ୍ରିୟାଶୀଳତା ସମ୍ପର୍କରେ ସଚେତନ ନ ହୋଇ ତଥା ପ୍ରକୃତିକୁ ବିକୃତି ବା ବିକଳାଙ୍ଗ କରିବା ଦ୍ଵାରା ନିଜ ଉପରେ ଓ ଇତର ଜୀବମାନଙ୍କ ଉପରେ ଆରୋପିତ କୁପ୍ରଭବ ସମ୍ପର୍କରେ ସଚେତନ ନ ହୋଇ ସେ ଯେଉଁ ପ୍ରକାର ତଥାକଥିତ ବିଶେଷଜ୍ଞସୁଲଭ କ୍ରିୟାଶୀଳତାର ଅନୁଗାମୀ ହୋଇଛି, ତଜ୍ଜନିତ ସମଗ୍ର ଜୀବ-ଜଗତ ଧାରିତ ଜୀବମଣ୍ଡଳରୂପୀ ବସୁମାତାର ସ୍ୱାସ୍ଥ୍ୟହାନୀ ଘଟିଛି । ବସୁମାତା ‘ଗାଇଆ’ର ଗୁରୁତର ସ୍ଵାସ୍ଥ୍ୟହାନୀ ଘଟାଇବା ପୂର୍ବରୁ ଅବଶ୍ୟ ବିବେକୀ ମନୁଷ୍ୟ ବର୍ତ୍ତମାନ ନିଜର ଭୁଲ ବୁଝି ପାରିଛି ଏବଂ ନିଜର ତ୍ରୁଟି ସୁଧାରିବା ପାଇଁ ଚିନ୍ତା କରୁଛି । ମାତ୍ର ଅତୀତର ସ୍ଵାର୍ଥସର୍ବସ୍ଵ କ୍ଷମତା ଓ ଧନର ମୋହ କବଳରୁ ସେ ଏ ପର୍ଯ୍ୟନ୍ତ ପରିତ୍ରାଣ ଲାଭ କରିନାହିଁ । ଏଣୁ ମାନବୀୟ ସଭ୍ୟତାର ଏପରି କ୍ରାନ୍ତିକାରୀ ପରିସ୍ଥିତିରେ ବିଜ୍ଞାନପ୍ରେମୀ ମନୁଷ୍ୟକୁ ତାହାର ଅତି ଆପଣାର ଭାଷାରେ ବୈଜ୍ଞାନିକ ତଥ୍ୟାବଲମ୍ବନରେ ନିଜର କର୍ତ୍ତବ୍ୟ ସଂପର୍କରେ ସଚେତନ କରାଇ ଦେବା ଏକାନ୍ତ ସମୟୋପଯୋଗୀ ବୋଧ ହେଉଛି । ପ୍ରାମାଣିକ ତଥ୍ୟାଶ୍ରୟୀ ବିଜ୍ଞାନର ଭାଷାକୁ ସେ ଅବିଶ୍ଵାସ କରିବ ନାହିଁ । ଲଭ୍‌ଲକ୍ ପୃଥିବୀର ସବୁ ଦେଶର ବୁଦ୍ଧି ଜୀବିମାନଙ୍କୁ ଏ ଦିଗରେ ନିଜ ନିଜର କର୍ତ୍ତବ୍ୟ ସଂପର୍କରେ ସଚେତନ କରାଇ ଦେବା ବ୍ୟାପାରରେ ବାସ୍ତବିକ ଏକ ପଥପ୍ରଦର୍ଶନକରୀ ଭୂମିକା ଗ୍ରହଣ କରିଛନ୍ତି । ଆମ ଦେଶର ପ୍ରବୀଣ ବୁଦ୍ଧିଜୀବୀମାନେ ତାଙ୍କ ପଦାଙ୍କ ଅନୁସରଣ କରି ଦେଶବାସୀଙ୍କୁ ବହୁ ଶୃଙ୍ଖଳାଭିତ୍ତିକ ଅତ୍ୟାଧୁନିକ ଗବେଷଣାଲବ୍‌ଧ ଅବଦାନଗୁଡ଼ିକୁ ସୁଖପାଠ୍ୟ ଭାଷାରେ ପରିବେଷଣ କରିବା ଏକାନ୍ତ ସମୀଚୀନ ବୋଧ ହେଉଛି । ଏ ପ୍ରକାର ବିଜ୍ଞାନ ସାହିତ୍ୟରେ ସଜନା ମନୁଷ୍ୟଠାରେ ପୁଣି ମାନବିକତାବୋଧସଂପନ୍ନ ସୁଗୁଣ ଗୁଡ଼ିକର ସଂଚାର ଘଟାଇ ପାରିବ ।

 

* (1) Rachael Carson, silent spring Houghton Miffin, Boston, 1962; Hamish Hamilton London, 1963.

 

2. J. E, Lovelock, GAIA, Oxford University press, 1979.

 

3. “We have since defined Gaia as a complex entity involving Earth’s biosphere, atmosphere oceans and soil; the totality constituting a feed back or cybernetic system which seeks an optimal physical and chimical environment for the life on this planet.”

 

4. “To succeed on a territorial limits within Gaia would be essential, and the most scrupulous car would need to be taken to maintain the integrity of those key regions which are found to regulate the planetary health.”

Image

 

ଦ୍ଵିବିଧ ଉତ୍ତରାଧିକାରୀ

॥ ୧ ॥

 

ପାଶ୍ଚାତ୍ୟ ସଭ୍ୟତାର ବିକାଶଧାରାରେ ତଥା ବୌଦ୍ଧିକ ବିବର୍ତ୍ତନ କ୍ଷେତ୍ରରେ ସଂପ୍ରତି ଦ୍ଵିବିଧ ଉତ୍ତରାଧିକାରର ପ୍ରଭାବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏକ ପକ୍ଷରେ ଗ୍ରିକୋ ଗୋମାନ୍ ପରମ୍ପରା ଏବଂ ଅପର ପକ୍ଷରେ ପାଲ୍‍ଙ୍କ (ଯିଶୁଖ୍ରୀଷ୍ଟ ସାନ୍ନିଧ୍ୟ ଲାଭ କରି ନ ଥିବା) ଦ୍ଵାରା ପ୍ରତିଷ୍ଠିତ ଖ୍ରୀଷ୍ଟୀୟ ପରମ୍ପରା ମଧ୍ୟରେ ଯେଉଁ ମତାନ୍ତର ସୃଷ୍ଟି ହୋଇଛି, ତାହା ହିଁ ପାଶ୍ଚାତ୍ୟ ଜନମାନସକୁ ତଥା ଜୀବନଯାପନର ଢାଞ୍ଚାକୁ ନିୟନ୍ତ୍ରଣ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜନମାନସ ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ଏ ଦ୍ୱିବିଧ ପରମ୍ପରା ମଧ୍ୟରେ ତୁମୂଳ ପ୍ରତିଯୋଗିତାର ସଂଘଟନ ହିଁ ଏକ ବିଭ୍ରାନ୍ତିକର ପରିସ୍ଥିତିର ସୂତ୍ରପାତ ଘଟାଇଛି । ତାତ୍ପର୍ଯ୍ୟର ବିଷୟ ହେଉଛି ଯେ, ଦ୍ଵିବିଧ ଉତ୍ତରାଧିକାର ମଧ୍ୟରେ ସଂଘଟିତ ପ୍ରତିଯୋଗିତାର ଅବସାନ ଘଟିବା ଭଳି ଅନୁକୂଳ ପରିସ୍ଥିତି ଅଦ୍ୟାବଧି ସୃଷ୍ଟି ହୋଇନାହିଁ । ପାଶ୍ଚାତ୍ୟ ଦେଶର ନାଗରିକମାନେ ବିଜ୍ଞାନକୁ ହିଁ ସଭ୍ୟତାର ବିକାଶଧାରାର ଉତ୍ସ ରୂପେ ଆଦରି ନେଇଛନ୍ତି । ବିଜ୍ଞାନ ନିର୍ଭରଶୀଳ ଟେକ୍‌ନୋଲଜି ବଳରେ ପ୍ରକୃତି ଉପରେ ପ୍ରାଦୁର୍ଭାବ ବିସ୍ତାର କରିବା ପାଇ ତଥା ପ୍ରାକୃତିକ ପରିବେଶକୁ ଇଚ୍ଛାକୃତ ମାର୍ଗରେ ବଦଳାଇ ଦେବା ପୂର୍ବକ ସର୍ବବିଧ କ୍ଷେତ୍ରରେ ଉତ୍ପାଦନରେ ଅଭିବୃଦ୍ଧି ଘଟାଇବା ପାଇଁ ସେମାନଙ୍କ ଏକନିଷ୍ଟ ଉଦ୍ୟମ ଅବ୍ୟାହତ ରହିଛି-। ଅର୍ଥ ଲାଳସା ଓ କ୍ଷମତାଲିପ୍‌ସା ପାଇଁ ବିଜ୍ଞାନ ନିର୍ଭରଶୀଳ ଟେକ୍‌ନୋଲୋଜିଗୁଡ଼ିକୁ ଉଦ୍ଭାବନ କରାଯିବା ଦିଗରେ ଅଗ୍ରାଧିକାର ଆରୋପ କରାଯାଉଛି । ପାଶ୍ଚାତ୍ୟ ମନୁଷ୍ୟ ବିଚାରିଛି ଯେ, ନିଜ ବୌଦ୍ଧିକତା ଓ କର୍ମକୁଶଳତା ବଳରେ ସେ ବିଜ୍ଞାନରୂପୀ ଯେଉଁ ସୃଷ୍ଟିଶୀଳ କ୍ରିୟାଶୀଳତାରେ ଆତ୍ମନିଯୋଗ କରିଛି, ତାହା ହିଁ ପ୍ରକୃତିକୁ ଜୟ କରିବା ପୂର୍ବକ ଧରଣୀ ବକ୍ଷରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ଦିଗରେ ତାହାକୁ ବିହିତ ପଦକ୍ଷେପଗୁଡ଼ିକର ଅନୁଗାମୀ କରାଉଛି-। ବିଜ୍ଞାନ ଦ୍ଵାରା ସମ୍ମୋହିତ ପଶ୍ଚାତ୍ୟ ନାଗରିକ ଟେକ୍‌ନୋଲଜି ନିର୍ଭରଶୀଳ ଜୀବନ ବିତାଇବା ପାଇଁ ବିଜ୍ଞାନ ଉପରେ ଗଭୀର ଆସ୍ଥା ସ୍ଥାପନ କରିବା ଅବସରରେ ଉତ୍ତରାଧିକାର ସୁତ୍ରରେ ପ୍ରାପ୍ତ ଖ୍ରୀଷ୍ଟୀୟ ପରମ୍ପରାକୁ ପରିହାର କରିପାରୁ ନାହିଁ । ଶେଷୋକ୍ତ ଆଧ୍ୟାତ୍ମିକ ଚେତନା ତାହାର ବ୍ୟକ୍ତିକ ମାନସର ସନ୍ତୁଳନ ପାଇଁ ଓ ସାମାଜିକ ସଂହତି ପାଇଁ ଏକ ନୈତିକ ଆଧାର ରୂପେ କ୍ରିୟାଶୀଳ ହେଉଛି ।

 

ପାଶ୍ଚାତ୍ୟ ମନୁଷ୍ୟ କେଉଁ ଉତ୍ତରାଧିକାରକୁ ପ୍ରତ୍ୟାଖ୍ୟାନ କରିବ ? —ବିଜ୍ଞାନକୁ ବା ଖ୍ରୀଷ୍ଟୀୟ ନୈତିକ ଆଧାରକୁ ! ଉଭୟର ସମ୍ମୋହନ ତାହାକୁ କୌଣସିଟିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ନିଷ୍ପତ୍ତିମୂଳକ ସିଦ୍ଧାନ୍ତରେ ଉପନୀତ କରାଇବାକୁ ଅସମର୍ଥ ହୋଇଛି । ନୈତିକ କଥା ସାମାଜିକ ମୂଲ୍ୟବୋଧ ଦୃଷ୍ଟିରୁ ବିଜ୍ଞାନ ଉଦାସୀନ ନୁହେଁ । ଆନୁଭବିକତା, ଅଭିଜ୍ଞତାସିଦ୍ଧ ଉପଲବ୍‌ଧି, ତର୍କସିଦ୍ଧତା ଓ ଧର୍ମନିରପେକ୍ଷତା ପ୍ରଭୃତି ବିଭାବଗୁଡ଼ିକୁ ବିଜ୍ଞାନର ଚାରିତ୍ରିକ ବୈଶିଷ୍ଟ୍ୟ ରୂପେ ବିଚାର କରାଯାଉଛି । ମାତ୍ର ଏପରି କର୍ମଭିମୁଖ୍ୟ ତଥା ଜୀବନାଦର୍ଶ ଦୃଷ୍ଟିରୁ ବିଚାର କରିବା ଦ୍ୱାରା ଜଣାପଡ଼ିଛି ଯେ ସାମାଜିକ ବ୍ୟବହାର ଓ ସାମାଜିକ ସଂହିତି ପାଇଁ ବିଜ୍ଞାନକୁ ଏକ ନୈତିକ ଆଧାର ରୂପେ ବିଚାର କରିବା ଆଦୌ ସମ୍ଭବ ହେଉନାହିଁ । ବିଜ୍ଞାନଶ୍ରୟୀ ସଭ୍ୟତାର ଚରମ ବିକାଶ ପର୍ବରେ ତଥ୍ୟାନୁବର୍ତ୍ତୀ ବୈଷୟିକୋତ୍ତର ସମାଜର ଶୁଭାଗମନ ପାଇଁ କର୍ମତତ୍ପର ଜୀବନଯାପନ କରୁଥିବା ପାଶ୍ଚାତ୍ୟ ମନୁଷ୍ୟ ସାମାଜିକ କ୍ଷେତ୍ରରେ ସୃଷ୍ଟି ବ୍ୟଭିଚାର, ଅଶାନ୍ତି, ଉତ୍ତେଜନା ଓ ପଶୁତୁଲ୍ୟ ପ୍ରବୃତ୍ତିଗତ ତାଡ଼ନାର ଉତ୍ପଡ଼ନକୁ ଲକ୍ଷ୍ୟ କରି ବିବ୍ରତ ତଥା ନିଃସହାୟ ଅନୁଭବ କରୁଛି । ବିଜ୍ଞାନାଶ୍ରୟୀ ଯୁଗର ସାମାଜିକ ଜୀବନକୁ ମୁଖଶାନ୍ତିମୟ କରାଇବା ପାଇଁ କୌଣସି ଆଦର୍ଶର ଅନୁଗାମୀ ହେବା ଦିଗରେ ତାହାର ସକଳ ବୌଦ୍ଧିକ ପ୍ରୟାସ କୌଣସି ଫଳପ୍ରଦ ଭୂମିକା ଗ୍ରହଣ କରିପାରୁନାହିଁ ।

 

ମନୁଷ୍ୟର ଭବିଷ୍ୟତକୁ ଉଜ୍ଜ୍ଵଳମୟ କରାଇବା ପାଇଁ ତଥା ସତ୍ୟ, ଶିବ, ସୁନ୍ଦରର ସର୍ଜନା ପାଇଁ ଅନ୍ୟ କୌଣସି କର୍ମଭିମୁଖ୍ୟ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ସମ୍ଭବ ହୋଇ ନ ଥିବାରୁ ସେ ବର୍ତ୍ତମାନ ଖ୍ରୀଷ୍ଟୀୟ ପରମ୍ପରାର ପୁନର୍ଜାଗରଣ ପାଇଁ ବ୍ୟାକୁଳତା ପ୍ରକାଶ କରୁଛି । ପାଶ୍ଚାତ୍ୟ ଜଗତରେ ଖ୍ରୀଷ୍ଟୀୟ ଧର୍ମଦେଶଗୁଡ଼ିକ ପ୍ରତି ପୁଣି ଥରେ ମନୁଷ୍ୟ ମନରେ ଦୃଢ଼ ବିଶ୍ଵାସ ଜାତ କରାଇବା ପାଇଁ ଯେଉଁ ପ୍ରକାର ଉଦ୍ୟମ ଚାଲିଛି, ତାହାକୁ ଲକ୍ଷ୍ୟ କରିବା ଦ୍ୱାରା ଜଣାପଡ଼ୁଛି ଯେ ଦ୍ଵିବିଧ ଉତ୍ତରାଧିକାର ସମକାଳୀନ ଉତ୍ପୀଡ଼ନ ହିଁ ଏହାର ଅନ୍ୟତମ ମୁଖ୍ୟ କାରଣ ।

 

ଅଭିକ୍ରିୟା କଥା ଚିନ୍ତନ ପ୍ରସ୍ତୁତ ବୈଜ୍ଞାନିକ କ୍ରିୟାଶୀଳତାର ଅଭ୍ୟୁଦୟ କାଳଠାରୁ ଖ୍ରୀଷ୍ଟୀୟ ନୈତିକ ମୂଲ୍ୟବୋଧ ଓ ବୈଜ୍ଞାନିକ କର୍ମାଭିମୁଖ୍ୟ ମଧ୍ୟରେ ବିରୋଧର ସୁତ୍ରପାତ ଘଟିଛି । ମଧ୍ୟଯୁଗରେ ଯାଜକୀୟ ବିଚାରାଳାୟଗୁଡ଼ିକ ବୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକର ପ୍ରତିଷ୍ଠାତାମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିଥିବାର ଅବିସ୍ମରଣୀୟ ଘଟଣାବଳୀକୁ ମାନବୀୟ ଇତିହାସର ଏକ କଳଙ୍କିତ ଅଧ୍ୟାୟ ରୂପେ ବିଚାର କରାଯାଉଛି । ପୁନରଭ୍ୟୁଦୟ କାଳଠାରୁ ବିଜ୍ଞାନ ନିର୍ଭରଶୀଳ ଟେକ୍‌ନୋଲଜିଗୁଡ଼ିକର କରାମତି ବଳରେ ପାଶ୍ଚାତ୍ୟ ମନୁଷ୍ୟ ଧରଣୀ ବକ୍ଷରେ ନିଜର ପ୍ରତିପତି ବିସ୍ତାର କରିବା ଦ୍ଵାରା ଖ୍ରୀଷ୍ଟୀୟ ନୈତିକ ଆଧାରର ଭୂମିକା କ୍ରମଶଃ ଗୌଣ ହୋଇ ଯାଇଛି ଏବଂ ଗ୍ରୀକୋ-ଭୋମାନ୍ ବୈଜ୍ଞାନିକ ପରମ୍ପରାର ପୁନର୍ଜାଗରଣ ଜନମାନସକୁ ବିଶେଷ ଭାବରେ ପ୍ରଭାବିତ କରିଛି । ବିଗତ ଦୁଇ ଶତାବ୍ଦୀ ବ୍ୟାପି ତଥାକଥିତ ଧର୍ମ ନିରପେକ୍ଷ ବିଜ୍ଞାନ ଓ ଟେକ୍‌ନୋଲୋଜିର କ୍ରମସମୃଦ୍ଧ ସାଧନ କରିବା ପୂର୍ବକ ଆତ୍ମନିଷ୍ଠ ସ୍ଵକଳ୍ପିତ ପ୍ରୟାସଗୁଡ଼ିକର ସାଫଲ୍ୟ ବିନିମୟରେ ପାଶ୍ଚାତ୍ୟ ମନୁଷ୍ୟ ପୃଥିବୀ ବକ୍ଷରେ ଅର୍ଥନୈତିକ, ବ୍ୟବସାୟିକ, ରାଜନୈତିକ, ସାଂସ୍କୃତିକ ତଥା ଆଦର୍ଶଗତ ଦୃଷ୍ଟିକୋଣରୁ ପ୍ରଭୃତ କ୍ଷମତା ବିସ୍ତାର କରିଛି । ଆପେକ୍ଷିକ ଦୃଷ୍ଟି କୋଣରୁ ଜୀବନାଦର୍ଶରୂପେ ବିଜ୍ଞାନ ନିର୍ଭରଶୀଳ ଟେକ୍‌ନୋଲଜିର ବୈଧତା ବା ନ୍ୟାଯ୍ୟତା ପ୍ରତି ଅଧିକ ଗୁରୁତ୍ଵ ଆରୋପ କରାଯାଇଛି ଏବଂ ନିଜ ସୃଜନଶୀଳ ପ୍ରତିଭା ପ୍ରସୂତ ବିଜ୍ଞାନ ଭଳି ଏକ ଧର୍ମନିରପେକ୍ଷ ତଥା ନୈତିକ ମୂଲ୍ୟବୋଧବିହୀନ କ୍ରିୟାଶୀଳତା ବିନିମୟରେ ଧରଣୀ ବକ୍ଷରେ ନୈସର୍ଗିକ ପରିବେଶ ସୃଷ୍ଟି ହୋଇ ପରିବାର ବଳବତ୍ତର ଧାରଣା ତାହାର ବ୍ୟକ୍ତିଗତ ଓ ସାମାଜିକ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଛି । ବିଜ୍ଞାନର ତର୍କସିଦ୍ଧତା ଓ ପ୍ରତ୍ୟକ୍ଷବାଦୀ ଦର୍ଶନ ପ୍ରତି ଅନୁଗ୍ନତ୍ୟ ପ୍ରଦର୍ଶନ କରି ନୈସର୍ଗିକ ପରିବେଶ ସୃଷ୍ଟି କରିବାର ପରମ୍ପରାକୁ ଉତ୍ତରାଧିକାର ସୁତ୍ରରେ ଅବ୍ୟାହତ ରଖିବାର ପରିଣତି ହିଁ ଚଳିତ ଶତାବ୍ଦୀରେ ତାହାକୁ ଅଭୂତପୂର୍ବ ଶୋଚନୀୟ ପରିସ୍ଥିତିର ସମ୍ମୁଖୀନ କରାଇଛି । ମାନବିକ ମୂଲ୍ୟବୋଧଗୁଡ଼ିକ ପ୍ରତି ଅପରିଣାମଦର୍ଶା ବ୍ୟାପାରରେ ଆତ୍ମନିୟୋଗ କରିବାର ପରିଣତି ସ୍ୱରୂପ ପାଶ୍ଚାତ୍ୟ ମନୁଷ୍ୟର ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟିଥିଲେ ମଧ୍ୟ ତାହାର ବ୍ୟକ୍ତିକ ଓ ସାମାଜିକ ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟିଥିଲେ ମଧ୍ୟ ତାହାର ବ୍ୟକ୍ତିକ ଓ ସାମାଜିକ ଜୀବନ ଦାରୁଣ ଭାବରେ ବିପର୍ଯ୍ୟସ୍ତ ହୋଇଛି । ନିଜର କଥା ଇତର ଜୀବ-ଜଗତର ସ୍ଥାୟିତ୍ଵ ପାଇଁ ବସୁମାତା ଧରିତ୍ରୀର ପରିବେଶ ଓ ପରିସଂସ୍ଥାକୁ ସେ କଳୁଷିତ କରିଛି । ଧରଣୀ ବକ୍ଷରେ ‘ୟୁଟୋପିଆ ‘ ବା ନୈସର୍ଗିକ ପରିବେଶର ସର୍ଜନା ପାଇଁ ତଥାକଥିତ ଧର୍ମ ନିରପେକ୍ଷ ବିଜ୍ଞାନ ଓ ଟେକ୍‌ନୋଲୋଜିକୁ ଯେଉଁ ମନୁଷ୍ୟ ସୁଦୀର୍ଘକାଳ ବ୍ୟାପୀ ଏକ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରୁଥିଲା, ତାହାର ପରିଣତି ସ୍ୱରୂପ ଜାତୀୟତାବାଦ ବା ନ୍ୟାସନାଲିଜମ୍‌ର ଉତ୍ପୀଡ଼ନ ଆନ୍ତଃରାଷ୍ଟ୍ରୀୟ ପରିବେଶରେ ଅଭୂତପୂର୍ବ ତଥା ମର୍ମନ୍ତୁଦ ପରିସ୍ଥିତି ସୃଷ୍ଟି କରିଛି । ଜାତୀୟତାବାଦର ଧ୍ଵଜା ଉଡ଼ାଇ ବିଜ୍ଞାନ ବଳରେ ବଳିୟାନ୍‌ ମନୁଷ୍ୟ ପ୍ରାୟ ଛ’ ନିୟୁତ ଇହୁଦୀମାନଙ୍କୁ ବିଗତ ଦ୍ଵିତୀୟ ମହାଯୁଦ୍ଧରେ ନୃଶଂସ ଭାବରେ ହତ୍ୟା କରିଛି ଏବଂ ଅନୁନ୍ୟ ୨୦ ନିୟୁତ ନିରୀହ ଆବାଳବୃଦ୍ଧବନୀତା ଏହି ପ୍ରଳୟଙ୍କରୀ ମହାସମରର ତାଣ୍ତବ ଲୀଳା ଯୋଗୁଁ ମର୍ମନ୍ତୁଦ ମୃତ୍ୟୁବରଣ କରିଛନ୍ତି । କମ୍ୟୁନିଜ୍‌ମରୂପୀ ଅନ୍ୟ ଯେଉଁ ଧର୍ମ ନିରପେକ୍ଷ ତଥା କାର୍ଯ୍ୟ-କାରଣ-ସଂଗତ ଆଦର୍ଶବାଦର ବାସ୍ତବ ରୂପାୟନ ବିନିମୟରେ ମନୁଷ୍ୟର ସାମାଜିକ ଓ ସାଂସ୍କୃତିକ ବିବର୍ତ୍ତନର ଧାରାକୁ ଶୁଭଙ୍କରୀ ପଥର ଅନୁଗାମୀ କରାଇବାର ପ୍ରଚେଷ୍ଟା ଅବ୍ୟାହତ ରହିଛି, ତତ୍‌ଜନିତ ସ୍ୱନାମଧନ୍ୟ ସାହିତ୍ୟିକ ସୋଲଂଜନିତ୍‌ସିନଙ୍କ ଭାଷାରେ ‘ଗୁଲାଗ୍ ଆର୍ଚିପେଲାଗୋ’ର ସର୍ଜନା ହିଁ ସମ୍ଭବ ହୋଇଛି । ଅର୍ଥ ଓ କ୍ଷମତା-ଲିପ୍‌ସାକୁ ଚରିତାର୍ଥ କରାଇବାର ସଂକଳ୍ପବଦ୍ଧ ଉଦ୍ୟମକୁ ସଫଳ କରାଇବା ଦିଗରେ ବିଜ୍ଞାନ ଓ ଟେକ୍‌ନୋଲଜିକୁ ହାତବାରିସୀ ରୂପେ ବ୍ୟବହାର କରାଯିବାର ପରିଣତି ସ୍ୱରୂପ ମନୁଷ୍ୟ ରୂପୀ ମସ୍ତିଷ୍କଧାରିତ ପ୍ରାଣୀ ନିଜର ମାନବିକତାବୋଧ ରୂପୀ ଅନନ୍ୟ ଚାରିତ୍ରିକ ବୈଶିଷ୍ଟ୍ୟଟିକୁ ହରାଇବା ହିଁ ସାର ହୋଇଛି । ବ୍ୟକ୍ତିତ୍ଵ ଓ ସାମାଜିକ ସ୍ତରରେ ତାହାର ହୃଦୟ ସ୍ଥାଣୁ ପାଲଟି ଯାଇଛି । ପ୍ରତ୍ୟେକ ବ୍ୟକ୍ତି, ସମାଜ ଓ ଜାତି ଆତ୍ମକେନ୍ଦ୍ରିକ ବିଜ୍ଞାନ ନିର୍ଭରଶୀଳ ଉଦ୍ୟମ ବଳରେ ନିଜର ବଡ଼ିମା ପ୍ରଦର୍ଶନ କରିବାର ଯେଉଁ ଆତ୍ମୋସୃଷ୍ଟ ଉଦ୍ୟମ ଚଳାଇଛନ୍ତି, ତତ୍‌ଜନିତ ଧରଣୀ ବକ୍ଷରୁ ତଥାକଥିତ ସୁସଭ୍ୟ ଓ ସୁସଂସ୍କୃତ ମନୁଷ୍ୟ ଜାତି ବିଲୀନ ହୋଇଯିବାର ଆଶଙ୍କା ସଂପ୍ରତି ମନୁଷ୍ୟକୁ ବିବ୍ରତ କଲାଣି । ଏପରି ଆତଙ୍କପ୍ରଦ ପରିସ୍ଥିତି ସୃଷ୍ଟି ହେବାପରେ ବର୍ତ୍ତମାନ ପାଶ୍ଚାତ୍ୟ ବୁଦ୍ଧିଜୀବୀମାନେ ଏହି ଦ୍ଵିବିଧ ଉତ୍ତରାଧିକାର ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା କରିବାକୁ ଶ୍ରେୟସ୍କର ମଣିଲେଣି । ବହୁ ତୁଙ୍ଗ ବୁଦ୍ଧିଜୀବୀ ତଥା ଶୁଭଚିନ୍ତକମାନଙ୍କ ନିଃସ୍ଵାର୍ଥପର ବୌଦ୍ଧିକ ପ୍ରୟାସର ପରିଣତି ସ୍ଵରୂପ ‘ବୈଜ୍ଞାନିକ ମାନବବାଦ’ ବା Scientific Humanism ଭଳି ଏକ ଆଶାବାଦୀ, ଆତ୍ମତୃପ୍ତି ପ୍ରଦାନକାରୀ ତଥା ଶ୍ରୁତିମଧୁର ଆଦର୍ଶର ଅଭ୍ୟୁଦୟ ଘଟିଛି ।

 

ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ହେଉଛି ଯେ, ବୈଜ୍ଞାନିକ ମାନବବାଦ ଶୀର୍ଷକ ଯୁଗ୍ମ ଶର ଜରିଆରେ ଯେଉଁ ଆଦର୍ଶର ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଛି, ସେହି ଶବ୍ଦ ଦୁଇଟି ପରସ୍ପରର ବିରୋଧାଚରଣ କରୁଛି । ମହାମତି ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ପ୍ରତିଷ୍ଠିତ ଖ୍ରୀଷ୍ଟଧର୍ମ (ଯାଜକୀୟ ବିଚାରାଳୟର ପ୍ରତିଷ୍ଠାତା ପାଲ ନୁହନ୍ତି ।) ହିଁ ଖ୍ରୀଷ୍ଟୀୟ ମାନବବାଦର ଉତ୍ସ ଏବଂ ସଂଜ୍ଞାତ୍ମକ ଦୃଷ୍ଟିରୁ ତଥାକଥିତ ବୈଜ୍ଞାନିକ ମନୋବୃତ୍ତି ବା Scientific temper ଭଳି ଏକ ବିଶ୍ଳେଷଣାତ୍ମକ, ବ୍ୟକ୍ତି ନିରପେକ୍ଷ ବୈଦ୍ଧିକ ପରିବେଶର ପ୍ରାଧାନ୍ୟ କେବଳ ଏହି ମାନବବାଦର ଅବକ୍ଷୟ ଘଟାଉଛି । ପ୍ରବୀଣ ମନସ୍ତତ୍ତ୍ୱବିତ୍‌ ଫଏଡ୍‌ ଏହି ଘଟଣା ପ୍ରବାହର ତାତ୍ପର୍ଯ୍ୟକୁ ସମ୍ୟକଭାବରେ ହୃଦୟଙ୍ଗମ କରିଥିଲେ । ସେ ସ୍ପଷ୍ଟ ଭାବରେ ସୂଚାଇଛନ୍ତି ଯେ ତର୍କସିଦ୍ଧ ଆଚରଣ ପାଇଁ ମନୁଷ୍ୟର ଯେଉଁ ମାନସକୁ ଦାୟୀ କରାଯାଉଛି, ତାହା ହେଉଛି କେବଳ ଏକ ପ୍ଳବମାନ ତୁଷାରଗରିର ଅଗ୍ରଭାଗ । ଏହି ଭାସମାନ ତୁଷାର ଶୈଳିର ଯେଉଁ ବିପୁଳାଂଶ ପ୍ରବୃତ୍ତି ତଥା ଭାବାବେଗ ରୂପ ଧାରଣ କରି ଆତ୍ମଗୋପନ କରିଛି, ତାହା କେବଳ ଯୁଗ ଯୁଗ ବ୍ୟାପୀ ମନୁଷ୍ୟର ସାଂସ୍କୃତିକ ବିବର୍ତ୍ତନର ପରିଣତି ଯୋଗୁଁ ସୃଷ୍ଟି ଲାଭ କରିଛି । ମାତ୍ର ଫ୍ରଏଡ୍‌ ତତ୍‌କାଳିନ ସାମାଜିକ ଓ ବୌଦ୍ଧିକ ପରିବେଶର ପ୍ରଭାବ ଯୋଗୁଁ ନିଜେ ଜାଣି ପାରି ନ ଥିଲେ ଯେ ମାନସରୁପୀ ପ୍ଳବମାନ ତୁଷାରଗିରିର ଏହି ସ୍ଵଳ୍ପାଂଶ ବା ଅବେଗଟି କେବେହେଲେ ପ୍ରଚ୍ଛନ୍ନ ଭାବରେ ବିଦ୍ୟମାନ ବିପୁଳାଂସକୁ ନିଜର ନିୟନ୍ତ୍ରଣାଧୀନ କରିପାରିବ ନାହିଁ ।

 

॥ ୨ ॥

 

ଆଇନଷ୍ଟାଇନ୍ ମାର୍କ୍‌ସ ଓ ଫ୍ରଏଡ୍‍ଙ୍କ ଯୁଗାନ୍ତକାରୀ ତଥା ବୈପ୍ଳବିକ ଚିନ୍ତାଧାରାର ପ୍ରଭାବ ବିଂଶ ଶତାବ୍ଦୀର ଜନମାନସରେ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟି କରିଛି । ଏହି ମହାମତି, ଯୋଗଜନ୍ମା ଚିନ୍ତାନାୟକମାନଙ୍କର ଐତିହାସିକ ତଥା କ୍ରାନ୍ତିକାରୀ ଅବଦାନଗୁଡ଼ିକ ସମ୍ପର୍କରେ ପ୍ରତ୍ୟେକ ବୁଦ୍ଧିଜୀବୀ ସମ୍ୟକ୍ ଧାରଣା ପୋଷଣ କରିବା ଏକାନ୍ତ ବାଞ୍ଛନୀୟ । ଆଲୋଚ୍ୟ ସମସ୍ୟାର ପରିସରକୁ ସଂକ୍ଷିପ୍ତ କରାଇବା ଉଦ୍ଦେଶ୍ୟରେ ଏଠାରେ ବିଂଶ ଶତାବ୍ଦୀର ଶ୍ରେଷ୍ଠ ବୈଜ୍ଞାନିକ ଆଇନଷ୍ଟାଇନ ଓ ସ୍ୱନାମଧନ୍ୟ ସମାଜବିଜ୍ଞାନୀ ଫ୍ରଏଡ୍‌ଙ୍କ ମଧ୍ୟରେ ଘଟିଥିବା ଭାବ ବିନିମୟ ସମ୍ପର୍କରେ ଚୁମ୍ବକୀୟ ସୂଚନା ପ୍ରଦାନ କରିବା ପାସଙ୍ଗିକ ବୋଧ ହେଉଛି । ପ୍ରାୟ ୫୦ ବର୍ଷ ପୂର୍ବେ, ୧୯୩୨ ମସିହାରେ, ଆଇନଷ୍ଟାଇନ ଓ ଫ୍ରଏଡ୍‌ ମନୁଷ୍ୟର ହିଂସାତ୍ମକ ପ୍ରବୃତ୍ତି ତଥା ବୈଜ୍ଞାନିକମାନଙ୍କ ଦାୟିତ୍ୱବୋଧ ସମ୍ପର୍କରେ ପତ୍ର ଜରିଆରେ ପରସ୍ପର ସହିତ ଯେଉଁ ପ୍ରକାର ଭାବ ବିନିମୟ କରିଥିଲେ, ସେଥିରୁ ଆଇନଷ୍ଟାଇନଙ୍କ ଭଳି ଜଣେ ଯୋଗଜନ୍ମା ମାନବବାଦୀ ବୈଜ୍ଞାନିକଙ୍କ କ୍ରାନ୍ତିକାରୀ ଅବଦାନର ବୈଶିଷ୍ଟ୍ୟ ସମ୍ପର୍କରେ ବୋଧଗମ୍ୟ ସ୍ପଷ୍ଟୀକରଣ ମିଳିପାରୁଛି ।

 

ଆଧୁନିକ ଯୁଗର ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଇନଷ୍ଟାଇନ ପ୍ରଥମେ ସ୍ପଷ୍ଟଭାବରେ ସୂଚାଇଛନ୍ତି ଯେ, ସମାଜକୁ ସମାଲୋଚନା କରାଯିବା ବେଳେ ବିଜ୍ଞାନକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯିବା ବିଧେୟ; ବିଜ୍ଞାନ ଓ ଟେକ୍‌ନୋଲଜି ଭିତ୍ତିକ କାର୍ଯ୍ୟଗୁଡ଼ିକ ସାମାଜିକ ତଥା ବ୍ୟକ୍ତିକ ଜୀବନରେ ନିୟନ୍ତ୍ରକ ଭୂମିକା ଗ୍ରହଣ କରୁଥିବା ଯୋଗୁଁ ତଥା ପାରମ୍ପରିକ ରୀତି ଅନୁଯାୟୀ ବୈଜ୍ଞାନିକ ମୂଲ୍ୟବୋଧ ପ୍ରତି ଗୁରୁତ୍ଵ ଆରୋପ କରାଯାଉଥିବା ଯୋଗୁ ଏପରି ସମାଲୋଚନା ସମୀଚୀନ ବୋଧ ହେଉଛି । ସ୍ୱନାମଧନ୍ୟ ସମାଜବିଜ୍ଞାନୀ ମାର୍କସ ସୂଚାଇଥିଲେ ଯେ ଯଦି ପ୍ରକୃତ ବୈଜ୍ଞାନିକ ପଦ୍ଧତି ଅବଲମ୍ବନରେ ଗବେଷଣା କରାଯାଏ, ତାହାହେଲେ ଗବେଷଣାଲବ୍‌ଧ ଅବଦାନ କେବେ ହେଲେ ମନୁଷ୍ୟର ମାନସପଟ୍ଟରେ ଭ୍ରମାତ୍ମକ ଚେତନା ସୃଷ୍ଟି କରିବାର ଅବକାଶ ନାହିଁ । କେବଳ ସାମାଜିକ ଦୃଷ୍ଟିରୁ ଏହାର ଯଥାର୍ଥ ସମୀକ୍ଷା ବା ସ୍ପଷ୍ଟୀକରଣ ପ୍ରଦାନ କରା ନ ଯିବା ଦ୍ଵାରା ମନୁଷ୍ୟ ମନରେ ବିଭ୍ରାନ୍ତ ସୃଷ୍ଟି ହେବାର ସମ୍ଭାବନାକୁ ଅସ୍ଵୀକାର କରିହେବ ନାହିଁ ।

 

ବିଜ୍ଞାନର ମନସ୍ତତ୍ତ୍ୱ (Psychology of Science) ସମ୍ବନ୍ଧରେ ଆଇନଷ୍ଟାଇନ ଯେଉଁ ପ୍ରକାର ଧାରଣାର ବଶବର୍ତ୍ତୀ ହୋଇଥିଲେ, ତାଙ୍କ ସମଧର୍ମୀ ଦାରଉଇନ, ମାର୍କସ, ଫ୍ରଏଡ୍‌ ପ୍ରମୁଖ ଚିନ୍ତାନାୟକମାନେ ମଧ୍ୟ ତଦନୁରୂପ ଧାରଣା ପୋଷଣ କରିଥିଲେ । ମାତ୍ର ଆଇନ୍‌ଷ୍ଟାଇନଙ୍କ ବୈଶିଷ୍ଟ୍ୟ ହେଉଛି ଯେ, ସେ ବିଜ୍ଞାନକୁ ମନୁଷ୍ୟର ସୁସମନ୍ୱିତ ବ୍ୟକ୍ତିତ୍ତ୍ଵର ଅନ୍ୟତମ ବିଭାବ ରୂପେ ବିଚାର କରିଥିଲେ । ମନୁଷ୍ୟର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ତ୍ଵର ବିକାଶ ଏବଂ ତାହାର ଅନ୍ତର୍ନିହିତ ପ୍ରତିଭାର ପରିପୂର୍ଣ୍ଣ ଉପଯୋଗ କେବଳ ବିଜ୍ଞାନ ନିର୍ଭରଶୀଳ ହୋଇ ନ ଥିବା ସଂପର୍କରେ ସେ ଅନାବିଳ ମନ୍ତବ୍ୟ ବ୍ୟକ୍ତ କରିଥିଲେ । ପ୍ରଖ୍ୟାତ ବୈଜ୍ଞାନିକ ଦାରଉଇନ ତଥା ଆଧୁନିକ ଯୁଗର ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କର ଦୃଷ୍ଟିଭଙ୍ଗୀ ପରିପ୍ରେକ୍ଷରେ ବିଚାର କରିବା ଦ୍ଵାରା ଆଇନଷ୍ଟାଇନଙ୍କ ମହାନୁଭବ ମାନସର ସ୍ଵାତନ୍ତ୍ର୍ୟ ସହଜରେ ଉପଲବ୍‌ଧି ହେଉଛି । ଅନ୍ୟମାନେ ବୈଜ୍ଞାନିକ ପରିବେଶର ସର୍ଜନା ଦିଗରେ ଏକ ଦିଗଦର୍ଶୀ ପ୍ରଧାନ୍ୟ ଆରୋପ କରିଥିଲେ ଏବଂ ବୈଜ୍ଞାନିକ ଗବେଷଣାଲବ୍‍ଧ ତଥ୍ୟ ରାଜି ବିନିମୟରେ ମନୁଷ୍ୟର ସକଳ ସମସ୍ୟାର ସମାଧାନ ହୋଇ ପାରିବା ସମ୍ପର୍କରେ ଆଶାବାଦୀ ଚେତନାର ସୂତ୍ରପାତ ଘଟାଇଥିଲେ । ବ୍ୟକ୍ତିମାନସ ଓ ଗଣମାନସକୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗି ଦ୍ଵାରା ସଂତୃପ୍ତ କରାଇବାର ଔଚିତ୍ୟ ସମ୍ପର୍କରେ ଅନ୍ୟମାନେ ଦୃଢ଼ମତ ପ୍ରକାଶ କରିଥିଲେ । ମାତ୍ର ଆଇନଷ୍ଟାଇନ ପୁନରଭ୍ୟୁଦୟ କାଳଠାରୁ ବିଗତ ଦୁଇଶତ ବର୍ଷ ବ୍ୟାପୀ ସଂଘଟିତ ବୈଜ୍ଞାନିକ କ୍ରିୟାଶୀଳତାର ଉତ୍ତରୋତ୍ତର ସମୃଦ୍ଧି ସାଧନା ଦିଗରେ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ଦ୍ଵାରା ମନୁଷ୍ୟରୂପୀ ବିଚାରବୋଧସଂପନ୍ନ ସାମାଜିକ ପ୍ରାଣୀର ସକଳ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ବୁଝାଇ ଦେଇଥିଲେ । ମନୁଷ୍ୟ ସନ୍ତୁଳିତ ମାନସ ତଥା ତାହାର ସାମାଜିକ କ୍ରିୟାଶୀଳତା ଦିଗରେ ବିଜ୍ଞାନର ସୀମିତ ଭୂମିକାଟିକୁ ନିର୍ଦ୍ଧାରିତ କରିଦେବା ପାଇଁ ତାଙ୍କ ଉଦମ୍ୟ ଅବ୍ୟାହତ ରହିଥିଲା । ସେ ପ୍ରସଙ୍ଗକ୍ରମେ ଲେଖିଥିଲେ, “ଯେ କୈଣସି ପ୍ରକାରେ ହେଉ ପଛକେ, ମନୁଷ୍ୟ ନିଜ ମାନସପଟ୍ଟରେ ଏହି ବିଚିତ୍ର ଜଗତ ସମ୍ବନ୍ଧରେ ଗୋଟିଏ ସରଳ ଓ ବୋଧଗମ୍ୟ ପ୍ରତିବିମ୍ବ ଅଙ୍କନ କରିବାକୁ ପ୍ରଲୁବ୍‌ଧ ହୁଏ । ଏହା ତା’ର ସହଜାତ ଧର୍ମ । ଦୈନନ୍ଦିନ ଜୀବନର ବାସ୍ତବ ଅନୁଭୂତି ତା’ ପାଇଁ ଯେତେ ତିକ୍ତ ହେଉ ପଛକେ, ସେ ବରାବର ଉକ୍ତ ମାନସ-ପ୍ରତିବିମ୍ବ ଢାଞ୍ଚାରେ ନିଜକୁ ପ୍ରସ୍ତୁତ କରିବା ପାଇଁ ଯତ୍ନଶୀଳ ହୁଏ । ଚିତ୍ରକର, କବି, ଦାର୍ଶନିକ, ଓ ବୈଜ୍ଞାନିକମାନେ ପ୍ରତ୍ୟେକେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଗୋଟିଏ ଗୋଟିଏ ସ୍ଵତନ୍ତ୍ର ପଦ୍ଧତିର ଆଶ୍ରୟ ନିଅନ୍ତି । ସେମାନଙ୍କ ଭାବୋଚ୍ଛ୍ଵାସ ଆଧାରିତ ଜୀବନର ମହାକର୍ଷଣୀୟ କେନ୍ଦ୍ରରେ ସେମାନେ ଏହି ମାନସ ପ୍ରତିବିମ୍ଵର ଅଙ୍କନ ଓ ଏହାର ବାସ୍ତବ ରୂପାୟନକୁ ମୁଖ୍ୟ କର୍ମସୂଚୀ ରୂପେ ପ୍ରତିଷ୍ଠା କରନ୍ତି । ଏତଦ୍ଦ୍ଵାରା ସେମାନେ ଯେଉଁ ମାନସିକ ପ୍ରସାଦ ଅନୁଭବ କରନ୍ତି, ତାହା ଦୈନନ୍ଦିନ ଜୀବନର ରୁଟିନ‌୍‌ବନ୍ଧା, ନୀରସ ଓ ବ୍ୟକ୍ତିକ ଅନୁଭୂତି ରୂପୀ ସଂକୁଚିତ ପରିସରରୁ ମିଳିପାରିବା ସମ୍ଭବ ହୁଏ ନାହିଁ ।” ଅର୍ଥାତ୍, ସେ ଚାରୁକଳା, ସଙ୍ଗୀତ, ସାହିତ୍ୟ ଭଳି ବିଜ୍ଞାନକୁ ମନୁଷ୍ୟର ସୃଷ୍ଟିଶୀଳ ପ୍ରତିଭାର ଅନ୍ୟତମ ପରିପ୍ରକାଶ ରୂପେ ବିଚାର କରିଥିଲେ ।

 

ତାର୍କିକ ପ୍ରତ୍ୟକ୍ଷବାଦର (logical positivism) ର ପ୍ରଭାବ ତଥା ଟେକ୍‌ନୋଲଜିଭିତ୍ତିକ ସଭ୍ୟତାର ବାହ୍ୟାଡ଼ମ୍ବର ଏବଂ ସର୍ବୋପରି ଟେକ୍‌ନୋଲଜିର କରାମତିକୁ କେନ୍ଦ୍ର କରି ଆଧୁନିକ ଯୁଗର ବୈଜ୍ଞାନିକମାନେ ଯେପରି ପୁରସ୍କାର, ପଦବୀ ଓ କ୍ଷମତା ପ୍ରାପ୍ତି ଆଶାରେ କ୍ଷମତାସୀନ ନେତୃବର୍ଗଙ୍କୁ ଆପଣାର କରିବାକୁ ଯତ୍ନବାନ୍ ହୋଇଥିଲେ, ଆଇନଷ୍ଟାଇନଙ୍କଠାରେ ତାହାର ବ୍ୟତିକ୍ରମ ଘଟିଥିଲା । ବିଜ୍ଞାନକୁ ଏକ ପ୍ରକାର ମ୍ୟାଜିକ୍‌ ବା ଯାଦୁବିଦ୍ୟା ରୂପେ ଚିତ୍ରଣ କରିବାକୁ ସେ ଶ୍ରେୟସ୍କର ମଣିଥିଲେ । ସେ ସୁଚାଇଥିଲେ ସେ ଯାଦୁବିଦ୍ୟାର କରାମତି, ଯେପରି ମନୁଷ୍ୟର ମାନସପଟ୍ଟରେ ବିସ୍ମୟ ଓ କୌତୁହଳ ସୃଷ୍ଟି କରେ, ସୌନ୍ଦର୍ଯ୍ୟାନୁରାଗୀ, ସୃଷ୍ଟିଶୀଳ ପ୍ରତିଭାସଂପନ୍ନ ବୈଜ୍ଞାନିକ ମାନସପଟ୍ଟରେ ପ୍ରକୃତିର ଶୋଭା ସମ୍ଭାର ଠିକ୍ ତଦନୁରୂପ ବିସ୍ମୟ ଓ ରୋମାଞ୍ଚ ସୃଷ୍ଟି କରେ । ସେ ପ୍ରସଙ୍ଗକ୍ରମେ ସ୍ଵରଚିତ ଏକ ପୁସ୍ତକରେ ଲେଖିଛନ୍ତି, “ପ୍ରକୃତିରାଣୀର ରହସ୍ୟମୟୀ କ୍ରିୟାଶୀଳତା ପର୍ଯ୍ୟବସିତ ଉପଲବ୍‌ଧି ହିଁ ଆମ ଜୀବନର ସର୍ବାପେକ୍ଷା ସୁଖପ୍ରଦ ଅନୁଭୂତି । ପ୍ରକୃତକଳା ଓ ବିଜ୍ଞାନର ସର୍ଜନା ପାଇଁ ଏହି ମୌଳିକ ଅନୁଭୂତି ଏକାନ୍ତ ଆବଶ୍ୟକ । ଯେଉଁ ବ୍ୟକ୍ତିଙ୍କ ମାନସପଟ୍ଟରେ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ବିସ୍ମୟ ଓ କୌତୁହଳ ସୃଷ୍ଟି କରେ ନାହିଁ କିମ୍ବା ପ୍ରକୃତିର ଅପରୂପ ଶୋଭା ସମ୍ଭାର ଯାହାଙ୍କୁ ବିମୁଗ୍‌ଧ ବା ବିମୋହିତ କରେ ନାହିଁ, ସେପରି ବ୍ୟକ୍ତିଙ୍କୁ ମୃତ ବ୍ୟକ୍ତିରୂପେ ଚିତ୍ରଣ କରିବା ହିଁ ଯଥାର୍ଥ ହେବ; ତାଙ୍କ ଦୃଷ୍ଟିଶକ୍ତି ବାସ୍ତବିକ ଅତିକ୍ଷୀଣ ହୋଇଯାଇଛି ।” ଆଇନ୍‌ଷ୍ଟାଇନ ଓ ନିଉଟନଙ୍କ ବୈଜ୍ଞାନିକ ମନସ୍ତତ୍ତ୍ଵକୁ ବିଚାରକୁ ନେଇ ଏକଦା ସ୍ୱନାମଧନ୍ୟ ଅର୍ଥନୀତିଜ୍ଞ ଜନ୍ ମେନାଡ୍‌ କେନ୍‌ସ କହିଥିଲେ, “ଯଦି ଆମେ ନିଉଟନଙ୍କୁ ଆଧୁନିକ ବୈଜ୍ଞାନିକମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଦେବା ଏବଂ ଶେଷ ଯାଦୁକର ରୂପେ ବିଚାର କରିବା, ତାହାହେଲେ ଆଇନଷ୍ଟାଇନ ହେଉଛନ୍ତି, ଆଧୁନିକ ଯୁଗର ପ୍ରସିଦ୍ଧ ବୈଜ୍ଞାନିକମାନଙ୍କ ମଧ୍ୟରେ ପ୍ରଥମ ସଂଶୟବାଦୀ (Sceptic) ଚିନ୍ତାନାୟକ ।” ବୈଜ୍ଞାନିକ ପଦ୍ଧତିର ଉତ୍କର୍ଷ ସମ୍ବନ୍ଧରେ ସଚେତନ ହୋଇଥିଲେ ମଧ୍ୟ, ବିଜ୍ଞାନ ଜଗତରେ ସୃଷ୍ଟ ଭ୍ରମ ଧାରଣଗୁଡ଼ିକ କାଳକ୍ରମେ ବୈଜ୍ଞାନିକ ପଦ୍ଧତିର ନିରବଚ୍ଛିନ୍ନ ସଂଘଟନ ଯୋଗୁଁ ସ୍ଵତଃ ପରିମାର୍ଜିତ ବା ସଂଶୋଧିତ ହେଉଥିବା ସମ୍ପର୍କରେ ସ୍ପଷ୍ଟ ଧାରଣା ପୋଷଣ କରିଥିଲେ ମଧ୍ୟ ଆଇନଷ୍ଟାଇନ ମାର୍କସଙ୍କ ଭଳି ବୈଜ୍ଞାନିକ ସିଦ୍ଧାନ୍ତର ନିର୍ଭରଯୋଗ୍ୟତାକୁ ଗ୍ରହଣ କରିବାକୁ କୁଣ୍ଠାବୋଧ କରିଥିଲେ-। ସେ ବିଚାରିଥିଲେ ଯେ ବୈଜ୍ଞାନିକ ଗବେଷଣାଲବ୍‌ଧ ଚେତନା ମଧ୍ୟ ମନୁଷ୍ୟକୁ ଭ୍ରମାତ୍ମକ ଧାରଣାର ବଶବର୍ତ୍ତୀ କରାଇବାର ଅବକାଶ ରହିଛି । କ୍ୱାଣ୍ଟମ୍‍ତତ୍ତ୍ୱର ଭିତ୍ତିଭୂମିକୁ ସୁଦୃଢ଼ କରିବାର ଦିଗରେ ମୌଳିକ ଅବଦାନ ଯୋଗାଇ ଦେଇ ନୋବେଲ ପୁରସ୍କାର ବିଜେତାର ଗୌରବ ଅର୍ଜନ କରିଥିଲେ ମଧ୍ୟ ପରବର୍ତ୍ତୀ କାଳରେ କ୍ଵାଣ୍ଟମ ଯାନ୍ତ୍ରିକୀର ସମୃଦ୍ଧି ସାଧନ ଯୋଗୁଁ ସୃଷ୍ଟି ଲାଭ କରିଥିବା ଅନିଶ୍ଚିତତା-ସିଦ୍ଧାନ୍ତ ଓ ସମ୍ଭାବନା ସିଦ୍ଧାନ୍ତକୁ ମାନିନେବାକୁ ସେ ଆଦୌ ରାଜି ହୋଇ ନ ଥିଲେ । ସେ ବିଚାରି ଥିଲେ ଯେ ଏ ବିଚିତ୍ରବର୍ଣ୍ଣା ବିଶ୍ଵ ମହିମାମୟ ପରମେଶ୍ଵରଙ୍କର ଅନବଦ୍ୟ ସୃଷ୍ଟି-। ଯାହା ମନୁଷ୍ୟର ବୋଧଗମ୍ୟ ହେଉନାହିଁ ଏବଂ ଯାହାକୁ ମନୁଷ୍ୟ ନିଜ ବୁଦ୍ଧି ବା କର୍ମନୈପୁଣ୍ୟ ବଳରେ ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ବୁଝି ପାରୁନାହିଁ, ତାହାର ଅନ୍ତରାଳରେ ବିଦ୍ୟମାନ ଶୃଙ୍ଖଳା ସମ୍ବନ୍ଧରେ ଅବଧାରିତ ହେବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରିବା ହିଁ ମନୁଷ୍ୟର ଅନନ୍ୟ ପ୍ରକୃତି-। ଐଶ୍ୱରିକ ଲୀଳାର ରହସ୍ୟ ଭେଦ କରିବା ପାଇଁ ତଥା ନିଜର ବ୍ୟକ୍ତିକ ଅନୁଭୂତିକୁ ଅନ୍ୟମାନଙ୍କ ବୋଧଗମ୍ୟ କରାଇବା ପାଇଁ ମନୁଷ୍ୟ ନିଜସ୍ଵ ପ୍ରତିଭାର ଉପଯୋଗ କରୁଛି । ବିଜ୍ଞାନ ମନୁଷ୍ୟର ବହୁମୁଖୀ ପ୍ରତିଭାର ଅନ୍ୟତମ ପରିପ୍ରକାଶ । କ୍ଵାଣ୍ଟମ୍ ତତ୍ତ୍ଵର ପରବର୍ତ୍ତୀକାଳୀନ ସମୃଦ୍ଧି ସାଧନ ସମସାମୟିକ ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କର ଗ୍ରହଣ ଯୋଗ୍ୟ ହୋଇଥିଲେ ମଧ୍ୟ ସେ ସ୍ୱୀୟ ଆତ୍ମ ଅବବୋଧ ପ୍ରତି ଅଗ୍ରାଧିକାର ଆରୋପ କରିଥିଲେ । ବୋହର, ହାଇଜେନବର୍ଗ, ମ୍ୟାକ୍‌ସବନ ପ୍ରମୁଖ ସ୍ୱନାମଧନ୍ୟ ପଦାର୍ଥ ବିଜ୍ଞାନୀମାନେ ତାଙ୍କ ମନ୍ତବ୍ୟ ବିରୋଧରେ କଟୁ ମତ ପ୍ରକାଶ କରିଥିଲେ ମଧ୍ୟ ସେ ଆଦୌ ବିଚଳିତ ନ ହୋଇ ନିର୍ଭୀକଭାବରେ ଘୋଷଣା କରିଥିଲେ ଯେ, ସୃଷ୍ଟିକର୍ତ୍ତା ପରମେଶ୍ଵର ବିଶ୍ଵ ସୃଷ୍ଟି କରିବା ପାଇଁ ପଶାଖେଳ ଭଳି ସମ୍ଭାବନାଶ୍ରୟୀ କ୍ରିୟାଶୀଳତାରେ ଜଡ଼ିତ ହୋଇ ନାହାନ୍ତି । ଈଶ୍ୱରଙ୍କ ସୃଷ୍ଟିର ରହସ୍ୟ ଭେଦ କରିବା ପାଇଁ ମନୁଷ୍ୟ ଠାରେ ଯେଉଁ ପ୍ରକାର ଚେତନାର ଜାଗରଣ ଆବଶ୍ୟକ ହେଉଛି, ସେଥିପାଇଁ ସମ୍ଭବତଃ ପରିସ୍ଥିତି ଅନୁକୂଳ ହୋଇନାହିଁ । ବିଜ୍ଞାନର ନିରବଚ୍ଛିନ୍ନ ସମୃଦ୍ଧି ସାଧନ ତଥା ମନୁଷ୍ୟର ସାଂସ୍କୃତିକ ବିବର୍ତ୍ତନ ବଳରେ କୌଣସି ଚିନ୍ତାନାୟକଙ୍କ ଯୁଗାନ୍ତକାରୀ ଅବଦାନ ମନୁଷ୍ୟକୁ ପ୍ରାକୃତିକ ଶୃଙ୍ଖଳାର ରହସ୍ୟ ଭେଦକରିବା ଦିଗରେ ଦିକ୍‌ଦର୍ଶନ ଯୋଗାଇ ପରିବାର ସମ୍ଭାବନା ପ୍ରତି ସେ ନିଃସନ୍ଦିଗ୍‍ଧ ମନୋଭାବ ପୋଷଣ କରିଥିଲେ । ମନୁଷ୍ୟର ମାନସପଟ୍ଟକୁ ସନ୍ତୁଳିତ କରିବା ପାଇଁ ତଥା ତାହାର, ବ୍ୟକ୍ତିକ ଓ ସାମାଜିକ ବ୍ୟବହାରକୁ ସୁସଂହତ ଓ ସୁସଂଯତ କରାଇବା ପାଇଁ କଳା, ଧର୍ମ ଓ ବିଜ୍ଞାନର ପରିପୂରକ ଭୂମିକା ସମ୍ପର୍କରେ ସେ ସ୍ପଷ୍ଟ ଧାରଣା ପୋଷଣ କରିଥିଲେ । ସେ ସ୍ଵରଚିତ ଏକାକୀ ପୁସ୍ତକରେ ପ୍ରସଙ୍ଗକ୍ରମେ ଲେଖିଥିଲେ, “ଧର୍ମର ପ୍ରଭାବଯୋଗୁଁ ମନୁଷ୍ୟ ମନରେ ବିଶ୍ଵାସ ଜାତ ହେଉଛି ଯେ, ଯେଉଁ ଜଗତରେ ତାହାର ଅସ୍ତିତ୍ଵ ବଜାୟ ରହିଛି, ତାହାର ନୀତି ଓ ଶୃଙ୍ଖଳଗୁଡ଼ିକ କାର୍ଯ୍ୟ-କାରଣ ଓ ସଙ୍ଗତ ହୋଇଛି ଏବଂ ସେ ନିଜ ବିଚାରବୋଧ ବିନିମୟରେ ସେଗୁଡ଼ିକୁ ବୁଝି ପାରିବାର ଅବକାଶ ରହିଛି । ଏପରି ପ୍ରଗାଢ଼ ଧର୍ମ ବିଶ୍ଵାସ ପୋଷଣ ନକରି କେହି ପ୍ରକୃତ ବୈଜ୍ଞାନିକ ରୂପେ ପ୍ରତିଷ୍ଠା ଅର୍ଜନ କରି ପାରିବେ ବୋଲି ମୁଁ ଭାବି ପାରୁନାହିଁ । ବିଜ୍ଞାନ ଓ ଧର୍ମ ମଧ୍ୟରେ ନିହିତ ସମ୍ପର୍କଟିକୁ ନିମ୍ନଲିଖିତ ମାର୍ଗରେ ପ୍ରକାଶ କରାଯାଇପାରେ । ଧର୍ମ ବିନା ବିଜ୍ଞାନ ବିକଳାଙ୍ଗ ହୋଇଯିବ ଓ ବିଜ୍ଞାନ ବିନା ଧର୍ମ ଅନ୍ଧ ପାଲଟିଯିବ । ”

 

ଆଇନଷ୍ଟାଇନଙ୍କ ରଚନାବଳୀରୁ ତାଙ୍କ ଉଦାର ମହାନୁଭବ ବ୍ୟକ୍ତିତ୍ୱର ସମ୍ୟ ପରିଚିତ ମିଳୁଛି । ପରମାଣୁ ବୋମାର ପ୍ରସ୍ତୁତିପାଇଁ ରୁଜଭେଲଟ୍‌ଙ୍କ ସମ୍ମତି ପ୍ରାପ୍ତି ଦିଗରେ ସେ ଯେଉଁ ଐତିହାସିକ ପତ୍ରଟିକୁ ଲେଖିଥିଲେ, ଦ୍ଵିତୀୟ ମହାଯୁଦ୍ଧର ଅବସାନ ଘଟିବା ପରଠାରୁ ତାଙ୍କର ଦେହାବସାନ ଘଟିବା ପର୍ଯ୍ୟନ୍ତ ସେଥିପାଇଁ ସେ ଅନୁତାପ ଜର୍ଜରିତ ଜୀବନ ବିତାଇଥିଲେ । ସେ ସୂଚାଇଥିଲେ ଯେ ତାଙ୍କର ଯଦି ପୁନର୍ଜନ୍ମ ଘଟେ, ତାହାହେଲେ ସେ ଜଣେ କାଠୁରିଆ ଭାବରେ ଜୀବନ ବିତାଇବାକୁ ସ୍ପୃହଣୀୟ ମନେ କରିବେ । ସାରାଜୀବନ ବୈଜ୍ଞାନିକ କ୍ରିୟାଶୀଳତାର ଅନୁଗାମୀ ହେଇଥିଲେ ମଧ୍ୟ ଏବଂ ସ୍ଵୀୟ ଗବେଷଣାଲବ୍‌ଧ ଅବଦାନଗୁଡ଼ିକ ଅବଲମ୍ବନରେ ମନୁଷ୍ୟର ଚେତନାରେ କ୍ରାନ୍ତିକାରୀ ସଂପ୍ରସାରଣ ଘଟାଇଥିଲେ ମଧ୍ୟ ଏହି ମହାମାନବ ବିଜ୍ଞାନପ୍ରତି ସଂଶୟବାଦୀ ମନୋଭାବ ପୋଷଣ କରିଥିବାର ସୂଚନା ଉଲ୍ଲିଖିତ ମନ୍ତବ୍ୟରେ ସ୍ପଷ୍ଟ ଭାବରେ ଅଭିବ୍ୟକ୍ତ ହୋଇଛି ।

 

ମନ୍ଦାମତି ଆଇନଷ୍ଟାଇନ ପ୍ରକୃତିକୁ ମନୁଷ୍ୟଠାରୁ ପୃଥକ୍ ଭାବରେ ବିଚାର କରିବାକୁ ଉଚିତ ମଣିନଥିଲେ । ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଭେଦ ପାଇଁ ସେ ଯେଉଁ ତାତ୍ତ୍ଵିକ ଗବେଷଣା ଚଳାଇଥିଲେ, ମନୁଷ୍ୟକୁ ତାହାର ଅନ୍ତର୍ଭୁକ୍ତ କରିବା ହିଁ ଥିଲା ତାଙ୍କ କର୍ମାଭିମୁଖ୍ୟର ସ୍ୱାତନ୍ତ୍ର୍ୟ । ପ୍ରକୃତିକୁ ସେ ମନୁଷ୍ୟର ମାନସପଟ୍ଟର ଏକ ପ୍ରତିଫଳନ ରୂପେ ବିଚାର କରୁଥିଲେ । ପ୍ରକୃତି ସମ୍ବନ୍ଧରେ ଅନୁସନ୍ଧାନ ଚଳାଇବାଦ୍ଵାରା ସେ ମାନବିକତାର ଅନନ୍ୟ ରୂପକୁ ଉଦ୍‌ଘାଟନ କରିବା ବ୍ୟାପାରରେ ଆତ୍ମନିଯୋଗ କରୁଛନ୍ତି ବୋଲି ବିଚାର କରୁଥିଲେ । ତାଙ୍କର ଏ ରୂପ ମନନଶୀଳତାର ପରାକାଷ୍ଠା ‘ଆପେକ୍ଷିକ ତତ୍ତ୍ଵ’ ଜରିଆରେ ହିଁ ଆତ୍ମପ୍ରକାଶ କରିଛି ।

 

ଧର୍ମ ଓ ବିଜ୍ଞାନ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା ପାଇଁ ପରସ୍ପରର ବିରୋଧାତ୍ମକ ପ୍ରତୀୟମାନ ହେଉଥିବା ‘ବୈଜ୍ଞାନିକ ମାନବବାଦ’ ଭଳି ଦୁଇଟି ଶବ୍ଦର ବିଚିତ୍ର ସଙ୍ଗମ ବଳରେ ଏକ ଜୀବନଧର୍ମୀ ଆଦର୍ଶର ସର୍ଜନା ପାଇଁ ଆଇନଷ୍ଟାଇନ ପଥ ପ୍ରଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଯେଉଁ ଦ୍ଵିବିଧ ଉତ୍ତରାଧିକାର ମଧ୍ୟରେ କୌଣସି ସମନ୍ୱୟ ଘଟାଇବା ଅସମ୍ଭବ ଜଣାପଡ଼ୁଥିଲା, ଆଇନଷ୍ଟାଇନ ହିଁ ତାହାର ସମନ୍ୱୟ ଘଟାଇବା ଦିଗରେ ମନୁଷ୍ୟକୁ ଦିକ୍‌ଦର୍ଶନ ପ୍ରଦାନ କରିଛନ୍ତି ।

 

॥ ୩ ॥

 

ଉଲ୍ଲିଖିତ ଆଲୋଚନାରୁ ସ୍ପଷ୍ଟ ଉପଲବ୍‌ଧି ହେଉଛି ଯେ, ବୈଜ୍ଞାନିକ ମାନବବାଦ ଭଳି ଏକ ଜୀବନାଦର୍ଶ କେବଳ ଏକ ଅବାସ୍ତବ ପ୍ରତିଶ୍ରୁତି ନୁହେଁ । ବିଜ୍ଞାନ ଓ ଧର୍ମ ଭଳି ଦ୍ଵିବିଧ ଉତ୍ତରାଧିକାର ପୃଥିବୀର ପ୍ରବୀଣ ବୁଦ୍ଧିଜୀବୀମାନଙ୍କ ମାନସପଟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ଅବସରରେ ମାନନୀୟ ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯୋଗଜନ୍ମା ମହାମତି ବୈଜ୍ଞାନିକ ଆଇନଷ୍ଟାଇନ ମନୁଷ୍ୟର ଜ୍ଞାନ-ଚକ୍ଷୁ ଉନ୍ମୀଳିତ କରାଇବାକୁ ସମର୍ଥ ହୋଇଛନ୍ତି । ୧୯୭୯ ମସିହାରେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେଉଥିବାର ଶୁଭ ଅବସରରେ ବହୁ ସ୍ଵନାମଧନ୍ୟ ବୁଦ୍ଧିଜୀବୀ ଦ୍ଵବିଧ ଉତ୍ତରାଧିକାର ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା କରିବା ଦିଗରେ ଆଇନଷ୍ଟାଇନ ପଥପ୍ରଦର୍ଶନକାରୀ ଉଦ୍ୟମ ସମ୍ପର୍କରେ ଭାବୋଦ୍ଦିପକ ତଥା ପ୍ରାଞ୍ଜଳ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ସ୍ଵର୍ଗୀୟ ସି: ପି: ସ୍ନୋ କଳା ଓ ବିଜ୍ଞାନକୁ କେନ୍ଦ୍ର କରି ‘ଦୁଇ ସଂକୃତି’ (Two Cultures) ଶୀର୍ଷକ ପ୍ରସଙ୍ଗଟିକୁ ଉତ୍‌ଥାପନ କରି ପୃଥିବୀର ବୌଦ୍ଧିକ ମହଲରେ ଯେଉଁ ପ୍ରକାର ଚହଳ ସୃଷ୍ଟି କରିଥିଲେ ସମ୍ପର୍ତ୍ତି ‘‘ଦ୍ଵିବିଧ ଉତ୍ତରାଧିକାର’’ (Two Inheritances) ଆଧାରିତ ପ୍ରସଙ୍ଗଟି ବୁଦ୍ଧିଜୀବୀ ମହଲରେ ତଦନୁରୂପ ଚିନ୍ତା ଉଦ୍ରେକକାରୀ ଭୂମିକା ଗ୍ରହଣ କରିଛି ।

 

ସାଂପ୍ରତିକ କାଳର ପ୍ରଖ୍ୟାତ ବୁଦ୍ଧିଜୀବୀମାନଙ୍କ ବଳିଷ୍ଠ ଲେଖନୀ ପ୍ରସୂତ ଶିକ୍ଷଣୀୟ ତଥା ଭାବୋଦ୍ଦିପକ ସ୍ପଷ୍ଟୀକରଣ ସମ୍ପର୍କରେ ଆଧାରିତ ହେବାଦ୍ଵାରା ଆମେ ଧର୍ମ ଓ ବିଜ୍ଞାନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିଭ୍ରାନ୍ତି ଓ ବାଦାନୁବାଦର ଉତ୍ସଟିକୁ ଚିହ୍ନଟ କରି ପାରିବା ଏବଂ ଉଭୟର ପରିପୂରକ ଭୂମିକା ସମ୍ପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ମାନବବାଦର ଉତ୍କର୍ଷ ହୃଦୟଗମ କରିପାରିବା । ପ୍ରାକୃତି ଉପାସକ ବୈଜ୍ଞାନିକମାନେ ତାତ୍ତ୍ଵିକ ପଦାର୍ଥ ବିଜ୍ଞାନ, ଆଣବିକ ଜୀବବିଜ୍ଞାନ ଓ ଜୈବ ପ୍ରଯୁକ୍ତି ବିଦ୍ୟା ପ୍ରଭୃତି ଅତ୍ୟାଧୁନିକ ଗବେଷଣା ବଳରେ ଯେଉଁ ପ୍ରକାର ଜ୍ଞାନ ବିତରଣ ଦିଗରେ ଏକନିଷ୍ଠ ସାଧନା ଚଳାଇଛନ୍ତି, ତଜ୍ଜନିତ ମନୁଷ୍ୟ ପ୍ରକୃତିକୁ ନିବିଡ଼ଭାବରେ ଚିହ୍ନିପାରିବା ସଙ୍ଗେ ସଙ୍ଗେ ପ୍ରକୃତିର ନିଜର ସ୍ଥାନ ଓ ଭୂମିକା ସମ୍ପର୍କରେ ଅଧିକାରୁ ଅଧିକା ସ୍ପଷ୍ଟ ଧାରଣା ପାଇ ପାରିବାର ଅବକାଶ ରହିଛି ।

 

ଏତଦ୍ଦ୍ୱାରା ଧର୍ମ ଓ ବିଜ୍ଞାନର ପରିପୂରକ ଭୂମିକା ସମ୍ପର୍କରେ ଆହୁରି ପ୍ରାଞ୍ଜଳ ସ୍ପଷ୍ଟୀକରଣ ମିଳି ପାରିବାର ଶୁଭ ସୂଚନା ମଧ୍ୟ ପ୍ରତିଭାତ ହେଲାଣି । ବିଜ୍ଞାନର ଅବଦାନଗୁଡ଼ିକୁ ସଂଶ୍ଳେଷଣାତ୍ମକ ଦୃଷ୍ଟିରୁ ବିଚାର କରିବା ଦ୍ୱାରା ତଥା ବୈଜ୍ଞାନିକ ଗବେଷଣାଲବ୍‌ଧ ତଥ୍ୟରାଜି ବିନିମୟରେ ମନୁଷ୍ୟର ବ୍ୟକ୍ତିକ ଓ ସାମାଜିକ ଚାହିଦା ପୂରଣ ଦିଗରେ ବିଜ୍ଞାନ ଓ ଟେକ୍‌ନୋଲଜିର ପ୍ରୟୋଗାତ୍ମକ ଭୂମିକାକୁ ସମାଜବିଜ୍ଞାନୀମାନଙ୍କ ଦ୍ୱାରା ସମ୍ୟକ୍ ଭାବରେ ନିର୍ଦ୍ଧାରଣ କରାଇବା ଦ୍ୱାରା ବିଜ୍ଞାନ ମନୁଷ୍ୟର ବ୍ୟକ୍ତିକ ଓ ସାମାଜିକ ଜୀବନ ଉପରେ ସାର୍ବଭୌମତ୍ୱ ବିସ୍ତାର କରିବାର ଅବକାଶ ରହିବ ନାହିଁ । ମନୁଷ୍ୟ ନିଜର ସୀମିତ ଶକ୍ତି ଓ ପ୍ରକୃତିରେ ନିଜର ସ୍ଥାନ ସମ୍ପର୍କରେ ସଚେତନ ହୋଇପାରିବା ଦ୍ୱାରା ଉପଯୁକ୍ତ ନୈତିକ ଆଚରଣର ଅନୁଗାମୀ ହେବାକୁ ସ୍ୱତଃସ୍ଫୁର୍ତ୍ତ ଆଗ୍ରହ ପ୍ରକାଶ କରିବ । ଧର୍ମ ଜରିଆରେ ବ୍ୟକ୍ତି ଓ ସମାଜର ବ୍ୟବହାରକୁ ଶୁଭଙ୍କର ଓ ସୃସଂହତ କରାଯିବା ପାଇଁ ଯେଉଁପ୍ରକାର ଉଦ୍ୟମ କରାଯିବ, ବିଜ୍ଞାନ ତାହାର ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ଦିଗରେ ଏକ ପରିପୂରକ, ସ୍ଵତନ୍ତ୍ର ତଥା ସୀମିତ ଭୂମିକା ଗ୍ରହଣ କରିବ । ‘ଦ୍ଵିବିଧ ଉତ୍ତରାଧିକାର ‘ଭିତ୍ତିକ ସାମ୍ପ୍ରତିକ ବୌଦ୍ଧିକ ଆଲୋଡ଼ନରୁ ଏହି ଉପଲବ୍‌ଧି ମିଳୁଛି । ‘ବୈଜ୍ଞାନିକ ମାନବବାଦ’ ଜରିଆରେ ପୃଥିବୀ ବକ୍ଷରେ ‘ଗ୍ରାହିକ ମାନବିକତା’ର (Planetary Humanity) ପ୍ରତିଷ୍ଠା ପାଇଁ ସାମ୍ପ୍ରତିକ କାଳର ମହାନୁଭବ ବୁଦ୍ଧିଜୀବୀମାନେ ଏ ପ୍ରକାର ଯେଉଁ ସମୟୋଚିତ ପରାମର୍ଶ ଦେଉଛନ୍ତି, ତାହାକୁ ନିଜ ବିଚାରବୋଧ ଓ ଦାୟିତ୍ୱବୋଧ ଜରିଆରେ ପରଖିନେବା ହିଁ ଆମ୍ଭମାନଙ୍କର ପରମ କର୍ତ୍ତବ୍ୟ ।

Image